Unknown

 

 

 

 

 

 

 

 

 

 

ବିଷାକ୍ତ ଅମୃତ

ନିରଞ୍ଜନ ମହାପାତ୍ର

 

ବିଷାକ୍ତ ଅମୃତ ସମ୍ବନ୍ଧରେ

ଦିପଦ

 

ଶ୍ରୀ ନିରଞ୍ଜନ ମହାପାତ୍ରଙ୍କର ରୋମାଞ୍ଚକର ଉପନ୍ୟାସ “ବିଷାକ୍ତ ଅମୃତ” ଖୁବ୍‍ ଚମକପ୍ରଦ ହୋଇଛି । ଭାରତ ଓ ଚୀନ୍‍ ମଧ୍ୟରେ ହୋଇଥିବା ଯୁଦ୍ଧକୁ କେନ୍ଦ୍ର କରି ତଥା ଏକ ଭାରତୀୟ ଓ ଚୀନା ରମଣୀ ମଧ୍ୟରେ ହୋଇଥିବା ବୈବାହିକ ସମ୍ପର୍କକୁ ଭିତ୍ତି କରି ଏହି କାହାଣୀଟି ରଚିତ । ଏହା ମୂଳରୁ ଶେଷଯାଏ ସୁଖପାଠ୍ୟ ଓ ରୋମାଞ୍ଚଭରା ଏବଂ ବହୁ ନାଟକୀୟ ଘଟଣାରେ ଭରପୂର । ଚଳଚିତ୍ରପାଇଁ ଏକ ଅତ୍ୟନ୍ତ ଉପାଦେୟ ଉପନ୍ୟାସ ।

 

ପ୍ରତି ପୃଷ୍ଠାର ଟିକିନିଖି ବିବରଣୀ ପାଠକ ମନରେ ଗଭୀର ଉତ୍କଣ୍ଠା ଓ ଆବେଗ ତଥା ସହାନୁଭୂତି ସୃଷ୍ଟି କରିବ ।

 

ଉପନ୍ୟାସଟି ବହୁଳଭାବରେ ଆଦୃତ ହେବ, ଏଥିରେ ସନ୍ଦେହ ନାହିଁ ।

 

ଭୁବନେଶ୍ଵର

ହେମନ୍ତ ବୋଷ

୨୫-୨-୮୧

ଚଳଚିତ୍ର ନିର୍ଦ୍ଦେଶକ

Image

 

ଲେଖକଙ୍କ ଲେଖନୀରୁ

 

ବିଷାକ୍ତ ଅମୃତ ଗଳ୍ପଟି ୧୯୮୫ ମସିହା ପରେ ପ୍ରକାଶ ପାଇଥିଲେ ଭଲହୋଇଥାନ୍ତା । କିନ୍ତୁ କେତେକ ବନ୍ଧୁଙ୍କ ଅନୁରୋଧକ୍ରମେ ଏଇଟିକୁ ଶୀଘ୍ର ପ୍ରକାଶ କରିଦିଆଗଲା । ବହିଟିକୁ ପ୍ରକାଶ କରିଥିବାରୁ ପ୍ରକାଶକ ମହାଶୟଙ୍କୁ, ବହିର ପ୍ରଚ୍ଛଦପଟ ଆଙ୍କି ଦେଇଥିବାରୁ ଶ୍ରୀଯୁକ୍ତ ଅସୀତ୍ ମୁଖାର୍ଜୀଙ୍କୁ, ବହିର ମୁଖବନ୍ଧ ଲେଖିଦେଇଥିବାରୁ ବିଶିଷ୍ଟ ଚଳଚିତ୍ର ନିର୍ଦ୍ଦେଶକ ହେମନ୍ତ ବୋଷଙ୍କୁ ପାଣ୍ଡୁଲିପିର ଫେୟାର୍‍ କପି କରି ଦେଇଥିବାରୁ ଖୋର୍ଦ୍ଧା କଲେଜଛାତ୍ରୀ କୁମାରୀ ନର୍ମଦାପ୍ରଭା ମହାପାତ୍ର ଏବଂ ସନ୍ଧ୍ୟା ମହାପାତ୍ରଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଉଛି ।

 

ଲେଖକ

ନି: ମ:

Image

 

 

 

 

 

 

 

 

 

 

ଉତ୍ସର୍ଗ

 

ଭଗବାନ ତ୍ରିଷନ୍ ମହାରାଜଙ୍କ ଚରଣ କମଳରେ ।

 

(୧)

 

“ଅରୁଣା ! ତୁ ଆଜି କ’ଣ କଲେଜ ଯିବୁନି ?’’ କାନ୍ଥ ଘଡ଼ିକୁ ଚାହିଁ ନୀହାରିକା ପଚାରିଲେ ।

 

‘‘ଯାଉଛି ନାନୀ, ମୋର ସରିଲା ସବୁ ।”

 

‘‘ତୋର ତ କ୍ଲାସ୍‍ ସମୟ ହୋଇଗଲାଣି, କେତେ ସ୍ନୋ, ପାଉଡର ଓ ଲିପିଷ୍ଟିକ୍‍ ମାଖିହେଉଛୁ ।”

 

ଡ୍ରେସିଂ ଟେବୁଲ୍‍ ପାଖରୁ ବାହାରି ଆସି ଅରୁଣା ହସି ହସି କହିଲେ, ‘‘ନାନୀ, ତୁ କେମିତି ସବୁଦିନ ଘଣ୍ଟା ଘଣ୍ଟା ଧରି ଡ୍ରେସିଂ ପେଣ୍ଟିଂ ହେଉ !”

 

“ବାଜେ କଥା ଛାଡ଼ । ଶୀଘ୍ର କ୍ଲାସ୍‍କୁ ଯାଅ ।”

 

‘‘ତୁ ତ ଘରେ ରହିବା ଲୋକ । ତୁ କ’ଣ କ୍ଲାସ୍‍ କଥା ଜାଣିବୁ ? ଏଇ କ୍ଲାସ୍‍ଟା ଯେଉଁ ସାର୍‌ଙ୍କର ସେ ପରା ସବୁଦିନ ଦଶ ପନ୍ଦର ମିନଟ୍‍ ଡେରି କରି ଆସନ୍ତି । ତେଣୁ ପିଲାମାନେ ଟିକିଏ ଟିକିଏ ଡେରି କରି ଆସନ୍ତି । ମୁଁ ସେମିତି ଚାରି ପାଞ୍ଚ ମିନିଟ୍‍ ଡେରି କରିଦେଲେ କିଛି ଯାଏ ଆସେ ନାହିଁ । ସେଇଟା ତ ସାର୍‌ଙ୍କର ଅଭ୍ୟାସରେ ପରିଣତ ହୋଇଯାଇଛି ।”

 

“ସରକାର ତ ତମର ସେ ସାର୍‌ଙ୍କୁ ଠିକ୍‍ ଭାବାରେ ଦରମା ଦେଉଛନ୍ତି । ଦରମା ଡେରିରେ ଦେଉନାହାଁନ୍ତି । ଦରମାରୁ ମଧ୍ୟ ଗୋଟିଏ ପଇସା କାଟୁ ନାହାଁନ୍ତି । ସେ କାହିଁକି ପିଲାଙ୍କ ପାଠପଢ଼ାକୁ ଏପରି ବେଖାତିର୍‍ କରନ୍ତି ? ସେ କ’ଣ ସେହିପରି ପିରିୟଡ଼ ସରିବାର ଦଶ ପନ୍ଦର ମିନିଟ୍‍ ଆଗରୁ ଚାଲି ଯାଉଛନ୍ତି ? ପ୍ରିନ୍‌ସିପାଲ୍‍ କ’ଣ ଜାଣୁନାହାଁନ୍ତି ? ତମେ ସବୁ କ’ଣ କମ୍ପ୍ଲେନ୍‍ କରୁନ ?”

 

“ନା ମ ନାନୀ, ସେ ଜମା ଖରାପ ସାର୍‍ ନୁହନ୍ତି । ସେ ବହୁତ ବଢ଼ିଆ ସାର୍‍ । ବହୁତ ଭଲ ପଢ଼ାନ୍ତି । ଦିନେ ଦିନେ ମଧ୍ୟ କ୍ଲାସ୍‍ ସରିବାପରେ ଅଧିକ ଦଶ ପନ୍ଦର ମିନିଟ୍‍ ନେଇ ପଢ଼ାନ୍ତି । ଅନ୍ୟ କେତେ ଜଣ ସାର୍‍ ଅଛନ୍ତି, ସେମାନେ ଠିକ୍‍ ସମୟରେ ଆସିଲେ କ’ଣ ହେବ, ବିଲ୍‍କୁଲ୍‍ ପଢ଼ାନ୍ତିନି ।”

 

“ସେମାନେ କେମିତି ପଢ଼ାନ୍ତି ?”

 

‘‘ମାନେ ପିଲାମାନେ ଯେମିତି ବୁଝିପାରିବେ ସେମିତି ପଢ଼ାନ୍ତି ନାହିଁ । ସେହିମାନେ ଯାହା ପଢ଼ାନ୍ତି, ଏକା ସେହିମାନେ ହିଁ ବୁଝନ୍ତି । ମୁଁ ଭାବୁଛି ବୋଧହୁଏ ସେମାନେ ଘରୁ ପ୍ରିପେଆର୍‍ ହୋଇ ଆସନ୍ତିନି ।

 

“ଏସବୁ କେମିତି କଥା ମ ?”

 

ହସି ହସି ଅରୁଣା କହିଲେ, “ଜଣେ ସାରେ ପରା ଏମିତି ଅଫିସ୍‍ କାମରେ ବୁଡ଼ି ରହନ୍ତି ଯେ କ୍ଲାସ୍‍ କଥା ପୂରା ଭୁଲିଯାଆନ୍ତି । ତାଙ୍କ ପିରିୟଡ଼କୁ ସେ ଜମା ଆସନ୍ତିନି । ତେଣୁ ପିଲାମାନେ କ୍ଲାସରେ ନ ବସି ବାହାରେ ବୁଲନ୍ତି ଆଉ ଗପ କରନ୍ତି । ପରୀକ୍ଷା ପୂର୍ବରୁ ତାଙ୍କ କୋର୍ସ ଜମା ସରେନି । ବେଳେ ବେଳେ ଆରମ୍ଭ ମଧ୍ୟ ହୁଏନି । ତେଣୁ ଭଲ ପିଲାମାନେ ସଦାବେଳେ ଭାବନ୍ତି ଯେ ଏମିତି ସାର୍‌ଙ୍କ ପିରିୟଡ଼ ତାଙ୍କ ରୁଟିନରେ ରହିବା ସେମାନଙ୍କ ଦୁର୍ଭାଗ୍ୟ ।”

 

“ୟା ନା କି ପାଠ ପଢ଼ାମ ? ସରକାର କାହିଁକି ତାଙ୍କୁ ପୋଷୁଛନ୍ତି ।”

 

“ତାଙ୍କ ମନ ହେଲେ ମଝିରେ ମଝିରେ ସେ କ୍ଲାସ୍‍କୁ ଆସନ୍ତି । ପରୀକ୍ଷା ପୂର୍ବରୁ ଏହିପରି ଥରେ ଦିନେ କ୍ଲାସ୍‍କୁ ଆସି କହିଲେ–

 

ଆଚ୍ଛା, ଅଫିସ୍‍ରୁ କୋର୍ସେସ୍‍ ଅଫ ଷ୍ଟୁଡିଜଟା ମାଗି ଆଣିବଟି, ଟିକିଏ ଦେଖିବା ତୁମ କୋର୍ସରେ କ’ଣ ଅଛି । କେବଳ ତାଙ୍କ କୋର୍ସତକ ପିଲାମାନେ ନିଜେ ନିଜେ ପଢ଼ି ଘରେ ପ୍ରିପେଆର୍‍ ହୁଅନ୍ତି ।”

 

‘‘ତୁମର ସବୁ କି କି ପ୍ରକାର ଅସୁବିଧା ଅଛି, ସେ କ’ଣ ଜାଣିପାରନ୍ତିନି ?”

 

“ଇଏ ହେଲେ ପଢ଼ାନ୍ତିନି । ମୁଁ ମନେକରେ ଯେ ୟାଙ୍କର ଯଥେଷ୍ଟ ସ୍ଵାତନ୍ତ୍ର୍ୟ ରହିଛି, କିନ୍ତୁ ଅନ୍ୟ କେତେକ ଅଛନ୍ତି, ସେମାନେ ପଢ଼ାଇବା ନ ପଢ଼ାଇବା ସହିତ ସମାନ ।”

 

‘‘ସେମାନେ ସବୁଦିନ କ୍ଲାସ୍‍କୁ ଠିକ୍‍ ସମୟରେ ଆସି ନିୟମିତ ପିଲାଙ୍କୁ ପାଠ ପଢ଼ାନ୍ତି ତ-?”

 

“ହଁ ପଢ଼ାନ୍ତି, ଆସନ୍ତି; କିନ୍ତୁ ସେମାନେ ଥାକେ ହବ ନୋଟ୍‍ ତିଆରି କରି ରଖିଥାନ୍ତି । ସବୁଦିନ ସେଗୁଡ଼ିକୁ ବ୍ଲାକବୋର୍ଡ଼ରେ ଆସି କପି କରନ୍ତି । ଏବଂ ସବୁ ପିଲାଙ୍କୁ କପି କରିବାକୁ କୁହନ୍ତି-। ସମସ୍ତେ କରନ୍ତି ।”

 

“ତୁ କରୁ ?”

 

‘‘ନା, ମୋତେ ଭଲଲାଗେନି ।”

 

‘‘ସେଇଥିପାଇଁ ତୋର ଭଲ ପାଠ ହେଉନି ।”

 

‘‘ତାଙ୍କ କ୍ଲାସ୍‍ର ସଂଜ୍ଞା ହେଲା କ’ଣ ସେ ଆଣିଥିବା ଜିନିଷକୁ କପି କରିବା ? କେତେ ପିଲା ସେଇଥିପାଇଁ ତାଙ୍କ କ୍ଲାସରେ ବସି ନଭେଲ୍‍ ପଢ଼ନ୍ତି ।”

 

‘‘ଛି, ଛି, କେତେ ବାଜେ ପିଲା ଏମାନେ ସବୁ । ମାଷ୍ଟ୍ରେ ପାଠ ପଢ଼ାଇଲାବେଳେ ତମେସବୁ ତାଙ୍କୁ ନ ମାନି ତାଙ୍କ କଥା ନ ଶୁଣି ତମ ମନଇଚ୍ଛା ବସି ନଭେଲ୍‍ ପଢ଼ ।”

 

‘‘ମୋ ମତରେ ନଭେଲ୍‍ ପଢ଼ିବା ବରଂ ଭଲ । ସେ ପିଲାଙ୍କଆଡ଼କୁ ଟିକିଏ ଅନାନ୍ତି ନାହିଁ, କିଏ ବୁଝିଲା କିଏ ନ ବୁଝିଲା ତାହା ଜାଣନ୍ତି ନାହିଁ ।”

 

“ତୁମେ ଯେଉଁଠାରେ ନ ବୁଝିପାରୁଛ, ସେଠାରେ ଛିଡ଼ାହୋଇ ସିଧା ସଳଖ ପଚାରୁନ-?”

 

“କେହି ପଚାରନ୍ତିନି ।”

 

‘‘କାହିଁକି ?”

 

“ସାର୍‌ଙ୍କୁ କାଳେ ତା’ର ଉତ୍ତର ଆସିବ କି ନା ସେଇଥିପାଇଁ ।”

 

ଦୁହେଁ ଏକାଥରେ ହସିଉଠିଲେ ।

 

ହସ ବନ୍ଦ କରି ଅରୁଣା କହିଲେ, ‘‘ସବୁ ବର୍ଷ ପିଲାଙ୍କୁ କ’ଣ କ’ଣ କ୍ଲାସରେ ପଢ଼ାଇବେ, ସେସବୁର ନୋଟ୍‍ ସେ ଆଗରୁ ତିଆରି କରି ରଖିଛନ୍ତି । ତାଙ୍କର ଆଉ ଘରେ ପ୍ରିପେଆର୍‍ ହେବା ଦରକାର ନାହିଁ ।”

 

‘‘ତାହାହେଲେ କ’ଣ ଆଜିକାଲି ସାର୍‌ମାନେ କେହି ପିଲାଙ୍କୁ ଖାଟିକରି ପଢ଼ଉ ନାହାଁନ୍ତି-?”

 

“ହଁ ପ୍ରାୟ ସମସ୍ତେ ସେଇଆ । ଜଣେ ମାଡ଼ାମ୍‍ ଥାଆନ୍ତି ସେ ଆଦୌ ନୋଟ୍‍ ଆଣନ୍ତିନି । ସବୁ ପାଠ ସେ ଘୋଷି ଘୋଷି ମୁଖସ୍ଥ କରିଥାନ୍ତି । ସେଗୁଡ଼ିକୁ କ୍ଲାସରେ ଯାଇ ବ୍ଲାକବୋର୍ଡ଼ରେ ଲେଖିବା ହେଲା ତାଙ୍କ କାମ । ପାଠ ପଢ଼ାଇବାର ଅର୍ଥ ଏଇଆ ବୋଲି ବୁଝନ୍ତି । ମଝିରେ ମଝିରେ ସେ ପଛକୁ ଅନାଇଁ କୁହନ୍ତି–ଇଜ୍‍ ଇଟ୍‍ ନଟ୍‍, ଇଜ୍‍ ଇଟ୍‍ ନଟ୍‍ !”

 

“ସେ ତ ଭଲ ପଢ଼ାନ୍ତି ।”

 

“ହଁ ସେ ବହୁତ ଭଲ ଝିଅ । ଫାଷ୍ଟ୍‍କ୍ଲାସ୍‌ ଫାଷ୍ଟ, ଗୋଲ୍‌ଡ ମେଡାଲିଷ୍ଟ, ଡକ୍ଟରେଟ୍‍ । ସେ ଭଲ ପଢ଼ାନ୍ତୁ ବା ନ ପଢ଼ାନ୍ତୁ, ସେ ହିଁ ବହୁତ ଭଲ । ତାଙ୍କପରି ଟିଚର୍‍ ମୋ ଜୀବନରେ ଜମା ଦେଖିନି; ମୁଁ ତାଙ୍କୁ ଜମା ଭୁଲିପାରିବିନି । ସେ ହେଉଛନ୍ତି ମୋ ଜୀବନର ବେଷ୍ଟ ଟିଚର୍ ।”

 

“ଯଦି ଏ କଲେଜ ତୋତେ ଭଲଲାଗୁନି ଆଉ ଏଥିରେ ତୋତେ କେହି ଭଲ ପଢ଼ାଉ ନାହାଁନ୍ତି, ତା’ହେଲେ କେଉଁ କଲେଜ ତୋ’ପାଇଁ ଭଲ ? ଆମେ ତ ତୋତେ ଏ ସହରର ସବୁଠାରୁ ଭଲ କଲେଜରେ ପଢ଼ାଇବାକୁ ଚାହୁଁଛୁ ।”

 

“ନା ମ ନାନୀ, ତୁ ମୋତେ ଏତେ କଥା କେବେହେଲେ କହିବୁନି, ସବୁ କଲେଜର ଅବସ୍ଥା ଏକାପରି । ଏ ସହରରେ କୌଣସି କଲେଜ ଭଲ ନୁହେଁ କି କୌଣସି କଲେଜ ଖରାପ ନୁହେଁ । ସବୁଠାରୁ ଭଲ କଲେଜ କିପରି ଜାଣିବ କହିଲୁ, ଦେଖି ନାନୀ ?”

 

“କିପରି ଜାଣିବ ମୁଁ କିପରି କହିବି ? ମୁଁ କ’ଣ କେଉଁଦିନ କଲେଜରେ ପାଦ ପକାଇଛି-? ତୁ ସିନା ପଢ଼ୁଛୁ, ଜାଣିଥିବୁ ।”

 

“ଯେଉଁ କଲେଜଟା ଘରଠାରୁ ନିକଟ ସେହି ଗୋଟାକ ସବୁଠାରୁ ଭଲ । ବୁଝିଲୁ ।”

 

“ହଉ, ମୋତେ ଏତେ ପାଠ ପଢ଼ାନି । ଏଥର ଚାଲିଯା କ୍ଲାସ୍‍କୁ । କେତେ ଡେରି ହୋଇଗଲାଣି ।”

 

“ଯାଉଛି ।”

 

“ଯିଏ ଭଲ ପଢ଼ାଉ ବା ନ ପଢ଼ାଉ, ତୁ ନିଜେ କାହିଁକି ନ ପଢ଼ୁଛୁ ? କେଉଁ ମାଷ୍ଟ୍ରେ କ୍ଲାସ୍‍କୁ ଦଶ ମିନିଟ୍‍ କି ପନ୍ଦର ମିନିଟ୍‍ ଲେଖାଏଁ ସବୁଦିନ ଡେରିକରି ଆସୁଛନ୍ତି, ସେଥିପାଇଁ ତୁ କାହିଁକି ଦଶ ମିନିଟ୍‍ ଡେରିକରି ଯାଉଛୁ ? ତୁ ଏଥର ଠିକ୍‍ ସମୟରେ ଯାଆ । ମାଷ୍ଟ୍ରେ ବ୍ଲାକବୋର୍ଡ଼ରେ ଯାହା ଯାହା ଲେଖୁଛନ୍ତି ଅନ୍ୟ ପିଲା ନ ଲେଖନ୍ତୁ, ତୁ କାହିଁକି ନ ଲେଖୁଛୁ ।” ଏଥର ଅରୁଣା ସୁନାପିଲା ପରି ବହିପତ୍ର ଧରି କ୍ଲାସ୍‍କୁ ଚାଲିଗଲା ।

 

ନୀହାରିକା ଏଥର ତାଙ୍କ ବେଡ୍‌ରୁମ୍‌କୁ ଯାଇ ତାଙ୍କ ବେଡ୍‍ ଉପରେ ଥିବା କଅଁଳିଆ କଅଁଳିଆ ଗଦିଥାକ ଭିତରେ ବୁଡ଼ିଯାଇ ତାଙ୍କ ନିଜ ସାନ ଭଉଣୀଙ୍କ କଥା ଚିନ୍ତା କରିବାକୁ ଲାଗିଲେ-। ଦୁହେଁ ଗୋଟାଏ ମାଆ ପେଟରୁ ଜନ୍ମ, ଦୁହିଁଙ୍କ ଧମନୀରେ ଏକାପ୍ରକାରର ରକ୍ତ ପ୍ରବାହିତ ହେଉଛି-। ଦୁହେଁ ଆସିଛନ୍ତି ଗୋଟିଏ ଛୋଟ ମଫସଲ ଗାଁର ଗୋଟିଏ ଗରିବ ପରିବାରରୁ-

 

ଅରୁଣାକୁ ମଣିଷ କରି ଗଢ଼ି ତୋଳିବା ଦାୟିତ୍ଵ ନୀହାରିକାଙ୍କର; ସେ ହେଉଛି ବର୍ତ୍ତମାନ ପିତୃମାତୃହୀନା, ଗୃହହୀନା ନିରୀହା ଝିଅଟିଏ । ତା’ ବଡ଼ ଭଉଣୀ ଛଡ଼ା ଏ ଦୁନିଆରେ ନିଜର ହୋଇ ଆଉ କିଏ ଅଛି ? ତାଙ୍କର ବିବାହ କୋଟିପତି ଅନୁପ ବାବୁଙ୍କ ସହିତ ହୋଇଗଲା ବୋଲି ସିନା ସେ ରକ୍ଷା ପାଇଗଲେ । ସେ ଯଦି ଏଠାରେ ନ ରହି ଦୁର୍ଭାଗ୍ୟ କ୍ରମେ ଗୋଟିଏ ଗରିବ ଘରର ବୋହୂ ହୋଇଥାନ୍ତେ, ତା’ହେଲେ ସେ କ’ଣ ଏତେ ସୁଖ ସ୍ଵଚ୍ଛନ୍ଦରେ ରହିପାରିଥାନ୍ତେ ? ସେ ନିଜ ଭଉଣୀକୁ ନିଜ ପାଖରେ ରଖି ପାଠ ପଢ଼ାଇ ମଣିଷ କରିବାର ସୁଯୋଗ ପାଇଥାନ୍ତେ ? ଯାହାହେଉ ସେ ତାଙ୍କର କର୍ତ୍ତବ୍ୟ କରିବେ । ସେ ଅରୁଣାକୁ ସଦାବେଳେ ନିଜର ବହୁତ ପାଖରେ ରଖି ଆସିଛନ୍ତି-। ନିଜର ଝିଅପରି ପାଳି ଆସିଛନ୍ତି । ସେ ଦୁଇ ଅକ୍ଷର ପଢ଼ି ସାରିବା ପରେ ତାକୁ ହାତକୁ ଦି’ହାତ କରିବା ଦାୟିତ୍ଵ ଏକା ତାଙ୍କରି । ପ୍ରଥମେ ତା’ ଇଚ୍ଛା ଯେତେ ହେଉଛି, ସେ ସେତେ ପଢ଼ୁ । ପଢ଼ିବାପାଇଁ ତାକୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ଆଜି ସେହି ତା’ର ବାପା, ତା’ର ମା, ତା’ର ଭାଇ ଓ ତା’ର ଭଉଣୀ ।

 

ଯାହାହେଉ ସେ ଆଜି ବହୁତ ଖୁସି, ସେ ପାଇଛନ୍ତି ଏକ ସୁନ୍ଦର ଘର, ଏକ ସୁନାର ସଂସାର । ଭଗବାନଙ୍କ ଆଶୀର୍ବାଦରେ ତାଙ୍କର କୋଳ ମଧ୍ୟ ପୂରିଉଠିଛି । ସେ ପାଇଛନ୍ତି ବହୁତ ସୁନ୍ଦର ପୁଅଟିଏ ଏବଂ ବହୁତ ସୁନ୍ଦର ଝିଅଟିଏ । ସେହି ଦୁହିଁଙ୍କ ହସ ହସ ମୁହଁ ଚାହିଁ ଚାହିଁ ତାଙ୍କର ସମସ୍ତ ସମୟ ବିତିଯାଏ । ପୁଅ କିରଣ ଏବଂ ଝିଅ ହୀରା ସବୁଦିନ ସ୍କୁଲ୍‍କୁ ଯାଉଛନ୍ତି ପାଠ ପଢ଼ିବାକୁ । ସେ ମନେ କରନ୍ତି ଯେ ଏ ପୃଥିବୀରେ ଭଗବାନ ତାଙ୍କୁ ଏକା ଅମୃତ ଦେଇଛନ୍ତି ।

 

ଅନୁପ ବାବୁଙ୍କ ବୃଦ୍ଧା ମା’ଙ୍କର ସେବାରେ ନୀହାରିକା ଲାଗିଥାନ୍ତି । ଅନେକ ସମୟ ସେ ତାଙ୍କପାଇଁ ରାମାୟଣ ପଢ଼ି ଶୁଣାନ୍ତି । ସେ ଏହା ଶୁଣି ବହୁତ ଖୁସି ହୋଇଯାଆନ୍ତି । ସେ ତାଙ୍କ ମନଲାଖି ବୋହୂଟିଏ ପାଇଛନ୍ତି । ସେଥିପାଇଁ ତାଙ୍କ ମୁହଁରେ ବୋହୂର ପ୍ରଶଂସା ବେଳେ ବେଳେ ଅଠାପରି ବୋଳି ହୋଇଯାଏ । ଚାକରାଣୀ ତାଙ୍କୁ ସବୁଥିରେ ସାହାଯ୍ୟ କରେ । ତାଙ୍କର ପତି-ଦେବତା ଅନୁପ ବାବୁ ମଧ୍ୟ ତାଙ୍କ ଉପରେ ସନ୍ତୁଷ୍ଟ । ତାଙ୍କପରି ଧନୀ ଲୋକ ଏ ସହରରେ ବହୁତ କମ୍‍ । ତାଙ୍କ ବ୍ୟବସାୟରେ ସବୁଦିନ ଲକ୍ଷ ଲକ୍ଷ ଟଙ୍କାର କାରବାର ହୁଏ । ଅନ୍ୟମାନଙ୍କ ତୁଳନାରେ ସେ ଆଜି ଅଧିକ ପ୍ରତିଷ୍ଠିତ ଏବଂ ଉନ୍ନତ । ତାଙ୍କର ଧର୍ମପ୍ରତି ମଧ୍ୟ ପ୍ରଗାଢ଼ ବିଶ୍ଵାସ । ତାହାର ଜ୍ଵଳନ୍ତ ପ୍ରମାଣ ହେଲା ତାଙ୍କଦ୍ଵାରା ନିର୍ମିତ ହେଉଥିବା ଶ୍ରୀକୃଷ୍ଣଙ୍କ ମନ୍ଦିର । ଏ ମନ୍ଦିରର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହୋଇ ଆସିଲାଣି । ଏଥିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଏହାର ଗୋଟିଏ ଛୋଟ କାଚମଡେଲ ତାଙ୍କ ଘରେ ମଧ୍ୟ ଅଛି । ଏହାର ନିର୍ମାଣ କାର୍ଯ୍ୟ ଶେଷ ହେଲେ ଏଇଟା ହେବ ସହରର ସବୁଠାରୁ ଉଚ୍ଚତମ ମନ୍ଦିର । ଏଥିପାଇଁ ଅନେକ ଶିଳ୍ପୀ ନିଜ ନିଜର ସ୍ଥାପତ୍ୟ ଏବଂ କଳାର ସ୍ଵାତନ୍ତ୍ର୍ୟ ଦେଖାଇବାରେ ବ୍ୟସ୍ତ ।

 

ନୀହାରିକା ଅନୁପ ବାବୁଙ୍କର ସମସ୍ତ କାର୍ଯ୍ୟରେ ସନ୍ତୁଷ୍ଟ; କିନ୍ତୁ ଗୋଟିଏ କାର୍ଯ୍ୟ ତାଙ୍କୁ ଆଦୌ ଭଲ ଲାଗେନା । ସେଇଟା ତାଙ୍କର ଗୋଟିଏ ପ୍ରକୃତି । ତାଙ୍କର ସେଇଟା ଗୁଣ ବୋଲି କୁହାଯାଇନପାରେ । କିନ୍ତୁ ସେଇଟା ତାଙ୍କର ଧର୍ମ ବୋଲି କୁହାଯାଇପାରିବ । ପ୍ରକୃତରେ ସେଇଟା ହେଉଛି ତାଙ୍କର ଗୋଟିଏ ଦୋଷ; ବିକୃତି ଏବଂ ଦୁର୍ବଳତା । ସେ ସବୁଦିନ ମଦ୍ୟପାନ କରନ୍ତି । ବର୍ଷରେ ସେ ପ୍ରାୟ ଦୁଇଶହ ଦିନ ଜିପରେ ବସି ବନ୍ଧୁକ ଧରି ଶିକାର କରିବାକୁ ଯାଆନ୍ତି । କିନ୍ତୁ ତାଙ୍କ ଚରିତ୍ର ବହୁତ ଭଲ । ସେ ମଦ୍ୟପ ହେଲେ ମଧ୍ୟ ନିଜ ସ୍ତ୍ରୀ ଛଡ଼ା ଅନ୍ୟ ଝିଅଙ୍କୁ ସେ ଆଡ଼ଆଖିରେ ସୁଦ୍ଧା ଚାହାଁନ୍ତି ନାହିଁ । ନୀହାରିକା ତାଙ୍କୁ ଏ ବଦଭ୍ୟାସରୁ ନିବୃତ ହେବାକୁ ବହୁତ ଅନୁରୋଧ କରିଛନ୍ତି । ମାତ୍ର ସବୁ ବୃଥା ହୋଇଛି; ସେସବୁ କରିପାରିବେ ମାତ୍ର ଏ ଅଭ୍ୟାସକୁ ଛାଡ଼ିପାରିବେ ନାହିଁ । ସେ ଅଧିକାଂଶ ସମୟ କୁହନ୍ତି ଯେ ସେ ମରିସାରିବା ପରେ ଏହି ଅଭ୍ୟାସ ତାଙ୍କ ଦେହରୁ ଛାଡ଼ିବ ।

 

(୨)

 

“ନା, ନା ଆମେ ଚାଇନିଜ୍‍ ଜୋତା ଦୋକାନକୁ ଯିବା । ଚାଇନିଜ୍‍ ଜୋତା ମୋତେ ଭଲଲାଗେ । ଭଲ ଡିଜାଇନ୍‍ । ବହୁତ ଦିନ ଯିବ ଏବଂ ଶସ୍ତା”–ଅର୍ଚ୍ଚିଡ଼୍‌ ଜିଦ୍‌କରି କହିଲେ । ‘‘କିଏ କହିଲା ? ତୁମର ତା’ହେଲେ ଜୋତା ବିଷୟରେ କିଛିହେଲେ ସାଧାରଣ ଜ୍ଞାନ ନାହିଁ । ଚାଇନିଜ୍‍ ଜୋତାଠାରୁ ବାଟା କମ୍ପାନୀ ଜୋତା ବହୁତ ଭଲ । ତା’ର ସାରା ବିଶ୍ଵରେ ନାଆଁ । ବିଭିନ୍ନ ଦେଶକୁ ଜୋତା ରପ୍ତାନି କରି ଆମ ବାଟା କମ୍ପାନୀ ଯେତେ ନାଆଁ ଅର୍ଜିଛନ୍ତି ତମ ଚାଇନାରେ ସେମିତି ଗୋଟିଏ ହେଲେ କମ୍ପାନୀ ନାଆଁ ଅର୍ଜି ନାହିଁ ।”

 

ଯୁକ୍ତି କରି ରାକେଶ୍‍ କହିଲେ ।

 

‘‘ନ ହେଲେ ନାହିଁ ।”

 

‘‘ତୁମେ ଏତେ ରାଗନି । ଆଚ୍ଛା ହେଉ । ତୁମ ଚାଇନିଜ୍‍ ଜୋତା ସବୁ ଗୁଣରେ ବାଟା ଜୋତାଠାରୁ ଭଲ ହେଉ । ତୁମରି କଥା ରହୁ । କିନ୍ତୁ ସମସ୍ତେ ଯଦି ଚାଇନିଜ୍‍ ଜୋତା କିଣିବେ, ଆମ ଦେଶର ଜୋତା କମ୍ପାନୀଙ୍କ ଜୋତା କିଏ କିଣିବ ? ସେମାନେ ଯିବେ କୁଆଡ଼େ ?”

 

“ହଉ, ଚାଲ ବାଟା ଦୋକାନକୁ ।’’ ଅଭିମାନ କରି ଅର୍ଚ୍ଚିଡ଼୍‍ କହିଲେ ।

 

ହସି ହସି ରାକେଶ୍‍ ବାବୁ କହିଲେ ‘‘ମୁଁ ଜାଣେ, ତୁମେ ସାମାନ୍ୟ କଥାରେ ବହୁତ ଅଭିମାନ କର । ଆଚ୍ଛା ହେଉ ଚାଲ ଚାଇନିଜ୍‍ ଦୋକାନକୁ ।”

 

“ନା”

 

“ନା”

 

‘‘ତା’ହେଲେ ଗୁଳା ପକା ।”

 

“ଏତେ ଗୁଳା ପକାଇବାର ଆବଶ୍ୟକତା ନାହିଁ । ଜୋତା ତୁମପାଇଁ କିଣା ହେବନି କି ମୋ’ପାଇଁ କିଣା ହେବନି । କିଣା ହେବ ଉଜ୍ଜଳପାଇଁ, ସେ କହୁ ।” ଅର୍ଚ୍ଚିଡ଼୍‍ ଉଜ୍ଜଳ ପିଠିକୁ ଥାପୁଡ଼ାଇବାରେ ଲାଗିଲେ ।

 

ଉଜ୍ଜଳ ହସି ହସି କହିଲା, “କାହିଁକି ଏତେ କଥା ପଡ଼ିଛି ଯେ, ଯେଉଁ ଦୋକାନରୁ ହେଲେ ନେଇଗଲେ ଚଳିଯିବନି ।”

 

“ସେଇଟା କେମିତି ହେବ ?”

 

“ତାହାହେଲେ ଚାଇନିଜ୍‍ ଦୋକାନରୁ ନୁହେଁ କି ବାଟା ଦୋକାନରୁ ନୁହେଁ ।”

 

ସମସ୍ତେ ଏକ ସମୟରେ ହସିଉଠିଲେ ।

 

“ଆଉ ତା’ହେଲେ କେଉଁ ଦୋକାନରୁ ?”

 

“ଅନ୍ୟ ଏକ ଦୋକାନରୁ । କରୋନା, ବୁଟେକସ୍‍, ବି.ଏସ୍‍.ସି. ।”

 

“ଏସବୁ ତ ଭାରତୀୟ ।”

 

“ତା’ହେଲେ ଥାଉ । ଆଜି ଜୋତା କିଣା ବନ୍ଦ । ପରେ କିଣିବା ।”

 

ଅର୍ଚ୍ଚିଡ଼୍‍ କହିଲେ, “ନା ପୁଅ, ତୋ ଜୋତା କିଣା ଆଜି ଜମା ବନ୍ଦ ହେବନି । ତୁ ପଛେ ଚାଇନିଜ୍‍ ଜୋତା ଦୋକାନରୁ ନ କିଣେ ।”

 

“ମା’, ତୁମେ ବହୁତ ଚାଇନା ପ୍ରେମୀ, ତୁମେ ବହୁତ ରାଗିଯାଉଛ ।”

 

“ନା ପୁଅ ମୁଁ ଜମା ରାଗିନି । ତୁମ ଇଚ୍ଛା ଯେଉଁଠାରୁ ହେଉଛି ଚାଲ ସେଇଠାରୁ ଜୋତା କିଣିବା ।”

 

“ହଁ ମା’, ରାଗିଛ, ତୁମେ ବହୁତ । ଚାଲ ଆମେ ଚାଇନିଜ୍‍ ଦୋକାନକୁ ଯିବା ।”

 

‘‘ତୁମର କ’ଣ ଇଚ୍ଛା ଚାଇନିଜ୍‍ ଜୋତା କିଣିବା ?”

 

“ହଁ ମା’, ମୋର ବହୁତ ଇଚ୍ଛା ।”

 

ଅର୍ଚ୍ଚିଡ଼୍‍ ଏଥର ଉଜ୍ଜଳକୁ ଉପରକୁ ଟେକିଧରି ତାଙ୍କୁ କାଖେଇ ତାଙ୍କ ମୁହଁରେ ଦୁଇ ତିନି ଥର ଚୁମ୍ବନର ନରମ ସ୍ପର୍ଶ ଦେଇ ତଳେ ଛାଡ଼ି ଦେଲେ ।

 

“ଠିକ୍‍ ଅଛି ।” ରାକେଶ୍‍ ବାବୁ କହିଲେ । ତିନିହେଁ ମାର୍କେଟ ମଧ୍ୟରେ ଚାଲିଛନ୍ତି । ଅର୍ଚ୍ଚିଡ଼୍‍ ଅଳ୍ପ ଖୁସି ଅଛନ୍ତି, କାରଣ ତାଙ୍କ କଥା ରହିଲା; ତାଙ୍କ ପୁଅ ଉଜ୍ଜଳ ତା’ ବାପାଙ୍କୁ ସମର୍ଥନ ନ କରି ତାଙ୍କୁ ସମର୍ଥନ କରିଛି । ରାକେଶ୍‍ ବାବୁ ସେଥିପାଇଁ ଅଳ୍ପ ଗାମ୍ଭୀର୍ଯ୍ୟ ଦେଖାଉଛନ୍ତି ।

 

ଖୁବ୍‍ ଅଳ୍ପ ସମୟ ମଧ୍ୟରେ ତିନିହେଁ ଲିଂଟାନ୍‍ର ଚାଇନିଜ୍‍ ଜୋତା ଦୋକାନରେ ପହଞ୍ଚିଲେ । ଲିଂଟାନ୍‍ ସେମାନଙ୍କୁ ଚିହ୍ନିଲା । ବହୁତ ଦିନର ଗରାକ । ଚିହ୍ନା ପରିଚିତ ଲୋକ । ବିଶେଷତଃ ଅର୍ଚ୍ଚିଡ଼୍‍ ଚାଇନିଜ୍‍ ଝିଅ । ସେ ଏଠାରେ ରାକେଶ୍‍ ବାବୁଙ୍କୁ ବିବାହ କରି ରହିଛନ୍ତି । ଏ ବିବାହ ଗୋଟିଏ ଲଭ୍‍ ମ୍ୟାରେଜ୍‍, ଭାରତୀୟ ସ୍ଵାମୀ ଏବଂ ଚାଇନିଜ୍‍ ସ୍ତ୍ରୀ । ଅର୍ଚ୍ଚିଡ଼୍‍ ଏବେ ଭାରତୀୟ ହୋଇଯାଇଛନ୍ତି । ଭାରତର ନାଗରିକତ୍ଵ ଗ୍ରହଣ କରିଛନ୍ତି । ଅର୍ଚ୍ଚିଡ଼୍‍ ତାଙ୍କରି ଦୋକାନରୁ ସଦାବେଳେ ଜୋତା କିଣନ୍ତି ।

 

ଲିଂଟାନ୍‍ ସେମାନଙ୍କୁ ଭିତରକୁ ପାଛୋଟି ନେଇ ଚେୟାରରେ ବସାଇଦେଇ ପ୍ରଥମେ ପଚାରିଲା ହସି ହସି, ‘‘କେମିତି ଅଛନ୍ତି ?”

 

‘‘ସେମିତି ।”

 

ତା’ପରେ ସେ ସମସ୍ତଙ୍କୁ କୋକାକୋଲା ଦେଇ କହିଲା “କ’ଣ ଜୋତା କିଣିବାର ଅଛି-?”

 

“ହଁ ଉଜ୍ଜଳପାଇଁ ଜୋତା ଦରକାର” ରାକେଶ୍‍ ବାବୁ କହିଲେ । ତା’ପରେ ସେ ବିଭିନ୍ନ ଭେରାଇଟର ସୁନ୍ଦର ସୁନ୍ଦର ଜୋତା ଆଣି ତାଙ୍କୁ ଦେଖାଇଲା । ଉଜ୍ଜଳର ଗୋଡ଼ର ମାପନେଇ ତାକୁ ପିନ୍ଧେଇ କଷିଲା, ଉଜ୍ଜଳ ତା’ ମନକୁ ଜୋତା ବାଛିଲା । ସେ ଯେଉଁ ଜୋତା କହିଲା ତାକୁ ଡବାଭିତରେ ପ୍ୟାକ କରିଦିଆଗଲା । ଲିଂଟାନ୍‍ ମେମୋ ଲେଖିଲା । ଉଜ୍ଜଳ ସଙ୍ଗେ ସଙ୍ଗେ ପକେଟରୁ ପଇସା ବାହାର କରି ଦେଇଦେଲା । ରାକେଶ୍‍ ବାବୁ ନିଜ ପକେଟରୁ ପଇସା ବାହାର କରୁଥିଲେ । କିନ୍ତୁ ସେତେବେଳକୁ ଉଜ୍ଜଳ ଦେଇ ସାରିଲାଣି । ସେ ଉଜ୍ଜଳକୁ ବିରକ୍ତ ହୋଇ କହିଲେ, ‘‘ତୁମେ କାହିଁକି ଜୋତା ପଇସା ଦେଲ ?’’

 

“ମୁଁ ଯେଉଁ ସ୍କଲାର୍‌ସିପ୍‍ ଟଙ୍କା ପାଉଛି, ସେଗୁଡ଼ାକ କ’ଣ ହେବ ?”

 

‘‘ପାସ୍‍ ବୁକରେ ରଖିବ । ତୁମେ ତ ପଢ଼ିବାପାଇଁ ଗୋଟିଏ ହେଲେ ପଇସା ଆମଠାରୁ ନଉନ । ସବୁ ତୁମେ ନିଜେ ନିଜେ ରୋଜଗାର କରୁଛ । ସରକାର ଦେଉଛନ୍ତି । ସେଗୁଡ଼ାକ ଏମିତି ପାଣିପରି ଆଉ ଖର୍ଚ୍ଚ କରିବନି । ସଞ୍ଚୟ କରି ରଖିବାକୁ ଚେଷ୍ଟା କରିବ; ଭବିଷ୍ୟତରେ କାମ ଦେବ-।”

 

ଅର୍ଚ୍ଚିଡ଼୍‍ କହିଲେ, ‘‘ତୁମକୁ କ’ଣ ଗର୍ବ ଲାଗୁନି ? ସେ ଏତେ କମ୍‍ ବୟସର ପିଲା ହୋଇ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି; ବାପାମା’ଙ୍କଠାରୁ ଗୋଟିଏ ହେଲେ ପଇସା ନିଜେ ଚଳିବାପାଇଁ ନେଉନାହାଁନ୍ତି ।”

 

“ତୁମକୁ କ’ଣ ଗର୍ବ ଲାଗୁନି ?” ରାକେଶ୍‍ ବାବୁ କହିଲେ ।

 

‘‘ମୁଁ ପଠାଇଥିଲି ବୋଲି ସିନା ସେହି ସ୍କୁଲ୍‍କୁ । ପ୍ରଥମେ ତୁମେ ତ ମନା କରୁଥିଲ । ମୋତେ ଅପୋଜ୍‍ କରି କହିଲ ଏତେଗୁଡ଼ାଏ ପଇସା ଖର୍ଚ୍ଚ କରିବାଟା ଆଦୌ ଭଲ ନୁହେଁ ଗୋଟିଏ ଛୋଟ ପିଲାପାଇଁ । କହିଥିଲ ଯେ ଆମେ ତାଙ୍କୁ ନିଜ ପାଖରେ ରଖି ପାଖ ଚାଟଶାଳୀ ସ୍କୁଲରେ ପଢ଼ାଇବାକୁ । ତାଙ୍କ ମୁଣ୍ଡରେ ଯେଉଁ ପ୍ରତିଭା ଅଛି, ତୁମେ ତାକୁ କାହୁଁ ଜାଣିବ ? ବଣମଲ୍ଲି ବଣରେ ଫୁଟିଥାନ୍ତା କେହି ଜାଣିପାରିନଥାନ୍ତେ । ମୁଁ ନିଜେ ତୁମକୁ ନ ମାନି ତାଙ୍କୁ ବାଧ୍ୟ କରି ସେ ସ୍କୁଲ୍‍କୁ ପଠାଇଥିଲି । ସେ ସେଠାରେ ଫାଷ୍ଟ୍‍କ୍ଲାସ୍‍ ଫାଷ୍ଟ ହେଲେ । ସରକାର ସେ ସ୍କୁଲରେ କେବଳ ଗୋଟିଏ ପିଲାକୁ ଚଳିବାପାଇଁ ମାସକୁ ଚାରିଶହ ଏବଂ ବୃତ୍ତି ଦୁଇଶହ ଏପରି ଛଅଶହ ଟଙ୍କା ଦିଅନ୍ତି-। ଉଜ୍ଜଳ ଏ ଚାଟଶାଳୀରେ ପଢ଼ିଥିଲେ ତାଙ୍କୁ କିଏ ଛଅଶହ ଟଙ୍କା ଦିଅନ୍ତା ? ସେ ସ୍କୁଲରେ କେବଳ ସେହି ଧନୀ ପିଲାମାନେ ପଢ଼ନ୍ତି, ଯାହାଙ୍କ ବାପାମା’ମାନେ ନିଜ ନିଜ ପିଲାପାଇଁ ମାସକୁ ଚାରିଶହ ଟଙ୍କା ଖର୍ଚ୍ଚ କରିପାରିବେ । ଏବେ ତୁମକୁ ତାଙ୍କ ନିକଟକୁ କିଛିହେଲେ ଟଙ୍କା ପଠାଇବାକୁ ପଡ଼ୁନି ଏଥିପାଇଁ ତୁମେ ମୋତେ ପ୍ରଥମେ ଧନ୍ୟବାଦ ଦେବା କଥା ।”

 

“ହଉ ଚାଲ ଯିବା ।”

 

ତିନିହେଁ ଦୋକାନରୁ ବାହାରି ଆସିଲେ ।

 

“ଉଜ୍ଜଳ ସ୍କୁଲ୍‍ ଛାଡ଼ି ଛୁଟିରେ ଦୁଇଦିନପାଇଁ ଘରକୁ ଆସିଥାଏ; ତେଣୁ ତା’ପାଇଁ କ’ଣ କିଣା ହେବ, ସେଥିପାଇଁ ରାକେଶ୍‍ ବାବୁ ଏବଂ ଅର୍ଚ୍ଚିଡ଼୍‍ ତାକୁ ମାର୍କେଟକୁ ଆଣି ଆସିଛନ୍ତି । ରାକେଶ୍‍ ବାବୁ ତାକୁ ପଚାରୁଥାନ୍ତି, “ଆଚ୍ଛା ତମପାଇଁ ଗୋଟିଏ କୋଟ୍‍ କରିଦେଲେ ଭଲ ହୁଅନ୍ତା ।”

 

“ନା, ମୋର ତ ତିନୋଟି କୋଟ୍‍ ଅଛି । ସେହିଥିରେ ଚଳିଯାଉଛି । ଆଉ ଅଧିକ କ’ଣ ହେବ ?”

 

‘‘ମାତ୍ର ତିନୋଟି !”

 

ଅର୍ଚ୍ଚିଡ଼୍‍ କହିଲେ, “ତୁମର କାଲ୍‌କୁଲେଟର୍‍ ଦରକାର କି ?”

 

“କାଲ୍‍କୁଲେଟର କ’ଣ ହେବ ?”

 

“ମୋ ପାଖକୁ ଚାଇନାରୁ ଗୋଟିଏ କାଲ୍‌କୁଲେଟର୍‍ ଆସିଛି ଗୋଟିଏ ସାଙ୍ଗ ପାଖରୁ ଉପହାର । ତୁମର ଯଦି ଦରକାର ତୁମେ ସେଇ ଗୋଟାକ ନେଇ ଯାଅ । ପକେଟ କାଲ୍‌କୁଲେଟର୍‍-।”

 

“ନା ମା’, ଥାଉ । ମୋର ଦରକାର ନାହିଁ । ମୁଁ ପିଲାଲୋକ । ମୋ ପାଖକୁ ଆସିଲେ ସେଇଟା ଖରାପ ହୋଇଯିବ । ମୋତେ ଆର ବର୍ଷ ସେମିତି କହୁଥିଲ । ଚାଇନାରୁ ତୁମ ପାଖକୁ ଆସିଥିଲା ଗୋଟିଏ ଛୋଟ ପୋର୍ଟେବ୍ଲ ଟାଇପ୍‌ରାଇଟର୍‍ । ମୁଁ ସେଇଟିକୁ ନେଇ ଅଳ୍ପଦିନରେ ଖରାପ କରିଦେଲି । ଯଦି ଦେବ ଆଉ ପରେ ମୋ ଉପରେ ସେମିତି ରାଗିବନି ।”

 

ଅର୍ଚ୍ଚିଡ଼୍‍ ଏଥର ଉଜ୍ଜଳକୁ ନିଜ ପାଖକୁ ଟାଣିଆଣିଲେ ।

 

ଉଜ୍ଜଳ କହିଲା, ମା’ !”

 

‘‘ତୁମର ଆଉ କ’ଣ ଦରକାର ?”

 

“ମୁଁ କହିବି ମା’, ମୋର କ’ଣ ଦରକାର । କିନ୍ତୁ ତୁମେ କ’ଣ ମୋ କଥା ରଖିବ ।”

 

“ନିଶ୍ଚୟ ରଖିବି ।”

 

‘‘ମା’, ଆମେ ଥରେ ଯାଆନ୍ତେ ।”

 

“କୁଆଡ଼େ ?”

 

“ତୁମେ ଥରେ ମୋତେ ନିଅନ୍ତନି...ତୁମ ଦେଶକୁ ଟିକିଏ ? ଘେରାଏ ବୁଲାଇ ଆଣନ୍ତନି-?”

 

ରାକେଶ୍‍ ବାବୁ କହିଲେ, ‘‘ତାଙ୍କ ଦେଶ କେଉଁଟା କି ?’’

 

“ଏଇଟା ନୁହେଁ, ଚାଇନା ।”

 

“ଆମ ଦେଶ ଚାଇନାଠାରୁ କ’ଣ ଭଲ ନୁହେଁ । ଆମ ଦେଶରେ ମନଇଚ୍ଛା ବୁଲୁନ ଘେରା ଘେରା ହୋଇ । ଆମ ଦେଶରେ ତ ଦେଖିବାକୁ ବହୁତ ଭଲ ଜିନିଷ ଅଛି ।”

 

ଅର୍ଚ୍ଚିଡ଼୍‍ ଅଭିମାନ କରି କହିଲେ, “ଏମିତି କଥା ମୋ ଆଗରେ କହିବନି । ଖାଲି ତମ ଦେଶରେ ତ ଭଲ ଜିନିଷ ଅଛି । ଆମ ଦେଶରେ ନାହିଁ ।”

 

“ତମର ଆଉ କେଉଁ ଦେଶ ? ତୁମେ ତ ଏ ଦେଶର ନାଗରିକତ୍ଵ ଗ୍ରହଣ କରିସାରିଛ ।”

 

‘‘କରଛି ବୋଲି କ’ଣ ମୁଁ ସଦାବେଳେ କହିବି ଯେ ଚାଇନାରେ କିଛି ନାହିଁ ଓ ଚାଇନା ସବୁଠାରୁ ଖରାପ ଦେଶ ?”

 

“ଓହୋ, ଏତେ ରାଗ ନାହିଁ, ହଉ ହେଲା ତୁମ ଦେଶ, ପୃଥିବୀର ସବୁଠାରୁ ଭଲ ଦେଶ-।”

 

କିଛି ସମୟର ନୀରବତା ପରେ ଅର୍ଚ୍ଚିଡ଼୍‍ କହିଲେ ଉଜ୍ଜଳକୁ ।

 

“ହଁ ପୁଅ, ଆମେ ଦିନେ ଯିବା ଚାଇନା ବୁଲିବାକୁ ।’’

 

‘‘କେତେବେଳେ ?”

 

“ତୁମେ ଯେବେ କହିବ ।”

 

“ଏଇ ଖରାଛୁଟିରେ ।”

 

“ହଉ ତେବେ । ଆମେ ଭିସା ଆଦି ସଂଗ୍ରହ କରି ଯିବା । ଆମେ ଦେଖିବା ସେଠାରେ କେତେ ସୁନ୍ଦର ସୁନ୍ଦର ସହର । କେତେ ସୁନ୍ଦର ସୁନ୍ଦର ଗାଁ । କେତେ ସୁନ୍ଦର ନଦୀ । କେତେ ସୁନ୍ଦର ବରଫ ଢଙ୍କା ପର୍ବତ ।”

 

“ତୁମେ ସତ କହୁଛ ମା’ ?”

 

“ତୁମେ ଯଦି ପୂର୍ବ ବର୍ଷପରି ପରୀକ୍ଷାରେ ପ୍ରଥମ ହୁଅ, ଆମେ ନିଶ୍ଚୟ ଚାଇନା ଯିବା । ସେଠାରେ ବହୁତ ଦିନ ରହି ଆସିବା । ରାକେଶ୍‍ ବାବୁ କହିଲେ, ‘‘ତୁମ ମା’ ସିନା ତୁମକୁ ଖାଲି ଚାଇନା ବୁଲାଇ ଆଣିବ, ତୁମେ ଯଦି ଏଥର ଫାଷ୍ଟ ହେବ ଏ ବର୍ଷ ମୁଁ ତୁମକୁ ସାରା ପୃଥିବୀ ବୁଲେଇ ଆଣିବି ।”

 

“ସତ ବାପା ?”

 

“ହଁ, ମୁଁ ତୁମକୁ ଜାପାନ୍‍, ବିଲାତ, ଆମେରିକା, ଜର୍ମାନୀ, ଫ୍ରାନ୍‌ସ ସବୁଆଡ଼େ ନେବି ।”

 

“ମୁଁ ନିଶ୍ଚୟ ଫାଷ୍ଟ ହେବି ବାପା ।”

 

“ସୁନା ପୁଅ ।”

 

ବହୁତ ଖୁସି ହୋଇଯାଇ ଉଜ୍ଜଳ ରାକେଶ୍‍ ବାବୁଙ୍କୁ କୁଣ୍ଢାଇ ପକାଇଲା । ରାକେଶ୍‍ ବାବୁ ତାଙ୍କୁ ଟେକି ଧରି ମଥାରେ ଚୁମା ଦେଲେ ।

 

ଉଜ୍ଜଳ ମନେ କରୁଛି ସେ ଯେମିତି ଅମୃତ ପିଉଛି । ଭଗବାନ ତା’ ଉପରେ ସନ୍ତୁଷ୍ଟ ହୋଇ ତାକୁ ଅମୃତ ଦେଇ ଆସୁଛନ୍ତି ।

 

(୩)

 

ନୀହାରିକା ବସି ଖବରକାଗଜ ପଢ଼ୁଥିଲେ । ହଠାତ୍‍ ଅନୁପ ବାବୁ ଘର ମଧ୍ୟରେ ପ୍ରବେଶ କଲେ । ସେ ହସି ହସି କହିଲେ–

“ଆଜି ଟିକିଏ ଡେରି ହୋଇଗଲା ।” ନୀହାରିକା କହିଲେ–

“ଟିକିଏ ନାହିଁ, ବହୁତ । ନ ଖାଇ ନ ପିଇ ବାହାରେ ଏତେ ସମୟ ରହିବାଟା ଆଦୌ ଭଲ ନୁହେଁ । ଏତେ ସମୟ ବାହାରେ ରହି ରହି ଆସିଛ । ପୁଣି ମଧ୍ୟ ସଙ୍ଗେ ସଙ୍ଗେ କୁଆଡ଼େ ଚାଲିଯିବ ।”

“ନା ଆଜି କୁଆଡ଼େ ଯିବିନି । ମୁଁ ଆଜି କ୍ଳାନ୍ତ । ଅଳ୍ପ ବିଶ୍ରାମ ନେବି । ମୁଁ ବାହାରେ ଏତେ ସମୟ କଟାଇଲି ବୋଲି କ’ଣ ମୁଁ ଉପାସ ରହିଛି ? ବାହାରେ କ’ଣ ଖଇବାକୁ ମିଳିବ ନାହିଁ ।”

“ବାହାର ଖାଦ୍ୟ ଯଦି ଭଲ ଲାଗିଲାଣି, ଘର ଖାଦ୍ୟକୁ ଆଉ କାହିଁକି ପଚାରିବ ?”

“ଆରେ ନା ମ । ମୁଁ ଆଜିଠାରୁ ଆଉ ଜମା ବାହାରେ ଖାଇବିନି ।”

“ସେମିତି ସବୁଦିନ ପ୍ରତିଜ୍ଞା କର ଏବଂ ସବୁଦିନ ପ୍ରତିଜ୍ଞା ଭାଙ୍ଗ ।”

“ଏଥର ଆଉ ନୁହେଁ ।”

“ଜମା ନୁହେଁ ।”

“ଆରେ ମୋତେ ବିଶ୍ଵାସ କରୁନା ?”

ଦୁହେଁ ଏକ ସମୟରେ ହସିଉଠିଲେ ।

ସଙ୍ଗେ ସଙ୍ଗେ ଅରୁଣା ଚାଲି ଆସିଲେ । ତାଙ୍କ ସଙ୍ଗରେ ମଧ୍ୟ ଆସିଥିଲେ କିରଣ ଓ ହୀରା । ହସି ହସି ପିଲା ଦୁହେଁ ତାଙ୍କ ବାପମା’ଙ୍କ ପାଖକୁ ଲାଗି ଆସିଲେ ।

କିରଣକୁ ନୀହାରିକା ଉଠାଇ ନେଇ ତା’ ମୁହଁରେ ଅନେକ ଚୁମ୍ବନର ଛାପାମାରି କହିଲେ, “ତମେ ଅନେକ ସମୟ ହେଲା ମୋତେ ଛାଡ଼ି ସ୍କୁଲ୍‍କୁ ଚାଲି ଯାଇଥିଲ ।”

ସେହିପରି ହୀରାକୁ ଉଠାଇନେଇ ତା’ ମଥାରେ ଚୁମା ଦେଇ ଅନୁପ ବାବୁ କହିଲେ, “ଆଜି ମାଷ୍ଟ୍ରେ ତୁମକୁ ସ୍କୁଲରେ କ’ଣ ପଢ଼ାଇଲେ ?”

ହସି ହସି ଗେହ୍ଲେଇ ହୋଇ ହୀରା କହିଲା “ଏ, ବି, ସି ।”

“ଆଉ ମାଷ୍ଟ୍ରେ କ’ଣ କହିଲେ ?”

“ସେ କହିଲେ ଯେ ଆଉ କିଛିଦିନ ପରେ ଆମେ ଆମ ନିଜ ନାଁକୁ ଇଂରେଜୀରେ ଲେଖିବୁ ।”

“ସାବାସ୍‍ ।”

“ହଁ, ବାପା ମୁଁ ସମସ୍ତଙ୍କ ଆଗରେ ମୋ ନାଁଟା ଇଂରେଜୀରେ ଲେଖିବି । ଯେମିତି ମୋ ଆଗରୁ ଆଉ କେହି ଲେଖିନଥିବେ ଆମ ସ୍କୁଲରେ । ମୁଁ ଲେଖେଇନେଇ ଆମ ସାର୍‌ଙ୍କୁ ଦେଖାଇବି-।”

“ମୁଁ ଲେଖାଇଦେବି ତୁମକୁ । ତୁମ ଆଗରୁ ଆଉ କେହି ଲେଖିକରି ତମ ସାର୍‍ଙ୍କୁ ଦେଖାଇ ପାରିବେନି ।”

“ହଁ ବାପା ମୋତେ ବତେଇ ଦିଅ । ଆଚ୍ଛା ବାପା ! ବାଘକୁ ଇଂରାଜୀରେ ଟାଇଗର୍‍ କୁହନ୍ତି । ସେମିତି ହୀରାକୁ କ’ଣ କୁହନ୍ତି ?”

“ହା, ହା, ହା”, ହସି ହସି କହିଲେ ଅନୁପ ବାବୁ, “ଦେଖି କିରଣ, କହିଦେବଟି ହୀରାକୁ କ’ଣ କୁହନ୍ତି ?”

ନୀହାରିକା କିରଣକୁ ଥାପୁଡ଼ାଇ ଥାପୁଡ଼ାଇ କହିଲେ, “କହିଦିଏ ପୁଅ କହିଦିଏ ।”

କିରଣ କହିଲା, “ଡାଏମଣ୍ଡ ।”

“ସାବାସ୍‍ । ହୀରାକୁ କୁହନ୍ତି ଡାଏମଣ୍ଡ, କିନ୍ତୁ ତୁମ ନାଁ ଲେଖିଲାବେଳେ ଡାଏମଣ୍ଡ ଲେଖା ହେବନି । ଲେଖାହେବ ସେଇ ହୀରା–

“କାହିଁକି ବାପା ?”

“ଏଇଟା ପରା ନାଁ ।”

“ନାଁ ହେଲା ତ କ’ଣ ହେଲା ?”

ସମସ୍ତେ ହସିଉଠିଲେ ।

ଏଥର ସେ ହୀରାକୁ ତଳେ ଛାଡ଼ି କହିଲେ, “ତୁମେ ଏ ପ୍ରଶ୍ନ ଅରୁଣା ମାଉସୀକୁ ପଚାର-। ସେ କଲେଜରେ ପଢ଼ୁଛି । ସେ ତୁମକୁ ଭଲକରି ବୁଝେଇ ଦେବେ । ମୁଁ ଯାଉଛି ବାଥ୍‌ରୁମ୍‌କୁ-।”

ଏହାପରେ ଅନୁପ ବାବୁ ବାଥ୍‌ରୁମ୍‌କୁ ଚାଲିଆସିଲେ । କିରଣ ଓ ହୀରା ଦୁହେଁ ଅରୁଣାଙ୍କ ପାଖରେ ବସିଲେ । କିରଣ କହିଲା “ମାଉସୀ, ତୁମେ ସବୁଦିନ କଲେଜକୁ ଯାଉଛ, ଆମକୁ ଟିକିଏ ସାଙ୍ଗରେ ନିଅନ୍ତନି ?”

“କୁଆଡ଼େ ?”

“ତୁମର ସେହି କଲେଜକୁ ।”

“କାହିଁକି ?”

“ବୁଲେଇବାକୁ”

“ତୁମେ ସବୁ ଯିବ ।”

“କେବେ ?”

“ବଡ଼ ହେଲେ । ତମେ ସବୁ ବର୍ତ୍ତମାନ ପାଠ ପଢ଼ ଭଲଭାବରେ । ତମେସବୁ ସ୍କୁଲ୍‌ରୁ ସବୁ ପାଠ ପଢ଼ିସାରିଲେ ତମ ନାଁ କଲେଜରେ ଲେଖାହେବ ଏବଂ ସବୁଦିନ ବହିପତ୍ର ଧରି କଲେଜକୁ ଯିବ ପଢ଼ିବାକୁ ।”

“ନା ନା ଆମେ ଏବେ ଯିବୁ । ସେତେବେଳ ପର୍ଯ୍ୟନ୍ତ ଆମେ କ’ଣ ଅପେକ୍ଷା କରିବୁ ?”

“ହଁ ।”

“ନା ମାଉସୀ । ଆମେ ତୁମ ସାଙ୍ଗରେ ଦିନେ ଯିବୁ । ଆମେ ଖାଲି ଦେଖିବୁ କଲେଜ କେମିତିକା । ଆମକୁ ନେବନି ତୁମ ସାଙ୍ଗରେ ?”

ପିଲାମାନେ କଲେଜକୁ ଯାଆନ୍ତିନି । କେବଳ ବଡ଼ ପିଲାମାନେ ସମସ୍ତେ ଦିନେ ନା ଦିନେ ବଡ଼ ପିଲା ହେବେ ।”

“ମୁଁ ଯଦି ମରିଯିବି ତାହାହେଲେ କ’ଣ ମୁଁ କଲେଜ ଦେଖିପାରିବିନି ।”

“କିରଣ ! ଏମିତି କଥା ପାଟିରେ ଧରନ୍ତିନି । ମୋ ଆଗରେ ଏପରି କଥା କହିବନି । ମୁଁ ସୁବିଧା ଦେଖି ତୁମକୁ ଦିନେ କଲେଜକୁ ନେଇ ଦେଖାଇ ଆଣିବି । କିନ୍ତୁ ସେଠାକୁ ଯାଇ କ’ଣ ଦେଖିବ ? ସେଠାରେ ଅଧିକା ନୂଆ କଥା କିଛି ନାହିଁ । ତୁମ ସ୍କୁଲ୍‍ ଯେମିତି ତିଆରି ହୋଇଛି କଲେଜଟା ମଧ୍ୟ ଠିକ୍‍ ସେମିତି ତିଆରି ହୋଇଛି । ସେଠାରେ ତୁମକୁ ଯେମିତି ମାଷ୍ଟ୍ରେ ପାଠ ପଢ଼ାନ୍ତି ଏଠାରେ ସେମିତି ମଧ୍ୟ ମାଷ୍ଟ୍ରେ ପାଠ ପଢ଼ାନ୍ତି । ଅଧିକା କିଛି ନାହିଁ । ସବୁ ଏକା ।”

“ମିଛ କଥା ।”

“ମୋ କଥା ସତ ନା ମିଛ, ତୁମେ ନିଜେ ଜାଣିବ ।”

“ଆଚ୍ଛା ତମ କଲେଜରେ ଓଡ଼ିଆରେ ପଢ଼ାଯାଏ ନା ଇଂରାଜୀରେ ?”

“ଓଡ଼ିଆରେ, ଇଂରାଜୀରେ ସବୁଥିରେ ।”

ତା’ପରେ ଶାନ୍ତା ଆସି ହୀରା ଏବଂ କିରଣ ଦୁହିଁଙ୍କୁ ଘର ମଧ୍ୟକୁ ନେଇଗଲା । କିଛି ସମୟ ମଧ୍ୟରେ ରାକେଶ୍‍ ବାବୁ ଜିପ୍‌ରୁ ଓହ୍ଲାଇ ଅନୁପ ବାବୁଙ୍କ ଘରେ ପ୍ରବେଶ କଲେ । ନୀହାରିକା ତାଙ୍କୁ ହସି ହସି ସ୍ଵାଗତ କଲେ, ଅରୁଣା ତାଙ୍କୁ ନମସ୍କାର କଲେ ।

ନୀହାରିକାଙ୍କ ଅନୁରୋଧରେ ସେ ପାଖରେ ବସି କହିଲେ, “ଅନୁପ ବାବୁ ?”

‘‘ସେ ବାଥ୍‌ରୁମ୍‌କୁ ଯାଇଛନ୍ତି ।”

ଉଦ୍ୱେଗ ପ୍ରକାଶ କରି ସେ କହିଲେ “ଏତେ ଆଗରୁ ଖବର ଦେଇ ମଧ୍ୟ ସେ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ନାହାଁନ୍ତି ?”

“ସେ ସଙ୍ଗେ ସଙ୍ଗେ ଚାଲି ଆସିବେ । ଟିକିଏ ଆଗରୁ ସେ ଯାଇଛନ୍ତି । ଆପଣଙ୍କର କ’ଣ ପ୍ରୋଗ୍ରାମ୍ ଥିଲା କି ?

“ଆଉ କୁଆଡ଼େ ମୁଁ ଆସିଲି ?”

“ସେ ତ କିଛି ସମୟ ପୂର୍ବେ କହୁଥିଲେ ଯେ ତାଙ୍କର ଆଜି କୁଆଡ଼େ ଯିବାର ନାହିଁ । ଆଜି ସେ କ୍ଳାନ୍ତ ଫିଲ୍‍ କରୁଛନ୍ତି । ସେ ଟିକିଏ ବିଶ୍ରାମ କରିବେ ।”

“ତାଙ୍କର ଭୁଲାମନ ବୋଲି ତୁମେ କ’ଣ ଜାଣନା ? ସେ ହାୱା ବାଜିଗଲେ ଗୋଟିଏ ମୁହୂର୍ତ୍ତରେ ତାଙ୍କ କ୍ଳାନ୍ତି ଉଡ଼ି ଚାଲିଯିବ ତାଙ୍କ ଦେହରୁ ଶହେ କିଲୋମିଟର ଦୂରକୁ ।”

“ଆପଣ ଏଠାରେ ବସି ଅରୁଣା ସହିତ କଥାବାର୍ତ୍ତା ହୁଅନ୍ତୁ । ମୁଁ ଚା’ ଧରି ଆସୁଛି ।” ନୀହାରିକା ଭିତରକୁ ଚାଲିଗଲେ ।

ରାକେଶ୍‍ ବାବୁ ପାଖରେ ଥିବା କାଚଟେବୁଲ୍‍ ଉପରୁ ଗୋଟିଏ ମାଗାଜିନ୍‍ ଉଠାଇ ଧରି ଅରୁଣାକୁ ଚାହିଁ କହିଲେ, “କ’ଣ ଅରୁଣା, କେମିତି ଚାଲିଛି ?”

“ସେମିତି ।”

“କଲେଜ ଖବର କ’ଣ ?”

“କଲେଜ ଖବର କ’ଣ କହିବି ? କଲେଜରେ ସବୁଦିନ ଗୋଟିଏ ଗୋଟିଏ ନୂଆ ନୂଆ ଡ୍ରାମା ଘଟି ଚାଲିଛି ।”

“କ’ଣ ହେଲା ?”

“ଏ କଲେଜରେ ପିଲାମାନେ ଯେମିତି ହେଉଛନ୍ତି ମାଷ୍ଟ୍ରମାନେ ମଧ୍ୟ ସେମିତି ହେଉଛନ୍ତି-।”

“ତୁମେ ନୂଆ ନୂଆ କଲେଜ ଯାଉଛ । ସେଥିପାଇଁ ଏମିତି ଲାଗୁଛି । ଆମକୁ ମଧ୍ୟ ସେମିତି ଲାଗୁଥିଲା । କିଛିଦିନ ପରେ ସବୁ ଠିକ୍‍ ହୋଇଯିବ ଯେ ।”

“କଲେଜରେ ଏବେ ଯେମିତି ଯେମିତି ହେଉଛି, ମୁଁ ଭାବୁଛି ବୋଧହୁଏ ଆଗରୁ ଏସବୁ ହେଉନଥିଲା ।”

“ଏବେ ସବୁ କ’ଣ ହେଉଛି ନୂଆ ?”

“କାଲି ହୋଇଥିଲା ଫ୍ରି ଷ୍ଟୁଡେଣ୍ଟ୍‍ସିପ୍‍ ଇଣ୍ଟରଭ୍ୟୁ । ପିଲାମାନେ ଏମିତି ବେଶ ପିନ୍ଧି ଆସିଥାନ୍ତି, ଦେଖିଲେ ଭାରି ହସ ମାଡ଼ୁଥାଏ ।”

“କେମିତି ବେଶ ହୋଇଥିଲେ ?”

“ସତେ ଯେମିତି ସେମାନେ କେଉଁ ମରୁଡ଼ି ଅଞ୍ଚଳ ବା ଦୁର୍ଭିକ୍ଷଗ୍ରସ୍ତସ୍ଥାନରୁ ଆସିଛନ୍ତି । ସମସ୍ତଙ୍କୁ ଏକ ସମୟରେ ଦାରିଦ୍ର୍ୟ ଗ୍ରାସ କରିଛି । ଏଥିପାଇଁ ପ୍ରତିଯୋଗିତା ଚାଲିଥିଲା । ସମସ୍ତେ ଦେଖାଇବାକୁ ଚାହୁଁଥିଲେ କିଏ କେତେ ଅଧିକ ଗରିବ । ସମସ୍ତେ ପିନ୍ଧିଥିଲେ ଖଣ୍ଡିଏ ଖଣ୍ଡିଏ ଛିଣ୍ଡା ପୋଷାକ । ସମସ୍ତେ ଗୋଟିଏ ବଡ଼ ଭିକାରି ପରିବାରର ସଦସ୍ୟ । ପ୍ରତ୍ୟେକେ କହୁଥିଲେ ଯେ ତାଙ୍କ ଘରେ କିଛି ଖାଇବାକୁ ନାହିଁ । ଅଧିକାଂଶ ଦିନ ତାଙ୍କ ଘରେ ଚୁଲି ଜଳେନା । ସବୁଦିନ ଉପାସ ରହିବାକୁ ପଡ଼େ । ତାଙ୍କ ବାପ, ମା’ ବହୁତ ଗରିବ । କିଏ ଛିଣ୍ଡା ଟ୍ରାଉଜର, ଛିଣ୍ଡା ଗେଞ୍ଜି ପିନ୍ଧି ଆସିଥିଲା ଓ କିଏ ଛିଣ୍ଡା ଧୋତି ଛିଣ୍ଡା ପଞ୍ଜାବି ପିନ୍ଧି ଆସିଥିଲା । ଗୋଟିଏ ପିଲା ଗୋଟିଏ ଛୋଟିଆ ହାପ୍‍ ପ୍ୟାଣ୍ଟ ଆଉ କାନ୍ଧରେ ଗୋଟିଏ ଗାମୁଛା ପକାଇ ଆସିଥିଲା । ହସି ହସି ସମସ୍ତଙ୍କ ପେଟ ଦରଜ । କାଲି ଦିନଟା କେବଳ ଏମିତି ସମସ୍ତେ ପୋଷାକ ପିନ୍ଧିକରି ଆସିଥିଲେ, କିନ୍ତୁ ଆଉ ସବୁଦିନ ପ୍ରତିଯୋଗିତା ହୁଏ କିଏ କେତେ ସୁନ୍ଦର ପୋଷାକ ପିନ୍ଧି ଆସିଛି, କିଏ କେତେ ଧନାଢ଼୍ୟ ପରିବାରରୁ ଜନ୍ମ, ତାହା ଦେଖାଇ ହେବା । ସମସ୍ତେ ସବୁଦିନ ଚେଷ୍ଟା କରନ୍ତି କଲେଜକୁ ଫେସନ ଓ ବିଳାସର ଗୋଟିଏ କେନ୍ଦ୍ରବିନ୍ଦୁରେ ପରିଣତ କରିବାକୁ । ସତେ ଯେପରି ସମସ୍ତେ ପ୍ରାଚୁର୍ଯ୍ୟର ସମୁଦ୍ର ମଧ୍ୟରୁ ଉଡ଼ି ଆସିଛନ୍ତ; ଘରେ ଖାଇବାକୁ ନ ଥାଉ ପଛେ ।”

“ଏଇଟା କ’ଣ ସେତେବେଳେ ନ ଥିଲା କି ?”

“କିନ୍ତୁ ଏତେ କୃତ୍ରିମପଣିଆ ନ ଥିବ । ଆଜି ମନେକରନ୍ତୁ ଇଣ୍ଟରନାଲ୍‍ ଅସେସମେଣ୍ଟ ପରୀକ୍ଷା । ପିଲାମାନେ ମେଳିବାନ୍ଧି କହିବେ…ଆମେ କିଛି ପଢ଼ିନେ । ଆସ ସମସ୍ତେ କ୍ଲାସ୍‍ ଛାଡ଼ି ପଳାଇବା । ସାର୍‍ ଆସିଲା ବେଳକୁ କ୍ଲାସ୍‍ ଖାଲି ।”

ଶାନ୍ତା ଚା’ ଆଣି ଆସିଲା । ରାକେଶ୍‍ ବାବୁ ଚା’ କପ୍‍ ଧରି କହିଲେ । “ୟା ଛଡ଼ା ଆଉ କ’ଣ ସବୁ ନୂଆ ଘଟଣା କଲେଜରେ ଘଟୁଛି ।’’

“ଆଜି ଆମ କ୍ଲାସରେ ଗୋଟିଏ ଘଟଣା ଘଟିଲା । ଜଣେ ତେଲୁଗୁ ସାର୍‍ ଆମ କ୍ଲାସ୍‍ ନିଅନ୍ତି । ସେ ଭଲଭାବରେ ଓଡ଼ିଆ ବୁଝିପାରନ୍ତି ନାହିଁକି କହିପାରନ୍ତି ନାହିଁ । ସବୁ ପିଲାମାନେ ତ ନୂଆ କରି କଲେଜକୁ ଆସିଥାନ୍ତି । ସମସ୍ତେ ଇଂରାଜୀରେ ପାଠ ବୁଝିପାରନ୍ତି ନାହିଁ । କେତେକ ପିଲା କମ୍ପ୍ଲେନ କରି କହିଲେ–ସାର୍‍ ଆମେ ଇଂରାଜୀ ବୁଝିପାରୁନୁ ଓଡ଼ିଆରେ ପଢ଼ାନ୍ତୁ । ସାର୍‌ଙ୍କୁ ତ ଓଡ଼ିଆ ଆସେନି, ସେ ଖଣ୍ଡି ଖଣ୍ଡି ଓଡ଼ିଆ ଭାଷାରେ କୁହନ୍ତି ତୁମର ପ୍ରଶ୍ନ ଇଂରେଜୀରେ ପଡ଼ିବ । ତୁମେ ଇଂରେଜୀରେ ଉତ୍ତର ଦେବ । ତୁମ କୋର୍ସ ଇଂରେଜୀରେ ଅଛି ମୁଁ କ’ଣ କହିଲା, ବୁଝିପାରିଛି ତ ? ସବୁ ପିଲା ଏପରି ଖଣ୍ତି ଓଡ଼ିଆ ଭାଷା ଶୁଣି ହସନ୍ତି । ସାର୍‍ ଏଥିରେ ରାଗନ୍ତି । ବିଭିନ୍ନ ପିଲାଙ୍କୁ ସେ ବିଭିନ୍ନ ପ୍ରଶ୍ନ ପଚାରନ୍ତି । କେହି ଉତ୍ତର ଦେଇ ପାରନ୍ତିନି । ସେ ସମସ୍ତଙ୍କୁ ଛିଡ଼ା କରାନ୍ତି, ସମସ୍ତେ ବିରକ୍ତ ହୁଅନ୍ତି ।”

“କ’ଣ କେହି ପ୍ରଶ୍ନର ଉତ୍ତର ଦେଇ ପାରନ୍ତିନି ?”

“ନା ଆଜି ସେ ପାଠ ପଢ଼ାଉଥିବା ସମୟରେ ଗୋଟିଏ ପିଲା ଛିଡ଼ାହୋଇ କହିଲା ଏକ-।”

ସାର୍‍ କହିଲେ “କ’ଣ ବୁଝି ପାରୁନ ?”

“ନା ସାର୍‍, ଏକ । –ସେ ଗୋଟିଏ ଆଙ୍ଗୁଠି ଦେଖାଇ କହିଲା ।’’

“ମାନେ ।”

“ମାନେ ସେ ବାହାରକୁ ଯିବାକୁ କହିଲା ।”

“କାହିଁକି ?”

“ମାନେ ପାସ୍‍ ଯିବାକୁ ।”

‘‘ଏକ ମ ? ପିଲାମାନେ କହନ୍ତିନି ଏକ ମାନେ ପାସ୍‍ ଯିବା ।”

“ତା ଅର୍ଥ କ’ଣ ?”

“ଏକ ମାନେ ପରିସ୍ରା କରିଯିବା ।” ଓ ହୋ ହୋ ହୋ ହସିଉଠିଲେ ରାକେଶ୍‍ ବାବୁ । ତାଙ୍କର ଏ କଥା ଶୁଣି ପିଲାଦିନର ଘଟଣା ମନେପଡ଼ିଲା, ସେ ମଧ୍ୟ ପିଲାଦିନର ଚାଟଶାଳୀରେ ପଢ଼ିଲାବେଳେ ମାଷ୍ଟ୍ରଙ୍କୁ ଏପରି କହି ବାହାରକୁ ଯାଉଥିଲେ । ଏକ ମାନେ ପରିସ୍ରା କରିଯିବା, ଦୁଇ ମାନେ ଲାଟ୍ରିନ୍‍ ଯିବା । ବହୁତ ପିଲାଳିଆ କଥା ଏସବୁ ତାଙ୍କୁ ଏଥିଯୋଗୁ ବହୁତ ହସ ମାଡ଼ିଲା ।

ହସ ବନ୍ଦ କରି ସେ କହିଲେ “ତା’ପରେ କ’ଣ ହେଲା ?”

“ସାର୍‍ ମଧ୍ୟ ସେହିପରି ବୁଝି ନ ପାରି କହିଲେ କାହିଁକି ଛିଡ଼ା ହେଲ ?”

ସେ ସଂକ୍ଷେପରେ କହିଲା ଯେ ସେ ବାହାରକୁ ଯିବାକୁ ଚାହେଁ । ସାର୍‍ ମନା କରି କହିଲେ, “ବସ ।” ଏଠାରେ ପଢ଼ା ଚାଲିଛି, ଏତେଥର କ୍ଲାସ୍‍ରୁ ବାହାର ଓ ବାହାରୁ କ୍ଲାସ୍‍ କେହି ତାଙ୍କ ପିରିୟଡ଼ରେ ଯାଇପାରିବେନି ।”

ସେ ବାଧ୍ୟ ହେଇ କହିଲା ଯେ ସେ ପରିସ୍ରା କରିଯିବ । ଏକଥା ଶୁଣି ସାର୍‍ କହିଲେ ତୁମେ କ’ଣ ଛୋଟ ପିଲା ହୋଇଛ ? ଏଇଟା କ’ଣ ଚାଟଶାଳୀ । ତୁମେସବୁ କଲେଜରେ ପଢ଼ୁଛ ? ତୁମକୁ ଏସବୁ କିଏ ବୁଝାଇବ । ତୁମେ ଆଗରୁ ପରିସ୍ରା କରି ଆସିଲନି । ନା ତୁମକୁ ଛଡ଼ା ହେବନି, ବସ । ଏଠାରେ ଡ୍ରାମା ଚାଲିନି । ଏଠାରେ ପଢ଼ା ଚାଲିଛି ।”

“ସେ କ’ଣ କହିଲା ?”

“ସେ ଅଦୌ ବସିଲା ନାହିଁ । ସାର୍‍ ତା’ କଥା ଶୁଣିଲେ ନାହିଁ । ସେ ମୁହଁ ବୁଲାଇ ତାଙ୍କ ପାଠ ବ୍ଲାକବୋର୍ଡ଼ରେ ଲେଖିଲେ । ସେ ଏଥିରେ ବିରକ୍ତ ହୋଇ ଖୁବ୍‍ ଜୋରରେ ହଲା କଲା ଯେ ସେ ବାହାରକୁ ଯିବ । ସାର୍‍ ମଧ୍ୟ ଛାଡ଼ିବା ଲୋକ ନୁହଁନ୍ତି । ସେ ତା’ପରେ କହିଲା ସେ ଯିବ ଅଲବତ୍‍ ଯିବ ।

ଗର୍ଜନ କରି ସାର୍‍ କହିଲେ “ତୁମେ ଯାଇପାରିବନି ।”

ସେ କହିଲା–ମୁଁ ଆପଣଙ୍କ ଆଦେଶ ନ ମାନି ଯିବି ।

ସାର୍‍ କହିଲେ–କଦାପି ଯାଇପାରିବନି ।

ସେ କହିଲା–ଆଉ କ’ଣ କ୍ଲାସରେ ପରିସ୍ରା କରିବି ?

ସାର୍‍ କହିଲେ–ହଁ କର ।

‘‘ସେ ପିଲା ବି ଛାଡ଼ିବା ପିଲା ନୁହେଁ । କ୍ଲାସରେ ବସିଥିବା ସବୁ ପୁଅ ସବୁ ଝିଅଙ୍କ ଆଗରେ ନିଜ ସିଟ୍‌ରୁ ଉଠିଆସି ପଛ କାନ୍ଥ ପାଖକୁ ଯାଇ କ୍ଲାସରେ ପରସ୍ରା କଲା ଠିକ୍‍ ସାର୍‌ଙ୍କ ସାମନାରେ ସେହି କାନ୍ଥରେ ।”

“ବାପରେ କଥାଟା ଏତେ କ୍ଲାଇମାକ୍‌ସକୁ ଉଠିଗଲା ।”

“ନା, ଆପଣ ଦେଖନ୍ତୁ ପିଲାଟା କେତେ ଅଭଦ୍ର, ଅସଭ୍ୟ ।”

“ମାଷ୍ଟ୍ରେ ଯେମିତି ହେଉଛନ୍ତ, ପିଲା ମଧ୍ୟ ଠିକ୍‍ ସେମିତି ହେଲା ।”

‘‘ଏଥିରେ ସାରେ କିପରି ଭୀଷଣ ଭାବରେ ନ ରାଗିବେ । ସେ ରେଜିଷ୍ଟର ଧରି ବ୍ଲାକବୋର୍ଡ଼ରେ ଯାହା ଲେଖିଥିଲେ ସବୁ ଲିଭାଇଦେଇ କହିଲେ ଏ କଥା ସେ ପ୍ରିନ୍‌ସିପାଲଙ୍କୁ ନ କହି ଛାଡ଼ିବେନି । ସେ ପିଲା ନ ଡରି କହିଲା ଯେ ସେ ଏକଥା ମଧ୍ୟ ତାଙ୍କୁ ସେତେବେଳେ କହିବ ଯେ ସାର୍‍ ତାକୁ ବାହାରକୁ ଯିବାକୁ ଛାଡ଼ି ନ ଥିଲେ ଓ ସେସବୁ ପିଲାଙ୍କ ଆଗରେ କହିଥିଲେ କ୍ଲାସରେ ପରିସ୍ରା କରିବାକୁ । ସମସ୍ତେ ସାକ୍ଷୀ ।”

‘‘ତା’ପରେ ସାର୍‍ ପାଠପଢ଼ା ବନ୍ଦ କରି କ୍ଲାସ୍‍ ଛାଡ଼ି ଚାଲିଗଲେ । ପିଲାମାନେ ମଧ୍ୟ ଏହାପରେ କ୍ଲାସ୍‍ରୁ ଉଠି ଚାଲିଗଲେ ।”

“ବହୁତ ଅସଭ୍ୟ ବହୁତ ଅମଣିଷ ।”

“ଏକଥା ଆଗରୁ ହେଉଥିଲା ।”

“ନା”

ତା’ପରେ ନୀରବତା ।

ରାକେଶ୍‍ ବାବୁ ଅରୁଣାକୁ ଚାହିଁ ରହିଲେ ।

କିଛି ସମୟର ନୀରବତାକୁ ଭଙ୍ଗ କରି ସେ କହିଲେ, ‘‘ଆଚ୍ଛା ମୁଁ ଯଦି ତୁମ ସାର୍‍ ହୋଇଥାନ୍ତି ତୁମେ କ୍ଲାସରେ ଉଠି କୁହନ୍ତ ଯେ ତୁମେ ପରିସ୍ରା କରିବାକୁ ବାହାରରୁ ଯିବ ଏବଂ ମୁଁ ତୁମକୁ ବିଲ୍‌କୁଲ୍‍ ଛାଡ଼ନ୍ତିନି ତୁମେ କ’ଣ ଏପରି କ୍ଲାସ୍‌ରୁମରେ ପରିସ୍ରା କରିପାରିବ ?”

ଦୁହେଁ ଏକ ସମୟରେ ଠୋ ଠୋ ହୋଇ ହସିଉଠିଲେ । ହସି ହସି ଅରୁଣା କହିଲେ, “ଆପଣ କେବେହେଲେ ଆମ ଟିଚର ହେବେନି କି ମୁଁ ଆପଣଙ୍କ ଷ୍ଟୁଡ଼େଣ୍ଟ୍‍ ହେବିନି ।”

“ଯଦି ହୁଏ ।”

“କିପରି ।”

“ଧରିନିଅ ।”

“ତା’ହେଲେ ସେପରି କ୍ଷେତ୍ରରେ ତ ମୁଁ ଗୋଟିଏ ଝିଅପିଲା । ଝିଅପିଲାମାନେ କେବେହେଲେ ପୁଅଙ୍କ ପରି ଏତେ ଉଦ୍ଧତ ହୁଅନ୍ତିନି । ଝିଅମାନେ କ୍ଲାସ୍‍ ଚାଲିଥିବା ସମୟରେ ବାହାରକୁ ଯାଆନ୍ତିନି ।”

“ଯଦି କାହାର ଅସୁବିଧା ପଡ଼ିଲା, ସେ କିପରି ଯିବନି ?”

“ଯିବ ଯଦି ସେତିକି ଅସୁବିଧା ହୁଏ । କିନ୍ତୁ ଏପରି କ୍ଷେତ୍ରରେ ନୁହେଁ ।”

“ଯଦି ତୁମେ ପରିସ୍ରା କରିବାକୁ କୁହ ।”

“କିପରି ? ମୁଁ ତ କେବେ ଏପରି କହିନି କି କହିବିନି ।’’

“ମୁଁ କହିଛି ପରା ଏସବୁକୁ ଧରିନିଅ । ସପୋଜ୍‍’’

“ତାହାହେଲେ ଆପଣ ଛାଡ଼ିଦେବେ ବାହାରକୁ ।’’

“ମୁଁ ଯଦି ନ ଛାଡ଼େ ।”

“ମୁଁ କ୍ଲାସରେ ତା’ପରି ପରିସ୍ରା କରିବିନି । ମୁଁ ଚାପି ହୋଇ ରହିବି, ଦୁହେଁ ଏକ ସମୟରେ ହସିଉଠିଲେ । ହସ ବନ୍ଦକରି ରାକେଶ୍‍ ବାବୁ କହିଲେ, “ଆମ ସମୟରେ ରାଗିଂ ନ ଥିଲା-। କିନ୍ତୁ ବର୍ତ୍ତମାନ ସବୁ କଲେଜରେ କିଛିନା କିଛି ରାଗିଂ ହେଉଛି ।”

“ଆରେ ବାପରେ ବାପ୍‍ । ରାଗିଂ ନାଁ ଶୁଣିଲେ ମୋ ଦେହ ଶୀତେଇ ପଡ଼ୁଛି । କଲେଜରେ ନାଁ ଲେଖାଇବାକୁ ଭୟ ଲାଗୁଛି । ଆମେ ଝିଅପିଲା ବୋଲି ରକ୍ଷା । ଭବିଷ୍ୟତରେ ଝିଅମାନଙ୍କୁ ମଧ୍ୟ ଏଇଟା ଲାଗୁ ହୋଇପାରେ ।”

“କିନ୍ତୁ ଝିଅମାନେ ମଧ୍ୟ ଏଥିରେ ସଂପୃକ୍ତ ।”

“ହଁ ମୁଁ ସଂପୃକ୍ତ ଥିଲି ।”

“କିପରି ।”

“ନୂଆ କରି ଆଡ଼ମିଶନ ନେଇଥିବା ଗୋଟିଏ ପୁଅକୁ କୁହାଯାଉଥିଲା ମୋ’ଠାରୁ ଗୋଟିଏ ସିଗନେଚର ଆଣିବାକୁ । ମୁଁ ତାକୁ ଚିହ୍ନି ନ ଥିଲେ ମଧ୍ୟ ଗୋଟିଏ କାଗଜରେ ମୋ ସିଗନେଚର ଦେଇଦେଲି । ତେଣୁ ସେ ରାଗିଂରୁ ରକ୍ଷା ପାଇଗଲା ।”

“ଆଚ୍ଛା ରାଗିଂଟା ଭଲ ନା ଖରାପ ଦେଖି କହିଲ ।”

“କେତେକ ଅଂଶରେ ରାଗିଂଟା ଭଲ । କିନ୍ତୁ ମୋ ମତରେ ରାଗିଂ ବିଲ୍‍କୁଲ୍‍ ଉଠିଯିବା କଥା ।”

“କାହିଁକି ?”

“ଆପଣ ଜାଣନ୍ତି, ଗୋଟିଏ ପିଲା ଥରେ ରାଗିଂରେ ମରିଯାଇଥିଲା ।”

“କିପରି ?”

“ପିଲାମାନେ ଖୁସି ଦେଖିବାକୁ ମଜାରେ ନୂଆକରି ଆଡ଼ମିଶନ ନେଇଥିବା ଗୋଟିଏ ପିଲାକୁ ଗୋଟିଏ ଖାଲି ୱାଟର ରିଜରଭୟର ମଧ୍ୟରେ ଭର୍ତ୍ତିକରି ତା’ ଉପରେ ଘୋଡ଼ଣି ବନ୍ଦକରି ଦେଇଥିଲେ । ସମସ୍ତେ ତାକୁ ସେପରି ଅବସ୍ଥାରେ ଛାଡ଼ି ଚାଲିଗଲେ । ଘୋଡ଼ଣି ଫିଟାଇବାକୁ କାହାର ମନେ ନାହିଁ । ପରେ ପାଣି ଆସି ୱାଟର ରିଜରଭୟର ଭର୍ତ୍ତି ହୋଇଗଲା । ପିଲାଟି ବିଚାରା ତାରି ଭିତରେ ବୁଡ଼ିରହି ମରିଗଲା । ଏପର୍ଯ୍ୟନ୍ତ ମଧ୍ୟ ପିଲାମାନେ ଯେପରି ନିଷ୍ଠୁର ଢଙ୍ଗ ଛାଡ଼ିନାହାଁନ୍ତି । ଏବେ ମଧ୍ୟ ରାଗିଂରେ ଗୋଟିଏ ପିଲାକୁ କୁହାଯାଇଥିଲା ଇଲେକ୍ଟ୍ରିକ୍‍ ସହିତ କନେକ୍ଟେଜ୍‍ ହୋଇଥିବା ଗୋଟିଏ ହିଟର ଉପରେ ପରିସ୍ରା କରିବାକୁ । ହଷ୍ଟେଲ ମେସ୍ ମ୍ୟାନେଜର ଉପରେ ମାଡ଼ ନ ହେଲେ ପିଲାଙ୍କ ଭାତ କେଉଁଦିନ ହଜମ ହୁଏନି ।”

ଠିକ୍‍ ଏହି ସମୟରେ ନୀହାରିକାଙ୍କ ସହିଅ ଅନୁପ ବାବୁ ଡ୍ରେସ୍‌ପିନ୍ଧି ଘର ମଧ୍ୟରୁ ବାହାରି ଆସି କହିଲେ, “ଟିକିଏ ଡେରି ହୋଇଗଲା ।”

ରାକେଶ୍‍ ବାବୁ ଉଠିପଡ଼ି କହିଲେ “ତୁମର ସେମିତି ସବୁଦିନ ହୁଏ । ତୁମର କେବଳ ନୁହେଁ, ସମସ୍ତଙ୍କର, ମାନେ ସବୁ ଭାରତୀୟଙ୍କର ଏଇଟା ଇଣ୍ଡିୟାନ୍ ପାଙ୍କଚୁଆଲିଟି ।”

ଥଟ୍ଟା କରି ନୀହାରିକା କହିଲେ, “ଓ ହୋ, ବାବୁ ହେଉଛନ୍ତି ଫରେନ୍‍ର । ସେ ଆଉ ଭାରତୀୟ ହୋଇ ଅଛନ୍ତି ? ତାଙ୍କ ସ୍ତ୍ରୀ ଫରେନ୍‍ର, ତାଙ୍କ ହାତଘଡ଼ି ଫରେନ୍‍ର । ତାଙ୍କ କଲମ, ପୋଷାକ ପତ୍ର, ଟାଇପ୍‍ରାଇଟର୍‍, କାମେରା, କାଲ୍‌କୁଟେର, ସିଗାରେଟ, ଲାଇଟର, ଟେପରେକର୍ଡ଼ର ସବୁ ଫରେନ୍‍ର । ତାଙ୍କ ପଙ୍କଚୁଆଲିଟି କିପରି ଫରେନ୍‍ ପାଙ୍କଚୁଆଲିଟି ନ ହେବ-?

“ଆଚ୍ଛା ମୁଁ ଗୋଟିଏ ଚାଇନିଜ୍‍ ଝିଅକୁ ବିଭା ହୋଇପଡ଼ିଛି ବୋଲି ସିନା ମୋତେ ଏତେ କ୍ରିଟିସାଇଜ୍‍ କରୁଚନ୍ତି । ଆଚ୍ଛା ମୁଁ ଯଦି ଛାଡ଼ିଦିଏ ?”

“ମାନେ ଡାଇଭୋର୍ସ ।”

“ହଁ”

“ମିଛ କଥା, ଅସମ୍ଭବ, ସେଇଟା ଉପର ଦେଖାଣିଆ ଯୁକ୍ତି । ପୁଣି ଛାଡ଼ିବେ କାହିଁକି ? ସେ ତ ଭଲ ଝିଅ । ଅନ୍ୟ ଝିଅଙ୍କଠାରୁ ବହୁତ ଭଲ । ତା’ପରେ ସେ ପରିସ୍ଥିତିକୁ ଚାହିଁ ସମସ୍ତଙ୍କ ସହିତ ଖାପ ଖୁଆଇ କାନ୍ଧକୁ କାନ୍ଧ ମିଳାଇ ଚଳି ପାରୁଛନ୍ତି । ତାଙ୍କୁ ଡାଇଭୋର୍ସ କରି ତାଙ୍କ ମନରେ ଏତେ ଦୁଃଖ କାହିଁକି ଦେବ ?”

“ଫରେନ୍‍ ପାଙ୍କଚୁଆଲିଟି କ’ଣ ଖରାପ ?”

“କିଛି ଖରାପ ନୁହେଁ, ଭଲ ।”

“ଘରେ ଗୋଟିଏ ପ୍ରସ୍ତାବ ଆସିଥିଲା ଯେ ଅର୍ଚ୍ଚିଡ଼୍‍ ବୁଲିବାକୁ ଯିବେ । ଏ ଖରା ଛୁଟିରେ-।”

“କୁଆଡ଼େ, ଚାଇନା ?”

“ହଁ”

ଅନୁପ ବାବୁ କହିଲେ, “ଯଦି ବୁଲିବାର କଥା, ଆଗରୁ ଯାଇଥିଲେ ଭଲ ହୋଇଥାନ୍ତା ।”

“କାହିଁକି ?”

“ତୁମେ ଖବରକାଗଜ ଆଜିର ପଢ଼ିଲଣି ?”

“ନା, ସେଥିରେ କ’ଣ ବାହାରିଛି ?”

“ଚାଇନା ତା’ର ଯେତେ ଟାଙ୍କ୍ ଆମ ସୀମା ପାଖରେ ଗଦାଇ ସାରିଲାଣି । ସେ ଆମ ସୀମା ପାଖରେ ଟ୍ରେଞ୍ଚ ଆଦି ଖୋଲାଇବାରେ ଲାଗିଛି । ଆମ ସୀମା ପାଖରେ ତାଙ୍କ ଜବାନ୍‌ମାନଙ୍କୁ ସାମରିକ ତାଲିମ ଦେଇଛି । ଜଣାପଡ଼ୁଛି ପରିସ୍ଥିତି ଯେପରି ହେଲାଣି, ଭାରତ ଚିନ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କ ବିଭିନ୍ନ ହୋଇପଡ଼ିବ ।”

ଅନୁପ ବାବୁ ଶାନ୍ତାକୁ କହି ଖବରକାଗଜଟା ମଗାଇଲେ । ରାକେଶ୍‍ ବାବୁ ଏସବୁ ଖବର ଭଲଭାବରେ ପଢ଼ିଲେ ।

“ଯାହା ହେବ ହେବ । କିନ୍ତୁ ଏସବୁ କ’ଣ ସତ ? ତା’ପରେ ଚାଇନା ଭାରତକୁ କାହିଁକ ଆକ୍ରମଣ କରିବ । ସେତ ଭାରତର ବନ୍ଧୁରାଷ୍ଟ୍ର ।”

“ତିବ୍ଦତ କଥା ଆପଣ ଭୁଲି ଯାଆନ୍ତୁନି । ଯଦି ଯୁଦ୍ଧ ଆରମ୍ଭ ହୋଇଯାଏ, ତାହାହେଲେ ଆପଣ କିପରି ଚାଇନା ବୁଲିବାକୁ ଯିବେ ?”

“ଯାହା ଘଟିବାକୁ ଥିବ, ତାକୁ କେହି ଅଟକାଇ ପାରିବେନି । ତାହା ନିଶ୍ଚୟ ହେବ । ଟିକିଏ ଏପଟ ସେପଟ ହେବନି ।”

“ହଉ ବର୍ତ୍ତମାନ ସେ କଥା ଛାଡ଼ିଦିଅ, ପରେ ସେସବୁ ଆମେ ଚିନ୍ତା କରିବା । ଚାଲ ଆମ ପ୍ରୋଗ୍ରାମ ଆରମ୍ଭ କରିବା ।”

ଦୁହେଁ ଘରଛାଡ଼ି ଦାଣ୍ଡକୁ ଆସି ଜିପରେ ବସିଲେ । ଗାଡ଼ି ଛାଡ଼ିଲା ।

 

(୪)

 

“ଚୀନି ହିନ୍ଦୀ ଭାଇ ଭାଇ, ତେଣୁ ଯେଉଁମାନେ ଏ ଅଞ୍ଚଳରେ ବସବାସ କରୁଛନ୍ତି ସେମାନେ ଶୀଘ୍ର ଏ ସ୍ଥାନ ଛାଡ଼ି ଅନ୍ୟତ୍ର ଚାଲିଯାଆନ୍ତୁ । ଛି ଛି ଏଇଆ କ’ଣ ତୁମ ଦେଶର ନୀତି ? ତୁମ ଦେଶର ଲୋକମାନେ ଏତେ ଘୃଣ୍ୟ । ଏତେ ଅମଣିଷ ।” ବିଦ୍ରୂପ କରି ରାକେଶ୍‍ ବାବୁ ନିଜ ସ୍ତ୍ରୀ ଅର୍ଚ୍ଚିଡ଼୍‌ଙ୍କୁ କହିଲେ ।

 

“ତୁମେ ଏତେ କଥା ମୋ ଆଗରେ କାହିଁକି କହିବ ଯେ ? ମୋର କ’ଣ ଦୋଷ ?” ଅର୍ଚ୍ଚିଡ଼୍‍ ପ୍ରତିବାଦ କରି କହଲେ–“ତୁମର ଏ ଦୋଷ ନୁହେଁ, ତୁମର ରକ୍ତ ଯେଉଁ ଦେଶରୁ ବହୁଛି ସେହି ଦେଶର ଅଧିବାସୀଙ୍କର ଗୁଣ । ଯେଉଁ ଦେଶର ଲୋକମାନେ ଭଗବାନ ବୁଦ୍ଧଙ୍କର ଏତେ ଏତେ ବଡ଼ ଶିଷ୍ୟ, ଯେଉଁ ଦେଶର ଲୋକମାନେ କି ଜବାହାରଲାଲ୍‍ ନେହେରୁଙ୍କୁ ପଞ୍ଚଶୀଳ ନୀତି ପାଳନ କରି ଶାନ୍ତିରେ ଚଳିବାକୁ ପ୍ରତିଶ୍ରୁତି ଦେଇଥିଲେ, ସେହିମାନେ ପୁଣି ବିନା କାରଣରେ ପର ଜମି ଦଖଲ କରି ଏ ଦେଶ ଉପରେ କରିଛନ୍ତି ବର୍ବର ନଗ୍ନ ଅସଭ୍ୟ, ଆକ୍ରମଣ । ସେ ଦେଶର ଲୋକମାନେ କେତେ ଉନ୍ନତ ଓ ସଭ୍ୟ ଏହିଥିରୁ ତାହା ଜଣାପଡ଼େ । ତୁମେ ସେହି ଦେଶର ଝିଅ । ସେହି ଦେଶର ରକ୍ତ ତୁମ ଧମନୀରେ ପ୍ରବାହିତ ।”

 

“ତୁମେ ଏସବୁ କଥା ମୋ ଆଗରେ କହିପାରିବ ନାହିଁ । ଯେଉଁ ଦେଶକୁ ମୁଁ ଭକ୍ତି କରେ, ଯେଉଁ ଦେଶର ପତାକାକୁ ମୁଁ ସମ୍ମାନ କରେ, ସେ ଦେଶ ବିରୁଦ୍ଧରେ ହେଉଥିବା ନିନ୍ଦା ମୁଁ ଶୁଣିପାରିବିନି ।’’

 

“ତୁମକୁ ଶୁଣିବାକୁ ପଡ଼ିବ । ତୁମେ ଭାରତର ନାଗରିକତ୍ଵ ଗ୍ରହଣ କରିସାରିଛ । ତାହାହେଲେ ଏ ନାଗରିକତ୍ୱର ମୂଲ୍ୟ କ’ଣ ରହିଲା ? ତୁମେ ଏ ଦେଶକୁ ଏବଂ ଏ ଦେଶର ପତାକାକୁ ସମ୍ମାନ ପ୍ରଦର୍ଶନ ନ କରି ଅନ୍ୟ ଦେଶକୁ ଏବଂ ଅନ୍ୟ ଦେଶର ପତାକାକୁ ସମ୍ମାନ ଦେଉଛ ଓ ତା’ପ୍ରତି ଆନୁଗତ୍ୟ ପ୍ରକାଶ କରୁଛ ।”

 

“ଏ କଥା ତୁମେ କିପରି କଳ୍ପନା କରୁଛ ? ମୁଁ ଜଣେ ମଣିଷ । ତୁମ ପରି ଜଣେ ସ୍ଵାଧୀନ ସାର୍ବଭୌମ ମଣିଷ । ମୋ ଇଚ୍ଛା ଯେଉଁ ଦେଶରେ ରହିବାକୁ ହୁଏ, ଯେଉଁ ଦେଶରେ ନାଗରିକତ୍ଵ ଗ୍ରହଣ କରିବାକୁ ହୁଏ ତାହା ମୁଁ କିପରି ନ କରିବ ?

 

ମୁଁ ଯଦି ଇଚ୍ଛା କରିବି, ପୁନର୍ବାର ମୋ ଜନ୍ମିତ ଦେଶକୁ ଫେରି ଯାଇ ସେଠାରେ ନାଗରିକତ୍ୱ ଗ୍ରହଣ କରିବାକୁ ତାହାହେଲେ ସେଠାରେ କ’ଣ ମୋତେ ତଡ଼ିଦେବେ ?”

 

“ଯାଅ, ଯାଅ, ଏହି ମୁହୂର୍ତ୍ତରେ ଯାଅ ଯଦି ଇଚ୍ଛାକର । ମାତ୍ର କିପରି ଯିବ । ତୁମେ ଏ ଦେଶ ପ୍ରତି ହାରାମି କରିଛ । ତୁମ ଜୀବନ ଉଡ଼ିଯିବ ଯିବା ପୂର୍ବରୁ ଯେଉଁ ବାଟରେ ଗଲେ ବି ମୁଁ ଏତେ ନୀଚ୍ଚ ନୁହେଁ ।”

 

“ତାହାହେଲେ ଏ ବିବାହର କ’ଣ ମୂଲ୍ୟ ଅଛି ?”

 

“ମୁଁ ତ ଠିକ୍‍ ସେଇକଥା ଉତ୍‌ଥାପନ କରୁଛି ।”

 

‘‘ଚୀନ୍‍ ଭାରତ ଉପରେ ଆକ୍ରମଣ କଲା ବୋଲି କିଛି ନ ଜାଣି ନ ବୁଝି ସବୁଯାକ ଦୋଷ ମୋ ଉପରେ କାହିଁକି ଢାଳି ଦେଉଛ ? ମୋତେ ପଚାରି କ’ଣ ସେମାନେ ଆକ୍ରମଣ କରିଛନ୍ତି ? ମୁଁ ଏଥିରେ କିପରି ଦାୟୀ ହେଇପାରିବି ? ସେମାନେ କେଉଁଠି....ମୁଁ କେଉଁଠି ?”

 

“ତୁମେ ମୋ ସ୍ତ୍ରୀ ବୋଲି ମୁଁ ତୁମକୁ କ’ଣ କିଛି କହିପାରିବିନି ? ଆମ ଦେଶର ଏ ଘଡ଼ିସନ୍ଧି ମୁହୂର୍ତ୍ତରେ ତୁମେ ମୋ’ପାଇଁ ମରିଯିବା ବରଂ ଭଲ । ମୋ ପକ୍ଷରେ ବର୍ତ୍ତମାନ ମୋ ଦେଶଟା ବଡ଼ । ତୁମେ କେବେ ବଡ଼ ନୁହଁ । ମୁଁ ଦେଶପାଇଁ ତୁମକୁ ଉତ୍ସର୍ଗ କରିପାରେ । ତୁମ ପ୍ରତି ମୋ ପ୍ରେମ ଯେତେ ପ୍ରବଳ ଥାଉ ପଛେ । ଅର୍ଚ୍ଚିଡ଼୍‍ ଏଥର ରାକେଶ୍‍ ବାବୁଙ୍କ ଦୁଇ ହାତକୁ ଖୁବ୍‍ ଜୋରରେ ଧରିପକାଇଲେ । ତାଙ୍କ ଆଖି ଦୁଇଟିକୁ ଚାହିଁ ରହିଲେ । ତା’ପରେ ତାଙ୍କ ମୁଣ୍ଡଉପରେ ପଡ଼ିଥିବା ଅଲରା ବାଳ କେତୋଟିକୁ ଆଙ୍ଗୁଠିରେ ସଜାଡ଼ି ଦେଲେ ।

 

ରାକେଶ୍‍ ବାବୁଙ୍କ ଚାହାଣିରେ କୌଣସି ପରିବର୍ତ୍ତନ ହେଲା ନାହିଁ । ଏଥର ସେ ରାକେଶ୍‍ ବାବୁଙ୍କୁ ନିଜର ବଳିଷ୍ଠ ହାତରେ ଖୁବ୍‍ ଜୋରରେ ଛନ୍ଦିଦେଇ କହିଲେ, “ଏସବୁ ତୁମେ କହିପାରିଲ । ମୁଁ ତୁମପାଇଁ କିଛି ନୁହେଁ ।”

 

ରାକେଶ୍‍ ବାବୁ ଉତ୍ୟକ୍ତ ହୋଇ ଅର୍ଚ୍ଚିଡ଼୍‍ଙ୍କ ବାହୁବନ୍ଧନ ଫିଟେଇ ଦେଲେ ଏବଂ କହିଲେ, “ନା ତୁମେ ମୋ ପାଇଁ କିଛି ନୁହଁ । ଏଥର ଅର୍ଚ୍ଚିଡ଼୍‍ ତାଙ୍କୁ ପୂର୍ବପରି ଚାହିଁରହି ତାଙ୍କ ଅଣ୍ଟା ଚାରିପାଖରେ ନିଜର ହାତ ଦୁଇଟିକୁ ଘେରାଇ ଦେଇ କହିଲେ, “ତୁମର ଏସବୁ କ’ଣ ହୋଇଗଲା-? ସତକୁହ ।

 

“କାହିଁକି ତୁମର ଏ ପରିବର୍ତ୍ତନ ହୋଇଗଲା ?”

 

‘‘ତାର କାରଣ ତୁମେ ଭଲଭାବରେ ଜାଣ ।”

 

‘‘ତା’ର ଏକମାତ୍ର କାରଣ ହେଲା ଯେ ତୁମେ ବର୍ତ୍ତମାନ ନିଜ ଦେଶ ଉପରେ ହେଉଥିବା ଆକ୍ରମଣ ଯୋଗୁଁ ଚୀନ୍‌କୁ ଘୃଣା କର ଏବଂ ଚୀନ୍‍ ଦେଶରୁ ଆସିଥିବାରୁ ତା’ ସଙ୍ଗେ ସଙ୍ଗେ ମୋତେ ମଧ୍ୟ ଘୃଣା କର ।”

 

“ହଁ ତୁମେ ଠିକ୍‍ରୂପେ ବୁଝିପାରିଛ, ମୁଁ ଯାହା କହିବାକୁ ଚାହେଁ । ହଠାତ୍‍ ସେ ତାଙ୍କ ଅଣ୍ଟା ଚାରିପାଖରେ ରଖିଥିବା ହାତକୁ ଝଟ୍‌କରି ବାହାର କରି ଆଣି କହିଲେ, ‘‘ତାହାହେଲେ ଠିକ୍‍ ଅଛି ତୁମେ କ’ଣ ଭାବୁଛ, ମୋତେ ପରିତ୍ୟାଗ କଲେ ମୁଁ ଅନ୍ୟ କାହା ସହିତ ବିଭାହୋଇ ନ ପାରି ଏକାକୀ ରହିଯିବି ?”

 

‘‘ତୁମେ ମଧ୍ୟ ସେମିତି କ’ଣ ମୋତେ ଭାବୁଛ ଯେ ତୁମେ ମୋତେ ଛାଡ଼ି ଚାଲିଗଲେ ମୋତେ ବିଭା ହେବାକୁ ଅନ୍ୟ ଝିଅ ମିଳିବେ ନାହିଁ ? ଆରେ ଯା ଯା, ମୁଁ ଦେଖିଛି ଅନେକ ଝିଅ । ତୁମଠାରୁ ବଳି ଭଲଝିଅ । କମ୍‍ ଦେଶଟାଏ ନୁହଁ କି ତୁମର ସେଇଟା । ତୁମେସବୁ ଅସରପା ଖାଇ ମଣିଷ ହୋଇଛ । ପୋକ ମାଛି ଖାଇ ବଞ୍ଚିଥାଅ ।”

 

‘‘ଚୁପ୍‌କର । ମୋ ଆଗରେ ସେ କଥା କହିବନି । ତୁମ ଦେଶର ତ ଲୋକମାନେ ନିଜ ମୂତ୍ରପାନ କରନ୍ତି । ତୁମେ କ’ଣ ଆମ ଆଗରେ ଏତେ ଦମ୍ଭରେ କଥାବାର୍ତ୍ତା କରିବାକୁ ସାହାସ କରୁଛ ?”

 

‘‘ଭଲକରି ମୂତ୍ରପାନ କଲୁ । ତୁମକୁ ଆମେ ମାଗି ଯାଉଥିଲୁ କେଉଁଦିନ କିଛି ଆମର ଅଭାବ ହେଲେ ? ଯଦି ନ ମିଳିଲା ଚୋରି କରୁଥିଲୁ । ଯଦି ନ ମିଳିଲା ନଗ୍ନ ଆକ୍ରମଣ କରି ଅନେକ ଲୋକଙ୍କୁ ମାରୁଥିଲୁ ବୋମା ପକାଇ ।”

 

“ସେମିତି ହେଉଛ, ମୋତେ ରଗାଇଲେ ମୁଁ ଆମ ଦେଶକୁ ପଳେଇବି ଏଠା ଛାଡ଼ିକରି । ଭଲକରି ଆମ ଦେଶର ରେଡ଼ିଓ ସେଣ୍ଟର ଶୁଣିବି ।”

 

“ଆରେ ଯା ଯା ମୁଁ ତୁମକୁ କାହାକୁ ଖାତିର କରେନା, ତୁମେ ପଳେଇଲେ ଆମେ ତୁମ ବାଟକୁ ଅଟକାଇବୁନି । ମନେ ରଖିଥାଅ ଯେ ବର୍ତ୍ତମାନ ଏଇଟା ତୁମ ଦେଶ । ଏ ଦେଶ ତୁମର ନାଗରିକତ୍ୱ ବହିଷ୍କାର କରିନାହଁ । ଏ ଦେଶକୁ ତୁମେ ସମ୍ମାନ ଦେଖାଇବାକୁ ବାଧ୍ୟ । ତୁମେ ଯଦି ଏ ଦେଶର ନିୟମ ନ ପାଳ, ତୁମର ଏ କାର୍ଯ୍ୟ ଆଇନ୍‍ଦ୍ଵାରା ଦଣ୍ଡନୀୟ ହେବ । ମୁଁ ସତ କହୁଛି ଯେ ତୁମେ ଏଠାରେ ମୋ ଆଗରେ ଚାଇନିଜ୍‍ ସେଣ୍ଟର୍‍ ଶୁଣିଲେ ତୁମ ନାଁ ମୁଁ ପୋଲିସରେ ଦେବି । ପୋଲିସ୍‍ ତୁମକୁ ଆରେଷ୍ଟ କରିବ ସନ୍ଦେହ କରି । କଷ୍ଟ ଦେବ ।

 

‘‘ରେପ୍‍ କରିବନି ତ ?”

 

“ଆମ ଦେଶର ପୋଲିସ୍‌ମାନେ ଏତେ ନୀଚ୍ଚ ନୁହନ୍ତି ।’’

 

“ମୁଁ ତୁମର ସ୍ତ୍ରୀ, ମୁଁ ଯଦି ତୁମ ବିରୁଦ୍ଧରେ କିଛି ଦୋଷ କଲି ତୁମେ ମୋତେ ନିଜେ ଶାସନ କରିବାକୁ ଏତେ ଡରିଯାଉଛ କାହିଁକି ? ନିଜେ ଶାସନ ନ କରି ପୋଲିସ୍‌କୁ କାହିଁକି କହିବ ବୋଲି କହୁଛ ?” ହଠାତ୍‍ ଗୋଟାଏ ଶକ୍ତ ଚାପଡ଼ା ବସିଗଲା ଅର୍ଚ୍ଚିଡ଼୍‍ଙ୍କ ଗାଲରେ । ନିଜ ଗାଲରେ ହାତ ମାରି ହସି ହସି କହିଲେ, “ଧନ୍ୟବାଦ ତୁମର ସେ ଚାପଡ଼ାକୁ । ମୁଁ ଏପରି କାମକୁ ପ୍ରଶଂସା କରେ । ତୁମେ ମୋତେ ପୋଲିସ୍‍ ହାତରେ ନ ଦେଇ ନିଜେ ଶାସନ କରିବାକୁ ଚେଷ୍ଟା କରିଛ କାରଣ ମୁଁ ତୁମର ସ୍ତ୍ରୀ ।”

 

“ଚୁପ୍‌କର, ତୁମେ ମୋ ସ୍ତ୍ରୀ ନୁହଁ ।”

 

“ମୁଁ ଯଦି ତୁମର ସ୍ତ୍ରୀ ନୁହଁ, କାହିଁକି ମୋତେ ଚାପଡ଼ା ମାରିଲ ? କହିପାରିବ କି ଏଥର-?”

 

‘‘ମାରିଛି ଭଲ କରିଛି, ଆହୁରି ମାରିବି ।”

 

“କିପରି ଭଲ କରିଛ ଜାଣିପାରେ କି ?”

 

“କିଛି ସମୟ ପୂର୍ବେ ମୋର ଏ ଚାପଡ଼ାକୁ ନିଜେ ପ୍ରଶଂସା କରିଥିଲ ?”

 

“ହଁ କରିଥିଲି, କାରଣ ସେତେବେଳେ ମୁଁ ତୁମର ସ୍ତ୍ରୀ ବୋଲି ଭାବିଥିଲି । ମାତ୍ର ବର୍ତ୍ତମାନ ତ ନୁହେଁ ।”

 

‘‘ତୁମ ଜଣେ ବିଦେଶୀ ଝିଅ, ମୁଁ ଚାପଡ଼ା ମାରିଲେ ତୁମେ କିଛି କରିପାରିବନି । ମାରି ମାରି ମାରି ଦେଲେ ମଧ୍ୟ ତୁମ ପଟିଆ କେହି ବାହାରିବେ ନାହିଁ ।”

 

“ମୁଁ ତ ଭାରତୀୟ । ମୋ ପାଖରେ ନାଗରିକ ସାର୍ଟିଫିକେଟ୍‍ ଅଛି ।’’

 

“ବାଜେ କଥା, ତୁମକୁ ଏ ଦେଶର ନାଗରିକ ବୋଲି କିଏ ସମ୍ମାନ ଦେଇଛି ? ବର୍ତ୍ତମାନ ଯୁଦ୍ଧ ଚାଲିଛି । କୂଟନୈତିକ ସମ୍ପର୍କ ବିଚ୍ଛିନ୍ନ ହୋଇଛି ।”

 

“ଯଦି ଏ ଯୁଦ୍ଧରେ ଚୀନ୍‍ ଜିଣେ ?”

 

“ବନ୍ଦକର ।” ଭୀଷଣ ଭାବରେ ଉତ୍ୟକ୍ତ ହୋଇ ଖୁବ୍‍ ଗର୍ଜନ କରି ରାକେଶ୍‍ ବାବୁ କହି ଉଠିଲେ ।

 

“ତୁମେ ଆମକୁ କ’ଣ ଭାବିଲ କି ? ମୁଁ ମରିଯିବି ବରଂ ଏକଥା କାହାଠାରୁ ଶୁଣିପାରିବିନି । ଭାରତ କଦାପି ହାରିବ ନାହିଁ । ସେ ହାରିବା ସମୟରେ ମୁଁ ନିଜେ ଯାଇ ତାକୁ ସବୁପ୍ରକାର ସାହାଯ୍ୟ କରି ଯୁଦ୍ଧରେ ମିଶି ଯୁଦ୍ଧ କରି ଜିଣାଇବି । ତୁମେ ହେଉଛ ଭାରତର ଶତ୍ରୁ, ତୁମକୁ ଟିକିଏ ହେଲେ ବିଶ୍ଵାସ ନାହିଁ । ତୁମକୁ ଯେତେ ଶୀଘ୍ର ଘରୁ ତଡ଼ିବ, ସେତେ ଶୀଘ୍ର ମଙ୍ଗଳ । ତମେ କେଉଁ ମୁହୂର୍ତ୍ତରେ ଖାଦ୍ୟରେ ବିଷ ମିଶାଇ ମଣିଷକୁ ମାରିଦେବ । ତା’ର ଠିକ୍‍ ଠିକଣା ନାହିଁ । ତୁମର ଉପର ଆବରଣ ହେଲା ଭାରତୀୟ ନାଗରିକ । କିନ୍ତୁ ତୁମ ଭିତର ହେଲା ଚାଇନିଜ୍‍ ଏଜେଣ୍ଟ-। ଭାରତ ହାରିଗଲେ ତୁମେ ଟିକିଏ ହେଲେ ଦୁଃଖ କରିବନି । ଚାଇନା ଭାରତକୁ ଆକ୍ରମଣ କରୁ ଓ ଚାଇନା ଜିତୁ ତୁମେ ଏଇକଥା ଚାହଁ । ତୁମେ କହିବାକୁ ଚାହଁ ଯେ ଏ ଦେଶଟାର ନାଁ ଚୀନ୍‍ ହୋଇଯିବ । ପୃଥିବୀର ମାନଚିତ୍ରରୁ ଭାରତର ନାଁଟା କୁଆଡ଼େ ଉଡ଼ିଯିବ । ତମେ ଆଉ ନିଜ ଦେଶକୁ ଫେରିଯିବ ନାହିଁ କାରଣ ତୁମେ ଭାବୁଛ ଯେ ଏ ଦେଶଟା ତୁମ ଦେଶ ହୋଇଯିବ । ଭାରତର ଏପରି ଶୋଚନୀୟ ଅବସ୍ଥାରେ ତୁମେ ଆଦୌ ଦୁଃଖିତ ନୁହଁ ।”

 

‘‘ତୁମେ ଖାଲି ମୋ ଉପରେ ରାଗି ଯାଇଛ, ତା’ର କାରଣ ନିଜେ ବୁଝିପାରିନ । ମୋତେ ବିଲ୍‌କୁଲ୍‍ ବୁଝିବାକୁ ଚେଷ୍ଟା କରିନ । ମୁଁ ଚାଇନାକୁ ଓ ଚାଇନାର ପତାକାକୁ ସମ୍ମାନ ଦିଏ, ତା’ ଅର୍ଥ ନୁହେଁ ଯେ ମୁଁ ଭାରତକୁ ଓ ଭାରତର ପତାକାକୁ ସମ୍ମାନ ଦିଏନା । ନିଜ ସ୍ତ୍ରୀକୁ ମାଡ଼ ଗାଳିଦେଇ କେହି କାହା ଦେଶକୁ ଜିଣେଇ ପାରିବ ନାହିଁ । ମୁଁ ଏକା ଏ ଦେଶର ନାଗରିକତ୍ୱ ଗ୍ରହଣ କରିନାହିଁ । ଚାଇନାରୁ ଅନେକ ଲୋକ ଏହିପରି ଆସି ବହୁବର୍ଷ ହେଲା ଏଠାରେ ରହି ଆସିଛନ୍ତି । ସେମାନଙ୍କର ଏ ଯୁଦ୍ଧରେ ଆଦୌ ହାତ ନାହିଁ । ସେମାନଙ୍କୁ ଗାଳିଦେଇ ତମର କ’ଣ ଲାଭ ? ମୋର ଓ ତୁମ ମଧ୍ୟରେ ହୋଇଥିବା ବିବାହ ହେଉଛି ସମ୍ପୂର୍ଣ୍ଣଭାବରେ ପ୍ରେମ ବିବାହ । ଏ ବିବାହ ପାଇଁ ତମେ ଯେତିକି ଦାୟୀ ମୁଁ ମଧ୍ୟ ସେତିକି ଦାୟୀ । ଆମର ଏକମାତ୍ର ସନ୍ତାନ ଉଜ୍ଜଳ । ତା’ ଉପରେ ତୁମର ଯେତିକି ଅଧିକାର, ଆଇନ୍‍ ଅନୁସାରେ ମୋର ମଧ୍ୟ ସେତିକି ଅଧିକାର । ମୁଁ ଯଦି ମରିଯାଏ, ତାହାହେଲେ ତମେ ତାକୁଇ ପାଳି ମଣିଷ କରିବ । ଯଦି ଏ ଦେଶରେ ଚାଇନା ଲୋକଙ୍କ ଉପରେ ଅତ୍ୟାଚାର କରନ୍ତି ଓ ମାରିଦିଅନ୍ତି ସେ ତ ଆଉ ମା’ ବୋଲି ଜିନିଷ ଦେଖି ପାରିବନି । ମା’ ବଦଳରେ ସେ ପାଇବ ସାବତ ମା’ । ଯେ କି ତାକୁ ସଦାବେଳେ ବିଲେଇ କୁକୁର ପରି ଘୃଣା କରିବ-। ଆଦୌ ସ୍ନେହ ଆଦର କରିବନି । ତା’ ଜୀବନଟି ମାଟି ହୋଇଯିବ । କିନ୍ତୁ ଭଗବାନ ତାକୁ ଭଲରେ ରଖିଛନ୍ତି । ମୋର ଆଶା ତାକୁ ସବୁଦିନ ଏପରି ଭଲରେ ରଖିବେ । ମୋର ଆଶା ତାକୁ ସବୁଦିନ ଏପରି ଭଲରେ ରଖି ତା’ର ବର୍ତ୍ତମାନ ଯେପରି କିଛି ଅସୁବିଧା ନାହିଁ, ସେମିତି ମଧ୍ୟ କିଛି ନ ରହୁ । ଏହା ମୁଁ ଭଗବାନଙ୍କଠାରୁ ପ୍ରାର୍ଥନା କରୁଛି, ଭଗବାନ ତାକୁ ସବୁଦିନ ଅମୃତ ଦେଇଥାନ୍ତୁ-। ସେ ଅମୃତ ବିଷାକ୍ତ ନ ହେଉ ।

 

‘‘ସେ ତ ମୋ ପିଲା । ତୁମ ପିଲା ନୁହେଁ ।”

 

“ତୁମର ଯେତିକି ଅଧିକାର ମୋର ସେତିକି । ଫିପ୍‌ଟି ଫିପ୍‌ଟି ।”

 

“କିଏ କହିଲା ?”

 

“ମୁଁ କହୁଛି ।”

 

‘‘ଆମ ଦେଶରେ ପିଲାର ସବୁ ଦାୟିତ୍ଵ ବାପ ଉପରେ । ପରିବାର ଚଳାଏ ବାପା, ମା’ ନୁହେଁ । ତୁମ ପିଲା ଯେଉଁ ସ୍କୁଲରେ ପାଠ ପଢ଼ୁଛି, ସେଠାରେ ତ ଲେଖା ହୋଇ ନାହିଁ ତା’ ମା’ ନାଁ କ’ଣ ?’’

 

“ହଉ ହେଲା ଏଇଟା ତୁମ ଦେଶ । ସବୁଦିନ ପାଇଁ ତୁମେ ଏ ଦେଶକୁ ଧରି ରଖିଥାଅ, ହଉ ହେଲି ମୁଁ ତୁମ ଆଖିରେ ଜଣେ ବିଦେଶୀ ଝିଅ, ହଁ ତୁମେ କହୁଛ ଯେ ତୁମ ସ୍କୁଲ୍‍ମାନଙ୍କରେ ପିଲାର ମା’ ନାଁ ଲେଖା ହୁଏନା । ଆଚ୍ଛା ମୁଁ ମାନୁଛି ତୁମ କଥା କେବଳ ସେଇ ଗୋଟାକ ଛାଡ଼ିଦେଲେ ମୋର କ’ଣ କିଛି ଅଧିକାର ନାହିଁ ତା’ ଉପରେ ?”

 

“ନା”

 

‘‘କ’ଣ ହେଲା ? ଭଗବାନ ତାକୁ ସ୍ଵାବଲମ୍ବନଶୀଳ କଲେ ବୋଲି ତା’ ସୁଖ ଦୁଃଖ, ସୁବିଧା ଅସୁବିଧା କଥା ଚିନ୍ତା କରିବା ପାଇଁ କ’ଣ ମୋର କିଛି ଅଧିକାର ନାହିଁ ?”

 

“ମୁଁ ଯଦି ତୁମକୁ ବିଭା ହୋଇନଥାନ୍ତି, ତୁମେ ତ ଏତେ ଭଲପିଲା ଜନ୍ମ କରିଥାନ୍ତ ?”

 

“ସେ କଥା ଅବା କେଉଁ ମୂର୍ଖ ଅପାଣ୍ଡୁକ ଝିଅକୁ ବୁଝାଇଲେ ସେ ମାନିଯିବ । ମୋତେ କହିଲେ ଚଳିବ ନାହିଁ । ମୁଁ ଯଦି ତୁମର ସ୍ତ୍ରୀ ନ ହୋଇ ଅନ୍ୟ କିଏ ହୋଇଥାନ୍ତି, ତୁମେ ତ ଏତେ ସୁନ୍ଦର, ଗୁଣବାନ ଓ ଭଲ ପୁଅର ମୁଖ ଦର୍ଶନ ନ କରିଥାନ୍ତ । ସେ ଯେଉଁ ସ୍କୁଲରେ ପଢ଼ୁଛି ତାକୁ ଆମେ କିଛି ଟଙ୍କା ପଠାଉ ନାହେଁ । ସରକାର ତାକୁ ମାସକୁ ଛଅଶହ ଟଙ୍କା ଲେଖାଏ ଦେଉଛନ୍ତି । ତା’ର କିଛିହେଲେ ଅଭାବ ନାହିଁ । ସେ ନିଜେ ଚଳି ଆମକୁ ମାସକୁ ଦୁଇ ଶହ ଟଙ୍କା ପଠାଇବାକୁ କହୁଛି । ଏହା କିପରି ହେଲା ।”

 

‘‘କିପରି ?”

 

‘‘ତା’ ଦେହରେ ଚାଇନାର ବଳବାନ୍‍ ରକ୍ତ ପ୍ରବାହିତ ହେଉଛି ବୋଲି । ଅନ୍ୟ ସବୁ ଭାରତୀୟ ଶିଶୁକୁ ପାଠ ପଢ଼ାରେ ବଳି ଯାଉଛି ।”

 

“ସେଗୁଡ଼ାକ ମୋ ଆଗରେ କହିଲେ ମାଡ଼ କୁଇଣ୍ଟାଲ ପଇସାଏ ମଧ୍ୟ ହେବନି । ତୁମେ ଏତେ ସୁନ୍ଦରପୁଅ କିପରି ଜନ୍ମ କରିଥାନ୍ତ, ଯଦି ଭାରତୀୟ ରକ୍ତ ଏଥିରେ ସହାୟକ ହୋଇ ନ ଥାନ୍ତା-? ଯେଉଁ ଦେଶର ରକ୍ତ ଭୀମ ହନୁମାନଙ୍କ ଦେହରୁ ପ୍ରବାହିତ ହେଉଛି, ତାହା ଆଜି ଦେଖାଇ ଦେଇଛି, ସେହି ଭାରତୀୟ ରକ୍ତର ମୂଲ୍ୟ କ’ଣ ? ସେ ଭାରତୀୟ ରକ୍ତର ପିଲା କ୍ଲାସରେ କିପରି ସମସ୍ତଙ୍କୁ ଟପି ଯାଉଛି ଅନ୍ୟମାନଙ୍କୁ ପଛରେ ପକାଇ । ମୁଁ ତୁମକୁ ବିଭା ନ ହୋଇ ଅନ୍ୟ କାହାକୁ ବିଭା ହୋଇଥିଲେ ମୁଁ ଆହୁରି ଭଲ ଏବଂ ସୁନ୍ଦର ଓ ଗୁଣବାନ ପୁଅ ପାଇପାରିଥାନ୍ତି ।”

 

“ଚୁପ୍‌କର, ଉଜ୍ଜଳ ଏଠାରେ ଫାଷ୍ଟ୍‍କ୍ଲାସ୍‍ ଫାଷ୍ଟ ହୋଇଯାଇଛି । କାରଣ ସେ ଗୋଟିଏ ଭାରତୀୟ ସ୍କୁଲରେ ପାଠ ପଢ଼ୁଛି ଏବଂ ଭାରତୀୟ ଶିଶୁମାନେ ସମସ୍ତେ ବୋକା; କିନ୍ତୁ ସେ ଏଠାରେ ନ ପଢ଼ି ଯଦି ଚାଇନାରେ ପାଠ ପଢ଼ନ୍ତା ସେ ଆଦୌ ଫାଷ୍ଟ୍‍କ୍ଲାସ୍‍ ଫାଷ୍ଟ ହୋଇପାରନ୍ତାନି । ସେ ସମସ୍ତଙ୍କ ପଛରେ ପଡ଼ି ଯାଆନ୍ତା । ସେଠାରେ ସମସ୍ତେ ଚାଲାକ ।”

 

“ଠିକ୍‍ ଅଛି । ତୁମେ ତା’ପାଇଁ ତାହାହେଲେ ବ୍ୟସ୍ତ ନୁହଁ ।”

 

“ତୁମେ ମଧ୍ୟ ତା’ପାଇଁ ବ୍ୟସ୍ତ ନୁହଁ ବୋଲି ପୂର୍ବରୁ ଜଣାଇ ସାରିଛ ।”

 

(୫)

 

ଚୀନ୍‌ର ବର୍ବର ନଗ୍ନ ଆକ୍ରମଣକୁ ମୁକାବିଲା କରିବା ପାଇଁ ଭାରତ ପ୍ରସ୍ତୁତ ହେଲା । ଚୀନ୍‌ର ବିମାନ ଭାରତ ଭିତରେ ପ୍ରବେଶ କରି ବିଭିନ୍ନ ସ୍ଥାନରେ ବୋମା ନିକ୍ଷେପ କଲେ । ଭାରତର ସବୁ ସହରର ଅଧିବାସୀଗଣ ଭୟପାଇ ଅଧିକ ସଂଖ୍ୟାରେ ଗ୍ରାମାଞ୍ଚଳକୁ ଚାଲି ଆସୁଥିଲେ । ସେମାନଙ୍କଠାରୁ ଚୀନ୍‍ ଆକ୍ରମଣର କରୁଣ ହୃଦୟବିଦାରକ କାହାଣୀମାନ ଶୁଣିବାକୁ ମିଳୁଥିଲା । କିଏ ନିଜର ଜ୍ଞାତି କୁଟୁମ୍ବ ଛୁଆପିଲା ସବୁ ହରାଇଛନ୍ତି ତ କିଏ ବୋମାମାଡ଼ ଖାଇ ସମ୍ପୂର୍ଣ୍ଣ ଅକର୍ମଣ୍ୟ ହୋଇଯାଇଛି । ଏସବୁ ଖବର ଲୋକମାନେ କାନ୍ଦି କାନ୍ଦି ଜଣାଉଥାନ୍ତି । ନେଫା ଏବଂ ସଜାଗ୍‍ ଅଞ୍ଚଳରେ ଚୀନ୍‌ର ପଦାତିକ ବାହିନୀ ଭାରତୀୟ ସୀମା ଅତିକ୍ରମ କରି ଭାରତ ଭିତରକୁ ପଶି ଆସିଛନ୍ତି ଏବଂ ଅନ୍ୟ କେତେକ ସୀମାନ୍ତ ଅଞ୍ଚଳ ମଧ୍ୟ ତାଙ୍କର ଅଧିକାରକୁ ଆସିବାକୁ ଯାଉଛି । ଭାରତର ଭାଗ୍ୟରେ ଏହା ଏକ ବିନାମେଘରେ ବଜ୍ରପାତ ପରି ଦେଖା ଦେଲା-। ଚୀନ୍‍ ତା’ର ସମସ୍ତ ଟ୍ୟାଙ୍କ୍‍ ଏବଂ ସାମରିକ ଯନ୍ତ୍ରପାତି ଭାରତ ସୀମା ଭିତରେ ଭର୍ତ୍ତି କରିବାରେ ଲାଗିଲା । ସେତେବେଳେ ଭାରତ ସାମରିକ ବିଭାଗ ସେତେ ଶକ୍ତିଶାଳୀ ନ ଥିଲା । ଭାରତ ଖୁବ୍‍ କମ୍‌ଦିନ ହେଲା ସ୍ଵାଧୀନତା ପାଉଥିଲା । ଏହାର ଅର୍ଥନୈତିକ ଅବସ୍ଥା ମଧ୍ୟ ସେତେ ଉନ୍ନତି ନ ଥିଲା-। ତା’ପ୍ରତି ଏଇଟା କମ୍‍ ବଡ଼ ଚଡ଼କ ନ ଥିଲା । ଭାରତ ଏପରି ଆକ୍ରମଣ ପାଇଁ କେବେହେଲେ ଆଶା କରିନଥିଲା, କେବେହେଲେ ସ୍ଵପ୍ନ ଦେଖିନଥିଲା, କେବେ ବିଶ୍ଵାସ କରି ପ୍ରସ୍ତୁତ ହୋଇନଥିଲା-। ଭାରତର ସୀମାନ୍ତ ଅଞ୍ଚଳରେ ଗମନାଗମନ ପଥର ସେତେ ସୁବିଧା ନ ଥିଲା । ସଡ଼କ ଓ ରେଳପଥର ତୀବ୍ର ଅଭାବ ପରିଲକ୍ଷିତ ହେଉଥିଲା । ତେଣୁ ଭାରତୀୟ ଜବାନ୍‌ମାନେ ସେଠାରେ କିପରି ଭାବରେ ଟ୍ୟାଙ୍କ୍‍ ଆଦି ସାମରିକ ସରଞ୍ଜାମ ଶୀଘ୍ର ପହଞ୍ଚାଇ ପାରିବେ ? ତଥାପି ଭାରତ ତା’ର ସମସ୍ତ ଚେଷ୍ଟା କରିଥିଲା । ଭାରତର ପ୍ରଧାନମନ୍ତ୍ରୀ ଏଥିପାଇଁ ସାରା ବିଶ୍ଵରେ ଏପରି ବର୍ବର ଆକ୍ରମଣର ନିନ୍ଦା କରିବାକୁ ପଛାଇଲେ ନାହିଁ । ଅନ୍ୟାନ୍ୟ ଉନ୍ନତ ଦେଶମାନଙ୍କୁ ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ପାଇଁ ସେ ସାହାଯ୍ୟ ଭିକ୍ଷା କରିଥିଲେ । ମାତ୍ର ସମସ୍ତେ ନୀରବ ରହିଥିଲେ । କେହିହେଲେ ଭାରତପାଇଁ ସାହାଯ୍ୟ ପୂର୍ଣ୍ଣହସ୍ତ ପ୍ରେରଣ କରିନଥିଲେ । ଭାରତ ଗରିବ ଦେଶ । ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଦେଶ ମଧ୍ୟରେ ପ୍ରବଳ ଜନମତ ସୃଷ୍ଟି କରିଥିଲେ ।

 

ରାଷ୍ଟ୍ରପତି ଜଳ, ସ୍ଥଳ ଆକାଶ ତିନି ବାହିନୀର ମୁଖ୍ୟମାନଙ୍କୁ ନିର୍ଦ୍ଦେଶ‌ ଦେଲେ; ଚୀନ୍‍ ବିରୁଦ୍ଧରେ ସଂଗ୍ରାମ ଆରମ୍ଭ କରି ତା’ର ସମସ୍ତ ଘାଟି ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରେଳରାସ୍ତା, ସଡ଼କ, ପୋଲ ଆଦି ନଷ୍ଟ କରି ଦେବାକୁ । ତାଙ୍କର ଆକ୍ରମଣକୁ ଠିକଣା ମୁକାବିଲା ଦେବାକୁ ଭାରତୀୟ ବୀର ଜବାନ୍‍ମାନେ ପ୍ରାଣପଣେ ଲାଗିପଡ଼ିଲେ । ଏଥିରେ ଭାରତର ପ୍ରତ୍ୟେକ ନାଗରିକ ସାହାଯ୍ୟ ସହଯୋଗ କରିଥିଲେ । ଭାରତର ଝିଅ, ବୋହୂମାନେ ବୀର ଜବାନ୍‍ମାନଙ୍କ ଗଳାରେ ଫୁଲମାଳ ଝୁଲାଇ ସେମାନଙ୍କୁ ସିନ୍ଦୂର ଆଦି ଲଗାଇ ଦୀପ ଲଗାଇ ଆଳତି କରି ହସ ହସ ମୁହଁରେ ବିଦାୟ ଦେଇଥିଲେ । ସମସ୍ତ ଗ୍ରାମ ଏବଂ ସମସ୍ତ ସହରର ରାତ୍ରିର ଅଲୋକ ବନ୍ଦ କରିଦିଆଗଲା । ପ୍ରତ୍ୟେକ ଯାନବାହାନ କଞ୍ଚାଡାଳପତ୍ରଦ୍ଵାରା ଆବୃତ୍ତ କରି ରାସ୍ତାରେ ନିଆ ଯାଉଥିଲା । କୃଷିକ୍ଷେତ୍ରକୁ ଶ୍ରମିକମାନେ ଗଲାବେଳେ ମୁଣ୍ଡରେ ଠେକାମାରି କଞ୍ଚାଡାଳପତ୍ର ଆଦି ବାନ୍ଧି ଯିବାକୁ ଭୁଲୁନଥିଲେ ।

 

ପ୍ରଧାନମନ୍ତ୍ରୀଙ୍କ ସାହାଯ୍ୟ-ପାଣ୍ଠିକୁ ଅକାତରରେ ସମସ୍ତେ ମୁକ୍ତହସ୍ତରେ ଦାନ କରିଥିଲେ-। ଅନେକ ଟଙ୍କା, ଅନେକ ସୁନା ସଂଗ୍ରହ କରାଯାଇଥିଲା । ଲୋକମାନେ ସପ୍ତାହରେ ଗୋଟିଏ ଦିନ ଉପାସରେ ରହି ସେଦିନର ସମସ୍ତ ଖାଇବା ଖର୍ଚ୍ଚ ଦେଶର ଏ ଗୁରୁତ୍ୱପୂର୍ଣ୍ଣ ଜରୁରୀ-ପାଣ୍ଠିକୁ ଦେଇ ପକାଉଥିଲେ । ସମସ୍ତଙ୍କର ଆଶା ଥିଲା ଏ ପାଣ୍ଠିର ପଇସାରେ ବିଦେଶରୁ ସରକାର ଯୁଦ୍ଧରେ ବ୍ୟବହାର କରିବାକୁ ଅତ୍ୟାଧୁନିକ ସାମରିକ ଜିନିଷମାନ ଖରିଦ୍‍ କରିବେ ।

 

ଏତେ କଷ୍ଟରେ ଭାରତକୁ ଯେଉଁ ସ୍ଵାଧୀନତା ମିଳିଛି, ତାହା ଚାଲିଯିବାକୁ ବସିଛି । ତେଣୁ ଏ ସମୟରେ ଦେଶର ସମସ୍ତ ରାଜନୈତିକ ଓ ଅଣ-ରାଜନୈତିକ ଦଳ ସରକାରଙ୍କ ଦଳ ସହିତ ମିଶି ଏକଜୁଟ ହେବା ସ୍ଵାଭାବିକ । ଅନେକ ଜବାନ୍‍ ଏଥିରେ ପ୍ରାଣ ଦେଇଥିଲେ । ସେମାନଙ୍କ ସ୍ଥାନ ପୂରଣ କରିବାକୁ ପଡ଼ିବ ।

 

ସୈନ୍ୟବାହିନୀରେ ଯୋଗ ଦେବାକୁ ପ୍ରତି ଗାଁ ଏବଂ ସହରରୁ ଲୋକମାନଙ୍କୁ ନିଆଗଲା-। ଅନେକ ଲୋକ ଦେଶପାଇଁ ଆଗତୁରା ହୋଇ ଯୋଗ ଦେଉଥିଲେ ଏବଂ ସେଥିରେ ମିଶିବାକୁ ଅନ୍ୟକୁ ଉତ୍ସାହିତ କରୁଥିଲେ, କିନ୍ତୁ ଅନ୍ୟ କେତେକ ଭୟ ପାଉଥିଲେ ଏବଂ ଲୁଚି ରହୁଥିଲେ । ସୈନ୍ୟବାହିନୀରେ ଯିବାପାଇଁ ବା ଏଥିପାଇଁ ତାଲିମ ପାଇବାକୁ ଇଚ୍ଛା କରୁନଥିଲେ । ଯେଉଁ ଲୋକମାନଙ୍କ ନାଁ କୁହା ଯାଉଥିଲା, ସେମାନଙ୍କ ମଧ୍ୟରୁ କେତେକ ଲୁଚିକରି ଘରଛାଡ଼ି କୁଆଡ଼େ ଚାଲିଯାଇ ନିଖୋଜ ହୋଇଯାଉଥିଲେ । ବୁଢ଼ା ବୁଢ଼ା କେତେକ ଲୋକ ନିଜ ପୁଅକୁ ଏଥିରେ ଯୋଗ ଦେବାକୁ ମନା କରୁଥିଲେ ଏବଂ ତାଙ୍କ ଅଞ୍ଚଳକୁ ଆସିଥିବା ସାମରିକ ଅଫିସର୍‍ଙ୍କ ଗୋଡ଼ହାତ ଧରି କାନ୍ଦି କାନ୍ଦି କହୁଥିଲେ, “ଆଜ୍ଞା ! ଏଇଟି ମୋର ଗୋଟିଏ ବୋଲି ପୁଅ । ସେ ଚାଲିଗଲେ ଆମକୁ ପାଣି ଦେବାକୁ କିଏ ରହିବ ?”

 

ଅନ୍ୟମାନେ ଏ କଥାକୁ ଦେଖୁ ନ ଥିଲେ । ଗାଁରେ କେତେକ ଶିକ୍ଷିତ ଯୁବକ ଅଛନ୍ତି, ସେମାନଙ୍କୁ ମିଶାଇବାକୁ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଲା ।

 

ଚୀନ୍‍ ଏବଂ ଭାରତ ମଧ୍ୟରେ ସଂଗ୍ରାମ ଆରମ୍ଭ ହେଲା ବଡ଼ ବିଚିତ୍ର ଭାବରେ । ଭାରତୀୟ ଦଳ ବହୁତ ପଛାଇଗଲେ । ଏହାର ମୂଳକାରଣ ହେଲା ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ।

 

ଚୀନ୍‍ ଏବଂ ଭାରତ ମଧ୍ୟରେ ବହୁ ପୂରାଦିନରୁ ବନ୍ଧୁତା ରହିଆସିଛି । ତେଣୁ ମୂଳତଃ ତାଙ୍କ ପକ୍ଷରୁ ଗୁଳି ଚାଳନା ଆରମ୍ଭ ନ ହେଲେ ଭାରତ ପକ୍ଷରୁ ଗୁଳି ଚାଳନା ଆରମ୍ଭ ହେବ ନାହିଁ । ତାଙ୍କ ପକ୍ଷରୁ ଆମ ପକ୍ଷର ଲୋକଙ୍କୁ ନ ମାରିବା ପର୍ଯ୍ୟନ୍ତ ଆମ ଦଳର କେହି ତାଙ୍କୁ ମାରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । ଠିକ୍‍ ଭାରତର ସୀମାରେ ମେସିନ୍‍ଗନ୍‍ ଧରି ଭାରତୀୟ ବୀର ଜବାନ୍‍ମାନେ ଧାଡ଼ି ଧାଡ଼ି ହୋଇ ବସି ଜଗି ରହିଥିଲେ । ସେତେବେଳକୁ ଚୀନ୍‌ରୁ ଆକ୍ରମଣକାରୀମାନେ ବହୁତ ପାଖକୁ‌ ଆସି ଯାଇଥିଲେ ।

 

ଭାରତୀୟ ଜବାନ୍‌ମାନେ ସାମରିକ ମୁଖ୍ୟମାନଙ୍କୁ ଓୟାରଲେସ୍‍ କରିଥିଲେ, ‘‘ଆଜ୍ଞା, ଫାୟାର୍‍ କରିବୁ ?”

 

ଉତ୍ତର ଆସିଥିଲା, ‘‘ନା”

 

“ଆଜ୍ଞା, ମାତ୍ର ଶହେଗଜ ଦୂର ଅଛି । ସେମାନେ ମାଡ଼ି ଆସୁଛନ୍ତି ।’’

 

“ନା”

 

ଆଶ୍ଚର୍ଯ୍ୟ ହୋଇ ଜବାନ୍‌ମାନେ ନୀରବ ରହିଥିଲେ ବନ୍ଧୁକ ସଜାଇ ପୂର୍ବପରି ବସିରହି । ଆକ୍ରମଣକାରୀମାନେ ଅଧିକ ନିର୍ଭର ହେଲେ ଧାଡ଼ି ଧାଡ଼ି ହୋଇ ଆସି । ଅଥୟ ହୋଇ ଭାରତୀୟ ଜବାନ୍‌ମାନେ ଓୟାରଲେସ୍‍ କଲେ, ‘‘ପଚାଶ ଗଜ ମାତ୍ର ଅଛି ବ୍ୟବଧାନ ।”

 

ସାମରିକ ମୁଖ୍ୟ ଅନୁମତି ଦେଲେନାହିଁ ଫାୟାର୍‍ କରିବାକୁ । ତା’ପରେ ଭାରତୀୟ ଜବାନ୍‌ମାନେ ନୀରବ ରହୁଥିବାର ଦେଖି ଅଧିକ ଉତ୍ସାହିତ ହୋଇ ଚୀନାମାନେ ଅଧିକ ଆଗକୁ ଆସିଲେ । ଅଧିକ ନିକଟକୁ ମାଡ଼ି ଆସିଲେ ।

 

ଆମ ଜବାନ୍‌ମାନେ ଚିତ୍କାର କଲେ, ‘‘ପଚିଶ ଗଜ’’ କିଛି ଉତ୍ତର ମିଳିଲା ନାହିଁ । ସେମାନେ ଆଶ୍ଚର୍ଯ୍ୟ ହୋଇ ଗଲେଣି । ଶତ୍ରୁମାନେ ମାତ୍ର ପଚିଶଗଜ ଦୂର ବ୍ୟବଧାନକୁ ଆସିଗଲେଣି । ତଥାପି ଫାୟାର ଅର୍ଡ଼ର ଆସିଲା ନାହିଁ । ସେ ମଣିଷ ନା କ’ଣ ଶତ୍ରୁମାନେ ଆହୁରି ନିକଟକୁ ଆସିଗଲେ । ସେଠାରେ ଜଗି ରହିଥିବା ସଶସ୍ତ୍ର ଜବାନ୍‌ମାନେ ଚିତ୍କାର କଲେ “ଦଶ ଗଜ ଦୂର ମାତ୍ର ।”

 

ତଥାପି ମଧ୍ୟ କିଛି ଉତ୍ତର ଆସିଲା ନାହିଁ । ସମସ୍ତେ ଆଶ୍ଚର୍ଯ୍ୟ । ସେମାନେ କେବଳ ତିନୋଟି ଅକ୍ଷରର ଶବ୍ଦକୁ ଅପେକ୍ଷା କରିବସିଛନ୍ତି । ସେ ଶବ୍ଦଟି ହେଲା ‘‘ଫାୟାର୍‍ ।”

 

ଶତ୍ରୁମାନେ ଆହୁରି ଅଧିକ ପାଖକୁ ଆସିଗଲେଣି; କିନ୍ତୁ କିପରି ତାଙ୍କୁ ଫାୟାର୍‍ ଅର୍ଡ଼ର ନ ମିଳୁଛି ?

 

ତା’ପରେ ‘‘ମାତ୍ର ପାଞ୍ଚଗଜ ।”

 

କୌଣସି ଉତ୍ତର ଆସିଲାନି, ସମସ୍ତେ ଆଶ୍ଚର୍ଯ୍ୟ । ଶତ୍ରୁମାନେ ମଧ୍ୟ ଆଶ୍ଚର୍ଯ୍ୟ, ଏହା ତାଙ୍କୁ କିପରି ଅଧିକ ଉତ୍ସାହିତ ନ କରିବ ?

 

ତା’ପରେ ସେମାନେ ଆମ ସୀମା ଭିତରକୁ ପଶିଗଲେ । ସାମରିକ ମୁଖ୍ୟଙ୍କୁ ଏ କଥା ଜଣାଇଦିଆଗଲା । ସେ ଗମ୍ଭୀର ହୋଇ କହିଥିଲେ, ‘‘ତାଙ୍କ ପକ୍ଷରୁ ଆମକୁ ଗୋଟିଏ ମାତ୍ର ଗୁଳି ଚାଳନା ନ ହେବା ପର୍ଯ୍ୟନ୍ତ ଆମପକ୍ଷରୁ ଗୋଟିଏ ହେଲେ ଗୁଳି କେହି ଫୁଟାଇ ପାରିବେ ନାହିଁ ।”

 

ଏହିପରି ଭାବରେ ସେମାନେ ଆମ ସୀମା ଭିତରେ ପଶିଯାଇ ଗୋଟିକୁ ଗୋଟି ଘାଟି ଅଧିକାର କରି ନେଇଥିଲେ । ଉତ୍ତର ପୂର୍ବାଞ୍ଚଳରେ ଅନେକ ଗୁରୁତ୍ଵପୂର୍ଣ୍ଣ ଘାଟି ତାଙ୍କ ଅକ୍ତିଆରରେ ରହିଗଲା ।

 

ଭାରତୀୟ ସୈନିକମାନେ ବହୁତ ବିଳମ୍ବରେ ଯୁଦ୍ଧ ଆରମ୍ଭ କରିଥିଲେ । ସେମାନଙ୍କ ମଧ୍ୟରୁ ଅନେକ ବହୁତ ବୀରତ୍ୱର ସହିତ ସଂଗ୍ରାମ କରିଥିଲେ ଅପ୍ରାଣ ସାହାସ କରି ।

 

(୬)

 

ଚୀନାମାନେ ଭାରତର ସୀମା ଭିତରେ ଯେତିକି ଯେତିକି ଅଧିକ ପ୍ରବେଶ କରୁଥାନ୍ତି, ସେସବୁର ଖବର ପଢ଼ି ରାକେଶ୍‍ ବାବୁ ସେତିକି ସେତିକି ପ୍ରତିକ୍ରିୟା ପ୍ରକାଶ କରୁଥାନ୍ତି । ଏହି ଚିନ୍ତାରେ ସେ ଅଧିକାଂଶ ସମୟ ଗମ୍ଭୀର ହୋଇ ରହୁଥିଲେ । ସେ ଦେଶପାଇଁ କି ପ୍ରକାର ସାହାଯ୍ୟ କରିପାରିବେ ? ସେ ଜଣେ ଚାଇନା ଏଜେଣ୍ଟଙ୍କ ସହିତ ସମ୍ପର୍କ ରଖିଛନ୍ତି । ଗୋଟିଏ ବିଷଧର ସର୍ପକୁ ମୂର୍ଖ ପରି ଚୁମ୍ବନ ଦେଉଛନ୍ତି । ଯେତେହେଲେ ଅର୍ଚ୍ଚିଡ଼୍‍ ହେଉଛନ୍ତି ଶତ୍ରୁ ଦେଶର ଝିଅ । ଅଙ୍ଗାରକୁ ଯେତେ ଧୋଇଲେ ମଧ୍ୟ ସେ ଧଳା ଦେଖାଯିବ ନାହିଁ । ତେଣୁ ଏକଥା ସତ ଯେ ପୃଥିବୀ ପ୍ରଳୟ ହୋଇଗଲେ ମଧ୍ୟ ଅର୍ଚ୍ଚିଡ଼୍‍ ଚାଇନାପାଇଁ ନିଶ୍ଚୟ କାନ୍ଦିବେ । ମାତ୍ର ଭାରତପାଇଁ ଟିକିଏ ହେଲେ ବି କାନ୍ଦିବେ ନାହିଁ କି ସହଯୋଗ କରିବେନି । ଯଦି ସେ ସହଯୋଗ କରିବେ ବୋଲି ପାଟିରେ ଖାଲି କହିଦେବେ ତାହାହେଲେ ଧରିବାକୁ ପଡ଼ିବ ଯେ ସେ ଛଳନା କରୁଛନ୍ତି । ଏଇଟା ତାଙ୍କର ହୃଦୟ ଭିତରର କଥା ଆଦୌ ନୁହେଁ ।

 

ଏସବୁ କଥା ରାକେଶ୍‍ ବାବୁଙ୍କୁ କେହି କହୁନାହାଁନ୍ତି । ମାତ୍ର ଏସବୁ ତାଙ୍କର ଧାରଣା ଓ ଅନୁମାନ । ଦେଶର ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ତାଙ୍କର କର୍ତ୍ତବ୍ୟ କ’ଣ ? ସେ କ’ଣ ଶତ୍ରୁ ଦେଶର ଗୋଟିଏ ଝିଅକୁ ପ୍ରେମ ବିବାହ କରି ଭୁଲ୍‍ କରି ନାହାଁନ୍ତି ? ତାଙ୍କ ନିଜ ଦେଶରେ କ’ଣ ଝିଅ ଅଭାବ ହେଲେ କି ?

 

Unknown

ହଁ, ସେ ଆଜି ଅନୁତାପ କରୁଛନ୍ତି, କିନ୍ତୁ ସେ କିପର ଏଥିରୁ ମୁକ୍ତି ପାଇବେ ? ତାଙ୍କପାଇଁ ଏ ଜଟିଳ ସମସ୍ୟା ଗୋଟିଏ ବାସ୍ତବ ଅଲଂଘ୍ୟ ପ୍ରତିବନ୍ଧକ ।

 

ସେ ଦିନକୁ ଦିନ ଚାଇନିଜ୍‍ ଦ୍ରବ୍ୟର ବ୍ୟବହାର କମାଇ ଦେଲେଣି । ଏହିପରି ଅନେକ ଉଦାହରଣ ଘଟି ଯାଇଛି । ଦିନେ ସେ ଡାଏରି ଲେଖିବାପାଇଁ ଅର୍ଚ୍ଚିଡ଼୍‍କୁ କହିଲେ, “ଅର୍ଚ୍ଚିଡ଼୍‍ ପେନ୍‌ଟା ଆଣିବଟି” । ଅର୍ଚ୍ଚିଡ଼୍‍ ତାଙ୍କ ଚାଇନିଜ୍‍ କଲମ ଆଣି ଆସିଲେ ।

 

ସେଇଟିକୁ ଦେଖି ରାଗିଯାଇ କହିଲେ “ସେଇଟା ନୁହେଁ । ମୋ ଟେବୁଲ ଉପରେ ରଖା ଯାଇଥିବା ପେନ୍‌ଟି ଆଣ ।” ଅର୍ଚ୍ଚିଡ଼୍‍ ତାଙ୍କ ଟେବୁଲ ପାଖକୁ ଯାଇ ତାଙ୍କର ଇଣ୍ଡିଆନ କଲମ ଆଣି ଆସିଲେ । ସେ ଏଇ କଲମରେ ନିଜ ଡାଏରି ଲେଖିଲେ ।

 

ଅର୍ଚ୍ଚିଡ଼୍‍ କହିଥିଲେ, ‘‘ଏଇଟା ଚାଇନିଜ୍‍ କଲମ ବୋଲି ଘୃଣା କରି ବୋଧହୁଏ ଗ୍ରହଣ କରିଲନି । ହେଉ ।”

 

ରାକେଶ୍‍ ବାବୁ କିଛି ଉତ୍ତର ଦେଇନଥିଲେ । ତା’ପରେ ରାକେଶ୍‍ ବାବୁ ଗୁଡ଼ାଏ ଜୋତା କିଣି ଆଣିଥିଲେ । ଏସବୁ ବାଟା କମ୍ପାନୀ ଜୋତା ।

 

ଅର୍ଚ୍ଚିଡ଼୍‍ କହିଥିଲେ, ‘‘ଘରେ ତ ଜୋତା ଅଛି ବହୁତ । ପଇସା ଦେଇ ଏତେ ଜୋତା କାହିଁକି କିଣିଆଣିଲ ?” ଏସବୁ ପୁଣି ବାଟା ଜୋତା ବହୁତ ଦିନ ଯିବନି, ଭଲ ନୁହେଁ ।

 

ପ୍ରକୃତରେ ଆଗରୁ ରାକେଶ୍‍ ବାବୁଙ୍କର ସବୁଯାକ ଜୋତା ଥିଲା ଚାଇନିଜ୍‍ ଜୋତା । ଗୋଟିଏ ହେଲେ ଭାରତୀୟ ଜୋତା ତାଙ୍କ ଘରେ ନ ଥିଲା ।

 

ଅର୍ଚ୍ଚିଡ଼୍‌ଙ୍କ ଏପରି ପ୍ରଶ୍ନର ଉତ୍ତର ସେ ସଙ୍ଗେ ସଙ୍ଗେ କାର୍ଯ୍ୟଦ୍ୱାରା ଦେଖାଇ ଦେଇଥିଲେ-। ଘରେ ଥିବା ସମସ୍ତ ଚାଇନିଜ୍‍ ଜୋତାକୁ ସେ ନିଆଁ ଲଗାଇ ଜଳାଇ ଦେଇଥିଲେ । ଅର୍ଚ୍ଚିଡ଼୍‍ ନୀରବ ରହିଥିଲେ । ତାଙ୍କ ମନର ଭାବ ବାହାରକୁ ପ୍ରକାଶ ପାଇନଥିଲା । ସେହିଦିନଠାରୁ ଅର୍ଚ୍ଚିଡ଼୍‍ ବହୁତ ଗମ୍ଭୀର ହୋଇପଡ଼ିଲେ । ସେ ବହୁତ ଜଗିକରି ଚଳିବାକୁ ଚେଷ୍ଟା କଲେ । ରାକେଶ୍‍ ବାବୁ ତାଙ୍କୁ ଆଉ ହସିହସି କଥା ପଦେ ମଧ୍ୟ କହୁନଥିଲେ । ଭଗବାନ କେତେ ସୁନ୍ଦର ସଂସାର ଦେଇନଥିଲେ-? ସବୁ ଭାଙ୍ଗିଯିବାକୁ ବସିଛି । ସେତେବେଳେ ଦୁହେଁ କେତେ ହସ ଖୁସିରେ ନ ଥିଲେ ? ସେ କଥା ଭାବିବା ବେଳକୁ ଅର୍ଚ୍ଚିଡ଼୍‍ଙ୍କ ଆଖିରେ ଲୁହ ଆସି ଯାଉଛି ।

 

ରାକେଶ୍‍ ବାବୁଙ୍କ ଅନୁରୋଧରେ ସେ ସେତେବେଳେ ଭାରତୀୟ ଶାଢ଼ି ଆଦି ପିନ୍ଧୁଥିଲେ-। ମାତ୍ର ସେ ବର୍ତ୍ତମାନ ଏସବୁ ଭାରତୀୟ ପୋଷାକ ପିନ୍ଧିବା ବହୁତ କମାଇ ଦେଲେଣି-। ସେତେବେଳେ ଭାରତୀୟ ପୋଷାକରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ ବୋଲି ରାକେଶ୍‍ ବାବୁ କହୁଥିଲେ । ଏଥିପାଇଁ ସେ ସଦାବେଳେ ଅଳି କରୁଥିଲେ । ଏଥିପାଇଁ ସେ ସବୁବେଳେ ଭାରତୀୟ ପୋଷାକ ପିନ୍ଧୁଥିଲେ । ସେ ବହୁତ ଖୁସି ହେଉଥିଲେ । ତାଙ୍କର ସମସ୍ତ ବିଦେଶୀ ପୋଷାକ ଟ୍ରଙ୍କରେ ଚାବିପଡ଼ି ରହିଥିଲା । ଅନେକବର୍ଷ ସେସବୁ ଟ୍ରଙ୍କ୍‍ ଫିଟିନଥିଲା । ସେ ମଝିରେ ମଝିରେ ବିଦେଶୀ ପୋଷାକ ପିନ୍ଧିଲେ, ସେ ବହୁତ ଆପତ୍ତି କରୁଥିଲେ । କିନ୍ତୁ ବର୍ତ୍ତମାନ ସେ ନୀରବ-। ସେ ଆପତ୍ତି କରୁନାହାଁନ୍ତି । ସେ କେଉଁ ପୋଷାକ ପିନ୍ଧୁଛନ୍ତି, ସେଥିପ୍ରତି ନଜର ଦେଉନାହାଁନ୍ତି-। ଟିକିଏ ହେଲେ ତାଙ୍କଆଡ଼େ ଚାହୁଁନାହାଁନ୍ତି ।

 

କିଛିଦିନ ପରେ ସମ୍ପର୍କ ଅଧିକ କ୍ଷୀଣ ହୋଇଗଲା । ରାକେଶ୍‍ ବାବୁ ସକାଳୁ ଉଠିବା ପୂର୍ବରୁ ଅର୍ଚ୍ଚିଡ଼୍‍ ସରୁଦିନ ତାଙ୍କପାଇଁ ବେଡ଼ଟି କରି ନିଅନ୍ତି, ସବୁଦିନ ତାଙ୍କ ଓଠରେ କିସ୍‍ କରି ସେ ତାଙ୍କୁ ନିଦରୁ ଉଠାନ୍ତି ଏବଂ ହସ ହସ ମୁହଁରେ ତାଙ୍କୁ ବେଡ଼ଟି ଧରାଇ ଦିଅନ୍ତି । ରାକେଶ୍‍ ବାବୁ ହସି ହସି ନିଦରୁ ଉଠି ବେଡ଼ଟି ଧରି ନିଅନ୍ତି ।

 

ଦିନେ ଠିକ୍‍ ସେମିତି ବେଡ଼ଟି ଧରି ଅର୍ଚ୍ଚିଡ଼୍‍ ଆସି ସେ ନିଦରେ ଶୋଇଥିବା ସମୟରେ ସକାଳେ ତାଙ୍କ ଓଠରେ କିସ୍‍ ଦେଇ ଉଠାଇଲେ । ହଠାତ୍‍ ରାକେଶ୍‍ ବାବୁ ଉତ୍ୟକ୍ତ ହୋଇ ଉଠି ସେ ଧରିଥିବା କପ୍‌କୁ ଫୋପାଡ଼ି ଚୁର୍‌ମାର୍‍ କରି କହିଲେ, “ତୁମେ ଆଜିଠାରୁ ମୋତେ କେବେ ବେଡ଼ଟି ଦେବନି । ଆଜିଠାରୁ ମୋତେ ନିଦରୁ ଉଠାଇବନି କେଉଁଦିନ ସକାଳୁ । ଆଜିଠାରୁ କେଉଁଦିନ ଓଠରେ କିସ୍‍ କରିବନି ।”

 

ଅର୍ଚ୍ଚିଡ଼୍‍ ଚୁପ୍‍ ରହିଲେ, ରାକେଶ୍‍ ବାବୁ ମୁହଁ ବୁଲାଇ ତକିଆ ଉପରେ ମୁଣ୍ଡରଖି ପୁଣି ଶୋଇବାକୁ ଚେଷ୍ଟା କଲେ । ଅର୍ଚ୍ଚିଡ଼୍‍ ତାଙ୍କଠାରୁ ଦୂରକୁ ଚାଲିଗଲେ ।

 

ଏହାପରେ ରାକେଶ୍‍ ବାବୁ ଅର୍ଚ୍ଚିଡ଼୍‍କୁ ଆଦୌ ସମ୍ମାନ ଦେଲେ ନାହିଁ । ସେ ଏଥର ସବୁଦିନ ରାତିରେ ଘରକୁ ଫେରିବା ସମୟରେ ବହୁତ ଡେରି କରନ୍ତି । ଅର୍ଚ୍ଚିଡ଼୍‍ ତାଙ୍କପାଇଁ ଅପେକ୍ଷା କରି ରହିଥାନ୍ତି । ସେ ଡେରି କରି ଆସିଲେ ଆପତ୍ତି କରି କହନ୍ତି, ‘‘ତୁମେ ଏତେ ଡେରି କରି ଆସୁଛ-।”

 

ସେ ଗମ୍ଭୀର ହୋଇ ରହିଲେ, ‘‘ଡେରି କଲେ କ୍ଷତି କ’ଣ ।”

 

“କିଛି ଖାଇ ନ ଥିଲ, ଏତେ ସମୟ ଉପାସରେ କିପରି ସମ୍ଭାଳିବ ।’’

 

‘‘ମୁଁ ବାହାରେ ଖାଇ ଆସିଛି ।”

 

“ବାହାରେ ଖାଇଲେ ଦେହ ଭଲ ରହିବ ତ ?”

 

‘‘ବହୁତ ଭଲ ରହିବ ।”

 

ତା’ପରେ ଅର୍ଚ୍ଚିଡ଼୍‍ ଚୁପ୍‍ ରହିଲେ, କିଛିଦିନ ପରେ ସମ୍ପର୍କ ପୂରା ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଆସିଲା । ଏଥର ରାକେଶ୍‍ ବାବୁ ଘରେ ଆଦୌ ଖାଇଲେ ନାହିଁ । ସବୁବେଳେ ବାହାରେ ଖାଇଲେ । ଘରକୁ ଆଦୌ ଆସିଲେ ନାହିଁ । ମଝିରେ ମଝିରେ କ’ଣ କାମଥିଲେ କେବଳ ଘରକୁ ଆସନ୍ତି । ବାହାରେ ବାହାରେ ଦୁଇତିନିଦିନ ଏକାବେଳକେ ମଧ୍ୟ କଟିଯାଏ । ଏ କଥାର ପ୍ରତିବାଦ କରି ଅର୍ଚ୍ଚିଡ଼୍‍ ଦିନେ କହିଥିଲେ, ‘‘ଆଉ କ’ଣ ଦିନେହେଲେ ତୁମେ ଘରେ ଖାଇବନି ?”

 

“ନା ଆଉ ନୁହେଁ ।”

 

“ମୋରି ଯୋଗୁଁ ତୁମେ କ’ଣ ଘରେ ଖାଉନାହଁ ।”

 

“ମୁଁ ତୁମକୁ ଘୃଣା କରେ ।”

 

“କ’ଣ ବିଷ ମିଶାଇ ତୁମ ଖାଦ୍ୟରେ ଦେଇଦେବି ବୋଲି ନା କ’ଣ ?”

 

“ତୁମେ କୁଆଡ଼େ ବିଷ ମିଶାଇବ ? ତୁମର ସେ ଶକ୍ତି କାହିଁ ?”

 

“ତୁମେ ବିଷ ମିଶାଇଲେ ସେସବୁକୁ ହଜମ କରିବାର ଶକ୍ତି ଆମଠାରେ ଅଛି ।”

 

“ମୋ’ଦ୍ଵାରା ପ୍ରସ୍ତୁତ ଖାଦ୍ୟ ତୁମେ ଯଦି ନ ଖାଇବ ଆମେ ପୂଜାରୀ ରଖିବା ।’’

 

“ଜଣେ କାହିଁକି ଏକାବେଳକେ ଶହେଜଣ ରଖିଲେ ମଧ୍ୟ କିଛି କ୍ଷତି ହେବ ନାହିଁ ।”

 

“ମୁଁ ଥିବାରୁ ତୁମେ କ’ଣ ଘୃଣା କରି ଏ ଘରକୁ ଆସୁନାହଁ ।”

 

ରାକେଶ୍‍ ବାବୁ ଚୁପ୍‍ ରହିଲେ ।

 

“ମୋତେ ଯଦି ରଖିବାକୁ ଚାହୁଁନ, ତାହାହେଲେ ମୁଁ ଏଠାରେ କାହିଁକି ରହିବି ?”

 

ଏ କଥାକୁ ନ ଶୁଣି ସେ ଚାଲିଯାଇଥିଲେ । ଅର୍ଚ୍ଚିଡ଼୍‍ ପରିସ୍ଥିତିକୁ ଭଲଭାବରେ ନିରୀକ୍ଷଣ କରୁଥିଲେ । ସେ ମଧ୍ୟ ଖୁବ୍‍ ଭଲଭାବରେ ଜାଣିପାରିଥିଲେ ଯେ ରାକେଶ୍‍ ବାବୁଙ୍କର ଆଉ କୌଣସି ପରିବର୍ତ୍ତନ ହେବ ନାହିଁ । ସେ ଆଉ ପୂର୍ବପରି ତାଙ୍କ ସହିତ ସହଯୋଗ କରିବେନି । ଦୁହେଁ ଦୁହିଁଙ୍କଠାରୁ ଖୁବ୍‍ ନିକଟରେ ଭବିଷ୍ୟତରେ ଅଲଗା ହୋଇଯିବେ । ଦୁହିଁଙ୍କ ମଧ୍ୟରେ ଥିବା ବ୍ୟବଧାନର ଉତ୍ତରୋତ୍ତର ଉନ୍ନତି ସାଧନ ହେବ । ସେମାନେ ଯେଉଁ ଅମୃତ ପିଉଥିଲେ ତାହା ବିଷାକ୍ତ ହୋଇଯାଇଛି ।

 

(୭)

 

“ଅରୁଣା ତୁମେ ।” ଅରୁଣା ଏ ଶବ୍ଦକୁ କାନେଇ ସେହି ଦିଗରେ ଅନାଇଲେ । ସେ ଦେଖିପାରିଲେ ଏ ହେଉଛନ୍ତି ରାକେଶ୍‍ ବାବୁ । ତାଙ୍କର ସ୍ୱର ସେ ଠିକ୍‍ ଭାବରେ ବାରି ପାରିଛନ୍ତି । ସେ ହସି ହସି ଉତ୍ତର ଦେଇଥିଲେ, ‘‘ମୁଁ ସଭାକୁ ଆସିଥିଲି, ଆପଣ ?”

 

“ମୁଁ ମଧ୍ୟ ସଭାକୁ ଆସିଛି, ଶୁଣିବାକୁ ।”

 

“ବହୁତ ଭଲ ହେଲା ।”

 

“ତୁମେ କଲେଜରୁ ସିଧା ବୋଧହୁଏ ଆସିଛ, କାରଣ ତୁମ ହାତରେ ବହି ।”

 

“ହଁ କ୍ଲାସ୍‍ ସସପେଣ୍ଡ ହୋଇଗଲା । ବହିଧରି ଏଠାକୁ ସିଧା ଚାଲିଆସିଲି । ଆଗରୁ ଶୁଣିଥିଲି ଯେ ଏଠାରେ ସଭା ଚାଲିବ ।”

 

“ହଉ ଆସ ।”

 

ଦୁହେଁ ଆଗକୁ ଚାଲିଲେ । ଏଥର ଖାଲି ପଡ଼ିଥିବା ଦୁଇଟି ଚେୟାର ଉପରେ ପାଖାପାଖି ହୋଇ ବସିଲେ ।

 

ମଞ୍ଚ ଉପରେ ନେତାମାନେ ଜଣ ଜଣ ହୋଇ ଭାଷଣ ଦେଉଥାନ୍ତି । ଶ୍ରୋତାମାନେ ଶୁଣୁଥାନ୍ତି, ଗୋଟିଏ ଖୋଲା ପଡ଼ିଆରେ ଏ ସଭା ଚାଲିଥିଲା ।

 

ଭାରତ ଉପରେ ଚୀନ୍‍ କରିଥିବା ନଗ୍ନ ଆକ୍ରମଣକୁ ଭିତ୍ତିକରି ଏ ସଭା ଚାଲିଥିଲା ।

 

ପ୍ରତ୍ୟେକ ବକ୍ତା କହୁଥାନ୍ତି ଯେ ଏପରି ଆକ୍ରମଣଦ୍ଵାରା କମ୍ୟୁନିଷ୍ଟ, ଚାଇନାର ସମ୍ପ୍ରସାରଣ-ବାଦ ଜଣାପଡ଼ିଲା । ସେ ଏହିପରି ପୃଥିବୀକୁ ଗିଳିବ ବୋଲି ଭାବୁଛି । ସେ ଚାହେଁ ଯେ ସମଗ୍ର ପୃଥିବୀରେ ତା’ର କମ୍ୟୁନିଷ୍ଟ ଶାସନ ଜାରି ହେବ । ଭାରତ ଗୋଟିଏ ଶାନ୍ତିପ୍ରିୟ ଦେଶ । ସେ ଭୁଲରେ ସୁଦ୍ଧା କାହା ରାଜ୍ୟ ଉପରେ ଆଖି ପକାଏନା । ସେ ଆଗକରି କାହା ଉପରେ ଆକ୍ରମଣ କରିନଥାଏ, ଯାହାକୁ ଆମ୍ଭେମାନେ ମିତ୍ର ବୋଲି ଭାବି ଆସିଥିଲୁ ପ୍ରକୃତରେ ସେ ମିତ୍ର ନୁହେଁ । ସେ ହେଉଛି, ପରମଶତ୍ରୁ; କିନ୍ତୁ ଏପରି ଆକ୍ରମଣର ଉଦ୍ଦେଶ୍ୟ କ’ଣ ? ଭାରତର ତ କିଛି ଭୁଲ୍‍ ନାହିଁ । ସେ କାହା ବିରୁଦ୍ଧରେ କଥା ପଦିଏ ହେଲେ ବି କହିନି । ଭାରତର ବୈଦେଶିକ ନୀତି ତ ସମସ୍ତଙ୍କୁ ଜଣା ।

 

ଆମ ଦେଶକୁ ବହୁତ ଦିନପରେ ସ୍ଵାଧୀନତା ମିଳିଛି । ଏଥିପାଇଁ ଜାତିର ଜନକ ବହୁତ ପରିଶ୍ରମ କରିଛନ୍ତି ବହୁତ ସଂଗ୍ରାମ କରି ବହୁତ ଝାଳ ବୁହାଇଛନ୍ତି ନିଜ ଦେହରୁ ବହୁତ ଅନଶନ କରିଛନ୍ତି । ବହୁତ କଷ୍ଟରେ ଚଳିଛନ୍ତି । ଏଇ ଦେଶକୁ ସ୍ଵାଧୀନ କରିବାକୁ ଯାଇ ସେ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ସେ ଥରେହେଲେ ଦେଖିପାରିନଥିଲେ ବାସ୍ତବରେ ତାଙ୍କର ସ୍ଵପ୍ନର ଭାରତ ବର୍ଷ । ସେଇ ଭାରତ ଇଂରେଜୀ ହାତରୁ ଆସି ସ୍ଵାଧୀନ ହେଲା । ଆମ ହାତମୁଠାରେ ଆମ ଦେଶକୁ ଆମେ ପାଇଲେ କ’ଣ ଏଇଥିପାଇଁ ? ଏଇ ଚାଇନାମାନଙ୍କ ହାତରେ ଦେବା ପାଇଁ ?

 

ଏଇ ଦୁଷ୍ଟ ବର୍ବର ଅସଭ୍ୟ ଚାଇନାମାନେ ଆମକୁ ଆକ୍ରମଣ କଲେ କ’ଣ ଆମେ କହିବା–‘‘ଆସନ୍ତୁ ହଜୁର ଆମେ ସ୍ଵାଗତ କରୁଛୁ । ଆପଣଙ୍କୁ ନିମନ୍ତ୍ରଣ କରୁଛୁ ? ନା ନା ତାହା ଅସମ୍ଭବ । ଆମ ଦେଶକୁ ଆମେ କାହାକୁ ଦେଇ ନ ପାରୁ ଏ ଦେଶ ଆମର । ଆମକୁ ଦେଶ ଶାସନ କରିବା ବହୁତ ଭଲଭାବରେ ଜଣା । ଆମେ ଏ ପାଠ ଆଉ କାହାଠାରୁ ଶିଖିବାକୁ ଚାହୁଁନା । ଆମକୁ, ଜାଚି ହୋଇ ଦେବା ଦରକାର ନାହିଁ । ଯଦି ଆମେ ଏ ପାଠ ନ ଶିଖିବୁ ତାହାହେଲେ ଆମକୁ ଜୋର୍‍ ଜବରଦସ୍ତି ଏ ପାଠ ପଢ଼ାଇବ ? ଆମକୁ ଆକ୍ରମଣ କରି ଓ ଆମେ ପ୍ରତିରୋଧ କଲେ ଆମ ଉପରେ ଅତ୍ୟାଚାର କରି କେତେ ଦିନ ପର୍ଯ୍ୟନ୍ତ ଆମ ଦେଶରେ ସୁପ୍ରତିଷ୍ଠିତ ଶାସନ ଜାରି କରିପାରିବ ?

 

ତୁମେ ଆମକୁ ଭୟ ଦେଖାଇବ କାରଣ ଆମ ପାଖରେ ଯଥେଷ୍ଟ ଟ୍ୟାଙ୍କ୍‍ ନାହିଁ । ଯଥେଷ୍ଟ ଆଧୁନିକ ଯୁଦ୍ଧ ବିମାନ ନାହିଁ ବା ରେଲ ରାସ୍ତା ଓ ସଡ଼କ ନାହିଁ । କିନ୍ତୁ ଏସବୁ ନଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ ଦରକାର ପଡ଼ିଲେ ଆମେ ଲାଠି ସାହାଯ୍ୟରେ ଯୁଦ୍ଧ କରିବୁ ।

 

ତେଣୁ ବର୍ତ୍ତମାନର ପ୍ରଧାନ ଆବଶ୍ୟକତା ହେଲା ସଂଗଠନ । ସଂଗଠନର ଶକ୍ତି ବହୁତ ଅଧିକ । କିନ୍ତୁ ଆମର ଯୁଦ୍ଧ ସଂଗଠନ ନ ଥିବ ବା ଆମେ ଭାଗ ଭାଗ ହୋଇଯିବା ତାହାହେଲେ ଶତ୍ରୁ ସହଜରେ ଏ ଯୁଦ୍ଧରେ‌ ଜିଣିଯିବ । ଏ ସଂଗଠନର ଅର୍ଥ ହେଉଛି ଆମ ସମସ୍ତଙ୍କର ଏକମନ ଏବଂ ଏକପ୍ରାଣ । ମନ ଏକ ରହିଲେ ଉପାୟ ବଳେ ବଳେ ଚାଲି ଆସେ । ଆମ ଦେଶକୁ ବର୍ତ୍ତମାନ ଦଶା ପଡ଼ିଛି । ଦେଶକୁ ଏ ବିପଦରୁ ରକ୍ଷା କରିବା ସମସ୍ତଙ୍କର ଅଧିକାର ଓ କର୍ତ୍ତବ୍ୟ । ବର୍ତ୍ତମାନ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଶକ୍ତି ସଂଗ୍ରହ ଅଭିଯାନ ଚାଲିଛି । ଆମ ଦେଶ ବହୁତ ଗରିବ-। ସେଇଥିପାଇଁ ଧନୀଦେଶଙ୍କ ଲୋଲୁପ ଦୃଷ୍ଟି ଆମ ଦେଶ ଉପରେ ପଡ଼ିଛି । ଆମ ଦେଶର ସାମରିକ ବାହନୀକୁ ଆଧୁନିକୀକରଣ କରି ଶତ୍ରୁ ସୈନ୍ୟକୁ ଦେଶ ମାଟିରୁ ହଟାଇବାକୁ ହେଲେ ବାହାର ଦେଶରୁ ବିଭିନ୍ନ ଯୁଦ୍ଧ ସରଞ୍ଜାମ ଆମଦାନୀ କରିବାକୁ ପଡ଼ିବ । ଯଦି ଏସବୁର ସାହାଯ୍ୟ ନିଆ ନ ଯାଏ, ତାହାହେଲେ ଶତ୍ରୁ ସୈନ୍ୟ ହରାଇବା ବଡ଼ କଷ୍ଟକର ହୋଇପଡ଼ିବ କାରଣ ଶତ୍ରୁମାନେ ଆମଠାରୁ ଯଥେଷ୍ଟ, ଉନ୍ନତ ଯୁଦ୍ଧ ସାମଗ୍ରୀ ବ୍ୟବହାର କରି ଆସୁଛନ୍ତି । ସେଥିପାଇଁ ଆପଣମାନେ ଯିଏ ଯାହା ଚାହୁଁଛନ୍ତି ମୁକ୍ତ ହସ୍ତରେ କ୍ରନ୍ଦନରତ ଦେଶମାତୃକା ପ୍ରତିମୂର୍ତ୍ତି ସମୁଖସ୍ଥ ପବିତ୍ର ବେଦିକା ଉପରେ ନିଜର ସତ୍ ସଞ୍ଚିତ ଅର୍ଥ ଏବଂ ପରିବାରର ପୂର୍ବ ସଂଗୃହିତ ସ୍ୱର୍ଣ୍ଣାଦି ଅଳଙ୍କାରରୁ କିଛି କିଛି ଉତ୍ସର୍ଗ କରି ଦେଶକୁ ଏ ବିପଦରୁ ଉଦ୍ଧାର କରିବାକୁ ଚେଷ୍ଟା କରନ୍ତୁ ।

 

ତା’ପରେ ଶ୍ରୋତା ବନ୍ଧୁମାନଙ୍କ ମଧ୍ୟରୁ ବହୁତ ଲୋକ ଟଙ୍କା ସୁନା ଆଦି ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିକୁ ସ୍ଵେଚ୍ଛାକୃତ ଭାବରେ ସମର୍ପଣ କରିଥିଲେ । ରାକେଶ୍‍ ବାବୁ ସଙ୍ଗେ ସଙ୍ଗେ ନିଜ ଚେୟାରରୁ ଉଠି ପାଣ୍ଠିବାକ୍‌ସ ନିକଟକୁ ଯାଇଥିଲେ । ତା’ପରେ ସେ ନିଜ ପକେଟ ମଧ୍ୟରୁ ବାହାର କରି ଦଶ ହଜାର ଟଙ୍କାର ଗୋଟିଏ ଚେକ୍‍ ଦେଇଥିଲେ । ଏତେ ଟଙ୍କା ସେ ସଭାରେ କେହି ଦେଇନଥିଲେ । ସମସ୍ତେ ତାଙ୍କଆଡ଼କୁ ଚାହିଁଥିଲେ । ତାଙ୍କ ନାଁ ଏବଂ ସେ ଦେଇଥିବା ଅର୍ଥର ପରିମାଣ ମାଇକ୍‍ ସାହାଯ୍ୟରେ ଘୋଷଣା କରାଯାଇଥିଲା । ତାଙ୍କୁ ମଧ୍ୟ ବହୁତ ଧନ୍ୟବାଦ ଦିଆ ଯାଇଥିଲା । ତା’ପରେ ସେ ନିଜ ସିଟ୍‍ ପାଖକୁ ଆସିଥିଲେ । ସଭା ଭଙ୍ଗ ହୋଇଗଲା ସମସ୍ତ ଶ୍ରୋତା ଏକ ସମୟରେ ନିଜ ସିଟ୍‍ରୁ ଉଠିଥିଲେ ।

 

ଅରୁଣା ଏଥର ରାକେଶ୍‍ ବାବୁଙ୍କୁ ଚାହିଁଲେ । ସେ ବୋଧହୁଏ କ’ଣ କହିବାକୁ ଚାହିଁଥିଲେ, ମାତ୍ର ରହିଗଲେ । ସେ ନିଶ୍ଚୟ ତାଙ୍କୁ ଧନ୍ୟବାଦ ଦେବାକୁ ଚେଷ୍ଟା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିକୁ ଦଶ ହଜାର ଟଙ୍କାର ଗୋଟିଏ ଚେକ୍ ଦେଇଥିବାରୁ ।

 

ରାକେଶ୍‍ ବାବୁ କିଛି ବୁଝି ନ ପାରି ତାଙ୍କଆଡ଼କୁ ଚାହିଁ କହିଲେ,

 

“ଏଥର କ’ଣ ଫେରିବା ?”

 

ସେ କହିଥିଲେ, ‘‘ଆପଣ ବହୁତ ମହାନ୍‍ ।”

 

‘‘ସମସ୍ତେ ମହାନ୍‍, ତମେ କ’ଣ ମହାନ୍‍ ନୁହଁ ?”

 

“ନା । ସମସ୍ତଙ୍କଠାରୁ ଆପଣ ବହୁତ ମହାନ୍‍ ।”

 

“କିପରି ?”

 

ଆପଣ ଦଶ ହଜାର ଦେବାକୁ ସୁଯୋଗ ପାଇପାରିଲେ ।”

 

“ତୁମେ ପାଇପାରିଲନି । ସେଇଥିପାଇଁ ତୁମେ ମହାନ୍‍ ନୁହଁ ।”

 

“ମୁଁ ପୁଣି ଦଶ ହଜାର । ମୁଁ ଏତେଗୁଡ଼ାଏ ଟଙ୍କା ସ୍ଵପ୍ନରେ ସୁଦ୍ଧା ଦେଖି ନାହିଁ । ଦେଇ ପାରିବି କିପରି ? ଆପଣମାନେ ହେଉଛନ୍ତି ଦେଶର ଜଣେ ଜଣେ କୃତି ସନ୍ତାନ । ଆପଣ ପ୍ରକୃତରେ ଦେଶ ସେବା କରିଛନ୍ତି ବୋଲି କୁହାଯିବ । କିନ୍ତୁ ଆମପରି ଲୋକ ହଜାର ହଜାର ସବୁଦିନ ପୋକ ମାଛି ପରି ଜନ୍ମ ହେଉଛନ୍ତି ଓ ମରୁଛନ୍ତି କିନ୍ତୁ ଦେଶ ସେବା କରିବାକୁ ସୁଯୋଗ ପାଉନାହାଁନ୍ତି ।”

 

“ମୁଁ ଯଦି ସୁଯୋଗ ସୃଷ୍ଟି କରାଇ ଦିଏ ।”

 

“ଆମପାଇଁ ତ କିଛି ସୁଯୋଗ ନାହିଁ । ଆପଣ ସୃଷ୍ଟି କିପରି କରାଇ ପାରିବେ ?”

 

“ନିଶ୍ଚୟ ପାରିବି ।”

 

“ମୁଁ ଯଦି ଆପଣଙ୍କ ପରି ଧନୀ ପରିବାରରେ ଜନ୍ମ ହୋଇଥାନ୍ତି ହୋଇଥାନ୍ତା । ତା’ପରେ ମୋର ଯଦି ନିଜର ବାପ ମା’ ଥାନ୍ତେ, ମୁଁ ମଧ୍ୟ କିଛିଟା ସାହାଯ୍ୟ ଦେବାକୁ ସମର୍ଥ ହୋଇଥାନ୍ତି ।”

 

“ଜଣେ କୋଟିପତିଙ୍କ ଘରେ ରହି ପୁଣି ତୁମେ ଏକଥା କହିପାରୁଛ ।”

 

“ହଁ, ଆପଣ କହିବାକୁ ଚାହାନ୍ତି ଯେ ମୁଁ ଐଶ୍ୱର୍ଯ୍ୟର ପିରାମିଡ଼୍‍ ଭିତରେ ଗଡ଼ୁଛି । କିନ୍ତୁ ମୁଁ ତ ପରଲୋକ । ସେ ଘର ମୋର ନୁହେଁ । ସେଇଟାକୁ ମୋର ବୋଲି କହିବାର ଅଧିକାର ଅଛି କି-? ମୋର ସେଥିରେ କି ଦାବି ଅଛି ? ଭାଗ୍ୟରେ ଥିଲା ବୋଲି ଏଠାରେ ରହି ପାଠ ଦି’ ଅକ୍ଷର ପଢ଼ିବାର ସୁଯୋଗ ଟିକିଏ ପାଇଛି । ନଚେତ୍‍ ମୋ ଅବସ୍ଥା ବାର ବାଜି ସାରନ୍ତାଣି । ମୁଁ ଏପର୍ଯ୍ୟନ୍ତ “ବଞ୍ଚିକି ରହିଛି, ସେଇଟା ବଡ଼ କଥା ।”

 

“ତୁମେ ନିଶ୍ଚୟ ପାରିବ । ଦେଶପାଇଁ କିଛି ଦେଇପାରିବ । ଅରୁଣା ନୀରବ ରହିଲେ ।’’ କିଛି ସମୟ ପରେ ରାକେଶ୍‍ ବାବୁ କହିଲେ, “ଆଚ୍ଛା ମୁଁ ଗୋଟିଏ କଥା କହିବି । ତୁମେ ରକ୍ଷା କରିପାରିବ ତ ?”

 

“କାହିଁକି ନ ପାରିବି ?”

“ପ୍ରୋମିସ୍‍ ।”

“ପ୍ରୋମିସ୍‍ ।”

ଦୁହେଁ ହସି ହାତ ମିଳାଇଲେ ।

“ତୁମେ ପ୍ରୋମିସ୍‍ କରିଛ । ଆଉ ପ୍ରତିବାଦ କରିପାରିବନି ।”

“ନା ।”

“ମୁଁ ଟିକିଏ ତୁମ ଦେହରେ ଲାଗିବି ।”

“ଲାଗିବେ, ମାନେ ?”

“ତୁମେ ପ୍ରତିବାଦ କରନା ।”

“ଠିକ୍‍ ଅଛି ।”

ଅରୁଣାଙ୍କ ମନରେ ସନ୍ଦେହ ଏ “ଲାଗିବା’ ଅର୍ଥ କ’ଣ ?’’

ତାଙ୍କୁ ମନା କରିବା ଅଭଦ୍ରାମି ହୋଇଯିବ । ତା’ପରେ ପ୍ରୋମିସ୍‍ କରିଛନ୍ତି

“ମୁଁ ତୁମକୁ ଥରେ ଏମ୍ବ୍ରାସ୍‍ କରିବି ।”

“ଏକଥା ଅରୁଣା କେବେ ଆଶା କରିନଥିଲେ । ଏସବୁ ଯେ କ’ଣ ହେବାକୁ ଯାଉଛି, ସେ ଆଦୌ ବୁଝି ପାରିନଥିଲେ ।

“ନା” ଅରୁଣାଙ୍କ ପାଟିରୁ ବାହାରି ଆସିଲା ତା’ପରେ ନୀରବତା । ସେ ଏକଥା ବୋଧହୁଏ ଭଲଭାବରେ ଚିନ୍ତା କରୁଥିଲେ । ଏଠାରେ କୋଳାଗ୍ରତ କରିବାର ଆବଶ୍ୟକତା କ’ଣ ରହିଛି ? ସେ ତ ରାକେଶ୍‍ ବାବୁଙ୍କୁ ପ୍ରେମ କରି ନାହାଁନ୍ତି ତା’ପରେ ରାକେଶ୍‍ ବାବୁ ତ ବିବାହିତ, ତାଙ୍କର ଜଣେ ଚାଇନିଜ୍‍ ସ୍ତ୍ରୀ ଅଛନ୍ତି । ତାଙ୍କର ପୁଅ ଉଜ୍ଜଳ ପାଠ ପଢ଼ୁଛି ସ୍କୁଲରେ । ସେ ହେଉଛନ୍ତି ଅନୁପ ବାବୁଙ୍କ ସାଙ୍ଗ । ସେ କାହିଁକି ତାଙ୍କ ପରି ଜଣେ ନିରୀହା ଝିଅକୁ ଏମ୍ବ୍ରାସ୍‍ କରିବାକୁ ଚାହୁଁଛନ୍ତି-? ପୁଣି ଏପରି ଏକ ଖୋଲା ଜାଗାରେ, ଏତେ ଲୋକ ଗହଳିରେ ।

ଅବଶ୍ୟ ରାକେଶ୍‍ ବାବୁ ବହୁତ ଭଲଲୋକ । ସୁଦର୍ଶନ ଓ ସୁଶିକ୍ଷିତ ଭଦ୍ର ଯୁବକ । ତାଙ୍କ ଚରିତ୍ରର ଏପରି ସ୍ଖଳନ କିପରି ହେଲା ? ସେ କ’ଣ ଭାବୁଛନ୍ତି ଯେ ଦେଶପାଇଁ ଦଶ ହଜାର ଟଙ୍କା ଦେଇ ପକାଇଲେ ବୋଲି ତାଙ୍କ ମନ ଯାହାକୁ ହେବ ତାକୁ ପ୍ରେମ କରିବାକୁ ଲାଇସେନ୍‍ସ ପାଇଗଲେ ?

“ନା” ଅରୁଣା କହିଲେ ।

“କିନ୍ତୁ ତୁମେ କ’ଣ ପ୍ରୋମିସ୍‍ ଭୁଲି ଯାଇଛ ?”

“ଆଉ ଆସ ସର୍‌ରି ରାକେଶ୍‍ ବାବୁ । ମୋତେ କ୍ଷମା ଦିଅନ୍ତୁ, ମୁଁ ନ ଜାଣି ନ ବୁଝି ଏପରି ପ୍ରତିଜ୍ଞା କରି ଭୁଲ୍‍ କରିଛି ।”

 

“ଥରେ ପ୍ରୋମିସ୍‍ କରି ସାରି ତାକୁ ଭାଙ୍ଗିବା କ’ଣ ଭଦ୍ରାମି ?”

 

“ନା ।”

 

“ତାହାହେଲେ ?”

 

“ମୁଁ ରଖିବି, କିନ୍ତୁ ଏଠାରେ ନୁହେଁ ।” ବାଧ୍ୟହୋଇ କହିଲେ ଅରୁଣା

 

“ତାହେଲେ କେଉଁଠାରେ ?”

 

‘ଅନ୍ୟ ଏକ ସ୍ଥାନରେ ।”

 

“କ’ଣ କହିବାକୁ ଚାହଁ ?”

 

ଏକ ନିରୋଳା ସ୍ଥାନରେ ମୋତେ ଆପଣ ଏମ୍ବ୍ରାସ୍‍ କରିପାରନ୍ତି । ଏଠାରେ ଏତେ ଲୋକ ଅଛନ୍ତି । ସେମାନେ କ’ଣ ଭାବିବେ ?”

 

“ନା, ନା ଏସବୁ ତୁମେ କହିପାରିବନି । ତୁମେ ପ୍ରତିଜ୍ଞାବଦ୍ଧ ।”

 

“କିନ୍ତୁ ଏ କଥା ତ ପ୍ରୋମିସରେ ନ ଥିଲା । ଏସ୍ଥାନରେ ବୋଲି ।”

 

“ମୁଁ କିଛି ଶୁଣିବିନି ।”

 

ଏହାପରେ ପ୍ରକୃତରେ ସେ ଏମ୍ବ୍ରାସ୍‍ କରିବାକୁ ଆରମ୍ଭ କରିଥିଲେ ଏତେ କଥା ଏତେ କମ୍‍ ସମୟ ମଧ୍ୟରେ ଅରୁଣା ଚିନ୍ତା କରିପାରିନଥିଲେ ସେ ହଠାତ୍‍ ନିଜ ଆଖିକୁ ବନ୍ଦ କରିଦେଲେ । ସତେ ଯେପରି ତାଙ୍କ ଉପରେ ଏକ ବଡ଼ ଚଡ଼କ ପଡ଼ିଗଲା । ସତେ ଯେପରି ତାଙ୍କୁ ଗୋଟିଏ ବିଷଧର ସର୍ପ ଦଂଶନ କରୁଛି । ସତେ ଯେପରି ହିରୋସିମା ନାଗାସାକି ଉପରେ ପରମାଣୁ ବୋମା ପଡ଼ିଯାଉଛି । ତାଙ୍କର ଏତେ ଭଲ ଚରିତ୍ର ନଷ୍ଟ ହୋଇଯାଉଛି ଏତେ ଲୋକଙ୍କ ଆଗରେ । ତାଙ୍କର ବଦନାମ ଓ କଳଙ୍କ ତାଙ୍କ ଛାତିରେ ଚିହ୍ନ ହୋଇ ରହି ଯାଇଛି ।

 

ରାକେଶ୍‍ ବାବୁ ନିଜ ହାତରେ ତାଙ୍କ ଉନ୍ନତ ଛାତିରୁ ଲୁଗା ଟେକି ବାହାର କରି ପକାଇଲେ । ସେ ଅନୁଭବ କରିପାରିଲେ ତାଙ୍କର ସୁକୋମଳ ଗଳାରେ ତାଙ୍କ ହାତର ସ୍ପର୍ଶ । ତାଙ୍କ ଗଳା ଚାରିପାଖରେ ଯେପରି ଘେରି ରହିଥିବା ସୁନା ହାରଟିକୁ ଖୁବ୍‍ କମ୍‍ ସମୟ ମଧ୍ୟରେ ବାହାର କରି ଆଣି ତାଙ୍କ ଲୁଗାକୁ ସେ ପୂର୍ବ ପରି ଛାତିରେ ପକାଇ ଘୋଡ଼ାଇ ଦେଇଥିଲେ । ସେ ହସି ହସି ହାରଟିକୁ ହାତରେ ଧରି କହିଥିଲେ, “ଆଖି ବନ୍ଦକଲ କାହିଁକି ? ଆଖି ଖୋଲ ।”

 

ଏ କ’ଣ ହେଲା ? ଆଖି ଖୋଲି ଅରୁଣା ଏସବୁ ଦେଖିଥିଲେ ସେ ଭାବିଥିଲେ ଯେ ରାକେଶ୍‍ ବାବୁ ତାଙ୍କୁ ନିଜର ବଳିଷ୍ଠ ବାହୁଦ୍ଵାରା ଛନ୍ଦିପକାଇବେ ଏବଂ ତାଙ୍କୁ ଚୁମ୍ବନ ଦେବେ । ସେଇଥିପାଇଁ ସେ ଆଖି ବନ୍ଦକରି ଦେଇଥିଲେ । କିନ୍ତୁ ସେ ତାହା କରିନଥିଲେ । ଅନ୍ୟ ପକ୍ଷରେ ତାଙ୍କର ପ୍ରିୟ ହାରଟି ଚାଲିଯାଇଛି । କାହିଁକି ଏ ହାର ରାକେଶ୍‍ ବାବୁ ତାଙ୍କ ଗଳାରୁ ବାହାର କଲେ, ସେ ଜାଣିପାରିଲେ ନାହିଁ । ଏ ହାର ତାଙ୍କର ନୁହେଁ, ସେ ତ ବହୁତ ଗରିବ ଘରର ଝିଅ । ସେ ଆଦୌ ଜାଣିନଥିଲେ ସୁନା କିପରି ଜିନିଷ । ତାଙ୍କ ନାନୀ ଧନୀଘରେ ବିଭାହେଲା । ସେହି ତା’ ଗଳାରେ ଏ ହାରଟି ବାନ୍ଧି ଦେଇଥିଲା । ଏଇଟି ତେଣୁ ତାଙ୍କର ଏକମାତ୍ର ସମ୍ପତ୍ତି ।

 

ହଠାତ୍‍ ରାକେଶ୍‍ ବାବୁ ଚାଲିଗଲେ ପେଣ୍ଡାଲ ପାଖକୁ । ସେଠାରେ ବକ୍ତାମାନେ ଏ ସଭା ଛାଡ଼ି ଚାଲିଯିବାକୁ ପ୍ରସ୍ତୁତ ହେଉଥିଲେ । ରାକେଶ୍‍ ବାବୁ ଏ ହାରଟିକୁ ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିରେ ଦେବାକୁ କହିଥିଲେ । ଅରୁଣାଙ୍କ ନାଁ ମଧ୍ୟ ଏଥିରେ ଘୋଷଣା କରାଗଲା ମାଇକ୍‍ ସାହାଯ୍ୟରେ ।

 

ଅରୁଣା ନୀରବ ରହିଲେ । ରାକେଶ୍‍ ବାବୁ ଅରୁଣାଙ୍କ ପାଖକୁ ଆସି ହସି ହସି କହିଲେ, “ମୁଁ ସୁଯୋଗ ସୃଷ୍ଟି କରାଇ ପାରିଲିନି ନାହିଁ ?”

 

ବାଧ୍ୟହୋଇ ଅରୁଣା ହସିଥିଲେ । କିନ୍ତୁ ଏହାପରେ କିଛିହେଲେ ମନ୍ତବ୍ୟ ଦେଇନଥିଲେ-। ରାକେଶ୍‍ ବାବୁ ଏହିଥିରୁ ବୁଝିପାରିଲେ ଯେ ଅରୁଣାଙ୍କ ମନରେ ଦୁଃଖ ରହିଯାଇଛି-। ତାଙ୍କର ପ୍ରକୃତରେ ବୋଧହୁଏ ଏ ହାରଟି ଦେବାକୁ ଇଚ୍ଛା ନ ଥିଲା । କିନ୍ତୁ ଏଇଟା ସତ ଯେ ଏହା କେହି କହିପାରିବେନି । ଏହାର ପ୍ରମାଣ ନାହିଁ । କାରଣ ଏ ବିଷୟରେ ଅରୁଣା କିଛି କହି ନାହାଁନ୍ତି । ସେ ନୀରବ ଓ ଗମ୍ଭୀର । ଏଇଟା ରାକେଶ୍‍ ବାବୁଙ୍କର ଅନୁମାନ ମାତ୍ର । ସବୁ ଅନୁମାନ କ’ଣ ସତ-। ତା’ପରେ ରାକେଶ୍‍ ବାବୁ ଏବଂ ଅରୁଣା ନିଜ ନିଜ ଘରକୁ ଫେରି ଯାଇଥିଲେ-। ଅରୁଣା ନିଶ୍ଚୟ ଏ କଥା ପରେ ଭାବିଥିବେ । ରାକେଶ୍‍ ବାବୁ ତାଙ୍କ ଦେହରୁ ଏମିତି ଭାବରେ ହାର ଡକାୟତି କରି ନେଇ ଯାଇଛନ୍ତି । ଯାହା ବିରୁଦ୍ଧରେ ସେ କୌଣସି ଅଦାଲତରେ ଅଭିଯୋଗ କରିପାରିବେନି କି ତାଙ୍କୁ ଏଥିପାଇଁ କୌଣସି ପୋଲିସ୍‍ ଆରେଷ୍ଟ କରିପାରିବେନି ।

 

ସଭାରେ ସମସ୍ତେ ଯେତେବେଳେ କିଛି କିଛି ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିକୁ ଦେଇଥିଲେ ଅରୁଣା ଭାବିଥିଲେ, “ମୋର କ’ଣ ବା ଅଛି ମୁଁ କ’ଣ ବା ଦେଇପାରିବି ଅନ୍ୟମାନଙ୍କ ପରି ? ମୁଁ ତ ସ୍ଵାଧୀନ ନୁହେଁ । ରାକେଶ୍‍ ବାବୁଙ୍କ ପରି ଲୋକମାନେ ଚାକିରି କରୁଛନ୍ତି ବା ବ୍ୟବସାୟ କରି ସେ ରୋଜଗାର କରୁଛନ୍ତି ବୋଲି ସିନା ହଜାର ହଜାର ଟଙ୍କା ଦେଇପାରିଲେ ।”

 

ସେ ସେହି ସମୟରେ ତାଙ୍କପାଖରୁ କିଛି ଦେବେ ବୋଲି ପ୍ରସ୍ତୁତ ହୋଇ ନ ଥିଲେ । ତେଣୁ ରାକେଶ୍‍ ବାବୁଙ୍କର ଏପରି କାମ ନିଶ୍ଚୟ ତାଙ୍କୁ ଦୁଃଖ ଦେଇଥାଇପାରେ ।

 

(୮)

 

ନୀହାରିକା ନିଜ ବୈଠକ ଘରେ ବସିଥିଲେ । ହଠାତ୍‍ ରାକେଶ୍‍ ବାବୁଙ୍କୁ ଆସୁଥିବାର ସେ ଦେଖିପାରିଲେ । ହସି ହସି ସେ ତାଙ୍କୁ ସ୍ଵାଗତ କରିଥିଲେ । ସେ ତାଙ୍କ ପାଖକୁ ଆସିବା ପରେ ନିଜ ପାଖରେ ବସାଇଲେ ।

 

ରାକେଶ୍‍ ବାବୁ ବସି କହିଲେ, “ଅରୁଣା ?”

 

“ତା’ ପାଖରେ କ’ଣ କାମ ଥିଲା ?”

 

“ହଁ ଗୋଟିଏ କାମ ଅଛି । ତାକୁ ଡକାଇଲେ ଭଲ ହେବ । ନୀହାରିକା ଶାନ୍ତାକୁ କହିଲେ ଅରୁଣାଙ୍କୁ ଡକାଇ ପଠାଇବାକୁ । ଅରୁଣା ଖୁବ୍‍ ଶୀଘ୍ର ଆସି ସେଠାରେ ପହଞ୍ଚିଲେ । ସେ ପାଖରେ ବସିବାରୁ ହସି ହସି ରକେଶ୍‍ ବାବୁ କହିଲେ ।

 

“ତୁମ ପାଖରେ ଗୋଟିଏ କାମଥିଲା । ସେଇଥିପାଇଁ ପଠାଇଥିଲି ।”

 

“କି କାମ ?”

 

ସଙ୍ଗେ ସଙ୍ଗେ ରାକେଶ୍‍ ବାବୁ ନିଜ ପକେଟ ମଧ୍ୟରୁ ଗୋଟିଏ ଛୋଟ ପ୍ଲାଷ୍ଟିକ୍‍ ଲମ୍ବା ଡବା ବାହାର କରି ତା’ ଭିତରେ ଥିବା ହାରଟିକୁ ଅରୁଣାଙ୍କୁ ଦେଇ କହିଲେ, “ତୁମକୁ ଏଇଟିକୁ ଦେବାକୁ ମୁଁ ଆସିଥିଲି ।”

 

ଅରୁଣା ସେଇଟିକୁ ଧରି କହିଲେ, “ମୁଁ ତ ବୁଝି ପାରିଲିନି ଆପଣ ଏଇଟିକୁ ମୋତେ କାହିଁକି ଦେଲେ ? ମୁଁ ତ କହିନଥିଲି ସେମିତି କିଛି, ଏଇଟି କାହାର ?”

 

“ସେଇଟି ଯାହାର ହେଉ, ତୁମେ ଏଇଟିକୁ ଗ୍ରହଣ କର ।” ନୀହାରିକା କହିଲେ “ଏଇଟିକୁ କାହିଁକି ଦେଲେ ? ମୁଁ ଜାଣିଛି, ଏସବୁ ଯେ ଆପଣ କାଲି ସଭାରେ ଅରୁଣାଠାରୁ ତା’ ହାରଟି ଆଣି ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିକୁ ଦେଇଛନ୍ତି । ଅରୁଣା ନିଜେ ଏସବୁ କହୁଥିଲା । ଦେଲେ ତ ଭଲ ହେଲା । ଏଇଟିକୁ କାହିଁକି ଅରୁଣାକୁ ଦେବେ ବୋଲି କହୁଛନ୍ତି ?”

 

ରାକେଶ୍‍ ବାବୁ ଯୁକ୍ତି କରି କହିଲେ, “ମୁଁ ସେଇଟିକୁ ତାଙ୍କଠାରୁ ଜୋର୍‍ ଜବରଦସ୍ତି କରି ନେଇଛି । ସେ ତାଙ୍କ ନିଜ ଇଚ୍ଛାରେ ଦେଇ ନାହାଁନ୍ତି । ଦେଇ ସାରିବା ପରେ ମୁଁ ଜାଣିପାରିଲି ଯେ ତାଙ୍କ ମନରେ ଦୁଃଖ ରହି ଯାଇଛି । ସେଇଥିପାଇଁ ମୁଁ ଏଇଟି ଆଣିଛି ।”

 

ଅରୁଣା କହିଲେ, “ନା ମୁଁ ଦୁଃଖ କରିନି । ଆପଣ କିପରି ଜାଣିଲେ ଯେ ମୁଁ ଦୁଃଖ କରିଛି-?”

 

“ମୁଁ ଜାଣିପାରେ ସେମିତି ।”

 

“କିପରି ?”

 

“ତୁମେ ସେ ସମୟରେ କିଛିହେଲେ କହିଲ ନାହଁ ?”

 

“ଏଇଟା ଠିକ୍‍ ଯୁକ୍ତି ନୁହେଁ ।”

 

“ତୁମର ସେଇଟା ଦେବାର ନ ଥିଲା ।”

 

“ହାରଟି ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିକୁ ଦିଆଗଲା । ଭଲ ତ ହେଲା । ଦେଶର ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ ଏଇଟାତ କିଛି ପରିମାଣରେ ସାହାଯ୍ୟ କରିପାରିବ ।”

 

“ତାହା ତୁମେ ଉପରେ ଉପରେ କହୁଛ । ଏଇଟା ଛଳନାପୂର୍ଣ୍ଣ କଥା ବୋଲି ଖୁବ୍‍ ଭଲଭାବରେ ଜଣାପଡ଼ି ଯାଉଥିଲା, ତୁମ ମନ ଭିତରେ ତୁମେ ଦୁଃଖ କରିଥିଲ ଯେ ତୁମର ଗୋଟିଏ ପ୍ରିୟ ଜିନିଷ ଚାଲିଗଲା ।”

 

“ଦେଶପାଇଁ ତ ନିଜର ଗୋଟିଏ ଗୋଟିଏ ପ୍ରିୟ ଜିନଷ ଉତ୍ସର୍ଗ କରିବା କଥା ।”

 

“ଏଇଟା ତୁମର ସ୍ଵେଚ୍ଛାକୃତ ନ ଥିଲା । ତୁମକୁ ବାଧ୍ୟ କରିବାରୁ ତୁମେ ମନା କରିପାରିନଥିଲ । ତା’ପରେ ସମସ୍ତେ ଯେତେବେଳେ କିଛି କିଛି ଟଙ୍କା ଦେଉଥିଲେ, ତୁମେ କଛି ଦେଇ ନ ଥିଲ । କାରଣ ତୁମେ ପ୍ରସ୍ତୁତ ହୋଇ ନଥିଲ ବା ତୁମ ପାଖରେ କିଛି ନ ଥିଲା ।”’

 

“ମୁଁ ଏଇଟିକୁ ପରେ ନିଶ୍ଚୟ ଦେଇଥାନ୍ତି । ତା’ପରେ ମୁଁ ତ ଆପଣଙ୍କ ପରି ରୋଜଗାର କରୁନାହିଁ ଯେ ଏଥିପାଇଁ ସଞ୍ଚୟ କରି କିଛି ରଖିଥାନ୍ତି ।”

 

“ହେଉ ଥାଉ । ତୁମେ ଏତେ ଯୁକ୍ତି କରନା ।

 

“ଆପଣ ଏ ହାର ନେଇ ଯାଆନ୍ତୁ ।”

 

“ଆଚ୍ଛା ତୁମେ ଯଦି ନିଜ ହାର ଚାଲିଯାଇଥିବାରୁ ପ୍ରକୃତ ଦୁଃଖିତା ନୁହଁ, ତାହାହେଲେ ଏଇଟିକୁ ମୋର ସାମାନ୍ୟ ଉପହାର ବୋଲି ଭାବି ଗ୍ରହଣ କର ।”

 

“ନା, କିନ୍ତୁ କାହିଁକି ?”

 

ନୀହାରିକା କହିଲେ, “ଆପଣ ନିଜ ହାରଟି ଆଣି ଅରୁଣାକୁ ଦେବାଟା ଠିକ୍‍ ହେବନି । ଅରୁଣାର ତ କିଛି ସେମିତି ଦରକାର ନାହିଁ । ଭାରତକୁ ଚୀନ୍‍ ଆକ୍ରମଣ କରୁଛି । ଦେଶ ବିପଦରେ ପଡ଼ିଛି । ତେଣୁ ଆପଣ ଦଶ ହଜାର ଟଙ୍କା ଦେଲେ; କିନ୍ତୁ ଅରୁଣାକୁ କିଏ ଆକ୍ରମଣ କରୁଛି ? ସେ ତ ବିପଦରେ ପଡ଼ିନାହିଁ ।” ସମସ୍ତେ ହସିଉଠିଲେ ।

 

“ମୁଁ ଥାଉ ଥାଉ ଅରୁଣାଙ୍କୁ କେହି ଆକ୍ରମଣ କରିପାରିବେନି । ତାଙ୍କର କିଛି ବିପଦ ନାହିଁ-।”

 

“କିନ୍ତୁ ଆପଣ ହାରଟା ଦେଇ ବହୁତ କ୍ଷତିରେ ପଡ଼ିବେ ।”

 

“ନା, ନା କିଛି କ୍ଷତି ନାହିଁ, ମୁ ତ ଏଇଟାକୁ ଉପହାର ବୋଲି କହିସାରିଛି । ପ୍ରେଜେଣ୍ଟେସନ୍‍ ।” ହସି ହସି କହିଲେ ରାକେଶ୍‍ ବାବୁ “ହଉ ରଖ ଅରୁଣା ।”

 

“ନା ନାନୀ, ସେ ହଇରାଣରେ ପଡ଼ିବେ ।’’

 

“କିଛି ହଇରାଣ ନାହିଁ ।” ରାକେଶ୍‍ ବାବୁ କହିଲେ ।

 

ଅରୁଣା କେବଳ କହିଲେ, “ଥାଙ୍କ୍‍ ୟୁ ।”

 

ନୀହାରିକା ତାଙ୍କ ହାତରୁ ହାରଟିକୁ ଆଣି ପରୀକ୍ଷା କରି କହିଲେ, “ଜଣାପଡ଼ୁଛି ଏଇଟା ଅର୍ଚ୍ଚିଡ଼୍‍ଙ୍କର ।”

 

“ହେଲା ତ କ’ଣ ହେଲା ?”

 

“ଆପଣ ତାଙ୍କଟା କାହିଁକି ଅରୁଣାକୁ ଦେଉଛନ୍ତି ?”

 

“ଅର୍ଚ୍ଚିଡ଼୍‍ ତ ଯେଉଁ ହାରପ୍ରିୟ ଆପଣ ଜାଣନ୍ତି । ସେ ଯେତେବେଳେ ଭାରତୀୟ ପୋଷାକ ପିନ୍ଧନ୍ତି, ଏ ହାରଟି ପିନ୍ଧିବାକୁ ମୁଁ ଦେଇଥିଲି; କିନ୍ତୁ ସେ ତ ଆଉ କାହାକୁ ମାନୁ ନାହାଁନ୍ତି । ସେ ଆଉ ଭାରତରେ କ’ଣ ଅଛନ୍ତି ? ତାଙ୍କ ଦେହଟା ଯଦି ଭାରତରେ ଅଛି, ତାଙ୍କ ମନଟା ଦିବାରାତି ଚବିଶଘଣ୍ଟା ଫରେନରେ ବୁଲୁଛି । ଏଥର ସେ ଥରେହେଲେ ଶାଢ଼ି ଆଦି ପିନ୍ଧୁ ନାହାଁନ୍ତି । ଦିବାରାତି ଚବିଶ ଘଣ୍ଟା ଫରେନ୍‍ ଡ୍ରେସ୍‍ ।”

 

“ତାଙ୍କ ହାରଟା ଦେବା ଠିକ୍‍ ହେଲାନି ।”

 

“ବହୁତ ଠିକ୍‍ ହୋଇଛି । ସେ ପୁଣି କ’ଣ ହାର ପିନ୍ଧିବ ?

 

“ସେ ଫରେନ୍‍ ଝିଅ ବୋଲି କ’ଣ ମଣିଷ ନୁହନ୍ତି ?”

 

“ବାସ୍ତବିକ୍ ସେ ମଣିଷ ନୁହନ୍ତି । ସେ ଜଣେ ରକ୍ଷାସୁଣୀ । ସେ ହାରର ମର୍ଯ୍ୟାଦା କ’ଣ ବୁଝିବ ? ମାଙ୍କଡ଼ ହାତରେ ଶାଳଗ୍ରାମ ପଡ଼ିଲେ ତାକୁ ଗନ୍ଧାଏ । ମୁଁ ତ ପ୍ରେଜେଣ୍ଟେସନ୍‍ ବୋଲି କହିସାରିଛି, ନିଜ ସ୍ତ୍ରୀର ହାର ବୋଲି କ’ଣ ତାକୁ ଅନ୍ୟକୁ ଉପହାର ଦିଆଯାଇ ପାରିବନି ନା ଭାଙ୍ଗି ନୂଆ ମଡ଼େଲରେ ତିଆରି କରାଯାଇ ପାରିବନି ?”

 

ତା’ପରେ ନୀରବତା, ଅରୁଣା ହାରଟିକୁ ରଖିବାକୁ ବାଧ୍ୟ ହୋଇଥିଲେ ।

 

ନୀରବତା ଭଙ୍ଗକରି ନୀହାରିକା କହିଲେ, “ଇଏ ସେମିତି କହୁଥିଲେ ଲକ୍ଷେ ଟଙ୍କା ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିରେ ଦେବାକୁ ।”

 

“ମୋଟେ ଲକ୍ଷେ ଟଙ୍କା ।”

 

“ଆଉ କେତେ ଦିଆଯାଇଥାନ୍ତା ?”

 

“ଆମପରି ଗରିବ ଲୋକ ଦଶ ହଜାର ଦେଇପାରିଲା, ତୁମେ ଜଣେ କୋଟିପତି । ତୁମେ ଦଶ ଲକ୍ଷ ଟଙ୍କା ଦେବା କଥା ।” ସେପରି ସ୍ଥାନରେ ଲକ୍ଷେ ଟଙ୍କା ଦେବ ।’’

 

“କୁଆଡ଼େ ଏତେ ଦେଇହେବ ? ସେ ଅଧିକ ଦେବାକୁ ଆଦୌ ରାଜି ନୁହନ୍ତି । ତାଙ୍କଠାରୁ ତ ବଡ଼ ବଡ଼ ଧନୀଲୋକ ଅଛନ୍ତି । ସେମାନେ କିଛି ଦେଉନାହାଁନ୍ତି ।’’

 

“ସେମାନଙ୍କ କଥା କାହିଁକି ପଡ଼ିଛି ? ସେମାନଙ୍କ ହୃଦୟ ପଥରରେ ତିଆରି । ସେମାନେ ଦେଶପ୍ରେମର ଅର୍ଥ କ’ଣ ବୁଝିବେ ।

 

ଅନେକ ସମୟ ପର୍ଯ୍ୟନ୍ତ ରାକେଶ୍‍ ବାବୁଙ୍କ ସହିତ ନୀହାରିକା ବସି କଥାବାର୍ତ୍ତା ହୋଇଥିଲେ । ତା’ପରେ ସେ ନିଜ ଘରକୁ ଚାଲିଯାଇଥିଲେ ।

 

ରାକେଶ୍‍ ବାବୁ ଚାଲଯିବା ପରେ ଅରୁଣା ନିଜ ରୁମ୍‌କୁ ଯାଇଥିଲେ । ସେ ଏଠାରେ ଏ ହାରଟିକୁ ପରୀକ୍ଷା କଲେ । ବେଶ୍ ସୁନ୍ଦର ହାରଟିଏ । ପୂର୍ବ ହାରଠାରୁ ଅଧିକ ସୁନ୍ଦର । ନିଶ୍ଚୟ ଅଧିକ ଦାମିକା । ସୁନ୍ଦର ସୁନ୍ଦର ରଙ୍ଗିନ୍‍ ପଥର ବସି ଏହାକୁ ଅଧିକ ଆକର୍ଷଣୀୟ କରାଯାଇଛି । ଯେ ଏ ହାରକୁ ତିଆରି କରିଛି ସେ ବହୁତ ମୁଣ୍ଡ ଖର୍ଚ୍ଚ କରିଛି ।

 

ସେ ହାରଟିକୁ ଉପରକୁ ଟେକିଲେ, ନିଜ ଓଠ ପାଖକୁ ଅଣିଲେ । ସେ ହାରଟିକୁ ଚୁମ୍ବନ ଦେଇ ରାକେଶ୍‍ ବାବୁଙ୍କ କଥା ଭାବିବାକୁ ଲାଗିଲେ । ରାକେଶ୍‍ ବାବୁ ବହୁତ ଭଲଲୋକ, ସେ ଖୁବ୍‍ ସୁନ୍ଦର । ସେ ଉଚ୍ଚ ଶିକ୍ଷିତ । ତାଙ୍କ ବ୍ୟବହାର ଉଚ୍ଚକୋଟୀର । ଏ ହାରରେ ତାଙ୍କ ହାତ ବାଜିଛି । ଏ ହାର ତାଙ୍କ ସ୍ତ୍ରୀର । କିନ୍ତୁ ଅରୁଣା ତାଙ୍କ ସ୍ତ୍ରୀ ନୁହନ୍ତି ।

 

ତା’ପରେ ତାଙ୍କର ମନେପଡ଼ିଲା ପୂର୍ବଦିନର ଘଟଣା । ସେ ସଭାକୁ ଯାଉଥିଲେ । ସେ ରାକେଶ୍‍ ବାବୁଙ୍କର କଥାରେ ପ୍ରୋମିସ୍‍ କରିଥିଲେ । ସେ ତାକୁ ଏମ୍ବ୍ରାସ୍‍ କରିବାକୁ ଜିଦ୍‍ ଧରିଥିଲେ । ସେ ଆଖି ବନ୍ଦ କରିଥିଲେ । ସେ ନିଜ ହାତରେ ତାଙ୍କ ବ୍ଲାଉଜ୍‍ ଉପରେ ପଡ଼ିଥିବା ଲୁଗାକୁ ଟେକିଥିଲେ । ତାଙ୍କ ହାତ ତାଙ୍କ ଗଳାରେ ବାଜିଥିଲା । ଏକଥା ଭାବି ଭାବି, ସେ ଅଧିକ ଉତ୍ତେଜିତ ହୋଇପଡ଼ିଲେ । ତା’ପରେ ତାଙ୍କର ଆଉ ଦିନକର ଘଟଣା ମନେପଡ଼ିଗଲା । ସେଦିନ ସେ ରାକେଶ୍‍ ବାବୁଙ୍କ ସହିତ କଲେଜ ବିଷୟରେ କଥା ହେଉଥିଲେ । ଗୋଟିଏ ଅସଭ୍ୟ ପିଲା କ୍ଲାସରେ କିପରି ସାର୍‌ଙ୍କୁ ଅପମାନ ଦେବାକୁ ପରିସ୍ରା କରିଥିଲା । ସେହି ବିଷୟରେ ଆଲୋଚନା ହେଉଥିଲା, ରାକେଶ୍‍ ବାବୁ କହିଥିଲେ,......ତୁମେ ଯଦି ଷ୍ଟୁଡ଼େଣ୍ଟ୍‍ ହୁଅ ଓ ମୁଁ ତୁମର କ୍ଲାସ୍‍ ନେଉଥାନ୍ତି ଏବଂ ତୁମେ ସେ ପିଲା ପରି ଜିଦ୍‍ କରନ୍ତ ଏବଂ ମୁଁ ମଧ୍ୟ ଜିଦ୍‍ କରନ୍ତି, ତୁମେ କ’ଣ ସେ ପିଲାପରି କ୍ଲାସରେ ପରିସ୍ରା କରିପାରନ୍ତ ?” ଠିକ୍‍ ଏହି ସମୟରେ ଏହି ଦୃଶ୍ୟର ବାସ୍ତବତା ତାଙ୍କ ଆଖି ଆଗରେ ନାଚି ଉଠିଲା । ହଠାତ୍‍ ତାଙ୍କର ମନେପଡ଼ିଗଲା ଯେ ରାକେଶ୍‍ ବାବୁ ଜଣେ ବିବାହିତ ପୁରୁଷ, ତାଙ୍କ ମନ ମଧ୍ୟରେ ଦୁଃଖ ପ୍ରବେଶ କଲା । ସେ ହାରଟିକୁ ନିଜ ବେକରେ ଲଗାଇ ଆଇନା ଆଗକୁ ଗଲେ । ଖୁବ୍‍ ଭଲ ମାନୁଛି । ତା’ପରେ କ’ଣ ଭାବି ପୁଣି ସେଇଟିକୁ ବେକରୁ କାଢ଼ି ଡବାରେ ରଖିଦେଲେ ।

 

(୯)

 

ଆଜି ରାକେଶ୍‍ ବାବୁ ଅନୁପ ବାବୁଙ୍କ ଘରକୁ ଆସିଛନ୍ତି । ସେ ବୈଠକ ଘରେ ପହଞ୍ଚିଲା ବେଳକୁ ସେଠାରେ ଏକା ଏକା ବସି ମାଗାଜିନ୍‍ ପଢ଼ୁଥିଲେ ଅରୁଣା ।

 

ଅରୁଣା ତାଙ୍କୁ ହସି ହସି ସ୍ଵାଗତ କରିଥିଲେ । ସେ ଅରୁଣାଙ୍କ ପାଖରେ ବସିଥିଲେ ।

 

କିଛି ସମୟ ପରେ ଅରୁଣା ସାହସ କରି କହିଥିଲେ, ‘‘ଆପଣ ଆସିଲେ ଭଲ ହେଲା । ମୁଁ ଆପଣଙ୍କୁ ଖୋଜୁଥିଲି ।”

 

“କାହିଁକ ?”

 

“ଆପଣ ଟିକିଏ ଆସନ୍ତୁ ।”

 

“କୁଆଡ଼େ ?”

 

ଏହାପରେ ଅରୁଣା ତାଙ୍କୁ ଡାକି ଆଣି ନିଜ ରୁମ୍‌କୁ ନେଇଗଲେ । ତାଙ୍କ ପଛେ ପଛେ ବୁଝି ନ ପାରି ରାକେଶ୍‍ ବାବୁ ସେଠାକୁ ଯାଇଥିଲେ । ତାଙ୍କ ଛଡ଼ା ସେଠାରେ କେହି ନ ଥିଲେ । ସେ କହିଲେ, “ଏଠାକୁ କାହିଁକି ଡକାଇଲେ ?”

 

“ଏଠାରେ କାମ ଥିଲା ।”

 

“କି କାମ ଥିଲା ?”

 

“ମୁଁ ଏଠାରେ ଆପଣଙ୍କୁ ଗୋଟିଏ କଥା କହିବି ।”

 

“କି କଥା ?”

 

“ଆପଣ ରଖିବେ ତ ?”

 

“ନିଶ୍ଚୟ ।”

 

“ପ୍ରୋମିସ୍‍ ।”

 

ଦୁହେଁ ହସି ହସି ହାତ ମିଳାଇଲେ । ରାକେଶ୍‍ ବାବୁଙ୍କର ସେଦିନର କଥା ମନେପଡ଼ିଗଲା । ଯେଉଁ ଦିନ ସେ ଅରୁଣାଙ୍କୁ ପ୍ରୋମିସ୍‍ କରାଇଥିଲେ ସଭା ଭିତରେ । ତା’ପରେ ସେ ତାଙ୍କ ଗଳାରୁ ବାହାର କରି ନେଇଥିଲେ ତାଙ୍କ ସୁନାହାରଟି । ଅରୁଣା କହିଲେ, “ଆପଣ ଏଥର ପ୍ରୋମିସ୍‍ କରି ସାରିଲେ ଆଉ କଥା ଭଙ୍ଗିବେନି ।”

 

“ନା, ମୁଁ ସେମିତି ଲୋକ ନୁହେଁ ତୁମପରି ।”

 

“ଠିକ୍‍ ଅଛି ।”

 

“କୁହ ।”

 

“ତା’ପରେ ଅରୁଣା ସେହି ଛୋଟ ପ୍ଲାଷ୍ଟିକ୍‍ ଡବାଟି ବାହାର କରି ସେଥିରେ ଥିବା ହାରଟିକୁ ବାହାରକୁ ଆଣି ରାକେଶ୍‍ ବାବୁଙ୍କୁ ଧରାଇଦେଇ କହିଲେ, ‘‘ଆପଣଙ୍କୁ ଗୋଟିଏ କଥା କହିବାକୁ ଭୁଲି ଯାଇଥିଲି, ଆପଣ ଏ ହାରଟି ମୋତେ ଦେଇଛନ୍ତି, କିନ୍ତୁ ଲଗାଇ ଦେଇ ନାହାଁନ୍ତି ମୋ ବେକର । ଆପଣ ସେଦିନ କିନ୍ତୁ ମୋ ବେକରୁ ହାରଟି କାଢ଼ି ନେଇଥିଲେ ଏମ୍ବ୍ରାସ୍‍ କରିବା ନାଁରେ ।”

 

ହସି ହସି ରାକେଶ୍‍ ବାବୁ କହିଲେ, ‘‘ହଁ ମୁଁ ଲଗାଇ ଦେବି । ମୋ ପାଖକୁ ଆସ ।”

 

ଅରୁଣା ତାଙ୍କର ବହୁତ ପାଖକୁ ଚାଲିଆସିଲେ । ରାକେଶ୍‍ ବାବୁ ତାଙ୍କ ପୂରିଲା ପୂରିଲା ଉନ୍ନତ ଛାତିରୁ ସମ୍ପୂର୍ଣ୍ଣଭାବରେ ଲୁଗା କାଢ଼ିଦେଲେ । କେବଳ ବ୍ଲାଉଜ୍‍ଟି ଥାଏ । ସେ ତାଙ୍କ ପିଠି ପଟକୁ ଏଥର ବୁଲିପଡ଼ିଲେ । ନିଜ ବାଁ ହାତରେ ହାରଟିକୁ ଧରି ସେ ଡାହାଣ ହାତରେ ତଳକୁ ଝୁଲି ପଡ଼ିଥିବା ତାଙ୍କର ଲମ୍ବା ସୁନ୍ଦର ବେଣୀକୁ ଉପରକୁ ଉଠାଇ ତାଙ୍କ ବେକର ପଛପଟକୁ ଚୁମ୍ବନ ଦେଲେ ।

 

ତା’ପରେ ସେ ହାରଟିକୁ ବେକ ଚାରିପାଖରେ ବୁଲାଇ ବାନ୍ଧିଦେଲେ ।

 

ତା’ପରେ ସେ ତାଙ୍କ ଆଗପାଖକୁ ଆସିଲେ, ତା’ପରେ ସେ ଅରୁଣାଙ୍କ ମୁହଁକୁ ଚାହିଁଲେ-। ଅରୁଣା ତଳକୁ ମୁହଁ ପୋତିଲେ ଲଜ୍ଜାରେ । ତା’ପରେ ସେ ଲଜ୍ଜାକୁ ଠେଲି ଉପରକୁ ମୁହଁ ଉଠାଇ ରାକେଶ୍‍ ବାବୁଙ୍କୁ ଚାହିଁଲେ । ରାକେଶ୍‍ ବାବୁ କହିଲେ ।

 

‘‘ତୁମେ ବହୁତ ସୁନ୍ଦର ।”

 

“ଆପଣ ମଧ୍ୟ ।”

 

“ମୁଁ ଯଦି ସେହି ଚାଇନିଜ୍‍ ରାକ୍ଷାସୁଣୀକୁ ବିଭା ହୋଇନଥାନ୍ତି, ତୁମକୁ ନିଶ୍ଚୟ ବିଭା ହୋଇଥାନ୍ତି ।”

 

ଅରୁଣାଙ୍କ ଆଖି ଛଳଛଳ ହୋଇଆସିଲା ।

 

ତା’ପରେ ରାକେଶ୍‍ ବାବୁ ଅରୁଣାଙ୍କୁ ନିଜବାହୁ ମଧ୍ୟରେ ଛନ୍ଦିପକାଇଲେ, ଦୁଇଜଣଯାକଙ୍କ ଛାତିର ମାଂସ ଏକାଠି ଚାପି ହୋଇଗଲା । ଅରୁଣା ତାଙ୍କୁ କୁଣ୍ଢାଇ ପକାଇଲେ । ସଙ୍ଗେ ସଙ୍ଗେ ରାକେଶ୍‍ ବାବୁ ନିଜ ହାତକୁ ମୁକ୍ତ କରି କହିଲେ ।

 

“ଆଚ୍ଛା, ମୁଁ ଆସିଥିଲି ଅନୁପ ବାବୁଙ୍କ ପାଖକୁ । ସେ ଅଛନ୍ତି କି ନା ମୁଁ ଜାଣିନି । ଆମେ ପରେ କଥା ହେବା ।”

 

“ଆପଣ ଏତେ ଶୀଘ୍ର ମୋତେ ଏକା ଛାଡ଼ି ଚାଲି ଯାଆନ୍ତୁନି । ଏତେ ନିଷ୍ଠୁର ହୁଅନ୍ତୁନି ।’’

 

“ମୁଁ ପରେ ଆସିବି ।”

 

“ଆପଣ ନିଶ୍ଚୟ ଆସିବେ ।”

 

“ନିଶ୍ଚୟ ।”

 

ତା’ପରେ ରାକେଶ୍‍ ବାବୁ ଅରୁଣାଙ୍କ ରୁମ୍‌ରୁ ଚାଲିଗଲେ ବାହାରକୁ । ଅରୁଣାଙ୍କ ମନରେ ଦୁଃଖ ରହିଗଲା । ଯାହାହେଉ ସେ ଭାବୁଛନ୍ତି ଯେ ତାଙ୍କ ଜୀବନରେ ଆଜିଠାରୁ କିଛି ଗୋଟାଏ ନୂଆ ଜିନିଷର ଆରମ୍ଭ ହୋଇଛି ।

 

(୧୦)

 

ଅରୁଣା ବାଥ୍‌ରୁମ୍‌ରୁ ଫେରୁଥିଲେ । ନୀହାରିକା ତାଙ୍କୁ ଦେଖି କହିଲେ, ‘‘ତୁ ଏପର୍ଯ୍ୟନ୍ତ ଗାଧେଇ ସାରି ନ ଥିଲୁ । କ୍ଲାସ୍‍କୁ ଯିବୁ କେତେବେଳେ । କାଲି ପରା କହୁଥିଲୁ ଯେ ମର୍ନିଂ କ୍ଲାସ୍‍ ହେବ ବୋଲି । ସାଢ଼େ ଛଅ ହେଲାଣି ।”

 

“ନାନୀ, ତୁ ଯେ ମୋତେ ସବୁଦିନ କାହିଁକି ଘରୁ ତଡ଼ିଦେଉ କ୍ଲାସ୍‍ ଟାଇମରେ ?”

 

“ତୋରି ଭଲପାଇଁ ତଡ଼ିଦିଏ । ତୁ କାହୁଁ ବୁଝିବୁ କାହିଁକି ମୁଁ ତଡ଼ିଦିଏ । ମୁଁ ଚାହେଁ ତୁ ଦିନେହେଲେ କ୍ଲାସ୍‍ ଚାଲିଥିବା ସମୟରେ ଛୁଟି ନେଇ ଘରେ ନ ବସ । ମୁଁ ଚାହେଁ ତୋ ଦେହ ସବୁବେଳେ ଭଲ ରହୁ ଯେପରି ତୋର ପଢ଼ା ପାଇଁ କିଛି ପ୍ରତିବନ୍ଧକ ସୃଷ୍ଟି ନ ହୁଏ । ମୁଁ ଚାହେଁ ତୁ ଠିକ୍‍ ସମୟରେ ସବୁଦିନ କ୍ଲାସରେ ପହଞ୍ଚି ଯେପରି ଗୋଟିଏ ମିନଟ୍‍ କ୍ଲାସ୍‍ ତୋ’ପାଇଁ ଚାଲି ନ ଯାଉ । ମୁଁ ତୋତେ କ୍ଲାସ୍‍କୁ ପଠାଇବିନି ତ ଆଉ କିଏ ପଠାଇବ ? ତୋ’ପାଇଁ ଏ ଦୁନିଆରେ ସାହାଯ୍ୟ କରିବାକୁ କିଏ ଅଛି ? ତୁ ବହୁତ ହତଭାଗିନୀ । ମୁଁ ସେଇଥିପାଇଁ ତୋ’ପାଇଁ ସଦାବେଳେ କାନ୍ଦେ ଏହା କହି ତାଙ୍କ ଆଖି ଛଳଛଳ ହୋଇଗଲା ।’’

 

“ତୁ ଏତେ କାନ୍ଦନା ନାନୀ । ମୁଁ ଜାଣ ମୁଁ କେତେ ଅଭାଗିନୀ ଝିଅ, ଆମେ ଦୁହେଁ ଦିନେ ବହୁତ ଅଭାଗିନୀ ଥଲେ ।”

 

“ତୋରି ଦାୟିତ୍ଵ ଏକା ମୋ ଉପରେ । ଆଉ କେତୁଟା ବର୍ଷ ବା ତୁ ପାଠ ପଢ଼ିବୁ ? ଆଉ ବଡ଼ହେଲେ ଚାରି ପାଞ୍ଚ ବର୍ଷ । ତୁ ଦି’ଅକ୍ଷର ପଢ଼ି ମଣିଷ ହୁଅ ଏକଥା ମୁଁ ଚାହେଁ । ତୋ’ପାଇଁ ଏଇ ଚାରି ପାଞ୍ଚ ବର୍ଷ ବହୁତ ମୂଲ୍ୟବାନ ସମୟ ତୁ ସେକଥା ବୁଝି ପାରୁନା । ମୁଁ ଖାମ୍‌ଖିଆଲ ହୋଇ ଏ କଥାକୁ ଦୃଷ୍ଟି ନ ଦେଇ ଚଳୁ । ତୋର ଏହି ସମୟରୁ ଯେପରି ଦିନେହେଲେ ବି ନଷ୍ଟ ନ ହେଉ, ଏଇଆ ମୁଁ ଚାହେଁ । ଏଇ ଚାରି ପାଞ୍ଚ ବର୍ଷ ଗଲାପରେ ତୁ ଯେତେ ଖୁସିରେ ମନଇଚ୍ଛା ଚଳ ସେଥିରେ ଯାଏ ଆସେନା ।”

 

“ହଁ, ନାନୀ ମୁଁ ଆଜିଠାରୁ ନିଶ୍ଚୟ ମନଦେଇ ପାଠ ପଢ଼ିବି, କ୍ଲାସରେ ସାର୍‌ମାନଙ୍କ କଥା ମନଦେଇ ଶୁଣିବି । ଗୋଟିଏ ହେଲେ କ୍ଲାସ୍‍ ମିସ୍‍ କରିବି ନାହିଁ । ଗୋଟିଏ ହେଲେ ମିନିଟ୍‍ ଲେଟ୍‍ କରି ଯିବିନି । ତୁ ଏଥିପାଇଁ ସାହାଯ୍ୟ କରୁଥିବା ବା ଖଟାଉଥିବା ଟଙ୍କାର ପ୍ରତ୍ୟେକଟି ପଇସାର ସଦ୍-ବିନିଯୋଗ କରିବି । ଗୋଟିଏ ହେଲେ କ୍ଷତିରେ ପଡ଼ିବନି ।”

 

“ତୋ ପାଠ ପଢ଼ିବା ପାଇଁ ଯାହା ଦରକାର ସବୁ ମୁଁ ଦେବି । ଯେତେ ପଇସା ଦରକାର ମୁଁ ଯୋଗାଇ ଦେବି; କିନ୍ତୁ ତୁ କାହିଁକି ଭଲ ପଢ଼ୁନୁ ହେଲେ କୁହନ୍ତୁ କ’ଣ ଅସୁବିଧା ହେଉଛି । କେଉଁପାଠ ତୁ ବୁଝି ପାରୁନୁ ? କେଉଁଟା ତୋତେ ଅଧିକ କଷ୍ଟ ଜଣାପଡ଼ୁଛି । ହେଲେ କୁହନ୍ତୁ କେଉଁ ସାର୍‍ ଭଲ ପଢ଼ାଉଛନ୍ତି, ତାଙ୍କୁ ଇଏ କହିଲେ ଯେମିତି ସେ ଏଠାକୁ ସବୁଦିନ ଘଡ଼ିଏ ଘଡ଼ିଏ ତୋତେ ଟ୍ୟୁସନ୍‍ କରିବାକୁ ଆସନ୍ତେ ।

 

ସେ ଏଥିପାଇଁ ଯେତେ ଟଙ୍କା ଚାହିଁବେ ଦିଆଯିବ । ତୁ ଯେତେଜଣ ସାର୍‌ଙ୍କୁ ଚାହୁଁ ପ୍ରତି ବିଷୟ ପାଇଁ, ଆମେ ସେତେ ଜଣଙ୍କୁ ତୋଷାମଦ୍‍ କରିବାକୁ ମଧ୍ୟ ପଛାଇବୁନି । ତୋତେ ଏତେ ସୁଯୋଗ ମିଳୁଥିଲେ ମଧ୍ୟ ତୁ ବୋକାଙ୍କ ପରି କିଛି ବୁଝି ପାରୁନୁ ।”

 

“ନାନୀ, ମୋତେ ଟ୍ୟୁସନ୍‍ କରିବା ବିଲ୍‍କୁଲ୍‍ ଦରକାର ନାହିଁ । ମୁଁ ସେହିପରି ପଢ଼ିବି । ଆଜିଠାରୁ ଭଲ ପଢ଼ିବି । ମୋ’ପାଇଁ କୌଣସି ପାଠ ଭିଡ଼ ନୁହେଁ । ମୁଁ ଚେଷ୍ଟା କରିବି, ତୁ ଯାହା ଚାହୁଁ ସେଇଆ ହେବାକୁ । ମୁଁ ଯଦି ଟ୍ୟୁସନ୍‍ ହେବି ଲୋକେ କ’ଣ ଭାବିବେ ?”

 

“କ'ଣ ଭାବିବେ ?”

 

“ଦିନେ ଆମେ କେତେ ଗରିବ ନ ଥିଲେ ।”

 

“ଥିଲେ ତ କ’ଣ ହେଲା ? ଆଜି ତ ନାହେଁ ।”

 

“ଆମେ ଯଦି ସେମିତି ଥାନ୍ତେ, ଆଚ୍ଛା ତୁ ଦେଖି ଭାବିଲୁ, ମୁଁ କ’ଣ କଲେଜରେ ପାଦ ପକାଇ ପାରିଥାନ୍ତି ?”

 

‘‘ତୁ ସେ କଥା ଜମା ଭାବି ପାରିବୁନି ।”

 

“ଏଥିରେ ମୁଁ କଲେଜରେ ପଢ଼ିବାର ସୁଯୋଗ ପାଇ ମଧ୍ୟ ଯଦି ଦେଖାଇ ହୁଏ ସମସ୍ତଙ୍କ ଆଗରେ ।”

 

‘‘କ’ଣ ଦେଖାଇ ହେବୁ ?”

 

“ଦଶଜଣ ମାଷ୍ଟ୍ର ଆମ ଘରକୁ ମୋତେ ଖାଲି ଟ୍ୟୁସନ୍‍ କରିବାକୁ ଆସୁଛନ୍ତି ।”

 

“କ’ଣ ହେଲା ? ଆମେ ପାଠ ବୁଝିପାରୁନୁ, ସେଥିପାଇଁ ଆସୁଛନ୍ତି ଆମକୁ ପଢ଼ାଇ ଦେବାକୁ । ଆମକୁ ସାହାଯ୍ୟ କରିବାକୁ ।”

 

“ଲୋକେ ହସିବେ ।’’

 

“ତୋର ସେଇଟା ଭୁଲ୍‍ ଧାରଣା । ଅତୀତକୁ ଆମେ ଭୁଲିଯିବା ଦରକାର, ନଚେତ୍‍ ଆମେ କିପରି ଆଗେଇବା ? ସେମିତି ହେଲେ ଆମେ ବହୁତ ପଛରେ ପଡ଼ିଯିବା । ସମସ୍ତେ ଆମକୁ ଠେଲି ଆଗକୁ ଚାଲିଯିବେ ବହୁତ । ଆମକୁ ଦିଆଯାଇଥିବା ସୁବିଧା ସୁଯୋଗରୁ ସେଣ୍ଟ୍‍ ପରସେଣ୍ଟ୍‍ କାହିଁକି ଆମେ ବିନିଯୋଗ ନ କରିବା ? ଆମେ ତ କିଛି ଖରାପ କାମରେ ଟଙ୍କା ବିନିଯୋଗ କରୁନେ ।”

 

‘‘ନା ନାନୀ ଥାଉ । ଟ୍ୟୁସନ୍‍ ହେବାକୁ ମୋତେ ଭଲ ଲଗେନା ।”

 

“ତୁ କେଉଁଦିନ ମଣିଷ ହେବୁ ? ତୁ କେଉଁଦିନ ନିଜ ଗୋଡ଼ରେ ଛିଡ଼ାହେବୁ । ଏକା ଭଗବାନ ଜାଣନ୍ତି ।”

 

‘‘ନାନୀ ତୁ ମୋ’ପାଇଁ ଏତେ ଅଧିକ ଚିନ୍ତା କରନା ।”

 

“ତୁ ପାଠ ଦି’ଅକ୍ଷର ପଢ଼ି ସାରିଲେ ତୋତେ ମୁଁ ହାତକୁ ଦି’ହାତ କରାଇ ଦେବି । ମୋ ଦାୟିତ୍ଵ ତେଣିକି ଆଉ ନାହିଁ ।”

 

“ନାନୀ ମୋତେ ଏକଥା କହନି ।”

 

“ହଉ ତୁ ଶୀଘ୍ର କ୍ଲାସ୍‍କୁ ଚାଲିଯା । ଗୋଟିଏ ମିନଟ୍‍ ବିଳମ୍ବ କରନା ।”

 

ଅରୁଣା ନିଜ ରୁମ୍‌କୁ ଡ୍ରେସ୍‍ ପିନ୍ଧିବାକୁ ଚାଲିଗଲେ । ପ୍ରାୟ କୋଡ଼ିଏ ମିନଟ୍‍ ମଧ୍ୟରେ ସେ ବହିପତ୍ର ଧରି କ୍ଲାସ୍‍କୁ ଯିବାକୁ ପ୍ରସ୍ତୁତ ହୋଇଗଲେ । ନୀହାରିକା ତାଙ୍କୁ ଏଥିରେ ବହୁତ ସାହାଯ୍ୟ କରିଥିଲେ । ତାଙ୍କ ରୁଟିନରେ ବହି ସଜାଡ଼ି ଦେଇଥିଲେ । କଲମରେ ସ୍ୟାହି ପକାଇ ଦେଇଥିଲେ । ତାଙ୍କ ପାଖକୁ ଟିଫିନ୍ ଆଣି ଦେଇଥିଲେ । ତାଙ୍କୁ ଦୁଆର ପର୍ଯ୍ୟନ୍ତ ଛାଡ଼ି ଯାଉଥିଲେ ଏବଂ କହିଥିଲେ, ‘‘ଜମା ଡେରି କରିବୁନି । କ୍ଲାସ୍‍ ସରିବା ପରେ ସାଙ୍ଗେ ସାଙ୍ଗେ ଚାଲି ଆସିବୁ ।”

 

“ହଁ ନାନୀ” ଏହା କହି ସେ କ୍ଲାସ୍‍କୁ ଚାଲି ଯାଇଥିଲେ । ନୀହାରିକା ନିଜ ରୁମ୍‌କୁ ଫେରି ଯାଇଥିଲେ ।

 

କିରଣ ଏବଂ ହୀରା ନିଦରୁ ଉଠି ନାହାଁନ୍ତି । ତାଙ୍କୁ ଉଠାଇବାକୁ ପଡ଼ିବ । ଘରେ ଅନୁପ ବାବୁ ନାହାଁନ୍ତି । ବାବୁ ଯାଇଛନ୍ତି କାଲିଠାରୁ ଜିପ୍‍ ଧରି ପ୍ରୋଗ୍ରାମରେ । ଶିକାର ପ୍ରୋଗ୍ରାମ୍‍ ଶେଷ ହୋଇନି । ସେ ମଧ୍ୟ ଯେକୌଣସି ସମୟରେ ପହଞ୍ଚିବେ । ଶାନ୍ତା ଘର କାମ କରୁଥାଏ । ଏକଥା ଚିନ୍ତା କରି ସେ ଅଳ୍ପ ବସିଥାନ୍ତି । ହଠାତ୍‍ ଏକ ବିରାଟ ଶବ୍ଦରେ ତାଙ୍କ କାନର ପରଦା ଥରିଗଲା । ଏକ ଭୟଙ୍କର ବିଷ୍ଫୋରଣ । ତା’ପରେ ତାଙ୍କ କାନରେ ବାଜିଲା ଅନେକ ଚିତ୍କାର । ଅନେକ କରୁଣ ଓ ବିକଳ ଚିତ୍କାର, ସମଗ୍ର ପୃଥିବୀ କମ୍ପିଉଠିଲା ଗୋଟିଏ ମୁହୂର୍ତ୍ତରେ । ସବୁଆଡ଼ ଅନ୍ଧକାରମୟ ହୋଇ ଉଠିଲା । କାନ୍ଥ ବାଡ଼ ଝରକା କବାଟ ସବୁ ଭୁଷୁଡ଼ି ପଡ଼ିଲା । ସବୁଆଡ଼ ଧୂଆଁ ଓ ନିଆଁ । ଗୋଟିଏ ସେକେଣ୍ଡ ମଧ୍ୟରେ ସବୁ ଏପଟ ସେପଟ । ଏତେ ବଡ଼ ପରିବର୍ତ୍ତନ ଏତେ ବିରାଟ ଭୟଙ୍କର ବ୍ୟତିକ୍ରମ । ସେ ପ୍ରଳୟ କେବେ ଦେଖି ନ ଥିଲେ, ଶୁଣି ନ ଥିଲେ । ବର୍ତ୍ତମାନ ସେ ଅନୁଭବ କରୁଛନ୍ତି ପ୍ରଳୟର ଶବ୍ଦ, ତାଙ୍କ କାନରେ ବାଜୁଛି । ପ୍ରଳୟର ଦୃଶ୍ୟ ତାଙ୍କ ଆଖିଡୋଳାର ରେଟିନା ଉପରେ ପଡ଼ୁଛି । ସେ ନିଜେ ଅଙ୍ଗେ ନିଭାଉଛନ୍ତି । ସେ ନିଜେ ଚିତ୍କାର କରି ତଳେ ପଡ଼ିଗଲେ ।

 

ତା’ପରେ ଭୀଷଣ କଷ୍ଟ, ନିଜକୁ ସେହି କଷ୍ଟ-ସମୁଦ୍ର ମଧ୍ୟରେ ଉଡ଼ାଇ ଦେଲେ, ସେ ଅନ୍ୟମାନଙ୍କ କଥା ଚିନ୍ତା କରିବାକୁ ସମୟ ପାଇଲେ ନାହିଁ । ବୋଧହୁଏ ସେ ଅଳ୍ପ ନିଶ୍ଚୟ ଭାବିଥିବେ ନିଜର ଦୁଇ ଛୁଆ, ନିଜର ସ୍ଵାମୀ, ନିଜର ଭଉଣୀ ଏବଂ ଚାକରାଣୀ ଶାନ୍ତାଙ୍କ ବିଷୟ । ନିଶ୍ଚୟ ନିଜର ଶେଷ ମୁହୂର୍ତ୍ତରେ ଭଗବାନଙ୍କ ନାମ ଉଚ୍ଚାରଣ କରିଥିବେ । ଏ ମହାବିପଦରୁ ଉଦ୍ଧାର କରିବାକୁ ବିକଳରେ ପ୍ରାର୍ଥନା କରିଥିବେ । ଗୋଟିଏ ମୁହୂର୍ତ୍ତରେ ସମସ୍ତେ ଏ ଧ୍ଵଂସସ୍ତୂପ ମଧ୍ୟରେ ପୋତି ହୋଇଗଲେ ।

 

ଚାଇନିଜ୍‍ ବୋମା ବର୍ଷଣକାରୀ ବିମାନ ଏ ସହରରେ ଗୋଟିଏ ମୁଖ୍ୟ ସ୍ଥାନରେ ତିନି ଚାରୋଟି ବୋମା ପକାଇ ଚାଲିଗଲା । ଗୋଟିଏ ମୁହୂର୍ତ୍ତରେ ଅନୁପ ବାବୁଙ୍କର ଏତେବଡ଼ ବ୍ୟବସାୟ ପ୍ରତିଷ୍ଠାନ ନଷ୍ଟ ହୋଇଗଲା । ତାଙ୍କର ଏତେବଡ଼ ପାଞ୍ଚତାଲା କୋଠା ଭୁଷୁଡ଼ି ପଡ଼ି ମାଟିରେ ମିଶିଗଲା । ତାଙ୍କଦ୍ଵାରା ନିର୍ମିତ ଏତେବଡ଼ ମନ୍ଦିରର ଅଧାପର୍ଯ୍ୟନ୍ତ ଭାଙ୍ଗିପଡ଼ିଲା । ତାଙ୍କର ଏତେ ଭଲ ସୁନାର ସଂସାର ପାଣି ପୋଟକା ପରି ଉଭାନ ହୋଇ କୁଆଡ଼େ ମିଶିଗଲା । ସେ ଧ୍ଵଂସସ୍ତୂପ ମଧ୍ୟରୁ ସ୍ଥାନୀୟ ଲୋକମାନେ ମିଶି ନୀହାରିକା, କିରଣ, ହୀରା, ଅନୁପଙ୍କ ବୃଦ୍ଧା ମା’ ଓ ଶାନ୍ତାଙ୍କ ଶବକୁ କାଢ଼ିଆଣି ବାହାରେ ଧାଡ଼ି କରି ଶୁଆଇ ଦେଲେ । ସମସ୍ତଙ୍କ ଉପରେ ଧଳାଚଦର ଘୋଡ଼ାଇ ଦିଆଗଲା । କେହି ବଞ୍ଚି ନ ଥିଲେ । ଲୋକମାନେ ଏ ଭଙ୍ଗା କାନ୍ଥ, ଭୁଷୁଡ଼ା ଛାତ, ଇଟା, ସିମେଣ୍ଟ, ଲୁହାଛଡ଼, ବୋମା ଟୁକୁଡ଼ା ଓ ଭଙ୍ଗାରୁଜା ଆସବାବ ପତ୍ର ମଧ୍ୟରୁ ବହୁତ କଷ୍ଟରେ ଏମାନଙ୍କୁ ବାହାର କରିଥିଲେ । କାହାର ହାତଗୋଡ଼ ନାହିଁ ତ କାହାର ମୁଣ୍ଡରୁ ଦହି ବାହାରି ପଡ଼ିଛି । ଏ ସମସ୍ତଙ୍କ ଜୀବନ ଗୋଟିଏ ମୁହୂର୍ତ୍ତରେ ଉଡ଼ିଛି । ଛଟପଟ ହୋଇ କଷ୍ଟ ପାଇବାକୁ ଅବକାଶ ନାହିଁ-। ସେମାନେ ଆହୁରି ଅନେକ ବର୍ଷ ଖୁସିରେ ବଞ୍ଚିଥାନ୍ତେ ଏ ଦୁର୍ଘଟଣା ନ ହୋଇଥିଲେ-

 

ସହରରେ ଏ ଖବର ଆଖିପିଛୁଳାକେ ବ୍ୟାପିଗଲା । ଶତ୍ରୁମାନଙ୍କଦ୍ଵାରା ଏ ସହର ଆକ୍ରମିତ ହୋଇଥିବାର ସମ୍ବାଦ ଶୁଣିବା ପରେ ସମସ୍ତ ସ୍କୁଲ୍‍ କଲେଜ ସମସ୍ତ ଦୋକାନ ବଜାର ଓ ଅଫିସ୍‍ ବନ୍ଦ କରିଦିଆଗଲା । ଏ ଖବର ପାଇ ଖୁବ୍‍ ଶୀଘ୍ର ଅରୁଣା କଲେଜରୁ ଫେରିଆସିଲେ । ସେ ଯେଉଁ ଘରକୁ ଯାଇଥାନ୍ତେ ତାରି ଆଗରେ ଛିଡ଼ାହୋଇ ସମସ୍ତ ଦୃଶ୍ୟ ଦେଖିଲେ । ଏତେବଡ଼ ସୁନାଘର ଚୂନା ହୋଇ ମାଟିରେ ମିଶିଯାଇଛି । କେବଳ ତାରିପାଇଁ ଏ ଦୁରବସ୍ଥା । ଧାଡ଼ି ହୋଇ ପଡ଼ିଥିବା ଏମାନଙ୍କର ଶବ ତାଙ୍କ ଆଖିରେ ପଡ଼ିଲା । ସେ କ’ଣ ଏସବୁ ଦେଖିବାକୁ ପୂର୍ବରୁ ଥରେହେଲେ ବି କଳ୍ପନା କରିପାରିଥିଲେ ? ତାଙ୍କର ଏ ଛୋଟ ହୃଦୟ କିପରି ଏତେବଡ଼ ଆଘାତ ସହ୍ୟ କରିପାରିବ ।

 

ତାଙ୍କର ନାନୀ ଆଜି ତାଙ୍କୁ ଛାଡ଼ି ଚାଲି ଯାଇଛି । ତାଙ୍କର ଆଉ ଏ ଦୁନିଆରେ କିଏ ଅଛି-? ସେ ଆଜି ବହୁତ ଏକୁଟିଆ । ତାଙ୍କପାଇଁ ଆଉ କେଉଁ ଘର ଅଛି ? ସେ ଆଉ କେଉଁ ଘରକୁ ଯିବେ ? ହଠାତ୍‍ ତାଙ୍କ ଆଖିରୁ ଥପ୍‍ ଥପ୍‍ ହୋଇ ଲୁହ ଝରିପଡ଼ିଲା । ସେଠାରେ ପଡ଼ି ରହିଥିବା ତା’ ନାନୀର ମୃତ ଦେହ ପାଖକୁ ସେ ଚାଲିଗଲେ । ସେଠାରେ ସେ ବସିପଡ଼ି ବହିପତ୍ରଗୁଡ଼ିକୁ ତଳେ ଥୋଇଦେଇ ଭାବବିହ୍ୱଳ ହୋଇ ତାଙ୍କ ମୁହଁଆଡ଼କୁ ଚାହିଁଲେ । ମୁହଁରେ ଗୋଟିଏ ସ୍ଵର୍ଗୀୟ ଆଭାର ସ୍ପର୍ଶ ସେ ଦେଖିପାରୁଥାନ୍ତି ।

 

ତାଙ୍କର ଏତେ ସ୍ନେହ ଆଦରକୁ ସେ କିପରି ଭୁଲିଯିବେ ? ଏତେ ବଳିଷ୍ଠ ପୂର୍ବ ସ୍ମୃତି କୁଆଡ଼େ ଲିଭିଯିବ ?

 

ସେ ତାଙ୍କର ସବୁକଥାକୁ ଗୋଟି ଗୋଟି କରି ଭାବିବାକୁ ଲାଗିଲେ । ନିଜ ନାନୀକୁ ମନେ ମନେ କହିବାକୁ ଲାଗିଲେ, “ନାନୀ ତୁ ମୋତେ ଏକା ଏକା ଛାଡ଼ି ଚାଲିଗଲୁ । ମୋତେ ସାଙ୍ଗରେ ନେଲୁ ନାହିଁ ? ମୁଁ ଏବେ କିପରି ରହିବି ? କାହା ପାଖରେ ରହିବି ? କେଉଁ ଘରେ ରହିବି-? ସେଇଥିପାଇଁ କ’ଣ ତୁ ମୋତେ ଆଜି ସକାଳୁ ଏମିତି ଶୀଘ୍ର କଲେଜକୁ ତଡ଼ି ଦେଇଥିଲୁ-? ମୋତେ ବିପଦରୁ ଏଡ଼ାଇ ଦେବୁ ବୋଲି ?’’

 

ନା ନାନୀ ମୋତେ ବୁଝିବାକୁ ଚେଷ୍ଟାକର । ତୁ ମୋତେ ତଡ଼ି ଦେଇ ଆଦୌ ଭଲ କଲୁନି-। ମୁଁ ଏଠାରେ ଏକା କେମିତି ବଞ୍ଚିବି ? ମୁଁ ନିଶ୍ଚୟ ଚାଲିଯିବି ତୋରି ପଛରେ; ତୁ ମୋତେ ଯେମିତି ସାହାଯ୍ୟ ଦେଇ ଆସୁଥିଲୁ ସେମିତି ସାହାଯ୍ୟ କିଏ ଦେବଟି ମୋ ପାଠ ପଢ଼ା ପାଇଁ । ତୋ’ପରି ଆଉ ଏଠାରେ କିଏ କାନ୍ଦିବ ? କିଏ ମୋତେ ଆଉ ଏଠାରେ ପାଠ ପଢ଼ାଇବ ? ମୋତେ ତୁ କହିଥିଲୁ ଯେ ତୁ ଦଶ ଦଶ ଜଣ ମାଷ୍ଟ୍ର ରଖି ପାଠ ଶିଖାଇବୁ, ଆହୁରି ପାଞ୍ଚବର୍ଷ କଲେଜରେ ପାଠ ପଢ଼ାଇବୁ । ଏଠାରେ ଥିବା ସବୁଠାରୁ ଭଲ କଲେଜରେ ପାଠ ପଢ଼ାଇବୁ । ଆମ କ୍ଲାସ୍‍ର ଗୋଟିଏ ହେଲେ ମିନିଟ୍‍ ନଷ୍ଟ ହେବନି । ମୋତେ ତୁ ଏହାପରେ ହାତକୁ ଦି’ହାତ କରାଇଦେବୁ । ହଁ ଏମିତି କଥା ମୋତେ ଆଉ କିଏ କହିବ ? ମୋତେ କେବଳ ରକ୍ଷାକରିବାକୁ ତୁ ମୋତେ କଲେଜକୁ ଶୀଘ୍ର ପଠାଇଦେଲୁ ନିଜେ ବିପଦ ମଧ୍ୟକୁ ଠେଲି ହୋଇଯାଇ ? କିନ୍ତୁ ମୋତେ ରକ୍ଷା କରି କଅଣ ଲାଭ ? ମୋତେ କାହିଁକି ରକ୍ଷା କଲୁ ନାନୀ ! ମୁଁ ଜାଣେ ତୁ ମୋତେ ପ୍ରଶ୍ନର ଜବାବ ଦେବୁନି । ଆଉ କେହି ମଧ୍ୟ ଦେବେନି । ମୋ ଭଲମନ୍ଦ, ସୁଖ ଦୁଃଖ ସୁବିଧା ଅସୁବିଧା ଦେଖିବାକୁ ଆଉ କେହି ଏ ପୃଥିବୀରେ ନାହାଁନ୍ତି । ମୁଁ କାହିଁକି ରହିବି ? କାହିଁକି ବଞ୍ଚିବି ? କ’ଣ କେବଳ ପରକୁ ହଇରାଣ କରିବାକୁ ? ଦେଶ ଉପରେ ଭାରହୋଇ ରହିବାକୁ ? ତା’ପରେ ତାଙ୍କର ଆଖିପଡ଼ିଲା ଅନୁପ ବାବୁଙ୍କ ମା’ଙ୍କ ଶବ ଉପରେ । ବହୁତ ଭଲଲୋକ । ତାଙ୍କୁ ମଧ୍ୟ ଏପରି ଦଣ୍ଡ ଭୋଗିବାକୁ ପଡ଼ିଲା । କିନ୍ତୁ ସେ ତ କିଛି ଦୋଷ କରିନଥିଲେ । ସେ ତାଙ୍କୁ ନିଜ ଝିଅପରି ଦେଖି ଆସିଥିଲେ । ସେମିତି ଲୋକ ଆଉ ସେ କେବେ ଦେଖିପାରିବାର ସୁଯୋଗ ପାଇପାରିବେ ନାହିଁ ।

 

ହଠାତ୍‌ ଆଖିପଡ଼ିଲା କିରଣ ଏବଂ ହୀରା, ଏ ଦୁହିଁଙ୍କ ଉପରେ । କେତେ ଭଲ ଭଲ ପିଲା ଦୁହେଁ । କିରଣ ସେଦିନ ଅଳି କରୁଥିଲା, କଲେଜ ଭିତରକୁ ଦେଖିଯିବାକୁ । ମାତ୍ର ସେ ଚାଲିଗଲା । ସେ ଦେଖାଇ ଦେଇ ପାରିଲେ ନାହିଁ । ତାଙ୍କ ଇଚ୍ଛା ପୂରଣ ହୋଇପାରିଲା ନାହିଁ । ଏପରି ଛୋଟ ଛୋଟ ପିଲା ଦୁହେଁ ମଧ୍ୟ ଏ ଦୁର୍ଭାଗ୍ୟର ଶିକାର ହୋଇପଡ଼ିଲେ । ସେ ଦୁହେଁ ବଡ଼ ହୋଇଥାନ୍ତେ । ବହୁତ ବଡ଼ ମଣିଷ ହୋଇଥାନ୍ତେ । ବହୁତ ପାଠ ପଢ଼ିଥାନ୍ତେ । ଏସବୁ କଳ୍ପନା କଳ୍ପନାରେ ହିଁ ରହିଗଲା । ତାଙ୍କ ଆଖିରୁ ଲୁହ ଝରିପଡ଼ିଲା ।

 

ତା’ପରେ ତାଙ୍କ ଆଖିପଡ଼ିଲା ଶାନ୍ତା ଉପରେ । ବହୁତ ଭଲ ଝିଅଟିଏ । ସେ ମଧ୍ୟ ରହିପାରିଲା ନାହିଁ ।

 

ଏ ଖବର ପାଇ ରାକେଶ୍‍ ବାବୁ ଖୁବ୍‍ ଶୀଘ୍ର ଚାଲି ଆସିଲେ । ସେ ଏ ଧ୍ଵଂସସ୍ତୂପକୁ ଏକାଧାରରେ ଚାହିଁ ରହିଥାନ୍ତି । ଦର୍ଶକମଣ୍ଡଳୀ ଏଥିରେ ଶିକାର ହୋଇଥିବା ଶବଗୁଡ଼ାକୁ ଚାହିଁ ରହିଥାନ୍ତି । ସେ ମନେ ମନେ ଭାବୁଥାନ୍ତି....ଛି, ଛି ଚାଇନିଜ୍‍ମାନେ ଏମିତି ଅମଣିଷ, ଏତେ ଅସଭ୍ୟ, ଏତେ ନୃଶଂସ । ସେ କେବେ ଭାବି ନ ଥିଲେ । ପୂର୍ବରୁ ତାଙ୍କର ଧାରଣା ଥିଲା ଯେ ଚାଇନିଜ୍‍ମାନେ ଏତେ ଅମଣିଷ ଓ ବର୍ବର ନୁହନ୍ତି । ସେମାନେ ଗୋଟିଏ ଉନ୍ନତ ଏବଂ ସଭ୍ୟ ଜାତି; କିନ୍ତୁ ତାହା ଆଜି ଦୂର ହେଲା । ଅନୁପ ବାବୁ ତାଙ୍କର କ୍ଲାସମେଟ୍‍ ବନ୍ଧୁ । ତାଙ୍କର ଆଜି ସର୍ବସ୍ଵ ନଷ୍ଟ ହୋଇଯାଇଛି । ତାଙ୍କ ବ୍ୟବସାୟ ପ୍ରତିଷ୍ଠାନ ମାଟିରେ ମିଶି ଯାଇଛି । ତାଙ୍କ ଘର ଚୂନା ହୋଇଛି । ତାଙ୍କ କୀର୍ତ୍ତି ମନ୍ଦିର ମଧ୍ୟ ଯାଇଛି ଅଧାରୁ । ତାଙ୍କ ସ୍ତ୍ରୀ, ପିଲା ମା’ ଆଦି ସମସ୍ତେ ସମୂଳେ ନଷ୍ଟ ହୋଇଛନ୍ତି ।

 

ସେ ମଧ୍ୟ ଏକଥା ଭାବିବାକୁ ଭୁଲୁ ନାହାଁନ୍ତି ଯେ ସେ ଏପରି ଜଣେ ଦେଶଦ୍ରୋହୀ ଲୋକ-। ସେ ବିଭା ହୋଇଛନ୍ତି ଜଣେ ଚାଇନିଜ୍‍ ସ୍ତ୍ରୀକୁ । ତାଙ୍କୁ ଏ ଦେଶରେ ସ୍ଥାନ ଦେଇଛନ୍ତି । ମୁଣ୍ଡରେ ବସାଇଛନ୍ତି, ସମ୍ମାନ ଦେଇଛନ୍ତି । ହଁ, ସେ ଆଜି ଏଇଥିପାଇଁ ଅନୁତାପ କରୁଛନ୍ତି । ସେ ନିଶ୍ଚୟ ସେଇଆ କରିବେ । ଯେପରି ଏ ଲୋକମାନଙ୍କର ମୁଣ୍ଡରେ ବସା ବାନ୍ଧି ରହି ଆସିଥିବା ଧାରଣା ଦୂର ହେବ । ସେ ନିଶ୍ଚୟ ତାଙ୍କ ସ୍ତ୍ରୀକୁ ବହିଷ୍କାର କରିବେ । ହଠାତ୍‍ ତାଙ୍କ ଆଖି ପଡ଼ିଗଲା ଅରୁଣାଙ୍କ ଉପରେ । ଅରୁଣାଙ୍କର ଲୁହଭରା ଆଖି ମଧ୍ୟ ତାଙ୍କ ଆଖିରେ ପଡ଼ିଲା । ଅରୁଣା ଏଥର ଉଠି ତାଙ୍କଆଡ଼କୁ ଚାଲି ଆସିଲେ । ସେ ମଧ୍ୟ ଅରୁଣାଙ୍କଆଡ଼କୁ ଟାଣି ହୋଇ ଆଗେଇଲେ । ଦୁହିଁଙ୍କ ମଧ୍ୟରେ ଥିବା ବ୍ୟବଧାନ ଏଥର ବହୁତ କମିଗଲା । ଦୁହେଁ ଦୁହିଁଙ୍କୁ କେବଳ ଚାହିଁ ରହିଲେ-। ତା’ପରେ ଶୁଣାଗଲା ଅରୁଣାଙ୍କ ଛାତିର କୋହ । ରାକେଶ୍‍ ବାବୁ ତାଙ୍କ ହାତକୁ ଧରି କହିଲେ, ‘‘ଏପରି କାନ୍ଦ ନାହିଁ ଅରୁଣା ।”

 

‘‘ତା’ପରେ ଅରୁଣା ଖୁବ୍‍ ଜୋରରେ ଭୋ ଭୋ ହୋଇ କାନ୍ଦି ଉଠିଲେ । ସେ ଏଥର ଅରୁଣାକୁ ନିଜ ଛାତିଉପରକୁ ଆଣି କହିଲେ, ‘‘ଦେଖ ଅରୁଣା ଏପରି ହେଲେ କେମିତି ହେବ ?’’

 

ସେ କହିଥିଲେ, ‘‘ମୁଁ କାହିଁକି ଆଉ ରହିବି, ମୁଁ କାହିଁକ ବଞ୍ଚିବି ? ମୋର ଆଉ କିଏ ଅଛି-? ମୁଁ ଆଉ କେଉଁ ଆଖିରେ ଏସବୁ ଦେଖିପାରିବି ?’’

 

ଅରୁଣାଙ୍କ ହାତ ରାକେଶ୍‍ ବାବୁଙ୍କ ପିଠି ଉପରେ ରହିଲା । ରାକେଶ୍‍ ବାବୁ ତାଙ୍କୁ ସମ୍ଭାଳି ନେଇ କହିଲେ, “ଏପରି ବ୍ୟସ୍ତ ହୁଅନି । ମୁଁ ତୁମର ସମସ୍ତ ସାହାଯ୍ୟ କରିବି । ତୁମର କିଛି ଅସୁବିଧା ହେବନି । ତୁମେ ଆଜିଠାରୁ ମୋ ପାଖରେ ରହି ପୂର୍ବପରି ପାଠ ପଢ଼ିବ କଲେଜରେ ।”

 

“ନା” ସେ ବିଶ୍ଵାସ କରିପାରିଲେ ନାହିଁ । ହଠାତ୍‍ ଗୋଟିଏ ଜିପ୍‍ ଆସି ତାଙ୍କ ପାଖରେ ଅଟକି ଗଲା । ସେ ଜିପ୍‍ରୁ ଓହ୍ଲାଇ ଆସିଲେ ଅନୁପ ବାବୁ । ତାଙ୍କ ଆଖି ପାଖରେ ଏସବୁ ଦୃଶ୍ୟ ଭାସିଗଲା । ସେ ମୂକପରି କିଛି ସମୟ ସେଠାରେ ଛିଡ଼ା ହେଲେ ।

 

ସେ ଯେଉଁ ଘରକୁ ଦିନ ଦିନ ଧରି ଏତେ ପରିଶ୍ରମ କରି ଗଢ଼ି ଆସିଥିଲେ, ତା’ର ଅବସ୍ଥା ଏଇଆ । ଏ ମାଟିରେ ଯେଉଁମାନେ ଧଳା ଚଦର ତଳେ ଶୋଇଛନ୍ତି ସେହିମାନେ ଥିଲେ ତାଙ୍କର ପରିବାରର ସଦସ୍ୟ । ଏଇ ହେଲା ତାଙ୍କ ଧନ ଜୀବନ ଓ ସର୍ବସ୍ୱ !

 

ପ୍ରଥମେ ତାଙ୍କ ମା’ଙ୍କ ଉପରେ ଆଖିପଡ଼ିଲା । ସେ ତାଙ୍କ ଶବ ପାଖକୁ ଚାଲିଗଲେ । ତାଙ୍କ ଚଦର ଟେକି ତାଙ୍କୁ ଭଲଭାବରେ ଚାହିଁଲେ, ସେ ତାଙ୍କୁ ଏତେ କଷ୍ଟ ସହି ଜନ୍ମ କରିଥିଲେ । ସେ ତାଙ୍କୁ ମଣିଷ କରିଥିଲେ ସେ ଆଜିଠାରୁ ଆଉ ମା’ ବୋଲି ଜିନିଷ ଦେଖିପାରିବେନି । ଆଜି ସେ ତାଙ୍କୁ ଏକୁଟିଆ କରି ଛାଡ଼ି ଚାଲିଯାଇଛନ୍ତି ।

 

ତା’ପରେ ତାଙ୍କ ଆଖିପଡ଼ିଲା ନୀହାରିକା ଦେବୀଙ୍କ ଶବ ଉପରେ । ସେ ସେଠାକୁ ଆସି ତାଙ୍କ ଚଦର ଟେକି ଭଲଭାବରେ ତାଙ୍କ ମୁହଁକୁ ଚାହିଁଲେ । ନୀହାରିକାଙ୍କ ପରି ସ୍ତ୍ରୀ ତାଙ୍କୁ ଆଉ କିଏ ଦେବ ? ଆଗେଇ ଯିବାକୁ ତାଙ୍କୁ କିଏ ପ୍ରେରଣା ଦେବ ? ତା’ପରେ ସେ ନିଜ ପୁଅ କିରଣର ଶବପାଖକୁ ଗଲେ । ଏଇଟିକୁ ସେ କେତେ ସ୍ନେହ ଦେଇ ବଢ଼ାଇ ନଥିଲେ । ଇଏ ବଞ୍ଚିଥିଲେ ନିଜର ଭାବୀ ବଂଶଧର ରୂପେ ନିଜ ଆତ୍ମାର ତୁଷ୍ଟ ପାଇଁ ପାଣି ମୁନ୍ଦାଏ ଦେଇଥାନ୍ତା । ସେ କିରଣ ପାଇଁ କେତେ ଆଶା କରିନଥିଲେ । ସେ କେତେ ପାଠ ପଢ଼ି ନ ଥାନ୍ତା । କେତେ ବଡ଼ ମଣିଷ ହୋଇ ନ ଥାନ୍ତା ? ନିଜ ବାପର ଆଉ କିଏ ନାଁ ରଖିବ ? ତା’ପରେ ତାଙ୍କ ଆଖିପଡ଼ିଲା ହୀରାର ଶବ ଉପରେ-। ହୀରା ମଧ୍ୟ ଆଜି ତାଙ୍କୁ ଛାଡ଼ି ଚାଲିଗଲା । ସେ ହୀରା ମୁହଁରୁ ଚଦର ଉଠାଇ ଭାବବିହ୍ଵଳ ହୋଇଉଠିଲେ । ହୀରା ପରି ସୁନ୍ଦର ଝିଅ ତାଙ୍କୁ ଆଉ କିଏ ଦେବ ? ସେ ଦିନେ କହୁଥିଲା ତାଙ୍କୁ; ତାକୁ ଇଂରାଜୀରେ ନାଁ ଲେଖାଇ ଦେବାକୁ । ମାତ୍ର ସେ ଲେଖାଇ ଦେଇନଥିଲେ । ଆଉ ଲେଖାଇ ପାରିବେନି । ସେ ଚାହିଁଥିଲେ ହୀରା ବହୁତ ପାଠ ପଢ଼ିବ । ବହୁତ ବଡ଼ ହେବ । ତା’ପାଇଁ ସେ ଗୋଟିଏ ବହୁତ ବଡ଼ ବର ଖୋଜି ଆଣି ବିଭା କରାଇ ଦେବେ । ସେ ବହୁତ ବଡ଼ ଘରକୁ ବୋହୂ ହୋଇ ଯିବ ଓ ନିଜର ସମ୍ମାନ ରଖିବ । କିନ୍ତୁ ଆଜି କ’ଣ ହେଲା ? ଚାକରାଣୀ ଶାନ୍ତା ଉପରେ ତାଙ୍କର ଆଖିପଡ଼ିଲା । ସେ ଯଦି ବାହାରକୁ ପ୍ରୋଗ୍ରାମରେ ଯାଇନଥାନ୍ତେ, ତାହାହେଲେ ସେ ମଧ୍ୟ ଏମିତ ଆରପାରିକୁ ଯାଇଥାନ୍ତେ । ଭଲ ହୋଇଥାନ୍ତା ଯାଇଥିଲେ । ନିଶ୍ଚୟ ଏହା ସେ ଭାବୁଥିବେ-

 

ତା’ପରେ ସେ ଅପରଦିଗକୁ ଆଖି ବୁଲାଇଲେ । ଅରୁଣା ତାଙ୍କର ଖୁବ୍‍ ନିକଟରେ ଛିଡ଼ା ହୋଇଛନ୍ତି । ତାଙ୍କ ପାଖରେ ରାକେଶ୍‍ ବାବୁ । ତାଙ୍କର ନଷ୍ଟ ହୋଇଯାଇଥିବା ଏତେ ବିରାଟ ବ୍ୟବସାୟ ପ୍ରତିଷ୍ଠାନର ସମସ୍ତ କର୍ମଚାରୀ ତାଙ୍କୁ ଘେରି ଛିଡ଼ା ହୋଇଥାନ୍ତି ।

 

ଅରୁଣା ତାଙ୍କୁ ଚାହିଁ ରହିଥାନ୍ତି । ସେ ଅରୁଣାଙ୍କ ଲୁହଭରା ଆଖିକୁ ଚାହିଁଲେ । ଅରୁଣା ତାଙ୍କ ପାଖକୁ ଚାଲି ଆସି ଭାଇ ଭାଇ ବୋଲି କହି କୁଣ୍ଢାଇ ପକାଇଲେ । ହଠାତ୍‍ ସେ ତଳେ ପଡ଼ିଗଲେ । ସମସ୍ତେ ଘେରିଯାଇ ତାଙ୍କୁ ଉଠାଇଲେ । ରାକେଶ୍‍ ବାବୁ ଏବଂ ତାଙ୍କ ବ୍ୟବସାୟ ପ୍ରତିଷ୍ଠାନର ସମସ୍ତ କର୍ମଚାରୀ ତାଙ୍କୁ ଉଠାଇ ବସାଇଦେଲେ ଏମାନେ ସମସ୍ତେ ତାଙ୍କ ଚାରିପଟେ ବସିଲେ ।

 

ଅରୁଣା କହିଲେ, ‘‘ଭାଇ, ଭାଇ…… ।”

 

ସେ ତାଙ୍କ କଥାକୁ ଶୁଣିଲେ ନାହିଁ । ସେ ଭାବବିହ୍ଵଳ ହୋଇ ଖାଲି ରହିଥାନ୍ତି । କାହାକୁ କିଛି ଉତ୍ତର ଦେଉ ନ ଥାନ୍ତି । ରାକେଶ୍‍ ବାବୁ ସେହପରି ତାଙ୍କ କାନ୍ଧ ହଲାଇ କହିଲେ, ‘‘ଅନୁପ…ଅନୁପ…ଅନୁପ….ଅନୁପ ।”

 

ମାତ୍ର ସେ କାହା କଥା ଶୁଣିଲେ ନାହିଁ, ତାଙ୍କ ପାଟିରୁ ଗୋଟିଏ ହେଲେ ଶବ୍ଦ ବାହାରିଲା ନାହିଁ ।

 

ଯିଏ ଯେତେ କଥା କହିଲେ ମଧ୍ୟ, ସେ କାହାରିକୁ ହେଲେ ଉତ୍ତର ଦେଲେ ନାହିଁ ।

 

ଏହାପରି ସେ ଅଧଘଣ୍ଟାଏ ଚାଲିଗଲା । ତା’ପରେ ସେ ଉଠିଲେ । ସଙ୍ଗେ ସଙ୍ଗେ ସେ ନିଜ ଜିପ୍‌କୁ ଚାଲିଗଲେ । ସମସ୍ତେ ଏସବୁ ଦେଖୁଥାନ୍ତି । ସେ ଜିପରେ ବସି ଗାଡ଼ିରେ ଷ୍ଟାର୍ଟ ଦେଲେ, ଜିପ୍‌ଟି ଚାଲିଗଲା । ଏହାର ଅର୍ଥ କେହି ବୁଝିପାରିଲେ ନାହିଁ । ସେ କୁଆଡ଼େ ଗଲେ କେହି ଜାଣିପାରିଲେ ନାହିଁ ।

 

ସମସ୍ତେ ତାଙ୍କୁ ଅପେକ୍ଷା କଲେ । ଘଣ୍ଟାଏ ଗଲା ଦୁଇ ଘଣ୍ଟା ଗଲା, ମାତ୍ର କିଛି ଫଳ ହେଲା ନାହିଁ । ସେ କୁଆଡ଼େ ଗଲେ, ଖୋଜିବା ପାଇଁ ଲୋକ ପଠାଗଲା । ସମସ୍ତେ ନ ପାଇ ଫେରି ଆସିଲେ । ଏହିପରି ପାଞ୍ଚ ଛଅ ଘଣ୍ଟା ଚାଲିଗଲା । ମାତ୍ର ତାଙ୍କର ପତ୍ତା ମିଳିଲା ନାହିଁ । ତା’ପରେ ତାଙ୍କ ୱାର୍କରମାନେ ସ୍ଥିର କରି ନେଲେ ଏ ଦାହ କାର୍ଯ୍ୟ ସେମାନେ ନିଜେ ନିଜେ ସମ୍ପନ୍ନ କରିବେ । ସମସ୍ତେ ଏଥିରେ ନିଜର ସମ୍ମତି ପ୍ରକାଶ କଲେ । ବାହାରର ସମସ୍ତ ଲୋକ ଏଥିରେ ସାହାଯ୍ୟ ସହଯୋଗ କରିଥିଲେ ।

 

ରାକେଶ୍‍ ବାବୁ ଅରୁଣାକୁ ଟାଣି ଟାଣି ଆଣି ନିଜ ଘରକୁ ଚାଲି ଆସିଲେ । ଏପର୍ଯ୍ୟନ୍ତ ମଧ୍ୟ ଅନୁପ ବାବୁଙ୍କର ପତ୍ତା ମିଳିଲା ନାହିଁ । ଅରୁଣା ଏହା ପୂର୍ବରୁ ତାଙ୍କ ଘରକୁ କେବେ ଯାଇନଥିଲେ । ତାହା କେମିତିଆ ହୋଇଥିବ, ଜାଣିନଥିଲେ କି ଭାବି ନ ଥିଲେ । ପ୍ରଥମ କରି ସେ ତାଙ୍କ ଘରେ ପାଦ ପକାଇଥିଲେ । ତାଙ୍କ ସ୍ତ୍ରୀ ଅର୍ଚ୍ଚିଡ଼୍‌ଙ୍କୁ ମଧ୍ୟ ଦେଖି ନ ଥିଲେ ।

 

ରାକେଶ୍‍ ବାବୁ ଅରୁଣାଙ୍କୁ ନିଜ ଡ୍ରଇଂ ରୁମ୍‍କୁ ନେଇଗଲେ । ଅର୍ଚ୍ଚିଡ଼୍‌ ସେଠାରେ ବସିଥିଲେ । ସେ ଜଣେ ଝିଅକୁ ଦେଖିବାକୁ ପାଇଲେ ତାଙ୍କ ସ୍ୱାମୀଙ୍କ ସହିତ । ସେ କିଏ ଆଗରୁ ଜାଣିନଥିଲେ । ସେ ଏଥର ବସିଥିବା ସ୍ଥାନରୁ ଉଠିପଡ଼ି ଛିଡ଼ା ହେଲେ ।

 

ରାକେଶ୍‍ ବାବୁ କହିଲେ, “ଗେଷ୍ଟ୍‍ ଆସିଛନ୍ତି ଘରକୁ । ଦୁଇ କପ୍‍ ଚା’ ଧରି ଶୀଘ୍ର ଆସ ।”

 

ସେ ଚା’ପାଇଁ ଚାଲିଗଲେ ।

 

ଅରୁଣା କହିଲେ, ‘‘ଚା’ କ’ଣ ହେବ ?”

 

‘‘ଏଠାରେ ବସ ।”

 

ଅରୁଣା ରାକେଶ୍‍ଙ୍କ ସହିତ ସୋଫାରେ ବସିଲେ । ସେ କହିଲେ “ଆଜି କିଛି ଖାଅନ୍ତିନି-।”

 

“ଏଇଟା ତ ଖାଦ୍ୟ ନୁହେଁ ।”

 

“ନ ହେଲେ ବି ପାଣି ପର୍ଯ୍ୟନ୍ତ କେହି ଛୁଅନ୍ତିନି । ଆଜି ନାନୀ ଚାଲି ଯାଇଛି । ମୁଁ କେମିତି ଚା’ ପିଇବି ?”

 

‘‘ଚା’ରେ କିଛି ଯାଏ ଆସେନା । ଚଳିବ ।”

 

“ମୁଁ ଆପଣଙ୍କ ସ୍ତ୍ରୀଙ୍କୁ ପୂର୍ବରୁ ଦେଖି ନ ଥିଲି । ସେ ଚାଇନିଜ୍‌ ।”

 

“ହଁ, ମୁଁ ତାଙ୍କୁ ବିଭା ହୋଇ ଆଜି ଅନୁତାପ କରୁଛି ।

 

ତାଙ୍କ ଜାତିଟା ଏତେ ଖରାପ ବୋଲି ମୋର ସେତେବେଳେ ଧାରଣା ନ ଥିଲା । ଜାଣିଥିଲେ କେବେ ବିଭା ହୋଇନଥାନ୍ତି ।’’

 

“ଆପଣ ତାଙ୍କ ପ୍ରେମରେ କିପରି ପଡ଼ିଲେ ମ । ଆପଣ ତ ତାଙ୍କଠାରୁ ହଜାରେ ଗୁଣ ଭଲ ଏବଂ ସୁନ୍ଦର । ଆପଣଙ୍କୁ ବିଭା ହେବାକୁ ତ ବହୁତ ଭଲ ଝିଅ ମିଳିଥାନ୍ତେ ।”

 

“କାହିଁକି ପଛକଥା ପଡ଼ିଛି ? ମୁଁ ନିଶ୍ଚୟ ଏ ଘରୁ ବାହାର କରିଦେବି ।’’

 

“କ’ଣ ଡାଇଭୋର୍ସ କରିବେ ?”

 

“ହଁ ।”

 

“ଆଉ କାହାକୁ ବିଭା ହେବେ ?”

 

“ତୁମକୁ ।”

 

ଅରୁଣାଙ୍କ ମୁହଁର ଆକାର ବଦଳିଗଲା ।

 

“କିନ୍ତୁ କାହିଁକି ? ତାଙ୍କପରି ଜଣେ ନିରୀହା ଝିଅଙ୍କୁ ହଇରାଣରେ ପକାଇବେ ।”

 

“ତୁମେ ଏତେ କଷ୍ଟ ସହି ବି ଏ କଥା କହିପାରିଲ ! ସେଇ ଚାଇନିଜ୍‌ମାନେ ବୋମା ପକାଇ ତୁମ ନାନୀକୁ ମାରିଲେ ।”

 

‘‘ହଁ ସେମାନେ ବହୁତ ଖରାପ । ଅମଣିଷ, ନୃଶଂସ ।’’

 

‘‘ତାହାହେଲେ ଅର୍ଚ୍ଚିଡ଼୍‍ କପରି ନିରୀହା ହେଲେ ? ତାଙ୍କ ଜାତି ପାଇଁ ସେ ସବୁବେଳେ ଏତେ ଗର୍ବ କରନ୍ତି । ସେ ଏକ ଉନ୍ନତ ଏବଂ ବଳିଷ୍ଠ ସଭ୍ୟ ଜାତିର ଲୋକ । ତାଙ୍କ ଜାତି ତ ନିରୀହ ନୁହେଁ ।”

 

“ହଁ ଭଲ କରିବେ ଡାଇଭୋର୍ସ କରି, କିନ୍ତୁ ନା ନା...ସେଇଟା ଭଲ ନୁହେଁ । ସେ କୁଆଡ଼େ ଯିବେ ? ଯଦିଓ ସେ ଆମର ଶତ୍ରୁ, ଆମ ଦେଶର ଶତ୍ରୁ । ....ସେ ଆମ ଦେଶର ତ ଅଧିବାସୀ ନୁହନ୍ତି ?”

 

‘‘ହେଲେ ବି ସେମାନେ ଆମ ଦେଶ ସପକ୍ଷରେ କେବେ ବାହାରିବେ ନାହିଁ । ମୁଁ ତାଙ୍କୁ ଏଇ ମୁହୂର୍ତ୍ତରେ ଘରୁ ବାହାର କରିଦେବି ।’’

 

‘‘ଗୋଟିଏ ଶତ୍ରୁ ପାଖରେ ରହିବା ଅର୍ଥ ଗୋଟିଏ ନାଗସାପ ପାଖରେ ରହିବା ।’’

 

“ନାଗସାପ ମୋର କିଛି କରିପାରିବନି । ସେ ମୋତେ ଦରକାର ପଡ଼ିଲେ ଖାଦ୍ୟରେ ବିଷ ମିଶାଇ ମାରିଦେବ ବୋଲି ସନ୍ଦେହ କରି ତୁମେ କହୁଥିବ । କିନ୍ତୁ ମୁଁ ସେ ବିଷ ହଜମ କରିଦେବି ।

 

ତୁମେ ଆଜିଠାରୁ ମୋର ସ୍ତ୍ରୀ ।”

 

ଅରୁଣା ନୀରବ ରହିଲେ ।

 

“ଚୁପ୍‍ ରହିଲ ଯେ କାହିଁକି ? ଉତ୍ତର ଦିଅ ।”

 

ତଥାପି ଅରୁଣା ଚୁପ୍‌ ରହିଲେ । ତାଙ୍କ ଆଖି ଛଳଛଳ ହୋଇଆସିଲା । ରାକେଶ୍‍ ବାବୁ ନିଜ ରୁମାଲ କାଢ଼ି ତାଙ୍କ ଆଖିରୁ ଲୁହ ପୋଛିଦେଲେ ।

 

ତା’ପରେ ସେ ତାକୁ ନିଜର ବହୁତ ପାଖକୁ ଟାଣିଆଣିଲେ, ତାଙ୍କ ନିଜ ଓଠ ଅରୁଣାଙ୍କ ଓଠର ଅଧିକରୁ ଅଧିକ ନିକଟବର୍ତ୍ତୀ ହେଲା, କିଛି ସମୟ ମଧ୍ୟରେ ଦୁହିଁଙ୍କ ଓଠ ମିଶିଗଲା । ଅରୁଣା ଆପତ୍ତି କରି କହିଲେ, “ନା । ଏମିତି ନୁହେଁ ।”

 

“ଆଜି ଏପରି କରନ୍ତିନି ।”

 

“କାହିଁକି ?”

 

‘‘ଆପଣ ଜାଣନ୍ତି ଆଜି ଦିନଟି ମୋ ପକ୍ଷରେ କେତେ ଦୁଃଖଦାୟକ ଏବଂ ପବିତ୍ର । ଏଇଟିର ସ୍ମୃତି ସବୁଦିନକୁ ରହିଥିବ ।’’

 

“ମୁଁ ଜାଣେ, କିନ୍ତୁ ଅନ୍ୟ ଏକ ଉଦ୍ଦେଶ୍ୟରେ ମୁଁ ଏହା କରିବାକୁ ବାଧ୍ୟ ହେଉଛି ।”

 

ତା’ପରେ ସେ ଖୁବ୍‍ ଜୋରରେ ନିଜର ବଳିଷ୍ଠ ବାହୁଦ୍ଵାରା ଅରୁଣାଙ୍କୁ ଛନ୍ଦିପକାଇଲେ । ଅରୁଣାଙ୍କର ହାତ ଦୁଇ ରାକେଶ୍‍ ବାବୁଙ୍କ ପିଠି ଉପରେ ପଡ଼ିରହିଲା । ଦୁହିଁଙ୍କ ଓଠ ମଧ୍ୟରେ ଘନିଷ୍ଠତା ଅଧିକ ନିବିଡ଼ ଭାବରେ ବଢ଼ିଗଲା ।

 

ଠିକ୍‍ ସମୟରେ ଅର୍ଚ୍ଚିଡ଼୍‍ ରାକେଶ୍‍ ବାବୁଙ୍କ ପାଇଁ ଏବଂ ତାଙ୍କର ଆଗନ୍ତୁକା ମହିଳା ଅତିଥିଙ୍କ ପାଇଁ ଚା’ ପ୍ରସ୍ତୁତ କରି ଆଣି ଆସିଲେ । ସେ ଯେତେବେଳେ ଏ ଦୃଶ୍ୟ ଦେଖିଲେ ତାଙ୍କ ହାତରୁ ଚା’ କପ୍‍ ତଳେ ଖସିପଡ଼ି ଢାଳିଗଲା । ସେ ଅବାକ୍‍ ହୋଇ ରାକେଶ୍‍ ବାବୁଙ୍କୁ ଚାହିଁଲେ । ମାତ୍ର ରାକେଶ୍‍ ବାବୁ ସେଥିପ୍ରତି ନଜର ଦେଲେ ନାହିଁ । ଅର୍ଚ୍ଚିଡ଼୍‍ ସେଠାରେ ଛିଡ଼ା ହୋଇଥିବାର ଜାଣି ସେ ଅରୁଣାଙ୍କୁ ଅଧିକ ଜୋରରେ କୁଣ୍ଢାଇ ପକାଇଲେ ।

 

ଅର୍ଚ୍ଚିଡ଼୍‌ଙ୍କ ପାଟିରୁ ସଙ୍ଗେ ସଙ୍ଗେ ବାହାରି ଆସିଲା ।

 

‘‘ତୁମେ କ’ଣ ଭାବୁଛ ଯେ ମୋତେ ବିଭା ହେବାକୁ ଅନ୍ୟ କେହି ଲୋକ ମିଳିବେ ନାହିଁ-?” ସେ ନାଗସାପ ପରି ଫଁ ଫଁ ହୋଇ ଏସବୁ କହିଲେ ।

 

ରାକେଶ୍‍ ବାବୁ ଅରୁଣାଙ୍କୁ ଛାଡ଼ି ଅର୍ଚ୍ଚିଡ଼୍‌ଙ୍କଆଡ଼େ ଅନାଇ କହିଲେ, “ମୋ ଘରୁ ତୁ ଏଇ ମୁହୂର୍ତ୍ତରେ ବାହାରି ଯାଆ । ତୋ’ର ତ ଆଉ ଏଠାରେ କିଛି ପ୍ରୟୋଜନ ନାହିଁ । ତୋତେ ଲୋକ ମିଳିଲେ କି ନମିଳିଲେ ସେ ବିଷୟ ମୁଁ କିଛିତ କହିନାହିଁ । କିନ୍ତୁ ମୁଁ ତୋ ଆଗରେ ଏଇ ଝିଅଟି ସହିତ ବିଭାହେବି ।’’

 

“ଠିକ୍‍ ଅଛି” କହି ଫଁ ଫଁ ହୋଇ ଏକମୁହାଁ ହୋଇ ଘରୁ ବାହାରି ଆସିଲେ ଅର୍ଚ୍ଚିଡ଼୍‌ । ଖୁବ୍‍ ଜୋରରେ ଦୁଲ୍‍ କରି ସେ କବାଟକୁ ପକାଇଦେଲେ । ମୁହଁ ବୁଲାଇ ସେ ଆଗକୁ ବଢ଼ିଲେ । ତାଙ୍କ ପଛରେ ରାକେଶ୍‍ ବାବୁ ମଧ୍ୟ ଭୀଷଣ ଭାବରେ ରାଗିଯାଇ ତାଙ୍କ ବିଭା ହେବା ସମୟରେ ଅର୍ଚ୍ଚିଡ଼୍‍ ଆଣିଥିବା କେତେକ ଚାଇନିଜ୍‍ ଜିନିଷକୁ ଧରି ଖୁବ୍‍ ଜୋରରେ କଚାଡ଼ି ଚୁର୍‌ମାର୍‍ କରି ପକାଇଲେ ।

 

ସେ ଯିବା ଦିଗକୁ ଗୋଟିଏ ଚାଇନିଜ୍‍ କଣ୍ଢେଇ ଏମିତି ଫୋପାଡ଼ି ଦେଲେ ଯେ, ତାହା ତଳେ ପଡ଼ି ଖଣ୍ଡ ଖଣ୍ଡ ହୋଇଗଲା । ତା’ର ଖଣ୍ଡେ ଟୁକୁଡ଼ା ଅର୍ଚ୍ଚିଡ଼୍‌ଙ୍କ ଦେହରେ ମଧ୍ୟ ବାଜିଥିଲା । ସେ ଏଥିପ୍ରତି ନଜର ନ ଦେଇ ଆଗକୁ ବଢ଼ିଲେ । ଟିକିଏ ହେଲେ ବି ପଛକୁ ଅନାଇଲେ ନାହିଁ ।

 

ଗର୍ଜନ କରି ରାକେଶ୍‍ ବାବୁ କହିଲେ, ‘‘ମୋ ପକ୍ଷରେ ମୋ ଦେଶଟା ବଡ଼ । ସେ ଏମିତି ପଳାଇବାରେ ମୁଁ ତାକୁ ଅଟକାଇଥାନ୍ତି ଓ ତାକୁ ନ ଯିବାକୁ ଅନୁରୋଧ କରିଥାନ୍ତି ?”

 

ତାଙ୍କ ଛାତିରେ ହାତ ପକାଇ ଅରୁଣା କହିଲେ, “ଆପଣ ବହୁତ ଉତ୍ତେଜିତ ହୋଇ ପଡ଼ିଛନ୍ତି । ଆପଣ ଏତେ ରାଗନ୍ତୁନି ।” ତା’ପରେ ସେ ନୀରବ ହୋଇ ଅରୁଣାଙ୍କ ସହିତ ପୂର୍ବପରି ସୋଫା ଉପରେ ବସିଲେ ।

 

ନୀରବତା ଭଙ୍ଗ କରି ସେ ଅରୁଣାଙ୍କୁ କହିଲେ, “ଆଜିଠାରୁ ଏ ଘର ତୁମର । ମୁଁ ଜାଣେ ଆଜି ତୁମ ନାନୀ ଚାଲିଯାଇଛନ୍ତି । ଆଜି ଦିନଟି ତୁମପାଇଁ ଯଥେଷ୍ଟ ପବିତ୍ର । କିନ୍ତୁ ଏ ଚାଇନିଜ୍‍ ରାକ୍ଷାସୁଣୀଟାକୁ ଘରୁ ତଡ଼ିବାକୁ ହିଁ ମୁଁ ଏସବୁ କରୁଥିଲି ତୁମକୁ ଏପରି ଘରକୁ ଡାକିଆଣି । ତାରି ଆଖି ଆଗରେ ମୁଁ ତୁମକୁ ପ୍ରେମ କରି ଠିକ୍‍ କରିଛି ।’’

 

“ସେ କୁଆଡ଼େ ଯିବେ ।”

 

“ଯୁଆଡ଼େ ଯାଉ, ମରୁ, ତାଙ୍କ ଦେଶର ଲୋକମାନେ ତ ପୁଣି ତୁମ ନାନୀଙ୍କୁ ମାରିଲେ । ମୋ ବନ୍ଧୁର ସର୍ବସ୍ୱ ନଷ୍ଟ କଲେ, ଆମେ ତ ସେମିତି କିଛି ଗୁରୁତର ଜିନିଷ କରିନେ ।”

 

ଅଳ୍ପ ସମୟ ମଧ୍ୟରେ ସେ ଶାନ୍ତ ହେଲେ, ଘରର ଚାକରାଣୀ ହୀରା ଆସି କହିଲା, ମାଡ଼ାମ୍‍ ଚାଲି ଗଲେଣି ।” ରାକେଶ୍‍ ବାବୁ ଅରୁଣାଙ୍କୁ ଦେଖାଇ ତାକୁ କହିଥିଲେ, ଆଜିଠାରୁ ଇଏ ହେଉଛନ୍ତି ତୋ ମାଡ଼ାମ୍‍ ।”

 

ଅରୁଣା କହିଲେ, ‘‘ମୋତେ ମାଡ଼ାମ୍‍ ବୋଲି ଡାକିବନି ।”

 

“ଆଚ୍ଛା ବାବୁଆଣୀ ବୋଲି ଡାକିଲେ ଚଳିବ ତ ?”

 

(୧୧)

 

ଅର୍ଚ୍ଚିଡ଼୍‍ ଚାଲି ଚାଲି ବଜାରକୁ ଗଲେ । ନିଃସହାୟ ଭାବରେ ସେ ଫୁଟ୍‌ଫାଥ୍‍ ଉପରେ ଚାଲିଥାନ୍ତି । ସେ କେଉଁ ଦିଗକୁ ଯିବେ, ଯେଉଁ ରାସ୍ତାରେ ଚାଲିବେ କେତେବେଳ ପର୍ଯ୍ୟନ୍ତ ଏପରି ଚାଲିବେ ତାହା ନିଜେ ମଧ୍ୟ ଜାଣିନଥିଲେ । ତାଙ୍କ ପାଦ ଯେଉଁଆଡ଼କୁ ଚାଲୁଥାଏ, ସେ ସେହିଆଡ଼େ ଚାଲୁଥାଆନ୍ତି । ତାଙ୍କ ମନରେ ଆଜି ନିରାଶାଭାବ । ତାଙ୍କ ମୁହଁ ଝାଉଁଳି ପଡ଼ିଥାଏ । ସେ ଇଚ୍ଛା କରୁଥାନ୍ତି ନିଜ ଉପରେ ହୋଇଥବା ଆକ୍ରମଣର ଠିକଣା, ମୁକାବିଲା ଦେବାକୁ । ଯଦି ତାଙ୍କୁ ଉପଯୁକ୍ତ ସୁଯୋଗ ମିଳନ୍ତା । ସେ ନିଜ ସହିତ କିଛିହେଲେ ଆଣି ଆସି ନ ଥାନ୍ତି । ଏପରିକି ସେ ମଧ୍ୟ କିଛି ଖାଇ ଆସି ନ ଥିଲେ ଘରୁ । ତାଙ୍କ ପକେଟରେ ମଧ୍ୟ କିଛି ପଇସାପତ୍ର ନ ଥିଲା, ଭୋକ ହେଲେ ହୋଟେଲରୁ ଖାଇବା ପାଇଁ । ଅଧିକ କେତେ ଖଣ୍ଡ ପୋଷାକ ମଧ୍ୟ ସାଙ୍ଗରେ ନ ଥିଲା । ଏ ସହରରେ ତାଙ୍କର ଚିହ୍ନା ଲୋକ ମଧ୍ୟ ଖୁବ୍‍ କମ୍‍ । ତାଙ୍କର ଚିହ୍ନା ଲୋକମାନେ କେବଳ ଚୀନ୍‍ ଲୋକଙ୍କ ମଧ୍ୟରେ ସୀମିତ ।

 

ଯେଉଁ ଭାରତୀୟ ଲୋକଙ୍କ ସହିତ ତାଙ୍କର ପରିଚୟ ଏବଂ ବନ୍ଧୁତା ଥିଲା, ସେସବୁକୁ ସେ ଭୁଲିଯିବାକୁ ବାଧ୍ୟ ହେଲେ । କାରଣ ସେ ସମୟରେ ଚୀନ୍‍ ଭାରତ ମଧ୍ୟରେ ହୋଇଥିବା ତିକ୍ତ ସମ୍ପର୍କରେ ସମସ୍ତେ ଚୀନ୍‍ ଦେଶର ଲୋକର ନାମ ଗନ୍ଧ ପାଇଲେ ଆଖି, କାନ, ନାକ ସବୁ ଏକାବେଳେ ଟେକୁଥିଲେ । ତେଣୁ ସେ ଏପରି ସମୟରେ ଏପରି ଅବସ୍ଥାରେ ବାହାରେ ମାର୍‍ ମାର୍‍ ଧର୍‍ ଧର୍‍ ଶୁଣିବା ଅପେକ୍ଷା କୌଣସି ନିରାପଦ ସ୍ଥାନରେ ଲୁଚି ବସିବା ତାଙ୍କ ପକ୍ଷରେ ଭଲ । ଏପରି ସମୟରେ ତାଙ୍କର ଅଧିକ ସମୟ ବାହାରେ ରହିବା ନିରାପଦ ନୁହେଁ । ଏହା ହେଉଛି ଭାରତୀୟ ବହୁଳ ସ୍ଥାନ । ଏଠାରେ କାଁ ଭା ଜଣେ ଦୁଇଜଣ ଚୀନ୍‍ ଲୋକ ରହି ଆସିଛନ୍ତି ପୂର୍ବ ପୁରୁଷଙ୍କ ଅମଳରୁ । ସେମାନେ ଭାରତୀୟ ନାଗରିକ ହୋଇଯାଇଛନ୍ତି । ଭାରତୀୟମାନଙ୍କ ସହିତ ଖାପ ଖୁଆଇ ତାଙ୍କ ଭାଷା ଶିଖି ରହି ଚଳି ଆସିଛନ୍ତି । କିନ୍ତୁ ସେମାନେ ଚୀନା ଲୋକଙ୍କ ପରି ଦେଖା ଯାଉଛନ୍ତି । ବର୍ତ୍ତମାନ ମୁହୂର୍ତ୍ତରେ ସମସ୍ତେ ମିଳିମିଶି ଚୀନାମାନଙ୍କ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରୁଛନ୍ତି । ସଂଗ୍ରାମ କରିବାକୁ ଉତ୍ତରୋତ୍ତର ଉତ୍ତେଜିତ ହୋଇ ସମସ୍ତଙ୍କୁ ଉତ୍ସାହିତ କରୁଛନ୍ତି । ଏପରି କ୍ଷେତ୍ରରେ ଯଦି ଗୋଟିଏ ଚୀନାଲୋକ ଆଖି ଆଗରେ ପଡ଼େ ଟେକା ପଥର ଫୋପାଡ଼ି ତା’ର ପ୍ରାଣ ଗୋଟିଏ ମୁହୂର୍ତ୍ତରେ ମଧ୍ୟ ନେଇ ଯାଇପାରିବେ । କିନ୍ତୁ ଏମାନଙ୍କ ପକ୍ଷରେ କେହି ନାହିଁ । କାହା ହାତରେ କିଛିହେଲେ ଅସ୍ତ୍ର ଶସ୍ତ୍ର ନାହିଁ । ତାଙ୍କପାଇଁ ପଦେ ହେଲେ କହିବାକୁ ମଧ୍ୟ କେହି ନାହିଁ । ଏମାନେ ଭାରତୀୟ ନାଗରିକ ବୋଲି ଚିତ୍କାର କରି କରି ଭାରତୀୟ ସାର୍ଟିଫିକେଟ ଯେତେ ଦେଖାଇଲେ ମଧ୍ୟ ଏମାନଙ୍କ କଥା ଏଠାରେ ଶୁଣିବାକୁ କିଏ ଅଛି ? ଏମାନଙ୍କ ପାଇଁ କୋର୍ଟ କଚେରିରେ ଲଢ଼ିବ ? ପୁଣି ଲଢ଼ିକରି କ’ଣ ଲାଭ । ଏମାନଙ୍କ ମଧ୍ୟରୁ ଜଣେ କେହି ମରିଗଲେ ବରଂ ସମସ୍ତେ ଖୁସି ହେବେ ଅଧିକ । ଏମାନଙ୍କ ଛାଇ ପଡ଼ିଲେ ସମସ୍ତଙ୍କ ନାହି ଡେଇଁବା ସ୍ଵାଭାବିକ । କିଏ କହୁଥିବ ଯେ ଏଇଟା ଖାଲି ଗୁପ୍ତଚରଗିରି କରିବାକୁ ଏଠାରେ ଅଛି-। ଏଇଟାକୁ ମାରିଦିଅ । କିଏ କହିବ ଯେ କେବଳ ଏ ଦେଶକୁ କ୍ଷତିରେ ପକାଇବାକୁ ଏଠାରେ ଇଏ ପାଦ ପକାଇଛି । ଏହାକୁ ଶୀଘ୍ର ତଡ଼ । କିଏ କହିବ ଯେ ଏଗୁଡ଼ାକୁ କେବେହେଲେ ବିଶ୍ଵାସ କରିବ ନାହିଁ । ଏମାନଙ୍କ ଘର ଖାନ୍‍ତଲାସ୍‍ ହେବା କଥା । ଏମାନଙ୍କ ଘରୁ ସମସ୍ତ ଅସ୍ତ୍ର ଶସ୍ତ୍ର କାଢ଼ିଆଣି ସବୁ ଜିନିଷ ବ୍ୟାଜ୍ୟାପ୍ତି କରି ଏମାନଙ୍କୁ ଜେଲରେ ରଖିବା କଥା । କିଏ କହିବ ଯେ ଏମାନଙ୍କ ଘର ଉପରେ ଚଢ଼ାଉ କରି ସବୁ ଲୁଟିନିଅ । କିଏ କହିବ ଯେ ଏମାନଙ୍କ ଘରେ ନିଆଁ ଲଗାଇ ଏମାନଙ୍କୁ ସେହିଥରେ ପୋଡ଼ି ପକାଅ ।

 

ଏତେ କଥା ଭାବି ଭାବି ଏକ ଭୟକ୍ରାନ୍ତ ମନରେ ଅର୍ଚ୍ଚିଡ଼୍‍ ଚାଲୁଥାନ୍ତି । କେହି ଯଦି ତାଙ୍କୁ ସାହାଯ୍ୟ ଦିଅନ୍ତା ସେ ବହୁତ ଉପକୃତ ହୁଅନ୍ତେ । ତାଙ୍କ ତଣ୍ଟି ଶୁଖି ଯାଇଥାଏ । ତାଙ୍କ ଜୋତା ପ୍ୟାଣ୍ଟ ଏବଂ କମିଜରେ ବାହାରର ଧୂଳି ଉଡ଼ି ଉଡ଼ି ବସି ଗଲାଣି ।

 

ଏହିପରି ଚାଲି ଚାଲି ଗୋଟିଏ ମାର୍କେଟ ପାଖକୁ ଆସିଲେ । ସେ ସେଠାରେ ଦେଖିଲେ ଯେ ଗୋଟିଏ ସ୍ଥାନରେ କେତକ ଲୋକ ଜମା ହୋଇଛନ୍ତି, କ’ଣ ଗୁଡ଼ାଏ ମଝିରେ ନିଆଁରେ ହୁତୁ ହୁତୁ ହୋଇ ଜଳୁଥାଏ । ଅର୍ଚ୍ଚିଡ଼୍‍ ତା’ ପାଖକୁ ଆସିଲେ । ସେଠାରେ ତ ଥାଏ ଲିଂଟାନ୍‍ଙ୍କ ଜୋତା ଦୋକାନ । ଏଥର ସେ ସେହି ଦୋକାନର ବହୁତ ନିକଟକୁ ଚାଲି ଆସିଲେ । ସେ ଯାହା ଟିକିଏ ପୂର୍ବରୁ ସନ୍ଦେହ କରୁଥିଲେ ଠିକ୍‍ ସେଇଆ ନିଜ ଆଖିରେ ଦେଖିପାରିଲେ ।

 

ଲିଂଟାନ୍‍ ଅନେକ ଦିନରୁ ସେଠାରେ ଜୋତା ଦୋକାନ ଦେଇଥିଲେ । ସେଠାରେ ସେ କେବଳ ଚାଇନିଜ୍‍ ଜୋତା ବିକ୍ରୟ କରୁଥିଲେ । କିନ୍ତୁ ଏଇଟା ଯୁଦ୍ଧ ସମୟ । ଭରତୀୟ ଛାତ୍ରମାନେ ମିଳିମିଶି ସେ ଦୋକାନ ଉପରେ ଚଢ଼ଉ କରି ସମସ୍ତ ଚାଇନିଜ୍‍ ଜୋତାକୁ ପୋଡ଼ି ପକାଇଲେ ନିଆଁରେ ଜଳାଇ ଜଳାଇ । ଲିଂଟାନ୍‍ ସେମାନଙ୍କ ବିରୁଦ୍ଧରେ କ’ଣ କରିବେ ଏକା ?

 

ମନର ଦୁଃଖ ମନରେ ଚାପି କିଛି ପ୍ରତିବାଦ କରିନପାରି ସେ ନୀରବ ହୋଇ ଛିଡ଼ା ହୋଇ ରହିଲେ ।

 

ସେ କେବଳ ଏତିକି କହିଥିଲେ, ‘‘ଆଜ୍ଞା ମୁଁ ହେଉଛି ଭାରତୀୟ । ମୁଁ ଭାରତର ଅଧିବାସୀ ହୋଇ ସାରିଛି । ମୁଁ ଆପଣଙ୍କର ଭାଇ । ଯଦି ଆପଣମାନେ ମୋ ଉପରେ ରାଗିଛନ୍ତି, ମୁଁ ଏ ବ୍ୟବସାୟ ବନ୍ଦ କରିଦେବି ତାହାଲେ, ଅନ୍ୟ ବ୍ୟବସାୟ ଆରମ୍ଭ କରିବି । ମୋ ପୂର୍ବପୁରୁଷର ଲୋକମାନେ ଚୀନ୍‍ ଦେଶର ଲୋକ ହେଲେ ମଧ୍ୟ ମୁଁ ବର୍ତ୍ତମାନ ଚୀନ୍‍ ଦେଶର ଲୋକ ନୁହେଁ । ମୁଁ ଭାରତୀୟ । ଆପଣମାନେ ମୋ ନିଜ ଭାଇ । ମୁଁ ଆପଣମାନଙ୍କ କଥା ମାନିବାକୁ ବାଧ୍ୟ । ଚୀନ୍‍ ଯେଉଁ ବର୍ବର ନଗ୍ନ ଆକ୍ରମଣ କରିଛି ଆମ ଦେଶ ଉପରେ, ମୁଁ ମଧ୍ୟ ତା’ର ଘୋର ପ୍ରତିବାଦ କରେ-। ମୁଁ ଆପଣଙ୍କ ହାତ ଧରି କାନ୍ଧକୁ କାନ୍ଧ ମିଳାଇ କାମ କରିବାକୁ ପ୍ରସ୍ତୁତ ।”

 

ତାଙ୍କ କଥା କେହି ଶୁଣି ନ ଥିଲେ । ସବୁ ଜିନିଷ ଜଳି ସାରିବା ପରେ ସମସ୍ତ ଛାତ୍ର ସେଠାରୁ ଚାଲି ଯାଉଥିଲେ । ଏକଥା ନିଜେ ତା’ ପାଖରେ ଛିଡ଼ା ହୋଇ ଅର୍ଚ୍ଚିଡ଼୍‍ ଦେଖୁଥିଲେ । ସମସ୍ତେ ଚାଲିଯିବା ପରେ ସେଠାରେ ଏକା ଛିଡ଼ା ହୋଇଥିଲେ ଲିଂଟାନ୍‍ ଏବଂ ଅର୍ଚ୍ଚିଡ଼୍‍ । ଅର୍ଚ୍ଚିଡ଼୍‍ ତାଙ୍କୁ ଆଗରୁ ଜାଣିଥିଲେ । ସେ ଦୁହିଁଙ୍କ ମଧ୍ୟରେ ବହୁତ ଦିନ ପୂର୍ବରୁ ଚିହ୍ନା ପରିଚୟ ଥିଲା । ବିଶେଷତଃ ସେ ଚୀନା ଲୋକ ବୋଲି ଏହା ସମ୍ଭବ ହୋଇଥଲା ।

 

ଅର୍ଚ୍ଚିଡ଼୍‍ ତାଙ୍କୁ ସହାନୁଭୂତିର ସହିତ ପଚାରିଲେ, ‘‘ଲିଂଟାନ୍‍ ! ତୁମର ଆଜି ଏସବୁ କିପରି ହେଲା ? ଦୋକାନ ବନ୍ଦକରି ଦେଲନି ?” ସେ ତାଙ୍କଆଡ଼େ ମୁହଁ ବୁଲାଇ ଉତ୍ତର ଦେଇଥିଲେ, “ଏପରି ଗୋଟିଏ କଥା ହେବ ବୋଲି ମୁଁ ପୂର୍ବରୁ ଜାଣିପାରିଥିଲି । ତେଣୁ ସେହିଦିନଠାରୁ ମୁଁ ଆଉ ଅଧିକ ଜିନିଷ ସେଠାରୁ ଆଣୁ ନ ଥିଲି । ସେଠାରୁ ମଧ୍ୟ ଖୁବ୍‍ କମ୍‍ ଜିନିଷ ପଠାଯାଉଥିଲା । କିଛି ପଠାଯାଉ ନ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନି । ଏ ଦୋକାନରେ ମଧ୍ୟ କିଛି ଅଧିକ ଜିନିଷ ସେପରି ନ ଥିଲା । ମୁଁ ମଧ୍ୟ ଆଗରୁ ଭାବିଥିଲି ସେଇଆ । ଏତକ ସବୁ ବିକ୍ରୟ ହୋଇ ସାରିବା ପରେ, ମୁଁ ଭାରତୀୟ କମ୍ପାନୀର ଜୋତା ବିକ୍ରି କରିବି ବୋଲି ସ୍ଥିର କରିଥିଲି । ସବୁ ବିକ୍ରି ହେବା ପୂର୍ବରୁ କିନ୍ତୁ ଏପରି ଗୋଟାଏ ଘଟଣା ଘଟିଗଲା; କିନ୍ତୁ ଏଥିରେ ମୁଁ ବିଶେଷ ଦୁଃଖିତ ନୁହେଁ । ବେଶୀ କିଛି ଜିନିଷ ନଷ୍ଟ ହୋଇନି । ଖୁବ୍‍ କମ୍‍ ଜିନିଷ ଥିଲା ମାତ୍ର ।”

“ଯାହାହେଉ ତୁମର ରକ୍ଷା ହୋଇଗଲା । କିନ୍ତୁ ମୋର ସର୍ବନାଶ ହୋଇଯାଇଛି ।”

“କ’ଣ ହୋଇଛି, ତୁମର ? ତୁମ ମୁହଁ କାହିଁକ ଶୁଖି ଯାଇଛି ଆଜି ଏମିତି ?”

“ତୁମେ ହେଲେ ବ୍ୟବସାୟ କରିଥିଲ । ହାତରେ ଟଙ୍କା ପଇସା ଥିଲା । ତୁମର ଯାହା କ୍ଷତି ହୋଇଛି, ତାହା ତୁମପାଇଁ କିଛି ନୁହେଁ ।

“ଏଗୁଡ଼ାକ ଆଦୌ ବାଧିବ ନାହିଁ । କିନ୍ତୁ ମୁଁ ତ ଏଠାରେ ଚାକିରି କରିନି କି ବ୍ୟବସାୟ କରିନି ।”

“କିନ୍ତୁ ତୁମର କ୍ଷତି କ’ଣ ହେଲା ? ତୁମେ ତ ଏପରି କିଛି ଦୋକାନ ଦେଇନ ଯେ ତୁମ ଦୋକାନକୁ ସମସ୍ତେ ପୋଡ଼ି ଦେବେ । ତୁମେ ଚାକିରି କରିନ ଯେ ତୁମକୁ ସମସ୍ତେ ମିଶି ଚାକିରିରୁ ବାହାର କରିଦେବେ !”

“ଚାକିରି ନ କଲେ ମଧ୍ୟ ଚାକିରିରୁ ତଡ଼ା ଖାଇବାଠାରୁ ବଳକା । ଏଠାରେ ମୋର ଘର ଅଛି ନା ଦ୍ଵାର ? ବାପ ଅଛି ନା ଭାଇବନ୍ଧୁ ? କିଏ ମୋ’ପାଇଁ ଅଛି ଯେ ମୁଁ ମରିଗଲେ ଆହା ବୋଲି ପଦେ କହିବ ! ଆଖିରୁ ଲୁହ ଗଡ଼ାଇ କିଏ ମୋ’ପାଇଁ କାନ୍ଦିବ ?”

“ତୁମେ ଏପରି କୁହନା, ତୁମର କ’ଣ ହୋଇଛି ?”

“ମୋତେ ଆଜି ସିଏ ଘରୁ ତଡ଼ି ଦେଇଛନ୍ତି ।’’

“କାହିଁକି ?”

“ମୁଁ ଚାଇନାରେ ଜନ୍ମ ବୋଲି ।”

‘‘ହେଲେ କ’ଣ ହେଲା ? ତୁମେ ତ ଭାରତୀୟ ।”

“ସେ କଥା କିଏ ବୁଝୁଛି ? ମୋରି ଯୋଗୁଁ କୁଆଡ଼େ ଏ ଯୁଦ୍ଧ ଲାଗିଛି । ଆମ ଜାତିଟା କୁଆଡ଼େ ଭାରି ଖରାପ ଜାତି । ଅସଭ୍ୟ ଓ ଅମଣିଷ ଜାତି । ମୁଁ ମରିଗଲେ ଖୁବ୍‍ ଭଲ ହୁଅନ୍ତା, ଏ ଅପମାନ ସବୁ ସହିକରି ବଞ୍ଚିରହିବା ଅପେକ୍ଷା ।”

“ଏଇଥିପାଇଁ ତୁମେ ରାଗରେ ଘର ଛାଡ଼ି ଚାଲି ଆସିଛ ?”

“ମୁଁ ଘର ଛାଡ଼ି ଆସିନି । ମୋତେ ବାଧ୍ୟ କରି ତଡ଼ିଦିଆ ଯାଇଛି ।”

‘‘ତୁମେ ଆସିଲ କୁଆଡ଼େ ? ଯାଉଛ କୁଆଡ଼େ ?”

“କୁଆଡ଼େ ଆସିବି ? ଯିବି କୁଆଡ଼େ ? ମରିବାକୁ ଯିବି । ପ୍ରଥମେ ଦେଖିବି; ବଞ୍ଚିବାକୁ ଚେଷ୍ଟା କରିବି; ଯଦି ନ ପାରିବି, ଶେଷକୁ ମରିବି ।

“ତୁମେ ମରିବ କାହିଁକି ? ସେପରି ଖରାପ କଥା ବଞ୍ଚିଥିବା ଅବସ୍ଥାରେ କିଏ ପାଟିରେ ଧରେ ? ଆଚ୍ଛା, ରକେଶ୍‍ ବାବୁ ତ ସେମିତି ଖରାପ ପ୍ରକୃତିର ଲୋକ ନୁହଁନ୍ତି । ତାଙ୍କ ବ୍ୟବହାର ତ ବହୁତ ଭଲ ।”

“ନା ନା, ସେ ଖୁବ୍‍ ଭଲଲୋକ । ସେ ମୋତେ ତଡ଼ି ଭଲ କରିଛନ୍ତି–ଏଇଆ କହିବାକୁ ଚାହୁଁଛ କି ?”

Unknown

“ନା ନା, ସେ କଥା ମୁଁ କହୁନି । ତୁମେ ଅଧିକ ଉତ୍ତେଜିତ ହୁଅନା । ମୁଁ ତାଙ୍କ ପାଖକୁ ଯାଇ ସବୁ ବୁଝିବି । ଏ ବିଷୟ ଥରେ ପଚାରିବି । ତୁମେ ରହିବ ବର୍ତ୍ତମାନ କେଉଁଠାରେ ? ହଉ, ତୁମେ ବ୍ୟସ୍ତ ହୁଅନି ତୁମର ତ ଏଠାରେ ଚିହ୍ନା ପରିଚୟ ନାହିଁ । ଆମ ଜାତିର ଲୋକ ଏ ଅଞ୍ଚଳରେ ବହୁତ କମ୍‍ । ମୁଁ ତୁମକୁ ଯେଉଁଠି ହେଲେ ରଖିଦେବି । ମୁଁ ତ ଏକୁଟିଆ ଲୋକ । ମୋ ପାଖରେ ରହିବା ତୁମ ପକ୍ଷରେ ସମ୍ଭବ ନୁହେଁ । ମୁଁ ତୁମକୁ ଗୋଟିଏ ଭଡ଼ାଘରେ ରଖାଇ ଦେବି । ତୁମପାଇଁ ମୁଁ ବର୍ତ୍ତମାନ ଅଳ୍ପ କିଛି ଦିନ ନିଜେ ଚଳିବାକୁ ନିଶ୍ଚୟ ଚାକିରିଟିଏ ମଧ୍ୟ ଖୋଜି ଦେବି ।”

“ସତ କହୁଛ ଲଂଟାନ୍ । ତୁମେ ମୋତେ ଏତେ ସାହାଯ୍ୟ ଦେଇପାରିବ ?”

“କାହିଁକ ଦେଇ ନ ପାରିବି ? ଏଇଟା କ’ଣ ଗୋଟିଏ ବହୁତ ବଡ଼ ଧରଣର ସାହାଯ୍ୟ ? ମଣିଷକୁ ସାହାଯ୍ୟ କରିବା ମଣିଷର ଧର୍ମ । ତୁମେ ଯଦି ବିପଦରେ ପଡ଼ିଛ, ମୁଁ ତୁମ ଜାତିର ଲୋକ ହେଇ ତୁମକୁ କ’ଣ ଅଧିକ ବିପଦ ମଝିକୁ ଠେଲି ଦେବି ? ତୁମେ କ’ଣ ଏଇ ଅବସ୍ଥାରେ ଆସିଛ ? ତୁମ ପାଖରେ ତ କିଛି ନାହିଁ ।”

“ମୋ ପର୍ସ ମଧ୍ୟ ମୁଁ ଆଣିନି । ଯେତିକି ପିନ୍ଧିଛି, ସେତିକି ମୋର ନିଜର ।”

“ବହୁତ ଶୋଚନୀୟ ଅବସ୍ଥା ତୁମର ।”

“ତୁମର ଅବସ୍ଥା ମଧ୍ୟ କମ୍‍ ଶୋଚନୀୟ ନୁହେଁ ।”

 

(୧୨)

 

ଅର୍ଚ୍ଚିଡ଼୍‍ ଚୁଲା ପାଖରେ ବସି ରୋଷେଇ କରୁଥିଲେ । ହଠାତ୍‍ ଲିଂଟାନ୍‍ ଘର ମଧ୍ୟକୁ ପଶି ଆସିଲେ । ହାତରେ ଧରିଥାନ୍ତି କିଛି କନାପଟା । ଅର୍ଚ୍ଚିଡ଼୍‍ ତାଙ୍କଆଡ଼କୁ ଚାହିଁ ପଚାରିଲେ, “ଏଗୁଡ଼ାକ କ’ଣ ?”

 

“ନା, କିଛି ନୁହେଁ । ତୁମପାଇଁ କଛି ପୋଷାକ । ଆଉ ଗୋଟିଏ ବେଡ଼୍‍ସିଟ୍‍ ।”

 

ମୁହଁକୁ ମାରି ଅର୍ଚ୍ଚିଡ଼୍‍ କହିଲେ, ‘‘ତୁମକୁ ମୁଁ କାହିଁକି ଏତେ ଖର୍ଚ୍ଚାନ୍ତ କଲି ? ତୁମେ କାହିଁକ ମୋ’ପାଇଁ ଏସବୁ ଆଣିଲ ? ମୁଁ ତ ଚଳିଯାଉଥିଲି ।’’

 

“କିପରି ଚଳୁଥିଲ ? ତୁମର ତ ଗୋଟିଏ ପେୟାର୍‍ ଡ୍ରେସ୍‍, ଗାଧୋଇ ସାରି ବଦଳବାକୁ କଛି ନାହିଁ ବୋଲି ଓଦା ପୋଷାକ ପିନ୍ଧିଥିଲ । ତା’ପରେ ମୋ ପୁରୁଷ ଡ୍ରେସ୍‍ ମଧ୍ୟ ବାଧ୍ୟହୋଇ ପିନ୍ଧିଲ, ଅଧିକ ଆଣି ନ ଥିଲ ।”

 

“ହଉ, ଭଗବାନ ତୁମର ଶୀଘ୍ର ମଙ୍ଗଳ କରିବେ ।”

 

ହସି ହସି ଲଂଟାନ୍ କହିଲେ, “ମୁଁ ଗୋଟିକିଆ ମଣିଷ । ଏ ଘରଟା କେବଳ ଜଣେ ଲୋକ ଚଳିବା ପରି । ଛୋଟ ଘର । କମ୍‍ ଭଡ଼ାର ଘରଟିଏ ମୋ’ପାଇଁ ବାଛିଥିଲି । ଦୁଇଜଣ ଚଳିବା ପରି ଏଇଟା ଘର ନୁହେଁ, ଦି’ଜଣ ଚଳବାକୁ ହେଲେ ଏହାଠାରୁ ବଡ଼ ଘର ଦରକାର । କାଲି ମୁଁ ତୁମପାଇଁ ଗୋଟିକିଆ ଭଡ଼ାଘରଟିଏ ବହୁତ ଖୋଜିଲି, ମିଳିଲା ନାହିଁ । ତେଣୁ ତୁମେ ବାଧ୍ୟହୋଇ ଏଠାରେ ରହିଲ । ଗରିବ କୁଟୀର ।”

 

“ହଉ ।”

 

“ଛୋଟ ଘର, ମଇଳା ଘର । ସବୁ ଜିନିଷ ଇଆଡ଼େ ସିଆଡ଼େ ଫୋପଡ଼ା ହୋଇଥାଏ । କେବେହେଲେ ଏସବୁର ମୁଁ ଯତ୍ନ ନିଏ ନାହିଁ । ତୁମକୁ ଏ ମଇଳାପୂର୍ଣ୍ଣ ଘରଟା ଖରାପ ଲାଗୁଥିବ । ମୋତେ ସେଇଥିପାଇଁ ତୁମକୁ ଏଠାକୁ ଆଣିବାକୁ ଖରାପ ଲଗିଥିଲା । ତୁମେ ଆଗରୁ ଭଲ ଘରେ ଚଳି ଆସିଛ । ନିଶ୍ଚୟ ଖରାପ ଲାଗିବ ।”

 

“କିଏ କହିଲା ? ମୋତେ ଏଠାରେ ଖୁବ୍‍ ଭଲ ଲାଗୁଛି । ଏଠି ଯଦି ମୁଁ ସବୁଦିନ ରହନ୍ତିନା, ମୋତେ ଏଇଟା ସ୍ଵର୍ଗପରି ଲାଗନ୍ତା । ଏ ଘର ତ ଆଦୌ ମଇଳାପୂର୍ଣ୍ଣ ନୁହେଁ । ଯଦି ଜିନିଷପତ୍ରର ସମୟ ଅଭାବରୁ ଯତ୍ନ ନିଆଯାଇପାରୁନି, ମୁଁ ସେଗୁଡ଼ିକୁ ଦେଖିବାକୁ ତ ଏଠାରେ ରହିବି । ମୁଁ ତ କମ୍‍ ସେ କମ୍‍ ତୁମପାଇଁ ରୋଷାଇ ମୁଠିଏ କରିଦେଇପାରିବି, ଯେଉଁଟା କି ତୁମେ ଆଗରୁ ନିଜେ କରୁଥିଲ । ତା’ଛଡ଼ା ତୁମେ ଯଦି ମୋ’ପାଇଁ ଚାକିରିଟିଏ ବୁଝିପାରିବ, ମୁଁ ବହୁତ ଖୁସି ହେବି ।”

 

“ତୁମେ କଛି ବ୍ୟସ୍ତ ହୁଅନି । ସବୁ ଆପେ ଆପେ ହୋଇଯିବ । ମୁଁ ନିଜେ ଯାଇ ସବୁ ସୁବିଧା ତୁମପାଇଁ କରାଇଦେବି । ତୁମର ଟିକିଏ ହେଲେ ଅସୁବିଧା ହେବ ନାହିଁ । ମୁଁ କାଲି ଏ ବିଷୟ ନେଇ ରାକେଶ୍‍ ବାବୁଙ୍କ ପାଖକୁ ନିଶ୍ଚୟ ଯିବି ।”

 

“ତାଙ୍କ ପାଖକୁ ଆଉ କାହିଁକି ଯିବ ? ସେ ତ ମୋତେ ତଡ଼ି ଦେଲେ ।”

 

“ସେ ତ ଡାଇଭୋର୍ସ କରି ନାହାଁନ୍ତି !”

 

“ଡାଇଭୋର୍ସଠାରୁ ତ ବଳକା ହୋଇଯାଇଛି ।”

 

“କିନ୍ତୁ ତୁମର ପୁଅ ଅଛି ।”

 

‘‘ମୁଁ କ’ଣ ମନାକଲି ? ସେ ପୁଅ ତ ମୋର । ତାଙ୍କର ନୁହେଁ । ତାଙ୍କର ଏ ପୁଅ ଉପରେ କିଛିହେଲେ ଅଧିକାର ନାହିଁ ବୋଲି ମୁଁ ନିଶ୍ଚୟ ଯୁକ୍ତି ଦେଖାଇବି ।”

 

“କାହିଁକ ?”

 

“ମୁଁ ଥିବା ଅବସ୍ଥାରେ ଅର୍ଥାତ୍‍ ମୋ ଆଖି ଆଗରେ ସେ ମୋତେ ଅପମାନ ଦେଇଛନ୍ତି । ମୋ ଆଗରେ ସେ ଗୋଟିଏ ଝିଅକୁ ଡାକିଆଣି ପ୍ରେମ କରିଛନ୍ତି । ସେ ତାଙ୍କୁ ବିବାହ କରିବେ । ସେ ପ୍ରତିଶ୍ରୁତିବଦ୍ଧ ହୋଇଯାଇଛନ୍ତି ।”

 

“ଏସବୁ ତୁମେ କ’ଣ କହୁଛ ?”

 

“ମୁଁ ମିଛ କହୁନି । ତୁମେ ତାଙ୍କ ପାଖକୁ ଯାଇ ଏସବୁ ବିଷୟ ପରୀକ୍ଷା କରି ନେଇ ଆସିପାର, ମୁଁ ଯାହା କହିଗଲି ସବୁ ଠିକ୍‍ ନା ଭୁଲ୍‍ ।’’

 

‘‘ସେ କ’ଣ ପ୍ରକୃତରେ ତାଙ୍କୁ ବିବାହ ହେବେ ?”

 

“ମୁଁ ନ ହେଲେ କାହିଁକ ତଡ଼ା ଖାଇଲି ?”

 

“ଏ ତ ବଡ଼ ଅନ୍ୟାୟ କଥା ! ତଥାପି ମୁଁ ତାଙ୍କ ପାଖକୁ ଯିବି । ସବୁ ବିଷୟ ବୁଝି ପଚାରିବି ।”

 

“ଆଉ ଯାଇ କିଛି ଲାଭ ନାହିଁ । ସେ କଛି ବଦଳିବେ ନାହିଁ କି ମୁଁ ଆଉ ବଦଳିବି ନାହିଁ । ସେ ମୋତେ ବହୁତ ଖରାପ, ବ୍ୟବହାର ଦେଖାଇଛନ୍ତି, ବହୁତ ହୀନାବସ୍ଥା କରିଛନ୍ତି । ଯିବ ଯଦି ଯାଅ ।”

 

“ଆମେ ଚେଷ୍ଟା କରିବା । ହେଲେ ହେଲା, ନ ହେଲେ ନ ହେଲା । ତାଙ୍କୁ ଯେପରି ଝିଅ ମିଳିଲା, ତୁମକୁ କ’ଣ ପୁଅ ମିଳିବନି ? ମୁଁ ପଚାରିବି ଏ ବଷୟ । ବୁଝିବି ତାଙ୍କ ମତଲବ କ’ଣ ? ଆଉ ସେ ତୁମକୁ ରଖିବେ କି ନା ?”

 

“ସେ ଆଉ କାହିଁକି ଗ୍ରହଣ କରିବେ ? ସେ ଏବେ ଆଉ ମୋର କ’ଣ ? ସେ ପଚାରି ବୁଝିଛନ୍ତି ମୁଁ କେଉଁଠି ଅଛି, କ’ଣ ଖାଇଲି, କେଉଁଠି ଶୋଇଲି ?”

 

‘‘ତୁମେ ଅଧିକ ବ୍ୟସ୍ତ ହୁଅନି । ସେଇଟା ସେମିତ ହୁଏ ସମସ୍ତଙ୍କ ଜୀବନରେ । ଏମିତ ଗୋଟିଏ ବୈବାହିକ ଜୀବନ ନାହିଁ, ଯେଉଁଥିରେ କଳିତକରାଳ ନାହିଁ ।”

 

(୧୩)

 

ବାହାର ଲୋକଙ୍କ ସାହାଯ୍ୟରେ ଅନୁପ ବାବୁଙ୍କ ମା’, ସ୍ତ୍ରୀ, ଦୁଇପିଲା ଏବଂ ଚାକରାଣୀଙ୍କ ଶବଦାହ କରାଯାଇଥିଲା । ବୈଦ୍ୟୁତିକ ଚୁଲା ସାହାଯ୍ୟରେ ଏ ଶବଦାହ କାର୍ଯ୍ୟ ସମ୍ପନ୍ନ ହେଲା, ମାତ୍ର ଏ କାର୍ଯ୍ୟ ସମୟରେ ସେ ଉପସ୍ଥିତ ନ ଥିଲେ । ବାହାର ଲୋକେ ବାଧ୍ୟହୋଇ ଏ କାର୍ଯ୍ୟ କରିଥିଲେ । ତାଙ୍କର ପତ୍ତା ମିଳିଲାନି । ଅରୁଣାକୁ ରାକେଶ୍‌ ବାବୁ ନିଜ ଘରକୁ ଆଣିଥିଲେ-। ଅନୁପ ବାବୁ କୁଆଡ଼େ ଗଲେ ସେ ମଧ୍ୟ ବହୁତ ଖୋଜିଥିଲେ । କିଛିଦିନ ପରେ ସେ ଖବର ପାଇଲେ ଯେ ଅନୁପ ବାବୁ ମଝିରେ ମଝିରେ ସେ ଭଙ୍ଗାଘରକୁ ଆସୁଛନ୍ତି । କେବଳ ସେ ସେଠାରେ ବିଶ୍ରାମ କରୁଛନ୍ତି । ସେ କିନ୍ତୁ ଏଠାକୁ ସବୁଦିନ ଆସୁନାହାଁନ୍ତି । ଏଇ ମନ୍ଦିର ସେ ନିଜେ ତିଆରି କରିଥିଲେ ଏତେ ପଇସା ଖର୍ଚ୍ଚକରି । ତାଙ୍କର ତ ଘର ନାହିଁ । ସେ କେଉଁଠାରେ ରହିବେ ? କେଉଁଠାରେ ଶୋଇବେ ? ମନ୍ଦିରଟା ଠିକ୍‍ ତାଙ୍କ ନିଜ ଘରପରି ତାଙ୍କପାଇଁ କାମ ଦେଇଥାଇପାରେ-। ଅଧିକାଂଶ ସମୟ ଦିନ ଦୁଇଟାରେ ଏଠାକୁ ଆସି ଘଣ୍ଟାଏ ଦୁଇଘଣ୍ଟା ଶୋଇ ପୁଣି ଚାଲିଯାଆନ୍ତି ଜିପରେ ବସି । କାହାକୁ କିଛି କୁହନ୍ତିନି । କେହି ତାଙ୍କ ବିଷୟରେ କଛି ଜାଣିପାରନ୍ତିନି ।

 

ଠିକ୍‍ ଏହିପରି ଦିନେ ଦୁଇଟା ସମୟରେ ଅରୁଣାଙ୍କୁ ନେଇ ରାକେଶ୍‍ ବାବୁ ଏହି ମନ୍ଦିରକୁ ଆସିଲେ । ପ୍ରକୃତରେ ସେ ସମୟରେ ଅନୁପ ବାବୁ ସେଠାରେ ନିଦରେ ଶୋଇ ପଡ଼ିଥିଲେ । ମନ୍ଦିରର ସିଡ଼ି ପାଖରେ ଜିପ୍‌ଟି ରଖାଯାଇଛି । ଦୁହେଁ ଭିତରକୁ ଯାଇ ପ୍ରଥମେ ପରମେଶ୍ଵରଙ୍କ ବିଗ୍ରହ ନିକଟରେ ବସି ଭକ୍ତିପୂର୍ଣ୍ଣ ଭାବରେ ପ୍ରାର୍ଥନା କଲେ ।

 

ତା’ପରେ ରାକେଶ୍‍ ବାବୁ ମନ୍ଦିରର ବାହାର ବେଢ଼ା ଉପରେ ଶୋଇଥିବା ଅନୁପଙ୍କ ପାଖରେ ବସି ଡାକଲେ–‘‘ଅନୁପ, ଅନୁପ ଅନୁପ !”.

 

ତାଙ୍କୁ ହଲାଇ ହଲାଇ ସେ ଅନେକ ଡାକିଲେ । ମାତ୍ର ସେ ଉଠିଲେ ନାହିଁ । ତାଙ୍କ ପାଖକୁ ଆସି ଅରୁଣା ମଧ୍ୟ ଡାକିଲେ, ‘‘ଭାଇ, ଭାଇ, ଅନୁପଭାଇ ! ମୁଁ ଅରୁଣା, ମୁଁ ତୁମକୁ ଡାକିବାକୁ ଆସିଛି । ଭାଇ, ମୋ କଥା ଟିକେ ଶୁଣ ଭାଇ !” ସେ ଅନେକ ଡାକିଲେ । କେହି ଶୁଣିଲେନି । ତାଙ୍କ ଅଣ୍ଟାରେ ଗୋଟିଏ ବନ୍ଧୁକ ପଡ଼ି ରହିଛି । ତାଙ୍କ ପାଟିରୁ ମଦଗନ୍ଧ ସ୍ପଷ୍ଟ ବାହାରି ଆସୁଥାଏ ।

 

ଅନେକ ସମୟପରେ ସେ ଆଖି ଖୋଲିଲେ । ସେ ଭଲଭାବରେ ଦେଖିପାରିଲେ ତାଙ୍କର ବାଲ୍ୟବନ୍ଧୁ ରାକେଶ୍‍ ବାବୁଙ୍କୁ ଏବଂ ତାଙ୍କ ସ୍ତ୍ରୀଙ୍କ ସାନ ଭଉଣୀ ଅରୁଣାଙ୍କୁ । ଏଥର ରାକେଶ୍‍ ବାବୁ କହିଲେ, “ଅନୁପ, ଆମେ ଦୁହେଁ ତୁମରି ପାଖକୁ ଆସିଛୁ ।”

 

ଅନୁପ କଛି କହିଲେ ନାହିଁ ।

 

ଅରୁଣା କହିଲେ, ‘‘ଭାଇ ତମର କ’ଣ ହେଲା ? ତମେ କାହିଁକି ଏମିତି ଗମ୍ଭୀର ହୋଇଯାଇଛ ? ତମେ କୁଆଡ଼େ ଯାଉଛ ଆମେ ଜାଣିପାରୁନୁ । ତମେ କିପରି ରହୁଛ, କ’ଣ ଖାଉଛ, ଏସବୁ କ’ଣ ଆମକୁ କହିବନି ?”

 

ଅନୁପ କିଛି କହିଲେ ନାହିଁ । ତା’ପରେ ସେ ଉଠି ବସିଲେ ।

 

ରାକେଶ୍‍ ବାବୁ କହିଲେ, ‘‘ଅନୁପ ! ତୁମେ କ’ଣ ମୋତେ ଚିହ୍ନିପାରୁନ ? ମୁଁ ତୁମ କ୍ଲାସମେଟ୍, ଅନ୍ତରଙ୍ଗ ବନ୍ଧୁ ରାକେଶ୍‍ । ମୋତେ ଥରେ ଦେଖି ଚିହ୍ନ । ମୁଁ ତୁମର କିଛି ଅପକାର କରିବାକୁ ଆସିନି । ମୁଁ ଆସିଛି ବୋଲି କିଛି ଖରାପ ଭାବ ନାହିଁ । ତୁମର ମୁଁ ହିତକାଙ୍‌କ୍ଷୀ ।

 

‘‘ତୁମର କିଛି କ୍ଷତି ମନାସି ମୁଁ ଆସିନି । ତୁମର ବହୁତ ଅସୁବିଧା ହେଉଥିବ ବାହାରେ ରହି । ଆସ ଆଜିଠାରୁ ଆମେ ଦୁଇଜଣ ସାଙ୍ଗ ହୋଇ ଆମରି ଘରେ ରହିବା । ତୁମର ସେଠାରେ ରହିଲେ କିଛି ଅସୁବିଧା ହେବନି ।”

 

ଅନୁପ ବାବୁ ନୀରବ ରହିଲେ ପୂର୍ବପରି । ପଦେହେଲେ କଥା ତାଙ୍କ ପାଟିରୁ ବାହାରିଲା ନାହିଁ ।

 

ଅରୁଣା କହିଲେ, “ଭାଇ, ତମର କ’ଣ ହୋଇଛି ? ତମେ କାହିଁକି କଥା କହୁନ ? ମୋତେ କ’ଣ ଚିହ୍ନି ପାରୁନ ଭାଇ ! ମୁଁ ତ କିଛି ଜାଣିପାରୁନି । ମୋ ଉପରେ ତମେ ରାଗିଯାଇଛ ନିଶ୍ଚୟ । ସେଇଥିପାଇଁ ଆମକୁ କଥା କହୁନ । ମୁଁ ଯଦି ତୁମର କିଛି ଦୋଷ କରଛି ତୁମେ କ’ଣ କ୍ଷମା ଦେବନି ? ଭାଇ, କୁହ ଭାଇ ! ତୁମେ କଥା କହିପାରୁନ । ବହୁତ ଦୁଃଖ ହୋଇଛି ତୁମକୁ । ଏତେବଡ଼ ଘର ଚୂନା ହୋଇଗଲା । ନାନୀ ଚାଲିଗଲା । ମା’ ଚାଲିଗଲେ । କିରଣ ହୀରା ଚାଲିଗଲେ । ଏଇଥିପାଇଁ ତମେ ଦୁଃଖ କରି କଥା କହୁନ କାହାକୁ ।”

 

ଅରୁଣାଙ୍କ ଆଖିରେ ଲୁହ ଦେଖାଦେଲା ।

 

ତଥାପି ତାଙ୍କ ପାଟିରୁ କିଛିହେଲେ କଥା ବାହାରିଲା ନାହିଁ । ରାକେଶ୍‍ କହିଲେ, ‘‘ଅନୁପ-! ମୋତେ କଥା କୁହ । ହଁ, କହିବାକୁ ଚେଷ୍ଟା କର । ତୁମର କିଛି ହେବନି । ମୁଁ ତୁମକୁ ବହୁତ ରିକ୍ୱେଷ୍ଟ କରୁଛି ବନ୍ଧୁ ! ମୋ କଥାଟି ରକ୍ଷାକର । ଅନୁପ…. !”

 

ତା’ପରେ ହଠାତ୍‍ ଅନୁପ ବାବୁ ଉଠିଲେ । ବନ୍ଧୁକକୁ ନିଜ ମୁଠା ମଧ୍ୟରେ ଧରି କୁଆଡ଼େ ନ ଅନାଇଁ ଆଗକୁ ଚାଲିଲେ । “ଅନୁପ ଅନୁପ !” ଠିଆ ହୋଇ ରାକେଶ୍‍ କହିଲେ । ଅନୁପ ପଛକୁ ଅନାଇଲେନି କି କିଛି କହିଲେ ନାହିଁ । ସେ ଜିପରେ ବସିଲେ । ତାଙ୍କ ପାଖକୁ ଚାଲିଆସି ଅରୁଣା କହିଲେ, ‘‘ଭାଇ ଭାଇ ! ତମେ ଚାଲିଯାଅନା ଆମକୁ ଏଠାରେ ଏକା ଏକା ଛାଡ଼ିଦେଇ ।”

 

ଅନୁପ କାହାକୁ କିଛି ନ କହି ଗାଡ଼ିରେ ଷ୍ଟାର୍ଟ ଦେଲେ । ଜିପ୍‌ଟି ତାଙ୍କ ଗନ୍ତବ୍ୟ ପଥରେ ଆଗେଇ ଚାଲିଲା । ଏ ଦୁହେଁ ଏଠାରେ ରହିଗଲେ ।

 

ଅରୁଣାଙ୍କ ଆଖିରୁ ଲୁହ ଝରିଆସିଲା । ସେ ରକେଶ୍‍ ବାବୁଙ୍କ‌ ଛାତିରେ ମୁଣ୍ଡ ରଖି ଅଧିକ ଜୋରରେ କାନ୍ଦିବାକୁ ଲାଗିଲେ । ତାଙ୍କ ନାନୀଙ୍କ କଥା ମନେପଡ଼ିଗଲା । ରାକେଶ୍‍ ବାବୁ ବୁଝାଇବାକୁ ଚେଷ୍ଟା କଲେ । ସେ ଆଖିରୁ ଲୁହ ପୋଛିଲେ । ଭଗବାନଙ୍କ ବିଗ୍ରହ ପାଖରେ ଦୁହେଁ କିଛି ସମୟ ବସି ପ୍ରାର୍ଥନା କରିଥିଲେ ।

 

ଦୁହେଁ ଘରକୁ ଚାଲି ଯାଇଥିଲେ । ଏହିପରି ଦୁଇ ଚାରିଥର ସେମାନେ ଆସି ଅନୁପ ବାବୁଙ୍କୁ ସାକ୍ଷାତ୍‍ କରିଥିଲେ । ସେ ତାଙ୍କୁ କୌଣସି ଥର ହେଲେ କଥାପଦେ କହି ନ ଥିଲେ । ପ୍ରତ୍ୟେକ ଥର ସେ ତାଙ୍କୁ ଛାଡ଼ି ଜିପରେ ବସି କୁଆଡ଼େ ଚାଲି ଯାଇଥିଲେ । ରାକେଶ୍‍ ବାବୁ ଅନେକ ଚେଷ୍ଟା କରିଥିଲେ ତାଙ୍କ ବିଷୟରେ ସମସ୍ତ ଖବର ସଂଗ୍ରହ କରିବାକୁ । ମାତ୍ର ପାରିନଥିଲେ । ସେ କୁଆଡ଼େ ଯାଉଛନ୍ତି, କେଉଁଠି ରହୁଛନ୍ତି, କ’ଣ ଖାଉଛନ୍ତି, କାହା ପାଖକୁ ଯାଉଛନ୍ତି ଏସବୁ କଥା କେହି ଜାଣିପାରିଲେ ନାହିଁ । ସେ ମଧ୍ୟ କାହାକୁ ପାଟି ଫିଟେଇ କଥାପଦେ କହିଥିବାର ବା କାହାଆଡ଼େ ଅନାଇଁ ଥିବାର ଖବର ମଧ୍ୟ ମିଳିଲା ନାହିଁ । ସମସ୍ତେ କୁହନ୍ତି ଯେ ତାଙ୍କ ଉପରେ ଏପରି ଅକସ୍ମାତ୍‍ ପଡ଼ିଥିବା ଦୁଃଖର ଏପରି ବିରାଟ ଚଡ଼କ ଯୋଗୁଁ ସେ ଏପରି ବଦଳି ଯାଇଛନ୍ତି ଓ କାହାକୁ କଥା କହୁନାହାଁନ୍ତି ।

 

ରାକେଶ୍‍ ବାବୁଙ୍କର ଚାଇନା ଉପରେ ରାଗ ଏଥିଯୋଗୁଁ ବହୁତ ଗୁଣରେ ବଢ଼ି ଯାଇଥାଏ-। ସେ ସ୍ଥିର କରିଛନ୍ତି ଗୋଟିଏ କଥା । ସେଇଟି ନିଶ୍ଚୟ ସଫଳ ହେବ ବୋଲି ତାଙ୍କର ଅଶା । ସେ ନିଶ୍ଚୟ ଦେଶପାଇଁ କିଛି ଗୋଟାଏ ବଡ଼ ଧରଣର ସାହାଯ୍ୟ କରିବେ । ତାଙ୍କ ପରିକଳ୍ପନାର ରୂପ ବାସ୍ତବ ଏବଂ ସଫଳ ରୂପ ଧାରଣ କରିବ । ତାଙ୍କର ଏଇଟା ହେବ ପରବର୍ତ୍ତୀ ପଦକ୍ଷେପ । ତାଙ୍କ ସ୍ତ୍ରୀ ଅର୍ଚ୍ଚିଡ଼୍‍ଙ୍କୁ ଘରୁ ତଡ଼ିବା ଥିଲା ତାଙ୍କର ପ୍ରଥମ ପଦକ୍ଷେପ । ଏଥିରେ ସେ ସମ୍ପୂର୍ଣ୍ଣଭାବରେ ସଫଳ ହୋଇଛନ୍ତି ।

 

ଲିଂଟାନ୍‍ ରାକେଶ୍‍ ବାବୁଙ୍କୁ ନମସ୍କାର କରି ତାଙ୍କ ଘର ଭିତରକୁ ଆସିଲେ । ରାକେଶ୍‍ ବାବୁ ତାଙ୍କୁ ପାଖରେ ବସାଇ ତାଙ୍କର ଆସିବାର ଉଦ୍ଦେଶ୍ୟ ପଚାରିଥିଲେ । ତାଙ୍କ ପାଖରେ ଅରୁଣା ମଧ୍ୟ ବସିଥିଲେ ।

 

ଲିଂଟାନ୍‍ କହିଥିଲେ, ‘‘ଆପଣ ଅର୍ଚ୍ଚିଡ଼୍‍ଙ୍କୁ ଏ ଘରୁ ତଡ଼ି ଦେଇଛନ୍ତି, ଏ କଥା କ’ଣ ସତ-?”

 

“ଅଚ୍ଚିଡ଼୍ କ’ଣ ତୁମରି ପାଖରେ ବର୍ତ୍ତମାନ ଅଛନ୍ତି ?”

 

“ହଁ, ସେ ଆଉ କେଉଁଠି ରହିବେ ?”

 

‘‘ମୁଁ ତାଙ୍କୁ ତଡ଼ିନି । ସେ ନିଜ ଇଚ୍ଛାରେ ଏ ଘର ଛାଡ଼ି ଚାଲିଯାଇଛନ୍ତି ।”

 

“ଆପଣ ତାଙ୍କ ଆଗରେ ଅନ୍ୟ ଜଣେ ଝିଅକୁ ପ୍ରେମ କରିଥିଲେ ।”

 

ଅଧିକ ଉତ୍ତ୍ୟକ୍ତ ହୋଇ ରକେଶ୍‍ ବାବୁ କହିଲେ, “ହଁ ହଁ, କେବଳ ପ୍ରେମ କରିନି, ବିଭା ହୋଇଛି ମଧ୍ୟ । ଯାହାଙ୍କ ନିକଟରେ ମୁଁ ବସିଛି ବୋଲି ଆପଣ ଦେଖୁଛନ୍ତି ସେ ହେଉଛନ୍ତି ମୋର ବର୍ତ୍ତମାନର ସ୍ତ୍ରୀ ?”

 

“ଆପଣ ତ ଛାଡ଼ପତ୍ର ଦେଇ ନାହାଁନ୍ତି ।”

 

“ତା’ର ତ ବ୍ୟବସ୍ଥା ହୋଇଛି ।”

 

“ଆପଣଙ୍କର ଗୋଟିଏ ପୁଅ ଅଛି ଆପଣଙ୍କ ପୂର୍ବ ସ୍ତ୍ରୀଙ୍କ ଔରସରୁ । ତାଙ୍କୁ କ’ଣ ଆପଣ ଛାଡ଼ି ଦେବେ ତା’ ମା’ଙ୍କ ସହିତ ?”

 

‘‘କେବେ ନୁହେଁ, କିଏ ଦେଲା ଏ ଭୁଲ୍‍ ଧାରଣା ଆପଣଙ୍କୁ ? ମୁଁ ଦେଖିବି କିଏ ମୋ ପୁଅକୁ ମୋ’ଠାରୁ ଛଡ଼ାଇ ନେବ ! ତାଙ୍କର ମୋ ପୁଅଠାରେ ଟିକଏ ହେଲେ ବି ଅଧିକାର ନାହିଁ । ତାଙ୍କର ଯଦି ଶକ୍ତି ଅଛି ସେତିକି ତା’ହେଲେ ସେ ନିଅନ୍ତୁ ।”

 

“ସେ ଯଦି ଏଥିପାଇଁ ଅଦାଲତର ଆଶ୍ରୟ ନିଅନ୍ତି ?”

 

‘‘ଚୀନ୍‍ ଭାରତ ଉପରେ ଆକ୍ରମଣ କଲା । ଭାରତ କେଉଁ ଅଦାଲତକୁ ଆଶ୍ରୟ କରୁଛି-?”

 

“ଆପଣ ଏଇଥି ଯୋଗୁଁ ବୋଧହୁଏ ଅଧିକ ଉତ୍ତ୍ୟକ୍ତ ହୋଇଛନ୍ତି ଏବଂ ଆମକୁ ଓ ଆମ ଜାତିର ଲୋକଙ୍କୁ ଘୃଣା କରିଛନ୍ତି ?”

 

“ଠିକ୍‌ କରିଛି ଘୃଣା କରିଛି । ଏଇଥିପାଇଁ ହେଉ ଏବେ ।”

 

“କନ୍ତୁ ଏଇଟା ଆଦୌ ଭଲ ନୁହେଁ । ଆମେ ତ ବର୍ତ୍ତମାନ ଆପଣଙ୍କ ଭାଇ । ଆମେ ତ ସମସ୍ତେ ଭାରତୀୟ ।”

 

‘‘ପୂରା ଭାରତୀୟ । ସେଣ୍ଟ୍‍ ପରସେଣ୍ଟ୍‍ । ଟିକିଏ କାହିଁକି ?”

 

“ଆପଣଙ୍କ ଜନ୍ମ ମଧ୍ୟ ଭାରତରେ । ଆପଣଙ୍କ ଦେଶକୁ ଚୀନ୍‍ ଆକ୍ରମଣ କଲା । ଆମେ ନିଶ୍ଚୟ ଏହାର ପ୍ରତିବାଦ କରୁଛୁ ।”

 

‘‘ଆପଣମାନେ ଉପର ଦେଖାଣିଆ ପ୍ରତିବାଦ କରି ଭିତରେ ଭିତରେ ଚୀନ୍‍ ପାଇଁ ଗୁପ୍ତଚରଗିରି କରୁଛନ୍ତି ।”

 

‘‘ନା’ ଆଜ୍ଞା, ଗୋଟିଏ ଦେଶରେ ଚଳି, ସେ ଦେଶପାଇଁ ଆମେ କିପରି ହାରାମି କରପାରିବୁ ?”

 

‘‘ଯେଉଁ ଦେଶରେ ଜନ୍ମ ହୋଇଛନ୍ତି, ଯେଉଁ ଦେଶରେ ଆପଣଙ୍କ ପୂର୍ବ ପୁରୁଷମାନେ ଜନ୍ମ ହୋଇଛନ୍ତି, ସେ ଦେଶପାଇଁ ଆପଣ କିପରି ହାରାମି କରିବେ ?”

 

“ନା ଆଜ୍ଞା, ଆପଣଙ୍କର ଏସବୁ ଭୁଲ୍‍ ଧାରଣା ।”

 

“ଏଇଟା ମୋର ଭୁଲ୍‍ ଧାରଣା କି ଠିକ୍‍ ଧାରଣା ଏ ବିଷୟରେ ମୁଣ୍ଡ ଖେଳାଇବାକୁ ମୋର ସମୟ ନାହିଁ ।”

 

“ବାସ୍ତବିକ ମୁଁ ଆପଣଙ୍କ ପାଖକୁ ଆସି, ଆପଣଙ୍କର ବହୁତ ମୂଲ୍ୟବାନ୍‍ ସମୟ ନଷ୍ଟ କରି ବହୁତ ଭୁଲ୍‍ କରିଛି । ସେଥିପାଇଁ ବିଶେଷ ଦୁଃଖିତ ।”

 

“କେବଳ ଦୁଃଖିତ ବୋଲି କହିଦେଲେ ଚଳିଯିବନି । ଏଇଟା ଆପଣଙ୍କ ପକ୍ଷରେ ଗୋଟିଏ ଅକ୍ଷମଣୀୟ ଅପରାଧ । ମୁଁ ବୋଲି କ୍ଷମା ଦେଲି । ମୁଁ ଯଦି ଅନ୍ୟ କିଛି ବଡ଼ ଧରଣର ଅଫିସର୍‍ ହୋଇଥାନ୍ତି, ଆପଣଙ୍କୁ ପୋଲିସରେ ଦେଇଥାନ୍ତି । ଅଦାଲତ ଆପଣଙ୍କୁ ଜୋରିମାନା କରିଥାନ୍ତା । ମୁଁ ଯଦି ଗୋଟିଏ ଗୁଣ୍ଡା ଶ୍ରେଣୀୟ ଲୋକ ହୋଇଥାନ୍ତି, ତା’ହେଲେ ଆପଣଙ୍କୁ ଏହିଠାରେ ଏହି ଅବସ୍ଥାରେ ଗୁଳି କରି ମାରି ପକାଇଥାନ୍ତି ।”

 

“ମୁଁ ଯଦି ଏତେବଡ଼ ଭୁଲ୍‍ କରି ପକାଇଲି ତା’ହେଲେ ମୁଁ ଚାଲିଯିବାକୁ ପ୍ରସ୍ତୁତ, କିନ୍ତୁ ଆପଣ ଭୁଲି ଯାଆନ୍ତୁନି ଯେ ଅର୍ଚ୍ଚିଡ଼୍‍କୁ ବିଭା ହେବାପାଇଁ ବର ମିଳିବେ ନାହଁ ବୋଲି ଭାବିବା ଠିକ୍‍ ନୁହେଁ ।”

 

“ଆପଣ ନିଜେ ଅର୍ଚ୍ଚିଡ଼୍‌କୁ ବିଭା ହୋଇପାରନ୍ତି । ମୁଁ ସେଥିରେ ଟିକିଏ ହେଲେ ବ୍ୟସ୍ତ ନୁହେଁ ।”

 

“ଆପଣ ସଂଯତ ହୋଇ କଥାବାର୍ତ୍ତା କରନ୍ତୁ । ଏମିତି କ’ଣ ବ୍ୟବହାର କରାଯାଏ ?”

 

ଭୟଙ୍କର ଭାବରେ ଗର୍ଜନ କରି ରାକେଶ୍‍ ବାବୁ କହି ଉଠିଲେ, “ବାହାରିଯାଅ ଚାଇନା କୁକୁର ! ଚୋର, ପାଜି । ଗେଟ୍‍ ଆଉଟ୍‍ ଚାଇନା-ଏଜେଣ୍ଟ୍‍ ।”

 

ଅନ୍ୟ ଉପାୟ ନ ଦେଖି ଲିଂଟାନ୍‍ ଘରୁ ବାହାରି ଯାଇଥିଲେ ଚୁପ୍‍ ହୋଇ । ପରିସ୍ଥିତି ତାଙ୍କୁ ବାଧ୍ୟ କରିଥିଲା ।

 

ଲିଂଟାନ୍‍ ବାହାରିଯିବା ପରେ ରାକେଶ୍‍ ବାବୁ କହିଥିଲେ, “ଦେଖ ସେ ଲୋକର ସାହସକୁ । ତା’ ଘର କେଉଁ ଦେଶରେ ! ସେ ଏଠାକୁ ଆମ ଦେଶକୁ ଆସି ପୁଣି ମୋ ଘର ଭିତରେ ପଶି କିପରି କଥା କହୁଛି । କହିଲା......ଏପରି କ’ଣ ବ୍ୟବହାର ଦେଖାଯାଏ । ମୁଁ ପୁଣି ଅସଂଯତ ହୋଇ କଥା କହୁଛି ! ସତେ ଯେପରି ଏଇଟା ତାଙ୍କ ଦେଶ ଆଉ ମୁଁ ବାହାର ଅନ୍ୟ କେଉଁ ଦେଶରୁ ଆସି ତାଙ୍କ ଘରେ ଚାକିରି କରି ରହିଛି !” ଅରୁଣା କହିଲେ ଆପଣ ବହୁତ ଉତ୍ତେଜିତ ହୋଇ ପଡ଼ୁଛନ୍ତି । ଏଠାରେ ଆସି ବସନ୍ତୁ । ତାଙ୍କୁ ମଧ୍ୟ ଆପଣ ଯାହା କହିଛନ୍ତି ଭଲ ହେଲା । ଠିକ୍‍ କହିଛନ୍ତି, ତାଙ୍କର ଆଉ ଏଠାରେ ରହିବା ସମ୍ଭବ ହେଲା ନାହିଁ ।

 

“ସେ ଏଠାରେ ରହିବ ? ତା’ର ଆଉ କୋଉ ମୁହଁ ଅଛି ? ମୁଁ ତ ଯେମିତି ବତାଇଛି, ତା’ ବାପ ଯିଏ, ସେ ଛାଡ଼ି ଗୋଟିଏ ମୁହୂର୍ତ୍ତରେ ଚାଲିଯିବ । ତମେ ମତେ ଏଥର ତମେ ବୋଲି କୁହ, ସେପରି ଆପଣ ବୋଲି କହିବନି ।”

 

ଅରୁଣା ରାକେଶ୍‍ ବାବୁଙ୍କୁ ହାତ ଧରି ବସାଇଦେଲେ । ତା’ପରେ ସେ ତାଙ୍କ ଚାରି ପାଖରେ ନିଜର ହାତକୁ ଘେରାଇ ନିଜ ଦେହକୁ ତାଙ୍କ ଦେହ ସହିତ ପୂରା ମିଶାଇ ଦେଇ ହସି ହସି କହିଲେ “ମୁଁ ତୁମର ସ୍ତ୍ରୀ ବୋଲି ତାଙ୍କୁ ମୁହେଁ ମୁହେଁ ଜବାବ ଦେଲ । ଖୁବ୍‍ ଭଲ ହେଲା ।” ତାଙ୍କ ମଥାରେ ଚୁମାଦେଇ ସେ ହସି ହସି କହିଲେ ଯାହା ହୋଇଛି ଠିକ୍‍ ହୋଇଛି ।

 

“ମୁଁ ବରଂ ତାଙ୍କୁ ଅପେକ୍ଷାକୃତ ଭାବରେ ଅଧିକ ଭଲ ବ୍ୟବହାର ଦେଖାଇ ଛାଡ଼ିଛି । ତାକୁ ନିଶ୍ଚୟ ଦୁଇ ଚାପଡ଼ା ମାରିଥାନ୍ତା ଅନ୍ୟ ଯିଏ ହୋଇଥାନ୍ତା । ତାଙ୍କ ଜାତି ତ ହାରାମ୍‌ଜାଦା ଖାଇବାକୁ ମିଳୁ ନ ଥିଲା ସେଗୁଡ଼ାଙ୍କୁ । ନ ଖାଇ ନ ପିଇ ମରୁଥିଲେ । ଜାପାନୀମାନେ ଯେତେବେଳେ ଚୀନ୍‌କୁ ଆକ୍ରମଣ କରିଥିଲେ, ସେତିକିବେଳେ ମଜା ବାହାରୁ ଥିଲା ।”

 

“ହଁ ସତ କଥା, ସେଗୁଡ଼ାକ ଯେତେ ପ୍ରତିଜ୍ଞା କରି କଥା କହିଲେ ମଧ୍ୟ କେବେହେଲେ ବିଶ୍ୱାସ କରିବା କଥା ନୁହେଁ । କେତେବେଳେ ଯେ ସେମାନେ ଆମକୁ ପଛଆଡ଼ୁ ଛୁରି ଲଗାଇଦେବେ । ତାଙ୍କ ରକ୍ତ ହେଉଛି ଚାଇନା ରକ୍ତ । ସେମାନେ ଯେତେ ବାହାର ଦେଶରେ ରହିଲେ ସୁଦ୍ଧା ଚାଇନାପ୍ରତି ସେମାନଙ୍କର ଅନୁରକ୍ତି, ଭାବ କଟିବ ନାହିଁ । ସେମାନେ ଅନ୍ୟ ଦେଶ ଅପେକ୍ଷା ଚାଇନାକୁ ଅଧିକ ଭକ୍ତି ଓ ଶ୍ରଦ୍ଧା କରିବେ । ସେମାନେ ନିଶ୍ଚୟ ଚାଇନାକୁ ଫେରିଯିବା ପାଇଁ ଅଭିଳାଷ ନିଜ ନିଜ ମନ ମଧ୍ୟରେ ଗୋପନରେ ପୋଷଣ କରିଥିବେ । ମାତ୍ର ନିଶ୍ଚୟ ବାହାରକୁ ଅଲଗା କଥା କହି ଦେଖାଇ ହେବେ ଯେ ସେମାନେ ଚାଇନାର ଆକ୍ରମଣକୁ ନିନ୍ଦା କରନ୍ତି, ସେମାନେ ଭାରତୀୟ ଏବଂ ଭାରତୀୟମାନଙ୍କର ସପକ୍ଷରେ; କିନ୍ତୁ ଏଗୁଡ଼ାକ ସବୁ ଡାହା ମିଛ ।”

 

“ଲିଂଟାନ୍‍ ନ ହେଲେ କାହିଁକି ଆସନ୍ତା ଏଠାକୁ, ସେ କିଏ ? ମୁଁ କିଏ ? ତା’ର ମୋ ସହିତ କ’ଣ ସମ୍ପର୍କ ? ତାକୁ ମୁଁ ଚିହ୍ନେ ନା ଜାଣେ ?”

 

‘‘ତୁମେ କିଛି ଜାଣନା । ସେ ପରା ପୂର୍ବରୁ ଲିଂଟାନ୍‍କୁ ପ୍ରେମ କରୁଥିଲେ ?”

 

‘‘ନା ମିଛ କଥା ।”

 

“ଯଦି ମୋ କଥା ମିଛ, ତା’ହେଲେ ତାଙ୍କୁ ଯେତେବେଳେ ତୁମେ ତଡ଼ିଦେଲ, ସେ ତ କିଛିହେଲେ ଅସୁବିଧାରେ ପଡ଼ିଲେ ନାହିଁ । ତାଙ୍କୁ ଲିଂଟାନ୍‍ ସଙ୍ଗେ ସଙ୍ଗେ ସାହାଯ୍ୟ କଲେ । ସେ ପ୍ରେମ କରୁନଥିଲେ, କିପରି ଜଣେ ବାହାର ଲୋକଠାରୁ ଏପରି ସାହାଯ୍ୟ ପାଇପାରିଥାନ୍ତେ ? ସେ ନିଶ୍ଚୟ ଲିଂଟାନ୍‍ଙ୍କୁ ବୋଧହୁଏ ବିଭା ହେବେ । ଏଇଟା ବର୍ତ୍ତମାନର ଘଟଣାରୁ ସ୍ପଷ୍ଟ ଭାବରେ ଜଣା ପଡ଼ିଯାଉଛି ।”

 

“ବିଭା ହେଉ । ମୋର କିଛି କ୍ଷତି ହେବନି ।’’

 

“ତୁମେ ସେପରି ମୋତେ ବିଭା ହେବ ?”

 

“ଆଉ କେଉଁଥିପାଇଁ ତୁମକୁ ମୁଁ ଆଣିଛି ଏଠାକୁ ।”

 

ଦୁହେଁ ଏକ ସମୟରେ ହସିଉଠିଲେ ।

 

“ତୁମେ ମୋତେ ବିଭାହେଲେ ସେମିତି ତାଙ୍କର ମଧ୍ୟ କିଛି କ୍ଷତି ହେବନି”, ଅରୁଣା ଯୁକ୍ତି କରି କହିଥିଲେ ।

 

‘‘ତାଙ୍କର କ୍ଷତି ହେଉ କି ଲାଭ ହେଉ । ସେ ବିଷୟ ମୁଁ ଆଉ ଚିନ୍ତା କରିବାକୁ ପସନ୍ଦ କରେ ନାହିଁ । ତୁମେ ଆଉ ତା’ ନାଁ ଧରିବନି ମୋ ଆଗରେ । ସେ ଯେମିତି କାମ କରିଛି, ସେମିତି ଫଳ ପାଇଛି । ସେ କାହିଁକି ଏପରି ଆଚରଣ କରୁଥିଲା ?”

 

“ବହୁତ ଉଦ୍ଧତ ଝିଅଟିଏ । ତାକୁ ଏତେ ବଡ଼ ଓ ଭଲ ଘର ଗନ୍ଧାଇଲା । ବର୍ତ୍ତମାନ ତାକୁ ଉଚିତ ପୁରସ୍କାର ମିଳିଲା । ତେବେ କେଉଁ ଛୋଟିଆ ବସ୍ତି ଭିତରେ ଗନ୍ଧିଆ ପୋଚରା ଘରେ ଗୋଟିଏ ଜୋତା ଦୋକାନୀ ସାଙ୍ଗରେ ରହୁଥିବ ।”

 

ଲିଂଟାନ୍‍ ଯେତେବେଳେ ତାଙ୍କ ଘରକୁ ଫେରି ଆସିଲେ, ତାଙ୍କୁ ଅର୍ଚ୍ଚିଡ଼୍‌ ବହୁତ ଉତ୍କଣ୍ଠାର ସହିତ ଚାହିଁ ବସି ରହିଥିବାର ସେ ଦେଖିଲେ । ଲିଂଟାନ୍‍ କାହାକୁ କିଛି ନ କହି ଗମ୍ଭୀରତାର ସହିତ ତଳକୁ ମୁହଁ ପୋତି ବେଡ଼୍‍ ଉପରେ ବସିଲେ ।

 

ଅର୍ଚ୍ଚିଡ଼୍‌ କହିଥିଲେ, “ତୁମେ ତ ତାଙ୍କ ଘରକୁ ଯାଇଥିଲ, କ’ଣ ହେଲା ?”

 

‘‘କ’ଣ ହେବ ? ସେଇଆ ହେଲା, ତୁମେ ଯାହା କହୁଥିଲ, କେବଳ ସେଇଆ ନୁହେଁ, ତା’ଠାରୁ ଅଧିକ ମଧ୍ୟ ହୋଇଗଲା ।” ଲିଂଟାନ୍‍ କହିଲେ ।

 

ଅର୍ଚ୍ଚିଡ଼୍‌ ତାଙ୍କଆଡ଼କୁ ଅଶ୍ଚର୍ଯ୍ୟ ହୋଇ ଅନାଇଁ ରହିଲେ ।

 

“କ’ଣ ହୋଇଛି ?”

 

“ଯାହା ତ କହିଲେ କହିଲେ । ଶେଷକୁ ମୋତେ ଚାକର କୁକୁର ଭଳି ଗର୍ଜନ କରି ଘରୁ ତଡ଼ିଦେଲେ । କହିଲେ, ଗେଟ୍‍ ଆଉଟ୍‍ ।’’

 

‘‘ଛି ଛି, କି କଦର୍ଯ୍ୟ ବ୍ୟବହାର ।”

 

“ଆଉ ଗୋଟିଏ ମୁହୂର୍ତ୍ତ ରହିଥିଲେ ମୋ ଉପରେ ମାଡ଼ ମଧ୍ୟ ହୋଇଯାଇଥାନ୍ତା । କେଉଁ ବାବା ମଧ୍ୟ ପିଠିରେ ପଡ଼ି ନ ଥାନ୍ତା । ଚୋର ଚୋରି କରି ନେଇ ପଳାଇ ଯାଉଥିଲାବେଳେ ଧରାପଡ଼ିଲେ ଲୋକମାନେ ତାକୁ ଯେପରି ବ୍ୟବହାର ଦେଖାନ୍ତି ଓ କହନ୍ତି ଠିକ୍‍ ସେହିପରି ମୋତେ ସେ ବ୍ୟବହାର ଦେଖାଇଛନ୍ତି ।’’

 

“ମୁଁ ତ ପ୍ରଥମରୁ ମନାକରୁଥିଲି ତୁମକୁ ସେଠାକୁ ନ ଯିବାକୁ । ମୋ କଥା ନ ମାନି ଗଲ-। ଦେଖି କରି ଆସିଲ ତ ତାଙ୍କ ଭାବି ପତ୍ନୀଙ୍କୁ ?”

 

“ହଁ ଦେଖିଛି । ସେ ତ କହୁଛନ୍ତି ଯେ ସେ ବିଭା ହୋଇଯାଇଛନ୍ତି ତାଙ୍କ ସହିତ ।”

 

“ସେ ମୋତେ ବିଭା ହୋଇ କାହିଁକି ଅନୁତାପ କରିବ ? ମୁଁ ବରଂ ସେ ସ୍ଥାନ ଛାଡ଼ି ଆସିବା ଭଲ ବୋଲି ବିଚାରିଲି । ଆମ ଜାତିଟା ଯଦି ଏତେ ହୀନ, ଆମେ ଯଦି ଏତେ ଖରାପ, ତା’ହେଲେ ଆମେ ସେଠାରେ ରହିବାର କ’ଣ ଆବଶ୍ୟକତା ଅଛି ?”

 

“କେବଳ ସେତିକି କହି ଅପମାନ ଦେଇ ସେ ସନ୍ତୁଷ୍ଟ ନ ଥିଲେ । ଶେଷରେ ସେ କହିଲେ ତୁମେ ତାଙ୍କୁ ବିଭା ହୋଇପାର । ମୁଁ ତାଙ୍କୁ ଯେତେବେଳେ କହିଥିଲି, ଆପଣ ତାଙ୍କୁ ଛାଡ଼ି ଅନ୍ୟ ଝିଅକୁ ହାତେଇଲେ, ତାଙ୍କୁ ପୁଅ ମିଳିବେ ନାହିଁ ବୋଲି ଭାବିବା ଭୁଲ୍‍ । ମୁଁ ମଧ୍ୟ ତୁମ ପୁଅ ଉଜ୍ଜଳ କଥା ଉଠାଇଥିଲି । ସେ କହିଲେ ଯେ ସେ ଏକା ତାଙ୍କର । ତୁମ ପୁଅଠାରେ ତୁମର ଟିକିଏ ହେଲେ ଅଧିକାର ନାହିଁ ।”

 

ଅର୍ଚ୍ଚିଡ଼୍‌ ନୀରବ ରହିଲେ । ଗମ୍ଭୀର ହୋଇ ସେ ଅନେକ ସମୟ ବସିରହିଲେ । ନୀରବତା ଭଙ୍ଗ କରି ଲିଂଟାନ୍‍ କହିଲେ, “ବ୍ୟବହାର କାହାକୁ କୁହନ୍ତି, ଲୋକଟା ଆଦୌ ଜାଣେ ନାହିଁ । ସ୍ଵୟଂ ଭଗବାନ ତୁମକୁ ସାହା ହେବେ ।”

 

‘‘ମୋତେ ତୁମେ ସବୁପ୍ରକାର ସାହାଯ୍ୟ କରିଛ । ଏ ସାହାଯ୍ୟ ମୁଁ କଦାପି ଭୁଲି ନ ପାରେ । ମୋତେ ତୁମେ ଯଦି ମୋର ଏ ଅସମୟରେ ସାହାଯ୍ୟ କରି ନ ଥାନ୍ତ, ତାହାହେଲେ ମୋ ଅବସ୍ଥା ଯେ କ’ଣ ହୋଇଥାନ୍ତା ?”

 

‘‘ତୁମେ କିଛି ଚିନ୍ତା କର ନାହିଁ ।”

 

“ମୁଁ ଏଠାରେ ରହିବାଦ୍ୱାରା ତୁମର ବହୁତ ଅସୁବିଧା ହେଉଥିବ, ଶାନ୍ତିରେ ଟିକିଏ ଶୋଇପାରୁନଥିବ । ଘରଟା ବହୁତ ଛୋଟ । ଖୋଲା ଭାବରେ ଚଳିବାକୁ ଅସୁବିଧା ହେଉଥିବ ।”

 

“ନା ନା, ମୋ’ପାଇଁ କିଛି ତ ଅସୁବିଧା ହୋଇନି । କେବଳ ଏତିକି ପ୍ରଥମେ ମୋତେ ଟିକିଏ ଅଡ଼ୁଆ ଅଡ଼ୁଆ ଲାଗିଥିଲା । କାରଣ ମୋ ଜୀବନଯାକ ମୁଁ ଏକୁଟିଆ ଚଳି ଆସିଛି । କାହା ସହିତ ମିଶି ଚଳିନି ଏ ଘରେ । କୌଣସି ଝିଅ ସହିତ ଏକାଠି ଚଳିବା ମୋ ଜୀବନରେ ଏଇଟା ପ୍ରଥମ । ତା’ପରେ ବର୍ତ୍ତମାନ ଏସବୁ ଆଉ ସେତେ ଅଡ଼ୁଆ ଲାଗୁନି । ଅଭ୍ୟାସରେ ପରିଣତ ହୋଇ ଆସୁଛି ।’’

 

“ମୁଁ ସେଥିପାଇଁ ଦୁଃଖିତ । ସେ କଥା କ’ଣ ହେଲା ?”

 

“କେଉଁ କଥା ?”

 

“ମୋ’ପାଇଁ ତୁମେ ପରା ଗୋଟିଏ ଭଡ଼ାଘର ବୁଝୁଥିଲ ?”

 

“ହଁ ହଁ, ମୁଁ ସବୁଆଡ଼େ ପତ୍ତା ଲଗାଇଛି । ଆଜି ପର୍ଯ୍ୟନ୍ତ ମିଳିନାହିଁ । ମିଳିବା ପର୍ଯ୍ୟନ୍ତ ତୁମେ ତ ଏଠାରେ ନିଶ୍ଚୟ ରହିବ ।”

 

“ଯଦି କେବେ ନ ମିଳବ ?”

 

‘‘ସେଇଟା କିପରି କଥା ? ମିଳିବନି କାହିଁକି ? ତୁମପାଇଁ ପ୍ରଥମେ ଭଡ଼ାଘର ଖୋଜିବାଠାରୁ ତୁମପାଇଁ ଚାକିରିଟିଏ ଖୋଜିବା ବରଂ ଅଧିକ ଗୁରୁତ୍ୱପୂର୍ଣ୍ଣ ।’’

 

“ହଁ ସେଇଟା ତ ପ୍ରଥମ କଥା । କାରଣ ଘରଭଡ଼ା ଦେବାକୁ ଟଙ୍କା ଦରକାର । ସେ ଟଙ୍କାଟା ମୁଁ ମୋ ଚାକିରି ଦରମାରୁ ପାଇପାରିବି ।”

 

“ତୁମେ ଏକୁଟିଆ ଗୋଟିଏ ଜାଗାରେ ରହିଲେ ତୁମର କିଛି ଅସୁବିଧା ହେବିନି ତ ?”

 

“କାହିଁକି ?’’

 

“ବର୍ତ୍ତମାନ ହେଉଛି ଅସମୟ । ତୁମେ ଝିଅଲୋକ । ସବୁ ଭାରତୀୟମାନେ ଆମ ଉପରେ ରାଗୁଛନ୍ତି । କାଳେ କ’ଣ ହେବ ?”

 

“ହଁ ସେଇଟା ତ ଗୋଟିଏ କଥା । କିନ୍ତୁ ପରେ ସେମାନେ ସମସ୍ତେ ଆମ ବ୍ୟବହାର ଦେଖି ବଦଳିଯିବେ । ସେମାନଙ୍କର ଆମେ ଶତ୍ରୁ ବୋଲି ସେମାନେ ଭାବୁଛନ୍ତି । କିନ୍ତୁ ସମୟ ଆସିବ, ଯେତେବେଳେ ସେମାନେ ଏ କଥା ହୃଦୟଙ୍ଗମ କରିବେ ଯେ ଆମେ ହେଉଛୁ ସେମାନଙ୍କର ପବିତ୍ର ମିତ୍ର । ସେତେବେଳେ ଆମକୁ ସେମାନେ ମୁହୂର୍ତ୍ତେ ମଧ୍ୟ ପାଖ ଛାଡ଼ିବେନି । ଆମକୁ ସମ୍ମାନ ଦେବେ । ଆମ କଥା ମାନି ଚଳିବେ । ତାଙ୍କ ନିଜ ଦେଶର ଲୋକପରି ଆମକୁ ବର୍ତ୍ତମାନ ଯେଉଁ ଖରାପ ବ୍ୟବହାର ଦେଖାଉଛନ୍ତି, ସେଥିପାଇଁ ସେମାନେ ବହୁତ ଅନୁତାପ କରିବେ ଏବଂ ପରେ ଆମ ନିକଟକୁ ଆସି ଦୁଃଖ ପ୍ରକାଶ କରିବେ ।”

 

‘‘ଭବିଷ୍ୟତରେ କେଉଁଦିନ ତାହା ହେବ, ସେ କଥା ବର୍ତ୍ତମାନ କାହିଁକି ଚିନ୍ତା ପଡ଼ିଛି ? ବର୍ତ୍ତମାନ ଆମେ ମରୁଛେ ନା ବଞ୍ଚୁଛେ ସେ କଥା ପ୍ରଥମେ ଚିନ୍ତା କରିବା ଆବଶ୍ୟକ । ଆମେ ଯଦି ଭବିଷ୍ୟତ ପାଇଁ ବଞ୍ଚିବା, ତା’ହେଲେ ସେ କଥା ସିନା ସମ୍ଭବ ।”

 

“ଆମେ ବଞ୍ଚିବା ପାଇଁ ଚେଷ୍ଟା କରିବା ।”

 

‘‘ଆମେ ମରିବାକୁ ଯଦି ଥିବ ମରିବା, ବଞ୍ଚିବାକୁ ଯଦି ଥିବ ବଞ୍ଚିବା । ଏମାନଙ୍କୁ ଟିକିଏ ହେଲେ ବିଶ୍ୱାସ ନାହିଁ । କେଉଁ ମୁହୂର୍ତ୍ତରେ ଆମେ ଶୋଇଥିବା ସମୟରେ ଆମ ଘରେ ନିଆଁ ଲଗାଇ ଜିଅନ୍ତା ଜାଳିପୋଡ଼ି ମାରିପକାଇବେ, ସେକଥା କିଏ କହିବ ?”

 

‘‘ମୋତେ ତ ଭାରି ଭୟ ଲାଗୁଛି । ପ୍ରକୃତରେ ସେମାନେ ସମସ୍ତେ କ’ଣ ଏତେ ହିଂସ୍ର !”

 

“ବଞ୍ଚିବା ପାଇଁ ଏତେ ଡରିବା କଥା ନୁହେଁ । ଆମେ ଯୁଦ୍ଧ କରିବା ଟିକିଏ ବଞ୍ଚିବା ପାଇଁ । ଯୁଦ୍ଧ ନ କରି କେବେହେଲେ କେହି ବଞ୍ଚି ତିଷ୍ଠି ରହିପାରି ନାହିଁ । ଏ ଦୁନିଆରେ ଏ ସଂସାର ହେଉଛି ଗୋଟିଏ ଯୁଦ୍ଧପଡ଼ିଆ, ଯେଉଁଠାରେ ପ୍ରତି ମୁହୂର୍ତ୍ତରେ ଯୁଦ୍ଧ କରିବାକୁ ପଡ଼େ । ଆମେ ହାରିବା ନଚେତ୍‍ ଜିଣିବା; କିନ୍ତୁ ଯୁଦ୍ଧ କରିଚାଲିବା । ଯାହା ହେବ ହେବ । ସେଥିପାଇଁ ଏତେଗୁଡ଼ିଏ ଚିନ୍ତା କରିବା ଅନୁଚିତ ।”

 

“ଏପରି ଅବସ୍ଥାରେ ତ ମୋତେ ଏକୁଠିଆ ରହିବାକୁ ବହୁତ ଡର ଲାଗିଲାଣି । ନାଁ, ମୁଁ ତୁମକୁ ଛାଡ଼ି କରି ଯାଇ ପାରିବିନି । ମୋତେ ତୁମେ ଛାଡ଼ି ଦିଅନା, ତଡ଼ି ଦିଅନା । ମୋର କେହି ସାହା ନାହିଁ । ତୁମେ ଯାହା କହିବ ମୁଁ ପଛେ କରିବି । ତା’ପରେ ଏଠାରେ ଏମିତି ଏକୁଟିଆ ଚଳିବାଟା ହେଉଛି ମୋ ଜୀବନରେ ପ୍ରଥମ । ପ୍ରକୃତରେ କହିବାକୁ ଗଲେ ମୁଁ କେବେହେଲେ ଏକୁଟିଆ ଚଳି ନ ଥିବାରୁ ପ୍ରଥମେ ମୋତେ କିଛିଦିନ ବହୁତ ଅଡ଼ୁଆ ଅଡ଼ୁଆ ଲାଗିବ । ପରେ ଅଭ୍ୟାସରେ ପରିଣତ ହେବ । ପରେ ଭଲ ଲାଗିବ । କିନ୍ତୁ ବର୍ତ୍ତମାନ ତ ବଡ଼ ଅସମୟ ଆମପାଇଁ । ଏକୁଟିଆ ଚଳିବା ମୋ’ପରି ଜଣେ ଝିଅ ପକ୍ଷରେ ବହୁତ ବିପଦ ଏବଂ କଷ୍ଟ ।”

 

“ହଁ ତୁମ ପକ୍ଷରେ ଆଦୌ ନିରାପଦ ନୁହେଁ । କିନ୍ତୁ ଏ ଘରେ ଦୁଇଜଣ ରହିପାରିବେନି । ତେଣୁ ଏହାଠାରୁ ଅଳ୍ପ ବଡ଼ ଗୋଟିଏ ଘର ଦେଖିବାକୁ ପଡ଼ିବ ।”

 

“ହଁ ସେଇଆ ହେଲେ ଖୁବ୍‍ ଭଲ ହୁଅନ୍ତା ।”

 

“ତା’ହେଲେ ତୁମପାଇଁ କାହିଁକି ଗୋଟିଏ ଛୋଟ ଭଡ଼ାଘର ବୁଝିବି ?”

 

‘‘ନା ।”

 

“ବରଂ ଆଉ ଗୋଟିଏ ଘର ଖୋଜିବା । ଏହାଠାରୁ ଅଳ୍ପ ବଡ଼, ଯେଉଁଥିରେ ଆମେ ଦୁଇଜଣ ଏକାଠି ରହିପାରିବା, କିଛି ଅସୁବିଧା ହେବ ନାହିଁ । ତୁମେ ଆତ୍ମନିର୍ଭରଶୀଳ ହେବା ପର୍ଯ୍ୟନ୍ତ ଆମେ ସେଠାରେ ରହିବା ।”

 

‘‘ଭଗବାନ ତୁମର ବହୁତ ମଙ୍ଗଳ କରିବେ । ମୋ’ପରି ଜଣେ ନିରାଶ୍ରୟୀ ଝିଅକୁ ତୁମେ ଯେପରି ସାହାଯ୍ୟ କରିଛ ।”

 

“ତା’ହେଲେ ତୁମପାଇଁ ଖାଲି ଗୋଟିଏ ଚାକିରି ଖୋଜିବା ହେଉଛି ପ୍ରଥମ କାମ ।”

 

“ହଁ ବହୁତ ଭଲ ହେବ ।”

 

ଲିଂଟାନ୍‍ ଏବଂ ଅର୍ଚ୍ଚିଡ଼୍‌ ଦୁହେଁ ସେ ସ୍ଥାନ ଛାଡ଼ି ଅନ୍ୟ ଏକ ସ୍ଥାନକୁ ଚାଲି ଆସିଲେ । ସବୁ ଜିନିଷ ନେଇ ଆସି ଗୋଟିଏ ଭଲଘରେ ରହିଲେ । ପୂର୍ବ ଘର ଅପେକ୍ଷା ଏ ଘରଟା ଅଳ୍ପ ବଡ଼ । ଅଧିକ ସୁନ୍ଦର । ଘରଭଡ଼ା ମଧ୍ୟ ଅଧିକ । ଏସବୁର ବ୍ୟବସ୍ଥା ଲିଂଟାନ୍‍ କରିଛନ୍ତି । ଘରକୁ ଅଧିକ ସୁନ୍ଦର କରିବାକୁ ସେ ଅଧିକ ସୁନ୍ଦର ସୁନ୍ଦର ଛବି ଏବଂ ଅନ୍ୟାନ୍ୟ ଜିନିଷ କିଣି ଆଣିଲେ । ଅଳ୍ପଦିନ ମଧ୍ୟରେ ଘରଟି ଅଧିକ ସୁନ୍ଦର ଦେଖାଗଲା । ଅର୍ଚ୍ଚିଡ଼୍‌ ସବୁ ଜିନିଷକୁ ସଜାଇ ରଖିଲେ । ଅର୍ଚ୍ଚିଡ଼୍‌ ଲଂଟାନ୍‌ଙ୍କ ପାଇଁ ସବୁଦିନ ଠିକ୍‍ ସମୟରେ ରୋଷେଇ କରିଦିଅନ୍ତି । ତାଙ୍କ ରୋଷେଇ ଲିଂଟାନ୍‍ଙ୍କୁ ଖୁବ୍‍ ଭଲ ଲାଗିଲା । ସେ ଏଥିରେ ମନ୍ତବ୍ୟ ଦେଇ କହୁଥିଲେ ‘‘ମୁଁ ଏତେ ଭଲ ଖାଦ୍ୟ ଏ ଜୀବନରେ କେବେ ଖାଇ ନ ଥିଲି । ତୁମେ ଏଠାକୁ ଆସିଲ ବୋଲି ସିନା ମୁଁ ଏ ସୁଯୋଗ ପାଇପାରିଲି । ତୁମେ ଯେଉଁଦିନ ପ୍ରକୃତରେ ମୋତେ ଛାଡ଼ି ଅନ୍ୟ ସ୍ଥାନକୁ ଯିବ, ମୋତେ ବାସ୍ତବିକ ବହୁତ ଦୁଃଖ ଲାଗିବ । ଭଗବାନ କରନ୍ତୁ ସେ ମୋତେ ତୁମଦ୍ୱାରା ପ୍ରସ୍ତୁତ ଅମୃତ ସବୁଦିନ ଦିଅନ୍ତୁ ।”

 

ସେ ଏହାର ଉତ୍ତରରେ କହନ୍ତି, ‘‘ଭଗବାନ କରନ୍ତୁ ଆମେ ଦୁହେଁ ସବୁଦିନ ଏପରି ଏକାଠି ରହିବା, ଏକାଠି ଖାଇବା ।”

 

ଏ କଥାର ଅର୍ଥ ଲିଂଟାନ୍‍ ବୁଝିପାରିଲେ । ଏହାଦ୍ୱାରା ଦୁଇଜଣଯାକ ପରସ୍ପରଠାରୁ ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇଛନ୍ତି ।

 

ଲିଂଟାନ୍‍ ଏଥର ଅର୍ଚ୍ଚିଡ଼୍‌ଙ୍କ ପାଇଁ ବହୁତ ସୁନ୍ଦର ସୁନ୍ଦର ପୋଷାକ ବଜାରରୁ କିଣି ଆଣିଲେ । ସେ ତାଙ୍କପାଇଁ ସେଥିପାଇଁ ଅଧିକ କୃତଜ୍ଞତା ପ୍ରକାଶ କରିଥିଲେ । କିଛିଦିନ ମଧ୍ୟରେ ସେ ଅର୍ଚ୍ଚିଡ଼୍‌ଙ୍କ ପାଇଁ ଗୋଟିଏ ଛୋଟିଆ ଚାକିରି ବୁଝିଦେଲେ । ସେ ଗୋଟିଏ ଦୋକାନରେ ସେଲସ୍‍ ଗାର୍ଲ ରୂପେ ନିଯୁକ୍ତି ପାଇଲେ । ସେହିଦିନଠାରୁ ସେ ପ୍ରତ୍ୟହ ଦିନ ଦଶଟାରୁ ସନ୍ଧ୍ୟା ଚାରିଟା ପର୍ଯ୍ୟନ୍ତ ସେ ଦୋକାନକୁ ଗଲେ । ଅବଶିଷ୍ଟ ସମୟ ସେ ଘରେ ଗୋଟିଏ ସିଲେଇ ମେସିନ୍‍ ପକାଇ ସ୍ତ୍ରୀଲୋକଙ୍କ ପାଇଁ ଓ ଛୋଟ ଛୁଆଙ୍କ ପାଇଁ ପୋଷାକପତ୍ର ତିଆରି କରିବା ଓ ସିଲେଇ ଆଦି କରିବା ଆରମ୍ଭ କରିଦେଲେ । ଏଣେ ଲିଂଟାନ୍‍ ମଧ୍ୟ କିଛିଦିନ ମଧ୍ୟରେ ପୁଣି ଗୋଟାଏ ଜୋତା ଦୋକାନ ଆରମ୍ଭ କରିଦେଲେ । ଲିଂଟାନ୍‍ଙ୍କ ଘରର ସମସ୍ତ ସୁବିଧା ଅସୁବିଧା ଅର୍ଚ୍ଛିଡ଼୍‌ ଦେଖୁଥିଲେ । ଦୁହିଁଙ୍କ ମଧ୍ୟରେ ସ୍ନେହ ମମତା ଓ ସହାନୁଭୂତି ପ୍ରବଳରୁ ପ୍ରବଳତର ହୋଇ ଉଠିଲା । ଦୁହେଁ ଦୁହିଁଙ୍କୁ ଛାଡ଼ି ଦଣ୍ଡେ ରହିପାରିଲେ ନାହିଁ । କେହି କାହାକୁ କେବେ ଛାଡ଼ି ରହିପାରିବେନି ବୋଲି ପ୍ରତିଜ୍ଞା ହେଲା ।

 

ଦୁହେଁ ଏଇଟା ଅନୁଭବ କରିପାରିଲେ ଯେ ଦୁହିଁଙ୍କ ମଧ୍ୟରେ ଗୋଟିଏ ପ୍ରକାର ପ୍ରେମ ହେବାକୁ ଯାଉଛି । ଦୁହେଁ ଏକୁଟିଆ, ଦୁହେଁ ଦୁହିଁଙ୍କର ଆଶ୍ରୟସ୍ଥଳ । ଗୋଟିଏ ଘରେ ଜଣେ ଯୁବକ ଜଣେ ଯୁବତୀ ସହ ରହୁଛି ଏକାଠି । ଆଉ କେହି ରହୁ ନାହାଁନ୍ତି । ଜଣେ ଅବିବାହିତ । ଜଣେ ପୂର୍ବତନ ବୈବାହିକ ଜୀବନରୁ ବିତାଡ଼ିତ । ତା’ହେଲେ ଏପରି ସ୍ଥାନରେ ସେଇଟା କିପରି ସମ୍ଭବ ?

 

ପ୍ରକୃତରେ ଅଳ୍ପଦିନ ମଧ୍ୟରେ ଏହା ସ୍ପଷ୍ଟ ଜଣାପଡ଼ିଗଲା । କିଛିଦିନ ମଧ୍ୟରେ ଅର୍ଚ୍ଚିଡ଼୍‌ ଲିଂଟାନ୍‍କୁ କହିଲେ, “ତୁମେ ମୋତେ ବହୁତ ସାହାଯ୍ୟ କରିଛ । ମୁଁ ସେସବୁ କିପରି ଶୁଝିବି ? ମୁଁ ତୁମକୁ ଗୋଟିଏ ପ୍ରସ୍ତାବ ଦେବି ବୋଲି ଭାବିଛି ।”

 

“କି ପ୍ରସ୍ତାବ ?”

 

“କିନ୍ତୁ ମୋତେ ଭୟ ଲାଗୁଛି କହିବାକୁ ।”

 

“ନିର୍ଭୟରେ କହିପାର ।”

 

“ଆଚ୍ଛା, ତୁମେ ତ ଏକୁଟିଆ ଲୋକ । ତୁମେ ଆମ ଜାତିର ଅବିବାହିତ ଯୁବକ । ମୁଁ ଜଣେ ଡାଇଭୋର୍ସ । ଆମ ଦୁହିଁଙ୍କ ମଧ୍ୟରେ ବିବାହ ହେଲେ କ୍ଷତି କ’ଣ ?”

 

“ମୁଁ ତ ବିବାହ ବିଷୟ କେବେହେଲେ ଚିନ୍ତା କରିନି, କିନ୍ତୁ ଏଇଟା କିପରି ସମ୍ଭବ ? ତୁମେ ବଡ଼ ଘରର ଝିଅ । ଉଚ୍ଚଶିକ୍ଷିତ । କିନ୍ତୁ ମୁଁ ଜଣେ ସାମାନ୍ୟ ଜୋତା ଦୋକାନୀ । ମୁଁ ପାଠ ଦି’ଅକ୍ଷର ମଧ୍ୟ ପଢ଼ିନି । ମୁଁ କିପରି ତୁମ ସଙ୍ଗରେ ସମକକ୍ଷ ହୋଇପାରିବି ?”

 

“ମୁଁ ତୁମ ସହିତ ତ ରହୁଛି । ତା’ପରେ ମୁଁ ତ ରାଜି ଅଛି । ଏପରି କ୍ଷେତ୍ରରେ ଏଠାରେ ଆମ ଜାତିର ଅବିବାହିତ ପୁଅଟିଏ ମୋ’ପାଇଁ କିପରି ମିଳିବ ? ମୁଁ ଏଥିରେ ବିଭାହେଲେ ମୋର କିଛି କ୍ଷତି ହେବନି । ମୋର ଆତ୍ମସମ୍ମାନ ଆଦୌ ନଷ୍ଟ ହେବନି ବୋଲି ମୁଁ ଭାବୁଛି । ମୁଁ ବରଂ ଆମ ଜାତି ଲୋକ ସହିତ ସମ୍ପର୍କ ରଖିଥିବାରୁ ଗର୍ବ ଅନୁଭବ କରିପାରିବି । ତା’ପରେ ତୁମେ କ’ଣ ଏମିତି ଅବିବାହିତ ହୋଇ ଜୀବନଯାକ ରହିବ ? ତୁମ ଜୀବନଟା କ’ଣ ଅନିଶ୍ଚିତ ହେବ ? ତୁମର ବୃଦ୍ଧାବସ୍ଥାରେ ଓ ଜୀବନର ଶେଷ ସମୟରେ ତୁମର ସେବା କରିବାକୁ ତ ତୁମକୁ ଟିକିଏ ସାହାଯ୍ୟ କରିବାକୁ କ’ଣ କେହି ରହିବେନି ? ସେତେବେଳେ ତୁମ ଦେହରେ ବଳ ନ ଥିବ ଓ ଏମିତି ରହିଗଲେ ସମାଜରେ ତୁମର ଅସୁବିଧା କେହି ଜାଣି ପାରିବେନି । ଶୋଷ ହେଲେ କି ପାଣିଟିକିଏ ପିଇବାକୁ ଚାହିଁଲେ ନିଜେ ଉଠିପାରୁ ନ ଥିଲେ କେହି ବି ତୁମ ପାଟିକୁ ପାଣି ମୁନ୍ଦାଏ ବଢ଼ାଇବାକୁ ତ ଆସିବେନି । ତୁମେ କ’ଣ ସେତେବେଳେ ଏତେ କଷ୍ଟ ପାଇ ପାଇ ମରିବ ?”

 

“ମୁଁ ତ ବିବାହ ବିଷୟ, ଆଜି ପର୍ଯ୍ୟନ୍ତ କେବେହେଲେ ଚିନ୍ତା କରିନି, ବିବାହ ଗୋଟିଏ ବହୁତ ଭଲ ଜିନିଷ । ବିବାହଦ୍ଵାରା ମଣିଷ ବହୁତ ଉପକୃତ ହୁଏ ଓ ବହୁତ କ୍ଷେତ୍ରରେ ଲାଭବାନ୍‌ ହୁଏ । ଅଧିକାଂଶ ସମୟ ଭାବୁଥିଲି ଯେ ଅବିବାହିତ ହୋଇ ରହିବା ଭଲ, କାରଣ ମୋତେ ବା କିଏ କାହିଁକି ବିଭା ହେବାକୁ ଇଚ୍ଛା କରିବ ? ସେତିକି ବୋକା ବା ପାଗଳ ନ ହେଲେ ଏଠାରେ ମୋତେ ବିଭା ହେବାକୁ କେହି ରାଜି ହେବେନି । ମୁଁ ତ ଦେଶରେ ରହିବିନି । ଆମ ଦେଶର ଝିଅ ମୋତେ ମିଳିବେ କୁଆଡ଼ୁ ?”

 

“ଏପରି କୁହନ୍ତୁନି । ଯଦି କିଛି ଗୋଟିଏ ମିଳୁଛି ତାକୁ ନ ରଖିବା ଭଲ ହେବନି ତୁମ ପକ୍ଷରେ ।”

 

‘‘ତୁମେ ଗୋଟିଏ ଭଲ ପ୍ରସ୍ତାବ ଦେଇଛ । ମୁଁ ପରେ ଭାବିଚିନ୍ତି କହିବି । ଏଥିରେ ତୁମର ଭୟ କରିବାର କିଛି ନାହିଁ ।”

 

ଲିଂଟାନ୍‍ ଘରେ ଏ ବିଷୟ ଅନେକ ଭାବିଥିଲେ । ସେ ଅର୍ଚ୍ଚିଡ଼୍‌ଙ୍କ ସୌନ୍ଦର୍ଯ୍ୟଦ୍ୱାରା ସମ୍ପୂର୍ଣ୍ଣ ମୁଗ୍‌ଧ ହୋଇଯାଇଥିଲେ ସେତେବେଳକୁ । ତାଙ୍କର ମାନବୋଚିତ ଗୁଣାବଳୀକୁ ପ୍ରଶଂସା ନ କରି ରହିପାରୁ ନ ଥିଲେ । ତେଣୁ ତାଙ୍କ ପ୍ରସ୍ତାବକୁ ସେ ପ୍ରତ୍ୟାଖ୍ୟାନ କରିପାରିନଥିଲେ । ସେ ସଙ୍ଗେ ସଙ୍ଗେ ଅର୍ଚ୍ଚିଡ଼୍‌କୁ ଏ ବିଷୟରେ ସ୍ଵୀକୃତି ଦେଇଥିଲେ । ଏ କଥା ଶୁଣି ଅର୍ଚ୍ଚିଡ଼୍‌ ବହୁତ ଖୁସି ହୋଇଯାଇଥିଲେ । ସେ ଲିଂଟାନ୍‍ଙ୍କ ହାତକୁ ମାଗିଥିଲେ । ଲିଂଟାନ୍‍ ଦେଇଥିଲେ । ସେ ସେହି ହାତର ପାପୁଲି ଉପରେ ବସାଇ ଦେଇଥିଲେ ଅନେକ ସୂକ୍ଷ୍ମ ଚୁମ୍ବନର ଅଦୃଶ୍ୟ ଦାଗ । ଦୁଇଟି ଜୀବନର ପ୍ରଥମ ଚୁମ୍ବନର ସ୍ପର୍ଶକୁ କିଏ କେବେ ଭୁଲିପାରେ ? ଲିଂଟାନ୍‍ ଅର୍ଚ୍ଚିଡ଼୍‌କୁ ସ୍ୱେଚ୍ଛାକୃତ ଭାବରେ ନିଜ ବାହୁ ମଧ୍ୟକୁ ଆଣିଥିଲେ । ଦୁହିଁଙ୍କ ରକ୍ତର ଡାକ ଦୁହେଁ ଶୁଣିପାରିଲେ । ଦୁହିଁଙ୍କ ରକ୍ତ ଏକାଠି ହେଲା । ସେମାନଙ୍କର ବିବାହ ହୋଇଗଲା । ଏ ବିବାହ କୌଣସି ଅଫିସରେ ବା କୋର୍ଟ କଚେରିରେ ରେଜିଷ୍ଟାର୍ଡ଼ ହୋଇନି । ଏଥିପାଇଁ ବାହାରର କୌଣସି ଲୋକ ସାକ୍ଷୀ ହୋଇ ନାହାଁନ୍ତି । ଏଥିପାଇଁ ବାହାରର କୌଣସି ଲୋକ ଆସି ଶୁଭକାମନା କରି ଯାଇ ନାହାଁନ୍ତି । କୌଣସି ବ୍ୟକ୍ତି ବା ପରିଚିତ ବ୍ୟକ୍ତି ଏ ଖବର ପାଇ ଉପହାରମାନ ହାତରେ ଧରି ଏଠାକୁ ଉତ୍ସବରେ ଆତିଥ୍ୟ କରିବାକୁ ଆସିନାହାଁନ୍ତି । ଏ ବିବାହରେ କୌଣସି ପୁରୋହିତ ମନ୍ତ୍ରପାଠ କରିନଥିଲେ । ନବବସ୍ତ୍ର ପରିଧାନ କରି ଦୁହେଁ କୌଣସି ଯଜ୍ଞକୁଣ୍ଡ ଚାରିପାଖରେ ହାତଗଣ୍ଠି ଲୁଗା ଗୁଡ଼ାଇ ହୋଇ ଘେରା ଘେରା ହୋଇ ବୁଲି ନାହାଁନ୍ତି । ଏ ବିବାହରେ କୌଣସି ଭୋଜିଭାତ ହୋଇନି । କୌଣସି ବାଦ୍ୟକାର ବାଦ୍ୟ ବାଦନ କରିନି । ଘରକୁ ରଙ୍ଗୀନ ବିଜୁଳି ବତୀଦ୍ଵାର ସଜ୍ଜା ଯାଇନି । ଏସବୁ ଜିନିଷର ଆବଶ୍ୟକତା ଉପଲବ୍‍ଧି କରାଯାଇ ନାହିଁ । ତାଙ୍କ ପକ୍ଷରେ ବାହାରର ଲୋକ ଜାଣିବା କ’ଣ ଦରକାର ? ଅର୍ଚ୍ଚିଡ଼୍‍ ରାକେଶ୍‍ ବାବୁଙ୍କ ଘରୁ ଆସିବାର ୧୦-୧୫ ଦିନ ମଧ୍ୟରେ ଏସବୁ ହୋଇଗଲା ।

 

ଅର୍ଚ୍ଚିଡ୍‌ କହିଥିଲେ, “ରାକେଶ୍‍ ବାବୁ ତାଙ୍କ ଆଖି ଆଗରେ ଯେଉଁସବୁ ଜିନିଷ କହିଗଲେ, ଏଇଟା ହେଲା ତା’ର ମୁକାବିଲା ।”

 

ଲିଂଟାନ୍‍ କହିଥିଲେ, ‘‘ତୁମେ ଆମ ଜାତିର ଜଣେ ପୁଅକୁ ବିଭା ନ ହୋଇ ଜଣେ ଭାରତୀୟଙ୍କୁ ବିଭା ହୋଇ ବଡ଼ ଭୁଲ୍‍ କାମ କରିଥିଲ । ତା’ପରେ ମୁଁ ଆମ ଜାତିର ଜଣେ ଝିଅକୁ ପାଇଥିବାରୁ ବହୁତ ଖୁସି । ଆମ ସମ୍ପର୍କ କେବେହେଲେ କ୍ଷୀଣ ହୋଇ ନ ପାରେ, ଆମ ଘର କେବେହେଲେ ଭାଙ୍ଗି ନ ପାରେ ।”

 

(୧୭)

 

ଠିକ୍‍ ସମୟରେ ଭୃଗୁ, ଉଜ୍ଜଳ ଏବଂ ବବୃ ବସ୍‌ରୁ ଓହ୍ଲାଇପଡ଼ିଲେ । ଛୁଟିରେ ଏମାନେସବୁ ଉଜ୍ଜଳ ଘରକୁ ବୁଲିବାକୁ ଆସିଥାନ୍ତି । ଏମାନଙ୍କର ପ୍ରୋଗ୍ରାମ୍‍ ହେଲା ଉଜ୍ଜଳ ଘରେ ଦିନେ ରହିବା । ଭୃଗୁ ଘରେ ଦିନେ ଏବଂ ବବୃ ଘରେ ମଧ୍ୟ ଦିନେ । ପ୍ରଥମେ ଉଜ୍ଜଳ ଘରକୁ ଯିବାକୁ ସ୍ଥିର ହୋଇଥିଲା । ଭୃଗୁ ଓ ବବୃ ଏ ଦୁହେଁ ଉଜ୍ଜଳର ସାଙ୍ଗ । ଏକା କ୍ଲାସରେ ସମସ୍ତେ ପଢ଼ନ୍ତି । ଉଜ୍ଜଳ ପ୍ରଥମ ହୁଏ । ବବୃ ହୁଏ ଦ୍ଵିତୀୟ ଓ ଭୃଗୁ ହୁଏ ତୃତୀୟ । ଏମାନେ ସମସ୍ତେ ସାଙ୍ଗ ହୋଇ ହଷ୍ଟେଲରେ ରହନ୍ତି । ସାଙ୍ଗ ହୋଇ ପଢ଼ନ୍ତି । ଏମାନେ ଯେଉଁଦିନ ହଷ୍ଟେଲ ଛାଡ଼ିଲେ ଛୁଟିରେ ଘରକୁ ଯିବା ପାଇଁ ବୁଲିବାକୁ, ଠିକ୍‍ ସେହିଦିନ ଅର୍ଚ୍ଚିଡ଼୍‍ ଆସିଥିଲେ ଉଜ୍ଜଳ ପାଖକୁ । ମାତ୍ର ସେ ତାକୁ ପାଇ ନ ଥିଲେ ।

 

ଶେଷରେ ଖବର ପାଇଲେ ଯେ ସେ ଛୁଟିରେ ଘରକୁ ଯାଇଛି । ନିଜ ପୁଅକୁ ଦେଖି ନ ପାରି ମନଦୁଃଖରେ ଫେରି ଆସିବାକୁ ବାଧ୍ୟ ହୋଇଥିଲେ । ଫେରିବା ପୂର୍ବରୁ ନିଜର ଠିକଣା ସେ ସ୍କୁଲରେ ଦେଇ ଯାଇଥିଲେ । ତାଙ୍କର ଆଶା ଥିଲା ଯେ ସେ ନିଶ୍ଚୟ ତାଙ୍କ ଠିକଣା ପାଇଯିବ ।

 

ଉଜ୍ଜଳ ତା’ ସାଙ୍ଗମାନଙ୍କ ସହିତ ପ୍ରଥମେ ଯାଇଥିଲା ରାକେଶ୍‍ ବାବୁଙ୍କ ପାଖକୁ । ଏ ଭିତରେ ଏତେ ଘଟଣା ଘଟି ଯାଇଛି ବୋଲି ସେ କିପରି ଜାଣିବ ? ଘର ଭିତରକୁ ଯାଇ ଉଜ୍ଜଳ ତା’ ବାପାଙ୍କୁ ନମସ୍କାର କରିଥିଲା । ବାପାଙ୍କ ପାଖରେ ଆଉ ଜଣେ ଭଦ୍ର ମହିଳାଙ୍କୁ ଦେଖି ସେ ଆଶ୍ଚର୍ଯ୍ୟ-। ସେ ତ ତାଙ୍କୁ ଚିହ୍ନିବା ଦୂରର କଥା, ସେ ପଚାରିଥିଲା, “ମା’ କାହାନ୍ତି ?”

 

ହସି ହସି ଉଜ୍ଜଳକୁ ନିଜ ପାଖକୁ ଟାଣିଆଣି ରାକେଶ୍‍ ବାବୁ ତାଙ୍କୁ କହିଲେ, ‘‘ଏ ହେଉଛନ୍ତି ତୋ ମା’, ତୋର ନୂଆ ମା’ ।” ଅରୁଣାଙ୍କୁ ଉଜ୍ଜଳକୁ ଦେଖାଇ କହିଲେ, “ଏ ହେଉଛି ଉଜ୍ଜଳ ।” ଉଜ୍ଜଳ ତାଙ୍କୁ ନମସ୍କାର କଲା । ଉଜ୍ଜଳର ସାଙ୍ଗ ଦୁହେଁ ମଧ୍ୟ ନମସ୍କାର କଲେ ।

 

ଉଜ୍ଜଳ ନମସ୍କାର କଲା ସିନା, ଘଟଣାଟା ପ୍ରକୃତରେ କ’ଣ, ସେ କିଛି ବୁଝି ନ ପାରି କହିଲା, ‘‘ମା’ କାହାନ୍ତି ?”

 

‘‘ତୋ ମା’ ତ ନାହିଁ ।”

 

ଉଜ୍ଜଳର ଆଖି ଛଳଛଳ ହୋଇଗଲା । ତା’ ମା’ କ’ଣ ତାକୁ ଛାଡ଼ି ସବୁଦିନ ପାଇଁ ପୃଥିବୀରୁ ଚାଲିଯାଇଛି ? କିନ୍ତୁ କିପରି ? ସେ ତ ଏ ଖବର ପାଇ ନାହିଁ ।

 

ଅରୁଣା ଏହାପରେ ଉଜ୍ଜଳକୁ ଟାଣିଆଣି କହିଲେ, ‘‘ମୁଁ କ’ଣ ମା’ ନୁହେଁ ? ମା’ ଯାହା କରୁଥିଲେ ମୁଁ ସେଇଆ କରିବି । ସେ ତୁମକୁ ଯେମିତି ଖୁଆଇ ଦେଉଥିଲେ, ମୁଁ ଆଜିଠାରୁ ଠିକ୍‍ ସେମିତି ଖୁଆଇବି । ମୋତେ ଆଜିଠାରୁ ମା’ ବୋଲି ଡାକିବନି ?”

 

“ହଁ ଡାକିବି ନିଶ୍ଚୟ ।”

 

ରାକେଶ୍‍ ବାବୁ କହିଲେ, “ତୁ କିପରି ଅଛୁ ଉଜ୍ଜଳ ? ତୋ ମୁହଁ କାହିଁକି ଶୁଖିଯାଇଛି ? ତୁମ ପରୀକ୍ଷା ଆଉ କେତେ ଦିନ ଅଛି ?”

 

“ଆଉ ଅଳ୍ପ ଦିନ ଅଛି । ମୁଁ ଭଲ ଅଛି । କିନ୍ତୁ ମୋ ମା’ କାହାନ୍ତି ନ କହିଲେ ମୋତେ କିଛି ଭଲଲାଗୁନି । ମା’ କେଉଁଠି ଅଛନ୍ତି ନ ଜାଣିଲେ ମୋ ମୁହଁ ଶୁଖିଯିବନି ?”

 

‘‘ଆରେ ତୋ ମା’ ତ ଘର ଛାଡ଼ି ଚାଲିଯାଇଛି ।”

 

ମନା ନ ମାନି ଆଖିରୁ ପ୍ରଥମ କରି ବହି ଆସୁଥିବା ଲୁହକୁ ପୋଛିପକାଇ ଉଜ୍ଜଳ କହିଲା ଆଶ୍ଚର୍ଯ୍ୟ ହୋଇ, “କେଉଁଠାକୁ ?”

 

“ମୁଁ କିପରି ଜାଣିଲି ! ତା’ ଇଚ୍ଛା ଯେଉଁଠାକୁ, ସେହିଠାକୁ ।”

 

“କାହିଁକି ?”

 

“ମୋତେ ଏତେ କଥା ପଚାରିବୁନି । ମୁଁ ସବୁ କଥା ଜାଣିନି ।

 

“ମିଛ କଥା, ମା’ ଯାଇନାହାଁନ୍ତି । ଯଦି ଗଲେ ମୋତେ କେହି କାହିଁକି ଖବର ନ ଦେଲେ-?”

 

“ତୁ କ’ଣ କରିଥାନ୍ତୁ ଖବର ଦେଇଥିଲେ ?”

 

“ଏହା ଯଦି ସତ ହୋଇଥାଏ, ସେ କେବେ ଯାଇ ନ ଥାନ୍ତେ । ମୁଁ ତ ତାଙ୍କୁ ଅଟକାଇ ରଖିପାରିଥାନ୍ତି ।”

 

“ମୁଁ ଖବର ଦେଇଥାନ୍ତି । କିନ୍ତୁ କ’ଣ ଏ ଛୋଟିଆ କଥାଟାଏ ଚିଠିରେ ଲେଖିବି ? ତା’ପରେ ତୁ ପରୀକ୍ଷା ଦେବୁ । ଏକଥା ଭାବି ତୋର ସମୟ ନଷ୍ଟ ହୋଇଯିବ ବୋଲି ଭାବିଥିଲି । ତୁ ଠିକ୍‍ ଭାବରେ ପଢ଼ାପଢ଼ି କରିପାରିନଥାନ୍ତୁ ।”

 

‘‘ପରୀକ୍ଷା ନ ଦେଇଥିଲେ ମୁଁ ନ ଦେଇଥାନ୍ତି । ପାଠପଢ଼ା ନଷ୍ଟ ହେଲେ ନଷ୍ଟ ହୋଇଥାନ୍ତା ।”

 

“ଉଜ୍ଜଳ, ତୁ ମୋ ପୁଅ ନା ତୋ ମା’ ପୁଅ ?”

 

କିଛି ସମୟର ଗମ୍ଭୀରତା ଏବଂ ନୀରବତା ପରେ ଉଜ୍ଜଳ କହିଲା, “ସେ କ’ଣ ଆଉ କେବେ ଆସିବେନି ?”

 

‘‘ନା ସେ ଆଉ କେବେହେଲେ ଆସିବନି । ସେ ତ ଗଲାବେଳେ ଠିକ୍‍ ସେହି କଥା କହିଦେଇ ଯାଇଛି ।”

 

“ତାଙ୍କୁ ଆପଣ ଅଟକାଇ ରଖିଲେ ନାହିଁ କାହିଁକି ?”

 

“ସେ ତ ତା’ ମନକୁ ମନ ଆମକୁ ଛାଡ଼ି ଚାଲିଗଲା । ଆମେ ତାଙ୍କୁ ଅଟକାଇବୁ କିପରି-?”

 

“ସେ ମୋତେ କିପରି ଛାଡ଼ିଗଲେ ?” ଏହା କହି ଉଜ୍ଜଳ କାନ୍ଦିପକାଇଲା । ତା’ ଆଖିରୁ ଲୁହ ଝରିପଡ଼ିଲା । ଅରୁଣା ତା’ ଆଖିରୁ ଲୁହ ପୋଛି ଦେବାକୁ ଚେଷ୍ଟା କରୁଥିଲେ । ବବୃ ଓ ଭୃଗୁ ତା’ ପାଖରେ ବସି ପରିସ୍ଥିତିକୁ ଭଲଭାବରେ ଦେଖୁଥାନ୍ତି ।

 

ଅରୁଣା ତା’ ମୁଣ୍ଡରେ ହାତ ବୁଲାଇ ଗେହ୍ଲାଇ ଗେହ୍ଲାଇ କହିଲେ, “ତୁମେ ପରା ଭଲ ପିଲା । ଭଲ ପଢ଼ୁଛ ବୋଲି ତ ମୁଁ ସମସ୍ତଙ୍କଠାରୁ ଶୁଣୁଛି । ଭଲ ପିଲା କ’ଣ ଏପରି ଅଝଟ ହୋଇ ଓ ଅବୁଝା ହୋଇ କାନ୍ଦନ୍ତି ।”

 

‘‘ମୋ ଆଖିରୁ କାହିଁକି ଲୁହ ପୋଛୁଛ ? ମୋ ମା’ କେଉଁଠି ଅଛନ୍ତି, ମୋତେ କହିପାରିବ-? ମୁଁ ତାଙ୍କ ପାଖକୁ ବର୍ତ୍ତମାନ ଯିବି । ମୁଁ ତାଙ୍କୁ ଏଠାକୁ ଘେନି ଆସିବି । ମୋତେ ବତାଇ ଦିଅ ସେ କେଉଁଠାରେ ଅଛନ୍ତି ।’’

 

‘‘ମୁଁ ତ ତୁମରି ମା’, ଏଠାରେ ଅଛି ବର୍ତ୍ତମାନ । ତୁମର କ’ଣ ଅସୁବିଧା ? କ’ଣ ଅଭାବ-? ମୋତେ କୁହ ମୁଁ ସବୁ ପୂରଣ କରିବାକୁ ଚେଷ୍ଟା କରିବି । ମା’ପାଇଁ କ’ଣ ଏତେ ବ୍ୟସ୍ତ ହୁଅନ୍ତି-?’’ ତା’ପରେ ସମସ୍ତେ ନୀରବ ।

 

ଉଜ୍ଜଳ ପାଟିରୁ ବାହାରି ଆସିଲା, ‘‘ମା’ ଥିଲେ ବହୁତ ଭଲ ହୋଇଥାନ୍ତା । ଏତେ କଥା ଏଠାରେ ହୋଇଗଲାଣି, ମୁଁ ଟିକିଏ ହେଲେ ଖବର ପାଇଲି ନାହିଁ । ମା’ ଯେଉଁଠି ନାହାଁନ୍ତି, ମୁଁ ସେଠାରେ କିପର ଚଳିବି ? ମା’ଙ୍କ ବିନା ମୁଁ କେମିତି ପାଠ ପଢ଼ିବି ? ମା’ତ ବହୁତ ଭଲ । ତାଙ୍କପରି ଭଲ ଆଉ କେହି ନୁହଁନ୍ତି । କିନ୍ତୁ ସେ ଚାଲିଗଲେ ପୁଣି ମୋତେ ଛାଡ଼ି । ମୁଁ କେଉଁଠାକୁ ତାଙ୍କୁ ଖୋଜିବାକୁ ଯିବି ? ନା ମୁଁ ଏଠାରେ ଟିକିଏ ହେଲେ ବି ତାଙ୍କୁ ଛାଡ଼ି ରହିପାରିବିନି ।”

 

ତା’ ଆଖିରୁ ଏଥର ଅଜସ୍ର ଲୁହ ଝରି ଆସିଲା ଏବଂ ହୃଦୟରୁ ମଧ୍ୟ କୋହ ବାହାରି ଆସିଲା ।

 

ବବୃ ନିଜ ରୁମାଲରେ ଉଜ୍ଜଳର ଲୁହ ପୋଛିଦେଲା । ଭୃଗୁ କହିଲା ‘‘କାନ୍ଦନା ଉଜ୍ଜଳ । ମୋ କଥା ମାନ । ଆମେ ଖୋଜିବାକୁ ଯିବା ମା’ଙ୍କୁ ।”

 

ତା’ପରେ ପୁଣି ନୀରବତା ।

 

ପୁଣି ନୀରବତା ଭଙ୍ଗ କରି ସେ କାନ୍ଦି କାନ୍ଦି କହିଲା, “ବାପା; ମୋତେ କହିଦିଅନ୍ତୁ, ମା’ କେଉଁଠି ଅଛନ୍ତି ?”

 

ରାକେଶ୍‍ ବାବୁ ଗର୍ଜନ କରି କହିଲେ, ‘‘ମୋ ଆଗରେ ମା’ ମା’ ଲଗାନି ଏତେ । ତୋ ମା’ କେଉଁଠି ଅଛି, ମୁଁ ଜାଣିନି । କିନ୍ତୁ ପତ୍ତା ଲଗାଇଦେଲେ ଜଣାପଡ଼ିବ ଗୋଟିଏ ଘଣ୍ଟାରେ ସେ କେଉଁଠି ଅଛି । ତୁ ଯଦି ତୋ ମା’ ପାଖକୁ ଯିବାକୁ ଚାହୁଁ ଏଠାକୁ ଆଉ ଆସିବୁନି । ମୁଁ ସତ କହୁଛି । ମୁଁ ତୋ କଥା ସବୁ ବୁଝିବି । ତୋର କିଛି ଅସୁବିଧା ହେବନି । ତୁ ତୋ ମା’କୁ ଭୁଲିଯା । ଏ ହେଉଛି ତୋର ନୂଆ ମା’, ଆକୁ ତୁ ମା’ ମା’ ବୋଲି ଡାକି ଚଳ । କିନ୍ତୁ ମନେରଖିଥା ତୁ ତୋ ମା’ ପାଖକୁ ଆଉ ଦିନେ ଯିବୁନି । ସେ ତୋତେ ଟଙ୍କା ଦେଲେ ତୁ ରଖିବୁନି । ତୁ କେବଳ ମୋ’ଠାରୁ ନେବୁ ତୋର ଯେତେବେଳେ ଯାହା ଦରକାର । ମା’ ଫା ମୋ ଆଗରେ ଲଗାଇବୁନି କେବେ । ଯଦି ସେପରି ଅଭ୍ୟାସ ନ ଛାଡ଼ିବୁ, ତୁ ଯିବୁ ତୋ ମା’ ପାଖକୁ, ତାରି ପାଖରେ ସଦାବେଳେ ଚଳିବୁ । ସେ ତୋତେ ଟଙ୍କା ପଇସା ଦେବ, ପାଠ ପଢ଼ାଇବ । ସେ ଏକା ତୋତେ ମଣିଷ କରିବ । ଏଠାକୁ ଆଉ ଆସିବୁନି । ଆଉ ବାପା ବାପା ହେବୁନି ।”

 

ଉଜ୍ଜଳ ସେତିକିରେ ଚୁପ୍‍ ହୋଇଗଲା । ସେ ଆଉ ମା’ ମା’ ହେଲାନି । କିନ୍ତୁ ତା’ ମନ ଭିତରଟା ଆଦୌ ଭଲଲାଗୁନଥାଏ । ରାକେଶ‌୍‍ ବାବୁ ସେଠାରୁ ଉଠି ଚାଲିଗଲେ । ବବୃ, ଭୃଗୁ ଏବଂ ଉଜ୍ଜଳକୁ ଖାଇବାକୁ‌ ଦେଲେ ଏହାପରେ ଅରୁଣା । ସମସ୍ତେ ଖାଇବାକୁ ବସିଲେ । ଉଜ୍ଜଳର ଇଚ୍ଛା ନ ଥିଲେ ମଧ୍ୟ ସେ ଆଖିରୁ ଲୁହ ପୋଛି ପୋଛି ଖାଇବାକୁ ବସିଲା ।

 

ପ୍ରକୃତରେ ସେ କିନ୍ତୁ କିଛି ଖାଇପାରିଲା ନାହିଁ । ଖାଲି ତା’ ମନ ମଧ୍ୟରେ ମା’ ଚିନ୍ତା । ତାକୁ ଅନ୍ୟକିଛି ଦେଖାଯାଉନଥାଏ । ଅରୁଣା ତାକୁ ଖୁଆଇଦେବାକୁ ଚେଷ୍ଟା କରିଥିଲେ । ମାତ୍ର ସେ କିଛି ନ ଖାଇ ଉଠି ଆସିଲା । ତାଙ୍କୁ ଦେଖି ବବୃ ଓ ଭୃଗୁ ଏ ଦୁହେଁ ମଧ୍ୟ ଉଠି ଆସିଲେ ।

 

ତା’ ମନରେ ଅନେକ ଚାପ, ଅନେକ ଦୁଃଖ ଏସବୁ କ’ଣ ହୋଇଗଲା ? ଏସବୁ କିପରି ହେଲା ? ମା’ କାହିଁକି ଅଲଗା ହେଲେ ? ତା’ ଭାଗ୍ୟରେ କ’ଣ ଏଇଆ ଲେଖା ଥିଲା ? ଅନ୍ୟ ଜଣକୁ ମା’ ବୋଲି ଡାକିବାକୁ ? ଏସବୁ କିପରି ଓଲଟପାଲଟ ହୋଇଗଲା ?

 

ଏପରି ପରସ୍ଥିତିରେ ସେ ସ୍ଥିର କରି ସାରିଲା ଯେ ତା’ ପକ୍ଷରେ ଘରେ ରହିବା ଆଦୌ ସମ୍ଭବପର ନୁହେଁ । ସେ ଭୃଗୁ ଓ ବବୃ ସହିତ ଘରୁ ବାହାରି ଆସିଲା । ବସରେ ବସି ତିନିହେଁ ଖୁବ୍‍ ଶୀଘ୍ର ହଷ୍ଟେଲରେ ପହଞ୍ଚିଗଲେ ।

 

ବବୃ କହିଥିଲା, ‘‘ଆମେ ହଷ୍ଟେଲକୁ କାହିଁକି ଆସିଲେ । ଆମଘରକୁ ଟିକେ ଯାଇଥିଲେ କ’ଣ ହୋଇ ନ ଥାନ୍ତା । ଆମେ ଅଧିକ ଦିନ ରହି ନ ଥାନ୍ତେ । ମାତ୍ର ଗୋଟିଏ ଦିନ ରହିଥାନ୍ତେ ।”

 

ଭୃଗୁ କହିଲା, ‘‘ଆମ ଘରେ ଗୋଟିଏ ଦିନ ରହିଥିଲେ ଭଲ ହୋଇଥାନ୍ତା; କିନ୍ତୁ ଉଜ୍ଜଳଙ୍କ ମନ ଖରାପ । ସେଥିପାଇଁ ଫେରଯିବାକୁ ବାଧ୍ୟ ହେଉଛୁ ।”

 

ଉଜ୍ଜଳ କହିଥିଲା, ‘‘ଆମେ ଯିବା, ନିଶ୍ଚୟ ଯିବା, ସେଥିପାଇଁ କିଛି ମନ ଖରାପ କରିବନି ତୁମେ ଦୁହେଁ । ଅନ୍ୟ ଦିନ ଯିବା, ଆମ ପରୀକ୍ଷା ପରେ ଗଲେ ଭଲ ହେବ । ମୋତେ ଆଜି ଆଉ ଭଲଲାଗୁନି ।”’

 

ସେମାନେ ହଷ୍ଟେଲରେ ପହଞ୍ଚିବା ପୂର୍ବରୁ ସେ ଭାବୁଥାଏ ଚାକରାଣୀ ମୀରା କଥା । ସେମାନେ ଘର ଛାଡ଼ିବା ପୂର୍ବରୁ ମୀରା କହିଥିଲା “ଉଜ୍ଜଳ; ତୁମ ମା’ ଘର ଛାଡ଼ି ଚାଲିଯାଇଛନ୍ତି ।”

 

ଉଜ୍ଜଳ କହିଥିଲା ସେତେବେଳେ ‘‘ତୁମେ କ’ଣ ଜାଣିଛ ସେ ବର୍ତ୍ତମାନ କେଉଁଠି ଅଛି ।”

 

‘‘ନା ମୁଁ ଜାଣିନି । କିନ୍ତୁ ବର୍ତ୍ତମାନ ଅନୁମାନ କରୁଛି ଯେ ସେ ଲିଂଟାନ୍‍ ପାଖରେ ଅଛନ୍ତି । ଲିଂଟାନ୍‍ ଚାଇନିଜ୍‍ ଜୋତା ଦୋକାନ ଦେଇଥିଲେ ।”

 

‘‘ସେଇ ଲିଂଟାନ୍‍ ଯାହାଠାରୁ ଆମେ ଜୋତାସବୁ କିଣୁ ?”

 

“ହଁ, ତାଙ୍କଠାରୁ ଘରର ସମସ୍ତ ଜୋତା କିଣା ହେଉଥିଲା ।”

 

‘‘ତୁମେ କିପରି ଜାଣିଲ ଯେ ସେ ତାଙ୍କ ପାଖରେ ଅଛନ୍ତି ?”

 

“ମୁଁ ଭଲଭାବରେ ଜାଣିନି, କିନ୍ତୁ ଏଇଟା ମୋର ଅନୁମାନ । ଲିଂଟାନ୍‍ ଏଠାକୁ ଆସିଥିଲେ । ତୁମ ବାପାଙ୍କ ସାଙ୍ଗରେ କଥାବାର୍ତ୍ତା ହୋଇଥିଲେ ।”

 

‘‘କ’ଣ କଥାବାର୍ତ୍ତା ହୋଇଥିଲେ ?”

 

‘‘ସେ ତାଙ୍କୁ କହିଥିଲେ….ଆପଣ ତାଙ୍କୁ ଘରୁ ତଡ଼ି ଦେଇଛନ୍ତି, ସେ ଉତ୍ତର ଦେଇଥିଲେ ଯେ ସେ ତଡ଼ି ନାହାଁନ୍ତି । କିନ୍ତୁ ସ୍ୱଇଚ୍ଛାରେ ସେ ବାହାରି ଯାଇଛନ୍ତି । ସେ କହିଥିଲେ ଯେ ତୁମ ମା’ ବର୍ତ୍ତମାନ ତାଙ୍କ ପାଖରେ ଅଛନ୍ତି । ଅନ୍ୟ କେଉଁଠାରେ ସେ ରହିବେ ? ତାଙ୍କର ଆଉ ଏ ସହରରେ କିଏ ଚିହ୍ନା ପରିଚିତ ଲୋକ ଅଛି ? ସେ କାହା ପାଖକୁ ଯିବେ ? ସେ ପଚାରିଥିଲେ ଯେ ତାଙ୍କ ବାପା କୁଆଡ଼େ ଆଉ ଜଣଙ୍କୁ ଡାକି ଆଣିଛନ୍ତି । ତୁମର ବାପା ଏ କଥାକୁ ଶୁଣି ଭୀଷଣ ଭାବରେ ରାଗିଯାଇ କହିଲେ ଯେ ସେ କେବଳ ଘରକୁ ଡାକି ଆଣିନାହାଁନ୍ତି ବିଭା ହୋଇଛନ୍ତି ମଧ୍ୟ । ଲିଂଟାନ୍‍ ଯୁକ୍ତି କରିଥିଲେ ଯେ ତୁମେ ଅଛ ଦୁଇଜଣ ଯାକଙ୍କର ପୁଅ ହିସାବରେ । ତୁମେ ହେଉଛ ମୁଖ୍ୟ ପ୍ରମାଣ । ତୁମେ ହେଉଛ ତୁମ ମା’ଙ୍କର, କିନ୍ତୁ ସେ ଯୁକ୍ତି କରି କହିଲେ ଯେ ତୁମ ଉପରେ ତୁମ ମା’ଙ୍କର ଟିକିଏ ହେଲେ ଅଧିକାର ନାହିଁ । ତୁମେ ହେଉଛ ତୁମ ବାପାଙ୍କର । ଲିଂଟାନ୍‍ କହିଲେ ଯେ ସେ ଅଦାଲତରେ ଆଶ୍ରୟ ନେବେ । ତୁମ ବାବା କହିଲେ ସେ ଚାଇନା ଭାରତ ଉପରେ ଆକ୍ରମଣ କଲା । ଭାରତ କେଉଁ ଅଦାଲତରେ ଆଶ୍ରୟ ନେଇଥିଲା ?”

 

“ତା’ପରେ କ’ଣ ହେଲା ? ଲିଂଟାନ୍‍ କ’ଣ କହିଲେ ।’’

 

‘‘ଲିଂଟାନ୍‍ କହିଲେ ଆପଣ ସଂଜତ ହୋଇ କଥାବାର୍ତ୍ତା କରୁଛନ୍ତି ତ ? ଆପଣ ତାଙ୍କୁ ପୁଣିଥରେ ବିଚାର କରି ଗ୍ରହଣ କରନ୍ତୁ । ତୁମର ବାପା ଆଦୌ ରାଜି ହୋଇ ନ ଥିଲେ । ତା’ପରେ ଲିଂଟାନ୍‍ କହିଲେ……ତୁମେ କ’ଣ ଭାବୁଛ ଯେ ତାଙ୍କୁ ବିଭାହେବାକୁ ଅନ୍ୟ କେହି ପୁଅ ମିଳିବେ ନାହିଁ-?”

 

“ବାପା କ’ଣ କହିଲେ !”

 

“ସେ କହିଲେ ତୁମେ ତାକୁ ବିଭା ହୋଇପାର । ଲିଂଟାନ୍‍ ଉତ୍ତେଜିତ ହୋଇଯାଇଥିଲେ-। ତୁମ ବାପା ମଧ୍ୟ ଏଥିରେ ତାଙ୍କ ଉପରେ ଭୀଷଣ ଭାବରେ ରାଗିଯାଇ ଘରୁ ବାହାର କରି ଦେଇଥିଲେ । ଚାଇନିଜ୍‍ ଏଜେଣ୍ଟ୍‍ । କୁକୁର, ଗେଟ୍‍ ଆଉଟ୍‍ ଏସବୁ କହିବାକୁ ସେ ପଛାଇ ନ ଥିଲେ-। ଲିଂଟାନ୍‍ ଫେରିଯାଇଥିଲେ ନିରାଶ ହୋଇ-। ତା’ପରେ ଆଉ କ’ଣ ଖବର ମୁଁ ଜାଣେନି-। ସମ୍ଭବତଃ ସେ ତାଙ୍କରି ପାଖରେ ଅଛନ୍ତି । କିନ୍ତୁ ଲିଂଟାନ୍‍ କେଉଁଠାରେ ରୁହନ୍ତି ମୁଁ କହିପାରିବିନି-।”

 

ଏସବୁ କଥା ମନେ ପକାଇ ଉଜ୍ଜଳ ଆଖିରୁ ଲୁହ ଝରି ପଡ଼ିଗଲା । ତା’ ଆଖିର ଲୁହ ପୋଛିପକାଇ ବବୃ ଓ ଭୃଗୁ କହିଲେ, “ତୁମେ କାହିଁକି କାନ୍ଦୁଛ ଉଜ୍ଜଳ । ଆମକୁ କୁହ ତୁମେ କ’ଣ ଚାହଁ । ଆମେ ତୁମ ଅସୁବିଧା ପୂରଣ କରିବାକୁ ନିଶ୍ଚୟ ଚେଷ୍ଟା କରିବୁ ।”

 

“ଉଜ୍ଜଳ କହିଲା ଆମେ ଲିଂଟାନ୍‍ଙ୍କ ଘର ଖୋଜି ପାଇବା ତ ?”

 

“କିଛି ବ୍ୟସ୍ତ ହୁଅନା, ଆମେ ନିଶ୍ଚୟ ପାଇବାକୁ ଚେଷ୍ଟା କରିବା, ନିଶ୍ଚୟ ମିଳିଯିବ ଗୋଟାଏ ଦିନ ମଧ୍ୟରେ । ଏ ସହରରେ ଗୋଟିଏ ଲୋକର ବସାକୁ କ’ଣ ଆମେ ଖୋଜି ପାଇପାରିବାନି ?”

 

ଆମେ ଆଜି ପ୍ରଥମେ ଯିବା ସେହି ଜୋତା ଦୋକାନ ପାଖକୁ । ତା’ ପାଖରେ ଲୋକଙ୍କୁ ପଚାରି ଦେଲେ ତାଙ୍କ ବସା କେଉଁଠି ବୋଧହୁଏ ତାହା ମିଳିଯିବ ।”

 

ଏହିପରି କଥାବାର୍ତ୍ତା ହୋଇ ସେମାନେ ହଷ୍ଟେଲରେ ପହଞ୍ଚିଗଲେ । ସେଠାରେ ପହଞ୍ଚିବାର ଅଳ୍ପ ସମୟ ମଧ୍ୟରେ ଏମାନେ ଖବର ପାଇଗଲେ ଯେ ଏଠାକୁ ଅର୍ଚ୍ଚିଡ଼୍‍ ଆସିଥିଲେ । ଉଜ୍ଜଳକୁ ଗୋଟିଏ ଛୋଟ ଚିଠି ମିଳିଗଲା । ତା’ର ମା’ ଏଇଟିକୁ ଦେଇଯାଇଥିଲେ । ସେ ଏଇଟିକୁ ବହୁତ ଆଗ୍ରହର ସହିତ ପଢ଼ିଲା । ଧାଡ଼ିକୁ ଧାଡ଼ି ଅକ୍ଷରକୁ ଅକ୍ଷର ତା’ ମନ ମଧ୍ୟରେ ସବୁ ଗୋଟି ଗୋଟି ହୋଇ ଛାପାମାରି ରହିଗଲା । ଏଥିରେ ଲେଖାଥିଲା ତାଙ୍କର ବର୍ତ୍ତମାନର ଠିକଣା, ଅଧିକ କିଛି ଲେଖା ନ ଥିଲା, ସାକ୍ଷାତରେ । ସେ କିଛିଦିନ ପରେ ପୁଣି ଏଠାକୁ ଆସିବେ ତାଙ୍କୁ ଖୋଜିବାକୁ ବୋଲି ମଧ୍ୟ ଲେଖାଥିଲା । ଏ ଠିକଣା ପାଇ ସେ କିପରି ଖୁସି ନ ହେବ ? ଆଉ ଖୋଜା ଖୋଜି ଜଞ୍ଜାଳ ତା’ପାଇଁ ନାହିଁ । ତା’ର ଜୀବନର ଗୋଟିଏ ବହୁମୂଲ୍ୟ ଜିନିଷ ହଜି ଯାଇଥିଲା । ତାହା ସେ ପାଇଛି । ଯଦିଓ ସେ ଏପର୍ଯ୍ୟନ୍ତ ପାଇନି ପାଇବାକୁ ଯାଉଛି କହିଲେ ଭୁଲ୍‍ ହେବନି । ଆଉ ଅଧିକ କିଛି କଷ୍ଟ କରିବାକୁ ପଡ଼ିବନି । ଭୃଗୁ ଓ ବବୃ ସହିତ ସେ ହଷ୍ଟେଲରୁ ସଙ୍ଗେ ସଙ୍ଗେ ବାହାରିଗଲା । ଠିକଣା ସ୍ଥାନରେ ଏମାନେ ସମସ୍ତେ ବସ୍‌ରୁ ଓହ୍ଲାଇପଡ଼ିଲେ । ସେ କିପରି ଅଧିକ ସମୟ ଏଥିପାଇଁ ବିଳମ୍ବ କରିବ ? ମାର ସ୍ନେହ ଜୀବନର ଗୋଟିଏ ଦୁର୍ଲଭ-ରତ୍ନ । ସବୁ ପଛେ ଯାଉ, ସେଇଟି ଥାଉ-। ଏଇଟା ସମସ୍ତଙ୍କର ଇଚ୍ଛା । ଯାହାହେଉ ଲିଂଟାନ୍‍ଙ୍କ ଘରେ ପହଞ୍ଚିବାକୁ ତାକୁ ଅଧିକ ପଚରା ପଚରି କରିବାକୁ ପଡ଼ିନଥିଲା । ତା’ ଗୋଡ଼ କ’ଣ ତଳେ ଲାଗୁଥାଏ ? ମା’କୁ ଦେଖିବାକୁ ସେ ହୋଇ ଉଠିଲା ଗୋଟିଏ ପ୍ରକାର ପାଗଳ । ଅର୍ଚ୍ଚିଡ଼୍‍ ଓ ଲିଂଟାନ୍‍ ଦୁହେଁ ସେତେବେଳେ ଘରେ ଥିଲେ-। ଉଜ୍ଜଳ ଘର ଭିତରକୁ ପଶିଗଲା ତା’ ଆଖି ଛଳଛଳ ହୋଇଗଲା, ଶୀଘ୍ର ଯାଇ ସେ ତା’ ମା’ଙ୍କୁ କୁଣ୍ଢାଇ ପକାଇଲା । ଅର୍ଚ୍ଚିଡ଼୍‍ ତାକୁ କୋଳାଇ ଧରି ତା’ ମଥାରେ ଚୁମା ଦେଇ କହିଲେ, “ଉଜ୍ଜଳ ।”

 

“ମା’ !” ଉଜ୍ଜଳର ଆଖିରୁ ଲୁହ ଝରିପଡ଼ିଲା । ଅର୍ଚ୍ଚିଡ଼୍‍ ନିଜ ରୁମାଲରେ ତା’ ଅଖିର ଲୁହକୁ ଭଲଭାବରେ ପୋଛିଦେଇ ପଚାରିଲେ, “ତୁମେ କିପରି ଅଛ ଉଜ୍ଜଳ ? ତୁମେ କିପରି ଖବର ପାଇଲ ମୁଁ ଏଠାରେ ବୋଲି !”

 

“ମା’ ତମେ କାହିଁକି ମୋତେ ଛାଡ଼ି ଏଠାକୁ ଚାଲି ଆସିଲ ? ଏସବୁ କ’ଣ ହୋଇଗଲା-?”

 

ତା’ପରେ ନୀରବତା ।

 

ଲିଂଟାନ୍‍ ଭୃଗୁ ଓ ବବୃ ଏ ଦୁହିଁଙ୍କୁ ନିଜ ପାଖରେ ବସାଇଦେଲେ । ନୀରବତା ଭଙ୍ଗକରି ଅର୍ଚ୍ଚିଡ଼୍‍ କହିଲେ, “ମୁଁ ଆଜି ତୁମ ସ୍କୁଲ୍‍କୁ ଯାଇଥିଲି, ଜାଣିଲି ଯେ ଛୁଟି ଅଛି । ହଷ୍ଟେଲରେ ମଧ୍ୟ ପାଇଲି ନାହିଁ ।”

 

“ଏତେ କଥା ହୋଇଯାଇଛି ବୋଲି ମୁଁ କ’ଣ ଜାଣେ ? ମୁଁ ଏ ଛୁଟିରେ ଘରକୁ ଟିକିଏ ଏମାନଙ୍କ ସହିତ ବୁଲିବାକୁ ଯାଇଥିଲି । ଘରେ ଏ ଅବସ୍ଥା ଦେଖି ହଷ୍ଟେଲକୁ ଫେରି ଆସିଲି । ମୋତେ ସେଠାରେ ଗୋଟିଏ ମୁହୂର୍ତ୍ତ ମଧ୍ୟ ରହିବାକୁ ଭଲ ଲାଗିଲା ନାହଁ । ମୋତେ ସେଠାରେ ତୁମ ଠିକଣା କେହି କହିପାରିଲେ ନାହିଁ । କେହି ତୁମ ଠିକଣା ରଖିବାକୁ ମଧ୍ୟ ଚାହିଁ ନ ଥିଲେ ।”

 

ଏହାପରେ ଉଜ୍ଜଳ ଶୁଣିପାରିଲା, ‘‘ତୁ ଆସିଲୁ ପୁଅ ଖୁବ୍‍ ଭଲ ହେଲା, ମୁଁ ତୋତେ ଦେଖିବାକୁ ଟିକିଏ ସୁଯୋଗ ପାଇଲି । ବହୁତ ଦିନ ହେଲା ଦେଖି ନ ଥିଲି । ଯେଉଁ ସମୟରେ ମୋ ଦୋକାନକୁ ଜୋତା କଣିବାକୁ ଆସୁଥିଲୁ, ସେତିକିବେଳେ ମୁଁ ଦେଖିଥିଲି । ଆଜିଠାରୁ ଆଉ ସେଠାକୁ ଯିବୁନି ।” ଲିଂଟାନ୍‍ କହିଥିଲେ । ଉଜ୍ଜଳ ତାଙ୍କଆଡ଼କୁ ଅନାଇ ପଚାରିଲା “କେଉଁଠାକୁ ?”

 

“ରାକେଶ୍‍ ବାବୁଙ୍କ ପାଖକୁ ।”

 

“କାହିଁକି ?”

 

“ତୁ ତ ସବୁବେଳେ ଏଠାକୁ ଆସିବୁ । ସେଠାକୁ କାହିଁକି ଯିବୁ ? ସେଠାକୁ ତ ତୋ ମାଆ ଆଉ କେବେ ଯିବନି ।”

 

‘‘କାହିଁକି ?”

 

ଅର୍ଚ୍ଚିଡ଼୍‍ ତଳକୁ ମୁହଁ ପୋତି କହିଲେ, “ତୁମେ କ’ଣ ଜାଣିବ ଉଜ୍ଜଳ ? ଏବେ କିଛି ବୁଝିପାରିବନି, ବଡ଼ ହେଲେ ସବୁ ଜାଣିବ । ତୁମ ମା’ଙ୍କୁ ତ ସେଠାରୁ ତଡ଼ି ଦିଆଗଲା । ଆଉ କେଉଁ ମୁହଁ ଅଛି ଯେ ସେ ପୁଣି ଥରେ ସେଠାକୁ ଯିବ । ଏଇଯିଏ ତୁମ ସହିତ ବସିଛନ୍ତି ତାଙ୍କୁ ତୁମ ବାପା ବୋଲି ଭାବିବ ଆଜିଠାରୁ । ସେ ତୁମର ଭଲମନ୍ଦ ସୁବିଧା ଅସୁବିଧା ସବୁ ବୁଝିବେ । ସେ ତୁମର ସମସ୍ତ ଦେଖାଶୁଣା କରିବେ ।”

 

“କାହିଁକି ମା’, ତୁମେ ଚାଲ ସେଠାକୁ । ମୁଁ ତୁମକୁ ମୋ ସାଙ୍ଗରେ ନେଇଯିବି । ତୁମକୁ କେହି ତଡ଼ି ଦେବେନି । ମୁଁ ଅଛି । ଯାହାହେବ ମୁଁ ବୁଝିବି । ବାପା ସେଠାରେ ତୁମପରି ଆଉଜଣଙ୍କୁ ରଖିଲେଣି । ସେ କହୁଛନ୍ତି ଯେ ତାଙ୍କୁ ମୁଁ ମା’ ବୋଲି ଡାକିବି । ତୁମକୁ ଭୁଲଯିବି । ତୁମ ପାଖକୁ ଆଉ ଥରେହେଲେ ଆସିବି ନାହିଁ । ଏସବୁ କିପରି ହେବ ମା’ ? ମୋତେ ଅଦୌ ଭଲଲାଗୁନି ।”

 

‘‘ତୁମ ମା’ଙ୍କର କ’ଣ ଦୋଷ ଅଛି ? ତୁମ ମା’ କ’ଣ ମନା କରିଥିଲେ ସେଠାରେ ରହିବାକୁ ? ସେ ସେଠାରେ ରହିଲେ ତାଙ୍କୁ ଗନ୍ଧେଇବ । ସେ ସେଠାରେ ରହିଲେ ସମସ୍ତେ ଘୃଣା କରିବେ । ମାରଧର କରିବେ । ଛେଳି କୁକୁର ପରି ତଡ଼ି ଦେବେ ।”

 

“ଆଗରୁ ତ ତଡ଼ୁ ନ ଥିଲେ ।”

 

ଲିଂଟାନ୍‍ କହିଲେ, ‘‘ତୁ ପିଲାଲୋକ । ଏତେ କଥା କୁଆଡ଼ୁ ବୁଝିବୁ ? ତୋ ମୁଣ୍ଡ କାହିଁ ? ଆମେସବୁ ଅଙ୍ଗେ ନିଭାଇଛୁ । ଅପଦସ୍ତ ହୋଇଛୁ । ଅପମାନ ଖାଇଛୁ । ମାଡ଼ଗାଳି ଖାଇଛୁ । ଆମେ ଜାଣିଛୁ ।”

 

“ଏମିତି ହେଲେ କିପରି ହେବ ? ମୁଁ କିପରି ଚଳିବି ? ମୁଁ କାହା ପାଖକୁ ଯିବି ? ଜଣଙ୍କ ପାଖକୁ ଗଲେ ସେ କହୁଛି ଅନ୍ୟ ପାଖକୁ ଯାଅନା । ମୋତେ କ’ଣ ସମସ୍ତେ ଏମିତି ତଣ୍ଟିଚିପି ମାରିଦେବେ ?

 

ନା ତୁମେ ମୋ କଥା ବୁଝ ।

 

“ମୁଁ କ’ଣ ଆଉ ବୁଝିବି ?”

 

‘‘ତୁମେ ଆସ ମୋ ସାଙ୍ଗରେ ।”

 

“କୁଆଡ଼େ ?”

 

“ଘରକୁ ।”

 

“ଏଇଟା ତ ଆମ ଘର !”

 

“ଏଇଟା ନୁହଁ ସେଇଟା ।’’

 

“ସେଠାକୁ ମୁଁ ଯିବିନି ଆଦୌ ।”

 

“ମୁଁ ତୁମ ଗୋଡ଼ହାତ ଧରୁଛି । ତୁମକୁ ମୁଣ୍ଡିଆ ମାରୁଛି, ତୁମକୁ ବହୁତ କରି କହି ବିଶେଷ ଭାବରେ ଅନୁରୋଧ କରୁଛି, ତୁମେ ଚାଲ । ସବୁ କଳି କଜିଆ ମୁଁ ଛିଣ୍ଡାଇ ଦେବି । କିଛି ଅସୁବିଧା ହେବନି ।’’

 

“ମୁଁ ବରଂ ମରିଯିବି । ସେଠାକୁ ମୋ ଜୀବନରେ ଥରେହେଲେ ଯିବିନି କି ସେଠାକୁ ଭୁଲରେ ସୁଦ୍ଧା ଟିକିଏ ହେଲେ ବି ଅନାଇବି ନାହିଁ । ଆମେ ପୋଚରା ଲୋକ । ସେ ଭଲ ଘରକୁ ଆମେ କାହିଁକି ଯିବୁ ?”

 

“କିଏ କହିଲା ତୁମେ ପୋଚରା ଲୋକ ? ମୁଁ ତ କହୁଛି ତୁମେ ବହୁତ ଭଲଲୋକ ।’’

 

‘‘ନା ନା ମୋ’ଦ୍ଵାରା ସେଇଟା ହେବନି ।”

 

“ମୁଁ ବରଂ ମରିଯିବି । ମୁଁ ଏସବୁ ଜିନିଷ ଦେଖିପାରିବିନି, ମୋ ଆଖି ସହିବନି ।’’

 

ତା’ପରେ ଅଖଣ୍ଡ ନୀରବତା । ଦଶ ବର୍ଷର ଗୋଟିଏ ଛୋଟିଆ ପିଲା ପକ୍ଷରେ ଆଉ କ’ଣ ଅଧିକ ସମ୍ଭବପର ହୋଇପାରିବ ?

 

ନୀରବତା ଭଙ୍ଗ କରି ଅର୍ଚ୍ଚିଡ଼୍‌ଙ୍କ ଛାତିରୁ କୋହ ବାହାରି ଆସିଲା । ଉଜ୍ଜଳ ତାଙ୍କ ମୁହଁକୁ ଚାହିଁଲା ପରେ ଦେଖି ପାରିଲା ଯେ ତାଙ୍କ ଆଖିରେ ଲୁହ । “ମା’ ତମେ କାନ୍ଦୁଛ ।” ଏହା କହି ସେ ଅର୍ଚ୍ଚିଡ଼୍‌ଙ୍କୁ ଖୁବ୍‍ ଜୋରରେ କୁଣ୍ଢାଇ ପକାଇଲା । ଅର୍ଚ୍ଚିଡ଼୍‍ ତା’ ମଥାରେ ଚୁମା ଦେଲେ । ତା’ପରେ ନିଜେ ଆଖିରୁ ଲୁହ ପୋଛିପକାଇ କହିଲେ, ‘‘ଉଜ୍ଜଳ ତମେ କିଛି ଖାଇନ । ଆସ ମୁଁ ତୁମକୁ ଖାଇବାକୁ ଦିଏ । ଆସ ଭୃଗୁ, ବବୃ ।”

 

ଉଜ୍ଜଳ କହିଲା, ‘‘ମା’ ତମ ହାତରୁ ମୁଁ ଅନେକ ଦିନ ହେଲା କଛି ଖାଇନି । ଆଜି ଦିଅ ମା’, ମୁଁ ଅନାଇ ବସିଛି ।” ଏହାଛଡ଼ା ତା’ର ଦୁଇଜଣଯାକ ସାଙ୍ଗ ଖାଇବାକୁ ଯାଇଥିଲେ । ତିନିଜଣଯାକଙ୍କୁ ସେ ନିଜ ହାତରେ ଖୁଆଇ ଦେଇଥିଲେ । ସମସ୍ତଙ୍କ ପେଟ ପୂରି ଯାଇଥିଲା । ଏତେ ସ୍ନେହ ଆଦର ସେମାନେ କେଉଁଠାରେ ଦେଖି ନ ଥିଲେ ।

 

ଉଜ୍ଜଳ ସେଠାରେ ଦିନେ ରହିଲା । ସେ ଭଲଭାବରେ ଜାଣିଲା ଯେ ଯେତେ ଚେଷ୍ଟା କଲେ ତା’ ମା’ ଆଉ ତା’ କଥାରେ ରାଜି ହୋଇ ତା’ ବାପାଙ୍କ ପାଖକୁ ଆସିବେ ନାହିଁ । ତେଣୁ ସେଠାରେ ଆଉ ଅଧିକ ସମୟ ରହିବାକୁ ମଧ୍ୟ ଭଲ ଲାଗିଲା ନାହିଁ । ସେ ବବୃ ଓ ଭୃଗୁ ସହିତ ହଷ୍ଟେଲକୁ ଫେରିଆସିଲା ।

 

ବାଟରେ ବବୃ ଘର ପଡ଼ିଲା । ବବୃ ସମସ୍ତଙ୍କୁ ଅନୁରୋଧ କଲା, “ଆମେ ତ ହଷ୍ଟେଲକୁ ଯାଉଛେ, ଆମରି ଘର ବାଟଦେଇ ଯିବା । ଖୁବ୍‍ ଭଲ ହେବ ।”

 

ତା’ ଅନୁରୋଧକୁ କେହି ଏଡ଼ାଇ ପାରିଲେ ନାହିଁ । ସମସ୍ତେ ଏକ ସମୟରେ ବସ୍‍ରୁ ଓହ୍ଲାଇଲେ । ତାରି ଘର ପାଖରେ ପହଞ୍ଚିଲେ । ଏ ଘର ପାଖରେ ଗୋଟିଏ ଭଙ୍ଗା ମନ୍ଦିର । ଚାଇନିଜ୍‍ ବୋମା ପଡ଼ି ଅଧାରୁ ଭାଙ୍ଗିପଡ଼ିଛି । ଅନ୍ୟ ଏକ ଘର ସମ୍ପୂର୍ଣ୍ଣ ଧ୍ଵଂସ ପାଇଯାଇଛି । ସମସ୍ତେ ଏହି ଅମାନୁଷିକ କାର୍ଯ୍ୟର କରୁଣ ଦୃଶ୍ୟର ଚିହ୍ନିଗୁଡ଼ିକୁ ଅଳ୍ପ ଚାହିଁଲେ । ମଣିଷ ଦିନ ଦିନ ଧରି ଏତେ ପରିଶ୍ରମ କରି ଏଗୁଡ଼ିକୁ ତିଆରି କରୁଛି; କିନ୍ତୁ ମଣିଷ ଗୋଟିଏ ଦିନରେ ଏସବୁ ଭାଙ୍ଗି ଚୁର୍‍ମାର୍‍ କରି ଦେଉଛି । ଏହାପରେ ବବୃ ନିଜ ଘର ଭିତରକୁ ସମସ୍ତଙ୍କୁ ଡାକି ଆଣିଲା । ଘରେ ତା’ ବାପା ଏବଂ ମା’ ଆଦି ଥିଲେ । ସମସ୍ତେ ତାଙ୍କୁ ନମସ୍କାର କରି ସମ୍ମାନ ପ୍ରଦର୍ଶନ କଲେ । ସେମାନେ ଖୁସି ହୋଇ ହସି ହସି ଏମାନଙ୍କୁ ସ୍ଵାଗତ କଲେ । ବବୃର ବାପା ଓ ମା’ ସମସ୍ତଙ୍କୁ ଆଦର କରି ସବୁକଥା ପଚାରିଲେ । କେମିତି ହଷ୍ଟେଲରେ ରହୁଛ । ପଢ଼ା କିପରି ଚାଲିଛି, ଦେହ କିପରି ଅଛି, ପରୀକ୍ଷା ଆଉ କେତେଦିନ ଅଛି । ଏହିପରି ନାନାଆଡ଼ୁ ନାନା କଥା ।

 

ତା’ପରେ ବବୃର ମା’ ସେମାନଙ୍କୁ ଖାଇବାକୁ ନିଜ ଡାଇନିଂ ରୁମ୍‌କୁ ଡାକି ନେଇଗଲେ । ସେତିକିବେଳେ ସେ ଉଜ୍ଜଳ ଦେହରେ ହାତମାରି ଜାଣିପାରିଲେ ଯେ ତା’ ଦେହରେ ଭୀଷଣ ତାତି । ତାତିରେ ଖଇ ଫୁଟିଯିବ, ତାକୁ ଜ୍ଵର, ତାକୁ ସଙ୍ଗେ ସଙ୍ଗେ ବେଡ଼ରେ ଶୁଆଇ ଦେଲେ । ତା’ର ବାପା ଏ ଖବର ପାଇ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଡକାଇ ଆଣିଲେ । ଡାକ୍ତର ତା’ ଦେହ ପରୀକ୍ଷା କଲେ । ସେ କହିଲେ, “ଏଇଟା ଡେରି କଲେ ସିରିୟସ୍‍ ହୋଇ ଯାଇପାରେ । ତେଣୁ ହସ୍‍ପିଟାଲରେ ଆଡ଼ମିଶନ୍‍ କରାଇନେଇଯିବା ଖୁବ୍‍ ଭଲ ହେବ ।”

 

ବବୃର ବାପା ମଧ୍ୟ ସେଇଆ କଲେ । ଉଜ୍ଜଳର ଆଡ଼ମିଶନ୍‍ ହୋଇଗଲା ସଙ୍ଗେ ସଙ୍ଗେ ହସ୍‍ପିଟାଲରେ । ବବୃ ଘରର ଖୁବ୍‌ ନିକଟରେ ହସ୍‍ପିଟାଲ, ଏହାପରେ ବବୃର ମା’ଙ୍କ ପରାମର୍ଶରେ ବବୃ ଚାଲିଲା ତାଙ୍କ ମା’ଙ୍କୁ ଏଠାକୁ ଡାକି ଆଣିବାକୁ । ସେହିପରି ତାଙ୍କ ପରାମର୍ଶରେ ଭୃଗୁ ମଧ୍ୟ ଚାଲିଲା ତାଙ୍କ ବାପା ରାକେଶ୍‍ ବାବୁଙ୍କୁ ଡାକି ଆଣିବାକୁ ।

 

ରାକେଶ୍‍ ବାବୁ ଖୁବ୍‍ ଶୀଘ୍ର ଏଠାରେ ପହଞ୍ଚିଗଲେ । ସେ ହସ୍‍ପିଟାଲରେ ଉଜ୍ଜଳକୁ ଦେଖି ବହୁତ ଦୁଃଖ ପ୍ରକାଶ କରିଥିଲେ । ବବୃର ବାପା ତାଙ୍କୁ ସବୁକଥା ବୁଝାଇ କହିଥିଲେ । ପ୍ରଥମେ ଯାଇ ଡାକ୍ତର ଲେଖିଥିବା ସମସ୍ତ ଔଷଧପତ୍ର ଆଣି ଦେଇଥିଲେ ।

 

ଉଜ୍ଜଳ ରାକେଶ୍‍ ବାବୁଙ୍କୁ ଦେଖିଲା, ତା’ ଆଖିରେ ଲୁହ ଝରି ଆସିଲା । ରାକେଶ୍‍ ବାବୁ ତା’ ବେଡ଼୍‍ ପାଖରେ ବସି ତା’ ମୁଣ୍ଡରେ ହାତ ମାରିଲେ ଏବଂ ତା’ ଆଖିରୁ ଲୁହ ପୋଛିପକାଇଲେ ।

 

ଉଜ୍ଜଳ ପାଟିରୁ ଧୀରେ ଧୀରେ ବାହାରି ଆସୁଥିଲା ‘‘ବାପା” । ବବୃର ମା’ ତା’ ପାଖରେ ବସି ତା’ ମୁଣ୍ଡକୁ ଧୀରେ ଧୀରେ ବିଞ୍ଚି ଦେଉଥିଲେ । ତା’ର ଚଦରକୁ ଉପରକୁ ଟାଣିଆଣି ସେ କହିଲେ, “ଏତେ ମନଦୁଃଖ କରନି ପୁଅ, ସବୁ ଭଲ ହୋଇଯିବ । ତୁମେ ଟିକିଏ ଶୋଇପଡ଼ ।”

 

ଉଜ୍ଜଳ ପାଟିରୁ ବାହାରି ଆସୁଥାଏ, ‘‘ବାପା ଆପଣ… ମା’…’’

 

ତା’ପରେ ତା’ ପାଟି ରହିଗଲା । ଥର ଥର ହେଉଥାଏ ତା’ ଓଠ ।

 

ବବୃର ମା’ ତା’ ମଥାରେ ହାତ ମାରୁଥାଆନ୍ତି । ଅଳ୍ପ ସମୟ ମଧ୍ୟରେ ଅରୁଣା ଚାଲି ଆସିଲେ । ଅରୁଣା ମଧ୍ୟ ତା’ ପାଖରେ ବସି ତା’ ଦେହରେ ହାତ ମାରି ଦୁଃଖ ପ୍ରକାଶ କଲେ । ତାଙ୍କୁ ଦେଖି ଉଜ୍ଜଳ ଆଖିରୁ ଲୁହ ଝରି ଆସିଲା ।

 

ପୁଣି ଥରେ ଉଜ୍ଜଳ ପାଟିରୁ ବାହାରି ଆସୁଥାଏ, ‘‘ମା’…ମା’…କା କା...”, ଅରୁଣା ତା’ ଆଖିରୁ ଲୁହ ପୋଛୁଥାନ୍ତି । କିନ୍ତୁ ପୁଣି ଲୁହ ଝରୁଥାଏ । ସତେ ଯେପରି ସେ ତା’ ଲୁହ ପୋଛି ଦେବାକୁ ଚାହୁଁନି । କାରଣ ସେ ତାଙ୍କ ନିଜ ମା’ ନୁହେଁ । ସେ ଚାହେଁ ତା’ ମା’କୁ । ଯେ କି ତାକୁ ଏତେ ଦୁଃଖ କଷ୍ଟକରି ଜନ୍ମ କରିଛି । ସେହି ତା’ ଆଖିରୁ ଲୁହ ପୋଛିବ । ଆଉ କେହି ନୁହେଁ ।

 

ଅଳ୍ପ ସମୟ ମଧ୍ୟରେ ଲିଂଟାନ୍‍ଙ୍କ ସାଙ୍ଗରେ ଅର୍ଚ୍ଚିଡ଼୍ ମଧ୍ୟ ହସ୍‍ପିଟାଲକୁ ଚାଲି ଆସିଲେ । ବବୃ ଅର୍ଚ୍ଚିଡ଼୍‍ଙ୍କୁ ଡାକିବାକୁ ଯାଇଥିଲା । ଅର୍ଚ୍ଚିଡ଼୍‌ଙ୍କୁ ଦେଖି ରାକେଶ୍‍ ବାବୁ ରାଗିକରି ନିଆଁ ହୋଇଗଲେ-। ଅର୍ଚ୍ଚିଡ଼୍ ତାଙ୍କୁ ଦେଖି ଅଟକି ଗଲେ । ରାକେଶ୍‍ ବାବୁ ଛିଡ଼ାହୋଇ କହିଲେ, “ସେ କାହିଁକି ଆସିଛି-? ତାକୁ କିଏ ଖବର ଦେଲା ? ସେ ଯଦି ଆସିଛି ଆସୁ ମୁଁ ତା’ହେଲେ ଯାଉଛି । ମୁଁ ଏଠାକୁ ଆଉ କେଉଁଦିନ ଆସିବିନି । ମୁଁ ଆସି ଭୁଲ୍‍ କରିଛି । ସେ ଯଦି ଏଠାରୁ ଏ ମୁହୂର୍ତ୍ତରେ ବାହାରି ନ ଯିବ, ମୁଁ ତା’ହେଲେ ବାହାରି ଯିବାକୁ ବାଧ୍ୟ ହେବି । ତାଙ୍କ ପାଖକୁ ଖବର ପଠାହୋଇ ବହୁତ ଭୁଲ୍‍ ହୋଇଛି-।’’

 

ଉଜ୍ଜଳ ମଧ୍ୟ ଏହା ଦେଖିଲା । ଏହା ଦେଖି ତା’ ଆଖିରୁ ଲୁହ ଝରି ଆସିଲା, ତା’ ଛାତିରୁ କୋହ ଉଠିଲା ।

 

ବବୃ ମା’ କହିଲେ, ‘‘ଆପଣ ଟିକିଏ ଶାନ୍ତ ହୁଅନ୍ତୁ । ଏଇଟା ପରା ହସ୍‌ପିଟାଲ । ଏଇଟା ଆମଘର ନୁହେଁ କି ଆପଣଙ୍କର ଘର ନୁହେଁ । ଆପଣଙ୍କୁ ଯେମିତି ଖବର ପଠାଇ ଡକାଇଅଛୁ ତାଙ୍କୁ ମଧ୍ୟ ସେହିପରି ଡକାଇଅଛୁ । ଏଇଟା ତ ସରକାରଙ୍କ ହସ୍‌ପିଟାଲ । ସମସ୍ତଙ୍କର ସମାନ ଅଧିକାର ରହିଛି । ଆପଣ ଆମର ଯେମିତି ଅତିଥି ସେ ମଧ୍ୟ ସେମିତି ଅତିଥି । ତା’ପରେ ସେ ତ ଉଜ୍ଜଳକୁ ଜନ୍ମ କରିଛନ୍ତି । ତାଙ୍କର ନିଶ୍ଚୟ ଏଠାରେ ତା’ ଭଲମନ୍ଦ ବୁଝିବାକୁ ଓ ତା’ ସେବା କରିବାକୁ କିଛି ନା କିଛି ଅଧିକାର ରହିଛି । ସେ ତ କିଛି ଖରାପ ଉଦ୍ଦେଶ୍ୟରେ ଆସି ନାହାଁନ୍ତି ।

 

“ଉଜ୍ଜଳ ପାଇଁ ସେ କିଛିହେଲେ କରିପାରିବେ ନାହିଁ । ଟିକିଏ ବି ଦେଖି ପାରିବେନି । ତା’ପାଇଁ କିଛି ଖର୍ଚ୍ଚ କରିପାରିବେନି । ତା’ ଔଷଧ ଏଠାରେ ତା’ପାଇଁ ଦରକାର ନାହିଁ । ତା’ହେଲେ ଏ ହସ୍‌ପିଟାଲରେ ତା’ର ପାଦ ପକାଇବା କ’ଣ ଆବଶ୍ୟକ ?”

 

“ଆପଣ ପରା ଉଜ୍ଜଳଙ୍କ ବାପା । ତାଙ୍କ ଦେହ ଖରାପ । ଏପରି କଥା କ’ଣ କୁହନ୍ତି ?”

 

ତା’ପରେ ସେ ଚୁପ୍‌ ରହିଲେ ।

 

ଉଜ୍ଜଳ ଆଖିରୁ ଅଧିକ ଲୁହ ଝରିଗଲା । ତା’ ପାଟିରୁ ବାହାରୁଥାଏ, “ବାପା ! ବାପା ! ରାକେଶ୍‍ ବାବୁ ତା’ ପାଖରେ ବସି ତାକୁ ସାନ୍ତ୍ଵନା ଦେଲେ । ସେ ବାପାଙ୍କ ହାତକୁ ଧରିଲା । ବାପାଙ୍କୁ ଚାହିଁଥାଏ, ଆଖିରୁ ଲୁହ ଝରୁଥାଏ । କାକୁତି ମିନତି ହୋଇ ଚାହିଁ ରହିଥାଏ ।

 

“ବାପା ! ଆ ପ ଣ ।’’

 

“କୁହ ପୁଅ କ’ଣ କହିବୁ ।”

 

“ଏତେ ନିଷ୍ଠୁର ବାପା ?”

 

“ପୁଅ ତୁ ଏତେ କଥା ଚିନ୍ତା କରନି । ତୋର କିଛି ଅସୁବିଧା ହେବନି । ମୁଁ ଅଛିପରା ତୋ ନିଜର । ବହୁତ କଥା ନ ଭାବି ଟିକିଏ ଆରାମରେ ଏଠାରେ ଶୋଇପଡ଼ । ସବୁ କାଲିକୁ ଠିକ୍‍ ହୋଇଯିବ ।” ଉଜ୍ଜଳ ପାଟିରୁ ବାହାରୁଥାଏ, ‘‘ମା’ ମା’ କାହିଁ, ବବୃ ଏବଂ ଭୃଗୁ ଏଥର ଅର୍ଚ୍ଚିଡ଼୍‌କୁ ଭିଡ଼ିଭିଡ଼ି ତା’ ବେଡ଼୍‍ ପାଖକୁ ଆଣିଲେ । ଛେଳିକୁ ପାଣିକୁ ଟାଣିଲା ପରି ସେ ଅପମାନରେ ଓ ଭୟରେ ସଢ଼ି ସଢ଼ି ପାଖରେ ଛିଡ଼ା ହେବାକୁ ବାଧ୍ୟ ହେଲେ ।’’

 

ମା’ଙ୍କୁ ଦେଖି ତା’ ଆଖିରୁ ଲୁହ ବହିଗଲା । ବବୃର ମା’ ଏବଂ ବାପା ରାକେଶ୍‍ ବାବୁଙ୍କୁ ବାଧ୍ୟ କରିଥିଲେ ସେଠାରେ ଚୁପ୍‍ ହୋଇ ବସିବାକୁ ।

 

“ମା–ମା–” କହି ସେ ଅଧିକ କାନ୍ଦି ପକାଇଲା । ସେ ତା’ ପାଖରେ ବସି ତା’ ଦେହରେ ହାତ ମାରିଲେ । ଉଜ୍ଜଳ ତାଙ୍କର ଗୋଟିଏ ହାତକୁ ଧରିପକାଇଲା । ଏଥର ସେ ତା’ ବାପାଙ୍କ ହାତ ଏବଂ ମା’ଙ୍କ ହାତ ଏକାଠି ଯୋଡ଼ିଦେଲା । ସଙ୍ଗେ ସଙ୍ଗେ ବିଦ୍ୟୁତ୍‌ର ସ୍ପନ୍ଦନ । ଗୋଟିଏ ମୁହୂର୍ତ୍ତରେ ହାତ ଦୁଇଟି ବିଚ୍ଛିନ୍ନ ହୋଇଗଲା । ସଙ୍ଗେ ସଙ୍ଗେ ଭୋ ଭୋ ହୋଇ ଉଜ୍ଜଳ ରଡ଼ି ଛାଡ଼ିଲା ।

 

ବବୃର ବାପା ଏବଂ ମା’ ରାକେଶ୍‍ ବାବୁଙ୍କୁ ବହୁତ ବୁଝାଇଲେ, “ଯଦି ଆପଣଙ୍କ ପୁଅ ଚାହାନ୍ତି, ତା’ହେଲେ ତାଙ୍କ ଭଲପାଇଁ ଆପଣ ଦୁହେଁ ଏଠାରେ ହାତ ମିଳାନ୍ତୁ । ଏଇଆ କଲେ ତାଙ୍କୁ ଭଲ ଲାଗିବ । ଦେହ ଆରାମ ଲାଗିବ । ମନ ଭଲ ଲାଗିଲେ ତା’ ପ୍ରଭାବରେ ଜ୍ଵର ଶୀଘ୍ର ଛାଡ଼ିବ ।”

 

ଭଦ୍ରବ୍ୟକ୍ତିଙ୍କର ବିଶେଷ ଅନୁରୋଧରେ ଅର୍ଚ୍ଚିଡ଼୍‍ ଏବଂ ରାକେଶ୍‍ ବାବୁ ନିଜ ନିଜ ଇଚ୍ଛାରେ ଉଜ୍ଜଳର ଦୁଇ ପାଖରେ ବସି ହାତ ମିଳାଇଲେ, ଉଜ୍ଜଳ ବହୁତ ଖୁସି ହୋଇଗଲା । ତା’ ଆଖିରୁ ଆନନ୍ଦର ଅଶ୍ରୁ ବହିଗଲା । ପାଖରେ ଛିଡ଼ା ହୋଇଥିବା ଅରୁଣାଙ୍କ ମନରେ ଏବଂ ଲିଂଟାନ୍‍ଙ୍କ ମନରେ କ’ଣ ଥିବ ତାହା ସ୍ଵୟଂ ଭଗବାନ ଜାଣନ୍ତି । ଉଜ୍ଜଳ ଯାହା ଭାବୁଥିଲା, ତାହା କ’ଣ ସଫଳ ହେବାକୁ ଯାଉଛି ? ତା’ ମନରେ ସନ୍ଦେହ । ଏହିପରି ପାଞ୍ଚ ମିନଟ୍‍ ପର୍ଯ୍ୟନ୍ତ ଦୁହେଁ ହାତ ମିଳାଇଥିଲେ । କିନ୍ତୁ ଅର୍ଚ୍ଚିଡ଼୍ ଥରେହେଲେ ରାକେଶ୍‍ ବାବୁଙ୍କଆଡ଼େ ଚାହିଁ ନ ଥିଲେ ଏବଂ ରାକେଶ୍‍ ବାବୁ ମଧ୍ୟ ଅର୍ଚ୍ଚିଡ଼୍‌ଙ୍କଆଡ଼େ ଚାହିଁ ନ ଥିଲେ । କିନ୍ତୁ ଦୁହେଁ ସାଙ୍ଗ ହୋଇ ଉଜ୍ଜଳର ସେବା କରିଥିଲେ ।

 

ଅନେକ ସମୟ ପରେ ବବୃ ଏବଂ ଭୃଗୁ କହିଲେ ରାକେଶ୍‍ ବାବୁଙ୍କୁ “ଆପଣ ଅନେକ ସମୟ ଏଠାରେ ବସିଲେଣି । ଆସନ୍ତୁ ଘରକୁ; ସେଠାରେ ଅଳ୍ପ ସମୟ ବିଶ୍ରାମ କରିବେ ।”

 

ରାକେଶ୍‍ ବାବୁ କହିଲେ, ‘‘ଏଠାରେ ଅରୁଣା ତ ଅଛନ୍ତି । ମୁଁ ଆପଣଙ୍କ ଘରେ ବିଶ୍ରାମ କରିବିନି । ମୁଁ ମୋ ନିଜ ଘରକୁ ଚାଲି ଯାଉଛି ବସରେ ।’’ ସେ ଯିବା ପୂର୍ବରୁ ଉଜ୍ଜଳ କହିଥିଲା, ‘‘ବାପା ଆପଣ କାଲି ଆସିବେ ଦଶଟା ବେଳକୁ ।”

 

“ହଁ ପୁଅ ! ମୁଁ ନିଶ୍ଚୟ ଆସିବି ।’’ ତା’ପରେ ସେ ଚାଲି ଯାଇଥିଲେ । ଲିଂଟାନ୍‍ ଏବଂ ଅର୍ଚ୍ଚିଡ଼୍‍ ଉଜ୍ଜଳ ପାଇଁ ଆଣିଥିବା ଫଳମୂଳ ତା’ ବେଡ଼୍‍ ପାଖରେ ରଖିଲେ । କିଛି ସମୟ ପରେ ଅର୍ଚ୍ଚିଡ଼୍‌ଙ୍କୁ ବବୃର ମା’ କହିଲେ, “ଆପଣ ବହୁତ ସମୟ ଉଜାଗର ରହି ଏଠାରେ ସେବା କଲେଣି । ଆମେ ତ ଅଛୁ, ଆପଣ ଅଳ୍ପ ବିଶ୍ରାମ କଲେ କ’ଣ ହୁଅନ୍ତାନି ?”

 

ଉଜ୍ଜଳ କହିଲା ଅର୍ଚ୍ଚିଡ଼୍‌ଙ୍କୁ, ‘‘ମା’ ତମେ କାଲି ଦଶଟାକୁ ଆସିବ ।”

 

“ମୁଁ କୁଆଡ଼େ ଯାଉନି ପୁଅ । ମୁଁ ତୋତେ କିପରି ଛାଡ଼ି ଚାଲିଯିବି ? ମୁଁ ତୋରି ପାଖେ ପାଖେ ସଦାବେଳେ ଅଛି । ତୁ ବ୍ୟସ୍ତ ହୁଅନା; ଅଳ୍ପ ଶୋଇପଡ଼ । ମୁଁ ଦଶଟାବେଳେ କାଲି ନିଶ୍ଚୟ ଥିବି ।”

 

ଉଜ୍ଜଳକୁ ନିଦ ଆସି ଯାଇଥିଲା । ରାତି ପାହିଗଲା । ଡାକ୍ତରମାନେ ତାକୁ ଦେଖିବାକୁ ଥରକୁଥର ଆସୁଥାନ୍ତି । ପ୍ରକୃତରେ ସକାଳକୁ ତା’ ଜ୍ଵର ପୂରା ଛାଡ଼ିଗଲା । ସେ ନିଜ ବେଡ଼ରେ ଉଠିବସିଲା । ସମସ୍ତେ ଖୁସି ହୋଇଗଲେ । ସେ କହୁଥିଲା, ‘‘ମୁଁ ଆଜି ହଷ୍ଟେଲକୁ ଫେରିଯିବି ।”

 

ଡାକ୍ତର କହିଲେ ଆଜି ନୁହେଁ, ‘‘କାଲି ଯିବ । ତୁମେ ବର୍ତ୍ତମାନ ବହୁତ ଉଇକ୍ ଅଛ ।”

 

ଦିନ ଦଶଟା ହୋଇଗଲା ।

 

ଉଜ୍ଜଳ ବବୃକୁ କହିଲା, ‘‘ମୁଁ ତ ସମ୍ପୂର୍ଣ୍ଣ ଭଲ ହୋଇଯାଇଛି । ମୁଁ ଟିକିଏ ମନ୍ଦିରକୁ ଯିବି । ସେଠାରେ ଭଗବାନଙ୍କୁ ପ୍ରାର୍ଥନା କରିବି । ଏଇ ପାଖରେ ଥିବା ଭଙ୍ଗା ମନ୍ଦିର ଯେଉଁଟାକି ବୋମାମାଡ଼ରେ ଅଧା ଭାଙ୍ଗିଯାଇଛି ।”

 

“ତୁମେ ଏକା ଯିବନି ।”

 

“ହଉ ତୁମେ ଚାଲ ମୋ ସାଙ୍ଗରେ ।”

 

ଦୁହେଁ ଚାଲିଲେ ମନ୍ଦିରକୁ, ହସ୍‌ପିଟାଲରେ ଭୃଗୁ ଆଦି ଥିଲେ । ଯିବାପୂର୍ବରୁ ସେ ତାକୁ କହିଥିଲା, “ମା’ ବିଶ୍ରାମ କରିବାକୁ ଯାଇଛନ୍ତି, ସେ ବର୍ତ୍ତମାନ ବିଶ୍ରାମ ସାରି ଫେରିବେ । ତାଙ୍କୁ ସେ ମନ୍ଦିରକୁ ନେଇଯିବ । ମୁଁ ସେଇଠାରେ ଅଛି, ବାପା ମଧ୍ୟ ଆସିବେ, ତାଙ୍କୁ ମନ୍ଦିରକୁ ପଠାଇ ଦେବ । ମୁଁ ସେଇଠାରେ ଡାକ୍ତରଙ୍କ ସାମନାରେ ଅଳ୍ପ ବସିଛି ।’’

 

ଉଜ୍ଜଳ ମନ୍ଦିରକୁ ଚାଲିଗଲା । ସେ ଠାକୁରଙ୍କୁ ମୁଣ୍ଡିଆ ମାରି ନିଜର ଦୁଃଖ ଜଣାଇଲା I ତାଙ୍କ ସାମନାରେ ବସିଥାଏ ।

 

ଠିକ୍‍ ସମୟରେ ରାକେଶ୍‍ ବାବୁ ହସ୍‌ପିଟାଲରୁ ଆସିଲେ । ସେ ଏଠାରେ ଆସି ଭୃଗୁଠାରୁ ସବୁ ବୁଝିଲେ । ସେ ଅରୁଣାଙ୍କ ସହ ସେହି ମନ୍ଦିରକୁ ଚାଲିଲେ । ସେ ଦୁହେଁ ଭୃଗୁଠାରୁ ଶୁଣିଲେ ସେ ପୂରା ଭଲ ହୋଇଯାଇଛି, ଆଉ ଜ୍ଵର ନାହିଁ । ଭଲରେ କଥାବାର୍ତ୍ତା କରୁଛି । ଭଲରେ ବସୁଛି, ବୁଲୁଛି, ସେ ବର୍ତ୍ତମାନ ମନ୍ଦିରକୁ ଯାଇଛି । ସେ ମଧ୍ୟ କହିଲେ ବାପା ଆସିଲେ ସେଠାକୁ ପଠାଇ ଦେବ । ଆପଣ ସେହି ମନ୍ଦିରକୁ ଯାଆନ୍ତୁ ।

 

ଏହାପରେ ଅଳ୍ପ ସମୟ ମଧ୍ୟରେ ଅର୍ଚ୍ଚିଡ଼୍‌ ମଧ୍ୟ ଲିଂଟାନ୍‍ଙ୍କ ସହିତ ଆସି ହସ୍‌ପିଟାଲରେ ପହଞ୍ଚିଲେ । ଭୃଗୁ ସେମାନଙ୍କୁ କହିଲେ, ‘‘ଉଜ୍ଜଳ ବର୍ତ୍ତମାନ ପୂରା ଭଲ, ଟିକିଏ ହେଲେ ଜ୍ଵର ନାହିଁ । କିଛିହେଲେ ଅସୁବିଧା ଆଉ ନାହିଁ । ସେ ବର୍ତ୍ତମାନ ପ୍ରାର୍ଥନା କରିବାକୁ ସେହି ମନ୍ଦିରକୁ ଯାଇଛି, ଆସନ୍ତୁ ମୁଁ ଆପଣଙ୍କୁ ସେହିଠାକୁ ନେଇଯିବି ।”

 

ଏହା କହି ସେ ତାଙ୍କୁ ମନ୍ଦିର ପାଖକୁ ନେଇଗଲେ । ରାକେଶ୍‍ ବାବୁ ପ୍ରଥମେ ମନ୍ଦିର ମଧ୍ୟରେ ଅର୍ଚ୍ଚିଡ଼୍‌ଙ୍କୁ ଦେଖି ରାଗିକରି ନିଆଁ ହୋଇଗଲେ । ଉଜ୍ଜଳ ପ୍ରଥମେ ଖୁସି ହୋଇଯାଇଥିଲା । ମାତ୍ର ପରେ ସବୁ ପାଣିଫାଟି ଗଲା ।

 

ସେ ଉଠି କହିଲା, ‘‘ବାପା ଆପଣ ସେପରି ହୁଅନ୍ତୁନି । ମା’ଙ୍କୁ ଏଠାକୁ ଆସିବାକୁ ମନା କରନ୍ତୁନି କି ତାଙ୍କ ଉପରେ ରାଗନ୍ତୁନି । ଆପଣ ଓ ସେ ଆସି ଆଜି ଏଠାରେ ହାତ ମିଳାଇ ପ୍ରତିଜ୍ଞା କରି କହିବେ ।”

 

ସଙ୍ଗେ ସଙ୍ଗେ ଗର୍ଜନ କରି ରାକେଶ୍‍ କହିଲେ “ଉଜ୍ଜଳକୁ କିଏ ବତାଇଛି ଏ ମନ୍ଦିରକୁ ଆସି ଏଠାରେ ଏ ଲୀଳା କରିବାକୁ ? କ’ଣ ଜଣାପଡ଼ିଲାନି ?’’

 

ଅର୍ଚ୍ଚିଡ଼୍‌ ରାକେଶ୍‍ ବାବୁଙ୍କୁ କହିଲେ, ‘‘ମୁଁ ଯଦି ବତାଇଛି ମୁଁ ଯାଉଛି । କିନ୍ତୁ ଏଇଟା ଯେ ଉଜ୍ଜଳ ମନକୁ ମନ କରୁଛି ।”

 

ଉଜ୍ଜଳ ପାଟିକଲା ‘‘ମା” ।

 

ଅର୍ଚ୍ଚିଡ଼୍‍ ମୁହଁ ବୁଲାଇ ଚାଲିଗଲେ ଲିଂଟାନ୍‍ଙ୍କ ସହିତ । ତେଣେ ରାକେଶ୍‍ ବାବୁ ମଧ୍ୟ କହିଲେ, “ମୁଁ ତ ତୁମକୁ ଏଠାକୁ ଆସିବାକୁ ମନା କରିନି । ତୁମେ ଏଠାରେ ଆସି ରହିପାର । ମୁଁ କାହିଁକି ରହିବି । ମୁଁ ଯାଉଛି, ତୁମେ ରୁହ ।”

 

ଉଜ୍ଜଳ କହିଲା, ‘‘ବାପା ।”

 

କିଛି ନ ଶୁଣି ରାକେଶ୍‍ ବାବୁ ମୁହଁ ବୁଲାଇ ଅରୁଣାଙ୍କ ସହିତ ଚାଲିଗଲେ ।

 

ଭୃଗୁ ଓ ବବୃ ସହିତ ଉଜ୍ଜଳ ସେଠାରେ ଏକା ଛିଡ଼ା ହେଲା । କେହି ତା’ପାଇଁ ଏଠି ଅଟକିଲେ ନାହିଁ । ତା’ କଳ୍ପନା କଳ୍ପନାରେ ହିଁ ରହିଗଲା । ସେ ଯାହା ଭାବିଥିଲା ସବୁ ଚୁର୍‌ମାର୍‍ ହୋଇଗଲା । ସବୁ ପାଣି ଫାଟିଗଲା । ତା’ପାଇଁ କେହି ଅପେକ୍ଷା କଲେ ନାହିଁ । ତାକୁ କେହି ଅନାଇଲେନି । କେହି ସାହାଯ୍ୟ କଲେନି । ତା’ ଦୁଃଖ ଦୂର ହେଲାନି । ତା’ ଆଖିରୁ ଲୁହ ପୋଛିବା ପାଇଁ କେହି ହାତ ବଢ଼ାଇଲେ ନାହିଁ, ଆଜି ତା’ର କେହି ନାହିଁ । ସମସ୍ତେ ଚାଲିଗଲେ, ସେ ଆଜି ଏକା । ତା’ ବାପା ଓ ମା’ ଏକାଠି ହେଲେନି । ସବୁଦିନ ପାଇଁ ଅଲଗା ହୋଇଗଲେ । ଏକଥା ସେ ସ୍ଵପ୍ନରେ ସୁଦ୍ଧା ଭାବି ନ ଥିଲା ସେ କିପରି ଏତେବଡ଼ ଚଡ଼କ ସହିପାରିବ ?

 

ତା ଆଖିରୁ ଧାର ଧାର ହୋଇ ଲୁହ ବହିଗଲା । ସେ ଭଗବାନଙ୍କ ମୂର୍ତ୍ତି ପାଖରେ କଚାଡ଼ି ହୋଇ ତଳେ ପଡ଼ିଗଲା । ତାଙ୍କ ପାଦ ପଦ୍ମରେ ସେ ମୁଣ୍ଡ ରଖି କାନ୍ଦୁଥିଲା । ବବୃ ଓ ଭୃଗୁ ଦୁହେଁ ତାକୁ ତଳୁ ଉଠାଇବାକୁ ଚେଷ୍ଟା କରିଥିଲେ । ସେ ଉଠି ନ ଥିଲା, ସେହି ଭଗବାନଙ୍କ ପାଖରେ କାନ୍ଦି କାନ୍ଦି ତାଙ୍କ ପାଦକୁ କୁଣ୍ଢାଇ ଧରି ସେ ସେହି ଅବସ୍ଥାରେ ଶୋଇ ପଡ଼ିଥିଲା, ବବୃ ଓ ଭୃଗୁ ତା’ ପାଖରେ ଜଗି ରହିଥିଲେ । ଅନେକ ସମୟ ପରେ ସେ ନିଦରୁ ଉଠିଥିଲା । ବବୃ ଓ ଭଗୁ ତାକୁ ଉଠାଇ ହସ୍‌ପିଟାଲ ନେଇଥିଲେ ତା’ପରେ ସେଠାରୁ ବାହାରି ସେମାନେ ନିଜ ହଷ୍ଟେଲକୁ ଚାଲିଯାଇଥିଲେ । ବାଟରେ ସେ କହିଲା ଯେ ସେ ଗୋଟିଏ ସ୍ଵପ୍ନ ଦେଖି ସେ ମନ୍ଦିର ଭିତରେ ନିଦରୁ ଉଠି ପଡ଼ିଥିଲା । ସେ ତା’ ସ୍ଵପ୍ନରେ ଦେଖିଥିଲା ଯେ ତା’ର କିଛି ଅସୁବିଧା ନାହିଁ । ତା’ ବାପା ଓ ମା’ ଏକାଠି ହୋଇଯାଇଛନ୍ତି । କିନ୍ତୁ ଏଇଟାତ ପ୍ରକୃତ କଥା ନୁହେଁ ।

 

ବବୃ କହିଥିଲା, ‘‘ସବୁ ସ୍ଵପ୍ନ କ’ଣ ସତ୍ୟ ହୁଏ ? ଭଗବାନ କରନ୍ତୁ ଏ ସ୍ଵପ୍ନ ସତ୍ୟ ହେଉ-।”

 

ଭୃଗୁ ମଧ୍ୟ ସେଇଆ କହିଥିଲା । ଯିବା ପୂର୍ବରୁ ବବୃର ବାପା ଓ ମା’ ତାକୁ ବହୁତ ବୁଝାଇ ସାନ୍ତ୍ଵନା ଦେଇଥିଲେ । ସେ ହସ୍‌ପିଟାଲରେ ପଡ଼ିଥିବା ସମୟରେ ଚାକରାଣୀ ମୀରା ମଧ୍ୟ ମଝିରେ ଥରେ ଆସିଥିଲା ଦେଖିବାକୁ ।

 

ଅରୁଣା ହସି ହସି ରାକେଶ୍‍ ବାବୁଙ୍କୁ କହିଲେ, “ଆଜି ତୁମପାଇଁ ଗୋଟିଏ ଖୁବ୍‍ ଭଲଖବର ଦେବାକୁ ମୁଁ ଯାଉଛି ।”

 

“କି ଖବର !”

 

Unknown

‘‘ପ୍ରଥମେ ଶୁଣିସାରି ହସିବାକୁ ପଡ଼ିବ ।”

 

“ହଁ ହସିବି ।”

 

“ପ୍ରୋମିସ୍‍ ।”

 

“ପ୍ରୋମିସ୍‌’’ ଦୁହେଁ ଏକ ସମୟରେ ହାତ ମିଳାଇଲେ ।

 

“ତୁମ କାନଟା ଠିକ୍‍ ମୋ ପାଖକୁ ଆଣ ।”

 

ରାକେଶ୍‍ ବାବୁ ଏଥର ଅରୁଣାଙ୍କ ବହୁତ ନିକଟକୁ ଚାଲି ଆସିଲେ । ସେ ତାଙ୍କ କାନ ପାଖରେ ନିଜ ଓଠ ଲଗାଇଦେଲେ । ତା’ପରେ ଚୁପ୍‍ ଚୁପ୍‍ କ’ଣ କହି ପକାଇଲେ ।

 

ରାକେଶ୍‍ ବାବୁ ଖୁସି ହୋଇଗଲେ । ନୀରବତା ଭଙ୍ଗ କରି ହସି ହସି କହିଲେ, ‘‘ମୁଁ ହସିବିନି ତ ଆଉ କିଏ ହସିବ ?”

 

ଲଜ୍ଜାରେ ଅରୁଣା ମୁହଁକୁ ତଳକୁ ପୋତିଲେ । ରାକେଶ୍‍ ବାବୁ ତାଙ୍କ ମୁହଁଙ୍କୁ ଉପରକୁ ଟେକିଲେ । ତାଙ୍କୁ ନିଜ ବାହୁରେ ଛନ୍ଦିପକାଇ ତାଙ୍କ ମଥାରେ ଚୁମା ଦେଇ ପୁଣି କହିଲେ, “ଲଜ୍ଜା କରନି । ଏଥିରେ ଲଜ୍ଜାର କିଛି କାରଣ ନାହିଁ । ବରଂ ଏଇଟା ଗୌରବର ବିଷୟ । ଆମର ଅନେକ ଦିନର ଆଶା ଆଜି ଶୀଘ୍ର ପୂରଣ ହେବାକୁ ଯାଉଛି ।” ଅରୁଣା ବହୁତ ଖୁସି ହୋଇଗଲେ । ସେ କିଛି ସମୟ ପୂର୍ବରୁ ରାକେଶ୍‍ ବାବୁଙ୍କ କାନରେ ଚୁପ୍‍ ଚୁପ୍‍ ଯାହା କହିବାକୁ ଚେଷ୍ଟା କରିଥିଲେ, ପ୍ରକୃତରେ ତା’ର ଅର୍ଥ ହେଲା ଯେ ସେ ମା’ ହେବାକୁ ଯାଉଛନ୍ତି ।

 

ସେ ଏ ଦୁନିଆକୁ ଦେଖାଇଦେବେ ଯେ ସେ ମଧ୍ୟ ଅନ୍ୟମାନଙ୍କ ସହିତ ସମାନ । ସେ ସେତେବେଳେ ଗର୍ବରେ ନିଶ୍ଚୟ ଫୁଲି ଉଠିବେ । ଏହା ହେବ ତାଙ୍କ ଜୀବନର ସାର୍ଥକତା । ତାଙ୍କ ନାରୀତ୍ଵର କେନ୍ଦ୍ର ବିନ୍ଦୁ । ସେ ତାଙ୍କ ଜୀବନରେ କୌଣସି ପାପ କରି ନାହାଁନ୍ତି । ତେଣୁ ଭଗବାନ ତାଙ୍କୁ ଆଶୀର୍ବାଦ କରିଛନ୍ତି । ଏହାଦ୍ଵାରା ମଧ୍ୟ ରାକେଶ୍‍ ବାବୁଙ୍କ ସହିତ ବନ୍ଧୁତା, ପ୍ରେମ ଏବଂ ବିବାହ ସମ୍ପର୍କ ଅଧିକ ଦୃଢ଼ ଏବଂ ଚିରସ୍ଥାୟୀ ହୋଇପାରିଛି ।

 

(୧୯)

 

ଉଜ୍ଜଳ ଆଜି ପାଠ ନ ପଢ଼ି ଏକା ଏକା ବସି କ’ଣ ଗୁଡ଼ାଏ ଭାବୁଛି, ପାଠ ପଢ଼ାରେ ତା’ ମନ ଲାଗୁ ନାହିଁ । ତା’ଛଡ଼ା ଅନ୍ୟ ସବୁପିଲା ବର୍ତ୍ତମାନ ପାଠ ପଢ଼ୁଛନ୍ତି । ସେ ବସି କେବଳ ସେଇକଥା ଭାବୁଥାଏ । ଭଗବାନ ତାକୁ ଏଇଆ କଲେ ଶେଷକୁ, ତା’ ଭାଗ୍ୟରେ ଲେଖା ଥିଲା ? ତା’ର ବାପା ଓ ମା’ ଏକାଠି ହୋଇପାରିଲେନି । ସେ କାନ୍ଦି କାନ୍ଦି ଏଥିପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲା; କିନ୍ତୁ କିଛିଲାଭ ହେଲା ନାହିଁ । ସେଥିପାଇଁ ତା’ ଆଖିରୁ ଆଜି ଲୁହ ବୋହୁଛି । ଲୁହ ବୋହୁନି, ବୋହୁଛି ରକ୍ତ । ତା’ପାଇଁ ଆଜି କେହି ନାହିଁ ।

 

ବବୃ ଉଜ୍ଜଳ ପାଖକୁ ଚାଲିଆସି କହିଲା, “ଉଜ୍ଜଳ ତୁମେ କାହିଁକି ପାଠ ପଢ଼ୁନ ? ସମସ୍ତେ ତ ପଢ଼ୁଛନ୍ତି । ଏଇଟା ପରା ପରୀକ୍ଷା ସମୟ । ଏମିତି ହେଲେ ଚଳିବ ?”

 

“କେମିତି ପଢ଼ିବି ? ମନ ଭଲଥିଲେ ସିନା ?”

 

“ମୁଁ ତୁମପାଇଁ ବିଶେଷ ଭାବରେ ଦୁଃଖିତ ଉଜ୍ଜଳ । କୁହ ମୋତେ ମୁଁ ତୁମପାଇଁ କି ପ୍ରକାର ସାହାଯ୍ୟ କରିପାରିବି ।”

 

ଉଜ୍ଜଳ ଆଖିରୁ ଲୁହ ଝରି ଆସିଲା ।

 

“ତୁମେ କାନ୍ଦନା ଉଜ୍ଜଳ । ମୁଁ କାହା ଆଖିରେ ଲୁହ ଦେଖିଲେ ସହି ପାରେନା ।”

 

“ତୁମେ ମୋ ଦୁଃଖରେ ସମଦୁଃଖି ହୋଇଛ । ଏହାଠାରୁ ବଡ଼ କଥା କିଛି ନାହିଁ ।”

 

“ଦୁଃଖ ନ କରି ଦୁଃଖକୁ ଦୂର କରିବାକୁ ଚେଷ୍ଟା କରିବା ଉଚିତ ।’’

 

“ମୁଁ ସବୁପ୍ରକାର ଚେଷ୍ଟା କରିଛି । ଆଉ କ’ଣ କରିବି ଅଧିକ ? ସେଥିପାଇଁ ବୁଦ୍ଧିବାଟ ଦିଶୁନି ।’’

 

“ପୁଣି ଅଧିକ ଖୋଜିବାକୁ ପଡ଼ିବ । କେଉଁ ଉପାୟ ଆମେ ଛାଡ଼ି ଦେଇଛେ l ଆମେ ଭାବିଛେ ଯେ ଆମେସବୁ ଉପାୟ କରିଛେ । କିନ୍ତୁ ଏଇଟା ଆମର ଭୁଲ୍‍ ଧାରଣା ।”

 

“ମୋ ବାପା ଆଉ ମା’ ଏ ଦୁହେଁ ଏକାଠି ହୋଇପାରିବେନି ।”

 

“ତୁମେ ଏକଥା ସବୁବେଳେ ଭାବିଲେ ତୁମ ପାଠପଢ଼ା ନଷ୍ଟ ହୋଇଯାଉଛି, ମୁଁ ତୁମକୁ ଅନୁରୋଧ କରୁଛି, ତୁମେ ଏତେ କଥା ଭାବନି ବର୍ତ୍ତମାନ ପାଇଁ । ପରୀକ୍ଷା ପରେ ଏସବୁ ଚିନ୍ତା କରିବ ।”

 

“ମୁଁ କିପରି ପରୀକ୍ଷା ଦେବି ଏତେ ମାନସିକ ଅଶାନ୍ତିରେ । ଯଦି ମୁଁ ଫେରି ପାଆନ୍ତି ମୋ ମା’ ଓ ବାପାଙ୍କୁ ମୁଁ ନିଶ୍ଚୟ ପରୀକ୍ଷା ଦେଇପାରନ୍ତି ବହୁତ ଖୁସିରେ । ଆଚ୍ଛା ବବୃ, ମୁଁ ତୁମକୁ ଗୋଟିଏ ପ୍ରସ୍ତାବ ଦେଉଛି, ତୁମଦ୍ଵାରା ମଧ୍ୟ ଗୋଟିଏ କାମ ହୋଇପାରିବ ।”

 

“କି ପ୍ରସ୍ତାବ, କି କାମ ?”

 

“ଆମେ ପିଲା ଲୋକ । ଆମ କଥା କିଏ ବା ଶୁଣିବ, କିଏ ରଖିବ ? କିଏ ମାନିବ ? ଜଣେ ବଡ଼ ଲୋକ ଯଦି ଆମ ପଟିଆ ବାହାରି ଏ ଦିଗରେ ଚେଷ୍ଟା କରନ୍ତି, ତା’ହେଲେ ବୋଧହୁଏ କିଛି ହୋଇପାରନ୍ତା ।”

 

“କିନ୍ତୁ କିଏ ବାହାରିବ ?”

 

“ତୁମ ବାପା ତ ବହୁତ ଭଲଲୋକ । ତୁମ ମା’ ମଧ୍ୟ ସେ ଦିଗରେ କିଛି ଚେଷ୍ଟା କରିବେ-। ଆମପାଇଁ ବାହାରିବେ, ଆମପାଇଁ ନିଶ୍ଚୟ ଦି’ପଦ କହିବେ । ଆମକୁ ଏ ଦିଗରେ ଠିକ୍‍ ପରାମର୍ଶ ଦେବେ । ଉଚିତ ସାହାଯ୍ୟ କରିବେ ।

 

“ଠିକ୍‍ ଅଛି । ମୁଁ ସେଇକଥା ଆଗରୁ ମଧ୍ୟ ଭାବୁଥିଲି । ଆମେ ଆଜି ଯିବା ଘରକୁ ।”

 

ମୁଁ ଭଲଭାବରେ ଜାଣେ ଯେ ମଉସା ଓ ମାଉସୀ ନିଶ୍ଚୟ ଏ ଅନୁରୋଧ ରକ୍ଷା କରିବେ-। ଏଇଟା କିନ୍ତୁ ଭଗବାନଙ୍କ ହାତ କଥା ।” ଏହା କହି ସେ କାନ୍ଦି ପକାଇଲା ।

 

ପ୍ରକୃତରେ ବବୃ ଓ ସେ ଏ ଦୁହେଁ ସେଠାକୁ ଯାଇ ବବୃର ବାପା ଆସିବାର କାରଣ ପଚାରିଥିଲେ । ସେ ସମୟରେ ଉଜ୍ଜଳର ଆଖିରୁ ଧାର ଧାର ଲୁହ ବହିଥିଲା ।

 

ପାଖରେ ବବୃର ମା’ ଛିଡ଼ା ହୋଇଥିଲେ । ସେ ଉଜ୍ଜଳକୁ କୋଳକୁ ଟାଣିଆଣି ଆଖିରୁ ଲୁହ ପୋଛି ଦେଇଥିଲେ । ଉଜ୍ଜଳ କହିଥିଲା, “ଆପଣ ମୋତେ ସାହାଯ୍ୟ କରିପାରିବେ ?”

 

“ତୁମେ କାନ୍ଦନା ପୁଅ । ଆମେ ସବୁପ୍ରକାର ସାହାଯ୍ୟ କରିବୁ । ବବୃ ଯେପରି ଆମ ପୁଅ ତୁମେ ମଧ୍ୟ ଠିକ୍‍ ସେହିପରି ଆମ ପୁଅ । ତୁମର ଯଦି କିଛି ଅସୁବିଧା ଅଛି, ଆମେ ନିଶ୍ଚୟ ତାକୁ ଦୂର କରିବାକୁ ଚେଷ୍ଟା କରିବୁ ।”

 

ଏହା ଶୁଣି ମୋ ଆଖିରୁ ଅଧିକ ଦୁଇଧାର ଲୁହ ଝରିପଡ଼ିଲା । ବବୃ କହିଲା, “ଆମେ ପିଲା ଲୋକ, ଆମ କଥା କିଏ ଶୁଣିବ ? ତମେ ସବୁ ବଡ଼ ଲୋକ । ତମେ ଏ ଦିଗରେ ଚେଷ୍ଟା କଲେ ନିଶ୍ଚୟ ସଫଳ ହେବ ।”

 

ଉଜ୍ଜଳ କହିଲା, “ମଉସା, ଆପଣ ପାରିବେ ? ମୋତେ ସାହାଯ୍ୟ କରିପାରିବେ ?”

 

“ହଁ ପାରିବୁ, ନିଶ୍ଚୟ ଚେଷ୍ଟା କରିବୁ ।”

 

“ଆପଣ ମୋ ମାଆଙ୍କୁ ଏବଂ ବାପାଙ୍କୁ ଏକାଠି କରିପାରିବେ ?”

 

“ଓ ହଁ ଏଇଥିପାଇଁ ତୁମେ କାନ୍ଦୁଛ ! ନିଶ୍ଚୟ ମନଦୁଃଖ ହେଉଥିବ । ତୁମପରି ଗୋଟିଏ ଛୋଟ ପିଲା ପକ୍ଷରେ ଏଇଟା ନିଶ୍ଚୟ ଗୋଟିଏ ବଡ଼ ଧକ୍‌କା । ତୁମେ କାନ୍ଦନା ପୁଅ; ମୁଁ ଏ ଦିଗରେ ନିଶ୍ଚୟ ଚେଷ୍ଟା କରିବି । ତୁମେ ମନଦୁଃଖ କରନା ।”

 

ବବୃର ମା କହିଲେ, “ହଁ ତୁମେ ଆଜି ଯାଅ ରାକେଶ୍‍ ବାବୁଙ୍କ ପାଖକୁ । ମୁଁ ମଧ୍ୟ ଆଜି ଯାଉଛି ଅର୍ଚ୍ଚିଡ଼୍‌ଙ୍କ ପାଖକୁ । ଆମେ ଏ ଦିଗରେ ସଫଳ ହେବା । ଯଦି ନ ହେବା ତାହା ଭଗବାନ ଜାଣନ୍ତି । କିନ୍ତୁ ଆମେ ଚେଷ୍ଟା କରିବା ।

 

ଉଜ୍ଜଳର ଆଖିରୁ ଆନନ୍ଦାଶ୍ରୁ ବହିଗଲା । ତାଙ୍କ ଘରେ ଅଳ୍ପ ସମୟ ରହି‌ ଉଜ୍ଜଳ ଓ ବବୃ ହଷ୍ଟେଲକୁ ଫେରିଗଲେ । ପ୍ରକୃତରେ ରାକେଶ୍‍ ବାବୁଙ୍କୁ ସେହି ଦିନ ବବୃର ବାପା ନିଜ ଘରକୁ ଡକାଇଥିଲେ ଗୋଟିଏ ଚା’ ଭୋଜିର ଆୟୋଜନ କରି । ସେହିପରି ଅର୍ଚ୍ଚିଡ଼୍‌ଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା ।

 

ରାକେଶ୍‍ ବାବୁ ଭଦ୍ରାମି ରକ୍ଷା କରି ଠିକ୍‍ ସମୟରେ ସେଠାରେ ପହଞ୍ଚିଲେ । ତାଙ୍କୁ ହସି ହସି ବବୃର ବାପା ସ୍ୱାଗତ କରିଥିଲେ ଓ ନିଜ ଡ୍ରଇଁ ରୁମରେ ବସାଇଥିଲେ । ଠିକ୍‍ ଅଳ୍ପ ସମୟ ମଧ୍ୟରେ ଅର୍ଚ୍ଚିଡ଼୍‍ ମଧ୍ୟ ସେଠାରେ ପହଞ୍ଚିଲେ । ଅର୍ଚ୍ଚିଡ଼୍‌ଙ୍କୁ ଦେଖି ରାକେଶ୍‍ ବାବୁ ରକ୍ତ ଚାଉଳ ଚୋବାଇ ଉଠିପଡ଼ି କହିଥିଲେ, “ଏଇଥିପାଇଁ ମୋତେ ଆପଣ ଏଠାକୁ ଡକାଇଥିଲେ ? ମୁଁ ଖୁବ୍‍ ଭଲଭାବରେ ଜାଣିଗଲି ଆପଣ କେଉଁଥି ପାଇଁ ଏଠାକୁ ମୋତେ ନିମନ୍ତ୍ରଣ କରିଥିଲେ । ଅର୍ଚ୍ଚିଡ଼୍‌ଙ୍କୁ ଯଦି ଡକାଇବାର ଥିଲା, ମୋତେ କାହିଁକି ଡକାଇଥିଲେ ? ମୁଁ ବିଶେଷ ଭାବରେ ଦୁଃଖିତ । ସେ ଯେଉଁ ସ୍ଥାନରେ ରହିବେ, ମୁଁ ସେଠାରେ ଗୋଟିଏ ମୁହୂର୍ତ୍ତ ମଧ୍ୟ ରହିବା ସମ୍ଭବପର ନୁହେଁ । ଆପଣଙ୍କ ପାର୍ଟିରେ ଯୋଗ ଦେଇପାରୁନଥିବାରୁ ମୁଁ ବିଶେଷ ମର୍ମାହତ ।”

 

ଏହା କହି ସେ ଚାଲିଗଲେ ।

 

ବବୃର ବାପା ତାଙ୍କୁ କହିଲେ, “ରାକେଶ୍‍ ବାବୁ । ଆପଣ ଏତେ ରାଗନ୍ତୁନି । ମୁଁ ଆପଣଙ୍କୁ ଅନୁରୋଧ କରୁଛି ଆପଣ ଅଳ୍ପ ଅପେକ୍ଷା କରନ୍ତୁ । ମୋତେ ବୁଝିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ ପାଇଁ ମୁଁ ଏସବୁ କରିଛି । ଆପଣଙ୍କର ପୁଅର ମୁଁ ହିତାକାଙ୍‌କ୍ଷୀ ହିସାବରେ ଏସବୁ କରିବା କ’ଣ ମୋ ପକ୍ଷରେ ଦୋଷ ହେବ ? ପ୍ଲିଜ୍‍ ରାକେଶ୍‍ ବାବୁ, ପ୍ଲିଜ୍‍ ।”

 

କିନ୍ତୁ ଏସବୁ କହି କିଛି ଲାଭ ହେଲାନି । ରାକେଶ୍‍ ବାବୁ ଚାଲିଗଲେ ଥରେହେଲେ ବି ପଛକୁ ଅନାଇଲେ ନାହିଁ ।

 

ଅର୍ଚ୍ଚିଡ଼୍‌ଙ୍କୁ ବବୃର ମା’ ଘରକୁ ଟାଣିଆଣି ଉଜ୍ଜଳ କହିଥିବା ସମସ୍ତ ବିଷୟ କହିଥିଲେ । ଅର୍ଚ୍ଚିଡ଼୍‌ଙ୍କ ଆଖିରୁ ମଧ୍ୟ ଲୁହଧାର ଝରିପଡ଼ିଲା । ଅର୍ଚ୍ଚିଡ଼୍‍ ସେଠାରେ ଅଳ୍ପ ସମୟ ରହିଥିଲେ । ବବୃର ମା’ କହିଥିଲେ, “ଆପଣ ଯଦି ରାଜି ହୋଇଯାଆନ୍ତି ଓ ସେ ଯଦି ରାଜି ହୋଇଯାଆନ୍ତି, ତା’ହେଲେ ସବୁ ଠିକ୍‍ ହୋଇଯାଆନ୍ତା ।”

 

“କିନ୍ତୁ ମୁଁ କ’ଣ କରିବି ? ମୋର କ’ଣ ଦୋଷ ? ମୁଁ ସବୁ କରିସାରିଛି, କିନ୍ତୁ ଆଉ କିଛି ସମ୍ଭବ ନୁହେଁ ।’’

 

“ଉଜ୍ଜଳ ପରି ଗୋଟିଏ ଛୋଟିଆ ପିଲା ପକ୍ଷରେ ଏତେବଡ଼ ଦୁଃଖ ସହିବା ସମ୍ଭବ ନୁହେଁ, ଆପଣ ନିଜେ ନିଜେ ଚେଷ୍ଟା କଲେ ତା’ ଦୁଃଖକୁ ମୋଚନ କରିପାରିବେ ।”

 

“ଅର୍ଚ୍ଚିଡ଼୍‍ ନୀରବ ରହିଥିଲେ । ତାଙ୍କ ଆଖିକୁ ଭଲଭାବରେ ପୋଛି ସାରି କହିଲେ, “ମୁଁ ବର୍ତ୍ତମାନ ଯାଉଛି । ଅନ୍ୟ କେତେବେଳେ ସମୟ ସୁବିଧା ଦେଖି ଆପଣଙ୍କ ଘରକୁ ବୁଲିବାକୁ ଆସିବି ।”

 

ତା’ପରେ ସେ ଅଳ୍ପ ସମୟ ମଧ୍ୟରେ ନିଜ ଘରକୁ ଚାଲି ଯାଇଥିଲେ ।

 

ବବୃର ବାପା ତା’ ପରଦିନ ରାକେଶ୍‍ ବାବୁଙ୍କ ଘରକୁ ଯାଇଥିଲେ । ରାକେଶ୍‍ ବାବୁ ତାଙ୍କୁ ନିଜ ପାଖରେ ବସାଇ କହିଥିଲେ, “ଆପଣ ଯଦି କାଲି ଅର୍ଚ୍ଚିଡ଼୍‌ଙ୍କୁ ଡକାଇ ନ ଥାନ୍ତେ, ମୁଁ କଦାପି ସେପରି ଆପଣଙ୍କ ଘରୁ ଫେରି ଆସି ନ ଥାନ୍ତି ।’’

 

“ମୁଁ ବିଶେଷ ଭାବରେ ଦୁଃଖିତ ରାକେଶ୍‍ ବାବୁ । ମୁଁ ଜାଣି ନ ଥିଲି । ମୁଁ ଜାଣିଥିଲେ କେବେ ଅର୍ଚ୍ଚିଡ଼୍‍ ଆପଣଙ୍କ ସମୟରେ ଆସି ନ ଥାନ୍ତେ । ସେ ଅଲଗା ସମୟରେ ଆସିଥାନ୍ତେ ।”

 

“ମୁଁ ଆପଣଙ୍କ ଘରୁ ଏପରି ଚାଲିଆସି ଅଭଦ୍ରାମିର ପରିଚୟ ଦେଇ ସାରିଛି । ସେଥିପାଇଁ ଦୁଃଖିତ ।”

 

“ନା ନା ଆପଣ ଆଦୌ ଅଭଦ୍ରାମି କରି ନାହାଁନ୍ତି ବରଂ ଆମେ ଭଲକରି ନ ଜାଣି ନ ବୁଝି ଅର୍ଚ୍ଚିଡ଼୍‌ଙ୍କୁ ଡକାଇ ଅଭଦ୍ରାମିର ପରିଚୟ ଦେଇଛୁ । ଆମ ଉପରେ ଯେଉଁ ଦାୟିତ୍ଵ ଦିଆଯାଇଛି, ତାହା ଆମେ କିପରି ସମ୍ପନ୍ନ କରିବୁ ? ଆପଣ କ’ଣ ଆମକୁ ସାହାଯ୍ୟ କରିପାରିବେ ? ଆମ କଳ୍ପନା କ’ଣ ବାସ୍ତବ ରୂପ ଧାରଣ କରିବ ? ଆମ ଆଶା କ’ଣ ସଫଳ ହେବ ? ସବୁ ଭଗବାନଙ୍କ ଆଶୀର୍ବାଦ ।”

 

“ଆପଣ କି ପ୍ରକାର ସାହାଯ୍ୟ ପାଇଁ ଆସିଛନ୍ତି ? ଆପଣଙ୍କର ଅସୁବିଧା କ’ଣ ? ଆପଣ କ’ଣ ଆଶା ପୋଷଣ କରନ୍ତି ?”

 

“ମୁଁ ଉଜ୍ଜଳ କଥା କହୁଥିଲି । ବିଚାରା ଉଜ୍ଜଳର ଭାଗ୍ୟ କ’ଣ ପରିବର୍ତ୍ତନ ହେବନି ?”

 

“ତା’ର ଭାଗ୍ୟରେ କ’ଣ ପତନ ଘଟିଛି କି ?”

 

“ଆପଣ କ’ଣ ଜାଣନ୍ତିନି ଯେ ତା’ ଆଖିରୁ ସଦାବେଳେ ଲୁହ ଝରୁଛି ? ଆପଣ ତା’ ଦୁଃଖ କ’ଣ ବୁଝିପାରୁ ନାହାଁନ୍ତି ? ସେ ତ ସବୁ ଚେଷ୍ଟା କରିଛି । କିନ୍ତୁ ତା’ କଥା ଆପଣ ରକ୍ଷା କଲେନି । ସେ ପିଲା ଲୋକ । ଯଦି ତା’ର କିଛି ହୋଇଯାଏ ।”

 

“ଆପଣ ଉଜ୍ଜଳ ବିଷୟ କିଛି ବୁଝି ନାହାଁନ୍ତି । ଆପଣଙ୍କୁ ଭୁଲ୍‍ ତଥ୍ୟ ଦିଆଯାଇଛି । ଅର୍ଚ୍ଚିଡ଼୍‍ ସଦାବେଳେ ଉଜ୍ଜଳକୁ ଏଥର ବତାଉଛନ୍ତି ଏବଂ କାନ୍ଦିବାକୁ ବତାଉଛନ୍ତି । ତା’ର ଏପରି ମିଛକାନ୍ଦର ଅବାସ୍ତବ ଲୁହର କିଛି ଅର୍ଥ ନାହିଁ । ମୁଁ ଜାଣିବାରେ ତା’ର କିଛି ଅସୁବିଧା ନାହିଁ । ତା’ର ଯଦି ଅସୁବିଧା ହୋଇଥାଏ, ସେସବୁ ମୁଁ ବୁଝିବି । ଆପଣ ତୃତୀୟ ପୁରୁଷ । ଆପଣ ପରର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା କ’ଣ ଉଚିତ ହେଉଛି ?”

 

“ମୁଁ ଦୁଃଖିତ ରାକେଶ୍‍ ବାବୁ । ଯଦି ଆପଣ ଏସବୁ କହିପାରୁଛନ୍ତି ତା’ହେଲେ ମୁଁ ନିରୁପାୟ । କାରଣ ମୁଁ ମଧ୍ୟ ଆପଣଙ୍କ ପରି ସମାଜରେ ଜଣେ ଭଦ୍ରଲୋକ । ମୋର ମଧ୍ୟ ଆପଣଙ୍କ ପରି ସମ୍ମାନ ଅଛି । ଖାଲି ଉଜ୍ଜଳ ପାଇଁ ମୁଁ ଆସିଥିଲି । ମୋର ଅନ୍ୟ କିଛି ଉଦ୍ଦେଶ୍ୟ ନାହିଁ । ବବୃ ମୋର ଯେପରି ପୁଅ ଉଜ୍ଜଳ ମଧ୍ୟ ସେହିପରି ମୋର ପୁଅ । ଉଜ୍ଜଳର ଆଖିରେ ଲୁହ ଦେଖିଲେ ତାକୁ ପୋଛିବାକୁ ଚେଷ୍ଟା କରିବା ମୋର ଭୁଲ୍‍ ? ମୁଁ ଉଜ୍ଜଳର ମଙ୍ଗଳ ଚାହେଁ । ସେ ଚାହେଁ ତା’ ନିଜ ଭବିଷ୍ୟତ ପାଇଁ ଆପଣ ଏବଂ ଅର୍ଚ୍ଚିଡ଼୍‍ ଏକାଠି ହୋଇଯାଆନ୍ତୁ । ତାରି ପାଇଁ ମୁଁ ଏଠାକୁ ଏତେ ପରିଶ୍ରମ କରି ଆସିଛି ।”

 

“ମୁଁ ଦୁଃଖିତ । ସେଇଟା ଆଉ ସମ୍ଭବ ନୁହେଁ । ନେଡ଼ିଗୁଡ଼ କହୁଣୀକୁ ବୋହିଗଲେ ଆଉ କହୁଣୀରୁ ନେଡ଼ିକୁ ଫେରିବା ମୁସ୍କିଲ ବ୍ୟାପାର । ପରିସ୍ଥିତି ବହୁତ ଜଟିଳ ହୋଇଯାଇଛି, ପୃଥିବୀ ପ୍ରଳୟ ହୋଇଯିବ । ଅର୍ଚ୍ଚିଡ଼୍‍ ଏଠାକୁ ଆସିପାରିବେ ନାହିଁ ।”

 

ବବୃର ବାପା ଜାଣିପାରିଲେ ଭଲଭାବରେ ଯେ ସେ ଯେଉଁଥି ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ସେ କେବେ ସଫଳ ହେବେ ନାହିଁ, ସବୁ ବୃଥା ହୋଇଯିବ । ଏ ଚେଷ୍ଟାର କିଛିହେଲେ ମୂଲ୍ୟ ରହିବ ନାହିଁ । ସେ ସେଠାରେ ଅଳ୍ପ ସମୟ ରହି ନିଜ ଘରକୁ ଫେରି ଆସିଲେ । ତାଙ୍କ ବିଫଳତା ସେ ସମସ୍ତଙ୍କୁ ପ୍ରକାଶ କରିଥିଲେ । ଉଜ୍ଜଳ ଏ ଖବର ଖୁବ୍‍ ଶୀଘ୍ର ପାଇଥିଲା, ଏଥିରେ ତା’ ମନ ଅଧିକ ଶୁଖି ଯାଇଥିଲା । ତାକୁ ଏହାପରେ ଆଉ କିଛି ଭଲ ଲାଗିଲା ନାହିଁ । ସେ ସଦାବେଳେ ଭାବୁଥାଏ, ତା’ ମା’ ଆଉଜଣଙ୍କ ପାଖରେ ରହିବେ ଓ ତା’ ବାପା ଆଉଜଣଙ୍କୁ ପାଖରେ ରଖିବେ, ଆଉ ସେ ନିଜ ବାପାଙ୍କର ବା ମା’ଙ୍କର ସେତେ ନିଜର ହୋଇପାରିବନି ।

 

(୨୦)

 

ଚାଇନାର ଆକ୍ରମଣକାରୀମାନେ ଗୋଟିକୁ ଗୋଟି ଘାଟି ଦଖଲ କରିବାରେ ଲାଗିଲେ । ଏଇଟା ଭାରତ ପକ୍ଷରେ ଗୋଟିଏ ବଡ଼ ବିପଦ ହୋଇପଡ଼ିଲା । ଭାରତ ତା’ର ସମସ୍ତ ପ୍ରକାର ବଳ ପ୍ରୟୋଗ କଲା ।

 

ଭାରତର ସୈନିକମାନେ ବହୁତ ବୀରତ୍ୱ ଦେଖାଇଲେ । ଜଣେ ଜଣେ ସୈନିକ ଶହ ଶହ ଶତ୍ରୁଙ୍କୁ ମାରି ପକାଇଲେ । ମାତ୍ର ଭାରତର ଅସ୍ତ୍ର ଶସ୍ତ୍ର ଆଦି ଅଧିକ ଉନ୍ନତ ଧରଣର ନ ଥାଏ, ଶେଷକୁ ଭାରତର ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦରକାର ପଡ଼ିଲେ ଆମେ ସମସ୍ତ ଭାରତୀୟ ଏକଜୁଟ ହୋଇ ଲାଠି ସାହାଯ୍ୟରେ ଲଢ଼େଇ କରିବା । ସମସ୍ତେ ପ୍ରକୃତରେ ଚୀନ୍‍ ବିରୁଦ୍ଧରେ ଏକତ୍ରିତ ହୋଇଥିଲେ । ସଂଘବଦ୍ଧ ଭାବରେ ସମସ୍ତେ ସ୍ଵର ଉତ୍ତୋଳନ କରିଥିଲେ । ଚୀନ୍‍ ବିରୁଦ୍ଧରେ ଲଢ଼େଇ କରିବାକୁ ଚାନ୍ଦାଭେଦା ଦେଇଥିଲେ । ଚୀନ୍‍ ବିରୁଦ୍ଧରେ ଲୋକମାନଙ୍କୁ ଚେତାଇବାକୁ ଅଣ୍ଟାଭିଡ଼ି ବାହାରିଥିଲେ । ଶିକ୍ଷିତ ଯୁବକମାନଙ୍କୁ ଉତ୍ସାହିତ କରି ସୈନ୍ୟବାହିନୀରେ ଯୋଗ ଦେବାକୁ ମତାଇ ଥିଲେ ।

 

ଚାଇନାର ଟ୍ୟାଙ୍କ୍‌ଗୁଡ଼ିକ ଭାରତ ଭିତରକୁ ମାଡ଼ି ଆସୁଥାଏ । ସେଗୁଡ଼ିକୁ ଅଟକାଇବା ସମ୍ଭବପର ନ ଥିଲା । ଶେଷକୁ ସ୍ଥିର ହେଲା ଯେ, ଜଣେ ଜଣେ ଭାରତୀୟ ସୈନ୍ୟ ନିଜ ଜୀବନକୁ ଉତ୍ସର୍ଗ କରିବେ । ନିଜ ଦେହରେ ବୋମା ବାନ୍ଧି ଟ୍ୟାଙ୍କ୍‍ ଆଗରେ ଗଡ଼ିବେ । ଟ୍ୟାଙ୍କ୍‍ ତାଙ୍କ ଉପରେ ମାଡ଼ିଗଲେ ସେ ବୋମା ଫୁଟି ଟ୍ୟାଙ୍କ୍‍ଟି ଧ୍ଵଂସ ପାଇଯିବ । ଏମିତି ଛାତି ଦେଖାଇ ଅନେକ ଯୁବକ ବାହାରିଲେ । ସେମାନେ ନିଜ ନିଜ ଦେହରେ ବୋମା ବାନ୍ଧିଲେ ଓ ଶତ୍ରୁ-ଟ୍ୟାଙ୍କ୍‍ ଆଗରେ ଗଡ଼ିଲେ-। ଗୋଟିକୁ ଗୋଟି ଅନେକ ଶତ୍ରୁ-ଟ୍ୟାଙ୍କ୍‍ ଧ୍ଵଂସ ହେଲା । ଶତ୍ରୁମାନେ ଏ ଦେଶପ୍ରେମ ଦେଖି କିପରି ଆଶ୍ଚର୍ଯ୍ୟ ନ ହେବେ ?

 

ଭାରତର ସୈନ୍ୟବାହିନୀରେ ମୃତ ସୈନିକମାନଙ୍କ ସ୍ଥାନ ପୂରଣ କରିବାକୁ ନୂଆ ଏବଂ ଟ୍ରେନିଂପ୍ରାପ୍ତ ସୈନିକମାନଙ୍କର ଆବଶ୍ୟକତା ବହୁତ ଅନୁଭୂତ ହେଲା । ଏଥିପାଇଁ ନିର୍ଭିକ, ଦେଶପ୍ରେମୀ, ସ୍ଵାସ୍ଥ୍ୟବାନ୍ ଶିକ୍ଷିତ ଯୁବକମାନଙ୍କର ଉତ୍ସର୍ଗ ଦରକାର ।

 

ତେଣୁ ଦେଶର ସମସ୍ତ ଯୁବକଙ୍କୁ ସୈନ୍ୟବାହିନୀରେ ଯୋଗ ଦେବାକୁ ପ୍ରେରଣା ଦିଆଗଲା । ପ୍ରତି ସହର ଏବଂ ଗ୍ରାମରେ ଥିବା ଶିକ୍ଷିତ ଯୁବକଙ୍କର ଗୋଟିଏ ଲିଷ୍ଟ କରାଗଲା । ସେମାନଙ୍କୁ ସୈନ୍ୟବାହିନୀରେ ଯୋଗ ଦେବାକୁ ମଧ୍ୟ ଉପରମହଲରୁ ନିର୍ଦ୍ଦେଶ ଦିଆଗଲା । ସେ ଲିଷ୍ଟରେ ରାକେଶ୍‍ ବାବୁଙ୍କ ନାଁ ବାହାରିଲା ! ରାକେଶ୍‍ ବାବୁ କହିଲେ “କେହି ଯାଉ ନ ଯାଉ ମୁଁ ଆଗ ଯିବି । ମୋତେ ଦେଖିକରି ଅନ୍ୟମାନେ ଉତ୍ସାହିତ ହୋଇ ଯିବେ ।” ସରକାରଙ୍କ ଉପରିସ୍ଥ ଅଫିସର୍‍ଗଣ ରାକେଶ୍‍ ବାବୁଙ୍କ ଏପରି ନିର୍ଭିକ ମନ୍ତବ୍ୟରେ ବହୁତ ସନ୍ତୋଷ ପ୍ରକାଶ କଲେ । ସମସ୍ତେ ବାହାବା କହି ତାଙ୍କ ପିଠି ଥାପୁଡ଼ାଇ ଥିଲେ । ପ୍ରଥମେ ଅରୁଣା ଏକଥା ଜାଣିନଥିଲେ । ଏକଥା ତାଙ୍କୁ କହିବାକୁ ପଡ଼ିବ । କିନ୍ତୁ କି ଉପାୟରେ ତାଙ୍କୁ ଏକଥା କହିବେ, ରାକେଶ୍‍ ବାବୁ ଚିନ୍ତା କରିଥିଲେ ।

 

ସେହିଦିନ ରାକେଶ୍‍ ବାବୁ କହିଥିଲେ ଅରୁଣାକୁ “ତୁମକୁ ମୁଁ ଗୋଟିଏ କଥା କହିବାର ଅଛି ।”

 

“କି କଥା ?”

 

“ତୁମକୁ ହସିବାକୁ ପଡ଼ିବ ଏ କଥା ଶୁଣି ।”

 

“ହଁ ହସିବି । କୁହ ।”

 

“ପ୍ରୋମିସ୍‍ ।”

 

“ପ୍ରୋମିସ୍‍ ।”

 

ଦୁହେଁ ହାତ ମିଳାଇଲେ । ଅରୁଣା ଏକଥା ଶୀଘ୍ର କହିବାକୁ ଅନୁରୋଧ କରିଥିଲେ ।

 

“ମୁଁ ଆର୍ମିରେ ମିଶିଛି ।”

 

“ତୁମେ କ’ଣ କହୁଛ ମୁଁ ବୁଝିପାରୁନି ।”

 

“ଚାଇନା ଦେଶ ଉପରେ ଆକ୍ରମଣ କରିଛି । ତୁମେ ଏସବୁ ଜାଣ । ସବୁଦିନ ଖବରକାଗଜ ପଢ଼ । ଜାଣୁଥିବ ବର୍ତ୍ତମାନ ଆମର ବୀର ଜବାନ୍‍ମାନଙ୍କର କେତେ ଅଭାବ । ତାକୁ ପୂରଣ କରିବାକୁ ତ ପଡ଼ିବ । ମୁଁ ସ୍ଵେଚ୍ଛାକୃତ ଭାବରେ ଏଥିରେ ଜଏନ୍‍ କରିଛି ।”

 

“ମିଛ କଥା ।”

 

“ଦେଖ ଏ ଲିଷ୍ଟ । ମୋ ନାଁ ଏଥିରେ ଅଛି ।” ଏହାପରେ ରାକେଶ୍‍ ବାବୁ ଗୋଟିଏ କାଗଜ ତାଙ୍କୁ ଦେଖାଇଲେ । ସେଥିରେ ପ୍ରକୃତରେ ତାଙ୍କ ନାଁ ଛପା ହୋଇଥିଲା । ତାକୁ ଅରୁଣା ପଢ଼ିଲେ ଭଲଭାବରେ । ଏହାକୁ ପଢ଼ି ସାରିବା ପରେ ଏହାକୁ ବିଶ୍ଵାସ କଲେ ଓ ତାଙ୍କ ଆଖି ଛଳଛଳ ହୋଇଗଲା ।

 

ଧାର ଧାର ଲୁହ ବହିଗଲା ।

 

ରାକେଶ୍‍ ବାବୁ କହିଲେ “ତୁମେ କାନ୍ଦିଲ ଯେ ?”

 

“ଆଉ କ’ଣ ହସିବି ଏ କ୍ଷେତ୍ରରେ ?”

 

“କିନ୍ତୁ ତୁମେ କ’ଣ ଭୁଲି ଯାଉଛ ?’’

 

“କେଉଁ କଥା ?”

 

“ହସିବ ବୋଲି ପ୍ରୋମିସ୍‍ କରିସାରିଛ ।”

 

ମନେପଡ଼ିଗଲା ଏ ପ୍ରୋମିସ୍‍ କଥା ଅରୁଣାଙ୍କର । ସେ ବାଧ୍ୟହୋଇ ହସିଥିଲେ । ପ୍ରଥମେ ମୁରୁକି ମୁରୁକି ହସିଥିଲେ । ତା’ପରେ ଦାନ୍ତ ଦେଖାଇ କୃତ୍ରିମ ହସ ହସିଥିଲେ । ରାକେଶ୍‍ ବାବୁ ତାଙ୍କ ଆଖିରୁ ବହୁଥିବା ଲୁହତକ ରୁମାଲରେ ଛପାଇ ଦେଲେ । ଏ ହସରେ ଆନ୍ତରିକତା ନାହିଁ-। ସେ ବାଧ୍ୟହୋଇ ହସିଛନ୍ତି କାନ୍ଦିବା ସ୍ଥଳରେ କେବଳ ପ୍ରୋମିସ୍‍ କରିଛନ୍ତି ବୋଲି । କ୍ରମେ ତାଙ୍କ ମୁଖମଣ୍ଡଳର ମାଂସପେଶୀଗୁଡ଼ିକ ବଦଳିଗଲା । ମୁହଁଟି ବିକୃତ ହୋଇଗଲା । ଆଖି ଛଳଛଳ ହୋଇଆସିଲା । ପୁଣି ଲୁହ ଝରିଗଲା ।

 

ରାକେଶ୍‍ ବାବୁ କହିଲେ, “ତୁମ ପ୍ରୋମିସ୍‍ କ’ଣ ପୁଣି ଭୁଲିଗଲ ?”

 

ତା’ପରେ ଅରୁଣା ପୁଣି ହସିବାକୁ ଚେଷ୍ଟା କରିଥିଲେ; କିନ୍ତୁ ଏ ହସ ବେଶୀ ସମୟ ଗଲାନି । ତାହା ପୁଣି ବଦଳିଗଲା । ସେ ପୁଣି କାନ୍ଦିବାକୁ ଲାଗିଲେ । ରାକେଶ୍‍ ବାବୁ ତାଙ୍କ ଲୁହତକ ପୁଣି ପୋଛିଦେଲେ । ସେ ରାକେଶ୍‍ ବାବୁଙ୍କୁ ଖୁବ୍‍ ଜୋରରେ ଜାବୁଡ଼ି ଧରି କହିଲେ, “ବୋକା ! ତୁମେ ଏ କ’ଣ କଲ ? ତୁମକୁ କିଏ ଏ ଯୁଦ୍ଧକୁ ଟାଣିନେଇ ଧରିବାନ୍ଧି ପଳାଉଥିଲା ? ନିଜକୁ ପାଗଳ ବୋଲି ଭାବି ଅଭିନୟ କରିଥିଲେ, ତୁମ ନାଁ କିଏ ଏ ଲିଷ୍ଟରେ ଆଗତୁରା ଚଢ଼ାଇ ପାରିଥାନ୍ତା ? ନଚେତ୍‍ କିଛି ନ ହେଲେ ଆମେ ଦୁହେଁ କିଛିଦିନ ପାଇଁ ଘର ଛାଡ଼ି ଛଦ୍ମବେଶ ଧାରଣ କରି ଲୁଚି କୁଆଡ଼େ ପଳାଇ ଯାଇଥାନ୍ତେ; କିଏ ଆମକୁ ଧରୁଥିଲା ? ତୁମେ ଏ କ’ଣ କଲ ? ଏସବୁ କ’ଣ ହୋଇଗଲା ?”

 

“ଛି ଛି ଅରୁଣା ! ତୁମେ ଏତେ ନୀଚ ବୋଲି ମୁଁ ଜାଣି ନ ଥିଲି । ମୁଁ ଚୀନା ଜାତିକୁ ଘୃଣା କରେ, ସେଥିପାଇଁ ଅର୍ଚ୍ଚିଡ଼୍‌କୁ ଛାଡ଼ି ତୁମକୁ ବିଭା ହେଲି, ମୁଁ ଜାଣିଶୁଣି ଦେଶପ୍ରତି ଏତେ ହାରାମି କରି ନ ପାରେ । ଯେଉଁ ଦେଶର ପାଣି ପବନରେ ମୁଁ ପରିପୁଷ୍ଟ ହୋଇଛି, ମୁଁ ଯଦି ତୁମପରି ହାରାମି ହୋଇଥାନ୍ତି, ମୁଁ ଘରର ସବୁଯାକ ସୁନା ଏବଂ ନଗଦ ଦଶ ହଜାର ଟଙ୍କା ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିକୁ ଦେଇ ନ ଥାନ୍ତି ।”

 

“କ’ଣ ଲାଭ ଏ ଫାଲ୍‌ତୁ ଦେଶପ୍ରେମ ଦେଖାଇ ? ଏ ଦେଶରେ କ’ଣ ସୈନିକଙ୍କର ଅଭାବ ?”

 

“ଅଭାବ ନୁହେଁ ତ ଆଉ କ’ଣ ?”

 

“ଯେତେ ମିଶିଲେ କ’ଣ ହେବ ? ଏପରି ପ୍ରବଳ ପରାକ୍ରମୀ ଶତ୍ରୁଙ୍କୁ କ’ଣ ଭାରତ ପରାସ୍ତ କରିପାରିବ ? “ସମୁଦ୍ରକୁ ଶଙ୍ଖେ ପଣା କ’ଣ ମିଠା କରିବ ?

 

“ଯଦି ସମସ୍ତେ ଏପରି କହିବେ, ତା’ହେଲେ ଦେଶ ଜିଣିବ କିପରି ? ତୁମେ ଜଣେ ଶିକ୍ଷିତା ଝିଅ । ତୁମ ପାଟିରୁ ଏକଥା ଆଦୌ ବାହାରିବା ଉଚିତ ନୁହେଁ । ତୁମର କର୍ତ୍ତବ୍ୟ ହେଲା ନିଜ ସ୍ଵାମୀଙ୍କୁ ଉତ୍ସାହିତ କରି ପଠାଇବା । ହସ ହସ ମୁହଁରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ।”

 

“ମୋତେ ଆଦୌ ଏସବୁ କଥା ଭଲଲାଗୁନି । ମୁଁ ଏଡ଼େ ଦେଶପ୍ରେମୀ ନୁହେଁ ।”

 

“ତୁମକୁ ହେବାକୁ ପଡ଼ିବ ।”

 

“କିପରି ?”

 

“ଦେଶର ସ୍ଵାଧୀନତାକୁ କିପରି ବଞ୍ଚାଇବ, ଏପରି ହେଲେ ସେ ଦାୟିତ୍ୱ କ’ଣ ତୁମର ନୁହେଁ ? ତୁମେ ଦେଶର ନାଗରିକ ହିସାବରେ ଯେଉଁସବୁ ସୁବଧା ସୁଯୋଗ ପାଇଛ, ତା’ପାଇଁ ତୁମେ କଛି କ’ଣ ଉତ୍ସର୍ଗ କରିବ ନାହିଁ ? ବର୍ତ୍ତମାନ ସମୟରେ ତୁମ ପକ୍ଷରେ ଯେଉଁ ଜିନିଷଟା ସବୁଠାରୁ ଅଧିକ ପ୍ରିୟ ଜିନିଷ ସେଇଟାକୁ ତୁମକୁ ଉତ୍ସର୍ଗ କରିବାକୁ ପଡ଼ିବ । ଶତ୍ରୁ ଯଦି ଆକ୍ରମଣ କରିବ, ଆମେ କ’ଣ ତାକୁ ସ୍ଵାଗତ ଜଣାଇ ସଙ୍ଗେ ସଙ୍ଗେ ନିମନ୍ତ୍ରଣ କରି କହିବା ଆସନ୍ତୁ ମହାଶୟ-! ଆସନ୍ତୁ ?”

 

“ନା, କିନ୍ତୁ ତୁମେ ଚାଲିଗଲେ ମୁଁ କିପରି ବଞ୍ଚିବି ? ଅମର ଏ ଛୋଟ ଦୁନିଆ, କ’ଣ ନ ହେବ ?”

 

“ମାରଗୁଳି ଏସବୁକୁ । ଦେଶ ଥିଲେ ସବୁ ଅଛି । ଦେଶର ସ୍ଵାଧୀନତା ବିପନ୍ନ ହୋଇଗଲେ ଏ ସଂସାର ସୁଖର ମୂଲ୍ୟ କ’ଣ ଅଛି ?”

 

‘‘ତା’ହେଲେ ଆମେ କ’ଣ ସତରେ ଅଲଗା ହୋଇଯିବା ? ଆମ ଭାଗ୍ୟରେ କ’ଣ ଏଇଆ ଅଛି ?” କାନ୍ଦି କାନ୍ଦି କହିଥିଲେ ଅରୁଣା । ରାକେଶ୍‍ ବାବୁ କହିଲେ “ସେତିକି ଭାବରେ ଥିଲେ ମଣିଷ ଦେଶପାଇଁ କିଛି କରିପାରେ । ସେ ନିଜ ଦେଶପାଇଁ ରକ୍ତ ଢାଳେ, ସେ ସ୍ଵର୍ଗଗାମୀ ହୁଏ ।” ଅରୁଣା ନୀରବ ରହିଲେ ।

 

(୨୧)

 

ରାକେଶ୍‍ ବାବୁ ଗୋଟିଏ ବଡ଼ ପ୍ୟାକେଟ୍‍ ଧରି ଘର ମଧ୍ୟକୁ ପ୍ରବେଶ କଲେ । ଅରୁଣା ଏହାକୁ ଦେଖି ପଚାରିଲେ, “ଏ ପ୍ୟାକେଟରେ କ’ଣ ଅଛି ?”

 

‘‘ଖୋଲି ଦେଖ ।”

 

‘‘ଅରୁଣା ଖୋଲିବାକୁ ଲାଗିଲେ । ପ୍ରକୃତରେ ସେଥିରେ ଗୁଡ଼ାଏ ବହିଥିଲା । ଏଗୁଡ଼ାକ ସବୁ କଲେଜ ବହି । ଅରୁଣା ଏଗୁଡ଼ାକ ସହ ପୂର୍ବରୁ ପରିଚିତ । ତାଙ୍କର ପାଠପଢ଼ା ବହି । ଏଗୁଡ଼ାକ ସବୁ ତାଙ୍କ କୋର୍ସବହି । ରାକେଶ୍‍ ବାବୁ ତାଙ୍କ କୋର୍ସ ଅଫ୍‍ ଷ୍ଟଡ଼ିଜ୍‍ ନେଇ ମାର୍କେଟରୁ ସବୁଯାକ ବହି କିଣି ଆଣିଛନ୍ତି । ଅରୁଣା ପ୍ରତିବାଦ କରି କହିଲେ, ‘‘ଏଗୁଡ଼ାକ କାହିଁକି ଆଣିଲ ?”

 

‘‘ତୁମେ କ’ଣ ପାଠ ପଢ଼ିବନି କି ?”

 

ଅରୁଣା ନୀରବ ରହିଲେ ।

 

ରାକେଶ୍‍ ବାବୁ ନୀରବତା ଭଙ୍ଗ କରି କହିଲେ, ‘‘ତୁମର ସବୁଯାକ ବହି ତ ବୋମା ମାଡ଼ରେ ସେ ଘରେ ନଷ୍ଟ ହୋଇଯାଇଛି ।”

 

“ଏଗୁଡ଼ାକ ତ ହଜାରେ ଟଙ୍କା ଉପରେ ପଡ଼ିଥିବ ।”

 

‘‘ପଡ଼ୁ । ଯଦି କ୍ଲାସ୍‍ ଆଟେଣ୍ଡ କରିନପାରିବ, ଘରେ ବସି ଘରୋଇ ଭାବରେ ପରୀକ୍ଷାଟି ଦେଇଦେବ ।’’

 

“ଆଉ ପାଠ ନ ପଢ଼ି ଘରେ ବସିବା କଥା ଏଠାରେ ହୋଇପାରିବନି ।”

 

“ତୁମେ ବଡ଼ ଖର୍ଚ୍ଚାନ୍ତ ହେଲ ।”

 

“କିଛି ନୁହେଁ । ତୁମେ ମୂର୍ଖ ନ ହୁଅ । ମୁଁ ଏଇଆ ଚାହେଁ ।”

 

ଅରୁଣା ନୀରବ ରହିଲେ । ସେହିଦିନ ସନ୍ଧ୍ୟାବେଳେ ବଜାରକୁ ଯାଇ ରାକେଶ୍‍ ବାବୁ ଅରୁଣାଙ୍କ ପାଇଁ ତାଙ୍କ ମନଲାଖି ନଅ ଦଶ ଖଣ୍ଡ ଭଲ ଏବଂ ଦାମୀ ଶାଢ଼ି ଓ ଅନ୍ୟାନ୍ୟ ପୋଷାକ ପତ୍ର କିଣି ଆଣିଲେ । ଚାକରାଣୀ ମୀରା ପାଇଁ ମଧ୍ୟ ଦୁଇଖଣ୍ଡ ନୂଆ ଶାଢ଼ି କିଣା ହୋଇ ଆସିଥିଲା । ଉଜ୍ଜଳ ପାଇଁ ଭଲ ଭଲ ଫ୍ୟାଣ୍ଟ ଓ ସାର୍ଟ ପିସ୍‍ ପାଞ୍ଚ ଛଅ ଖଣ୍ଡ ମଧ୍ୟ କିଣା ହୋଇଥିଲା । ତା’ ପରଦିନ ଉଜ୍ଜଳକୁ ସେ ହଷ୍ଟେଲରୁ ଡକାଇ ଆଣିଲେ । ଘରେ ଭଲ ଭଲ ଜିନିଷ କରି ଖାଇବା ପାଇଁ ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଲେ ।

 

ଉଜ୍ଜଳକୁ ସେ କଅଁଳେଇ କଅଁଳେଇ କହିଥିଲେ ତା’ ପିଠି ଥାପୁଡ଼ାଇ ତା’ ମୁଣ୍ଡକୁ ଆଉଁସି ଆଉଁସି, ‘‘ଉଜ୍ଜଳ ତୁ ବାଜେ କଥା କେବେ ଚିନ୍ତା କରିବୁନି । ସଦାବେଳେ ପାଠ ପଢ଼ାରେ ମନଦେବୁ-। ଏଥର ତୁ ନିଶ୍ଚୟ ଫାଷ୍ଟ ହେବୁ । ଭଲପିଲା ହେବୁ । ଭଲ ଜିନିଷ କରିବୁ । ଖରାପ କଥାରେ ମନଦେବୁ ନାହିଁ । ଅର୍ଚ୍ଚିଡ଼୍‌ଙ୍କ ପାଖକୁ ଦିନେହେଲେ ଯିବୁନି । ଯେତେବେଳେ ଯାହା ଦରକାର ତୋର ଏ ନୂଆ ମା’ଙ୍କଠାରୁ ନେବୁ । ତାଙ୍କୁ ଭକ୍ତି କରିବୁ, ସମ୍ମାନ ଦେବୁ । ସେ ତୋତେ ବହୁତ ଭଲ ପାଆନ୍ତି । ତୋର କିଛି ଅସୁବିଧା ହେବନି । ତୋ’ପାଇଁ ପାଞ୍ଚ ଛଅହଳ ନୂଆ ପୋଷାକ ତିଆରି ହେଉଛି, ଆଉ ମୁଁ ତୋତେ ନଗଦ ହଜାରେ ଟଙ୍କା କ୍ୟାସ୍‍ ଆକାରରେ ବର୍ତ୍ତମାନ ଦେଉଛି । ବାଜେ ଖର୍ଚ୍ଚ ଆଦୌ କରିବୁନି । ଏଗୁଡ଼ିକ ତୋ ନାମରେ ତୋ ପାସ୍‌ବୁକରେ ଜମା କରିଦେବୁ ।”

 

ଏହା କହି ସେ ତାକୁ ପ୍ରକୃତରେ ହଜାରେ ଟଙ୍କା ଦେଲେ ।

 

ଉଜ୍ଜଳ ପ୍ରଥମେ ନାହିଁ କରୁଥିଲା ଗ୍ରହଣ କରିବାକୁ । ପରେ ବାଧ୍ୟହୋଇ ଗ୍ରହଣ କଲା ।

 

ଅରୁଣାକୁ ମଧ୍ୟ ସେ ହଜାରେ ଟଙ୍କା କ୍ୟାସ୍‍ ଅକାରରେ ଦେଇଥିଲେ ଏବଂ ତାଙ୍କୁ ପାଖରେ ବସାଇ କହିଥିଲେ, “ଏଘର ଏକା ତୁମରି । ଆଉ କାହାର ନୁହେଁ । ଉଜ୍ଜଳ ପରି ପୁଅକୁ ପାଇ ତୁମେ ପ୍ରକୃତରେ ଗର୍ବ ଅନୁଭବ କରିବା କଥା । ସେ ବହୁତ ଭଲପିଲା । ତାକୁ ଦିନେହେଲେ ପର କରି ଦେବନି । ସେ ବହୁତ ଅଭିମାନୀ । ଥରେହେଲେ ବି ଗାଳିପଦେ ଶୁଣାଇବନି କି ଚାପୁଡ଼ାଏ ପକାଇବନି । ମୁଁ ତାକୁ ତୁମ ଜିମା ଦେଇ ଯାଉଛି, ତାକୁ ହଇରାଣରେ ପକାଇବନି । ତାକୁ ସବୁ ସମୟରେ ସାହାଯ୍ୟ କରିବ । ତା’ର ଯେତେବେଳେ ଯାହା ଦରକାର, ଯୋଗାଇ ଦେବାକୁ ଚେଷ୍ଟା କରିବ । ତା’ ଉପରେ ଏତେ ବିରକ୍ତ ହେବନି । ସେ ଯଦି ଟିକେ ଭୁଲ୍‍ କରିଦିଏ, ତା’ ଉପରେ ରାଗିବନି । ତାକୁ ସବୁବେଳେ କ୍ଷମା ଦେବ । ତାକୁ ମାରିବା ଅର୍ଥ ମୋତେ ମାରିବା । ସଦାବେଳେ ତୁମେ ତା’ର ମଙ୍ଗଳ କାମନା କରିବ । ସେଥିପାଇଁ ଭଗବାନଙ୍କୁ ପ୍ରାର୍ଥନା କରିବ । ତୁମେ ଆଜିଠାରୁ ଏ ଘରର ମାଲିକାଣୀ ।”

 

‘‘ଅରୁଣାଙ୍କ ଆଖିରୁ ଲୁହ ଝରିଗଲା । ସେ ଭାବୁଥାନ୍ତି କେତେଟା ଦିନ ଅବା ସେ ତାଙ୍କ ଜୀବନରେ ସୁଖ ପାଇଛନ୍ତି ? ସେ ଯାହା ଭାବିଥିଲେ ତାହା ନିରାଟ ସତ ହେବାକୁ ଯାଉଛି । ଅଳ୍ପ କେତୋଟି ଦିନ ମାତ୍ର ସେ ଦାମ୍ପତ୍ୟ ସୁଖ ପାଇବାକୁ ସମର୍ଥ ହୋଇଥିଲେ । ଭଗବାନ ତାକୁ ସହିପାରିଲେ ନାହିଁ । ପୁଣି ଆରମ୍ଭ ହେବ ଦୁଃଖ । ବିଚ୍ଛେଦ, ସେ କ’ଣ ଅର୍ଚ୍ଚିଡ଼୍‌କୁ ଏ ଘରୁ ତଡ଼ି ନାହାଁନ୍ତି ପରୋକ୍ଷ ଭାବରେ ? ଆଉ ସେ ଦଣ୍ଡ କିଏ ଭୋଗିବ ତାଙ୍କ ଛଡ଼ା ?”

 

ତାଙ୍କ ଲୁହତକ ପୋଛିଦେଇ ତାଙ୍କ ମଥାରେ ଚୁମାଦେଇ ରାକେଶ୍‍ ବାବୁ କହିଲେ, ‘‘ତୁମେ ଏପରି ହେଲେ କିପରି ହେବ ? ଛାତିଟାକୁ ପଥର ପରି ଟାଣ କରିଦେବାକୁ ପଡ଼ିବ । ତା’ପରେ ଚାକରାଣୀ ମୀରା ଆସିଲା ।’’

 

ରାକେଶ୍‍ ବାବୁ ତାକୁ ଆଦର କରି ପାଞ୍ଚଶହ ଶଙ୍କା ନଗଦ କ୍ୟାସ୍‍ ଦେଲେ ଓ ବହୁତ ଭଲ କଥା ଶୁଣାଇଲେ । ତା’ ଆଖି ଛଳଛଳ ହୋଇଗଲା । ସେ କହିଲା, “ସତେ ବାବୁ ଆପଣ ଆମକୁ ଛାଡ଼ି ଚାଲି ଯାଉଛନ୍ତି ! ଆମେସବୁ ଆପଣଙ୍କ ବିନା କେମିତି ଏଠାରେ ରହିପାରିବୁ ? ଆମକୁ ଏ ଘର ଘରଭଳିଆ ଲାଗିବନି ।”

 

ରାକେଶ୍‍ ବାବୁ ନୀରବ ରହିଲେ । ତା’ପରେ କ’ଣ ଭାବି ସେ ଅରୁଣାଙ୍କୁ ଡକାଇ ହସି ହସି କହିଲେ, “ଅରୁଣା ମୁଁ ତୁମକୁ ଗୋଟିଏ କଥା କହିବି, ତୁମେ ରଖିବ ?”

 

“ହଁ ରଖିବି ।”

 

“ପ୍ରୋମିସ୍‍ ।”

 

“ପ୍ରୋମିସ୍‍ ।” ଦୁହେଁ ହାତ ମିଳାଇଲେ ।

 

‘‘ତୁମେ ଉଜ୍ଜଳକୁ ନିଜ ପୁଅ ପରି ସଦାବେଳେ ଦେଖିବ । ହସି ହସି ଅରୁଣା କହିଲେ, ପୂର୍ବରୁ ତ ସେଇଟା କହି ସାରିଥିଲ । କେବଳ ପ୍ରୋମିସ୍‌ଟା ବାକି ରହିଯାଇଥିଲା ।”

 

କ୍ରମେ ସେହିଦିନ ଆସିଗଲା, ଯେଉଁଦିନ ରାକେଶ୍‍ ବାବୁଙ୍କୁ ଘର ଛାଡ଼ିବାକୁ ପଡ଼ିବ । ସେ ଯିବେ ଟ୍ରେନିଂ ପାଇବାକୁ । ଟ୍ରେନିଂ ପରେ ସେ ଯିବେ ଯୁଦ୍ଧ ପଡ଼ିଆକୁ । ସେ ତାଙ୍କର ସମସ୍ତ ବନ୍ଧୁବାନ୍ଧବଙ୍କୁ ଏ ଖବର ଦେଇଥିଲେ । ସମସ୍ତେ ତାଙ୍କୁ ଦେଖିବାକୁ ଆସିଥିଲେ । ସମସ୍ତେ ତାଙ୍କ ଫଟୋ ନେଇଥିଲେ । ସମସ୍ତେ ତାଙ୍କ ଉପରେ ଫୁଲମାଳ ପକାଉଥିଲେ ।

 

ସେ ଯିବା ପୂର୍ବରୁ ଉଜ୍ଜଳ କହିଥିଲା, ‘‘ବାପା ଆପଣ କାହିଁକି ଏକା ଯାଉଛନ୍ତି । ମୋତେ ଆଗେ ସାଙ୍ଗରେ ନିଅନ୍ତୁ, ମୁଁ ଟିକିଏ ଯୁଦ୍ଧ ପଡ଼ିଆ ଦେଖିବି । ଯୁଦ୍ଧ କିପରି ହେଉଛି ଜାଣିବି । ମୋତେ ନେବେନି ବାପା ? ମୁଁ ବଡ଼ ହେଲେ କିପରି ଯୁଦ୍ଧ କରିବି ବାପା ?”

 

ରାକେଶ୍‍ ବାବୁ ହସି ହସି କହିଥିଲେ, “ସେଠାକୁ ଯିଏ ଯାଉଛି କ’ଣ ବଞ୍ଚିକି ଫେରି ଆସିବାର ସମ୍ଭାବନା ବେଶୀ ? ତେଣୁ ତୁ ପିଲାଲୋକ ସେଠାକୁ କାହିଁକି ଯିବୁ ? ତୁ ଯୁଦ୍ଧ କରି ଜାଣିନୁ । ଟ୍ରେନିଂ ପାଇନୁ । ସେଠାକୁ ଯିଏ ଯିବ, ନିହାତି ପକ୍ଷେ ଟ୍ରେନିଂ ପାଇବା ଦରକାର । ମୋର ଠିକ୍‍ ପୁଅ ତୁ, ତୋ’ଠାରୁ କଥା କେଇପଦ ଶୁଣି ମୁଁ ଖୁସି ହେଲି । ବଡ଼ ହେଲେ ତୁ ମୋରି ପରି ଯୁଦ୍ଧ କ୍ଷେତ୍ରକୁ ଯିବୁ ସୁବିଧା ପାଇଲେ । ମୋରି ପରି ଦେଶପାଇଁ ଲଢ଼ିବୁ, ଶତ୍ରୁଙ୍କ ହାତରୁ ଦେଶକୁ ମୁକୁଳାଇବୁ ।”

 

ଆପଣ ତା’ହେଲେ ଯାଉଛନ୍ତି, ତା’ମାନେ ଆପଣଙ୍କୁ ଆଉ ଆମେ ଦେଖିପାରିବୁନି । ନା ବାପା ଆପଣ ଯାଆନ୍ତୁନି ଆମକୁ ଛାଡ଼ିକରି । ଆପଣ ନ ଆସିଲେ ଆମେ କିପରି ଚଳିବୁ ? କିପରି ବଞ୍ଚିବୁ ? ଏତକ କହି ସେ ଅନେକ କାନ୍ଦିଥିଲା ଆଖିରୁ ଲୁହ ଝରାଇ । ତାକୁ ଅନ୍ୟ ସମସ୍ତେ ବୁଝାଇଥିଲେ ।

 

ଅରୁଣା ଶେଷ ମୁହୂର୍ତ୍ତରେ ଆଖିରୁ ଅନେକ ଲୁହ ଝରାଇ ଥିଲେ । ସେ କେତେ ଦିନ ହେବ ଆଦୌ ଶୋଇନଥିଲେ । କ’ଣ ଗୁଡ଼ାଏ ଦୁଶ୍ଚିନ୍ତା ମୁଣ୍ଡ ଭିତରେ ପୂରାଇ ଅଶାନ୍ତିରେ କାଳ କଟାଉଥିଲେ । ସେ ଯେଉଁ ସୁଖର ସ୍ଵପ୍ନ ଦେଖୁଥିଲେ, ତାହା ଚୁର୍‌ମାର୍‍ ହୋଇ ଯିବାକୁ ବସିଛି । ସେ ଯେଉଁ ଅମୃତ ପିଉଥିଲେ, ତାହା ବିଷାକ୍ତ ହୋଇଯାଇଛି । ସେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି । ତାଙ୍କ ଭାଗ୍ୟଟା ଏତେ ଖରାପ ନ ହେଉ, ସେ ଭଗବାନଙ୍କ ପାଦତଳେ ଜଳନ୍ତା ଦୀପ ରଖି ମୁଣ୍ଡ ବାଡ଼ାଇ ବାଡ଼ାଇ ଆଖିରୁ ଲୁହ କାଢ଼ି କାନ୍ଦୁଛନ୍ତି ।

 

ଶେଷ ସମୟ ଚାଲିଆସିଲା । ତାଙ୍କ ଦୁଆର ମୁହଁକୁ ସରକାରୀ ଗାଡ଼ି ଆସି ଲାଗିଗଲା । ସେ ଗାଡ଼ିରେ ଅନେକ ଯୁବକ ବସିଥାନ୍ତି, ଯେଉଁମାନେ ନୂଆକରି ଟ୍ରେନିଂ ପାଇବାକୁ ଯାଉଥାନ୍ତି ଯୁଦ୍ଧ କରିବା ପୂର୍ବରୁ । ଅରୁଣା ଆଜି ତାଙ୍କୁ ଦୀପ ଆଦି ଦ୍ଵାରା ବନ୍ଦାଇ ଥିଲେ, ତାଙ୍କ ଗଳା ଉପରେ ଥାକକୁ ଥାକ ଫୁଲମାଳା ପଡ଼ିଥିଲା । ଆଉ ଜାଗା ନ ଥିବାରୁ ସେଗୁଡ଼ାକୁ ତଳେ ରଖାଗଲା । ବହୁତ ଉଚ୍ଚ ଦେଖା ଯାଉଥଲା ସେ ଫୁଲମାଳ ଗଦା । ତାଙ୍କୁ ନୂଆ ପୋଷାକ ପିନ୍ଧାଇ ଦିଆଯାଇଥିଲା । ମୁଣ୍ଡରେ ଚନ୍ଦନ ସିନ୍ଦୂର ଲଗାଇ ଦିଆଯାଇଥିଲା ।

 

ଦିନେ ଦୁଇଦିନ ପୂର୍ବରୁ ସେ ଅରୁଣାଙ୍କୁ ଘରର ସମସ୍ତ ଦାୟିତ୍ଵ ଦେଇ ପକାଇଥିଲେ । ଅନେକ ଉପଦେଶ ଦେଇଥିଲେ କିପରି ଘର ଚଳାଇବାକୁ ହେବ, କିପରି ସମସ୍ତକଥା ବୁଝିବାକୁ ପଡ଼ିବ, କିପରି କୌଣସି ଜିନିଷରେ ଅବହେଳା କରିବ ନାହିଁ, ଆଳସ୍ୟପରାୟଣ ହେବ ନାହିଁ, ବଦଖର୍ଚ୍ଚ କରିବ ନାହିଁ, ସମୟ ନଷ୍ଟ କରିବ ନାହିଁ । ଠିକ୍‌ ସମୟରେ ଠିକ୍‍ କାମ କରିବାକୁ ଭୁଲିବ ନାହିଁ । ପାପ କରିବନି, ଅନ୍ୟାୟ କରିବନି, ନିଜ ସାବତ ପୁଅକୁ ନିଜପୁଅ ପରି ଦେଖିବ । କେବେହେଲେ ତାକୁ ପାତର-ଅନ୍ତର କରିବନି । ତା’ ଭଲମନ୍ଦ ସୁବିଧା ଅସୁବିଧା ବୁଝିବ ଆଗ । ପଛେ ନିଜ ପିଲାକଥା ବୁଝିବ । ତା’ ମନରେ କଷ୍ଟ ଦେବନି । ଦରକାର ହେଲେ ମାସକୁ ମାସ ଟଙ୍କା ପଠାଇବ, ତା’ ଆଖିରେ ଲୁହ ଦେଖିବନି । ଏହିପରି ଅନେକ ଉପଦେଶ ଦେଇଥିଲେ ସେ । ଅରୁଣା ଲୁହ ବୁହାଇ ଏସବୁ ଶୁଣିବାକୁ ବାଧ୍ୟ ହୋଇଥିଲେ ।

 

ଠିକ୍‍ ଶେଷ ମୁହୂର୍ତ୍ତରେ ଏସବୁ ଉପଦେଶବାଣୀ ମନେପଡ଼ିଗଲା । ଏଥର ସେ କିପରି ନିଜ ଆଖିରୁ ଲୁହକୁ ଚାପି ପାରିବେ ? ତାଙ୍କର ମନେପଡ଼ିଗଲା ଯେ ସମସ୍ତେ ହସ ହସ ମୁହଁରେ ଏପରି ସ୍ଥଳରେ ସ୍ଵାମୀଙ୍କୁ ବିଦାୟ ଦିଅନ୍ତି । ସେ ଏଥର ରୁମାଲରେ ଲୁହତକ ପୋଛିପକାଇ ହସିବାକୁ ଚେଷ୍ଟା କରିଥିଲେ ।

 

ରାକେଶ୍‍ ବାବୁ ଶେଷରେ ଉଜ୍ଜଳ ମଥାରେ ଚୁମା ଦେଇ ବିଦାୟ ନେଇଥିଲେ । ଉଜ୍ଜଳ ତାଙ୍କ ସଙ୍ଗରେ ଗାଡ଼ିରେ ପଶିବାକୁ ବାହାରିଥିଲା । କିନ୍ତୁ ପାଖରେ ଛିଡ଼ା ହୋଇଥିବା ସମସ୍ତ ବନ୍ଧୁବାନ୍ଧବ, ଚିହ୍ନା ପରିଚୟ ଭଦ୍ରଲୋକ, ଆତ୍ମୀୟ ସୋଦର ଉଜ୍ଜଳକୁ ଟାଣି ଧରି ରଖିଥିଲେ । ସମସ୍ତଙ୍କଠାରୁ ସେ ମେଲାଣି ମାଗି ଗାଡ଼ିରେ ବସିଥିଲେ । ଗାଡ଼ି ଛାଡ଼ିଥିଲା । ସମସ୍ତେ ହାତ ଉପରକୁ ଟେକି ଖୁବ୍‍ ଜୋରରେ ହଲାଇଥିଲେ । ଅନେକ ରୁମାଲ ଏକ ସମୟରେ ଉପରକୁ ଉଠି ଏପଟ ସେପଟ ହୋଇ ଫର୍‌ଫର୍‍ ହୋଇ ଉଡ଼ୁଥିଲା ।

 

ଅରୁଣାଙ୍କ ଛାତିରୁ ଉଠୁଥିବା କୋହ, ସମସ୍ତ ଲୋକ ସେ ସ୍ଥାନରେ ଶୁଣିପାରିଲେ । ସେ ଅନ୍ୟ ସମସ୍ତଙ୍କ ସହ ଘରକୁ ଫେରିଥିଲେ । ସମସ୍ତ ବନ୍ଧୁବାନ୍ଧବ, ଚିହ୍ନା ପରିଚିତ ଭଦ୍ରବ୍ୟକ୍ତି ଓ ଆତ୍ମୀୟ ଲୋକ ଯେଉଁମାନେ ରାକେଶ୍‍ ବାବୁଙ୍କୁ ଦେଖିବାକୁ ଆସିଥିଲେ ସଙ୍ଗେ ସଙ୍ଗେ ତାଙ୍କ ଘର ଛାଡ଼ି ଚାଲିଗଲେ ନିଜ ନିଜ ଘରକୁ । ଏକା ଘର ମଧ୍ୟରେ ରହିଗଲେ ଅରୁଣା, ମୀରା ଓ ଉଜ୍ଜଳ ।

 

ଅରୁଣା ବହୁତ ମନଦୁଃଖରେ ଆଖିରୁ ଲୁହ ଝରାଉଥାନ୍ତି । ତାଙ୍କ ପାଖରେ ଉଜ୍ଜଳ ବସିରହି କହିଲା, ‘‘ମା’, ବାପାଙ୍କୁ ତୁମେ କାହିଁକି ଅଟକାଇ ରଖିପାରିଲ ନାହିଁ ? ମୋ ସାଙ୍ଗେ ତ ଅନେକ ପୁଅ ପଢ଼ୁଛନ୍ତି । ସେମାନଙ୍କ ବାପାମାନେ ତ ଯାଉ ନାହାଁନ୍ତି ।”

 

ଅରୁଣା ନୀରବ ରହିଲେ ।

 

ଉଜ୍ଜଳ ପୁଣି କହିଲା, ‘‘ଅଚ୍ଛା ମା’, ଯୁଦ୍ଧ କ’ଣ ସବୁବେଳେ ଚାଲିବ ? ଯୁଦ୍ଧ କ’ଣ କେବେହେଲେ ବନ୍ଦ ହେବନି ? ଯୁଦ୍ଧ ବନ୍ଦ ହେବାବେଳେ କ’ଣ ବାପା ଘରଆଡ଼େ ଥରେ ମଧ୍ୟ ବୁଲି ଆସିବେ ନାହିଁ ?”

 

ଅରୁଣା ନୀରବ ରହିଲେ ।

 

ଉଜ୍ଜଳ ପୁଣି କହିଲା, ‘‘ମା’, ଯୁଦ୍ଧ କିପରି ହୁଏ ? କ’ଣ ଲୋକ ଏକାବେଳକେ ଯୁଦ୍ଧ ପଡ଼ିଆରେ ରୁଣ୍ଡ ହୁଅନ୍ତି ? ଶତ୍ରୁ ଆଉ ଆମ ମଧ୍ୟରେ କେତେ ବ୍ୟବଧାନ ରହେ ? ଯୁଦ୍ଧ ପଡ଼ିଆରେ କେତେ ଶବ୍ଦ ହୁଏ ?

 

ଅରୁଣା ଏହାର ମଧ୍ୟ ଉତ୍ତର ଦେଲେ ନାହିଁ । ଉଜ୍ଜଳ ପୁଣି କହିଚାଲିଲା, “ମା’ ମୋତେ କିଛି କହୁନ, ଅଚ୍ଛା ରାତିରେ କ’ଣ ଯୁଦ୍ଧ ବନ୍ଦ ହୁଏ ? ବର୍ଷା ହେଲେ କ’ଣ ଯୁଦ୍ଧ ବନ୍ଦ ହୁଏ ? ଯେଉଁମାନେ ଯୁଦ୍ଧ କରନ୍ତି, ସେମାନେ କ’ଣ ରାତିଦିନ ଯୁଦ୍ଧ କରନ୍ତି ? ସେମାନେ ଟିକିଏ ହେଲେ କ’ଣ ବିଶ୍ରାମ ନିଅନ୍ତି ନାହିଁ ?”

 

କିଛି ଉତ୍ତର ନ ପାଇ ମଧ୍ୟ ଉଜ୍ଜଳ ପଚାରି ଚାଲିଲା, ‘‘ମା’ ଯେଉଁମାନେ ଯୁଦ୍ଧ କରନ୍ତି, ସେମାନେ ଟିକିଏ ହେଲେ କ’ଣ ବିଶ୍ରାମ ନିଅନ୍ତି ନାହିଁ ?”

 

କିଛି ଉତ୍ତର ନ ପାଇ ମଧ୍ୟ ଉଜ୍ଜଳ ପଚାରି ଚାଲିଲା, ମା’ ! “ଯେଉଁମାନେ ଯୁଦ୍ଧ କରନ୍ତି, ସେମାନେ କ’ଣ ରାତିଦିନ ଯୁଦ୍ଧ କରନ୍ତି ? ଲୋକମାନେ ଟିକିଏ ହେଲେ କ’ଣ ବଶ୍ରାମ ନିଅନ୍ତି ନାହିଁ-?’’ କିଛି ଉତ୍ତର ନ ପାଇ ମଧ୍ୟ ଉଜ୍ଜଳ ପଚାରି ଚାଲିଲା, ‘‘ମା’, ଯେଉଁମାନେ ଯୁଦ୍ଧ କରନ୍ତି ସେମାନେ ନିଜ ନିଜ ପାଖରେ କି କି ପ୍ରକାର ଅସ୍ତ୍ରଶସ୍ତ୍ର ଓ ସରଞ୍ଜାମ ରଖନ୍ତି ? ସେମାନେ କେଉଁଠାରେ ଲୁଚନ୍ତି-? ସେମାନେ ବୋମା କିପରି ପକାନ୍ତି ?”

 

ବହୁତ ବିରକ୍ତ ହୋଇପଡ଼ି ଉଜ୍ଜଳ ଗାଲରେ ଠୋ କରି ଗୋଟାଏ ଶକ୍ତ ଚାପୁଡ଼ା ବସାଇ ଦେଲେ ଅରୁଣା ।

 

କାନ୍ଦି କାନ୍ଦି ଉଜ୍ଜଳ କହିଲା, ‘‘ମା’ ତୁମେ ମୋତେ ମାରିପାରିଲ । ମୁଁ ତୁମକୁ ପ୍ରଶ୍ନ ପଚାରିଲି ତୁମେ କହିଲନି । ପୁଣି ମାରିଲ ।”

 

“କାହାକୁ ଏସବୁ ପଚାରୁଛୁ ? କିଏ ଏସବୁର ଉତ୍ତର ଦେବ ? କିଏ କହିଲା ଏଠାରେ ଏମିତି ବକ୍‌ବକ୍‍ ହେବାକୁ ?”

 

‘‘ମୋତେ ବାପା ଦିନେ ବି ମାରି ନ ଥିଲେ ।”

 

“କିନ୍ତୁ ମୁଁ ତୋତେ ମାରିମାରି ସାବାଡ଼ ବନାଇ ଦେବି ।”

 

“ମୋ ଜୀବନରେ ଆଜି ପର୍ଯ୍ୟନ୍ତ କାହାଠାରୁ ମାଡ଼ ଖାଇ ନ ଥିଲି ।”

 

‘‘ଏବେ ଖାଇଲୁ ତ । ଆଉ ତା’ର କାରଣ ଜାଣିଲୁ ତ । ମୋ ଆଗରେ ସେପରି ଦୁଷ୍ଟାମି ଚଳିବ ନାହିଁ ।”

 

“ମୁଁ ତୁମକୁ ମା’ ବୋଲି ଭାବିଲି, ତୁମେ ମାରିଲ । ମୋ ନିଜ ମା’ ମୋତେ ମାରି ନ ଥିଲେ କେବେ ।”

 

‘‘ତୋ ବାପା ତ ଥିଲେ । ସେତେବେଳେ ଏ ପ୍ରଶ୍ନ ତାଙ୍କୁ ପଚାରିଲୁ ନାହିଁ ? ମୋତେ ଶସ୍ତା ଦେଖିଲୁକି ? ମାରି ମାରି ତୋ ଚମଡ଼ା ବାହାର କରିଦେବି । ବାଡ଼ାଇ ବାଡ଼ାଇ ତୋ ମେରୁଦଣ୍ଡ ବଙ୍କା କରିଦେବି । ମୋ କଥା ମାନିବୁ ତ ଭଲକଥା । ନଚେତ୍‍ ଆଉ କେଉଁ ବୋପା ତୋ ପିଠିରେ ପଡ଼ିବନି ।”

 

ତୁମରି ଯୋଗୁଁ ବାପା ହିଁ ଚାଲିଗଲେ, “ତୁମେ ଅଟକାଇ ପାରିଲ ନାହିଁ । ତୁମେ ତଡ଼ିଦେଲ ତାଙ୍କୁ ମୋତେ ମାଡ଼ ଦେବାକୁ ସୁଯୋଗ ପାଇବ ବୋଲି ।”

 

ଏହା କହିବା ପରେ ତା’ ଉପରେ ଠୋ ଠୋ ଆଉ ତିନି ଚାରି ଚାପୁଡ଼ା ବସିଗଲା, ଯେପରିକି ଆଉ ସେ ତା’ ଜୀବନରେ ଏହାକୁ ଭୁଲିପାରିବ ନାହିଁ ।

 

ଉଜ୍ଜଳ ତଳେ ପଡ଼ିଗଲା, ମୀରା ଏସବୁ ଦେଖି ଆଦୌ ସହିପାରିଲା ନାହିଁ । ସେ ଉଜ୍ଜଳକୁ ଉଠାଇ ନେଇ, କହିଲା, ‘‘ଆପଣ ତାଙ୍କୁ ମାରନ୍ତୁନି ଏପରି । ସେ ବହୁତ ଭଲପିଲା, ବୁଝାଇ ଦେଲେ ବୁଝିଯିବେ ।”

 

ଆଖିରୁ ଲୁହ ଝରାଇ ଉଜ୍ଜଳ କାନ୍ଦିଲା ।

 

ଅରୁଣା କହିଲେ, “ଏଠାରେ କାନ୍ଦୁଛୁ କ’ଣ ? ଆହୁରି ମାଡ଼ ଖାଇବୁ । ତୁ ଭାବିଛୁ ଯେ ମୁଁ ମାରିଲି ବୋଲି ତୁ ଯାଇ ତୋ ବାପାଙ୍କୁ କହିଦେଇ ଆସିବୁ । ଯାଆ କହିଦେଇ ଆସିବୁ, ଯାଆ ମୁଁ କହୁଛି । ଆରେ ତୁ ପିଲା ବୋଲି ଚା’ଖଣ୍ଡେ, ମୋତେ କ’ଣ ବୋଲି ପାଇଲୁ ? ତୋ ଜୀବନ ଖାଇଯିବି । ମୋର ତ ପ୍ରାଣ ପଳାଇ ଯାଉଛି, ଏ ଟୋକା ଆସି ମୋତେ ଜେରା କରୁଛି, ଝୁଣି ଖାଉଛି । ସେତିକିରେ ଚୁପ୍‍ ହୋଇଗଲା ଉଜ୍ଜଳ ।’’

 

ହଠାତ୍‍ ସେ ନିଜ ବ୍ୟାଗ୍‍ ଧରି ଘରୁ ବାହାରି ଚାଲିଗଲା । ସଙ୍ଗେ ସଙ୍ଗେ ସେ ବସରେ ବସି ନିଜ ସ୍କୁଲ୍‍କୁ ଚାଲିଗଲା । ଘରେ ଗୋଟିଏ ମୁହୂର୍ତ୍ତ ମଧ୍ୟ ବିଳମ୍ବ କଲା ନାହିଁ । ମନର ଦୁଃଖ ଏବଂ ରାଗ ମନ ମଧ୍ୟରେ ଚାପି ରଖିବାକୁ ସେ ବାଧ୍ୟ ହୋଇଥିଲା । ସେଠାରେ ହଷ୍ଟେଲରେ ନିଜ ରୁମରେ ବସି ଏକା ଏକା ଏ ବିଷୟ ଭାବିଥିଲା ଅନେକ ।

 

ସେ ରାଗିକରି ବ୍ୟାଗ୍‍ ଧରି ହଷ୍ଟେଲକୁ ବାହାରିବା ସମୟରେ ମୀରା କହିଥିଲା, “ଉଜ୍ଜଳ, ଉଜ୍ଜଳ ।” ମାତ୍ର ପଛକୁ ଟିକିଏ ହେଲେ ବୁଲି ଅନାଇ ନ ଥିଲା । ତା’ପରେ ମୀରା ଚୁପ୍‍ ରହିଥିଲା । ଅରୁଣାଙ୍କର ସବୁଯାକ କୋପଦୃଷ୍ଟି ମୀରା ଉପରେ ପଡ଼ିଥିଲା । ସେ ଧମକ୍‍ ଦେଇ ମୀରାକୁ କହିଲେ, “ଯିଏ ଯିବାକୁ ଚାହୁଁଛି ତାକୁ ଯିବାକୁ ଦିଅ । ତାକୁ ବାଟ ମଧ୍ୟରେ ଅଟକାଇବ ନାହିଁ । ତୋତେ କିଏ କହିଲା ଏଠାରେ ଏପରି ଉଜ୍ଜଳ ଉଜ୍ଜଳ ବୋଲି ଡାକିବାକୁ ? ଚାକିରି କ’ଣ ପିତା ଲାଗୁଛି ? ମୋତେ ପ୍ରତିରୋଧ କରୁଛୁ ! ଘରୁ ତଡ଼ା ଖାଇବାକୁ ଇଚ୍ଛା ଅଛି ?” ସେତିକିରେ ମୀରା ଚୁପ୍‍ ରହିଗଲା ।

 

କିଛି ସମୟପରେ ଅରୁଣାଙ୍କ ମନେପଡ଼ିଗଲା ସେହି ଉପଦେଶବାଣୀ । ରାକେଶ୍‍ ବାବୁ ତାଙ୍କୁ ନିଜ ପାଖରେ ବସାଇ ଉପଦେଶ ଦେଉଥିଲେ, “ନିଜ ସାବତ ପୁଅକୁ ନିଜପୁଅ ପରି ଦେଖିବ-। ତା’ ଦେହରେ ହାତ ଦେବନି । ତାକୁ ସାହାଯ୍ୟ କରିବ ସବୁସମୟରେ । ତା’ ମନରେ କଷ୍ଟ ଦେବନି, ଇତ୍ୟାଦି ।”

 

ହଠାତ୍‍ ଏସବୁ ତାଙ୍କ ମନକୁ ଅସିବାରୁ ତାଙ୍କ ଆଖି ଛଳଛଳ ହୋଇଗଲା । ସେ ଭୁଲ୍‍ କରି ପକାଇଛନ୍ତି । ମଝିରେ ସେ ଏ ଉପଦେଶବାଣୀ ଅଳ୍ପ ସମୟ ପାଇଁ ଭୁଲି ଯାଇଥିବାରୁ ଏତେବଡ଼ ଭୁଲ୍‍ ହୋଇଗଲା । ସେ ନିଜ ସ୍ଵାମୀଙ୍କ ଫଟୋ ପାଖକୁ ଚାଲିଗଲେ । ସେ ନିଜ ହୃଦୟରେ ତାକୁ ଚାପିରଖି କାନ୍ଦିବାକୁ ଲାଗିଲେ । ସେ କ୍ଷମା ମାଗୁଛନ୍ତି ଆଖିରୁ ଲୁହ ବୁହାଇ, ସେ ନିଜ ବେଡ଼୍‍ ଉପରେ ପଡ଼ିଗଲେ । କେତେବେଳକୁ ଯେ ତାଙ୍କୁ ନିଦ ହୋଇଛି ତାଙ୍କୁ ଜଣା ନ ଥିଲା । ପୁଣି କ’ଣ ଗୋଟିଏ ସ୍ଵପ୍ନ ଦେଖି ହଠାତ୍‍ ତାଙ୍କ ନିଦ ଭାଙ୍ଗିଗଲା । ଏକ ବିରାଟ ବସ୍ଫୋରଣ । ଖାଲି ନିଆଁ ଓ ଧୂଆଁ । ଚାଇନିଜ୍‍ ବିମାନରୁ ଏ ବୋମା ପଡ଼ୁଛି । ଗୋଟିଏ ଭାରତୀୟ ଟ୍ୟାଙ୍କ୍‍ ଧ୍ଵଂସ ପାଇଗଲେ । ରକେଶ୍‍ ବାବୁ ଏ ଟ୍ୟାଙ୍କ୍‍ ଚଳାଉଥିଲେ । ସେ ସାଙ୍ଗେ ସାଙ୍ଗେ ଏ ଟ୍ୟାଙ୍କ୍‍ରୁ ବାହାରକୁ ଡେଇଁପଡ଼ି ରକ୍ଷା ପାଇଗଲେ । ସେ ଏ କଳା କଳା ଧୂଆଁ କରରେ ଧାଉଁଛନ୍ତି ନିଜ ଜୀବନକୁ ରକ୍ଷାକରିବାକୁ । ଯାହାହେଉ; କେତେ ବଡ଼ ବିପଦରୁ ସେ ଉଦ୍ଧାର ପାଇଗଲେ !

 

ଏ ସ୍ଵପ୍ନ ଦେଖିସାରି ଅରୁଣା ଉଠି ବସିଲେ । ସଙ୍ଗେ ସଙ୍ଗେ ତାଙ୍କ ଆଖିରୁ ବିନ୍ଦୁଏ ଲୁହ ଭାସିଆସିଲା । ସେ ଭଗବାନ କ୍ରିଷନ୍‍ ମହାରାଜଙ୍କୁ ମୁଣ୍ଡିଆ ମାରି ପ୍ରାର୍ଥନା କଲେ, ‘‘ହେ ଭଗବାନ ! ତୁମେ ମୋ ସ୍ଵାମୀ ଦେବତାଙ୍କୁ ସବୁ ସମୟରେ ସାହା ହୁଅ । ତାଙ୍କ ପାଖେ ପାଖେ ସଦାବେଳେ ରହି ତାଙ୍କୁ ସବୁ ବିପଦରୁ ରକ୍ଷା କରୁଥାଅ । ତୁମ ଛଡ଼ା ତାଙ୍କୁ ସାହାଯ୍ୟ କରିବାକୁ ଏ ଦୁନିଆରେ କେହି ନାହିଁ । ତାଙ୍କର କିଛିହେଲେ କ୍ଷତି ନ ହେଉ । ମୁଁ ଉଜ୍ଜଳକୁ ମାରିବାରୁ ସିନା ମୋତେ ଏପରି ଭୟଙ୍କର ସ୍ଵପ୍ନ ଦେଖାଇଲ । ନା, ମୁଁ ତାକୁ ଆଉ ଜମା ମାରିବିନି ।”

 

(୨୨)

 

ଅର୍ଚ୍ଚିଡ଼୍‍ ରୋଷେଇବାସ ଶେଷ କରି ଲଂଟାନ୍‌ଙ୍କୁ ଅପେକ୍ଷା କରି ବସିଥାନ୍ତି । ଲଂଟାନ୍ ଯେତିକି ସମୟରେ ଆସିବା କଥା ସବୁଦିନ, ସେତିକି ସମୟରେ ଆସିଲେ ନାହିଁ । ଅର୍ଚ୍ଚିଡ଼୍‍ ଅଳ୍ପ ବିରକ୍ତ ଅନୁଭବ କଲେ । ସେ ତାଙ୍କ ବେକାର ସମୟରେ ସିଲେଇ କରୁଥିଲେ । ମାତ୍ର ଆଜି ସିଲେଇ ଫିଲେଇ ସବୁ ବନ୍ଦ । କିଛିହେଲେ ସେ କରିବାକୁ ଇଚ୍ଛା କରିନଥିଲେ । ଖାଲି ବସି ସେ ଭାବୁଥିଲେ ଲିଂଟାନ୍‍ କେତେବେଳେ ଆସିବେ । ଏଥିପାଇଁ ସେ ଥରକୁ ଥର ଘଡ଼ି ଦେଖି ପରୀକ୍ଷା କରୁଥିଲେ କେତେ ସମୟ ହେଲା ଏବଂ କେତେ ଡେରି ହେଉଛି ।

 

ଶେଷରେ ଲିଂଟାନ୍‍ ଆସିଲେ । ଅଳ୍ପ ବିରକ୍ତ ହୋଇ ଅର୍ଚ୍ଚିଡ଼୍‌ କହିଲେ,“ଆଜି କ’ଣ ତା’ହେଲେ କେଉଁଠି ଫିଷ୍ଟ୍‍, ଆଦିର ଆୟୋଜନ ଥିଲା କି ?”

 

ହସି ହସି ସେ ଉତ୍ତର ଦେଇଥିଲେ, ‘‘ନା କିଛି ନୁହେଁ । ଅଳ୍ପ‌ ଡେରି ହୋଇଗଲା ।”

 

ଅର୍ଚ୍ଚିଡ଼୍‌ ତାଙ୍କୁ ଖାଇବାକୁ ଦେଇଥିଲେ । ଦୁହେଁ ଟେବୁଲରେ ଖାଦ୍ୟ ରଖି ଏକ ସମୟରେ ଖାଉଥିଲେ । ଲିଂଟାନ୍‍ ହାତମୁହଁ ସଫାକରି ଚାମଚ ଧରି ଖାଇବା ଆରମ୍ଭ କରିଥିଲେ ।

 

ସେ ଖୁସି ହୋଇଯାଇ କହିଥିଲେ, ‘‘ବାଃ ଆଜି କ’ଣ ଖୁବ୍‌ ବଢ଼ିଆ ହୋଇଛି । ଏସବୁ ରୋଷାଇ କରିବାର ଯାଦୁ ।”

 

“କାହିଁକି ମ ! ମିଛ କଥା ।”

 

“ସତରେ ତୁମେ ଚାଖୁନ । ସବୁଦିନ ଅପେକ୍ଷା ଆଜି ବହୁତ ଭଲ ଲାଗୁଛି ମୋତେ । ଆଜି ବୋଧହୁଏ ବହୁତ ଖୁସିରେ ରୋଷେଇ କରିଛ । କ’ଣ ହୋଇଛି ?”

 

“ନା କିଛି ନାହିଁ ।”

 

‘‘କ’ଣ ପାଇଛ କି ?”

 

“ନା ତ ।”

 

‘‘କିଛି ନୂଆ ଚାକିରି ଖଣ୍ଡେ ମିଳଗଲା କି ?”

 

“ନା କିଛି ନୁହେଁ ।”

 

ତା’ହେଲେ କ’ଣ ?”

 

ଅର୍ଚ୍ଚିଡ଼୍‍ ହସିଲେ । ଲିଂଟାନ୍‍ ତାଙ୍କ ମୁହଁକୁ ଚାହିଁଲେ । ଅର୍ଚ୍ଚିଡ଼୍‌ କହିଲେ, ‘‘ମୁଁ କହିବି; କିନ୍ତୁ ଟିକିଏ ପରେ ।”

 

‘‘ହେଉ ।”

 

ଦୁହେଁ ଖାଇସାରିଲେ । ଲିଂଟାନ୍‍ ବେଡ଼୍‍ ଉପରକୁ ଗଲେ । ଅର୍ଚ୍ଚିଡ଼୍‍ ଶୀଘ୍ର ତାଙ୍କ କାର୍ଯ୍ୟ ଶେଷ କଲେ । ଅର୍ଚ୍ଚିଡ଼୍‍ ମଧ୍ୟ ବେଡ଼୍‌ ଉପରକୁ ଉଠିଲେ । ଲିଂଟାନ୍‍ କହିଲେ, ‘‘ବର୍ତ୍ତମାନ କହିବ ତ ?”

 

“ହଁ ହଁ । ତୁମ କାନ ମୋ ପାଟି ପାଖକୁ ଆଣ; ମୁଁ ଚୁପ୍‌ ଚୁପ୍‌ କହିବି ।” ବହୁତ ଖୁସି ହୋଇ ମୁରୁକି ମୁରୁକି ହସି ସେ କହୁଥିଲେ ।

 

ଲିଂଟାନ୍‍ ଅର୍ଚ୍ଚିଡ଼୍‌ଙ୍କ ମଧ୍ୟରେ ଏଥର ବ୍ୟବଧାନ ରହିଲା ନାହିଁ । ଅର୍ଚ୍ଚିଡ଼୍‌ ତାଙ୍କ କାନ ପାଖରେ ଚୁପ୍‌ ଚୁପ୍‌ କ’ଣ କହି ପକାଇଲେ ସେ ମାଆ ହେବାକୁ ଯାଉଛନ୍ତି । ଏକଥା ସେ ଫୁସ୍‌ ଫୁସ୍‌ ହୋଇ କହିଲେ ।

 

ଲିଂଟାନ୍‍ ଖୁସି ହୋଇ କହିଥିଲେ, “ସତରେ ତୁମେ ମୋତେ ଏ କଥା ଲୁଚାଇ ରଖିଥିଲ ଏତେବେଳ ପର୍ଯ୍ୟନ୍ତ ।”

 

“ଉଁହୁଁ ନା ତ ।”

 

“ଆମ ଛୁଆଟି ଏଇ ଦେଶରେ ବଢ଼ିବ । ସବୁ ଭଗବାନଙ୍କ ଆଶୀର୍ବାଦ ।”

 

‘‘ଆଉ କ’ଣ ଚାଇନାରେ ବଢ଼ିଥାନ୍ତା ?”

 

‘‘ସେ ସୁଯୋଗ ଆମ ପକ୍ଷରେ କାହିଁ ?”

 

‘‘ସେ ଭାରତୀୟ ପାଣି ପବନରେ ବଢ଼ିବ ।”

 

‘‘ସେ କିନ୍ତୁ ନିଶ୍ଚୟ ଚାଇନିଜ୍‍ ଛୁଆପରି ଦେଖାଯିବ । ଯେତେ ଭାରତୀୟ ପାଣି ପବନ ବାଜିଲେ ମଧ୍ୟ ତା’ ରକ୍ତର ଶତକଡ଼ା ଶହେଭାଗ ଚାଇନିଜ୍‌ ଓ ତା’ର ଅଦୌ ଭାରତୀୟ ଚେହେରା ହେବନି ।”

 

“ତାକୁ ଚାଇନିଜ୍‌ ନାଁ ଦେବା ନା ଭାରତୀୟ ନାଁ ଦେବା ?”

 

ହସିଉଠିଲେ ଦୁହେଁ । ‘‘ଏତେ ଆଗରୁ, ଏ ଚିନ୍ତା ? ନଈ ନ ଦେଖି ଲଙ୍ଗଳା ?”

 

“ଅମେ କ’ଣ ତାକୁ ଚାଇନିଜ୍‌ ନାଁ ଦେବା ?”

 

‘‘ନା ଭାରତୀୟ ନାଁ ଦେଲେ ଭଲ ହେବ । ଆମେ ଏଠାରେ ସବୁଦିନ ପାଇଁ ରହିବା । ଭାରତୀୟମାନଙ୍କୁ ତ ଖୁସି କରିବାକୁ ପଡ଼ିବ । ଆଛା ଭରତୀୟ ନାଁ ଦେଲେ କ୍ଷତି କ’ଣ ? ଭାରତରେ, ତ ଖୁବ୍‌ ବଢ଼ିଆ ବଢ଼ିଆ ନାଁ ଅଛି ।’’

 

“ଆଚ୍ଛା, ପୁଅ ହେଲେ ତା’ ନାଁ ଶଙ୍କର, ଝିଅ ହେଲେ ତା’ ନାଁ ଶିବାନୀ ବା ସିନି ।”

 

ଦୁହେଁ ହସିଉଠିଲେ, ‘‘ଶଙ୍କର ଓ ସିନି ବହୁତ ଭଲ ନାଁ । ଆମ ଚାଇନାରେ ମଧ୍ୟ ଏତେ ସୁନ୍ଦର ନାଁ ନାହିଁ । ପ୍ରକୃତରେ ଏସବୁ ନାଁର ଅର୍ଥ କ’ଣ ?”

 

“ମୁଁ ମଧ୍ୟ ଜାଣେନା । କିନ୍ତୁ ଭଲ ଶୁଣା ଯାଉଛି ଏସବୁ । କେତେକ ପୁଅଙ୍କ ନାଁ ଶଙ୍କର ଓ କେତେ ଝିଅଙ୍କୁ ସିନି ବୋଲି ଏଠାରେ ଡାକୁଛନ୍ତି । ଏମାନେ ମଧ୍ୟ ବହୁତ ଭଲ ପୁଅ ଓ ଭଲ ଝିଅ ।”

 

“ଏତେ ଆଗରୁ ନାଁ ଦେବା ଭଲ ନୁହେଁ ।’’

 

(୨୩)

 

ଉଜ୍ଜଳ କିଛିଦିନ ମଧ୍ୟରେ ଅର୍ଚ୍ଚିଡ଼୍‌ଙ୍କ ପାଖକୁ ଅସିଥିଲେ । ଅର୍ଚ୍ଚିଡ଼୍‌ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ କହିଲେ, ‘‘ଆରେ, ଆଜି ତ ଛୁଟି ନୁହେଁ । ତୁମେ କାହିଁକ ସ୍କୁଲ୍‍ ଛାଡ଼ି ଚାଲି ଆସିଲ ? ତୁମର ଦେହ କ’ଣ ଖରାପ ?”.

 

“ନା ମା’ । ମୋ ଦେହ କିଛି ଖରାପ ହୋଇ ନାହିଁ । ମୋ ମନ ଆଦୌ ଭଲଲାଗୁନି । ମୁଁ ଭାବୁଛି ଯେ ଆଉ ମୁଁ ପାଠ ପଢ଼ିବିନି ।”

 

“କାହିଁକି ?”

 

“ମୋ’ଦ୍ଵାରା ପାଠ ଆଉ ହେବନି ।’’

 

“କ’ଣ ହେଲା ? ତୁମପରି ଭଲ ପିଲାକୁ ପାଠ ଖରାପ ଲାଗୁଛି ?” “ପାଠରେ ମୋ ମନ ଟିକିଏ ହେଲେ ବି ଲାଗୁନି । ସ୍କୁଲ୍‍କୁ ଯିବାକୁ ଇଚ୍ଛା ହେଉନି । ସମସ୍ତଙ୍କ ସାଙ୍ଗରେ ହଷ୍ଟେଲରେ ରହିବାକୁ ଇଚ୍ଛା ଲାଗୁନି ।”

 

“କ’ଣ ଅସୁବିଧା ? ତୁମେ ତ ଭଲ ପାଠ ପଢ଼ । ତୁମ ନିଜ ପଇସା ନିଜେ ରୋଜଗାର କର ତୁମ ବୟସ ମାତ୍ର ଦଶବର୍ଷ ହୋଇ ମଧ୍ୟ । ତୁମେ ନିଜେ ନିଜକୁ ଚଳାଅ । ବାପା ମା’ଙ୍କ ହାତମୁଠାକୁ ମଧ୍ୟ ଅନାଅ ନାହିଁ । ତୁମପରି ଏତେ କେହି ଭଲ ପାଠ ପଢ଼ନ୍ତି ନାହିଁ । ତୁମେ କ୍ଲାସରେ ସମସ୍ତଙ୍କୁ ଟପିଯାଇ ଅଧିକ ନମ୍ବର ରଖି ଅନ୍ୟମାନଙ୍କୁ ପଛରେ ପକାଇ ଦିଅ । ତୁମକୁ ସରକାର ସମସ୍ତ ଖର୍ଚ୍ଚ ଦିଅନ୍ତି । ତୁମ ରହିବା ଖାଇବା ପଢ଼ିବା ଖର୍ଚ୍ଚ ପାଇଁ ସରକାର ନିଜ ରାଜକୋଷରୁ ମାସକୁ ଛଅଶହ ଟଙ୍କା ଲେଖାଏଁ ଶେଷ କରନ୍ତି । ଏତେ ଭଲ ସୁଯୋଗ ସରକାର କେବଳ ଗୋଟିଏ ପିଲା ପାଇଁ କରିଥାନ୍ତି ସମଗ୍ର ରାଜ୍ୟରେ । ତୁମେ ରାଜ୍ୟର ଶ୍ରେଷ୍ଠ ପିଲା ହୋଇ ମଧ୍ୟ କାହିଁକି ପାଠପଢ଼ା ପ୍ରତି ବିତସ୍ପୃହ ହେଉଛ ? ତୁମ ମନ କାହିଁକି ଭଲ ରହୁନି ? ପାଠ ପଢ଼ାଠାରୁ ଭଲ ଜିନିଷ ଦୁନିଆରେ କ’ଣ ଅଛି ? ଏହି ପାଠ ପଢ଼ାଦ୍ଵାରା ମଣିଷର ମୂଳଦୁଆ ଦୃଢ଼ ହୁଏ । ମଣିଷ ସମାଜରେ ସମ୍ମାନ ପାଏ ଓ ପ୍ରତିଷ୍ଠିତ ହୁଏ । ଏପରି ପାଠ ନ ପଢ଼ିଲେ ତୁମେ ନିଜ ପଇସା ପୂର୍ବପରି ରୋଜଗାର କରିପାରିବ ତ ?”

 

“ନା ମା’, ମୁଁ ଏତେ କଥା ଶୁଣିବିନି । ମୁଁ ସ୍କୁଲ୍‍ରୁ ନାଁ କଟାଇ ଦେଇ ଘରକୁ ଚାଲିଆସିବି ଏଠାକୁ । ତୁମର ପାଖରେ ରହିବି । ଆଉ କେଉଁଠାକୁ ଯିବିନି ।”

 

‘‘ଏ ତ ଭଲକଥା । କିନ୍ତୁ ପାଠପଢ଼ା ଛାଡ଼ିବ କାହିଁକି ?”

 

‘‘ବାପା ତ ଗଲେ ଯୁଦ୍ଧକୁ ମୋତେ ଛାଡ଼ିଦେଇ । ମୋତେ ସାଙ୍ଗରେ ନେଲେନି ଯେତେ କାନ୍ଦିଲେ ବି ?”

 

‘‘ସତରେ ସେ ଯାଇଛନ୍ତି ?”

 

“ହାଁ ସେ ପରା ହୋଇଗଲାଣି ଦଶ ପନ୍ଦର ଦିନ ।”

 

“ମୋ କାନ ତ ଜାଣିନି ଏତେ କଥା ।”

 

“ମୁଁ କ’ଣ ପୁଅ ହୋଇ ମା’କୁ ମିଛକଥା କହିବି ? ତୁମକୁ କିଏ ଖବର ଦେବ ଯେ ଏଠାରେ ଏ ସବୁକଥା ଜାଣିପାରିବ ?”

 

“ହଁ ସେ ଏତେ ବୋକା ! ସେ ସିନା ଲୁଚି ରହି ଯାଇଥାଆନ୍ତେ । ଆର ମା’ କହନ୍ତି ଏସବୁ । ମୁଁ କହିଲି ମୋତେ ସାଙ୍ଗରେ ନେଇଥିଲେ ମୁଁ ଟିକିଏ ଯୁଦ୍ଧ ଦେଖି ଆସିଥାନ୍ତି । ତାଙ୍କ ନାଁ ଲିଷ୍ଟରେ ପୁଣି ବାହାରିଥିଲା । ସେ ନିଜ ଇଚ୍ଛାରେ ଯାଇଥିଲେ । ଆର ମା’ କାନ୍ଦିଥିଲେ ।”

 

ଅର୍ଚ୍ଚିଡ଼୍‌ କ’ଣ ଗୁଡ଼ାଏ ଭାବି ଭାବି ଉଜ୍ଜଳ ମୁହଁରେ ହାତ ଦେଇ ପକାଇ ତା’ ପାଟି ବନ୍ଦ କରି ପକାଇଲେ । ତାଙ୍କ ମନ ମଧ୍ୟରେ ପରସ୍ତକୁ ପରସ୍ତ ଭାବନା ଖେଳିଗଲା ଏପଟ ସେପଟ ହୋଇ । ତାଙ୍କ ଆଖି ଛଳଛଳ ହୋଇଗଲା, ହୃଦୟ ମଧ୍ୟରୁ କୋହ ବାହାରି ଆସିଲା । ସେ ଜାଣିଗଲେ ଯେ ଉଜ୍ଜଳ ମନ ଏଇଥିପାଇଁ ଭଲଲାଗୁନି । ତା’ର ବାପ ଗୋଟିଏଆଡ଼େ ଓ ମା’ ଗୋଟେଆଡ଼େ ହୋଇଗଲେ । ସେ ଦୁଇଟି ଡଙ୍ଗାରେ ଗୋଡ଼ ଦେବା ଅବସ୍ଥାରେ ପଡ଼ି ଯାଇଛି । କିନ୍ତୁ ସେ ଏଥିପାଇଁ କ’ଣ କରିପାରିଥାନ୍ତେ ? ତାଙ୍କୁ ତ ଘରୁ ତଡ଼ି ଦିଆଗଲା । ସେ ବାଧ୍ୟହୋଇ ନୀରବ ରହିଲେ ।

 

ଉଜ୍ଜଳ ମା’ଙ୍କ ମୁହଁକୁ ଚାହିଁଲା । ସେ ସ୍ପଷ୍ଟ ଦେଖି ପାରିଲା ତାଙ୍କ ଆଖିରୁ ଲୁହ ଝରୁଛି । ସେ କହିଉଠିଲା, “ମା’, ତୁମେ କାନ୍ଦୁଛ ।”

 

ସେ ଉଜ୍ଜଳକୁ କୁଣ୍ଢାଇ ପକାଇଲେ । ତା’ପରେ ସବୁ ନୀରବତା ଓ ଗମ୍ଭୀରତା ।

 

ନୀରବତା ଭଙ୍ଗକରି ଉଜ୍ଜଳ କହିଥିଲା, “ମା’ ମୋତେ ନୂଆ ମା’ ମାରିଥିଲେ, ଯେଉଁଦିନ ବାପା ଗାଡ଼ିରେ ବସି ଚାଲିଗଲେ । ମୁଁ ଆଉ ଜମା ତାଙ୍କ ପାଖକୁ ଯିବିନି ।”

 

‘‘ମାରିଥିଲା ?”

 

“ହଁ ।”

 

“କାହିଁକି ?”

 

‘‘ମୁଁ ତାଙ୍କୁ ଯୁଦ୍ଧ ବିଷୟରେ ପ୍ରଶ୍ନ ପଚାରିଥିଲି ବୋଲି ?”

 

‘‘କ’ଣ ପଚାରିଥିଲ ?”

 

“ଯୁଦ୍ଧ କିପରି ହୁଏ, କେତେବେଳେ ହୁଏ । ଏସବୁ । ସେ ବିରକ୍ତ ହୋଇ ମୋତେ ମାରିଲେ । ମୁଁ ସାଙ୍ଗେ ସାଙ୍ଗେ ହଷ୍ଟେଲକୁ ଚାଲି ଆସିଲି ସେଠାରେ ନ ରହି ।”

 

“ତୁମେ ସେଠାକୁ ତା’ ପାଖକୁ ଆଉ ଭୁଲରେ ସୁଦ୍ଧା ଯିବନି । ସେ କ’ଣ ମା’ ? ସେ ତୁମକୁ ମାରି ମାରି ମାରିଦେବ । ତୁମପାଇଁ ସେ ଆଦୌ ଦୁଃଖ ପ୍ରକାଶ କରିବନି । ସବୁ ଛଳନା କରିବ । କୁମ୍ଭୀର କାନ୍ଦଣା କାନ୍ଦିବ । ସେ ଚାହେଁ ତା’ ନିଜ ସୁଖ । ତୁମପାଇଁ ତା’ ଆଖିରୁ ଟୋପାଏ ଲୁହ ଝରିବନି, ତାକୁ ତୁମେ ମା’ ବୋଲି ଡାକୁଛ ? ଛି, ସେ ତୁମର କେହି ନୁହେଁ । ସେ ତୁମର ଶତ୍ରୁ-।”

 

“ସେ ତ ପ୍ରଥମେ ଭାରି ଭଲ ବ୍ୟବହାର ଦେଖାଉଥିଲେ । ମୋତେ କୋଳକୁ ଟାଣିନେଇ କହୁଥିଲେ, ମୋତେ ମା’ ବୋଲି ଡାକିବନି ? ମୁଁ ସେମିତି ଖୁଆଇ ଦେବି, ତୁମ ମା’ ଯେମିତି ଖୁଆଉଥିଲେ ।”

 

“ସବୁ ପ୍ରତାରଣା, ଛଳନା । କେତେଦିନ ଏ ସ୍ନେହ ଆଦର ରହିପାରିଲା ? ସବୁ ଛଳନା ଧରାପଡ଼ିଗଲା ଅଳ୍ପଦିନରେ । ଏମିତି ସିଏ ନିଜ ସାବତ ପୁଅକୁ ସ୍ନେହ କରୁଥିଲେ ?”

 

(୨୪)

 

ଠିକ୍‌ ସମୟରେ ରାକେଶ୍‍ ବାବୁଙ୍କୁ ଟ୍ରେନିଂ ଦିଆଗଲା । ସେତ ଆଗରୁ‌ ଗାଡ଼ି ଚଳାଇବା ଆଦି ଶିଖିଥିଲେ । କ୍ଲାସରେ ଏନ୍‍.ସି.ସି. ନେଇଥିଲେ । ତେଣୁ ତାଙ୍କର ଶୃଙ୍ଖଳାଜ୍ଞାନ ଅନ୍ୟମାନଙ୍କଠାରୁ ଅଧିକ ଥିଲା । ତେଣୁ ଏ ଟ୍ରେନିଂ ଅଧିକ କଷ୍ଟ ଲଗିଲା ନାହିଁ । ଆଗରୁ ବନ୍ଧୁକ ବିଷୟରେ ସବୁକଥା ଜାଣିଥିଲେ । ବନ୍ଧୁକ ଫୁଟାଇ ଥିଲେ । ମାତ୍ର ଏଠାରେ ଅନେକ କିଛି ଅଧିକ କଥା ଶିଖିବାକୁ ହୋଇଥିଲା ।

 

କିପରି ଚାଲିବାକୁ ହୁଏ, ମାର୍ଚ୍ଚିଂ କରିବା ସମୟରେ କିପରି ଶୋଇ ଶୋଇ ଧୀରେ ଧୀରେ ଶତ୍ରୁ ଆଗରେ ଲୁଚି ଲୁଚି ଆଣ୍ଠେଇ ଆଣ୍ଠେଇ ଭୂମି ଉପରେ ଆଗେଇବାକୁ ହୁଏ, କିପରି ପୋଷାକ ପିନ୍ଧିବାକୁ ପଡ଼ିବ, କିପରି ବୋମା ଫୋପାଡ଼ିବ, କିପରି କୌଶଳ କରି ଶତ୍ରୁ ଟ୍ୟାଙ୍କ୍‌ ଧ୍ୱଂସ କରିବ, କିପରି ଟ୍ୟାଙ୍କ୍‌ ଚଳାଇବ, କିପରି ନିଜର ଖାଦ୍ୟ ପାନୀୟ ନିଜ ପୋଷାକ ମଧ୍ୟରେ ରଖିବ, କିପରି ଅଳ୍ପ ଖାଦ୍ୟରେ ଅଧିକ ଦିନ ବଞ୍ଚି ପାରିବ, କିପରି ଶତ୍ରୁ ଦେଶରେ ଆତ୍ମଗୋପନ କରିବ, କିପରି ଗୁପ୍ତଚର ହୋଇ ଶତ୍ରୁର ସମସ୍ତ ଖବର ସଂଗ୍ରହ କରିବ ଇତ୍ୟାଦି ଇତ୍ୟାଦି । ଏସବୁ ବିଷୟ ସେ ଶିଖିଥିଲେ । ସବୁଦିନ ଏସବୁର ଅଭ୍ୟାସ ଚାଲିଥାଏ । ଟ୍ରେନିଂଟା ଯୁଦ୍ଧର ବହୁତ ପାଖରେ ଚାଲିଥାଏ ଗୋଟିଏ ଗୁପ୍ତ ଜାଗାରେ । ଟ୍ରେନିଂ ସମୟରେ ଯୁଦ୍ଧର ସମସ୍ତ ଶବ୍ଦ କାନ ପାଖକୁ ଅସୁଥାଏ । ବୋମାମାଡ଼ ଅନବରତ ଚାଲିଥାଏ । ସେ ସମୟରେ ରାକେଶ୍‍ ବାବୁ ଘରକଥା, ନିଜ ସ୍ତ୍ରୀ ଛୁଆଙ୍କ କଥା ପୂରା ଭୁଲିଯାଇଥାନ୍ତି । ସେ ଗୋଟିଏ ଲୟରେ ଦେଶଭକ୍ତିରେ ଲାଗିଥାନ୍ତି । ସେ ଗୋଟିଏ ମାତ୍ର ଜିନିଷ ଚାହିଁଥାନ୍ତି । ଦେଶ ଶତ୍ରୁ ହାତରୁ ରକ୍ଷା ପାଉ । ସ୍ଵାଧୀନତା ବଜାୟ ରହୁ ।

 

ରାକେଶ୍‍ ବାବୁଙ୍କ ଟ୍ରେନିଂ ଶେଷ ହୋଇଗଲା । ତାଙ୍କୁ ଏସବୁ ଶିଖିବାକୁ ବହୁତ କମ୍‌ ସମୟ ଲାଗିଥିଲା । ତାଙ୍କ ସାଙ୍ଗରେ ଅନ୍ୟ ଯେଉଁମାନେ ଆସିଥିଲେ, ସେମାନେ ଏତେ ଶୀଘ୍ର ଶିଖିପାରିନଥିଲେ । ରକେଶ୍‍ ବାବୁଙ୍କ ଛଡ଼ା ଅନ୍ୟ ସମସ୍ତଙ୍କର ବହୁତ ଡେରିରେ ଟ୍ରେନିଂ ଶେଷ ହୋଇଥିଲା । ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ଅନେକ ସମୟ ନିଜ ନିଜ ଘରକଥା ମନେ ପକାଇ ନିର୍ଜନରେ ଆଖିରୁ ଲୁହ ଝରାଇ କାନ୍ଦୁଥିଲେ । ରାକେଶ୍‍ ବାବୁ ଏସବୁ ଦେଖି ହସୁଥିଲେ । ସେଇଥିପାଇଁ ସେ ସେମାନଙ୍କୁ ଅନ୍ତରର ସହିତ ଘୃଣା କରନ୍ତି ଓ ସେମାନଙ୍କ ସହିତ କଥାବାର୍ତ୍ତା କରନ୍ତି ନାହିଁ । ଅଲଗା ରହନ୍ତି । ମିଶନ୍ତି ନାହିଁ । ସେମାନଙ୍କଠାରୁ ବହୁତ ଦୂରେଇ ରହନ୍ତି ।

 

ଟ୍ରେନିଂ ପରେ ରାକେଶ୍‍ ବାବୁ ସାମରିକ ପୋଷାକ ପିନ୍ଧି ଅନ୍ୟମାନଙ୍କ ସହିତ ଯୁଦ୍ଧ କରିବାକୁ ବାହାରିଲେ । ତାଙ୍କ ଉପରେ ତ ସମସ୍ତ ଅଫିସର୍‍ ଖୁସି । ସେ ନିର୍ଭିକ ଭାବରେ ପ୍ରଥମଦିନ ଯୁଦ୍ଧ ପଡ଼ିଆକୁ ଯାଇଥିଲେ । ପ୍ରଥମଦିନ ସେ ଶତ୍ରୁମାନଙ୍କ ସାମନା କରିଥିଲେ । ଗୁଳି ଫୁଟାଇଥିଲେ । ଶତ୍ରୁମାନଙ୍କୁ ଲକ୍ଷ୍ୟ କରି ପଥର ଆଢ଼ୁଆଳରେ ରହି ଅନେକ ଶତ୍ରୁ ସୈନ୍ୟଙ୍କୁ ସେ ମାରିଥିଲେ । ସେ ଅନେକ ବୋମା ଫୋପାଡ଼ି ଥିଲେ । ପ୍ରଥମଦିନ ତାଙ୍କର ଟିକିଏ ହେଲେ ତ୍ରୁଟି ହୋଇନି । ତାଙ୍କର ଟିକିଏ ହେଲେ କ୍ଷତି ହୋଇନି । ପ୍ରଥମଦିନ ତାଙ୍କ ସହିତ ଅନ୍ୟ ଯେଉଁମାନେ ଯାଇଥିଲେ ସେମାନଙ୍କ ମଧ୍ୟରୁ ଅନେକ ପ୍ରାଣ ହରାଇଥିଲେ । ଅନେକେ ଖଣ୍ଡିଆ ଖାବରା ହୋଇପଡ଼ିଥିଲେ । ଅନେକ ସାଂଘାତିକ ଭାବରେ ଆହତ ହୋଇଥିଲେ । ଯେଉଁମାନଙ୍କର କି ଚିକିତ୍ସା ଚାଲିଥିଲା ମିଲିଟାରି ହାସପାତାଳରେ । ସେମାନଙ୍କୁ ରେଡ଼୍‌କ୍ରସୁର ସ୍ଵେଚ୍ଛାସେବୀମାନେ ଆମ୍ବୁଲାନ୍‌ସ ଗାଡ଼ିରେ ନେଇ ଠିକ୍‌ ସ୍ଥାନରେ ଓହ୍ଲାଇ ଦେଉଥିଲେ । ସେମାନଙ୍କ ମଧ୍ୟରୁ ଅନେକେ ସାରା ଜୀବନଯାକ ପାଇଁ ବିକଳାଙ୍ଗ ହୋଇ ରହିଗଲେ । ଜୀବନଯାକ ଦୁଃଖ ପାଣିରେ ବୁଡ଼ିକରି ରହିବେ ।

 

ପ୍ରଥମଦିନ ରାକେଶ୍‍ ବାବୁଙ୍କ ଦେହ ଟିକେହେଲେ ଖଣ୍ଡିଆ ଖାବରା ହୋଇନଥିଲା । ତାଙ୍କ ଦେହରୁ ଟୋପାଏ ହେବ ରକ୍ତ ବାହାରି ନ ଥିଲା । ତାଙ୍କ ଯୁଦ୍ଧ କୌଶଳ ଦେଖି ତାଙ୍କ ଉପରିସ୍ଥ ଅଫିସର୍‍ ସନ୍ତୋଷ ପ୍ରକାଶ କରିଥିଲେ, ‘‘ତୁମର ଖୁବ୍‌ ଶୀଘ୍ର ପଦୋନ୍ନତି ହେବ । ତୁମେ ଖୁବ୍‌ ନିକଟ ଭବିଷ୍ୟତରେ କମାଣ୍ଡର ହୋଇପାରିବ ।” ରାକେଶ୍‍ ବାବୁ ହସିଲେ ।

 

ସେ ଦ୍ଵିତୀୟ ଦିନ ଯୁଦ୍ଧ କରିବାକୁ ଯାଉଥିଲେ । ସେ ଏଥର ବହୁତ ଅଡ଼ୁଆରେ ପଡ଼ିଥିଲେ । କମାଣ୍ତର୍‍ ନିର୍ଦ୍ଦେଶ ଦେଇଥିଲେ ଆଗକୁ ନ ଯାଇ ପଛକୁ ସବୁ ଫେରି ଆସ । ଆଗରେ ଗୋଡ଼େ ଗୋଡ଼େ ବିପଦ । ପ୍ରକୃତରେ ସେ ସମୟରେ ଶତ୍ରୁ ଟ୍ୟାଙ୍କ୍‌ଗୁଡ଼ିକ ଭାରତ ଭିତରକୁ ଖୁବ୍‌ ଜୋରରେ ମାଡ଼ି ଆସୁଥାନ୍ତି । ଅନେକ ପଛକୁ ଆସିସାରିବା ପରେ କମାଣ୍ଡର୍‍ ନିର୍ଦ୍ଦେଶ ଦେଲେ ସମସ୍ତଙ୍କୁ ତଳେ ସଙ୍ଗେ ସଙ୍ଗେ ଶୋଇ ପଡ଼ିବାକୁ । ସମସ୍ତେ ଗୋଟିଏ ମୁହୂର୍ତ୍ତରେ ମାଟି ସହିତ ମିଶିଗଲେ । ଏହା ପୂର୍ବରୁ ଦୁଇଜଣଙ୍କ ଦେହରେ ଭୟଙ୍କର ଭାବରେ ଶତ୍ରୁପକ୍ଷଙ୍କ ଗୁଳି ବାଜିଥିଲା । ଦୁହେଁ ଗୋଟିଏ ମୁହୂର୍ତ୍ତରେ ତଳେ ଲୋଟି ପଡ଼ିଲେ । ସଙ୍ଗେ ସଙ୍ଗେ ସେମାନଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ରାକେଶ୍‍ ବାବୁ ସେଥିକୁ ଅଦୌ ଧ୍ୟାନ ଦେଉ ନ ଥିଲେ । ସେ ଚାହିଁ ରହିଥାନ୍ତି କମାଣ୍ଡର୍‍ଙ୍କ ଆଦେଶକୁ । ପ୍ରାୟ ଅଧଘଣ୍ଟାଏ ପରେ କମାଣ୍ଡର୍‍ ଆଦେଶ ଦେଲେ ଉଠି ଛିଡ଼ା ହେବାକୁ । ସେତେବେଳକୁ ଶତ୍ରୁ ସୈନ୍ୟ ସେ ସ୍ଥାନ ଛାଡ଼ି ଚାଲିଯାଇଥିଲେ ।

 

କମାଣ୍ଡର୍‍ ସାହେବ ବହୁତ ହତାଶ ହୋଇପଡ଼ିଥିଲେ । ଶତ୍ରୁପକ୍ଷର ଟ୍ୟାଙ୍କ୍‌ଗୁଡ଼ିକ ବହୁତ ଆଗେଇ ଆସିଥାଏ ଭାରତ ଭିତରକୁ । ସେଗୁଡ଼ିକୁ ରୋକିବାରେ ଅଦୌ ଉପାୟ ନାହିଁ । ଶେଷକୁ ସ୍ଥିର ହେଲା ଜଣେ ଜଣେ ସୈନ୍ୟ ନିଜ ଦେହରେ ବୋମା ବାନ୍ଧି ଯାଇ ଶତ୍ରୁ ଟ୍ୟାଙ୍କ୍‍ ଆଗରେ ଗଡ଼ିବେ ।

 

ଶତ୍ରୁ ଟ୍ୟାଙ୍କ୍‌ ତା’ ଉପରେ ଗଡ଼ିଲେ ବୋମା ଫୁଟି ଟ୍ୟାଙ୍କ୍‌ ଧ୍ୱଂସ ହେବ । ସମସ୍ତେ ଏଥିରେ ଏକମତ ହେଲେ । ଯେଉଁମାନେ ଏଥିରେ ରାଜି ହୋଇ ନିଜ ଜୀବନକୁ ଉତ୍ସର୍ଗ କରିବେ, ନିଜ ଇଚ୍ଛାରେ ଦେଶପାଇଁ ସେମାନେ କମାଣ୍ଡର୍‍ଙ୍କ ନିର୍ଦ୍ଦେଶରେ ଉପରକୁ ହାତ ଟେକିଲେ । ରକେଶ୍‍ ବାବୁ ସେମାନଙ୍କ ମଧ୍ୟରେ ଥିଲେ ।

 

ରାକେଶ୍‍ ବାବୁ ହାତ ଉଠାଇବାର ଦେଖି ଅନ୍ୟ ଜଣେ ଅଫିସର୍‍ ଅଭିଯୋଗ କରି କହିଥିଲେ, “ଏହାକୁ ନିଅନ୍ତୁନି । ଏ ନୂଆ ମିଶିଛନ୍ତି କାଲିଠାରୁ । ପୁରୁଣା ଲୋକକୁ ଆଗ ନିଅନ୍ତୁ ।” ରକେଶ୍‍ ବାବୁ ଏହାର ଦୃଢ଼ ପ୍ରତିବାଦ କରି କହିଥିଲେ, ‘‘ଦେଶପାଇଁ ଗୋଟିଏ ଜିନିଷ ଉତ୍ସର୍ଗ କରିବା ପାଇଁ ନୂଆ ପୁରୁଣା କିଛି ବିଚାରିବା ଠିକ୍‌ ନୁହେଁ । ମୁଁ ନୂଆ ମିଶିଛି ବୋଲି କ’ଣ ମୁଁ ମୋ କର୍ତ୍ତବ୍ୟ କରିବିନି ? ମୁଁ ଟିକିଏ ଦେଶ ସେବା କରିପାରିବିନି ? ଆପଣ ମୋତେ ଏଥିରୁ ବଞ୍ଚିତ କରିବେ ? ମୋତେ ବାରଣ କଲେ ମୋ ମନରେ କଷ୍ଟ ହେବ ବହୁତ । ମୋ ଅନୁରୋଧ ରକ୍ଷା ନ କଲେ ମୁଁ ହତାଶ ହୋଇଯିବି ।” ତାଙ୍କ ଆଖିରୁ ଲୁହ ବହିଗଲା, ତାଙ୍କୁ ବଞ୍ଚିତ କରିବାକୁ ଚେଷ୍ଟା କରାଯାଉଥିବାରୁ ସମସ୍ତେ ଏହାକୁ ହୃଦୟଙ୍ଗମ କରିବାକୁ ଚେଷ୍ଟା କଲେ । କମାଣ୍ଡର୍‍ ତାଙ୍କ ପିଠି ଥାପୁଡ଼ାଇଲେ । ସେ କମାଣ୍ଡର୍‍ଙ୍କ ଗୋଡ଼ତଳେ ପଡ଼ିଯାଇ କାନ୍ଦି କହିଥିଲେ, ‘‘ଆଜ୍ଞା, ମୋର ଭୁଲ୍‍ଥିଲେ କ୍ଷମା ଦେବେ । ମୁଁ ଆଜି ପର୍ଯ୍ୟନ୍ତ ଦେଶପାଇଁ କିଛିହେଲେ କ୍ଷତି କରିନି । ମୁଁ ଆପଣଙ୍କ ଗୋଡ଼ ଧରୁଛି । ମୋତେ ଅଟକାନ୍ତୁନି । ସମସ୍ତେ ତାଙ୍କ ଦେଶ ପ୍ରେମ ପାଇଁ ମନେ ମନେ ପ୍ରଶଂସା କରିଥିଲେ । ଶେଷରେ ତାଙ୍କୁ ନିଆଗଲା । ସେ ବହୁତ ଖୁସି ହୋଇଉଠିଲେ ।’’

 

ଯେଉଁମାନେ ନିଜ ନିଜ ଦେହରେ ବୋମା ବାନ୍ଧି ଶତ୍ରୁ ଟ୍ୟାଙ୍କ୍‌ ଆଗରେ ଗଡ଼ିବେ ଓ ନିଜର ପ୍ରିୟ ପବିତ୍ର ମାତୃଭୂମି ପାଇଁ ନିଜର ରକ୍ତ ଢାଳି ଜୀବନ ଉତ୍ସର୍ଗ କରି ଏକ ମହାନ୍‍ କର୍ତ୍ତବ୍ୟ ସମ୍ପାଦନ କରିବେ, ସେହିମାନଙ୍କୁ ଶେଷ ସମ୍ମାନ ଦିଆଗଲା । ଶେଷ ମୁହୂର୍ତ୍ତ ଉପସ୍ଥିତ । କାହା ମନରେ ଦୁଃଖ ନ ଥାଏ । ସମସ୍ତେ ମନେ ମନେ କହିଥିଲେ ଭାରତ ମାତା କି ଜୟ । ଚାଇନା ଆକ୍ରମଣକାରୀ ମୁର୍ଦ୍ଦାବାଦ୍‍ ।

 

ସମସ୍ତଙ୍କ ଦେହରେ ବୋମା ବନ୍ଧା ଯାଇଥିଲା । ତା’ପରେ ଜଣକୁ ଜଣ ଆଗେଇ ଯାଇଥିଲେ ଶତ୍ରୁ ଟ୍ୟାଙ୍କ୍‌ ଆଗରେ ପଡ଼ିବାକୁ । ସମସ୍ତଙ୍କ ଆଗରେ ଯାଇଥିଲେ ରାକେଶ୍‍ ବାବୁ । ସମସ୍ତେ ତାଙ୍କୁ ଧନ୍ୟ ଧନ୍ୟ ବୋଲି କହିଥିଲେ । କେହି ନିଜ ଘରକଥା ବା ସ୍ତ୍ରୀ ପିଲା କଥା ଭାବି ନ ଥିଲେ ।

 

ରାକେଶ୍‍ ବାବୁ ଯିବା ପୂର୍ବରୁ ଭଗବାନଙ୍କୁ ଅଳ୍ପ ସମୟ ମନେ ମନେ ପ୍ରାର୍ଥନା କରିଥିଲେ-। ତାଙ୍କ ମନ ମଧ୍ୟରେ ସେ ଦେଖି ପାରିଥିଲେ ଉଜ୍ଜଳ ଓ ଅରୁଣାଙ୍କ ଝାପ୍‌ସା ଚିତ୍ର । ସେ ଭଗବାନଙ୍କୁ ପ୍ରାର୍ଥନା କରି ଜଣେଇଥିଲେ, ‘‘ହେ ପରମେଶ୍ଵର, ତୁମେ ଅରୁଣାଙ୍କୁ ଭଲରେ ରଖ । ମୁଁ ଉଜ୍ଜଳକୁ ଜନ୍ମ ଦେଇନି । ତୁମେ ଜନ୍ମ ଦେଇଛ । ତୁମେ ତା’ ଭଲମନ୍ଦ ବୁଝ । ସେମାନଙ୍କର କିଛିହେଲେ ଅସୁବିଧା ନ ରହୁ । ସେମାନଙ୍କର ଆଉ ତୁମ ଛଡ଼ା କିଏ ସାହାଭରସା ଅଛି ? ସେମାନଙ୍କୁ ତୁମେ ଚଳାଇବ ଆଜିଠାରୁ । ତୁମ ଜିମା ଦେଇ ମୁଁ ଯାଉଛି ।” ସେ ମନ ମଧ୍ୟରେ ତାଙ୍କୁ ପ୍ରଣାମ କରି ସାରି ପ୍ରସ୍ତୁତ ହେଲେ ଟ୍ୟାଙ୍କ୍‌ ସାମନାକୁ ଯିବାକୁ । ଘରକଥା ଏ ଯୁଦ୍ଧ ପଡ଼ିଆରେ ଆଦୌ ଚିନ୍ତା କରିବା କଥା ନୁହେଁ । ତେଣୁ ସେ ଘରକଥା ସଙ୍ଗେ ସଙ୍ଗେ ମନରୁ ସମ୍ପୂର୍ଣ୍ଣଭାବରେ ପୋଛିପକାଇ ଯୁଦ୍ଧ ପାଇଁ ବାହାରି ପଡ଼ିଲେ ।

 

ଗୋଟିଏ ଶତ୍ରୁ ଟ୍ୟାଙ୍କ୍‌ ଖୁବ୍‌ ଜୋରରେ ଆଗକୁ ଆଗକୁ ମାଡ଼ି ଆସୁଥାଏ । ରାକେଶ୍‍ ବାବୁ ତା’ର ଆଗରେ ଆଖିବୁଜି ଗଡ଼ି ପଡ଼ିଲେ । ଦ୍ଵିତୀୟ ବିଶ୍ଵଯୁଦ୍ଧରେ ଜଣେ ଦେଶପ୍ରେମୀ ଲୋକ ନିଜର ପ୍ରିୟ ମାତୃଭୂମି ପାଇଁ ଶତ୍ରୁପକ୍ଷର ଏକ ବିଶେଷ କ୍ଷତି କରିବା ପାଇଁ ନିଜ ଜୀବନ ଦେଇଥିଲା-। ପୃଥିବୀର ସବୁଠାରୁ ବଡ଼ ଜାହାଜକୁ ଧ୍ୱଂସ କରିବାକୁ ଦେହରେ ବୋମା ବାନ୍ଧି ସେ ଜାହାଜର ଚିମ୍‌ନିରେ ଖସିପଡ଼ିଥିଲା । ସେ ଉଡ଼ାଜାହାଜରୁ ନିଶ୍ଚୟ ପାରାଚ୍ୟୁଟ୍‍ ସାହାଯ୍ୟରେ ଖସିଥିବ । ଏହିପରି ଧ୍ୱଂସ ପାଇଥିଲା ପୃଥିବୀର ବୃହତ୍ତମ ଜାହାଜ । ଶତ୍ରୁର ଏତେବଡ଼ କ୍ଷତି ହୋଇଥିଲା । ମାତ୍ର ରାକେଶ୍‍ ବାବୁଙ୍କ ମନ ମଧ୍ୟରେ ଦୁଃଖ ରହିଗଲା । ତାଙ୍କ ଦେଶର ଶତ୍ରୁର ଏତେବଡ଼ କ୍ଷତି କରିବାକୁ ସେ ସୁଯୋଗ ପାଇପାରିଲେ ନାହିଁ । ତାଙ୍କ ଜୀବନଟି ନେଇ ଶତ୍ରୁର ଗୋଟିଏ ସାମାନ୍ୟ ଟ୍ୟାଙ୍କ୍‌ ନଷ୍ଟ ହେବ । ହେଉ ପଛେ ସେତିକି ଯଥେଷ୍ଟ । ନାହିଁ ମାମୁଁଠାରୁ କଣା ମାମୁଁ ଭଲ । ସେ ଆଜି ରାମଚନ୍ଦ୍ରଙ୍କୁ ସାହାଯ୍ୟ କରିବାକୁ ଗୁଣ୍ଡୁଚିମୂଷା ହୋଇ ଜନ୍ମଲାଭ କରିଛନ୍ତି । ନିଜ ଦେହରେ ବାଲି ନେଇ ବିରାଟ ସମୁଦ୍ରରେ ସେତୁ ତିଆରି କରି ବାଲି ବନ୍ଧ ପାଇଁ ସେଠାରେ ବାଲି ଝାଡ଼ୁଛନ୍ତି । ସେହି ସାମାନ୍ୟ ଶତ୍ରୁ ଟ୍ୟାଙ୍କ୍‌ ତ ନିଜ ମାତୃଭୂମିର ଅନେକ କ୍ଷତି କରିପକାଇଥାନ୍ତା ତାକୁ ସେ ଧ୍ୱଂସ କରିବେ ।

 

ଟ୍ୟାଙ୍କ୍‌ଟି ତାଙ୍କ ଦେହଠାରୁ ଆଉ ଅଳ୍ପ ଦୂରରେ ଅଛି । ଖୁବ୍‌ ଜୋରରେ ମାଡ଼ି ଆସୁଥାଏ-। ଠିକ୍‌ ଟ୍ୟାଙ୍କ୍‌ର ଗତିପଥକୁ ରାକେଶ୍‍ ବାବୁ ନିଜ ଦେହକୁ ବୁଲାଉଥାନ୍ତି । ଅଳ୍ପ ସମୟ ମଧ୍ୟରେ ତାଙ୍କ ଦେହରେ ଟ୍ୟାଙ୍କ୍‌ଟି ମାଡ଼ି ଆସିଲା । ଗୋଟିଏ ମୁହୂର୍ତ୍ତରେ ଗୋଟିଏ ପ୍ରକାଣ୍ଡ ବିସ୍ଫୋରଣ ସହିତ ଟ୍ୟାଙ୍କ୍‌ଟି ଧ୍ଵଂସ ପାଇଗଲା । ମୁହୂର୍ତ୍ତରେ ଗୋଟିଏ ବହୁମୂଲ୍ୟ ଦେଶ ପ୍ରେମୀ ଜୀବନ ନଷ୍ଟ ହୋଇଗଲା ।

 

(୨୫)

 

ରାକେଶ୍‍ ବାବୁଙ୍କ ମୃତ୍ୟୁ ସମ୍ବାଦ ତାଙ୍କ ସ୍ତ୍ରୀଙ୍କ ନିକଟକୁ ଖୁବ୍‍ ଶୀଘ୍ର ପଠାଇଦିଆଗଲା । ସେ ଅଧଘଣ୍ଟାଏ ମଧ୍ୟରେ ଏ ସମ୍ବାଦ ପାଇପାରିଥିଲେ । ଏ ଖବର ନେଇ ଜଣେ ସ୍ଵତନ୍ତ୍ର ବାର୍ତ୍ତାବହ ତାଙ୍କ ପାଖକୁ ଯାଇଥିଲେ । ସେ ଅରୁଣାଙ୍କ ପାଖରେ ପହଞ୍ଚି କହିଥିଲେ, ‘‘ମୁଁ ଆପଣଙ୍କ ପାଖକୁ ଆସିଛି ।”

 

“କ’ଣ କାମ ଅଛି ?”

 

“ମୁଁ ଆପଣଙ୍କୁ ଏ ଖବର ଦେବାକୁ ଆସିଛି । ସେ ଆଜି ଚାଲିଗଲେ ।”

 

“ସେ ଚାଲିଗଲେ !” ଅରୁଣାଙ୍କ ଆଖି ବିସ୍ଫାରିତ ହୋଇଗଲା ।

 

“ହଁ ଆଜି ତାଙ୍କ ଉପରେ ଟ୍ୟାଙ୍କ୍‌ ମାଡ଼ିଗଲା । ଶତ୍ରୁ ଟ୍ୟାଙ୍କ୍‍ଗୁଡ଼ିକୁ ଅଟକାଇବା ପାଇଁ କମାଣ୍ଡର୍‍ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ଭାରତୀୟ ସୈନ୍ୟମାନେ ନିଜ ଦେହରେ ବୋମା ବାନ୍ଧି ଶତ୍ରୁ ଟ୍ୟାଙ୍କ୍‍ ଗତିପଥରେ ଗଡ଼ିବାକୁ ଚାହାନ୍ତି ଓ ନିଜର ଜୀବନ ଦେଇ ଦେଶର ସ୍ଵାଧୀନତା ବଞ୍ଚାଇବାକୁ ଇଚ୍ଛା କରନ୍ତି, ସେମାନେ ହାତ ଟେକନ୍ତୁ । ରାକେଶ୍‍ ବାବୁ ହାତ ଟେକିଥିଲେ । ତାଙ୍କୁ ଅଫିସର୍‍ମାନେ ପ୍ରଥମେ ମନା କରିଥିଲେ ଯେ ସେ ନୂଆ ହୋଇ କାଲିଠାରୁ ଜଏନ୍‍ କରିଛନ୍ତି । ତାଙ୍କ ଉପରେ ଏ ଦାୟିତ୍ଵ ଦେବାଟା ଠିକ୍‍ ହେବନି । କିନ୍ତୁ ସେ ବହୁତ ଯୁକ୍ତି କରିଥିଲେ । ସେ ଏଥିରେ ଯିବାକୁ ବହୁତ ଅଳି କରିଥିଲେ । ଶେଷରେ ତାଙ୍କୁ ନିଆଗଲା । ତା’ପରେ ତାଙ୍କ ଅଣ୍ଟାରେ ବୋମା ବନ୍ଧାହେଲା ଓ ତାଙ୍କ ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କରାଗଲା । ସେ ଗୋଟିଏ ଶତ୍ରୁ ଟ୍ୟାଙ୍କ୍‌ଆଡ଼େ ମାଡ଼ି ଚାଲିଲେ ଓ ଠିକ୍‍ ସମୟରେ ତା’ ଆଗରେ ଗଡ଼ି ପଡ଼ିଲେ । ସଙ୍ଗେ ସଙ୍ଗେ ଗୋଟିଏ ବିସ୍ଫୋରଣରେ ଟ୍ୟାଙ୍କ୍‌ଟି ଧ୍ଵଂସ ହୋଇଗଲା । ସେ ଶହୀଦ୍‍ ହୋଇଗଲେ । ଆପଣଙ୍କୁ ତାଙ୍କ ବିଷୟରେ ପରେ ଅନ୍ୟ ସମ୍ବାଦମାନ ଦିଅଯିବ ।”

 

ଏକ କ୍ଷୀଣ ହସ ଅରୁଣାଙ୍କ ମୁହଁରେ ଖେଳିଗଲା । ବାର୍ତ୍ତାବହ କହିଲା, ‘‘ମୁଁ କେବଳ ଏଇ ବାର୍ତ୍ତା ଦେବାକୁ ଆସିଥିଲି ।”

 

“ଧନ୍ୟବାଦ ।”

 

‘‘ମୁଁ ଏଥର ଯାଇପାରେ ?”

 

‘‘କେତେବେଳେ ସେ ଟ୍ୟାଙ୍କ୍‌ଟି ଧ୍ୱଂସ ହେଲା ?”

 

‘‘ଅଧଘଣ୍ଟାଏ ହେବ ।”

 

କିଛି ସମୟ ଅରୁଣା ନୀରବରେ ଛିଡ଼ା ହେଲେ । ତା’ପରେ ହସି ହସି କହିଲେ, ‘‘ହଁ ଯାଇପାରନ୍ତି ଏଥର ।’’

 

ବାର୍ତ୍ତାବହ ଚାଲିଗଲା । ଅରୁଣା ଘର ମଧ୍ୟକୁ ପଶିଗଲେ । ଭିତରୁ କବାଟ ବନ୍ଦ କରିଦେଲେ । ତା’ପରେ ନୀରବରେ ବସି ରହିଲେ । କିଛି ସମୟ ବସି ବସି ଅନେକ କଥା ଭାବିଲେ । ତା’ପରେ ତାଙ୍କ ଆଖିରୁ ଲୁହ ଝରିଆସିଲା । ସେ ରୁମାଲରେ ସେସବୁ ପୋଛିପକାଇଲେ । ତା’ପରେ ସେ ହସିବାକୁ ଚେଷ୍ଟା କଲେ । ତାଙ୍କ ମୁହଁ ହସ ହସ ଜଣାପଡ଼ିଲା ।

 

ତାଙ୍କ ନଜର ଏଥର ଭଗବାନ କୃଷ୍ଣଙ୍କ ଫଟୋ ଉପରେ ପଡ଼ିଲା । ସେ ତାଙ୍କ ଫଟୋ ନିକଟକୁ ଗଲେ । ସେ ଫଟୋକୁ ଅନାଇ କିଛି ସମୟ ଛିଡ଼ା ହେଲେ ।

 

ହଠାତ୍‍ ଦୁଇଧାର ଲୁହ ତାଙ୍କ ଆଖିରୁ ଝରିଗଲା । ପୁଣି ସେ ରୁମାଲରେ ତାହା ପୋଛିଦେଇ ଭଗବାନଙ୍କୁ ଅନାଇ ଛିଡ଼ା ହେଲେ । ସେ ଭଗବାନଙ୍କୁ କହିଲେ, “ନା ଭଗବାନ ! ମୋର କିଛି ହୋଇନି । ମୁଁ ବହୁତ ଖୁସି । ମୋର କିଛି କ୍ଷତି ହୋଇନି, ମୋର ଯଦି ହୋଇଥାଏ, ସେଥିପ୍ରତି ତୁମେ ମୋ ଉପରେ ସହାନୁଭୂତି ଦେଖାଅନି ।’’

 

ପୁଣି ହସି ହସି କହିଲେ, ‘‘ଭଗବାନ ! ଦୁନିଆରେ ଏ ଦୁଃଖଠାରୁ ବଳି ଆହୁରି ବଡ଼ ବଡ଼ ଦୁଃଖ ଅଛି । ଏ କି ଦୁଃଖ !”

 

ସେ କିଛି ସମୟ ଗମ୍ଭୀର ହୋଇ ଛିଡ଼ା ହେଲେ । ପୁଣି ତାଙ୍କର ଆଖିରୁ ଲୁହ ଝରି ଆସିଲା l ଅନେକ ଲୁହ । ଧାର ଧାର, ସେ ରୁମାଲରେ ପୋଛିଲେ । ମାତ୍ର ସେ ଲୁହ ଅଟକାଇ ପାରିଲେ ନାହିଁ । ତାଙ୍କ ରୁମାଲ ସମ୍ପୂର୍ଣ୍ଣ ଓଦା ହୋଇଗଲା । ଏତେ ଲୁହକୁ ସେ କେଉଁଥିରେ ପୋଛିବେ ? ଆଉ ଲୁଗା ନାହିଁ ! ସେ ପୋଛିଲେ ନାହିଁ । ଧାର ପରେ ଧାର ଲୁହ ବହି ଚାଲିଲା । ସେ ଆଉ ସମ୍ଭାଳି ପାରିଲେ ନାହିଁ । ତାଙ୍କର କୋହ ଉଠିଲା । ତାଙ୍କ ହୃଦୟ ଉଦ୍ବେଳିତ ହେଲା । ତାଙ୍କ ପାଟିରୁ ବାହାରି ପଡ଼ିଲା, ‘‘ସେ ଚାଲିଗଲେ !”

 

ପୁଣି ନୀରବତା ! ମଝିରେ ମଝିରେ କୋହର ଶବ୍ଦ; ନାକପୁଡ଼ା ଏବଂ ଆଖିବାଟେ ଲୁହଧାର ପୋଛାର ସଂସଂ ଶବ୍ଦ । ପୁଣି ତାଙ୍କ ପାଟିରୁ ବାହାରି ଆସିଲା, ‘‘ସେ ଆଉ ନାହାଁନ୍ତି । ମୋତେ ନେଲ ନାହିଁ । ତାଙ୍କୁ ଏକା ନେଇଗଲ !”

 

ବାସ୍ତବିକ୍‍ ଅରୁଣାଙ୍କ ଦୁଃଖଟା ବହୁତ ଗଭୀର । ତାଙ୍କର ହାଡ଼ ମାଂସର ଦେହରୁ ଝରଝର ହୋଇ ଲୁହ ବହି ଯାଉଥାଏ । ପ୍ରକୃତରେ ସେ କେତୁଟା ଦିନ ଅବା ଏ ଦାମ୍ପତ୍ୟ ଜୀବନ ସୁଖରେ କଟାଇଛନ୍ତି ? ସବୁ ନଷ୍ଟ ହୋଇଗଲା । ସେ ଆଜି ବିଧବା । ତାଙ୍କର ନଜର ପଡ଼ିଲା ଏଥର ତାଙ୍କ ହାତ ଉପରେ । ସେ ନିଜ ହାତର ଚୁଡ଼ିତକ ବାହାର କରିଦେଲେ । ସେ ଆଇନାରେ ନିଜ ମଥାକୁ ଚାହିଁଲେ । ସେ ଏଥର ନିଜର ସିନ୍ଦୂରର ଦାଗକୁ ଲିଭାଇ ପକାଇଲେ ।

 

ରାକେଶ୍‍ ବାବୁଙ୍କ ଖବର ମୀରା ମଧ୍ୟ ପାଇଥିଲା । ସେ ମଧ୍ୟ ଲୁହ ସମ୍ବରଣ କରି ରହିପାରିନଥିଲା । ତା’ ପାଟିରୁ ବାହାରିଲା “ବାବୁ ଚାଲିଗଲେ ! ଏତେ ଭଲ ବାବୁ ମୁଁ କେଉଁଠାରେ ଦେଖିନି ।”

 

ମୀରା ପାଇଁ ଏଇଟା ମଧ୍ୟ ବହୁତ ବଡ଼ ଦୁଃଖ ହୋଇ ପଡ଼ିଥିଲା । ଦେଶପାଇଁ ରାକେଶ୍‌ ବାବୁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ତାଙ୍କୁ ସେଥିପାଇଁ ସାମରିକ ବିଭାଗଦ୍ଵାରା ସମ୍ମାନିତ କରାଗଲା । ତାଙ୍କ କବର ଉପରେ ଫୁଲମାଳ ରଖାଯାଇଥିଲା ସାମରିକ ପଦ୍ଧତିରେ । ଦେଶର ବୀର ଜୱାନ୍‍ମାନେ ତାଙ୍କୁ ସାଲ୍ୟୁଟ୍‍ ମାରି ସମ୍ମାନ ଦେଇଥିଲେ । ତାଙ୍କୁ ପୋଷ୍‌ଥ୍ୟୁମସଲି ଗୋଟିଏ ବଡ଼ ସାମରିକ ଆଓ୍ୟାର୍ଡ଼ ମିଳିଥିଲା । ତାଙ୍କ ସ୍ତ୍ରୀ ଅରୁଣାଙ୍କୁ ପେନ୍‌ସନ୍‍ ମିଳବାର ବ୍ୟବସ୍ଥା କରିଦିଆଗଲା । ଏ ଖବର ତାଙ୍କୁ ପରେ ଶୀଘ୍ର ପଠାଇ ଦିଆଗଲା ।

 

ରାକେଶ୍‌ ବାବୁଙ୍କ ସମସ୍ତ ବନ୍ଧୁବାନ୍ଧବ ଚିହ୍ନା ପରିଚିତ ଲୋକେ ଏ ଖବର ପାଇଥିଲେ । ତାଙ୍କ ବିୟୋଗରେ ସମସ୍ତେ ମନଦୁଃଖ କରିଥିଲେ । ତାଙ୍କ ସ୍ତ୍ରୀ ଏବଂ ତାଙ୍କ ଶୋକସନ୍ତପ୍ତ ପରିବାରକୁ ଅନେକ ଶୋକବାର୍ତ୍ତା ପହଞ୍ଚିଥିଲା । ତାଙ୍କପାଇଁ ଦେଶରେ ଶୋକର ଛାୟା ଖେଳିଗଲା-। ତାଙ୍କପାଇଁ ଅନେକ ସ୍ଥାନରେ ଶୋକସଭା ହେଲା । ତାଙ୍କର ନାମ, ଫଟୋ ଓ କୃତିତ୍ଵ ଏବଂ ଦେଶପାଇଁ ଅବଦାନ ଓ ଉତ୍ସର୍ଗ ଦୈନିକ ସମ୍ବାଦପତ୍ରମାନଙ୍କରେ ବାହାରିଥିଲା । ବିଭିନ୍ନ ଲୋକ ବିଭିନ୍ନ ମନ୍ତବ୍ୟ ଦେଇଥିଲେ । ତାଙ୍କ ଯୋଗୁଁ ଦେଶର ଏକ ବିରାଟ ଏବଂ ଅପୂରଣୀୟ କ୍ଷତି ହେଲା । ତାଙ୍କ ଅଭାବ ଦେଶ ଅନେକ ଦିନ ପର୍ଯ୍ୟନ୍ତ ଅନୁଭବ କରିବ ।

 

ଉଜ୍ଜଳ ଏ ଖବର ପାଇ ସଙ୍ଗେ ସଙ୍ଗେ ଘରକୁ ଆସିଥିଲେ । ସେ ଘରେ ପାଦ ପକାଇବା ପରେ ତାଙ୍କ ଉପରେ ଅରୁଣା ଚିଡ଼ିଚିଡ଼ି ହୋଇଥିଲେ । ଭୀଷଣ ରାଗିଯାଇ କହିଥିଲେ, “ତୁ ଆଉ ଏ ଘରେ ପାଦ ପକାଇବୁ ନାହିଁ । ତୁ ଅଲକ୍ଷଣା ଟୋକା ସେଦିନ ପାଦ ପକାଇଥିଲୁ ବୋଲି ତୋ ବାପା ମରିଗଲା ।’’

 

ଉଜ୍ଜଳ କାନ୍ଦି କାନ୍ଦି କହିଥିଲା, ‘‘ମୁଁ ଏ ଘରକୁ ଆସିବିନି ତ ଆଉ କେଉଁଠାକୁ ଆସିବି ?”

 

‘‘ତୋ ଇଚ୍ଛା ଯେଉଁ ଘର ହେଉଛି, ସେ ଘରକୁ ଯାଆ ।”

 

‘‘କାହିଁକି ? ଏଇଟା ମୋ ବାପାଙ୍କ ଘର । ତୁମେ କିଏ ମୋତେ ତଡ଼ି ଦେବାକୁ ? ମୁଁ ଆସିବି ।”

 

ଏହାପରେ ଦୁଇଟା ବ୍ରହ୍ମଚାପଡ଼ା ସେ ବସାଇଦେଲେ ଉଜ୍ଜଳର ସୂକ୍ଷ୍ମ କୋମଳ ନରମ ଗାଲ ଉପରେ । ସେ ଚାପୁଡ଼ାର ଚିହ୍ନ ତା’ ଜୀବନ ଯାକ ଲିଭି ପାରିବ ନାହିଁ । ଉଜ୍ଜଳ କାନ୍ଦିବାକୁ ଆରମ୍ଭ କଲା ।

 

“ଆହୁରି କାନ୍ଦୁଛୁ । ଲଜ୍ଜା ଲାଗୁ ନାହିଁ ? ଏଠାକୁ ଆସିଛୁ ମୋ ସାଙ୍ଗରେ କଳିକଜିଆ ଲଗାଇବାକୁ । ଏ ଦୁର୍ଦ୍ଦିନରେ ତୋ’ପରି ଘୋଡ଼ାମୁହାଁ ପିଲା ଏପରି ହୁଅନ୍ତି । ତୁ ମରିଯାଇଥିଲେ ଭଲ ହୋଇଥାନ୍ତା ।”

 

“ମା’, ମୁଁ ତୁମକୁ ମା’ ବୋଲି କହିଲି । ତୁମକୁ ମା’ପରି ସମ୍ମାନ ଦେଲି । ତୁମେ ଏପରି କଥା ପାଟିରେ ଧରିଲ !” ଏପରି କହି କାନ୍ଦିଲା ଉଜ୍ଜଳ । ତା’ ଆଖିରୁ ଲୁହ ଝରିଲା ।

 

“ବନ୍ଦ କର କାନ୍ଦ । ମୁଁ କହୁଛି । ବନ୍ଦ କର । ମୋ ଆଗରେ ଏସବୁ ଚଳିବନି । ବନ୍ଦ କର୍‍-।”

 

ଉଜ୍ଜଳ କାନ୍ଦ ବନ୍ଦ କରିନଥିଲା । ତା’ପରେ ତା’ ଉପରେ ହୋଇଗଲା ଉତ୍ତମ ମଧ୍ୟମ, ଦୁଲ୍‍ ଦୁଲ୍‍ ମାଡ଼ । ଏ ମାଡ଼ ସେ ତା’ ଜୀବନରେ କଦାପି ଭୁଲିପାରିବନି । ସେ ବାଧ୍ୟହୋଇ କହିଲା, ‘‘ହଁ ମା’, ମୁଁ ବନ୍ଦ କରୁଛି କାନ୍ଦ ।” ଏହା କହି ସେ କାନ୍ଦ ବନ୍ଦ କରିଥିଲା ।

 

ମୀରା ଅରୁଣାକୁ ଧରିପକାଇ କହିଥିଲା, ‘‘ବାବୁଆଣୀ ! ଆପଣ ଶାନ୍ତ ହୁଅନ୍ତୁ । ଉଜ୍ଜଳ ପିଲା ଲୋକ । ସେ ଯଦି କିଛି ଭୁଲ୍‍ କରେ, ତାଙ୍କୁ କ୍ଷମା ଦିଅନ୍ତୁ । ଏତେ ମାଡ଼ ସେ ସହି ପାରିବେନି-। ତାଙ୍କର ଦଶା ପଡ଼ିଛି । ଏତେ ଦୁଃଖ ଦେବାଟା ଭଲ ହେବନି । ଯଦି ମାଡ଼ ଦେବେ ମୋତେ ଦିଅନ୍ତୁ । ମୁଁ ସହିବି, ମୋର ସହିବାର ଶକ୍ତି ଅଛି । କିନ୍ତୁ ତାଙ୍କର ନାହିଁ ।”

 

“ତୁ ଏ ଘରର ଚାକରାଣୀ, ମୋ ଘରେ ତୁ ରହି ମୋ କଥାରେ ତୁ କଥା କହୁଛୁ । ତୁ ଜଣେ ହେଲୁଣି ମୋତେ ପ୍ରତିବାଦ କରି ଏ ଟୋକା ପାଇଁ ବାହାରିବୁ !”

 

“ସେ ତ ବହୁତ ଭଲ ପିଲା । ତାଙ୍କର କିଛି ଦୋଷ ନାହିଁ । ତାଙ୍କପାଇଁ ତ ଏ ଦୁନିଆରେ ଯେତେ ଲୋକ ଅଛନ୍ତି ସମସ୍ତେ ବାହାରିବେ !”

 

“କ’ଣ ହେଲା ? ସମସ୍ତେ ବାହାରିବେ ! ଏମିତି କଥା ତୁ ପୁଣି କହୁଛୁ ! ତୋତେ କିଛି ନ କହିବାରୁ ତୁ ବେଶୀ ଉପରେ ପଡ଼ୁଛୁ ! ଦେଖିବୁ ମୁଁ କ’ଣ କରିବି !”

 

“କିନ୍ତୁ ଆପଣ ତାଙ୍କୁ ମାରନ୍ତୁନି । ମୋତେ ଯାହା କରିବେ କରନ୍ତୁ ।”

 

“ମୋ ଘରୁ ବାହାର ।”

 

“ବାବୁଆଣୀ !”

 

“ବର୍ତ୍ତମାନ ଏହି ମୁହୂର୍ତ୍ତରେ ବାହାର୍‍ । ଗୋଟିଏ ମିନିଟ୍‍ ମଧ୍ୟ ଡେରି ହେବନି, ବାହାର୍‍ । ନିକାଲ୍‍ ଏଠାରୁ, ତୋ ମୁହଁ ଆଜି ମୁଁ ଭାଙ୍ଗିଦେବି । ତୁ କ’ଣ ଭାବିଛୁ ଯେ ଆଉ କେହି ଚାକରାଣୀ ମିଳବେନି ?”

 

“ବାବୁଆଣୀ, ମୁଁ ଆପଣଙ୍କ ଗୋଡ଼ତଳେ ପଡ଼ୁଛି । ମୋର ଯଦି ଏଥିରେ ଦୋଷ ଥାଏ, ମୋ କଥା ବିଚାର କରି ଦେଖନ୍ତୁ । ଯଦି ଆପଣଙ୍କର ହୃଦ୍ବୋଧ ହେଉଛି ଯେ ମୋ’ପରି ଜଣେ ନିରୀହା ଲୋକର ଦାନାପାଣି କାଟିଦେବାକୁ, ତା’ହେଲେ କାଟନ୍ତୁ । ମୁଁ ଅନୁରୋଧ କରୁଛି, ମୋତେ କ୍ଷମା ଦିଅନ୍ତୁ ।”

 

“କ୍ଷମା ! ଏଠାରେ କେହି ତୋତେ କ୍ଷମା ଦେବେନି । ଏଇ ମୁହୂର୍ତ୍ତରୁ ତୁ ଘରୁ ବାହାର୍‍ । ତୁ ଏଠାରେ ମୋ ସହିତ ରହିପାରିବୁନି । ତୋର ଏଠାରେ ରହିବାକୁ କି ଅଧିକାର ଅଛି ? ତୁ ମୋ କଥାରେ କଥା କହୁଛୁ !”

 

“ମୋତେ ରାକେଶ୍‌ ବାବୁ ରଖିଥିଲେ । ମୁଁ ବହୁତ ବର୍ଷ ହେଲା ଏଠାରେ ରହି ଆସିଥିଲି-। ତାଙ୍କର ସବୁ ସାଙ୍ଗମାନଙ୍କୁ ଆପଣ ପଚାରି ବୁଝନ୍ତୁ, ମୁଁ କେମିତିକା ଲୋକ । ଆପଣ ମୋ’ପରି ଲୋକ ପାଇପାରିବେନି । ଏଇଟାକୁ ମୁଁ ନିଜ ଘର ବୋଲି ବିଚାରି ନେଇ ନିଜ କାମ ବୋଲି ଭାବି କାମ କରୁଥିଲି । ଆପଣଙ୍କର ଯଦି ଇଚ୍ଛା ମୋତେ ତଡ଼ିବା, ତା’ହେଲେ ମୁଁ ଗୋଟିଏ ମିନିଟ୍‍ ବିଳମ୍ବ ନ କରି ଚାଲିଯିବ । କିନ୍ତୁ ଆପଣ ପରେ ଅନୁତାପ କରିବେନି । ପରେ ମନଦୁଃଖ କରିବେନି-।’’

 

“ଓଃ, କମ୍‍ ଗୋଟାଏ ଲୋକ ନୁହଁ କି ! ଇଏ ଏଠାରୁ ଚାଲିଗଲେ ମନଦୁଃଖ ହେବ । ଆଖିରୁ ଲୁହ ଝରାଇ ମୁଁ କାନ୍ଦିବି ୟା ପାଇଁ । ସିଏ ରଖିଥିଲେ ବୋଲି ମୁଁ ତୋତେ ଏ ଘରୁ ବାହାର କରିପାରିବିନି ! ତୁ ଅନେକ ବର୍ଷ ହେଲା ଏଠାରେ ରହିଥିଲୁ ବୋଲି ଏ ଘରଟା ତୋରି ହୋଇଗଲା-। ଅନୁତାପ କରିବି ! ମନଦୁଃଖ କରିବି ! କମ୍‍ ଲୋକଟାଏ ନୁହଁ କି ? ଆଃ, ତୋ’ଭଳି ଲୋକ ସମଗ୍ର ପୃଥିବୀରେ ବିରଳ । ଖୋଜି ଖୋଜି ମିଳିବେନି । ଏଥିପାଇଁ ମୁଁ ବାବୁଙ୍କ ସବୁ ସାଙ୍ଗଙ୍କୁ ଜଣ ଜଣ କରି ପଚାରିବି ତୁ କେମିତିକା ଲୋକ !”

 

“ବାବୁଆଣୀ ! ଆପଣ କ’ଣ ସତରେ ମୋତେ ବାହାର କରି ଦେବେ ?”

 

“ଏଠାରେ କ’ଣ ପ୍ରହସନ ଲାଗିଛି, ନା ଏଠାରେ ନାଟକ ଚାଲିଛି ? ତୋ’ପରି ଚାକରଣୀ ମୋର ବିଲ୍‍କୁଲ୍‍ ଦରକାର ନାହିଁ । ତୁ ନିଜ ଲୁଗାପଟା ଧରି ବାହାରି ଯାଆ ଏଇ ମୁହୂର୍ତ୍ତରେ ଏ ଘରୁ-।”

 

“ହଉ” ଏହା କହି ମୀରାର ଆଖି ଛଳଛଳ ହୋଇଗଲା । ସେ ନିଜ ଲୁଗାପଟା ଦି’ଖଣ୍ଡ ସଜାଡ଼ିନେଲା । ଘରକୁ ଟିକିଏ ଅନାଇଲା ଏବଂ ନିଜ ବ୍ୟାଗ୍‌ଟି ବବୁଆଣୀଙ୍କୁ ତନଖି କରିବାକୁ ଦେଖାଇ କହିଲା, ‘‘ଦେଖନ୍ତୁ, ମୁଁ କାଳେ କ’ଣ ଆପଣଙ୍କ ଘରର ମୂଲ୍ୟବାନ ଜିନିଷ ଚୋରି କରି ନେଇ ଯାଉଥିବି ।”

 

ଅରୁଣା ତା’ ବ୍ୟାଗ୍‌ଟି ତନଖି କଲେ । ତା’ପରେ ତ ଛାଡ଼ି ଦେଲେ । ସେ ତାଙ୍କୁ ମୁଣ୍ଡିଆ ମାରି ଲୁହଭରା ଆଖିରେ ଘରୁ ବାହାରି ଚାଲିଗଲା ।

 

ଏଥର ଅରୁଣା ଅନ୍ୟ ଦିଗକୁ ଆଖି ବୁଲାଇଲେ । ଉଜ୍ଜଳକୁ ଖୋଜିଲେ । କିନ୍ତୁ ଉଜ୍ଜଳ କ’ଣ ସେତେବେଳ ପର୍ଯ୍ୟନ୍ତ ସେଠାରେ ଥିଲା ? ସେ ମାଡ଼ ଖାଇବା ପରେ ଏକମୁହାଁ ହୋଇ ତା’ ବ୍ୟାଗ୍‍ ଖଣ୍ଡିକ ଧରି ବସରେ ବସି ହଷ୍ଟେଲକୁ ଚାଲି ଯାଇଥିଲା । ସେ ଗୋଟିଏ ମୁହୂର୍ତ୍ତ ମଧ୍ୟ ଘରେ ରହିଲା ନାହିଁ ।

 

ଏଥର ଅରୁଣା ଏ ଘରେ ଏକା । ହଠାତ୍‍ ତାଙ୍କର ମନେପଡ଼ିଗଲା ତାଙ୍କ ସ୍ଵାମୀଙ୍କର ଉପଦେଶବାଣୀ । “......ନିଜ ସାବତ ପୁଅକୁ ନିଜ ପୁଅ ପରି ଦେଖିବ । ତାକୁ କେବେହେଲେ ମାରିବନି । ତା’ ମନରେ କଷ୍ଟ ଦେବନି ।”

 

ଏ କଥା ମନେ ପଡ଼ିଯିବା ପରେ ତାଙ୍କ ମନରେ ଦୁଃଖ ପ୍ରବେଶ କଲା ! ସେ ଏସବୁ ଭୁଲି ଯାଇଛନ୍ତି । ସେ ଅନୁତାପ କଲେ, ସେ ଆଜି ଉଜ୍ଜଳକୁ ମାରିଛନ୍ତି । ସେ ତାକୁ ପ୍ରକୃତରେ ମାରି ନାହାଁନ୍ତି, ତାଙ୍କ ସ୍ଵାମୀକୁ ମାରିଛନ୍ତି । ତାଙ୍କ କଥାକୁ ଅବଜ୍ଞା କରିଛନ୍ତି । ତାଙ୍କ ଆଖି ଛଳଛଳ ହୋଇଗଲା । ସେ ରାକେଶ୍‌ ବାବୁଙ୍କ ଫଟୋ ପାଖକୁ ଗଲେ । ସେଠାରେ ତାଙ୍କୁ ଛଳଛଳ ଆଖିରେ ଅନେକ ସମୟ ଅନାଇ ରହି ନିଜର ଦୋଷ ପାଇଁ ଭୁଲ୍‍ ମାଗିଥିଲେ ।

 

ଏଣେ ଉଜ୍ଜଳ ହଷ୍ଟେଲକୁ ଆସିଲା ସିନା, ସେଠାରେ ଗୋଟିଏ ମୁହୂର୍ତ୍ତ ମଧ୍ୟ ରହିପାରିଲା ନାହିଁ । ସେ ବସରେ ବସି ଚାଲିଲା ମନ୍ଦିରକୁ । ସେହି ଭଙ୍ଗା ମନ୍ଦିର । ବୋମା ପଡ଼ି ଅଧାରୁ ଭାଙ୍ଗିପଡ଼ିଛି । ଅନୁପ ବାବୁ ତିଆରି କରିଥିଲେ । ସେଠାରେ ସେ ପହଞ୍ଚିଥିଲା । ପାହାଚ ଉପରେ ସେ ପାଦ ପକାଇ ଦୂରରୁ ସେ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିକୁ ଦେଖୁଥାଏ । ଏ ମନ୍ଦିରରେ ଆଉ କେହି ନ ଥାନ୍ତି । ତା’ ଆଖି ଛଳଛଳ ହୋଇଗଲା । ସେ ସଙ୍ଗେ ସଙ୍ଗେ ତାଙ୍କ ମୂର୍ତ୍ତି ପାଖକୁ ଚାଲିଗଲା । ତାଙ୍କ ପାଦ ପାଖରେ ଆଣ୍ଠୁମାଡ଼ି ବସି ମୁହଁକୁ ଚାହିଁଲା । ତା’ପରେ ଧାର ଧାର ହୋଇ ଲୁହ ତା’ ଆଖିରୁ ବହି ଚାଲିଲା । ତା’ ସଙ୍ଗେ ସଙ୍ଗେ ତା’ ଛାତିରୁ ଉଠୁଥାଏ ଅନେକ କୋହ । ସେ ମନେ ମନେ କହୁଥିଲା, ‘‘ମୋ’ପରି ଏକ ନିରୀହ ପିଲା ତୁମର କି ଅପରାଧ କରିଥିଲା ? ମୋ ଉପରେ ଏତେ ରାଗ କାହିଁକି ? ମୋତେ ନେଲନି କାହିଁକି ? ମୋ ବାପାଙ୍କୁ ତୁମେ ମୋ’ଠାରୁ ଛଡ଼ାଇ ନେଲ-! ହଁ, ବର୍ତ୍ତମାନ ତୁମ ଛଡ଼ା ମୋର ଆଉ କେହି ନାହିଁ । ମୁଁ ଆଉ କେଉଁଠାକୁ ଯିବି ? ବାପା ଥିଲେ ମୋ ନାଆଁରେ ହଜାର ଟଙ୍କାର କ୍ୟାସ୍‍ ଜମା କରି ଦେଇଥିଲେ । ମୋ’ପାଇଁ ପାଞ୍ଚହଳ ସାର୍ଟ ପେଣ୍ଟ କରି ଦେଇଥିଲେ । ମୁଁ ଫାଷ୍ଟ ହେଲେ ମୋତେ ବିଲାତ, ଆମେରିକା ବୁଲାଇବାକୁ କହିଥିଲେ-। ମୋତେ ଜ୍ଵର ହେବା ଦିନ ମୋ’ପାଇଁ ଔଷଧ କିଣି ଆଣିଥିଲେ । ଆଜି କିଏ ମୋତେ ବିଲାତ ନେବ-? ମୁଁ କାହିଁକି ଫାଷ୍ଟ ହେବି ! କିଏ ମୋ’ପାଇଁ ପ୍ୟାଣ୍ଟ ସାର୍ଟ କରିଦେବ ? କିଏ ଜ୍ଵର ହେଲେ ଔଷଧ କିଣି ଦେବ ? କିଏ ମୋ ପିଠି ଥାପୁଡ଼ାଇ ପରୀକ୍ଷା ଆଉ କେତେ ଦିନ ଅଛି, ପଢ଼ାପଢ଼ି କିପରି ଚାଲିଛି, ଦେହ କେମିତି ଅଛି ବୋଲି ପଚାରିବ ?”

 

ଏହିପରି ଆଖିରୁ ଲୁହ ବୁହାଇ ଅନେକ ସମୟ ପର୍ଯ୍ୟନ୍ତ ନିଜର ହୃଦୟର ଦୁଃଖ ଜଣାଇଲା । ତା’ପରେ ଏକ ଶବ୍ଦ ତା’ କାନରେ ବାଜିଲା । ଗୋଟିଏ ଜିପ୍‍ ମନ୍ଦିର ପାଖରେ ରହିବାର ଶବ୍ଦ । ସେ ପଛକୁ ମୁହଁ ବୁଲାଇ ସବୁ ଦେଖିଲା । ପ୍ରକୃତରେ ଗୋଟିଏ ଜିପ୍‌ଗାଡ଼ି ରହିଛି ମନ୍ଦିରର ପାହାଚ ପାଖରେ ।

 

ଜଣେ ଲୋକ ସେଥିରୁ ବାହାରି ଆସି ମନ୍ଦିରର ବାହାର ବେଢ଼ାରେ ପଡ଼ିଗଲା । ତା’ ଅଣ୍ଟାରେ ଏକ ବନ୍ଧୁକ । ଉଜ୍ଜଳ ଭଗବାନଙ୍କୁ ମୁଣ୍ଡିଆ ମାରି ମନ୍ଦିରରୁ ବାହାରକୁ ଯିବାକୁ ବାହାରିଲା । ଯିବା ସମୟରେ ସେ ଲୋକ ଉପରେ ଆଖି ପକାଇଲା, ଲୋକଟି ଶୋଇ ପଡ଼ିଛି । ତା’ ମୁହଁଯାକ କଳା କଳା ଦାଢ଼ି । ତା’ ମୁହଁରୁ ମଦଗନ୍ଧ ସ୍ପଷ୍ଟ ବାରି ହେଉଥାଏ । ସେ ଟିକିଏ ଅଧିକ ମନୋନିବେଶ କରି ତାକୁ ଚାହିଁଲା । ସେ ଚିହ୍ନିପାରିଲା ଏଥର । ଏ ହେଉଛନ୍ତି ଅନୁପ ବାବୁ, ତାଙ୍କ ବାପାଙ୍କ ସାଙ୍ଗ । ଏହାଙ୍କ ଘର ବୋମା ମାଡ଼ରେ ଧ୍ଵଂସ ହୋଇଯାଇଛି । ସେ ସେଠାରୁ ବାହାରି ଆସି ହଷ୍ଟେଲକୁ ଫେରିଗଲା ।

 

ତା’ ପରଦିନ ସେ ଅର୍ଚ୍ଚିଡ଼୍‍ଙ୍କ ପାଖକୁ ଯାଇଥିଲା । ସେ ତାଙ୍କୁ ଦେଖି ସଙ୍ଗେ ସଙ୍ଗେ କୁଣ୍ଢାଇ ପକାଇ ଭୋ ଭୋ ହୋଇ କାନ୍ଦିଥିଲା ।

 

ଅର୍ଚ୍ଚିଡ଼୍ କହିଥିଲେ, ‘‘କାହିଁକି କାନ୍ଦୁଛ ପୁଅ ? ତୁମର କ’ଣ ଅସୁବିଧା ହୋଇଛି ?”

 

“ମା’, ବାପା ଆଉ ନାହାଁନ୍ତି ।”

 

ସଙ୍ଗେ ସଙ୍ଗେ ଗମ୍ଭୀରତା । ସେ କହିଲେ “ତୁମେ କିପରି ଜାଣିଲ ?”

 

“ମା’, ସେ ଯୁଦ୍ଧ କରିବାକୁ ଯାଇଥିଲେ, ତୁମେ ଜାଣିଛ ସେଠାରେ ତାଙ୍କ ଉପରେ ଟ୍ୟାଙ୍କ୍‍ ମାଡ଼ିଗଲା ।”

 

ଅର୍ଚ୍ଚିଡ଼୍‍ଙ୍କ ଆଖି ଛଳଛଳ ହୋଇଗଲା । ସେ ତାଙ୍କ ଲୁହ ଚାପିରଖି ପାରିନଥିଲେ । ସେ ଉଜ୍ଜଳ ମଥାରେ ଚୁମା ଦେଇ ଅନେକ କାନ୍ଦିଥିଲେ । ଏହାପରେ ସେ ଉଜ୍ଜଳକୁ ଗୋଟି ଗୋଟି କରି ସବୁ ବିଷୟ ପଚାରିଥିଲେ । ସେ ନିଜେ ଜାଣିଥିବା ସବୁକଥା ଗୋଟି ଗୋଟି କରି ଉତ୍ତର ଦେଇଥିଲା-। ଅରୁଣା ତାକୁ ମାରିଥିଲେ, ଏକଥା ମଧ୍ୟ ସେ କହିବାକୁ ଛାଡ଼ି ନ ଥିଲା ।

 

ଅର୍ଚ୍ଚିଡ଼୍‍ ତା’ ମଥାକୁ ଆଉଁସି ଆଉଁସି କହିଥଲେ, ‘‘ତୁମ ଭାଗ୍ୟଟି ବହୁତ ଛୋଟିଆ ପୁଅ । ତୁମେ ବହୁତ କଷ୍ଟ ପାଇବ, ତୁମର କେହି ନାହିଁ । ସମସ୍ତେ ତୁମକୁ ମାରିବେ । ତୁମେ ଆଉ ଥରେହେଲେ ମଧ୍ୟ ସେଠାକୁ ଯିବ ନାହିଁ । ତୁମକୁ ସେ ବିନା ଦୋଷରେ ମାଡ଼ ଦେଇଛି । ଯେତେଥର ତୁମେ ସେଠାକୁ ଯିବ, ସେତେଥର ମାଡ଼ ଖାଇବ । ମୋରି ପାଖକୁ ତୁମେ ଆସିବ ସଦାବେଳେ । ଏଠାରେ କଥା ପଦେ ବି କହିବାକୁ କେହି ନାହିଁ ।”

 

ଯେହେତୁ ସେ ତାଙ୍କର ସ୍ଵାମୀ ଥିଲେ, ତାଙ୍କ ବିୟୋଗରେ ସେ କିପରି ମନଦୁଃଖ ନ କରିବେ ? ସେ ତ ତାଙ୍କୁ ଦିନେ ପ୍ରେମ କରି ବିବାହ କରିଥିଲେ ! ଲିଂଟାନ୍‍ ଏସବୁ ଜାଣିଲେ । ଏସବୁ ଦେଖି ସେ ନୀରବ ରହିଲେ । ସେ ମନେ ମନେ ପ୍ରତିବାଦ କରିଥିଲେ, “ଯିଏ ତୁମକୁ ଏତେ ଅସମ୍ମାନ କରି ଓ ଅପମାନ ଦେଇ ଘରୁ ତଡ଼ିଥିଲେ ତାଙ୍କପାଇଁ ତୁମେ କାହିଁକି କାନ୍ଦୁଛ ?”

 

ଉଜ୍ଜଳ ହଷ୍ଟେଲକୁ ଫେରିଯିବା ପରେ ଅର୍ଚ୍ଚିଡ଼୍‌ ଲିଂଟାନ୍‍କୁ କହିଲେ, ‘‘ଆମେ ଟିକିଏ ଓକିଲ ପରାମର୍ଶ କରିବା । ଦିନେ କୋର୍ଟକୁ ଯିବାକୁ ପଡ଼ିବ ଉଜ୍ଜଳ ପାଇଁ । ସେ ତ ବର୍ତ୍ତମାନ ଆମର-। ଆମେ ସିନା ତାଙ୍କୁ ଡରି କରି କୋର୍ଟ କଚେରିକୁ ଯାଇପାରୁନଥିଲେ । ବର୍ତ୍ତମାନ ତ ସେ ଆଉ ନାହାଁନ୍ତି । ଆମକୁ ଆଉ ଏତେ ଡରିବାକୁ ପଡ଼ିବନି । ଉଜ୍ଜଳ ତ ବର୍ତ୍ତମାନ ସମ୍ପୂର୍ଣ୍ଣ ଆମର । ଆଉ ତାକୁ କେହି ମୋ’ଠାରୁ ଛଡ଼ାଇ ନେଇପାରିବେନି ଏ ଦୁନିଆରେ ।”

 

ଲିଂଟାନ୍‍ ବୁଝିଗଲେ ଅର୍ଚ୍ଚିଡ଼୍‍ ଯାହା କହୁଥିଲେ । ସେ ଉତ୍ତର ଦେଇଥିଲେ ଭାବିଚିନ୍ତି । “ହଁ ଯିବା, କିନ୍ତୁ ଆଉ କିଛି ଦିନ ଯାଉ । ବର୍ତ୍ତମାନ ପଇସାପତ୍ରର ଅଭାବ । ତୁମେ ଖଲାସ୍‍ ହୋଇ ସାର-। ଦିନେ ଠିକ୍‍ କରି ଯିବା । ଓକିଲ ପାଖକୁ ଗଲେ ଚାର୍ଜ ଦେବାକୁ ପଡ଼ିବ । ସେ ତ ମାଗଣା ଆମ କଥା ଶୁଣିବନି । ଜଣେ ଭଲ ଓକିଲ ପାଖକୁ ଯିବାକୁ ପଡ଼ିବ । ତାଙ୍କୁ ସବୁ ଜିନିଷ ସଫା ସଫା କହିଦେବାକୁ ପଡ଼ିବ । କିଛି ଲୁଚାଇ ରଖିବାନି । ଆମର ଯାହା ଦରକାର ସେ ପ୍ରଥମେ ସବୁ ଜାଣିବା ଦରକାର ।’’

 

ଏକଥା ଶୁଣି ଅର୍ଚ୍ଚିଡ଼୍‍ ବହୁତ ଖୁସି ହୋଇଗଲେ । କେତେଦିନ ମଧ୍ୟରେ ତାଙ୍କର ମନର ଭାବନା ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଗଲା । ଅର୍ଚ୍ଚିଡ଼୍ ରାକେଶ୍‌ ବାବୁଙ୍କୁ ଅଳ୍ପଦିନ ମଧ୍ୟରେ ପୂରା ଭୁଲିଗଲେ ।

 

(୨୬)

 

ଠିକ୍‍ ସମୟରେ ଅରୁଣାଙ୍କୁ ନର୍ସିଂହୋମ୍‌କୁ ନିଆଯାଇଥିଲା । ସେଠାରେ ସେ ଗୋଟିଏ ସୁନ୍ଦର ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ସେ ପୁଅକୁ ଦେଖି ବହୁତ ଖୁସି ହୋଇଯାଇଥିଲେ । ସେ ତା’ ଦେହରେ ରାକେଶ୍‍ ବାବୁଙ୍କ ଦେହର ଗଢ଼ଣର ଛାପା ଦେଖିପାରିଥିଲେ । ପୁଅର ନାମ ଦିଆଗଲା ପ୍ରଭାତ ।

 

ଏ ଖବର ଅରୁଣା ଉଜ୍ଜଳ ପାଖକୁ ପଠାଇଥିଲେ ଚିଠି ସାହାଯ୍ୟରେ । ସେ ଲେଖିଥିଲେ ଯେ ତା’ର ଗୋଟିଏ ଭାଇ ଜନ୍ମ ହୋଇଛି । ସେ ଘରକୁ ତାକୁ ଦେଖିବାକୁ ଆସିଲେ ଭଲ ହୁଅନ୍ତା । ସେ ସେଦିନ ତାକୁ ମାରି ଭୁଲ୍‍ କରିଛନ୍ତି ।

 

ଉଜ୍ଜଳ ଏ ଚିଠି ପଢ଼ିଥିଲା । ମାତ୍ର ସେ ଘରକୁ ଯାଇନଥିଲା । ଏତେ ମାଡ଼ ସେ କ’ଣ ଏତେ ଶୀଘ୍ର ଭୁଲିଯିବ ? ପ୍ରକୃତରେ ସେ ଅରୁଣାଙ୍କ ଉପରେ ଭୀଷଣ ଚିଡ଼ିଥିଲା ।

 

ସେ ଏପରି ସମୟରେ ଘରକୁ ବୁଲିବାକୁ ନ ଆସିବାରୁ ଅରୁଣା ତା’ ଉପରେ ରାଗିଲେ । ଉଜ୍ଜଳ ମନେ ମନେ କହୁଥିଲା, “ମୋତେ ତ ସେଦିନ କହିଥିଲ ଯେ ମୁଁ ମରିଗଲେ ଭଲ । ମୁଁ ସେ ଘରକୁ ଆସିବା ଅନୁଚିତ । ମୁଁ କିପରି ଯାଇଥାନ୍ତି ?”

Unknown

 

ଉଜ୍ଜଳ ଏସବୁ କଥା ଭାବି ଭାବି ପାଠପଢ଼ା ପ୍ରତି ଅଧିକରୁ ଅଧିକ ବୀତସ୍ପୃହ ହୋଇପଡ଼ିଲା । ସେ ଦିନେହେଲେ ବହି ଦେଖିଲା ନାହିଁ । ସଦାବେଳେ ବାପାଙ୍କୁ ଭାବିଲା । ବାପାଙ୍କ ମୃତ୍ୟୁ ଯେ ତା’ପାଇଁ କେତେ ବଡ଼ ଆଘାତ ସେଇଟା ସେଦିନ ସେ ଭାବିପାରିନଥିଲା । ପରେ ସେସବୁ ସେ ଅନୁଭବ କରିପାରିଥିଲା । ସେ ଭଲଭାବରେ ଜାଣିପାରିଲା ଯେ ବାପା ପରି ଜିନିଷ ତାକୁ ମିଳିବ ନାହିଁ ତା’ ଜୀବନରେ । ବାପାର ସ୍ନେହ, ମମତା, ସହାନୁଭୂତି ତାକୁ ଆଉ କିଏ ଦେବ ? ତା’ ବାପା ଥିଲେ ସେ କ’ଣ ଏପରି ମାଡ଼ ଖାଇଥାନ୍ତା ? ଏତେ ଗାଳି ଖାଇଥାନ୍ତା ? ତା’ର ଅବସ୍ଥା କ’ଣ ଏତେ ଶୋଚନୀୟ ହୋଇଥାନ୍ତା ?

 

ଏସବୁ ଭାବି ଭାବି ତା’ ଆଖିକୁ ନିଦ ଆସୁ ନ ଥାଏ । ଅନେକ ରାତି ସେ ବସି ବସି କେବଳ ଏକଥା ଭାବିବାରେ ହିଁ କଟାଇ ଦିଏ; ତାକୁ କିଛି ଭଲ ଲାଗେନି । ସେ ସେଇ ଗୋଟିଏ ବିଷୟ ଚିନ୍ତା କରୁଥିଲା, ଯାହାର ବାପ ନାହିଁ ସେ ସଂସାର ମଧ୍ୟରେ କିପରି ଜୀବନ ବିତାଇବ ? ତା’ ସାଙ୍ଗମାନେ ତାକୁ ଅନେକ ସମୟ ବୁଝାଇଥିଲେ । ସେମାନେ ସମସ୍ତେ ପିଲାଲୋକ । ତାକୁ କ’ଣ ବା ବୁଝାଇବେ ? ସେ ସମସ୍ତଙ୍କଠାରୁ କ୍ଲାସରେ ଭଲ ପଢ଼େ । ସମସ୍ତଙ୍କଠାରୁ ତା’ର ଜ୍ଞାନ ଅଧିକ । ତେଣୁ ତାକୁ କିଏ ବା କ’ଣ କହି ବୁଝାଇପାରିବ ? ତେଣୁ ସମସ୍ତେ କଥା ପଦେ ଦୁଇ ପଦ କହି ଚୁପ୍‍ ରହୁଥିଲେ ।

 

(୨୬)

 

ଠିକ୍‍ ସମୟରେ ଅର୍ଚ୍ଚିଡ଼୍‍ଙ୍କୁ ନର୍ସିଂହୋମ୍‌କୁ ନିଆଯାଇଥିଲା । ତାଙ୍କର ଛୁଆ ଜନ୍ମ କରିବାର ସମୟ ହୋଇଯାଇଥାଏ । ତା’ର ଅଳ୍ପଦିନ ପୂର୍ବରୁ ସେ ସେଠାରେ ଆଡ଼ମିଶନ୍‍ ନେଇଥିଲେ ? ତାଙ୍କ ଜୀବନରେ ଏଇଟା ହେବ ଦ୍ଵିତୀୟ ପ୍ରସବ । ତେଣୁ ତାଙ୍କର ପ୍ରଥମ ପ୍ରସବ ବେଦନା ସେ ମନେପକାଇବାକୁ ବାଧ୍ୟ ହୋଇଥିଲେ । ଏଥିରେ ତାଙ୍କ ଦେହ ଶୀତେଇ ଯାଇଥିଲା । କି କଷ୍ଟ ! ତାଙ୍କ ଦେହର ସମସ୍ତ ଲୋମ ଛିଡ଼ା ଛିଡ଼ା ହୋଇଯାଇଥିଲା । ଲିଂଟାନ୍‍ ତାଙ୍କୁ ସବୁପ୍ରକାର ସାହାଯ୍ୟ ଦେଇଥିଲେ । ସେ ଠିକ୍‍ ସମୟର ଯଥେଷ୍ଟ ଆଗରୁ ସେଠାକୁ ଯାଇ ଅପେକ୍ଷା କରିଥିଲେ ।

 

ଅର୍ଚ୍ଚିଡ଼୍‍ ପ୍ରସବକଷ୍ଟ ପାଉଥିଲେ ପ୍ରସୂତି ଓ୍ୟାର୍ଡ଼ ମଧ୍ୟରେ । ତୁହାକୁ ତୁହା କଷ୍ଟ । ଥରକୁ ଥର ତାଙ୍କ ପେଟ ଭିତରର ଅନ୍ତବୁଜୁଳା ଚିରି ହୋଇଯାଉଛି । ସେ ନିଜ ବେଡ଼୍‍ ଉପରେ ପଡ଼ିଥିବା କୋମଳ ତକିଆକୁ ଖୁବ୍‍ ଜୋରରେ ଧରି ଏପଟକୁ ସେପଟ ହେଉଥାନ୍ତି ଯନ୍ତ୍ରଣାରେ ଚିତ୍କାର କରି । ଏତେ କଷ୍ଟ ସେ ତାଙ୍କ ଜୀବନରେ କେବେ ପାଇନଥିଲେ । ଆଖିରୁ ଲୁହ ଝରି ଯାଉଥିଲା । ସେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ, “ହେ ଭଗବାନ ! ମୁଁ ସାମାନ୍ୟ ମଣିଷ । ମୁଁ ଏତେ କଷ୍ଟ ସହିପାରୁନି । ଟିକିଏ କମାଇ ଦିଅନ୍ତୁ । ମୁଁ ନଚେତ୍‍ ମରିଯିବି ।”

 

ସେ ଏହିପରି ଘଣ୍ଟା ଘଣ୍ଟା କଷ୍ଟ ପାଇଥିଲେ । ଅନେକ କଷ୍ଟ ପାଇଥିଲେ । ଲିଂଟାନ୍‍ ବାରଣ୍ଡାରେ ସେହିପରି ଘଣ୍ଟା ଘଣ୍ଟା ମଧ୍ୟ ଛିଡ଼ା ହୋଇ ଅପେକ୍ଷା କରିଥିଲେ । କାଳେ କ’ଣ ହେବ ? ସେଇଥିପାଇଁ ସେ ତାଙ୍କ ପାଖେ ପାଖେ ଥିଲେ । ଥରକୁ ଥର ସେ ପଚାରି ବୁଝୁଥିଲେ ନର୍ସମାନଙ୍କୁ କ’ଣ ହେଲା ବୋଲି ।

 

ଲିଂଟାନ୍‍ଙ୍କ ମନରେ ଅନେକ ଚିନ୍ତା । ଏଇଟି ହେବ ତାଙ୍କ ଜୀବନର ପ୍ରଥମ ସନ୍ତାନ । ଏଇଟା ତାଙ୍କ ପକ୍ଷରେ ଗୋଟିଏ ବଡ଼ ଗୌରବ ଏବଂ ଭାଗ୍ୟର ବିଷୟ । ପିତା ହେବାର ଗୌରବ ଦୁନିଆରେ ସମସ୍ତଙ୍କୁ ମିଳେନା । ସେ ଗୋଟିଏ ବିରାଟ ପରୀକ୍ଷାରେ ସଫଳ ହୋଇଛନ୍ତି ବୋଲି ଆଜିଠାରୁ ଦୁନିଆରେ ସମସ୍ତେ ଜାଣିବେ । ତାଙ୍କ ନିଜ ରକ୍ତମାଂସର ଛୁଆକୁ ନିଜ ରକ୍ତ ମାଂସର ଆଖିରେ ଦେଖିବେ । ତାଙ୍କ ନିଜ ଦେହର ଛାପକୁ ସେ ପୂର୍ବରୁ ଅନେକଦିନ ହେବ କଳ୍ପନା କରିଥିଲେ । ନିଜ ଛୁଆର ଆକାର ବର୍ଣ୍ଣ କିପରି ହେବ ? ସେ କାହାପରି ଦେଖାଯିବ ? ତା’ କଣ୍ଠର ସ୍ଵର କିପରି ହେବ ? ସେ କିପରି ଭବିଷ୍ୟତରେ କଥା କହିବ, କିପରି ଚାଲିବ, କିପରି କାନ୍ଦିବ, କିପରି ହସିବ, କିପରି ବଡ଼ ହେବ । ତାହାର ପୁଙ୍ଖାନୁପୁଙ୍ଖ ଭାବନା ମନ ମଧ୍ୟରେ ସ୍ରୋତ ଆକାରରେ ପ୍ରବହମାନ ହେଉଥିଲା । ସେ ମଧ୍ୟ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ ଯେ ସେ ତାଙ୍କ ଛୁଆଟିକୁ ଆୟୁଷ ଦେଇଥାନ୍ତୁ, ତାକୁ ରୋଗବ୍ୟାଧି ଆଦି ନ ହେଇ ସୁସ୍ଥ ସବଳରେ ରଖନ୍ତୁ । ତାକୁ କିଛି ଅଂଶରେ ଅପୂର୍ଣ୍ଣ କରି ବା ଖଣ୍ଡିଆ ଖାବରା କରି ଜନ୍ମ ନ ଦିଅନ୍ତୁ । ତାକୁ ଭଗବାନ ସୁନ୍ଦର କରି ଗଢ଼ି ତୋଳନ୍ତୁ । ତାକୁ ସେ ଅନ୍ଧ, ବଧିର, ମୂକ, କଣା, ଛୋଟା, କେମ୍ପା ନ କରନ୍ତୁ । ସେ ବଡ଼ ହୋଇ ଭଲ ମଣିଷ ହେଉ ବୋଲି ସେ ଭଗବାନଙ୍କଠାରେ ପ୍ରାର୍ଥନା କରିଥିଲେ ।

 

ନିଜ ଛୁଆର ଚିତ୍ର ସେ ନିଜ ମନର ପରଦା ଉପରେ ଅନେକ ଦିନ ହେଲା ଅଙ୍କନ କରିଥିଲେ ତୂଳି ଏବଂ ରଙ୍ଗ ଧରି । ସେ କିନ୍ତୁ ଏଥର ଦେଖିବାକୁ ଯାଉଛନ୍ତି ତାହାର ପ୍ରକୃତ ପ୍ରତିଛବି-। ଅଳ୍ପ ସମୟ ପରେ ସେ ଦେଖିବେ ନିଜ ଛୁଆଟି ପୁଅ ହେଲେ କିପରି ଦେଖାଯିବ ଓ ଝିଅ ହେଲେ କିପରି ଦେଖାଯିବ, ତାହା ସେ ପୃଥକ୍‍ ପୃଥକ୍‍ ଭାବରେ ଅଙ୍କନ କରିଥିଲେ । ମନର ଛବି ମନ ମଧ୍ୟରେ ସାଇତା ହୋଇ ରହିଥିଲା । ତାକୁ କେହି ଯେପରି ନଷ୍ଟ ନ କରିପାରିବେ, ତାହାର ବ୍ୟବସ୍ଥା ଥିଲା । ସେ ଛବିକୁ କେହି ଚୋରାଇ ନେଇପାରିବେ ନାହିଁ । କେହି ପାଣିରେ ବୁଡ଼ାଇ ଓଦା କରିପାରିବେ ନାହିଁ, କେହି ତା’ ଉପରେ ପେଟ୍ରୋଲ୍‍ ଢାଳି ତାକୁ ନିଆଁରେ ଜଳାଇ ପୋଡ଼ି ପାଉଁଶ କରିପାରିବେ ନାହିଁ ।

 

କେହି ତାକୁ ଜୋର୍‍ ଜବରଦସ୍ତି ଛଡ଼ାଇ ନେଇ ଟିକି ଟିକି କରି ଚିରିପାରିବେ ନାହିଁ । ତାହା ମନ ମଧ୍ୟରେ ଏକ ମଜବୁତ୍‍ ସେଲ୍‍ ମଧ୍ୟରେ ଆବଦ୍ଧ ହୋଇଛି । ସେ ନିଜ ଛୁଆର ପ୍ରକୃତ ଛବି ସହିତ ସେଇଟିକୁ ମେଳାଇ ଦେଖିବେ, ପରୀକ୍ଷା କରିବେ । ସେ କିପରି କୁଶଳୀ, ଚିତ୍ରଶିଳ୍ପୀ ତାହା ଜଣାପଡ଼ିବ । ତାହା କ’ଣ ଏକାପରି ହୋଇଥିବ ? ଶତକଡ଼ା ଶହେ ଭାଗ ମିଶିଯିବ ? ଯଦି ନ ମିଶିବ, ତା’ହାଲେ କେଉଁ କେଉଁ ସ୍ଥାନରେ ଭୁଲ୍‍ ରହିଯିବ ? ତାହା କିଏ ଜାଣେ ? ଦେଖିଲେ ଜଣାପଡ଼ିବ ।

 

ଦିନ ଦିନ ଧରି ସେ ମନ ମଧ୍ୟରେ ମନର ପରଦା ଉପରେ ଏ ସନ୍ତାନର ହାତଗୋଡ଼ ମୁଣ୍ଡ ଦେହର ଆକାର ଆଙ୍କିଛନ୍ତି । ଏଥିପାଇଁ ତାଙ୍କର ନଷ୍ଟ ହୋଇଛି ଅନେକ ଶକ୍ତି । ଅନେକ ସମୟ ବିତିଛି । ଅନେକ କୌଶଳ ଖଟାଯାଇଛି । ତାଙ୍କ ଦେହରୁ ଏଥିପାଇଁ ବହିଛି ଅନେକ ଝାଳ, ସେ ତା’ର ପରିମାଣ ପ୍ରତି ଦୃଷ୍ଟି ଦେଇ ନାହାଁନ୍ତି । ସେ ଶେଷରେ ପାଇଛନ୍ତି ଏହାର ଫଳାଫଳ । ଏହି ଫଳାଫଳକୁ ବର୍ତ୍ତମାନ ସେ ମେଳାଇ ଦେଖିବାର ସୁଯୋଗ ପାଇବାକୁ ଯାଉଛନ୍ତି ।

 

ବାହାରେ ବରଣ୍ଡାରେ ଛିଡ଼ା ହୋଇ ସେ ଏସବୁ ଭାବିବାରେ ଲାଗିଛନ୍ତି । ସବୁ କାମ ଶେଷ ହେଲା, କିଛି ସମୟ ପରେ କବାଟ ଖୋଲିଲା । ଜଣେ ନର୍ସ ଗୋଟିଏ ସଦ୍ୟଜାତ ଶିଶୁ ହାତରେ ଧରି ଚାଲିଆସିଲା । ସେ ଲିଂଟାନ୍‍ଙ୍କୁ କହିଲା, ‘‘ଏଇଟି ଆପଣଙ୍କ ଝିଅ ।” ଲିଂଟାନ୍‍ ବହୁତ ଖୁସି ହୋଇଗଲେ ନିଜ ଝିଅକୁ ଦେଖି । ସେ ତାକୁ ଧରିବାକୁ ହାତ ବଢ଼ାଉଥିଲେ । ହଠାତ୍‍ ତାଙ୍କ ପଛପଟରୁ ଡାକ୍ତରବାବୁ ଚାଲିଆସି ତାଙ୍କୁ କହିଲେ, ‘‘ଉଇ ସେଭ୍‍ଡ ଦି ବେବି ବଟ୍‍ ଦି ମଦର୍‍ !”

 

ଏତକ କହିଦେଇ ଡାକ୍ତରବାବୁ ଚାଲି ଯାଇଥିଲେ । ସେ ନିଜ ଛୁଆକୁ ଦେଖି ଯେଉଁ ଖୁସି ହୋଇଯାଇଥିଲେ, ତାହା ବହୁତ ସମୟ ରହିପାରିଲା ନାହିଁ । ସବୁ ପାଣି ଫାଟିଗଲା, ସବୁ ଓଲଟ ପାଲଟ ହୋଇଗଲା । ତାଙ୍କ ଆଖି ଛଳଛଳ ହୋଇଗଲା, ତାଙ୍କ ହୃଦୟରୁ କୋହ ଉଠି ଆସିଲା ।

 

ପଡ଼ିଗଲା ଲିଂଟାନ୍‍ଙ୍କ ଉପରେ ଭାଗ୍ୟର ଚଡ଼କ । ତାଙ୍କ କୋଳରେ ଗୋଟିଏ ଶିଶୁ ଛୁଆଟିଏ ଦେଇ ଅର୍ଚ୍ଚିଡ଼୍‍ ତାଙ୍କୁ ସବୁଦିନ ପାଇଁ ଛାଡ଼ି ଚାଲିଗଲେ । ସେଇଥିପାଇଁ ସେ ଏତେ ସମୟ ଧରି କଷ୍ଟ ପାଉଥିଲେ । ଡାକ୍ତରମାନେ ମା’କୁ ବଞ୍ଚାଇବାକୁ ସବୁପ୍ରକାର ଉଦ୍ୟମ କରିଥିଲେ । ମାତ୍ର ବିଫଳ ହୋଇଥିଲେ । ଆଜିଠାରୁ ସେ ଏହି ମାତୃହୀନା ଝିଅଟିର ସମସ୍ତ ଦାୟିତ୍ଵ ବହନ କରିବେ । ଏଇଆ ତାଙ୍କ ଭାଗ୍ୟରେ ଲେଖାଥିଲା ! ସେ ଝିଅଟିକୁ ଚାହିଁ କିଛି ସମୟ ଛିଡ଼ା ହେଲେ । ଲୁହପୂର୍ଣ୍ଣ ଆଖିରେ ସେ ଝିଅକୁ ଚାହିଁ ରହିଥାନ୍ତି । ତା’ ମା’ପରି ଝିଅଟି ନିଶ୍ଚୟ ହେବ । ଠିକ୍‍ ତାରିପରି ଦେଖାଯାଉଛି । ଭଗବାନ ତାକୁ ଆୟୁଷ ଦେଇଥାନ୍ତୁ, ସେତିକି ବଡ଼ କଥା । ସେ ଅର୍ଚ୍ଚିଡ଼୍‌ଙ୍କୁ ତାଙ୍କ ବିପଦ ସମୟରେ ସାହାଯ୍ୟ କରିଥିଲେ । ସେ ତାଙ୍କୁ ବିଭା ହେବାକୁ ରାଜି ହୋଇଥିଲେ । କେତେ ଦିନ ବା ତାଙ୍କ ସହିତ ସେ ରହିପାରିଥିଲେ ? ଏଇଟା ଭଗବାନଙ୍କ ଆଖିରେ ଗଲା ନାହିଁ । ହଉ ଏ ତ ଦୁନିଆରେ ଭାଗ୍ୟର ଖେଳ । ସବୁ ସମ୍ଭାଳିବାକୁ ପଡ଼ିବ, ସେ ନିଜ ଛୁଆଟିକୁ ନିଜ ଘରକୁ ନେଇ ଆସିଲେ । ସେଠାରେ ତାକୁ ସ୍ନେହ ଆଦର କରି ପାଳିଥିଲେ । ବହୁତ ଦିନ ପୂର୍ବରୁ ଅର୍ଚ୍ଚିଡ଼୍‍ ଏବଂ ସେ ଦୁହେଁ ଏ ଛୁଆଟି ବିଷୟରେ କଥାବାର୍ତ୍ତା ହୋଇଥିଲେ । ଦୁହେଁ ଏକମତ ହୋଇଥିଲେ ଯେ ତାଙ୍କ ଛୁଆକୁ ସେ ଗୋଟିଏ ଭାରତୀୟ ନାଁ ଦେବେ, ଯଦି ଭଗବାନଙ୍କ କୃପାରୁ ଗୋଟିଏ ଛୁଆ ଜନ୍ମହୁଏ । ଯଦି ପୁଅ ହେବ ତାଙ୍କ ନାଁ ରଖାହେବ ଶଙ୍କର ଏବଂ ଯଦି ଝିଅ ହେବ ତା’ ନାଁ ରଖାହେବ ଶିବାନୀ ବା ସିନି । ପୂର୍ବରୁ ଏ କଥା ଛିଣ୍ଡି ଥିଲା, କେବଳ ତା’ ମା’ କଥାକୁ ସ୍ମରଣ କରି ଓ ସମ୍ମାନ ଦେଇ ତା’ ନାଁ ରଖାଗଲା ଶିବାନୀ ଏବଂ ଡାକ ନାମ ସିନି ।

 

ଯଥା ସମୟରେ ଲିଂଟାନ୍‍ ଉଜ୍ଜଳକୁ ଚିଠି ଲେଖି ଖବର ଦେଲେ ଯେ ତା’ ମା’ ଆଉ ଇହଜଗତରେ ନାହିଁ । ତା’ର ଗୋଟିଏ ନୂଆ ଭଉଣୀକୁ ଜନ୍ମ ଦେଇ ସେ ଚାଲିଯାଇଛି । ଉଜ୍ଜଳ ଏ ଖବର ପାଇବା ସଙ୍ଗେ ସଙ୍ଗେ ଶୋକବିହ୍ୱଳ ହୋଇପଡ଼ିଲା । ତା’ ଆଖିରୁ ଧାର ଧାର ହୋଇ ଲୁହ ଝରିପଡ଼ିଲା । ତାକୁ ତା’ ସାଙ୍ଗମାନେ ଲିଂଟାନ୍‍ଙ୍କ ପାଖରେ ଛାଡ଼ି ଆସିଥିଲେ । କାରଣ ସେ ନିଜେ ଏକା ଏକା ଆସିବା ଅବସ୍ଥାରେ ନ ଥିଲା । ବବୃ ଏବଂ ଭୃଗୁ ଏଥିରେ ତାକୁ ସାହାଯ୍ୟ କରିଥିଲେ । ଲିଂଟାନ୍‍ ତାକୁ ସବୁକଥା କହିଥିଲେ ।

 

ଉଜ୍ଜଳ କହିଲା, ‘‘ବାପା, ମୁଁ ଆଉ ପାଠ ପଢ଼ିବିନି ।”

 

“କାହିଁକି ପଢ଼ିବୁନି ?”

 

‘‘ମୋର ମନ ଲାଗୁନି ପାଠରେ ।”

 

“ତୁ ଯଦି ନ ପଢ଼ିବୁ ତୋତେ କିଏ ପୋଷିବ ? କିଏ ତୋ’ପାଇଁ ପଇସାଟିଏ ଖର୍ଚ୍ଚ କରିବ-? ତୁ ତ ଭଲ ପାଠପଢ଼ୁଛୁ । ନିଜ ପଇସା ନିଜେ ରୋଜଗାର କରୁଛୁ ! ତୁ ଯଦି ପାଠ ନ ପଢ଼ିବୁ, ତୋତେ କେହି ଭଲ ପାଇବେନି, ତୋତେ କେହି ଘରେ ରଖିବେନି ।”

 

‘‘ମୋତେ ଆପଣ ଘରେ ରଖିବେନି ?”

 

‘‘ତୋତେ କାହିଁକି ମୁଁ ରଖିବି ? ତୁ ତ ପଢ଼ିବୁନି, ତୋତେ ମୁଁ ଜନ୍ମ କରିନି । ତୋ ଖର୍ଚ୍ଚ ମୁଁ କାହିଁକି ବହନ କରିବି ? ତୁ ଯଦି ଭଲ ପଢ଼ିବୁ, ଭଲ ମଣିଷ ହେବୁ, ତାହାହେଲେ ସିନା ମୁଁ ତୋ କଥା ବୁଝିବି ଓ ତୋତେ ପୋଷି ପାଳି ରଖିବି କି ନା ସେ କଥା ମୁଁ ସ୍ଥିର କରିବି ?”

 

“ତାହାହେଲେ ମୋର କିଏ ଅଛି ? ମୁଁ କାହା ପାଖକୁ ଯିବି ?”

 

“ତୋର ତ କିଛି ଅସୁବିଧା ନାହିଁ ବର୍ତ୍ତମାନ । ସରକାର ତୋତେ ପୋଷୁଛନ୍ତି । ତା’ ବାଦେ ଦୁଇଶହ ଟଙ୍କା ବୃତ୍ତି ତୁ ପାଉଛୁ । ତୁ କାହା ପାଖକୁ ଯିବା ତୋର କ’ଣ ଦରକାର ? ତୋର ଯଦି ଅସୁବିଧା ହେବ ତୋ’ପାଇଁ ଅନାଥାଶ୍ରମ ଅଛି । ତୋର ତ ବାପ ନାହିଁ କି ମା’ ନାହିଁ ।”

 

‘‘ଆପଣ ଏତେ ନିଷ୍ଠୁର କଥା କହିପାରିଲେ ବାପା । ତାହାହେଲେ ମୁଁ ଆପଣଙ୍କୁ କାହିଁକି ବାପା ବୋଲି ଡାକିଲି ? ମୋତେ ସେଦିନ ଛଳନା କରି ଏତେ କିଆଁ କଅଁଳିଆ କଥା କହିଥିଲେ ? କହିଥିଲେ ଯେ–ମୁଁ ସଦାବେଳେ ଏଠାକୁ ଆପଣଙ୍କ ପାଖକୁ ଆସିବି । ସେଠାକୁ କଦାପି ଯିବିନି । ଯାହା ଦରକାର ସବୁ ଆପଣ ଦେବେ ।”

 

“କେଉଁଠାକୁ ଯିବୁନି ? କି କଥା କହିଥିଲି ?”

 

“ଆପଣ ମୋତେ ମିଛ କହିଥିଲେ । ଆପଣ ମୋତେ ସେତେବେଳେ ମୋର ନିରୀହତା ଦେଖି ପ୍ରତାରଣା କରିଥିଲେ । ଆର ମା’ଙ୍କ ପାଖକୁ ଏବଂ ମୋ ବାପାଙ୍କ ପାଖକୁ ଯିବାକୁ ସେଦିନ ବାରଣ କରିଥିଲେ । ସେଦିନ କହିଥିଲେ ଯେ ଆପଣ ହିଁ ମୋର ସବୁ ଭଲମନ୍ଦ ବୁଝିବେ, ମୋର ସବୁ ସୁବିଧା ଅସୁବିଧା ଦେଖିବେ । ମୋତେ ମାସକୁ ମାସ ଟଙ୍କା ପଠାଇବେ ପଢ଼ିବାକୁ ।”

 

“ମାସକୁ ମାସ ନା ବର୍ଷକୁ ବର୍ଷ ? କେଉଁଦିନ ମୁଁ କହିଛି ? କିଏ ଶୁଣିଛି ?”

 

“ଆପଣ ମୋ ଆଗରେ କହିଛନ୍ତି, ମା’ ଯଦି ଥାଆନ୍ତା ସେ ଆଜି ସାକ୍ଷୀ ହୋଇ ଛିଡ଼ା ହୋଇଥାନ୍ତା । ସେ ଦେଖିଛି ।”

 

“ମୁଁ କହିନି ।”

 

“ଆପଣଙ୍କ ଯୋଗୁଁ ମୋ ମା’ ମରିଛି, ଆପଣ ତାକୁ ମାରିଦେଇଛନ୍ତି ।” ସାଙ୍ଗେ ସାଙ୍ଗେ ଉଜ୍ଜଳଉପରେ ବସିଗଲା ଏକ ବ୍ରହ୍ମଚାପୁଡ଼ା । ସେ ସଙ୍ଗେ ସଙ୍ଗେ ତଳେ ପଡ଼ିଗଲା । କିଛି ସମୟ ପର୍ଯ୍ୟନ୍ତ ସେ ଉଠିପାରିଲା ନାହିଁ, ତା’ ପାଟିରୁ କିଛି କଥା ବାହାରିଲା ନାହିଁ ।

 

ତା’ପରେ ସେ ଉଠି ନିଜ ଚେଷ୍ଟାରେ ଛିଡ଼ା ହୋଇଥିଲା, ତା’ ଆଖି ଛଳଛଳ ହୋଇଯାଇଥିଲା ।

 

ସେ ଲିଂଟାନ୍‍ଙ୍କୁ ଅନାଇଁ କହିଥିଲା, “ଆପଣ ବି ଏପରି ଲୋକ ବୋଲି ମୁଁ ଜାଣିନଥିଲି, ମୋର ମା’ ନାହିଁ କି ବାପା ନାହିଁ ବୋଲି ଆପଣ ମୋତେ ମାରିପାରିଲେ । ଆଗରୁ ସ୍ନେହର ସହିତ ଯେଉଁ କଥା କହୁଥିଲେ, ସେସବୁଥିଲା ଆପଣଙ୍କର ଛଳନା । ଆଜି ସବୁ ଜଣା ପଡ଼ି ଯାଇଛି । ଆଉ କିଛି ଲୁଚି ରହିନି । ଆପଣ ଏଇଥିପାଇଁ ମୋ ପାଖକୁ ଚିଠି ଲେଖିଥିଲେ !”

 

ଭୀଷଣ ଭାବରେ ରାଗିଯାଇ ଲିଂଟାନ୍‍ ତାକୁ କଟମଟ କରି ଅନାଇଁ ଡରାଇ କହିଲେ, “ଏ ଛୁଆ ! ତୋ ମୁହଁ ବହୁତ ବଢ଼ିଗଲାଣି । ଜାଣି ବୁଝି କଥାବାର୍ତ୍ତା କରୁଛୁ ତ ? ମୋତେ ଚିହ୍ନିଛୁ ମୁଁ କିଏ ? ପୁରୁଣା ବଦ୍‌ମାସ୍‍ଙ୍କ ଓସ୍ତାଦ୍‍ । ମୋ ଆଗରେ ଆଉ କେଉଁଦିନ ଏପରି କଥା ଉଠାଇବୁ ତ ? ତୋ ତଣ୍ଟିଚିପି ମାରି ପକାଇବି ଜୀବନରେ । ମୋତେ ତୁ କ’ଣ ବୋଲି ଭାବିଲୁ କି ?”

 

ଏ କଥାକୁ ନ ଶୁଣି ସଙ୍ଗେ ସଙ୍ଗେ ମୁହଁ ବୁଲାଇ ଉଜ୍ଜଳ ଚାଲିଗଲା ସେଠାରୁ ବାହାରି । ଏଥିରେ ଲିଂଟାନ୍‍ଙ୍କ ରାଗ ବହୁତ ବଢ଼ିଗଲା । ସେ ଚୁପ୍‍ ରହିଲେ । ମନେ ମନେ ଭାବିଲେ ସେ ଟୋକାଟି ଚାଖଣ୍ଡେ ବି ହେବନି, କେତେ ଦୁଷ୍ଟ ।

 

ସେ ବସରେ ବସି ମନ୍ଦିରକୁ ଗଲା । ସେଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିକୁ ଜାବୁଡ଼ି ଧରି ବହୁତ କାନ୍ଦିଲା । ତା’ ଆଖିର ଲୁହରେ ଭଗବାନଙ୍କ ପାଦ ଓଦା ହୋଇଗଲା । ସେ ଭଗବାନଙ୍କୁ ମନେ ମନେ ଜଣାଇଲା, “ହେ ପ୍ରଭୁ ! ମୋତେ ବାପା ଦେଇଥିଲ, ତାଙ୍କୁ ବି ଛଡ଼ାଇ ନେଲ । ମୋର ଆଉ କିଏ ଅଛି ? ମୁଁ ଆଉ କେଉଁ ଘରେ ରହିବି ? ମୋ ଆଖିରୁ ଲୁହ ବୋହିଲେ, ଲୁହ ପୋଛି ଦେବାକୁ ଏ ଦୁନିଆରେ ମୋର କିଏ ଅଛି ? ମୁଁ କିପରି ଚଳିବି ? ମୁଁ କିପରି ବଞ୍ଚିବି ? ମୁଁ କେମିତି ପାଠ ପଢ଼ିବି ? ଏତେ ମାନସିକ ଅଶାନ୍ତିରେ ମୁଁ କେମିତି ପରୀକ୍ଷା ଦେବି ? ମା’ କହୁଥିଲେ ମୁଁ ପରୀକ୍ଷାରେ ଫାଷ୍ଟ ହେଲେ ସେ ମୋତେ ଚାଇନା ବୁଲାଇ ନେବେ । ମୁଁ ଏଥର ଫାଷ୍ଟ ହେଲେ ବି ଚାଇନାକୁ ବୁଲିବାକୁ ଯାଇ ପାରିବିନି, ତା’ହେଲେ ମୁଁ କାହିଁକି ଫାଷ୍ଟ ହେବି ? ମା’ ଥିଲେ ଖୁବ୍‍ ଭଲ । ମୋତେ ସେ ଖୁଆଇ ଦେଉଥିଲେ । ଆଜି କିଏ ମୋତେ ସେପରି ସ୍ନେହରେ ଖୁଆଇ ଦେବେ ? ସେ ମୋତେ ଭଲମନ୍ଦ ପଚାରୁଥିଲେ । ମୋତେ ଆଉଁସି ଦେଉଥିଲେ । ଆଜି କିଏ ମୋ ଭଲମନ୍ଦ ପଚାରି ବୁଝିବେ ? କିଏ ମୋ ମୁଣ୍ଡରେ ହାତ ବୁଲାଇ ଆଦରରେ ଆଉଁସି ଦେବେ ? ମୋ ଦେହ ଖରାପ ଥିଲା । ସେଦିନ ମୁଁ ଜ୍ଵରରେ ପଡ଼ିଥିଲି । ହାସ୍‌ପାତାଲରେ ଆଡ଼ମିଶନ୍‍ ନେଇଥିଲି । ମା’ ଥିଲେ । ସେ ସାରା ରାତି ଉଜାଗର ରହି ମୋତେ ଦେଖିଥିଲେ । ଆଜି ମୋତେ ଜ୍ଵର ହେଲେ କିଏ ମୋ’ପାଇଁ ଟିକିଏ କାନ୍ଦିବେ ଓ ମନଦୁଃଖ କରିବେ ! ମା’ ଥିଲେ ବୋଲି ସେ ମୋତେ ଏ ସ୍କୁଲ୍‍କୁ ପଢ଼ିବାକୁ ପଠାଇଥିଲେ । ସେ ନ ଥିଲେ ମୁଁ ଏ ସ୍କୁଲରେ ପଢ଼ିପାରିନଥାନ୍ତି । ମା’ ମୋତେ କ୍ଲାସରେ ଫାଷ୍ଟ ହେବାକୁ ପ୍ରେରଣା ଦେଉଥିଲେ । ଆଜି ମୁଁ କାହାଠାରୁ ପ୍ରେରଣା ପାଇବି ? ମା’ ମୋ ପିଠି ଥାପୁଡ଼ାଇ ପରୀକ୍ଷା ଆଉ କେତେ ଦିନ ଅଛି ବୋଲି ପଚାରୁଥିଲେ । ଦେହ କିପରି ଅଛି ଓ କିପରି ପାଠପଢ଼ା ଚାଲିଛି ବୋଲି ପଚାରୁଥିଲେ ମୋ ମଥାରେ ଚୁମା ଦେଇ । ଆଜି କିଏ ସେପରି ମୋ’ପାଇଁ କରିବେ ? ସେ ମୋତେ ଚାଇନିଜ୍‍ ଟାଇପ୍‌ରାଇଟର୍‍, କାଲ୍‌କୁଲେଟର୍‍ ଯାଚୁଥିଲେ, ଆଜି କିଏ ମୋତେ ଏପରି ଜିନିଷ ଯାଚିବେ ?”

 

ଏହିପରି ପ୍ରାର୍ଥନା କରି କରି ସେ ଭଗବାନ ଶ୍ରୀକୃଷ୍ଣଙ୍କର ପାଦ ପାଖରେ ଶୋଇପଡ଼ିଲା-। ଅନେକ ସମୟ ଚାଲିଗଲା । ହଠାତ୍‍ ତା’ ନିଦ ଭାଙ୍ଗିଗଲା । ସେ ଗୋଟିଏ ସୁନ୍ଦର ସ୍ଵପ୍ନ ଦେଖି ଉଠିପଡ଼ିଲା ।

 

ତା’ ଆଖିରୁ ଲୁହ ଝରିପଡ଼ିଲା । ସେ ବହୁତ ସୁନ୍ଦର ଜିନିଷ ଦେଖୁଥିଲା । ତାହା ନିମିଷକ ମଧ୍ୟରେ କୁଆଡ଼େ ଉଭାନ୍‍ ହୋଇଗଲା । ଏ ସ୍ଵପ୍ନରେ ସେ ଦେଖିଥିଲା ଯେ ସେ ତା’ ବାପାଙ୍କ କୋଳରେ ମୁଣ୍ଡ ରଖି ଶୋଇଛି । ତା’ ମା’ ତା’ ପାଖରେ ବସି ତା’ ମୁଣ୍ଡକୁ ଆଉଁସି ଦେଉଛନ୍ତି । କିନ୍ତୁ ସଙ୍ଗେ ସଙ୍ଗେ ସ୍ଵପ୍ନ ଭାଙ୍ଗିଗଲା । ଏତେ ସୁନ୍ଦର ଦୃଶ୍ୟ କୁଆଡ଼େ ଚାଲିଗଲା । ସେ ତା’ ମା’ ଓ ବାପାଙ୍କୁ ସବୁଆଡ଼େ ଖୋଜିଲା ମୁହଁ ବୁଲାଇ । କିନ୍ତୁ କେହି ନାହାଁନ୍ତି ଏ ମନ୍ଦିର ଭିତରେ । ସତରେ ତା’ ନିଦ ସମୟରେ କ’ଣ ତା’ ମା’ ଓ ବାପା ଦୁହେଁ ଆସିଥିଲେ ! ମା’ ଓ ବାପା ଦୁହେଁ କ’ଣ ପୁଣି ଏକାଠି ହୋଇଯାଇଛନ୍ତି ? ତା’ହେଲେ ତା’ ନିଦ କାହିଁକି ଭାଙ୍ଗିଗଲା ?

 

ତା’ ଆଖିରୁ ଲୁହ ଝରିପଡ଼ିଲା । କୁଆଡ଼େ ଗଲେ ତା’ ମା’ ଓ ବାପା ! ସେ ଝୁରିହେଲା ସେମାନଙ୍କୁ । ତା’ ମା’ ଓ ବାପା ତା’ର ବହୁତ ମନେପଡ଼ିଲେ । ସେ ବହୁତ ଖୋଜିଲା, ସେ ଭଗବାନଙ୍କୁ ମୁଣ୍ଡିଆ ମାରି ଚାଲିଯିବାକୁ ବାହାରିଲା । ଏ ଦୁନିଆରେ ସବୁ ମିଛ ଏବଂ ଅବାସ୍ତବ । ତା’ର ଏ ଧାରଣା ଥିଲା ପୂର୍ବରୁ ।

 

ସେ ଫେରିଲାବେଳେ ଦେଖିଲା ଯେ ଅନୁପ ବାବୁ ଆସି କେତେବେଳୁ ମନ୍ଦିରର ବାହାର ବେଢ଼ାରେ ଶୋଇପଡ଼ିଛନ୍ତି । ତାଙ୍କ ଅଣ୍ଟାରେ ବନ୍ଧୁକ ପଡ଼ିଛି । ତାଙ୍କ କଳା କଳା ଦାଢ଼ି ଚିକ୍‍ ଚିକ୍‍ କରୁଛି । ଜିପ୍‌ଟି ମନ୍ଦିର ପାଖରେ ରଖାଯାଇଛି । ତାଙ୍କ ପାଟିରୁ ମଦଗନ୍ଧ ବାହାରୁଛି । ସେ ଏଥର ତାଙ୍କଆଡ଼େ ନ ଅନାଇଁ ମନ୍ଦିରରୁ ବାହାରିଗଲା । ତା’ପରେ ସେ ବସରେ ବସି ହଷ୍ଟେଲକୁ ଚାଲିଗଲା-

 

(୨୮)

 

ଉଜ୍ଜଳ ରାଗି କରି ସିନା ସ୍କୁଲ୍‍କୁ ଫେରିଆସିଲା, ହେଲେ ତା’ ମନ ପାଠରେ ଆଦୌ ଲାଗିଲା ନାହିଁ । ଦିନରାତି ଚବିଶଘଣ୍ଟା ତା’ ଆଖିରୁ ଧାର ଧାର ଲୁହ ଝରିବାକୁ ଲାଗିଲା । ଆଖିକୁ କେଉଁଦିନ ହେଲେ ନିଦ ହେଲା ନାହିଁ । ତା’ ସାଙ୍ଗମାନେ ତା’ ପାଖକୁ ଆସି ଯେତେ ବୁଝାଇଲେ ମଧ୍ୟ ସେ କିଛି ବୁଝୁନଥାଏ । ଏତେ କମ୍‍ ବୟସରୁ ତା’ ବାପା ମା’ ତାକୁ ଛାଡ଼ି ଚାଲିଗଲେ । ସେ କିପରି ସେମାନଙ୍କୁ ଏତେ କମ୍‍ ସମୟରେ ଭୁଲିପାରିବ ? ଏତେ ମନଦୁଃଖରେ ସେ କିପରି ପାଠ ପଢ଼ିବ ?

 

ପରୀକ୍ଷା ପାଖ ହୋଇଗଲା । ସମସ୍ତେ ପରୀକ୍ଷା ପାଇଁ ପାଠ ପଢ଼ିଲେ । ମାତ୍ର ସେ କିଛି ପଢ଼ିଲା ନାହିଁ । ସମସ୍ତଙ୍କ ପରି ସେ ପରୀକ୍ଷା ଦେବାକୁ ଗଲା । ମାତ୍ର କିଛି ଲେଖିଲା ନାହିଁ । ଯାହା ଆସିଲା, ଏଣୁ ତେଣୁ କ’ଣ ଗୁଡ଼ାଏ ଲେଖିପକାଇ ଅଳ୍ପ ସମୟ ମାତ୍ର ପରୀକ୍ଷା ହଲରେ ବସି ତା’ପରେ ହଷ୍ଟେଲକୁ ସେ ଚାଲି ଆସୁଥିଲା । ସମସ୍ତେ ଆଶ୍ଚର୍ଯ୍ୟ । ତା’ ମଧ୍ୟରେ ଏସବୁ କିପରି ପରିବର୍ତ୍ତନ ହେଉଛି ? ତା’ର ଶିକ୍ଷକମାନେ ମଧ୍ୟ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଶିକ୍ଷକମାନେ ମଧ୍ୟ ମିଳିମିଶି ତାକୁ ସବୁ କଥାରେ ବୁଝାଇଲେ । ସେ ବୁଝିଲା ନାହିଁ । ଅଧିକାଂଶ ଦିନ କ୍ଲାସ୍‌କୁ ଆସୁନଥିଲା । ସବୁବେଳେ କ’ଣ ଗୁଡ଼ାଏ ଭାବି ଆଖିରୁ ଲୁହ ବୁହାଏ । ସମୟ ଆସିଲା, ପରୀକ୍ଷା ଫଳ ବାହାରିଲା । ଉଜ୍ଜଳର ନାଁ ସେଥିରେ ନ ଥିଲା । ଉଜ୍ଜଳର ପରବର୍ତ୍ତୀ ପିଲା ବବୃ ପରୀକ୍ଷାରେ ଫାଷ୍ଟ ହେଲା । ଉଜ୍ଜଳ ପାସ୍‍ ମଧ୍ୟ କଲାନି । ତା’ ନାଁ, ଫେଲ୍‍ ଲିଷ୍ଟରେ ବାହାରିଲା । ସେ ସେଥିରେ ଆଦୌ ଦୁଃଖିତ ହେଲାପରି ମଧ୍ୟ ଜଣାଗଲା ନାହିଁ । ତା’ ଫଳ ସେ ବହୁତ ଆଗରୁ ଜାଣିଥିଲା । ତା’ର ଏପରି ନୀଚ ସ୍ଖଳନ କେହି ଆଶା କରିନଥିଲେ । ଉଜ୍ଜଳ ପୂର୍ବରୁ ଫାଷ୍ଟ ହେଉଥିଲା । ଏଇଟା ତା’ ପକ୍ଷରେ କେତେ ଗୌରବର କଥା ନ ଥିଲା ? କେତେ ସମ୍ମାନ ସେ ପାଉ ନ ଥିଲା ? ତା’ପାଇଁ ସରକାର କେତେ ସୁବିଧା ଦେଉ ନ ଥିଲେ ? ସବୁ ଗଲା, ତା’ର ସମସ୍ତ ଚଳିବା ଓ ପଢ଼ିବା ଖର୍ଚ୍ଚ ପାଇଁ ମାସିକ ଚାରି ଶହ ଟଙ୍କା ଦେଉଥିଲେ ଏବଂ ଏହା ଛଡ଼ା ମାସିକ ଦୁଇ ଶହ ଟଙ୍କା ବୃତ୍ତି ମଧ୍ୟ ଦେଉଥିଲେ । ତା’ର କିଛି ଅଭାବ ନ ଥିଲା । ସେ ବାପା ମା’ଙ୍କ ହାତମୁଠାକୁ ଟିକିଏ ହେଲେ ଅନାଉ ନ ଥିଲା । କିନ୍ତୁ ଏସବୁ କ’ଣ ହୋଇଗଲା ? ସେ ପାଉଥିବା ସମସ୍ତ ସୁବିଧା ଗଲା । ସେସବୁ ସୁବିଧା ତା’ର ପରବର୍ତ୍ତୀ ପିଲା ବବୃକୁ ମିଳିଲା । ପରୀକ୍ଷାରେ ଅଧିକ ନମ୍ବର ରଖି ସେ ଏତେ ଦିନରେ ତାକୁ ପରାସ୍ତ କରିଛି । ଏତେ ପରିଶ୍ରମରେ ଏତେ ଯତ୍ନରେ ଭାଗ୍ୟଦେବୀଙ୍କୁ ଆରାଧନା କରି କରି । ସେ ସ୍କୁଲରେ ଜଣେ ପିଲାକୁ କେବଳ ସେତକ ସମ୍ମାନ ଓ ସୁବିଧା ମିଳେ । ସେ ଥିଲା ଉଜ୍ଜଳ । ଅନ୍ୟମାନେ ନିଜ ହାତରୁ ଚାରିଶହ ଟଙ୍କା ଲେଖାଏଁ ଖର୍ଚ୍ଚ କରି ପଢ଼ୁଥିଲେ ସେଠାରେ । ସମସ୍ତଙ୍କ ବାପା ମା’ମାନେ ମାସକୁ ମାସ ଟଙ୍କା ପଠାଉଥିଲେ । ନିଜ ପୁଅର ସୁବିଧା ଅସୁବିଧା ମାସକୁ ମାସ ଏଠାକୁ ବୁଲିବାକୁ ଆସି ବୁଝି ଯାଉଥିଲେ । ମାତ୍ର ଉଜ୍ଜଳର କେହି ନାହିଁ । ତା’ ସୁବିଧା ଅସୁବିଧା କିଏ ବୁଝିବ ? ତାକୁ ମାସକୁ ମାସ ଏଥର ଚାରି ଶହ ଟଙ୍କା ଲେଖାଏଁ କିଏ ଦେବ ? ତା’ ପାସ୍‍ବହିରେ ଥିବା ସମସ୍ତ ଟଙ୍କା ଅଳ୍ପ କେତୋଟି ମାସରେ ଖର୍ଚ୍ଚ ହୋଇଗଲା । ପୂର୍ବରୁ ସେ ସରକାରଙ୍କଠାରୁ ପାଉଥିବା ବୃତ୍ତି ଟଙ୍କାକୁ ସେ ଖର୍ଚ୍ଚ ନ କରି ନିଜ ନାଁରେ ପାସ୍‍ବହିରେ ଜମା ରଖିଥିଲା । ତା’ ବାପା ତାକୁ ଛାଡ଼ି ଯୁଦ୍ଧରେ ମିଶିବାକୁ ଗଳାବେଳେ ତାକୁ ନଗଦ କ୍ୟାସ୍ ହଜାରେ ଟଙ୍କା ଦେଇଥିଲେ । ଏସବୁ ତା’ର କାମରେ ଆସିଲା । ସେହ ସୀମିତ ଟଙ୍କାରେ ସେ କେତେଦିନ ବା ଚଳନ୍ତା ? ଏତେ ମାନସିକ ଅଶାନ୍ତିରେ ସେ କିପରି ଚଳିବ ? ତଥାପି କଷ୍ଟେମଷ୍ଟେ, ସେ କାହାର ବିନା ସାହାଯ୍ୟରେ ବର୍ଷେ ଚଳିଲା । ତା’ର ପୂର୍ବ ସାଙ୍ଗମାନେ ଉପର କ୍ଲାସ୍‌କୁ ଚାଲିଗଲେ । ସେ ଗୋଟିଏ ବର୍ଷ ପଛୁଆ ହୋଇ ରହିଗଲା । ସେ ପୁଣି ଏହା ପରବର୍ଷ ପରୀକ୍ଷା ଦେଲା । ସେଥିରେ ମଧ୍ୟ ଅକୃତକାର୍ଯ୍ୟ ହେଲା ।

 

ସେ ଏଥର ଅନେକ ଚିନ୍ତା କଲା । ତା’ର ସବୁ ସାଙ୍ଗଙ୍କର ବାପା ମା’ ଅଛନ୍ତି । ମାତ୍ର ତା’ର ନାହିଁ । ସମସ୍ତେ ମାସକୁ ମାସ ଟଙ୍କା ପାଆନ୍ତି । ମାତ୍ର ସେ ପାଏନି । ସେ ବର୍ତ୍ତମାନ ବହୁତ ଗରିବ । ତା’ ପକ୍ଷରେ ଏପରି ଧନୀ ସ୍କୁଲରେ ପାଠ ପଢ଼ିବା ଆଦୌ ଯୁକ୍ତିଯୁକ୍ତ ନୁହେଁ । ତା’ପାଇଁ ଅଲଗା ସ୍କୁଲ୍‍ ଦରକାର, ଯେଉଁଠାରେ ଗରିବ ଲୋକଙ୍କ ପିଲାମାନେ ପାଠ ପଢ଼ନ୍ତି ବିନା ଦରମାରେ; ତାହା ହିଁ ତା’ପାଇଁ ବର୍ତ୍ତମାନ ଉପଯୁକ୍ତ ସ୍କୁଲ୍‍ । ସେ ତାହା ହିଁ ସ୍ଥିର କଲା । ତା’ର ସମସ୍ତ ସାଙ୍ଗ ତା’ପାଇଁ ଦୁଃଖ ପ୍ରକାଶ କଲେ । ସେ ସ୍କୁଲ୍‍ ଛାଡ଼ିଲା । ହଷ୍ଟେଲ ଛାଡ଼ିଲା । ତା’ର ସ୍କୁଲ୍‍ ଶିକ୍ଷକ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ, ସାଙ୍ଗସାଥୀ ମଧ୍ୟ ସମସ୍ତଙ୍କଠାରୁ ବିଦାୟ ନେଇ ହସ ହସ ମୁହଁରେ ନିଜର ବେଡ଼ିଂପତ୍ର ଧରି ଏକା ଏକା ଚାଲିଆସିଲା ବସଷ୍ଟାଣ୍ଡକୁ । ତା’ର ଅଳ୍ପ କେତେକ ସାଙ୍ଗ ତାକୁ ଛାଡ଼ିବାକୁ ବସ୍‌ଷ୍ଟପ ପର୍ଯ୍ୟନ୍ତ ଆସିଥିଲେ । ସେମାନଙ୍କ ମଧ୍ୟରେ ବବୃ ଏବଂ ଭୃଗୁ ଥିଲେ । ବବୃ ଉଜ୍ଜଳ ପାଇଁ ବହୁତ ଦୁଃଖ ପ୍ରକାଶ କରିଥିଲା । ସେ କହିଲା, “ଯଦି ତୁମ ବାପା ଓ ମା’ ତୁମକୁ ଛାଡ଼ି ଚାଲିଯାଇନଥାନ୍ତେ । ମୁଁ କେବେ ଫାଷ୍ଟ ହୋଇପାରିନଥାନ୍ତି । ତୁମେ ମାନସିକ ଅଶାନ୍ତି ଯୋଗୁଁ ପାଠ ପଢ଼ିପାରିନଥିଲ ।”

 

ଭୃଗୁ କହିଲା, “ମୋ ମନରେ ଦୁଃଖ ରହିଗଲା । ମୁଁ ତୁମକୁ କିଛି ସାହାଯ୍ୟ କରିପାରିଲି ନାହିଁ ।”

 

ଉଜ୍ଜଳ ଉତ୍ତର ଦେଇଥିଲା, “ମୋ’ପାଇଁ କେହି କିଛି ଦୁଃଖ କରିବା ଉଚିତ ନୁହେଁ । କାଲି ମୁଁ ଉପରକୁ ଉଠିଥିଲି । ମୋ ସମୟ ଗଲା । ମୁଁ ତଳକୁ ଆସିଲି, ତମେସବୁ ଉପରକୁ ଉଠିଲ । ସେମିତି ତୁମ ଟାଇମ୍‍ ଯିବା ପରେ ଅନ୍ୟ କିଏ ଉପରକୁ ଉଠିବ । ଦୁନିଆରେ ଉତ୍‌ଥାନ ପତନ ଲାଗି ରହିଛି । ସଦାବେଳେ ଉପରକୁ ଉଠୁଥିବ ଏବଂ ତଳକୁ ଆଦୌ ଯାଉନଥିବ ଏପରି ଲୋକ ଦେଖା ନାହିଁ । ଏଥିରେ ଦୁଃଖ କରିବା ଅନାବଶ୍ୟକ । ଏଇଟା ଦୁନିଆର ଧର୍ମ ବା ପ୍ରକୃତି । ମୋ ସମୟ ସେମିତି ଭବିଷ୍ୟତରେ ଆସିପାରେ ଉପରକୁ ଉଠିବାରେ । ବବୃ ! ତୁମେ ମୋତେ ତୁମର ସବୁଯାକ ବୃତ୍ତି ଦେଇଦେବ ବୋଲି କହିଥିଲ, ମୁଁ ଗ୍ରହଣ କରି ନ ଥିଲି । ସେଥିପାଇଁ ତୁମେ ମନଦୁଃଖ କରିବନି ।”

 

ବସ୍ ଆସିଗଲା । ଉଜ୍ଜଳ ଗୋଟିଏ ସିଟରେ ବସିପଡ଼ିଲା । ସେ ସାଙ୍ଗମାନଙ୍କୁ ଚାହିଁଲା । ବସ୍ ଛାଡ଼ିଲା । ସାଙ୍ଗମାନେ ହାତ ହଲାଇ ବିଦାୟ ଦେଇଥିଲେ । ସେ ବାଧ୍ୟହୋଇ ଅରୁଣାଙ୍କ ପାଖକୁ ଯାଇଥିଲା ।

 

ଅରୁଣା ତାକୁ ଦେଖିକରି ବହୁତ ଚିଡ଼ିଗଲେ । ତାଙ୍କ ମନରେ ତ ପୂର୍ବରୁ ରାଗ ଥିଲା । ତାଙ୍କ ପୁଅ ପ୍ରଭାତ ଜନ୍ମ ହୋଇଥିଲା । ତାକୁ ଖବର ଦିଆଯାଇଥିଲା ଘରଆଡ଼େ ଟିକିଏ ବୁଲିଆସିବାକୁ । ଦେଖିଯିବାକୁ । ମାତ୍ର ସେ ଆଦୌ ଆସି ନ ଥିଲା । ବର୍ଷେ ବି ଚାଲିଗଲା । ସେ ଉଜ୍ଜଳକୁ ଏହାପରେ କିଛି ଖବର ଦେଇନଥିଲେ କି ଉଜ୍ଜଳ ମଧ୍ୟ ତାଙ୍କୁ କିଛି ଖବର ଦେଇନଥିଲା କି କିଛି ଅସୁବିଧା ଜଣାଇନଥିଲା । ସେଥିପାଇଁ ତାଙ୍କ ମନରେ ଭୀଷଣ ରାଗ । ପୂର୍ବରୁ ତ ବହୁତ ରାଗ ଜମାଟ ବାନ୍ଧି ରହିଥିଲା । ସବୁଯାକ ଏକାଠି ହୋଇଗଲା ତା’ ଛାଇ ପଡ଼ିବା ପରେ ।

 

ଉଜ୍ଜଳ ଦେଖିଲା ତାଙ୍କ ଛୋଟ ଛୁଆକୁ । ତାକୁ ମୀରା ଧରୁ ନ ଥାଏ । ମୀରା ବଦଳରେ ଆଉ ଜଣେ ନୂଆ ଚାକରାଣୀ ତାକୁ ଖେଳାଉଥାଏ । ମୀରା ଏହା ଭିତରେ ତଡ଼ା ଖାଇଛି । ରାଗିଯାଇ ଅରୁଣା ପ୍ରଥମେ ପଚାରିଲେ, “କୁଆଡ଼େ ଆସିଲୁ କିରେ ଦୁଷ୍ଟ ଟୋକା ?” ତାଙ୍କ ମୁହଁକୁ ଚାହିଁ ଉଜ୍ଜଳ କହିଲା, ମୁଁ ଏଠାକୁ କିପରି ନ ଆସିବି ? ଏଇଟା ତ ଆମରି ଘର । ବାପା ତ ରହୁଥିଲେ ।”

 

“ତୋର ତ ଛୁଟି ନାହିଁ । ଆସିଲୁ କାହିଁକି ?”

 

“ମୋର ଛୁଟି ହୋଇଯାଇଛି ।”

 

“ଆଉ କାହାର ତ ଛୁଟି ହୋଇନି । ତୋର କେମିତି ଏକୁଟିଆ ହୋଇଗଲା ?”

 

“ମୋର ସବୁଦିନ ପାଇଁ ଛୁଟି ହୋଇଯାଇଛି ମା’ !”

 

“ଆଉ କ’ଣ କେଉଁଦିନ ଯିବୁନି ?”

 

“ନା ।”

 

“ଭଲ ମୂର୍ଖ ହୋଇ ରହ ।”

 

“ମୁଁ ମୂର୍ଖ ହୋଇ ରହିବା କ’ଣ ଭଲ ?”

 

“କିନ୍ତୁ କାହିଁକି ଯିବୁନି ? ତୋର କ’ଣ ହେଲା ?”

 

“ମୁଁ ଫେଲ୍ ହୋଇଯାଇଛି ।”

 

“ଫେଲ୍ ?”

 

“ହଁ ମା’ !”

 

“ତୁ ପରା ଫାଷ୍ଟ ହେଉଥିଲୁ ?”

 

“ନା ମୁଁ ଏଥର ପୂରା ଯାଇଛି । ପରୀକ୍ଷାରେ ମଧ୍ୟ ପାସ୍‍ କରିପାରିଲିନି । ମୋର କିଏ ଅଛି ଯେ ମୋତେ ସେଠାରେ ପଢ଼ିବାକୁ ମାସକୁ ମାସ ଟଙ୍କା ପଠାଇବ ?”

 

ବହୁତ ଆଶ୍ଚର୍ଯ୍ୟ ହୋଇ ତାକୁ କିଛି ସମୟ ଅନାଇ ରହି ଅରୁଣା କହିଲେ, “ମୁଁ ତ କିଛି ଜାଣିନି, ତୁ ଫେଲ୍‍ ହେଲୁ । କିନ୍ତୁ କିପରି ? ତୋ ପରୀକ୍ଷା ଖାତା କିଏ ଦେଖୁଥିଲା ? ତୁ ତ ଫେଲ୍ ହେବା ପିଲା ନୁହଁ । ତୋର ଟଙ୍କା କ’ଣ ଦରକାର କିଏ ପଠାଇବା ? ତୁ ତ ତୋ ଟଙ୍କା ନିଜେ ରୋଜଗାର କରୁଥିଲୁ । ସରକାର ତୋତେ ପୋଷୁଥିଲେ ।”

 

“ନା ମା’, ମୁଁ ପରୀକ୍ଷା ଖାତାରେ କିଛି ଲେଖି ନ ଥିଲି । କିଛି ଉତ୍ତର ଦେଇ ନ ଥିଲି । କଛି ତ ପଢ଼ି ନ ଥିଲି ।”

 

“କାହିଁକି ?”

 

“ମୁଁ କିପରି ପଢ଼ିବି ଏ ଅଶାନ୍ତିରେ ? ମୋର ବାପା, ମା’ ଥିଲେ କ’ଣ ମୁଁ ମନଦେଇ ପଡ଼ି ନ ଥାନ୍ତି ?”

 

‘‘ତୁ ଚଣ୍ଡାଳ କି ବୁଦ୍ଧି ନ କଲୁ ? ଏତେ ଭଲ ଜିନିଷ କ’ଣ ତୋତେ ପିତା ଲାଗିଲା ?”

 

“ମୁଁ କ’ଣ କରିଥାନ୍ତି ?”

 

‘‘କ’ଣ କହୁଛୁ ତୁ କ’ଣ କରିଥାନ୍ତୁ ? ତୁ କ’ଣ କରିନଥାନ୍ତୁ ? ତୁ ତ ପିଲା ଲୋକ । ଏତେଆଡ଼େ ଏତେ କଥା ଭାବିବା ତୋର କ’ଣ ଦରକାର ? ଚୁପ୍‌ଚାପ୍ ରହି ତୁ ପାଠ ପଢ଼ିଥାନ୍ତୁ । ଏବେ କ’ଣ କରିବୁ ? ତୋ ଖର୍ଚ୍ଚ କିଏ ବହନ କରିବ ? ମୋ ପାଖକୁ କାହିଁକି ଆସିଲୁ ?”

 

“ଆଉ କାହା ପାଖକୁ ଯିବି ? ମୋର ଆଉ କିଏ ଅଛି ? କିଏ ମୋତେ ଚଳାଇବ ? ମୁଁ ଏଇଠାରେ ରହି ଏହି ସାଧାରଣ ସ୍କୁଲରେ ପାଠ ପଢ଼ିବି ମା’ । ମୋତେ ତଡ଼ି ଦିଅନା । ମୋର କେହି ନାହିଁ । ମୁଁ ତୁମର କିଛି କ୍ଷତି କରିବିନି ।’’ ଉଜ୍ଜଳର ଆଖି ଛଳଛଳ ହୋଇଆସିଲା । ଅରୁଣା ତା’ ମୁହଁକୁ ଚାହିଁଲେ । ତାଙ୍କର ବୋଧହୁଏ ଦୟା ହେଲା । ସେ କହିଲେ, ‘‘ତୋତେ ବିଶ୍ଵାସ ନାହିଁ । ତୁ ଏଠାରେ ରହି ମୋ ପିଲାକୁ ଖେଳାଇବୁ । ତୁ ଆସିଲୁ ଭଲ ହେଲା । ଏଇଠି ରହି ପାଠ ପଢ଼ିବୁ ।”

 

(୨୯)

 

ଆଜି ପୀଡ଼ିତ ସାବତ ସଂସଦର ଉଦ୍‌ଘାଟନ ଉତ୍ସବ । ଏଥିରେ ମୁଖ୍ୟ ଅତିଥି ହୋଇ ଯୋଗ ଦେଇଛନ୍ତି ରାଜ୍ୟର ସାଂସ୍କୃତିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ । ଏଥିରେ ବିଭିନ୍ନ ବକ୍ତା ବିଭିନ୍ନ ଭାଷଣ ଦେଉଛନ୍ତି ।

 

ଅନେକ ଦିନ ପରେ ଏପରି ଏକ ସଂଗଠନ ଗଢ଼ି ଉଠିବାରେ ସମସ୍ତେ ସନ୍ତୋଷ ପ୍ରକାଶ କରିଛନ୍ତି । ବହୁତ ଦିନର ଶ୍ରମ ଏବଂ ସ୍ଵପ୍ନ ସାର୍ଥକ ହୋଇଛି । କେବଳ ସାବତ ପିଲାମାନଙ୍କୁ ନେଇ ଏ ସଂଘ ଗଠିତ ହୋଇଛି । ସାବତ ପୁଅଝିଅମାନେ କିପରି ସେମାନଙ୍କ ସାବତ ବାପ ଓ ସାବତ ମା’ମାନଙ୍କ ଦ୍ଵାରା ନିର୍ଯ୍ୟାତିତ, ନିଷ୍ପେସିତ, ଜର୍ଜରିତ, ପଦଦଳିତ ଓ ଅତ୍ୟାଚାରିତ ହେଉଛନ୍ତି, ତାହା ଏଠାରେ ସମସ୍ତେ ଉଦାହରଣ ଦେଇ କହିଛନ୍ତି । ସମସ୍ତଙ୍କ ମଧ୍ୟରେ ଏକତା ଏହାଦ୍ଵାରା ପ୍ରତିଷ୍ଠିତ ହୋଇପାରିଛି । ସାବତ ଛୁଆମାନଙ୍କ ବିରୁଦ୍ଧରେ ଯେଉଁ ଅମାନୁଷିକ ଅତ୍ୟାଚାର ଚାଲୁଛି, ତାହା ବିରୁଦ୍ଧରେ କେହି ଏପର୍ଯ୍ୟନ୍ତ ସଂଘବଦ୍ଧ ଭାବରେ ସମାଜ ମଧ୍ୟରେ ସ୍ଵର ଉତ୍ତୋଳନ କରିନଥିଲେ । ବର୍ତ୍ତମାନଠାରୁ ଉଦ୍ୟମ ଆରମ୍ଭ ହେବ ବୋଲି ସମସ୍ତଙ୍କର ଆଶାରେ ଅଙ୍କୁରୋଦ୍‌ଗମ ହୋଇପାରୁଛି-

 

ଏ ସଂଘର ନାମ ଷ୍ଟେପ୍‍ ଅସୋସିଏସନ୍‍ ରଖାଯାଇଛି । ଉଜ୍ଜଳକୁ ଏ ସଂଗଠନରେ ମିଶିବାକୁ ଆମନ୍ତ୍ରଣ କରାଯାଇଥିଲା । ସେ ମଧ୍ୟ ଏହାକୁ ରକ୍ଷା କରିଥିଲା । ବଡ଼ ବଡ଼ ହୃଦୟବାନ ବଦାନ୍ୟ ଲୋକମାନେ ଏ ସଂଘ ପାଇଁ ଅର୍ଥ ସାହାଯ୍ୟ କରିଥିଲେ ।

 

ସମସ୍ତେ ନିଜ ନିଜର ଦୁଃଖ ଦୁର୍ଦ୍ଦଶା ବର୍ଣ୍ଣନା କରିଥିଲେ । କିଏ କହିଥିଲା ଯେ ସେ ମାଡ଼ ଖାଇ ଖାଇ କିପରି ତା’ର ହାଡ଼ ଭାଙ୍ଗି ଯାଇଛି । ସେ ଭଙ୍ଗା ହାଡ଼ ଓ ପିଠିର ନୋଳା ପୋଷାକ ଫିଟାଇ ସଭା ମଞ୍ଚଉପରେ ସମସ୍ତଙ୍କୁ ଦେଖାଇ ଏ ଅତ୍ୟାଚାର ବିଷୟରେ କହିଥିଲା । ତାକୁ କିପରି ତା’ର ସାବତ ମା’ କିଛି ଖାଇବାକୁ ନ ଦେଇ ଘରୁ ତଡ଼ିଦିଏ । କିଏ କହେ ସେ ତା’ ସାବତ ମା’ ତା’ ବିରୁଦ୍ଧରେ ତା’ ବାପାକୁ ମିଛ ସତ ଛ’କୁ ନଅ ଯୋଡ଼ି ଅନେକ କଥା କହୁଥିଲା ।

 

କାହାକୁ କିପରି ଚାକର କୁକୁର ପରି ବ୍ୟବହାର ଦେଖାଯାଏ ଓ ଚାକର କୁକୁର ପରି ଖାଇବାକୁ ଦିଆଯାଏ ପାତର ଅନ୍ତର କରି, କାହାକୁ ତା’ ନିଜ ପୈତୃକ ସମ୍ପତ୍ତିରୁ ବଞ୍ଚିତ କରିବା ପାଇଁ କିପରି ଷଡ଼ଯନ୍ତ୍ର ଚାଲେ, କାହାକୁ ନିଜର ସୁଖମୟ ରାସ୍ତାରୁ ବିଚ୍ୟୁତ କରିବା ପାଇଁ ଅହରହ ଚେଷ୍ଟା ଚାଲିଥାଏ, ତାହା ଏ ସଭାରେ ବିଶଦ ଭାବରେ ଅଲୋଚିତ ହୋଇଥିଲା ।

 

ଏଠାରେ ସମସ୍ତେ ଏକମତ ହେଲେ ଯେ ସାବତ ବାପ ଏବଂ ସାବତ ମା’ମାନେ ବଡ଼ ହିଂସ୍ର ଓ କୁଟିଳ । ସେମାନେ ସାବତ ପୁଅର ସୁଖ ଦେଖି ପାରନ୍ତିନି । ସାବତ ପୁଅ ସ୍ଵଚ୍ଛନ୍ଦରେ ରହୁ–ଏହା ସେମାନେ ଚାହାଁନ୍ତି ନାହିଁ । ସେମାନେ ଚାହାଁନ୍ତି ଯେ ତାଙ୍କ ନିଜ ପିଲାମାନେ ସଦାବେଳେ ଭଲରେ ରହନ୍ତୁ ଓ ସାବତ ପିଲାମାନେ ହଇରାଣରେ ପଡ଼ନ୍ତୁ । ସବୁଥିରେ ତାଙ୍କର ନିଜ ପୁଅର ଲାଭ ହେଉ ଓ ସାବତ ପୁଅର କ୍ଷତି ହେଉ । ନିଜ ପୁଅ ସୁନ୍ଦର ହେଉ ଓ ଶିକ୍ଷିତ ହେଉ; କିନ୍ତୁ ସାବତ ପୁଅ ଅସୁନ୍ଦର ହେଉ ଓ ମୂର୍ଖ ହୋଇ ରହୁ । ନିଜ ପୁଅର ନାଁ ହେଉ ଓ ସାବତ ପୁଅର ଦୁର୍ନାମ ହେଉ-। ଏଇଆ ସେମାନେ ସଦାବେଳେ ଚିନ୍ତା କରନ୍ତି । ଜଣେ କହୁଥିଲା ଯେ ଥରେ ତା’ ସାବତ ମା’ ତାକୁ ଖାଦ୍ୟରେ ବିଷ ଗୋଳାଇ ଦେଇଥିଲା । ସେ ତାକୁ ଖାଇଲାନି ବୋଲି ରକ୍ଷା ପାଇଗଲା । ଏଇଥିରୁ ଅନୁମାନ କରାଯାଏ ଯେ ସାବତ ମା’ମାନେ କେତେ ନୃଶଂସ । ନିଜ ପୁଅଟି କିଛି କାମ ନ କରି ରଜାପୁଅପରି ସବୁବେଳେ ଘରେ ଶୋଉ ଓ ସାବତ ପୁଅ ସବୁବେଳେ ଖଟି ଖଟି ଝାଳନାଳ ହୋଇଗଲେ ବି ତା’ ଉପରେ ସମସ୍ତେ ଅସନ୍ତୁଷ୍ଟ । ଜଣେ କହିଲା ଯେ ସେ ସାବତ ପୁଅ ହୋଇଥିବାରୁ ତାକୁ ପଇସା ଦେଇ କେହି କଲେଜରେ ପାଠ ପଢ଼ାଇଲେ ନାହିଁ । ସେ ମୂର୍ଖ ହୋଇ ରହିଗଲା, କିନ୍ତୁ ତା’ ସାବତ ଭାଇକୁ ଟଙ୍କା ଦିଆଗଲା ମାସକୁ ମାସ । ସେ କଲେଜରେ ପଢ଼ି ବଡ଼ବାବୁ ହେଲା । ଆଉ ଜଣେ ତା’ ନିଜ ଦୁଃଖ-କାହାଣୀ କହିଲା । ତା’ ସାବତ ବାପ ଜଣେ ଚିହ୍ନାଶୁଣା ଲୋକ ଓ ଜଣେ ବଡ଼ ଅଫିସର୍‍ । ତାଙ୍କ ବଡ଼ ବଡ଼ ଅଫିସର୍‍ଙ୍କର ଚିହ୍ନା ପରିଚୟ ବୋଲି ନିଜ ପୁଅ ପାଇଁ ଗୋଟିଏ ବଡ଼ ଚାକିରି ଧରାଧରି କରି କରାଇ ଦେଲେ; କିନ୍ତୁ ତାଙ୍କପାଇଁ ସେ ଆଦୌ ଚେଷ୍ଟା କରିନଥିଲେ । ସେ ଜଣେ ମାତ୍ର ମାମୁଲି ପିଅନ ହୋଇ ରହିଲେ । ଏଥିରେ ତାଙ୍କୁ ଦୁଃଖ ଲାଗିଲା ନାହିଁ । ଜଣେ ଲୋକ କହିଲା ସେ ଜଣେ ସାବତ ମା’ର କୂଟ ଚକ୍ରାନ୍ତରେ ସେ ତାଙ୍କ ଜୀବନରେ ବିଭା ନ ହୋଇ ରହି ଯାଇଛନ୍ତି । ସେ ଯେଉଁଠି ବିଭା ହୋଇଥାନ୍ତେ, ସେଠି ତାଙ୍କ ସାବତ ମା’ଙ୍କ ଭାଇଙ୍କ ପୁଅ ବିଭାହେଲେ । ଜଣେ କହିଲେ ଯେ ତା’ ସାବତ ମା’ ତାକୁ ପାଗଳ ବୋଲି ଭୁଲରେ ପ୍ରଚାର କରିଥିଲେ । କିନ୍ତୁ ପ୍ରକୃତରେ ସେ କଥାକୁ କେହି ଶେଷରେ ଗ୍ରହଣ କରିନଥିଲେ । ତା’ ନିଜ ପୁଅ ଶେଷରେ ପାଗଳ ହେଲା । ଆଉ ଜଣେ କହିଥିଲେ ଯେ ତା’ ସାବତ ମା’ ତାକୁ ଅଣପୁରୁଷା ବୋଲି କହି ସବୁଆଡ଼େ ପ୍ରଚାର କରିଥିଲେ । ଆଉ ଜଣେ ସାବତ ବାପ ତାଙ୍କ ଘରୁ ଚୋରି ଯାଇଥିଲା । ବୋଉ ନିଜ ସାବତ ପୁଅକୁ ପୋଲିସରେ ଦେଇ ସର୍ବସାଧାରଣରେ ତାକୁ ପୋଲିସ୍‍ଦ୍ୱାରା ହାତକଡ଼ି ପକାଇ ବଜାର ମଝିରେ ପାଦରେ ଚଲାଇ ଚଲାଇ ଥାନାକୁ ନେଇଥିଲେ ଓ ଚୋର ପରି ନେଇ ମାଡ଼ ଖୁଆଇଥିଲେ, ଯଦିଓ ସେ ଚୋରି କରିନଥିଲେ ପ୍ରକୃତରେ-

 

ଉଜ୍ଜଳକୁ ସଂଘର ଉପସସଭାପତି କରାଗଲା । ସେ ପ୍ରଥମେ ବହୁତ ନାହିଁ ନାହିଁ କରୁଥିଲା । ଶେଷକୁ ସେ ବାଧ୍ୟ ହୋଇଥିଲା ।

 

ସଭାରେ ମୁଖ୍ୟ ଅତିଥି ଭାଷଣ ଦେଇଥିଲେ । ସଭା ଶେଷ ହୋଇଥିଲା । ଏ ସାବତ ସଂସଦର ସମସ୍ତ ବିବରଣୀ ସମ୍ବାଦପତ୍ର ଏବଂ ବିଭିନ୍ନ ପତ୍ରପତ୍ରିକାରେ ବାହାରିଥିଲା । ଉଜ୍ଜଳର ଫଟୋ ମଧ୍ୟ ବାହାରିଥିଲା ।

 

ଏକଥା ଖୁବ୍‍ ଶୀଘ୍ର ଅରୁଣାଙ୍କ କାନରେ ପଡ଼ିଗଲା । ସେ ଏକଥା ଶୁଣି ଖୁବ୍‍ ଅଧିକ ରାଗିଗଲେ । ସଙ୍ଗେ ସଙ୍ଗେ ତାହା କାର୍ଯ୍ୟରେ ପରିଣତ ହୋଇଗଲା । ମୋଟା ମୋଟା ଲାଲ୍‍ ଲାଲ୍‍ ନୋଳା ଉଜ୍ଜଳ ପିଠିରେ ତିଆର ହୋଇଗଲା । ତା’ ଆଖିରୁ ଅନେକ ଲୁହ ଝରି ଆସିଲା । ହାୟରେ-! ତା’ ବାପା ମା’ ଥିଲେ ସେ କାହିଁକି ସାବତ ପୁଅ ହୋଇଥାନ୍ତା ? କାହିଁକି ଏ ସଂସଦରେ ମିଶିବାକୁ ତାକୁ ଅନୁରୋଧ କରାଯାଇଥାନ୍ତା ? କାହିଁକି ସେ ଉପସଭାପତି ପଦ ପାଇଥାନ୍ତା ? କାହିଁକି ଏ ଖବର ଅରୁଣା ଦେବୀ ପାଇଥାନ୍ତେ ? କାହିଁକି ତା’ ନାଁ ଆଜି ଖବରକାଗଜରେ ବାହାରିଥାନ୍ତା-?

 

କାହିଁକି ସେ କହିଥାନ୍ତେ, ‘‘ତୁ କାହିଁକି ମୋ ପାଖକୁ ଆସିଲୁ ? ତୋତେ ତ ସେଇ ସାବତ ସଂସଦ ପୋଷନ୍ତା ? ଯା ତୁ ଆଉ ମୋ ମୁହଁ ଚାହାଁନି । ସେହିଠାକୁ ଚାଲିଯା । ମୁଁ ତୋତେ ପୋଷିପାରିବିନି । କାହାକୁ ପଚାରିକି ସେଠାକୁ ଯାଇଥିଲୁ ? ମୁଁ କହିଥିଲି ସେଠାରେ ଉପସଭାପତି ହେବାକୁ ? ତୋ ବାପ ତା’ ଜୀବନରେ ବି କେଉଁଠାରେ ଉପସଭାପତି ହୋଇନଥିଲା । ମୋ କାନ ଜାଣିଲା ନାହିଁ, ତୁ ଯାଇ ସଭା କଲୁଣି ମୁଁ ଥାଉଁ ଥାଉଁ । କେଉଁଦିନ ମୁଁ ତୋତେ ସାବତ ପୁଅପରି ଦେଖିଛି, ଭଲ କହିପାରିବୁ ? ତା’ର ଉଦାହରଣ କିଏ ଦେଇପାରିବ ? କାହା ଜିଭରେ ହାଡ଼ କଅଁଳିଲାଣି ସେ କହିଦେବ ପରା ତୋତେ କେଉଁଦିନ ଉପାସ ରଖିଛି କି ଚାକର କୁକୁରଠାରୁ ବଳି ହୀନିମାନ କରିଛି । ସାବତ ପୁଅକୁ କିପରି ହଇରାଣ କରନ୍ତି, ସେ ବିଦ୍ୟା ମୁଁ ବିଲ୍‍କୁଲ୍‍ ଶିଖିନି । ତୋତେ ମୋ ନିଜ ପୁଅଠାରୁ ବି ବଳି ସ୍ନେହ ଦେଖାଇବାର ପ୍ରତିଦାନ କ’ଣ ଏଇଆ ? କହ କ’ଣ ମୋ ବିରୁଦ୍ଧରେ ସେଠାକୁ ଯାଇ ସଭା ମଞ୍ଚ ଉପରେ ଛିଡ଼ା ହୋଇ କହିଛୁ ? ସଫା ସଫା କହିଦେ । ଯାଆ, ବର୍ତ୍ତମାନ ସେ ଉପସଭାପତି ପଦରୁ ଇସ୍ତଫା ଦେଇ ଚାଲିଆ । ନଚେତ୍‍ ତୁ ଏ ଘରେ ପଶିପାରିବୁନି । ଆଜିଠାରୁ ବାହାରେ ରହିବୁ । ତୋ’ପାଇଁ ଏ ଦୁଆର ବନ୍ଦ ।”

 

ଏତେ କଥା କୁହାଗଲା । ଏତେ ମାଡ଼ ହେଲା । ତା’ର ପ୍ରତିକ୍ରିୟା କିପରି ପ୍ରକାଶ ନ ପାଇବ ? ଉଜ୍ଜଳ ତ ବହୁତ ଅଭିମାନୀ । ସଙ୍ଗେ ସଙ୍ଗେ ସେ ଘରୁ ବାହାରି ଆସିଲା ।

 

ଘରେ ସବୁ ଜିନିଷ ଛାଡ଼ି ଏକା ଏକା ସେ ବାହାରକୁ ବାହାରି ଆସିଲା । ସାଙ୍ଗରେ ସେ କିଛି ନେଇ ନ ଥାଏ । କାହାକୁ ସେ ଚାହୁଁ ନ ଥାଏ, ଆଗକୁ ଆଗକୁ ବଢ଼ୁଥାଏ । ଆଖିରୁ ଝରି ଆସୁଥିବା ଧାର ଧାର ଲୁହକୁ ହାତରେ ପୋଛୁଥାଏ । କେଉଁ ରାସ୍ତାରେ ଯିବ, କିଏ ତାକୁ ସାହାଯ୍ୟ ଦେବ ?

 

(୩୦)

 

ନଖାଇ ନପଇ ଉଜ୍ଜଳ ଅନେକ ବାଟ ବୁଲିଲା । ଭୋକ ହେଉଥାଏ । ମାତ୍ର ତା’ପାଇଁ ଖାଇବାକୁ ନ ଥାଏ । ଏ ଦୁନିଆରେ ସମସ୍ତଙ୍କୁ ଭୋକ ହେଉଛି । ସମସ୍ତେ ଖାଉଛନ୍ତି । ମାତ୍ର ସେ ଖାଉନି । ସେ କଷ୍ଟ ପାଉଛି । ତା’ପାଇଁ ଦୁଃଖ କରିବାକୁ କେହି ନାହିଁ । ସେ ବରଂ ମରିଯିବ; କିନ୍ତୁ ଆଉ କ’ଣ ସେ ତା’ ସାବତ ମା’ ପାଖକୁ ଯିବ ?

 

ରାତିରେ ଭୋକ ଉପାସରେ ହାଲିଆ ହୋଇ ଫୁଟପାଥ୍‍ ଉପରେ ଶୋଇପଡ଼ିଲା । ଶୀତ ଦିନ । କେତେ ଶୀତ ହେଉଥିବ ପାହାନ୍ତାକୁ ଅନୁମାନ କରାଯାଇପାରେ । କିନ୍ତୁ ତା’ ଉପରେ ଗରମ ଚାଦରଟିଏ ମଧ୍ୟ କେହି ଘୋଡ଼ାଇ ଦେଇନଥିଲେ । ସେ ଜାକିଜୁକି ହୋଇ ଶୋଇଥିଲା । ସେ ଉଠିଲା ତା’ ଆଗଦିନ ସକାଳେ । ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ହେବାପାଇଁ ସ୍କୁଲ୍‍ ଯାଉଥାନ୍ତି-। ମାତ୍ର ଉଜ୍ଜଳ ଉପରେ କେହି ଦୃଷ୍ଟି ଦେଉନଥାନ୍ତି । ଉଜ୍ଜଳ ଆଖିରୁ ଲୁହ ଝରିପଡ଼ିଲା । ଏକ ହାତରେ ଲୁହକୁ ପୋଛି ସେ ଚିନ୍ତା କଲା, ବର୍ତ୍ତମାନ ସେ କ’ଣ କରିବ ବୋଲି । କାହା ପାଖକୁ ଯିବ-? କିଏ ତାକୁ ଖାଇବାକୁ ଦେବ ? ଚାଲି ଚାଲି ଗୋଡ଼ହାତ ପୀଡ଼ା ହୋଇଯାଇଛି । ଚାଲିବାକୁ ଇଚ୍ଛା ହେଉ ନ ଥାଏ । ପିଠିରେ ନୋଳା ବସି ଦରଜ ହୋଇଥାଏ । ଟିକିଏ ପିଠିକୁ ବୁଲାଇଲେ କାଟୁଥାଏ-। ହାତଗୋଡ଼ ମୁହଁରେ ଧୂଳି ଲାଗିଛି । ପୋଷାକ ମଇଳା ହୋଇଯାଇଛି । ବହୁତ କିଛି ଭାବିଚିନ୍ତି ସେ ଉଠିଲା । ପୁଣି ଚାଲିଲା ଆଗକୁ । ସେ ପ୍ରତିଜ୍ଞା କଲା ଯେ ସେ ଆଉ କେବେହେଲେ ସାବତ ମା’ ପାଖକୁ ଯିବନି । ବରଂ ଏହିପରି ଏଠାରେ ପଡ଼ି ନ ଖାଇ ନ ପିଇ ଶୁଖି ଶୁଖି ତା’ ଜୀବନ ଚାଲିଯିବ ।

 

ସେ ତା’ପରେ କ’ଣ ଲିଂଟାନ୍‍ଙ୍କ ପାଖକୁ ଯିବ ? ମନେପଡ଼ିଗଲା ତାଙ୍କର ସେଦିନର ମାଡ଼ । ସେ ବ୍ରହ୍ମଚାପୁଡ଼ା । ତା’ ଦେହ ଶୀତେଇ ଗଲା । ତା’ ଲୋମ ଠିଆ ଠିଆ ହୋଇଗଲା ।

 

ସେ ପୁଣି ଭାବିବାକୁ ଲାଗିଲା । ତା’ହେଲେ ସେ ସେଠାକୁ ଯିବନି ତ ଅନ୍ୟ କାହା ପାଖକୁ ଯିବ ? ନ ଗଲେ ଆଉ କିଛି ଉପାୟ ନାହିଁ । ଜୀବନରେ ଚଳିବାକୁ ହେଲେ ବହୁତ କିଛି ସହିବାକୁ ପଡ଼େ । ମାଡ଼ ଗାଳି ସହିବାକୁ ପଡ଼ିବ । ତା’ର ନିଜର ବାପ, ମା’ ନାହିଁ । ତେଣୁ ସେ କ’ଣ ପୂର୍ବପରି ସ୍ନେହ ଆଦର ପାଇ ଚଳିବା ସମ୍ଭବପର ?

 

ଏକଥା ଭାବି ଭାବି ସେ ଲିଂଟାନ୍‍ଙ୍କ ଘରଆଡ଼କୁ ଚାଲିଲା । ଅନେକ ସମୟ ପରେ ସେ ଠିକଣା ସ୍ଥାନରେ ପହଞ୍ଚିଲା ।

 

ସେ ଲିଂଟାନ୍‍ଙ୍କ କବାଟ ପାଖକୁ ଗଲା । କବାଟ ବନ୍ଦ ଥିଲା । ସେ ପ୍ରଥମେ ନୀରବ ହୋଇ ଛିଡ଼ା ହୋଇ ଭାବିବାକୁ ଲାଗିଲା, “ମୁଁ କ’ଣ କହିବି ବର୍ତ୍ତମାନ ତାଙ୍କୁ, ସେ ଯଦି ମୋତେ ପଚାରିବେ ତୁ କୁଆଡ଼େ ଆସିଲୁ ? ସେ ମୋତେ କ’ଣ ଚିହ୍ନିପାରିବେନି ? ସେ ଯଦି ତଡ଼ି ଦିଅନ୍ତି ଜାଣି ଜାଣି ନ ଚିହ୍ନି ! ମୁଁ ତ ତାଙ୍କର ନିଜ ପୁଅ ନୁହେଁ ।”

 

ଏକଥା ଭାବି ସେ କିଛି ସମୟ ନୀରବରେ ଛିଡ଼ା ହେଲା । ତା’ପରେ ସେ କବାଟରେ ନକ୍‍ କଲା । ଅଳ୍ପ ସମୟ ମଧ୍ୟରେ ଘର ମଧ୍ୟରୁ ଜଣେ ଲୋକ ବାହାରି ଆସିଲା । ସେ ଉଜ୍ଜଳକୁ ଦେଖି ଆଶ୍ଚର୍ଯ୍ୟ ହୋଇ କହିଲା, “କାହାକୁ ଖୋଜୁଛ ? ତୁମେ କିଏ ?” ଉଜ୍ଜଳ ମଧ୍ୟ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ସେ ଜାଣିଲା ଯେ ସେ ଲିଂଟାନ୍‍ ନୁହନ୍ତି । ଆଉ ଜଣେ ଲୋକ । ଏଠାରେ କିପରି ?

 

ଉଜ୍ଜଳ ପାଟିରୁ ବାହାରିଆସିଲା, ‘‘ଉଜ୍ଜଳ ମୋର ନାଁ, ଏଠାରେ ବାପା ଅଛନ୍ତି କି ?”

 

“ତୁମ ବାପା ?”

 

“ହଁ ସେ ଏଠାରେ ରହୁଥିଲେ ।”

 

‘‘ନା, ଏଠାରେ ଜଣେ ଚାଇନିଜ୍‍ ଲୋକ ରହୁଥିଲେ ଏହା ଆଗରୁ । ସେ ଚାଲିଯିବା ପରେ ମୁଁ ଆସିଅଛି ।’’

 

“ହଁ ସେ ମୋ ସାବତ ବାପା, ତାଙ୍କ ନାମ ଲିଂଟାନ୍‍ ।”

 

“ହଁ ଠିକ୍‍ ଅଛି, ସେ ହିଁ ହେଉଛନ୍ତି ସେହି ଲୋକ । ତାଙ୍କ ନାମ ସେଇଆ । ସେ ଆଉ ଗୋଟିଏ ଘରକୁ ଚାଲିଯାଇଛନ୍ତି । ସେ ଗୋଟିଏ ଛୋଟ ଘରେ ରହିବାକୁ ପସନ୍ଦ କରିଥିଲେ । ଯାହାର ମାସିକ ଭଡ଼ା ଅଳ୍ପ । ତାଙ୍କ ଠିକଣା ମଧ୍ୟ ମୋ ପାଖରେ ଅଛି ।”

 

“ଆପଣ ମୋତେ ତାଙ୍କ ଠିକଣା ଦେଇପାରିଲେ ଖୁବ୍‍ ଭଲ ହୁଅନ୍ତା । ମୋତେ ଦୟାକରି ସେଇଟି ଦିଅନ୍ତୁ । ମୁଁ ତାଙ୍କ ପାଖକୁ ଯିବାକୁ ଚାହେଁ ।”

 

ତା’ପରେ ଲୋକଜଣକ ଭିତରକୁ ଚାଲିଗଲେ । ଅଳ୍ପ ସମୟ ମଧ୍ୟରେ ସେ ଠିକଣା ଆଣି ଆସିଲା । ତାହା ଉଜ୍ଜଳ ଗ୍ରହଣ କଲା ।

 

ତା’ପରେ ଚାଲିଆସିଲା ସେଠାରୁ । ସେହି ଠିକଣାରେ ତାଙ୍କ ଘରଟି ଖୋଜିବାକୁ ତାକୁ ଅଧିକ ସମୟ ଲାଗିନଥିଲା । ସେ ଲିଂଟାନ୍‍ଙ୍କ ପାଖରେ ପହଞ୍ଚିଲା । ଲିଂଟାନ୍‍ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ପଚାରିଥିଲେ, ‘‘କିରେ ଟୋକା କୁଆଡ଼େ ଆସିଲୁ ? ଏତେଦିନକେ ଏଠାରେ ତୋର କି କାମ ପଡ଼ିଲା ? ଆଗରୁ ତ କେବେ ଏଠାକୁ ଆସିବାକୁ ଥରେହେଲେ ମନେପଡ଼ୁନଥିଲା-। କ’ଣ ଅସୁବିଧା ହେଲା ତୋର ? ସେଦିନ ଏମିତି ରାଗିକରି ପଳାଇଲୁ । ମୁଁ ଏଠାରେ ଅଛି ବୋଲି ତୁ କିପରି ଜାଣିଲୁ ? ତୋତେ କିଏ ଖବର ଦେଲା ?”

 

ଉଜ୍ଜଳ କିଛି କହିଲା ନାହିଁ । ଖାଲି ତା’ ଆଖିରୁ ଲୁହ ଝରିଗଲା । ଲିଂଟାନ୍‍ କହିଲେ, ‘‘କିରେ ମୋ ପାଖରେ କାନ୍ଦୁଛୁ କାହିଁକି ? ମୁଁ କ’ଣ ତୋତେ ମାରିଲି ? ମୁଁ ତ ତୋତେ ଭଲରେ ପଚାରୁଛି । ଆଗରୁ ତ କାନ୍ଦୁ ନ ଥିଲୁ ?”

 

କିଛି କହିପାରିଲା ନାହିଁ ଉଜ୍ଜଳ ।

 

“ଆରେ ତୁ କାନ୍ଦୁଛୁ କାହିଁକି ? ତୁ ପରା କ’ଣ କେଉଁଠି ଗୋଟେ ସାବତ ସଂସଦର ଉପସଭାପତି ହୋଇଯାଇଛୁ । ମୁଁ ଦିନେ ଖବରକାଗଜରେ ପଢ଼ୁଥିଲି । ତୁ ସେଠାକୁ ଗଲୁନି । ତୁ ସେଠାରେ ରହି ମନଇଚ୍ଛା କାମ କରିଥାନ୍ତୁ । ଯେଉଁଥିରେ ତୋର ଦୁଃଖ ନ ଥାନ୍ତା । ତୁ ଉପସଭାପତି ହୋଇ କାନ୍ଦୁଛୁ କିପରି ?”

 

ଏଥିରେ ମଧ୍ୟ ଉଜ୍ଜଳ କିଛି ଉତ୍ତର ଦେଲା ନାହିଁ । ସେ ଶେଷରେ ତା’ ଦେହରେ ହୋଇଥିବା ଦାଗ ଦେଖାଇଲା ।

 

“କିଏ ମାରିଲା ?” ପଚାରିଥିଲେ ଲିଂଟାନ୍‍ ମାଡ଼ ଦାଗକୁ ଦେଖି ।

 

“ମା’ ।’’

 

“ତୁ ଏଠାକୁ କାହିଁକ ଆସିଲୁ ? ମାଡ଼ ତ ଖାଇଲୁ । ସହିଥାନ୍ତୁ, ସେଠାରେ ରହିଥାନ୍ତୁ । ଏଠାରେ କ’ଣ ମାଡ଼ ଖାଇବୁନି ? ତୋତେ ସେ କ’ଣ ତୁଚ୍ଛାଟାରେ ମାରୁଥିଲେ ତୁ କିଛି ଦୁଷ୍ଟାମି ନ କରି ?”

 

ଉଜ୍ଜଳ କିଛି କହିନଥିଲା । ନୀରବତାକୁ ଭାଙ୍ଗି ସେ ପୁଣି କହିଲେ, ‘‘ତମର କ’ଣ ସ୍କୁଲ୍‍ ଛୁଟି ହୋଇଛି ?”

 

“ମୁଁ ଆଉ ସେ ସ୍କୁଲରେ ପଢ଼ୁନି ।”

 

“ପଢ଼ୁନୁ ! କାହିଁକି ?”

 

“ମୁଁ ଫେଲ୍ ହୋଇଗଲି ।”

 

“କାହିଁକି ?”

 

“ମୋ’ଦ୍ଵାରା ପାଠ ହେଲାନି । ମୁଁ ପରୀକ୍ଷାରେ କିଛି ଲେଖି ପାରିଲିନି ।”

 

“କାହିଁକି ?”

 

“ମୋ ମନ ଖରାପ ହେଲା । ଏତେ ଅଶାନ୍ତିରେ… ।”

 

“ଓଃ ହଁ, ତାହାହେଲେ ଏତେ କଥା ହୋଇଯାଇଛି । ତା’ହେଲେ ଆଉ କେଉଁଠି ପଢ଼ୁଛୁ-? ନା ପାଠ ପଢ଼ା ବନ୍ଦ ?”

 

ଏସବୁର ଉତ୍ତର ଉଜ୍ଜଳ ସଂକ୍ଷେପରେ ଦେଇଥିଲା । ଲିଂଟାନ୍‍ କିଛି କହିଲେ ନାହିଁ । ରହ କି ନ ରହ କିଛି ନାହିଁ । ସେ ପ୍ରଥମେ କହିଲେ, “ଯାଆ ପ୍ରଥମେ ସେ କିଚିନ୍ ସଫା କରିବୁ ।’’

 

ବାଧ୍ୟହୋଇ ସେ ସଫା କରିବାକୁ ଗଲା । ତାକୁ ଭୀଷଣ ଭୋକ ହେଉଥିଲା । ତାକୁ ସେ ପ୍ରଥମେ କିଛିହେଲେ ଖାଇବାକୁ ଦେଲେ ନାହିଁ । କିଛି ସମୟ ମଧ୍ୟରେ ସେ ସଫା କରି ସାରିବା ପରେ ସେ କହିଲେ, “ଝିଅ ବର୍ତ୍ତମାନ କାନ୍ଦୁଛି । ତାକୁ ଧରି ରଖ । ସମ୍ଭାଳ ।”

 

ସନ୍ଧ୍ୟାବେଳ ମଧ୍ୟ ହେଲା । ତାକୁ ଖାଇବାକୁ ଦିଆଗଲା ନାହିଁ । ଆଠଟା ବାଜିବ ରାତ୍ରି, ଠିକ୍‍ ସେଇଟା ତାଙ୍କ ଖାଇବା ସମୟ । ସେହି ସମୟରେ ସେ ଖାଇଲେ ଓ ତାକୁ ଖାଇବାକୁ ଦେଲେ-। ସେ ଏପରି ଦୀର୍ଘ ସମୟ ଧରି ଉପାସ ରହିଥିଲା । ସେଥିପାଇଁ ସେ ଦୟା ପ୍ରକାଶ କରିନଥିଲେ, କେତେ ନିର୍ଦ୍ଦୟ ! ଏ ପିତୃମାତୃହୀନ ବାଳକପ୍ରତି ।

 

ତା’ପରେ ତାକୁ ଶୋଇବାକୁ କୁହାଗଲା । ସେ ତଳେ ଶୋଇଲା । ତା’ପାଇଁ ବିଛଣା ନାହିଁ । ଏ ଶୀତଦିନେ ଘୋଡ଼ାଇ ହେବାପାଇଁ ମଧ୍ୟ ତା’ପାଇଁ ଚାଦର ଖଣ୍ଡେ ଦିଆଗଲା ନାହିଁ । ଏତେ କଷ୍ଟ ସହି ସେ ଏଠାରେ ରହିଲା । ସେ ଆଉ ପାଠ ପଢ଼ିଲା ନାହିଁ ଏଠାରେ । ସବୁଦିନ ଗାଳି ମାଡ଼ ।

 

(୩୧)

 

ଉଜ୍ଜଳର ମନରେ ଟିକିଏ ହେଲେ ଶାନ୍ତି ରହିଲା ନାହିଁ । ତା’ପାଇଁ ଏମିତି କୌଣସି ଦିନ ନ ଥିଲା ଯେଉଁ ଦିନ କି ସେ ମାଡ଼ଗାଳିରୁ ମୁକ୍ତ ରହିପାରୁଥିଲା । ସେ ଟିକିଏ ନିରୋଳା ସମୟ ପାଇଲେ ତା’ ନିଜ ଭାଗ୍ୟକୁ ନିନ୍ଦା କରି ଅନେକ ସମୟ ଆଖିରୁ ଲୁହ ଝରାଏ । ଏଥର ତା’ ଦେହଯାକ ମାଡ଼ଦାଗ ବସିଗଲା । ଅନେକ ସ୍ଥାନ ଫୁଲି ରହିଥାଏ । କେତେ ଜାଗାରେ ମଧ୍ୟ ହାଡ଼ ବୋଧହୁଏ ଭାଙ୍ଗିଯାଇଛି । ଦେହର ବିଭିନ୍ନ ସ୍ଥାନରେ ସେ ପୀଡ଼ା ଅନୁଭବ କରୁଥାଏ । ତା’ର ଚିକିତ୍ସା ନାହିଁ । ଦିନେ ମାଡ଼ ଖାଇ ଖାଇ ମାଡ଼ ଦିଆ ଯାଉଥବା ବାଡ଼ିଟି ଭାଙ୍ଗିଗଲା । ତଥାପି ମାଡ଼ ବନ୍ଦ ହେଲାନି । ସେଦିନ ତା’ ଗୋଡ଼ରେ ମାଡ଼ ବସି ତାହା ଛିଣ୍ଡି ଧାର ଧାର ରକ୍ତ ବାହାରି ଆସିଥିଲା । ତଥାପି ମାଡ଼ ବନ୍ଦ ହୋଇନଥିଲା । ଘରର ଚଟାଣରେ ଟୋପା ଟୋପା ହୋଇ ତା’ ଦେହର ରକ୍ତ ପଡ଼ୁଥାଏ; ସେ ବୋପାଲୋ ମାଆଲୋ ବୋଲି ରଡ଼ି ଛାଡ଼ୁଥାଏ । ସେ ଲିଂଟାନ୍‍କୁ ବହୁତ ଡରି ଯାଉଥିଲା । ଯେପରି ଆଦୌ ଭୁଲ୍‍ ନ ହେବ, ସେଥିପାଇଁ ସବୁବେଳେ ଚେଷ୍ଟା କରୁଥିଲା ।

 

ଦିନ ଆସିଲା, ପରିସ୍ଥିତି ବହୁତ ଅସହ୍ୟ ହୋଇପଡ଼ିଲା ସେ କ’ଣ ଗୋଟିଏ ଜିନିଷ ଆଣୁ ଆଣୁ ଲିଂଟାନ୍‍ଙ୍କ ଝିଅ ସିନି ପାଇଁ ଥିବା ଔଷଧକାଚଟି ତଳେ ପଡ଼ି ଭାଙ୍ଗି ଯାଇଥିଲା । ଲିଂଟାନ୍‍ଙ୍କ ଆଖି ଆଗରେ ଏସବୁ ଘଟିଗଲା । ମନ ମଧ୍ୟରେ ଯେ ସେ କେତେ ଭୀଷଣ ଭାବରେ ରାଗି ଯାଇଥିବେ, ଏକଥା ବାହାରକୁ କିପରି ଜଣାପଡ଼ିବ !

 

ଲିଂଟାନ୍‍ ନିଜ ଚେୟାର୍‍ ଉପରେ ବସିଥିଲେ । ସେ କହିଥିଲେ ଉଜ୍ଜଳକୁ ବହୁତ କଅଁଳେଇ କଅଁଳେଇ, “ଆସ ଉଜ୍ଜଳ । ତମେ ମୋ ପାଖକୁ ଆସ । ସୁନା ପୁଅ ମୋର ।”

 

ଉଜ୍ଜଳ ପ୍ରଥମେ ଡରି ଯାଇଥିଲା; କିନ୍ତୁ ଏପରି କଅଁଳିଆ କଥା ଶୁଣି ସେ ଭାବିଲା ଯେ ସେ ବୋଧହୁଏ ଏ ଭୁଲ୍‍ ପାଇଁ କ୍ଷମା ପାଇଯିବ । ଆଉ ଆଜି ସେତେ ମାଡ଼ ଖାଇବନି ।

 

ସେ ସାହସ କରି ଲିଂଟାନ୍‍ଙ୍କ ପାଖକୁ ଯାଇଥିଲା । ସେ କହିଥିଲେ, “କୁହ ଆଜି କିପରି ଭାବରେ ତୁମ ବାପାଙ୍କୁ ତୁମେ ଅଧିକ ସାହାଯ୍ୟ କରି ପାରିଛ ? କିପରି ତାଙ୍କ ଜିନିଷଗୁଡ଼ିକୁ ଅଧିକ ଯତ୍ନରେ ରଖିବାକୁ ଚେଷ୍ଟା କରିଛ ? କିପରି ଭାବରେ ତୁମେ ତାଙ୍କର ଅଧିକ ଲାଭ କରିପାରିଛ ତାଙ୍କର କ୍ଷତିକୁ ରୋକିପାରି ?”

 

ଉଜ୍ଜଳ ଧୀର ସ୍ଥିର ଭାବରେ ତଳକୁ ମୁହଁ ପୋତି ଛିଡ଼ା ହେଲା । ସଙ୍ଗେ ସଙ୍ଗେ ସେ ଅନୁଭବ କରିପାରିଲା ଏକ ପ୍ରଚଣ୍ଡ ଆଘାତ, ତା’ ମୁଣ୍ଡ ଖୁବ୍‍ ଜୋରରେ କାନ୍ଥରେ ବାଡ଼େଇ ହୋଇଗଲା । ସେହିଥିରେ ସେ ତଳେ ପଡ଼ିଗଲା । ପ୍ରଥମେ ତା’ ମୁହଁଯାକ ଧଳା ପଡ଼ିଗଲା । ତା’ପରେ ଧଳା ଅଂଶ କ୍ରମେ କ୍ରମେ ଲାଲ ପଡ଼ିଆସିଲା । ମୁହଁଯାକ ରକ୍ତ, ଏଥର ଲିଂଟାନ୍‍ ତାଙ୍କ ନିଜର ଶକ୍ତ ହାତ ମୁଠାରେ ଉଜ୍ଜଳର ବାଳକୁ ଧରି ଉପରକୁ ଉଠାଇଲେ । ତା’ପରେ ସେ ପୁଣି ଅନୁଭବ କଲା ଆଉ ଏକ ପ୍ରଚଣ୍ଡ ଆଘାତ । ତା’ ପାଟିରୁ ଭକ୍ ଭକ୍ ହୋଇ ଅନେକ ରକ୍ତ ବାହାରି ଆସିଲା । ତା’ ମୁଣ୍ଡ ଘୂରି ଯାଉଥାଏ, ତାକୁ ଅନ୍ଧପରି ଲାଗୁଥାଏ । ସବୁ ଅନ୍ଧାର I କ’ଣ ଯେ ତା’ର ହେଉଛି ସେ ଜାଣିପାରୁନଥାଏ । ଏତେ ଯେ କଷ୍ଟ ସହିବାକୁ ତା’ ଭାଗ୍ୟରେ ଅଛି ! ଆଖି କାନ ବୁଜି ସେ ଏଥିରୁ ରକ୍ଷାପାଇବାକୁ କୁଆଡ଼େ ଖସି ଚାଲିଯିବାକୁ ବୋଧହୁଏ ଭାବିଲା । ବୋପାଲୋ ମାଆଲୋ ଚିତ୍କାର, ତା’ର ରକ୍ତପୂର୍ଣ୍ଣ ପାଟିରୁ ବାହାରୁ ନ ଥାଏ । ତା’ ମୁଣ୍ଡରୁ ଅଧିକରୁ ଅଧିକ ରକ୍ତସ୍ରାବ ହେଉଥାଏ । ସେ ଗୋଡ଼ ବଢ଼ାଇଲା ଘରୁ ବାହାରକୁ ଯିବାକୁ । ସେ ଏହିପରି କଷ୍ଟେ ମଷ୍ଟେ ଅନ୍ଧାର ଘରେ ଅଣ୍ଡାଳି ଅଣ୍ଡାଳି ଗଲାପରି ଦାଣ୍ଡଦୁଆର ପର୍ଯ୍ୟନ୍ତ ମାଡ଼ି ଚାଲିଥିଲା ।

 

ସଙ୍ଗେ ସଙ୍ଗେ ଲିଂଟାନ୍‍ ସେଠାକୁ ଯାଇ ତାକୁ ଧରିପକାଇଲେ ଖସି ପଳାଉଥିବା କୁକୁଡ଼ାକୁ ବଣଭୁଆ ଯେପରି ଧରେ ।

 

ସଙ୍ଗେ ସଙ୍ଗେ ଉଜ୍ଜଳ ଆଉ ଗୋଟିଏ ଆଘାତରେ ତଳେ ପଡ଼ିଗଲା । ତା’ପରେ କ’ଣ ହୋଇଛି ସେ ଜାଣେନା । ତା’ ଚେତା ବୁଡ଼ିଯାଉଛି ।

 

ଅନେକ ସମୟ ପରେ ତା’ ଚେତା ଫେରି ଆସିଛି । ସେ ଯେତେବେଳେ ଆଖି ଖୋଲିଛି, ସେତିକିବେଳେ ଲିଂଟାନ୍‍ଙ୍କ ବିକଟାଳ ଦୃଶ୍ୟ ଏବଂ ବିଶ୍ଵରୂପ ଦେଖି ପୁଣି ଆତଙ୍କିତ ହୋଇପଡ଼ିଲା । ତା’ କାନରେ ତାଙ୍କ ହିଂସ୍ର ଗର୍ଜନ ପଡ଼ୁଥାଏ । ସେ କହୁଥାନ୍ତି ରାଗ କରି, ‘‘ଗୋଟିଏ ପଇସାର ରୋଜଗାର କରିବୁନି । କିନ୍ତୁ ଦଶ ପନ୍ଦର ଟଙ୍କାର ଗୋଟିଏ ଜିନିଷ ଭାଙ୍ଗି ନଷ୍ଟ କରିଦବୁ ! ତୁ ଆସିବାରୁ ସବୁ ଜିନିଷ ନଷ୍ଟ ହେଉଛି । ଦୁନିଆରେ ରୋଡ଼ ଉପରେ ଏତେ ମଟର ଆକ୍‌ସିଡେଣ୍ଟ ହେଉଛି । ତୋ ଭାଗ୍ୟକୁ ଗୋଟିଏ ହେଲେ ଜୁଟୁ ନାହିଁ ? ତୁ ଗୋଟିଏ ଆକ୍‌ସିଡେଣ୍ଟରେ ମରି ଯାଉନୁ ! କି ତୋ ଉପରେ ବୋମା ପଡ଼ୁନି !”

 

ଏ ମାଡ଼ ସାଙ୍ଗକୁ ଏପରି ଗାଳି, ଟାଣ ଅପମାନ ଓ ନିନ୍ଦା ତାକୁ ବହୁତ ବାଧୁଥିଲା । ପ୍ରକୃତରେ ଏ ମାଡ଼ରେ ତା’ ହାଡ଼ ଭାଙ୍ଗି ଯାଇଥିଲା । ତା’ ମୁହଁରୁ ବାହାରିଥିବା ରକ୍ତ ଶୁଖିଯାଇ ଜମାଟ ବାନ୍ଧି ଯାଇଥିଲା । ବହୁତ କଷ୍ଟରେ ସେ ଉଠି ଛୋଟାଇ ଛୋଟାଇ ବାହାରକୁ ଯାଇଥିଲା । ନିଜର ଖଣ୍ଡିଆ ଖାବରା ହାତରେ ଲୁହ ପୋଛିଥିଲା । ତା’ପରେ ସେ ପ୍ରତିଜ୍ଞା କଲା ଯେ ସେ ଆଉ ଥରେହେଲେ ବି ଏଠାକୁ ଆସିବନି ।

 

ବହୁତ କଷ୍ଟରେ ସେ ଫୁଟପାଥ୍ ଉପରେ ଚାଲିଥାଏ । ତା’ର ଆଜି କେହି ନାହିଁ । ସମସ୍ତେ ତା’ପାଇଁ ପର । ସେ କୁଆଡ଼େ ଯିବ, ସ୍ଥିର କରିନଥିଲା । କିଛି ସମୟ ସେ ଗୋଟିଏ ନିରୋଳା ସ୍ଥାନରେ ବସିଲା । ଏଥର ସେ କ’ଣ କରିବ, କେଉଁ ସ୍ଥାନକୁ ଯିବ ? ସେ ଏହି ପ୍ରଶ୍ନ ତା’ ମନକୁ ପଚାରିଥିଲା । ସେ ଏହାର ଉତ୍ତର ପାଇପାରିନଥିଲା । କିଛି ସ୍ଥିର ହୋଇପାରିଲା ନାହିଁ । ଶେଷରେ ସେ ଚିନ୍ତା କଲା ଯେ ସେ ସେହି ମନ୍ଦିରକୁ ଯିବା ଉଚିତ । ଏପରି ପରିସ୍ଥିତିରେ ସେ ପୂର୍ବରୁ ବିଶ୍ଵାସ ରଖି ଆସିଥିବା ଭଗବାନଙ୍କୁ ଏ ପ୍ରଶ୍ନ ପଚାରିବା ଉଚିତ । ତା’ର ଧାରଣା ଏବଂ ଅନୁମାନ ସେ ନିଶ୍ଚୟ ଏହାର ଉତ୍ତର ଦେବେ ।

 

ସେ ସେହି ମନ୍ଦିରକୁ ଯିବାକୁ ବାହାରିଲା । ଏଠାକୁ ସେ ନିଜ ଦୁଃଖ ଜଣାଇବାକୁ ଏହା ପୂର୍ବରୁ ଅନେକଥର ଆସିଛି । ତା’ର ବଳ ପାଉନଥାଏ । ବହୁତ କଷ୍ଟ ହେଉଥାଏ । ସେ ମନେ କରୁଥାଏ ସତେ ଯେପରି ତା’ ଦେହରେ ଟିକିଏ ହେଲେ ବି ଶକ୍ତି ନାହିଁ । ସେ ସମ୍ପୂର୍ଣ୍ଣଭାବରେ ନିଃଶେଷ ହୋଇଯାଇଛି । ଛୋଟାଇ ଛୋଟାଇ, ଗୋଡ଼କୁ ଘୋଷାରି ଘୋଷାରି ସେ ବହୁତ କଷ୍ଟରେ ଚାଲି ଚାଲି ମନ୍ଦିରରେ ପହଞ୍ଚିଥିଲା । ସେଠାରେ ଥିବା ଭଗବାନଙ୍କ ମୂର୍ତ୍ତି ସାମନାରେ ବସି ସେ ଅନେକ ବେଳ ପର୍ଯ୍ୟନ୍ତ କାନ୍ଦିଥିଲା । ଅନେକ ସମୟ ପର୍ଯ୍ୟନ୍ତ ତା’ ଛାତିରୁ କୋହ ବାହାରୁଥିଲା ।

 

ତା’ପରେ ଉଠି ସେ ଛିଡ଼ା ହୋଇଥିଲା । ତାଙ୍କ ମୂର୍ତ୍ତିର ମୁହଁକୁ ସେ ଚାହିଁଥିଲା । ସେ ନିଜ ଆଖିରୁ ସମସ୍ତ ଲୁହ ପୋଛିପକାଇଲା । ତା’ ଆଖିରୁ ଆଉ ଲୁହ ବହିଲା ନାହିଁ । ଛାତିରୁ ସମସ୍ତ କୋହ ବନ୍ଦ ହୋଇଯାଇଥିଲା । ଭଗବାନଙ୍କ ଆଖିରେ ତା’ର ଆଖି ଦୁଇଟି ପଡ଼ିଲା । ସେ ତାଙ୍କୁ ଯାହା ପଚାରିବାକୁ ଭାବିଥିଲା ତାହା ସେ ମନେ ମନେ ପଚାରିଥିଲା । ସେ ତାଙ୍କଠାରୁ ତା’ର ଉତ୍ତର ଚାହିଁଥିଲା । ସେ ଏହି ଭଗବାନଙ୍କଠାରେ ପୂର୍ବରୁ ଅଟଳ ବିଶ୍ଵାସ ରଖି ଆସିଥିଲା । ସେ ଜାଣିଥିଲା ଯେ ସେ ହିଁ ହେଉଛନ୍ତି ସର୍ବଶକ୍ତିମାନ । ତାଙ୍କ ହାତରେ ସବୁକିଛି ଅଛି । ତାହା ଅତୁଳନୀୟ ।

 

ସଙ୍ଗେ ସଙ୍ଗେ ତା’ ନିଜ ଦେହ ମଧ୍ୟରେ ସେ ଏକ ବିରାଟ ପରିବର୍ତ୍ତନ ଅନୁଭବ କଲା । ସେ ପୂର୍ବରୁ ସମ୍ପୂର୍ଣ୍ଣ ନିଃଶେଷ ହୋଇଯାଉଥିବାର ଭାବୁଥିଲା । ବର୍ତ୍ତମାନ ସେ ଜାଣିପାରିଲା ଯେ ତା’ ଦେହ ପ୍ରଚୁର ଶକ୍ତିରେ ପୂର୍ଣ୍ଣ ହୋଇଉଠୁଛି । ଏସବୁ ପ୍ରଭୁଙ୍କ ଦୟା । ତା’ର ମନରୁ ସମସ୍ତ ଦୁଃଖ କଷ୍ଟ ଲିଭି ଲିଭି ଆସୁଛି । ତା’ ମନ ପ୍ରଫୁଲ୍ଲ ହୋଇ ଆସୁଛି । ସେ ଅନୁଭବ କଲା ଯେ ଭଗବାନ ତା’ପାଇଁ ସାହା ହୋଇଛନ୍ତି । ଭଗବାନ ତା’ ମୁଣ୍ଡ ଉପରେ ତାଙ୍କର ସାହାଯ୍ୟପୂର୍ଣ୍ଣ ହାତ ରଖିଛନ୍ତି । ଭଗବାନ ତାକୁ ନିଜ କୋଳରେ ରଖିଛନ୍ତି ଓ ନିଜ ହାତରେ ତା’ ମୁଣ୍ଡକୁ ଆଉଁସି ଦେଇ ତା’ ଅଲରା ବାଳକୁ ସଜାଡ଼ି ଦେଉଛନ୍ତି । ଭଗବାନଙ୍କ ହାତ ତା’ ଦେହର ସବୁ କ୍ଷତ ଜାଗାମାନଙ୍କରେ ବାଜୁଛି । ତାଙ୍କ ଆଙ୍ଗୁଳି ଯେଉଁ ଜାଗାରେ ବାଜୁଛି ତାହା ସଙ୍ଗେ ସଙ୍ଗେ ଅର୍ଥାତ୍ ଗୋଟିଏ ମୁହୂର୍ତ୍ତରେ ଭଲ ହୋଇଯାଉଛି । ଏଥିରେ ତା’ର ପେଟ ପୂରିଗଲା । ତା’ ମନର ସମସ୍ତ ବେଦନା ଲିଭିଯାଇ କୁଆଡ଼େ ଉଭାଇ ଯାଇଛି । ସେ ଏଥର ଅଧିକରୁ ଅଧିକ ଶକ୍ତିଶାଳୀ ହୋଇଯାଇଥିବାର ଅନୁଭବ କରିପାରିଲା ।

 

ଏଥର ସେ ଟିକିଏ କଡ଼କୁ ଚାହିଁଲା । ସେ ଦେଖିପାରିଲା ଯେ ସେହି ଅନୁପ ବାବୁ କେତେବେଳୁ ଆସି ମନ୍ଦିରର ବାହାର ବେଢ଼ାରେ ଶୋଇଗଲେଣି । ମନ୍ଦିର ପାଖରେ ଜିପ୍‍ଟି କେତେବେଳୁ ଲାଗିଯାଇଛି, ତାକୁ ଏସବୁ ମାଲୁମ ନ ଥିଲା । ତା’ର ଆଖିପଡ଼ିଲା ତାଙ୍କ ଅଣ୍ଟାରେ ବନ୍ଧା ଥିବା ରିଭଲ୍‌ଭର୍‍ । ବହୁତ ଭଲ ରିଭଲ୍‌ଭର୍‍ଟାଏ । ତା’ଛଡ଼ା ତାଙ୍କ ହାତରେ ଗୋଟିଏ ଲମ୍ବା ବନ୍ଧୁକ ଥିଲା ।

 

କ’ଣ ଭାବି ସେ ଅନୁପ ବାବୁଙ୍କ ବହୁତ ପାଖକୁ ଚାଲିଆସିଲା । ସେ ତାଙ୍କୁ ତନ୍ନ ତନ୍ନ କରି ପରୀକ୍ଷା କଲା । ତାଙ୍କୁ ନିଘୋଡ଼ ନିଦ । ପାଟିରୁ ମଦଗନ୍ଧ ବାହାରୁଛି । ସେ ଆଣ୍ଠୁମାଡ଼ି ତାଙ୍କ ନିକଟରେ ବସିଲା । କିଛି ସମୟ ପରେ ସେ ମନ୍ଦିରରୁ ବାହାରି ଚାଲିଆସିଲା ।

 

ସେ ବସରେ ବସି ଲିଂଟାନ୍‍ଙ୍କ ଘରକୁ ଚାଲିଲା । ସେ ପ୍ରତିଜ୍ଞା ଭାଙ୍ଗିଲା । ତାଙ୍କ ଘରେ ପ୍ରବେଶ କଲା । ଲିଂଟାନ୍‍ ଘରେ ବସି ନିଜ ପିଲାକୁ କ୍ଷୀର ପିଆଉଥିଲେ । ଉଜ୍ଜଳକୁ ଦେଖି ଚିଡ଼ିଉଠି କହିଲେ, “କିରେ ଟୋକା, କୁଆଡ଼େ ଯାଇଥିଲୁ ? ପୁଣି କୁଆଡ଼େ ଆସିଲୁ ? ପୁଣି ଆଉ କେତୁଟା ଜିନିଷ ପକାଇ ଭାଙ୍ଗିଦେବାକୁ ଆସିଲୁ କି ?”

 

ଯେ ଏଥିରେ କିଛି ଉତ୍ତର ନ ଦେଇ ଅଳ୍ପ ହସିଥିଲା । ପ୍ରଥମେ ସେ ମୁରୁକି ମୁରୁକି ହସିଥିଲା । ଏହାର ଅର୍ଥ ଲିଂଟାନ୍‍ ରୁଝିପାରିଲେ ନାହିଁ । ସବୁଦିନ ଏତେ ମାଡ଼ ହୁଏ, ଆଜି ପୁଣି ଏତେ ମାଡ଼ ହୋଇଛି, ତାକୁ ଭୁଲି ସେ ତାଙ୍କ ଆଗରେ ଆଜି ହସିବାକୁ ସାହସ କରୁଛି ! ତା’ର ଏତେ ଆସ୍ପର୍ଦ୍ଧା ! ତା’ ଛାଇ ପଡ଼ିଲେ ତାଙ୍କ ନାହି ଡେଇଁବା କଥା–ସେ ତାଙ୍କ ଆଗରେ ହସୁଛି ! ଏଥିରେ ତାଙ୍କର ରାଗ କିପରି ପଞ୍ଚମକୁ ନ ଉଠିବ ?

 

ସେ ଉଜ୍ଜଳର ହସକୁ ଦିନେହେଲେ ବି ଦେଖି ନ ଥିଲେ । ଉଜ୍ଜଳ ତାଙ୍କୁ ସବୁବେଳେ ଡରିକରି ରହୁଥିଲା । ଆଜି ତା’ର ଏ କି ବ୍ୟତିକ୍ରମ ହୋଇଛି ? ପୁଣି ଆଜି ତା’ ଜୀବନରେ ସବୁଠାରୁ ଅଧିକ ମାଡ଼ ଖାଇଛି । ତା’ର ମାଡ଼ ରେକର୍ଡ ଭାଙ୍ଗିଯାଇଛି ।

 

ଲିଂଟାନ୍‍ ସମ୍ଭାଳି ପାରିଲେ ନାହଁ । ସେ କହିଲେ, ‘‘ତୁ ହସୁଛୁ ?”

 

ଏଥର ସେ ହୋ ହୋ ହୋ ହୋ ହୋଇ ଅଧିକ ଜୋରରେ ହସିଉଠିଲା ।

 

“ହେ ହେ ହେ… ।

 

ହୋ ହୋ ହୋ...ହି ହି ହି…

 

ହା ହା ହା…

 

ହୁ ହୁ ହୁ ହା ହା ।”

 

କ୍ରମେ ସେ ଅଧିକରୁ ଅଧିକ ଜୋରରେ ହସିଲା ।

 

ଏହାର ଅର୍ଥ ସେ ବୁଝିପାରିଲେ ନାହିଁ । ସେ ମନେ ମନେ ସ୍ଥିର କରିନେଲେ, ‘‘ହଉ ରହିଥା ଟୋକା ! ମୁଁ ତାକୁ କ୍ଷୀର ପିଆଇସାରେ, ତୋର ସମସ୍ତ ହସ ଛଡ଼ାଇଦେବି ।’’ ସେ ବୁଢ଼ା ତମ୍ପ ପରି ରାଗିକରି ମନେ ମନେ ଫଁ ଫଁ ହେଉଥାନ୍ତି । ସମ୍ପୂର୍ଣ୍ଣଭାବରେ ଚୁପ୍‌ରହି ନିଜ ମନର ରାଗକୁ ସେ ଲୁଚାଇ ରଖିଥାନ୍ତି । ଏତେ ମାଡ଼ ହେଲା । ସେ ଟିକିଏ ହେଲେ ଦବିଲା ନାହିଁ । ସେ ପୁଣି ମୋ ଆଗରେ ହସୁଛି !

 

ତା’ପରେ ସେ କହିଲା, ‘‘ନା ବାପା, ମୁଁ ଆଉ କେବେ ଭୁଲ୍‍ କରିବିନି । ଗୋଟିଏ ହେଲେ ଜିନିଷ ଭାଙ୍ଗିବିନି । ମୁଁ ଆଜିଠାରୁ ଭଲ ପିଲା ହେବି । ଆଦୌ ଦୁଷ୍ଟାମି କରିବିନି । ତୁମ କଥା ଅମାନ୍ୟ କରିବିନି । ଅକ୍ଷରେ ଅକ୍ଷରେ ପାଳନ କରିବି । କିଛି ଭଙ୍ଗାଭଙ୍ଗି କରିବି ନାହିଁ । ଘରର ସବୁଯାକ କାମ ମୁଁ କରିବି । ଝିଅକୁ ଧରିବି ।”

 

ଏଥର ଲିଂଟାନ୍‍ କ’ଣ ଭାବି ତାକୁ କହିବାକୁ ଲାଗିଲେ, “ସାବାସ୍‍, ଏମିତି ହେଲେ ସିନା ତୁ ମୋ ପୁଅ ! ତୁ ଏତେ ମାଡ଼ ଖାଇଲୁ । ସେଥିରେ ତୋ ମନରେ ଦୁଃଖ ନାହିଁ । ଏଇଟା ହେଉଛି ଭଲ ପିଲାର ଲକ୍ଷଣ । ଏଥର ଆଉ ଦୁଷ୍ଟାମି କରିବୁନି ।”

 

‘‘ହଁ, ମୁଁ ଆଉ କେବେ କରିବିନି, ମୋତେ ବିଶ୍ଵାସ କର ବାପା, ମୁଁ ତୁମର ସବୁ ବୋଲ ମାନିବି । ଆଉ ମାଡ଼ ଖାଇବିନି ।” ତା’ପରେ ସେ ହସିଲା, ବହୁତ ହସିଲା । ଲିଂଟାନ୍‍ଙ୍କ ଆଖି ତା’ ଉପରେ ପଡ଼ିଲା । ପିଲାଟା କାହିଁକି ଏତେ ହସୁଛି ? କେଉଁଦିନ ତ ଏତେ ହସୁ ନ ଥିଲା ! ସେ କ’ଣ ଆଉ ପାଗଳ ହୋଇଯାଇଛି !

 

ସେ କହିଲେ, ‘‘ଆରେ, ତୁ କ’ଣ ପାଇଛୁ କିରେ ? ଏତେ ଖୁସି ହୋଇ ଯାଇଛୁ ଯେ ?”

 

‘‘ନା ତ” କହି ପୁଣି ହସିଲା ଏବଂ ତାଙ୍କର ବହୁତ ନିକଟରେ ବସିଲା । ହସିବାର କାରଣ ଲିଂଟାନ୍‍ ଜାଣିପାରିଲେ ନାହିଁ । ଉଜ୍ଜଳ ସଙ୍ଗେ ସଙ୍ଗେ ପଛକୁ ଚାଲିଗଲା । ଧୀରେ ଧୀରେ ସେ ନିଜ ପକେଟ ମଧ୍ୟରୁ ରିଭଲ୍‌ଭର୍‍ଟି ବାହାର କଲା ଯେଉଁଟିକୁ ସେ ଲୁଚାଇ ରଖିଥିଲା । ସଙ୍ଗେ ସଙ୍ଗେ ତାଙ୍କ ପିଠିରେ ସେଇଟିକୁ ଛୁରି ଭଳିଆ ଭୂଷିଦେଇ ଖୁବ୍‍ ଜୋରରେ ଟିପିଦେଲା ।

 

‘‘ଗୁଡ଼ୁମ୍‍, ଗୁଡ଼ୁମ୍‍ ।”

 

ଲିଂଟାନ୍‍ ତଳେ ପଡ଼ିଗଲେ ଆହତ ହୋଇ । ତାଙ୍କ ଛାତିରେ ଗୁଳି ବାଜିଥିଲା । ପିଚ୍ ପିଚ୍ ହୋଇ ରକ୍ତ ବାହାରି ଆସୁଥାଏ । ଗୋଟିଏ ମୁହୂର୍ତ୍ତରେ ତାଙ୍କର ପ୍ରାଣବାୟୁ ଉଡ଼ି ଚାଲିଗଲା ।

 

ଉଜ୍ଜଳ ତାଙ୍କର ମୃତ ଦେହକୁ ଲକ୍ଷ୍ୟ କରି କହିଲା, “ବଦ୍‌ମାସ୍‍କୁ ଉଚିତ ଶାସ୍ତି ହୋଇଛି । ମୋରି ମା’ ତୋରି ଯୋଗୁଁ ମଲେ । ତୁ ମୋ ମା’ଙ୍କୁ ଛଡ଼ାଇ ଆଣିଥିଲୁ ମୋ ବାପାଙ୍କ ପାଖରୁ ।” ତାଙ୍କ ଛୁଆଟି ତଳେ ପଡ଼ି ଛଟପଟ ହେଉଥିଲା । ସେ ବା ଏ ବିଷୟରେ କ’ଣ ଜାଣିପାରିବ ?

 

ଉଜ୍ଜଳ ରିଭଲ୍‌ଭର୍‍କୁ ପୁଣି ନିଜ ପକେଟ ମଧ୍ୟରେ ଲୁଚାଇ ରଖିଲା । ସଙ୍ଗେ ସଙ୍ଗେ ମୁହଁ ବୁଲାଇ କେହି ଏହା ଜାଣିବା ପୂର୍ବରୁ ଧୀରେ ଧୀରେ ଘରୁ ବାହାରି ଚାଲିଆସିଲା । କେହି ତାକୁ ସନ୍ଦେହ କରିନଥିଲେ । ସେ ବସରେ ବସିଲା । ସେ ମନେ ମନେ କହୁଥିଲା, “ଗୋଟିଏ ଷ୍ଟେପ୍ ଗଲା । ଏଥର ଆଉ ଗୋଟିଏ ଷ୍ଟେପ୍ ଅଛି ବାକି ।”

 

ଖୁବ୍‍ କମ୍‍ ସମୟ ମଧ୍ୟରେ ସେ ପହଞ୍ଚିଗଲା ତା’ ସାବତ ମା’ଙ୍କ ଘରେ । ସେ ତାଙ୍କ ଘରେ ପ୍ରବେଶ କରି ଦେଖିଲା ଯେ ସେ ଅଛନ୍ତି । ନିଜେ ବସି ରହି ନିଜ ଛୁଆକୁ କ୍ଷୀର ପିଆଉଛନ୍ତି ।

 

ଲିଂଟାନ୍‍ଙ୍କ ପାଖରେ ସେ ଯେମିତି ହସିଥିଲା ଏଠାରେ ମଧ୍ୟ ଠିକ୍‍ ସେହିପରି ହସିଲା । ହାହାହା, ହିହିହି, ହୁହୁହୁ, ହେହେହେ, ହୋହୋହୋ ହୋଇ । ଏପରି ହସିବାର ଛଳନା, ଏ ଅଭିନୟର ଅର୍ଥକୁ ସେ କିପରି ବୁଝିପାରିବେ ?

 

ଅରୁଣା ବିରକ୍ତ ହୋଇ କହିଲେ, ‘‘ତୁ ପୁଣି ଆସିଲୁ ! ମୁଁ ତୋତେ ସେଦିନ କ’ଣ କହିଥିଲି-? ମୋ ମୁହଁ ଆଉ ଚାହିଁବୁନି । ଏଠାକୁ ଆଉ ଆସିବୁନି । ଥୋବରା ଅଲାଜୁକଙ୍କ ପରି ହସୁଛୁ କାହିଁକି-? କେଉଁଠୁ ଏ ହସ ଶିଖି କରି ଆସିଛୁ, ବଦ୍‌ମାସ୍‍ ?”

 

“ନା ମା’, ମୋତେ ସେଦିନ କହିଥିଲ ଯେ ମୁଁ ପୀଡ଼ିତ ସାବତ ସଂସଦର ଉପସଭାପତି ପଦରୁ ଇସ୍ତଫା ଦେଲେ ଏ ଘରେ ପଶିବି । ନଚେତ୍‍ ପଶିପାରିବନି । ମୁଁ ପରା ଇସ୍ତଫା ଦେଇ ଆସିଛି ।” ଏହା କହି ସେ ପୁଣି ଅଧିକ ଜୋରରେ ହସିଉଠିଲା । ତାକୁ କେହି ରୋକି ପାରିଲେ ନାହିଁ-

 

“ଚୁପ୍‍ କର !”

 

ସେ ଆଦୌ ଚୁପ୍‍ ହେଲାନି । ପୁଣି ହସିଉଠିଲା ଅଧିକ ଜୋରରେ ।

 

‘‘ବନ୍ଦ କର ତୋ ହସ । ମୋତେ ତୋ ହସ ଆଦୌ ଭଲଲାଗୁନି । ବାଡ଼େଇ ବାଡ଼େଇ ତୋ ହାଡ଼ ଚୂନା କରିଦେବି । ଏ ଘରେ ଏପରି ହସ ଚଳିବନି । ମୋତେ ତୁ କ’ଣ ଶସ୍ତା ଦେଖିଲୁ କି-? ମୁଁ ହୁଗୁଳା ଆଉ ନରମ ବୋଲି ଭାବିଛୁ କି ? ଏତେ ମାଡ଼ ହେଲା, ତଥାପି ମୋତେ ଚିହ୍ନି ପାରିଲୁନି ? ଏତେ ଦିନ ପର୍ଯ୍ୟନ୍ତ କେଉଁ ବୋପା ଘରେ ରହିଥୁଲୁ ? ସେଠାରେ ରହିଲୁନି । ଏଠାକୁ ପୁଣି ଚାଲି ଆସିଲୁ କାହିଁକି ? କିଏ ତୋତେ ପୋଷିବ ?” ଏକଥା ଶୁଣି ସେ ଅଧିକ ଜୋରରେ ହସିଉଠିଲା । ଅରୁଣା ଏଥର ପୂରା ଆଶ୍ଚର୍ଯ୍ୟ ହୋଇଗଲେ । ସେ ମନେ ମନେ ଭାବିଲେ, ‘‘ରହ ତୋ ହସ ଛଡ଼ାଇ ଦେବି ଏଇ ବାଡ଼ିରେ । ମୁଁ କ୍ଷୀର ପିଆଇ ସାରିବା ପର୍ଯ୍ୟନ୍ତ ଅପେକ୍ଷା କର । ସବୁଦିନ ପାଇଁ ଏକାବେଳକେ ତୋ ହସ ଛାଡ଼ିଯିବ-।”

 

କିନ୍ତୁ ସେ ଅପେକ୍ଷା କରିନଥିଲା । ସଙ୍ଗେ ସଙ୍ଗେ ସେ ତାଙ୍କ ପଛପଟକୁ ବୁଲି ପକେଟରୁ ରିଭଲ୍‌ଭର୍‌ ବାହାର କରି ତାଙ୍କ ପିଠିରେ ସେଇଟିକୁ ଛୁରି ପରି ଭୁଷିଦେଇ ଦୁଇଟି ଗୁଳି ଟିପିଦେଲା । ସେଇଥିରେ ଅରୁଣା ଶେଷ ।

 

ଖୁବ୍‍ ଉତ୍ତେଜିତ ହୋଇ ଉଜ୍ଜଳ କହିଥିଲା, ‘‘ତୁ ମୋରି ମା’ ? ତୁ ମୋରି ଯଦି ମା’ ହୋଇଥାନ୍ତୁ, ମୋତେ କ’ଣ ଏମିତି ମାରିଥାନ୍ତୁ ? ଏପରି କଷ୍ଟ ଦେଇଥାନ୍ତୁ ! ତୁମରି ଯୋଗୁଁ ମୋ ବାପା ମଲେ । ତୁମରି ଯୋଗୁଁ ସେ ଯୁଦ୍ଧକୁ ଗଲେ । ତୁମେ ତାଙ୍କୁ ରୋକିପାରିନଥିଲ । ତୁମରି ଯୋଗୁଁ ମୋ ମା’ ବାପାଙ୍କଠାରୁ ଅଲଗା ହୋଇଯାଇଥିଲେ । ତୁମପାଇଁ ଏଇଟା ଉପଯୁକ୍ତ ଶାସ୍ତି ।”

 

ସେ ଜାଣିଥିଲା ସେ ତାକୁ କେହି ଏ କାମ ପାଇଁ ଏଠାରେ ସନ୍ଦେହ କରିବାକୁ ନାହାଁନ୍ତି । ଘରର ଚାକରାଣୀ ତ ଘରେ ନାହିଁ । ବୋଧହୁଏ ସେ କୁଆଡ଼େ କେଉଁ କାମ ପାଇଁ ବାହାରକୁ ଯାଇଥିବ । ବର୍ତ୍ତମାନ ଫେରୁଥିବ । ଏଠାରେ ତେଣୁ ଅଧିକ ସମୟ ରହିବା ନିରାପଦ ନୁହେଁ । ସେ ନିଜ ପାଖରେ ଥିବା ରିଭଲ୍‌ଭର୍‌କୁ କାଇଦାରେ ପୁଣି ପକେଟ୍‍ ମଧ୍ୟରେ ଲୁଚାଇ ରଖିଲା । ତା’ପରେ ସେ ସେଠାରୁ ଖସି ଚାଲିଆସିଲା । କେହି ଜାଣିପାରିଲେ ନାହିଁ । ଏଇଟା ଉଜ୍ଜଳର ଅନୁମାନ । ସେଥିପାଇଁ ସେ ଖୁସି । ତା’ ଜୀବନର ସବୁଠାରୁ ବଡ଼ ଦୁଇଜଣ ଶତ୍ରୁଙ୍କର ଆଜି ନିପାତ ହୋଇଛି । ତେଣୁ ତା’ର ଆଜି ହେଉଛି ସବୁଠାରୁ ବଡ଼ ଆନନ୍ଦର ଦିନ । ସେ ଏ ଦିନଟିକୁ କେବେ ଭୁଲିପାରିବନି-। ସେ ଭାବୁଥାଏ ଯେ ଏ ଶାସ୍ତି ସେ ଦେଇନି । ଦେଇଛନ୍ତି ସ୍ୱୟଂ ଭଗବାନ କ୍ରିଷନ୍ ମହାରାଜ-। ସେମାନେ ସେମିତି କାମ କରିଥିଲେ, ସେଥିପାଇଁ ଏ ଦଣ୍ଡ ତାଙ୍କୁ ମିଳିଚି ।

 

ସେ ଭଗବାନଙ୍କୁ ନିଜର ଦୁଃଖ ଜଣାଇଥିଲା; ଭଗବାନ ତାକୁ ଏ ଅସ୍ତ୍ର ଦେଖାଇ ଦେଇଥିଲେ । ମନକୁ ସାହସ ଦେଇଥିଲେ । ଏ କାମ କରିବାକୁ ଉତ୍ସାହ ଦେଇଥିଲେ । ଏ ଅସ୍ତ୍ର ସ୍ଵୟଂ ଭଗବାନଙ୍କର । ସେ ଅସ୍ତ୍ର ଯେଉଁଠାରୁ ଆଣିଥିଲା ସେଇଠାକୁ ନେଇଯିବ । ବାହାରକୁ ବାହାରି ଆସି ସେ ପ୍ରଥମେ ବହୁତ ଖୁସି ହୋଇଯାଇ ମନ ଖୋଲି ହସିଥିଲା । ତାକୁ ଆଜି ଦୁନିଆରେ କେହି ଧରିବେନି । ତା’ର ଏ ଦୃଢ଼ ଧାରଣା । ତାକୁ ଭଗବାନ ପାଖରେ ରହି ସବୁ କାର୍ଯ୍ୟରେ ସାହାଯ୍ୟ କରିବେ ଓ ସବୁ ବିପଦରୁ ଉଦ୍ଧାର କରିବେ ବୋଲି ସେ ଭାବୁଥିଲା ।

 

ସେ ମନ୍ଦିର ମଧ୍ୟକୁ ପ୍ରବେଶ କଲା । ସେଠାରେ ସେହି ଲୋକ ଏପର୍ଯ୍ୟନ୍ତ ସେହିପରି ଶୋଇଛି । ତା’ ନିଦ ଏପର୍ଯ୍ୟନ୍ତ ଭାଙ୍ଗିନି । ପ୍ରଥମେ ସେ ଭଗବାନଙ୍କୁ ମୁଣ୍ଡିଆ ମାରି ସେ ତାକୁ ଏପରି ସାହାଯ୍ୟ କରିଥିବାରୁ ନିଜର କୃତଜ୍ଞତା ଜ୍ଞାପନ କରିଥିଲା । ତା’ ଆଖିରୁ ଲୁହ ଝରି ଆସିଥିଲା । ଭଗବାନ ତାକୁ ଅସ୍ତ୍ର ଯୋଗାଇ ଦେଇଛନ୍ତି । ସେ ପ୍ରଥମେ ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେଇଥିଲା ।

 

ଭଗବାନଙ୍କ ପାଦତଳେ ସେ ରିଭଲ୍‌ଭର୍‌ଟିକୁ ରଖିଲା । ତା’ର ଯେଉଁ ସମୟରେ କେହି ସାହା ନ ଥିଲେ, ଭଗବାନ ନିଜେ ଆସି ସାହା ହୋଇଛନ୍ତି । ତା’ ଜୀବନର ସମସ୍ତ ଦୁଃଖ ପୋଛିପକାଇଛନ୍ତି । ତା’ର ସମସ୍ତ ଶତ୍ରୁଙ୍କୁ ନଷ୍ଟ କରି ଦେଇଛନ୍ତି । ଆଜିଠାରୁ ଆଉ ତା’ ଉପରେ କେହି ରଗିବେନି, ବିରକ୍ତ ହେବେନି, ମାଡ଼ ଗାଳି ଦେବେନି । କେହି ଉପାସ ରଖିବେନି । ଭକ୍ତିରେ ସେ ତାଙ୍କ ପାଦତଳେ ମୁଣ୍ଡ ନୁଆଇଁଲା । ତା’ ଆଖିରୁ ଲୁହ ଝରି ଅସୁଥିଲା ।

 

ତା’ପରେ ସେ ଉଠି ଛିଡ଼ା ହେଲା । ସେ ରିଭଲ୍‌ଭର୍‌ଟିକୁ ଉଠାଇ ଆଣିଲା । ସେ ସ୍ଥିର କଲା ଯେ ଏ ଅସ୍ତ୍ରର କାର୍ଯ୍ୟ ଶେଷ ହେଲା । ଏହାର ଆଉ ପ୍ରୟୋଜନ ନାହିଁ । ସେ କ’ଣ ଏଇଟାକୁ କୁଆଡ଼େ ଫିଙ୍ଗିଦେବ ?

 

ତା’ ମନର ଏପରି ପ୍ରଶ୍ନର କିଏ ଉତ୍ତର ଦେବ ? ପିଲାଳିଆ ବୁଦ୍ଧି, ଏଇଟାକୁ ପ୍ରକୃତରେ କୁଆଡ଼େ ଫୋପାଡ଼ି ଦେଇ ଚାଲି ଯାଇଥିଲେ ହୋଇଥାନ୍ତା, ମାତ୍ର ସେ ତାହା କଲା ନାହିଁ ।

 

ଯେଉଁ ଲୋକ ତାକୁ ଏତେ ସାହାଯ୍ୟ କରିଛି, ତା’ର ଜିନିଷକୁ ନଷ୍ଟ କରିବାଟା ଆଦୌ ଭଲ ନୁହେଁ । ତେଣୁ ସେ ଉଚିତ ସ୍ଥାନରେ ଜିନିଷଟା ରଖିଦେବା ଉଚିତ ।

 

ସେ ପ୍ରକୃତରେ ଅନୁପ ବାବୁଙ୍କ ବେଲ୍‌ଟରୁ ଏ ଗୁଳିଭରା ରିଭଲ୍‌ଭର୍‌ଟି ନେଇଥିଲା । ସେ ତାଙ୍କ ପାଖରେ ଆଣ୍ଠୁମାଡ଼ି ବସି ଏ ଅସ୍ତ୍ରଟି ପୂର୍ବପରି ଯଥା ସ୍ଥାନରେ ରଖି ଦେବାକୁ ଚେଷ୍ଟାକଲା-। ସେ ହେଉଛନ୍ତି ତା’ ବାପାଙ୍କ ସାଙ୍ଗ । ସେ ଏ ଅସ୍ତ୍ରଟି ଯୋଗାଇ ତା’ର ବହୁତ ଉପକାର କରିଛନ୍ତି-। ତା’ ହାତ ଥରୁଥାଏ । ସେ ଏହା ପୂର୍ବରୁ, ଭଗବାନଙ୍କୁ ମୁଣ୍ଡିଆ ମାରିଥିଲା, ‘‘ହେ ଭଗବାନ ତୁମେ ଅନୁପ ବାବୁଙ୍କର ମଙ୍ଗଳ କର ।”

 

ସେ ରିଭଲ୍‌ଭର୍‍ଟିକୁ ଧୀରେ ଧୀରେ ତାଙ୍କ ବେଲ୍‌ଟରେ ରଖିବାକୁ ଚେଷ୍ଟା କରୁଥିବା ସମୟରେ ହଠାତ୍‍ ସେ ଉଠିପଡ଼ି ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇ କହିଲେ, ‘‘କିରେ ଟୋକା ! କ’ଣ କରୁଥିଲୁ ? ମୋ ରିଭଲ୍‌ଭର୍‍ କାହିଁକି ବାହାର କରୁଥିଲୁ ମୋ ବେଲ୍‌ଟରୁ ?” ଏତେବଡ଼ ଦୁର୍ଘଟଣା ପରେ ଅନୁପ ବାବୁ କାହାକୁ କଥାପଦେ କହୁଥିବାର କେହି ଦେଖି ନ ଥିଲେ । ମାତ୍ର ପ୍ରକୃତରେ ଉଜ୍ଜଳକୁ ସେ ଏହା କହିଥିଲେ ଯଦିଓ ସେ ଉଜ୍ଜଳକୁ ଚିହ୍ନିପାରିନଥିଲେ ।

 

ଉଜ୍ଜଳ ଚମକି ପଡ଼ିଲା । ଡରିଯାଇ ଥରି ଥରି ନୀରବ ରହିଲା । ଅନୁପ ବାବୁ ସେଇଟିକୁ ଧରିପକାଇ ଏହାକୁ ଲକ୍ଷ୍ୟ କରି କହିଲେ, ‘‘କିରେ ଏଥିରେ କ’ଣ ରକ୍ତ ଲାଗିଛି ?”

 

ଉଜ୍ଜଳର ଏଥିପ୍ରତି ନଜର ନ ଥିଲା । ଏହା ଶୁଣି ସେ ଅଧିକ ଚମକି ପଡ଼ିଲା । ତା’ ପାଟିରୁ ଏଥର କଥା ବାହାରିଲା ନାହିଁ ।

 

ଅନୁପ ବାବୁ ତା’ପରେ କହିଲେ, ‘‘ଏଇଟା କ’ଣ ଖେଳଘର ପଡ଼ିଛି ? ତୁ ନେଇଥିଲୁ କି ମୁଁ ଶୋଇଥିବା ସମୟରେ ମୋ ଅଣ୍ଟାରୁ ଫିଟାଇ ?”

 

ଉଜ୍ଜଳ ନୀରବ ରହିଲା ।

 

“ଆରେ କହ କୁଆଡ଼େ ନେଇଥିଲୁ ? ସତ କଥା କହ, ନଚେତ୍‍ ତୋତେ ଥାନାକୁ ନେଇଯିବି । ଏଥିରେ ରକ୍ତ କାହିଁକି ଲାଗିଛି ?”

 

ମୁଁ ଏଠାରେ ଅସ୍ତ୍ର ରଖି ଶୋଇ ପଡ଼ି ପ୍ରକୃତରେ ବଡ଼ ଭୁଲ୍‍ କରିଛି; କିନ୍ତୁ ମୁଁ ତ ବଡ଼ ହାଲିଆ ହୋଇ ପଡ଼ିଥିଲି । ସତ କହ ଆରେ ! କାହାକୁ ମାରିଛୁ ! ଏ ତ ମଣିଷ ରକ୍ତ ପରି ଜଣାପଡ଼ୁଚି, ସତ କହ !”

 

“ନା ନା ମୁଁ ନୁହେଁ । ମୁଁ କାହିଁକି ମାରିବି ? ମୁଁ କିଛି କରିନି । ମୁଁ ଖାଲି ଧରୁଥିଲି । ଏଇଟା ବାହାରେ ପଡ଼ିଥିଲା ।’’

 

“ସତ କହ ।”

 

“ନା ।”

 

ତା’ପରେ ଉଜ୍ଜଳ ମନେକଲା ଯେ ସେ ବହୁତ ଶକ୍ତିହୀନ ହୋଇପଡ଼ିଛି । ତା’ ଦେହରେ ଯେଉଁ ଶକ୍ତି ଥିଲା, ତାହା ସବୁ ଶେଷ ହୋଇଯାଇଛି । ତା’ ମୁଣ୍ଡ ଘୂରି ଯାଉଛି । ସେ ବର୍ତ୍ତମାନ ନିଜ ଭୁଲ୍‍ ବୁଝିପାରିଲା । ଅନୁତାପ କଲା । ସେ ଏ ଅସ୍ତ୍ରଟିକୁ କୁଆଡ଼େ ଫୋପାଡ଼ି ଦେଇଥିଲେ ଭଲ ହୋଇଥାନ୍ତା । କିପରି ଏତେବଡ଼ ବିପଦରୁ ଉଦ୍ଧାର ପାଇବ ସେ ? ତା’ର ମନେପଡ଼ିଗଲା ନୀତିଶାସ୍ତ୍ର । ସ୍କୁଲରେ ପାଠପଢ଼ା ହେଉଥିଲା । ମିଛ କହିବା ମହାପାପ । ସେ ଭଲ ପିଲା । ସେ ସ୍କୁଲରେ ସମସ୍ତଙ୍କଠାରୁ ଭଲ ପାଠ ପଢ଼ୁଥିଲା; ସେ ମିଛ କହିବ ? ନା, ସେ ମରିବ ପଛେ ମିଛ କହିବନି । ସେ ଏଥର ଅଳ୍ପ ସାହସ ବାନ୍ଧିଲା । ସେ ଏ ସାମାନ୍ୟ ଜୀବନ ପାଇଁ କାହିଁକି ପଛାଇବ ଯେ ? ସେ ତା’ର ସବୁଯାକ ମୂଳ କାମତକ କରିସାରିଛି । ଆଉ କିଛି ବାକି ନାହିଁ । ଏଥର ଜୀବନ ଗଲେ ଯାଉ । ଏଥିପାଇଁ ଏତେ ଚିନ୍ତା କାହିଁକି ? ସେ ଜେଲ୍‍ ଗଲେ ଯିବ । ଯେଉଁମାନେ ତାକୁ ଏତେ କଷ୍ଟ ଦେଇ ଆସୁଥିଲେ, ସେହିମାନଙ୍କୁ ସେ ମାରିଛି । ସେ ତ ଅନ୍ୟ କାହାକୁ ମାରିନି । ଏଥିପାଇଁ ସେ ଏତେ ଡରିବ କାହିଁକି ? ସେ ସାହସ ବାନ୍ଧିଲା । ସେ ଯାହା କରିଛି ସବୁକଥା ଗୋଟି ଗୋଟି କରି ଫିଟାଇ ସମସ୍ତଙ୍କୁ କହିଦେବ । ସେ ନିଜେ ମରିଲେ ମଧ୍ୟ କିଛି ଦୁଃଖ ନାହିଁ । ଏହା ସେ ଭାବି ଭାବି ତାଙ୍କୁ କହିଲା, “ହଁ, ମୁଁ ମାରିଛି । ମୁଁ ନେଇଛି ରିଭଲ୍‌ଭର୍‍ । ମାତ୍ର ମୁଁ ଏଠାରେ ଆପଣଙ୍କୁ କିଛି କହିବିନି । ମୋତେ ଥାନାକୁ ନେଇ ଚାଲନ୍ତୁ । ମୁଁ ସେହିଠାରେ ଥାନାବାବୁଙ୍କ ଆଗରେ ସବୁକଥା ଫିଟାଇ କହିବି । କାହାକୁ ମାରିଛି, କେଉଁଠି ମାରିଛି ।” ଅନୁପ ବାବୁ ତାକୁ ଥାନା ପର୍ଯ୍ୟନ୍ତ ନେଇଥିଲେ । ଥାନାବାବୁ ତାଙ୍କୁ ପାଖରେ ବସାଇ ଆସିବାର କାରଣ ପଚାରିଥିଲେ ।

 

ସେ କହିଥିଲେ, “ଆଜ୍ଞା, ମୁଁ ମନ୍ଦିରରେ ଶୋଇଥିଲି ନିଦରେ । ଏଇ ପିଲାଟି କେତେବେଳେ ମୋ ବେଲ୍‌ଟରୁ ରିଭଲ୍‌ଭର୍‍ ଫିଟାଇ କୁଆଡ଼େ ନେଇଥିଲା । ସେ ସେଇଟିକୁ ନେଇ ଆସି ଯଥାସ୍ଥାନରେ ରଖିଦେବାକୁ ଚେଷ୍ଟା କଲାବେଳେ ମୋ ନିଦ ଭାଙ୍ଗିଯିବାରୁ ମୁଁ ତାକୁ ଧରିପକାଇଲି । ସେ ଖସି ପଳାଇପାରିଲା ନାହିଁ । ମୁଁ ଦେଖିଲି ଯେ ଏଥିରେ ରକ୍ତ ଲାଗିଛି । ଜଣାପଡ଼ୁଛି ଏଇଟା ମଣିଷରକ୍ତ । ମୁଁ ତାକୁ ସଫା ସଫା ବତାଇ ଦେବାକୁ କହିଲି । ସେ କହିଲା ଯେ ତାକୁ ଥାନାକୁ ନେଲେ ସେଠାରେ ସମସ୍ତଙ୍କ ଆଗରେ ସବୁକଥା ଫିଟାଇ କହିବ । ଅନ୍ୟ କେଉଁଠାରେ ନୁହେଁ ।”

 

“ଆପଣ ରିଭଲ୍‌ଭର୍‍ ବାନ୍ଧି ବାହାରେ ଗୋଟିଏ ଜାଗାରେ କିପରି ଶୋଇଲେ ?”

 

“ଆଜ୍ଞା ମୁଁ କେଉଁଠି ଶୋଇଥାନ୍ତି ?”

 

“ଆପଣଙ୍କ ଘରେ !

 

‘‘ମୋର କ’ଣ ଘର ଅଛି ?’’

 

“ଆଉ ?’’

 

‘‘ତାହା ପରା ଚାଇନିଜ୍‌ମାନଙ୍କ ବୋମା ପଡ଼ିବାଦ୍ୱାର ଧ୍ୱଂସ ହୋଇଯାଇଛି ।’’

 

‘‘କେଉଁ ଜାଗାରେ ଶୋଇଥିଲେ ? ସେ ଜାଗା କ’ଣ ସରକାରଙ୍କର ?”

 

“ନା ସେଇଟା ମୋ ଜାଗା । ମୁଁ ସେ ମନ୍ଦିର ତିଆରି କରିଥିଲି । ଅଧାରୁ ଭାଙ୍ଗିପଡ଼ିଲା ।”

 

“ଓହୋ ତା’ହେଲେ ଆପଣ ବ୍ୟବସାୟୀ ଅନୁପ ବାବୁ ।”

 

“ହଁ ।”

 

“ଆପଣ ଏ ଯେଉଁ ଦାଢ଼ି ଆଜି ଛାଡ଼ିଛନ୍ତି, ସେଇଥିପାଇଁ ମୁଁ ଆପଣଙ୍କୁ ପ୍ରଥମେ ଚିହ୍ନିପାରିଲି ନାହିଁ । ଆପଣଙ୍କ ବିଜିନେସ୍‍ ଆଜି ସବୁ ସେହି ବମ୍ଵାର୍ଡ଼ମେଣ୍ଟରେ ନଷ୍ଟ ହୋଇଯାଇଛି ।”

 

“କେବଳ ବିଜିନେସ୍‍ ନୁହେଁ । ମୋର ସର୍ବସ୍ୱ । ମୋ ପରିବାର, ବଂଶଧର । ସମସ୍ତ ଜିନିଷ; ଆଉ କିଛି ନାହିଁ ।”

 

“ଏଇ ଟୋକା ଆପଣଙ୍କ ଅସ୍ତ୍ରରେ ହାତ ମାରିଥିଲା ?”

 

“ହଁ ।”

 

ତା’ପରେ ଥାନାବାରୁ ଟୋକାକୁ ପଚାରିଲେ, ‘‘କ’ଣ ହେଲା ? ତୋ ନାଁ କ’ଣ ?”

 

“ଉଜ୍ଜଳ ।”

 

‘‘ବାପାଙ୍କ ନାମ ?”

 

‘‘ରାକେଶ୍‌ ବାବୁଙ୍କ ପୁଅ ମୁଁ ।”

 

‘‘ବାପା କ’ଣ କରନ୍ତି ।”

 

“ବାପା ଯୁଦ୍ଧରେ ମରି ଯାଇଛନ୍ତି ।”

 

ଅନୁପ ବାବୁ କହି ଉଠିଲେ, ‘‘ତମେ ଉଜ୍ଜଳ ! ରାକେଶ୍‌ ବାବୁଙ୍କ ପୁଅ ! ରାକେଶ୍‍ ମୋର ସାଙ୍ଗ । ତୁମର ତ ଠିକ୍‍ ତାଙ୍କରି ମୁହଁ । ମୁଁ ତୁମକୁ ତ ଚିହ୍ନିପାରିନଥିଲି । ତୁମେ ସେତେବେଳେ ତୁମ ନିଜ ନାଁ କାହିଁକି କହି ନ ଥିଲ ? ତୁମର କ’ଣ ଅସୁବିଧା ? ଏଇଟାରେ କାହିଁକି ହାତ ମାରିଥିଲ ?” ତୁମ ବାପା ଯୁଦ୍ଧରେ ମରିଯାଇଛନ୍ତି । ମୁଁ ଏ ବିଷୟ ଜାଣି ନ ଥିଲି, ଏତେ ସବୁ ଘଟିଗଲା । ମୋର ତ ନିଜର ସର୍ବସ୍ୱ ଯାଇଛି । ଆଜି ମୁଁ ଏକା ।”

 

ଉଜ୍ଜଳ ସମ୍ମତିର ସହିତ ନୀରବ ରହିଲା ।

 

ଥାନାବାବୁ ପଚାରିଲେ, ‘‘ତୁମେ କାହିଁକି ତାଙ୍କ ଅସ୍ତ୍ରରେ ହାତ ମାରିଥିଲ ?”

 

‘‘ମୁଁ ମଣିଷ ମାରିବାକୁ ନେଇଥିଲି ।’’

 

“ମଣିଷ ?”

 

“ହଁ ।”

 

‘‘କାହାକୁ ମାରିଲ ?”

 

“ମୋ ସାବତ ବାପାକୁ ଏବଂ ମୋ ସାବତ ମା’କୁ ।’’

 

“କାହିଁକି ?”

 

ତା’ପରେ ଉଜ୍ଜଳ ନିଜ ଦେହରୁ ସାର୍ଟ ଆଦି ପୋଷାକ ବାହାର କରି ନିଜ ଦେହରେ ହୋଇଥିବା ବିଭିନ୍ନ ଦାଗକୁ ଦେଖାଇଥିଲା । ଏଗୁଡ଼ିକ ଥିଲା ଅତ୍ୟାଚାରର ଜ୍ୱଳନ୍ତ ପ୍ରତୀକ ଏବଂ ମୂକ ସାକ୍ଷୀ । ଏସବୁ ଦେଖି ଥାନାବାବୁଙ୍କର ଅଳ୍ପ ହୃଦ୍ବୋଧ ହେଲା । ତା’ପରେ ସେ ପଚାରିଥିଲେ, “ତୁମ ବାପା ମରି ଯାଇଛନ୍ତି । ତୁମର ମା’ ?”

 

“ସେ ମଧ୍ୟ ମରି ଯାଇଛନ୍ତି ।”

 

“ତୁମେ ତା’ହେଲେ କେଉଁଠି ରହୁଥିଲ ।”

 

‘‘କେଉଁଠି ନାହିଁ । ଯେଉଁଠିକି ଯାଉଥିଲି ସେଠାରୁ ତଡ଼ା ଖାଉଥିଲି ମାଡ଼ ଗାଳି ଖାଇ । ମୋର ବାପା ଏବଂ ମା’ ଦୁହେଁ ଅଲଗା ହୋଇଯାଇଥିଲେ । ମାଆ ବିଭା ହୋଇଥିଲେ ମୋ ସାବତ ବାପାଙ୍କୁ ।”

 

“ତୁମର ସାବତ ବାପାଙ୍କ ନାମ ?”

 

“ଲିଂଟାନ୍‍ ।”

 

“ଚାଇନିଜ୍‍ ?”

 

“ହଁ ।”

 

‘‘ତୁମର ସାବତ ମା’ଙ୍କ ନାମ ?”

 

“ଅରୁଣା ।”

 

‘‘ତୁମର ମା’ କ’ଣ ଭାରତୀୟ ?”

 

“ନା ।”

 

“ତାହାହେଲେ ?”

 

“ସେ ଚାଇନିଜ୍‍ ।”

 

‘‘ତାଙ୍କ ନା ?”

 

“ଅର୍ଚ୍ଚିଡ଼୍‍ ।”

 

ତା’ପରେ ଥାନାବାବୁ ତାକୁ ଅତ୍ୟାଚାରର ବିଶଦ ବିବରଣୀ ପଚାରିଥିଲେ ଗୋଟି ଗୋଟି କରି । ସେ ସବୁର ଉତ୍ତର ଦେଇଥିଲା । ଅନୁପ ବାବୁଙ୍କଠାରୁ ରିଭଲ୍‌ଭର୍‍ଟିକୁ ରଖି ତାଙ୍କୁ ଛାଡ଼ି ଦିଆଗଲା ଏବଂ ତାଙ୍କୁ ଅନୁରୋଧ କରାଗଲା ଯେ ଦରକାର ପଡ଼ିଲେ ତାଙ୍କୁ ଖୋଜା ପଡ଼ିଲେ ସେ ଏଠରେ ହାଜର ହେବେ । ସେ ସମ୍ମତି ଦେଇ ଚାଲିଗଲେ । ଉଜ୍ଜଳକୁ ହାଜତ୍‍ ମଧ୍ୟରେ ରଖାଗଲା । ତା’ପରେ ପୋଲିସ୍‍ ବିଭାଗ ପକ୍ଷରୁ ଇନ୍‌କ୍ଵାରି ଚାଲିଲା । ଠିକ୍‍ ସମୟରେ ଲିଂଟାନ୍‍ ଓ ଅରୁଣାଙ୍କ ଶବକୁ ବ୍ୟବଚ୍ଛେଦ କରିବାକୁ ପଠାଇ ଦିଆଯାଇଥିଲା । ଏ ହତ୍ୟାକାଣ୍ଡର ଫଟୋଚିତ୍ର ଏବଂ ସମ୍ବାଦ ବିଭିନ୍ନ ଖବରକାଗଜ ଏବଂ ପତ୍ରପତ୍ରିକାରେ ବାହାରିଥିଲା । ଅରୁଣାଙ୍କ ପୁଅ ପ୍ରଭାତ ଏବଂ ଲିଂଟାନ୍‍ଙ୍କ ଝିଅ ସିନିକୁ ଦୁଇଟି ଅନାଥାଶ୍ରମକୁ ପଠାଇ ଦିଆଗଲା ।

 

ଉଜ୍ଜଳକୁ ବିଚାରଳୟକୁ ନିଆଗଲା । ବିଚାରପତିଙ୍କ ଆଗରେ ପୋଲିସ୍‍ ପକ୍ଷରୁ ଓକିଲ ଯୁକ୍ତି କରିଥିଲେ ମାତ୍ର ଉଜ୍ଜଳ ପକ୍ଷରେ କେହି ଓକିଲାତି କରୁନଥିଲେ । ସେ ସବୁ କଥା ମାନିଗଲା । ସବୁ ସତ କହିଲା । ଗୋଟିଏ ହେଲେ ମିଛ ସେ କହି ନ ଥିଲା । ସେ କେବଳ ତା’ ନିଜ ପକ୍ଷରୁ କହିଥିଲା, ତା’ ଉପରେ କିପରି ମାଡ଼ ଗାଳି ହେଉଥିଲା, କିପରି ତାକୁ ଭୋକ ଉପାସରେ ରଖି ଛଟପଟ କରା ଯାଉଥିଲା, କିପରି ତା’ ପାଠପଢ଼ାକୁ ନଷ୍ଟ କରି ଦିଆ ଯାଇଥିଲା, ତାକୁ କିପରି ଚାକର କୁକୁର ପରି ବ୍ୟବହାର ଦେଖାଇ ଘରୁ ବାହାର କରି ଦିଆଯାଇଥିଲା । ଏସବୁ ସେ କହିଥିଲେ ମଧ୍ୟ ତା’ର କିଛି ମୂଲ୍ୟ ରହିଲା ନାହିଁ ।

 

ସବୁ ଶୁଣି ସାରି ବିଚାରପତି ନିଜର ରାୟ ଦେଇଥିଲେ….ଆଜୀବନ କାରାଦଣ୍ଡ ।

 

ଯେଉଁଦିନ ବଚାରପତି ନିଜର ରାୟ ଦେବାର ଥିଲା, ଠିକ୍‍ ସେହି ଦିନ ଆସିଗଲା । ସେଦିନ ଜିଲ୍ଲା ମୁଖ୍ୟ ବିଚାରଳୟ ଲୋକାରଣ୍ୟ ହୋଇଥିଲା । ସମୟ ଦିନ ଏଗାରଟା । ଜିଲ୍ଲା ଜଜ୍‌ଙ୍କ ଇଜ୍‌ଲାସରେ ଏ ହତ୍ୟାକାଣ୍ଡ ବିଚାରର ଶେଷ ଦିନ । ବିଚାରପତିଙ୍କ ରାୟ ଶୁଣିବାକୁ ଏ ଜନସମାବେଶ ।

 

ଜନତାଙ୍କ ପ୍ରତୀକ୍ଷାର ଅବସାନ ଘଟାଇ ମାନ୍ୟବର ଜଜ୍ ସାହେବ ବିଚାରଗୃହରେ ପ୍ରବେଶ କରି ତାଙ୍କର ଆସନ ଗ୍ରହଣ କଲେ । ଜଜ୍‍ ସାହେବଙ୍କ ଆଗମନ ସଙ୍ଗେ ସଙ୍ଗେ ବିଚାରର ଫଳ ଶୁଣିବା ସକାଶେ ଜନତାଙ୍କ ମଧ୍ୟରେ ଚାପା ଗୁଂଜନ ଖେଳିଯାଇଥିଲା । ଟିକ୍-ଟିକ୍-ଟିକ୍ ମିନିଟ୍‍ କଣ୍ଟା କିଛି ସମୟ ଆଗେଇ ଯାଇଥିଲା କଚେରି ଘଣ୍ଟାରେ । ହଠାତ୍‍ ବିଚାରଗୃହରେ ନୀରବତା ଭଙ୍ଗ କରି ଏବଂ ସମସ୍ତ ପ୍ରତୀକ୍ଷାର ଅବସାନ ଘଟାଇ ଜଜ୍‍ ସାହେବ ତାଙ୍କର ରାୟ ପଢ଼ି ଶୁଣାଇବା ଆରମ୍ଭ କଲେ ଗମ୍ଭୀର ସ୍ୱରରେ । ଜଜ୍‍ ସାହେବ ପଢ଼ି ଚାଲିଥିଲେ । ତା’ ସଙ୍ଗେ ସଙ୍ଗେ କାଠଗଡ଼ାରେ ଠିଆ ହୋଇଥିବା ଅପରାଧୀ ଉଜ୍ଜଳ ମୁଖମଣ୍ଡଳରେ ନିରାଶାର ଭାବ ଫୁଟି ଉଠିଥିଲା-। ରାୟର ଶେଷ ଅଂଶଟିକୁ ଜଜ୍‍ ସାହେବ ଘୋଷଣା କଲେ ଯେ ସମସ୍ତ ସାକ୍ଷୀ, ପ୍ରମାଣ, ପାରିପାର୍ଶ୍ୱିକ ପରିସ୍ଥିତି ଏବଂ ବିଚାରରଗତି ଉପରେ ନିର୍ଭର କରି ଉଜ୍ଜଳକୁ ନରହତ୍ୟା ଅଭିଯୋଗରେ ଭାରତୀୟ ପିଙ୍ଗଳ କୋର୍ଡ଼ର ୩୦୨ ଧାରା ଅନୁଯାୟୀ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ । ଏହା ପରେ ପରେ ଜଜ୍‍ ସାହେବ ନିଜର ଖାସ୍ କାମରାକୁ ଫେରିଗଲେ । ଜନତାଙ୍କ ଭିଡ଼ କମିଗଲା । ଯେ ଯେଉଁ ବାଟରେ ଚାଲିଗଲେ । କିନ୍ତୁ ବିଚାରକକ୍ଷର କାଠଗଡ଼ା ଭିତରେ ଥିବା ଅପରାଧୀର ମନବେଦନା ବୁଝିବାକୁ କେହି ରହିଲେ ନାହିଁ ।

 

ଉଜ୍ଜଳ ଏସବୁ ମୁଣ୍ଡପାତି ସହି ନେଇଥିଲା । ଏଇଟା ତା’ପାଇଁ ଯେ କେତେ ବଡ଼ ବିପର୍ଯ୍ୟୟ, ସେ ସଙ୍ଗେ ସଙ୍ଗେ ଆଦୌ ଜାଣିପାରିନଥିଲା । ପୋଲିସ୍‍ ତାକୁ କାଠଗଡ଼ା ମଧ୍ୟରୁ ଆଣି ଜେଲ୍‍ ଭିତରେ ଭର୍ତ୍ତି କରିଥିଲା । ସାବତ ସଂସଦ ତା’ପାଇଁ ଦୁଃଖ ପ୍ରକାଶ କରିଥିଲା । କିନ୍ତୁ ତା’ର କ’ଣ ଆଉ ମୂଲ୍ୟ ରହିପାରିଲା ?

 

(୩୨)

 

ବର୍ଷ ବର୍ଷ ଧରି ଅନେକ ବର୍ଷ ବିତିଛି । ତା’ର କେହି ହିସାବ ରଖି ନାହାଁନ୍ତି । ମଣିଷର ବୟସ ଗଡ଼ିଛି । ସବୁ ଜିନିଷର ଅଳ୍ପ ବହୁତେ ପରିବର୍ତ୍ତନ ହୋଇଛି ନିଶ୍ଚୟ । ମଣିଷର ଯେମିତି ବୟସ ବଢ଼େ, କାନ୍ଥ, ବାଡ଼, ଘରଦ୍ୱାରର ମଧ୍ୟ ବୟସ ବଢ଼େ । ସେଗୁଡ଼ିକ ନ ଦେଖିଲେ ମରାମତି ନ କରି ରହିଗଲେ, କେତେବେଳେ ଛାତରୁ ବର୍ଷା ହେଲେ ପାଣି ଗଳୁଥିବ, କେତେବେଳେ କାନ୍ଥରୁ ଚୂନ ଛାଡ଼ୁଥିବ, କେତେବେଳେ ଝରକା କବାଟ ସବୁ ଦୁର୍ବଳ ହୋଇ ଭାଙ୍ଗି ଯାଉଥିବ, ଏସବୁ ତଦାରଖ କରିବାକୁ ଜେଲ୍‍ ସୁପରିଣ୍ଟେଣ୍ଡେଣ୍ଟ ସନାତନ ବାବୁ ଯାଇଛନ୍ତି ଜେଲ୍‍ ଭିତରକୁ । ଜେଲ୍‍ ଫାଟକ ପାଖରେ ମୁରାରୀ ବସି ଢୁଳାଉ ଥାଏ । ସେ ହେଲା ଜେଲ୍‍ ଗେଟ୍‍କିପର । ତା’ କାମ ହେଲା ଗେଟ୍‍ ଜଗିବା, ଯିଏ ଜେଲ୍‍ ଭିତରେ ପଶିବା କଥା, ତା’ପାଇଁ ଗେଟ୍‍ ଖୋଲିବା ଏବଂ ଯେ ଜେଲ୍‍ରୁ ବାହାରକୁ ଆସିବା କଥା ତାକୁ ବାଟ ଛାଡ଼ିବା ହେଲା ତା’ କାମ । ବାକି ସମୟ ସେଠାରେ ଟୁଲ ଉପରେ ବସି ଢୁଳାଇବା ତା’ର କାମ ।

 

ହଠାତ୍‍ ସବିତା ଗେଟ୍‍ ପାଖକୁ ଚାଲିଆସି ପାଟିକଲା, ‘‘ମୁରାରୀ ଏଇଟା କ’ଣ ରାତି ହୋଇଛି ? ଉଠ ।”

 

ମୁରାରୀ ହସି ହସି ସଙ୍ଗେ ସଙ୍ଗେ ଗେଟ୍‍ ଖୋଲି ପକାଇଲା ଏବଂ ସବିତାକୁ ଭିତରକୁ ନେଇଯାଇ ପୁଣି ଗେଟ୍‍ ବନ୍ଦ କରି ଦେଇ କହିଲା, ‘‘ଆମେ ଘୁମାଇବୁନି ଆଉ କ’ଣ କରିବୁ ? ଆଉ ତ କିଛି କାମ ନାହିଁ । ଗରିବ ଲୋକ, ଛୋଟିଆ ଚାକିରି । ତମେ ସିନା ବଡ଼ ସାହେବଙ୍କ ଝିଅ । ମୋ’ପାଇଁ ତମେ ଗୋଟିଏ ବ୍ୟବସ୍ଥା କରୁନ । ମୁଁ ଆଉ ଏଥର ଆଦୌ ଘୁମାଇବିନି ।’’

 

“କି ବ୍ୟବସ୍ଥା କରିବି ?”

 

“ତୁମ ବାପାଙ୍କୁ କହି ମୋ ଦରମାତକ ବଢ଼ାଇଦିଅନ୍ତନି !”

 

“ସବୁ ଜେଲ୍‍ର ସିପାହୀମାନେ ଯେତିକି ଦରମା ପାଉଛନ୍ତି, ତମେ କ’ଣ ତା’ଠାରୁ ଅଧିକ ପାଇବ ? ତାକୁ ବଢ଼ାଇବାକୁ ସେ କିଏ ? ତାଙ୍କ ହାତରେ କ’ଣ ଅଛି ? ସେଇଟା ତ ସରକାରଙ୍କର ହାତ କଥା ।”

 

“ହଉ, ତମେମାନେ ସବୁ କିଛି କିଛି ଦେବା କଥା ।”

 

“କ’ଣ ଦିଆଯିବ ?”

 

“ଯାହା ପକେଟରେ ଅଛି ।’’

 

“କିଛି ନାହିଁ ।”

 

“ନାହିଁ ? ମିଛ, ତା’ହାଲେ ଘୁମାଇବିନି କିପରି ?’’ ହସି ହସି କହିଲା ମୁରାରୀ । ସଙ୍ଗେ ସଙ୍ଗେ ସବିତା ନିଜ ପକେଟରୁ ଗୋଟିଏ ପାଞ୍ଚଟଙ୍କିଆ ନୋଟ୍‌ଟିଏ ବାହାର କରି ମୁରାରୀକୁ ଦେଇପକାଇଲା । ସଙ୍ଗେ ସଙ୍ଗେ ମୁରାରୀ ନେଇ ନିଜର ପକେଟସ୍ଥ କରିପକାଇଲା । ପୋଖରୀ ପାଖରେ ବସିଥିବା ବଗ ମାଛ ପାଇଲେ ତାକୁ ଯେପରି ସଙ୍ଗେ ସଙ୍ଗେ ଦେଖିଲା ମାତ୍ରେ ନିଜ ଉଦରସ୍ଥ କରି ପକାଏ ।

 

ମୁରାରୀ କହିଲା, “ତୁମେ ଯଦି ସବୁଦିନ ଏମିତି ମୋତେ କିଛି କିଛି ଦିଅନ୍ତ, ମୁଁ କେବେହେଲେ ଶୁଅନ୍ତିନି ।”

 

“ରାତିରେ ବି ?”

 

“ଜମା ନୁହେଁ । ମୁଁ ଚିଆଁଇ ଚିଆଁଇ ମରିଯାଆନ୍ତି ।”

 

ଦୁହେଁ ଏକ ସମୟରେ ହସିଉଠିଲେ ।

 

“ନିଦ ମଣିଷର ଶରୀର ପକ୍ଷେ କେତେ ଦରକାର !”

 

“ମୋ ପକ୍ଷରେ ନିଦଟା ବଡ଼ ନୁହେଁ, ଟଙ୍କାଟା ବଡ଼ । ତୁମ ବାପାଙ୍କ ପରି ଯଦି ମୁଁ ଏ ଜେଲ୍‌ର ବଡ଼ ହାକିମ ହୋଇଥାନ୍ତି, ତା’ହେଲେ ମୁଁ ମନଇଚ୍ଛା ଶୋଇପାରନ୍ତି । ମୋ ଝିଅକୁ ମନଇଚ୍ଛା ଟଙ୍କା ଦେଇପାରନ୍ତି । ମନଇଚ୍ଛା ତା’ପାଇଁ ପୋଷାକପତ୍ର ତିଆରି କରି ଦିଅନ୍ତି ।”

 

କିଛି ନ କହି ସବିତା ନିଜ ହାତଘଡ଼ିକୁ ଚାହିଁ ଚାଲିଗଲା ନିଜ ବାପାଙ୍କ ପାଖକୁ । ସେ ପ୍ରଥମେ ଅଫିସ୍‌କୁ ଗଲା । ସେଠାରେ ସେ ନ ଥିଲେ । ସେ ତାଙ୍କୁ ଖୋଜିବାରୁ ସମସ୍ତେ କହିଲେ ଯେ ସେ ଅପଷ୍ଟେୟାର୍ସରେ ଅଛନ୍ତି । ସେ ଏଥର ଉପରକୁ ଗଲା । ବାପାଙ୍କୁ ସେଠାରେ ଦେଖି କହିଲା, ‘‘ବାପା ତୁମେ ଘରକୁ ଯାଇନ ।”

 

ସେ କହିଲେ, ‘‘ତମର କ’ଣ ଏତେ ଆଗରୁ ଛୁଟି ହୋଇଗଲାଣି ?”

 

‘‘ବାପା, ତମର କ’ଣ ମନେ ନାହିଁ, ଆଜି ପରା ରବିବାର ।”

 

“ଓ, ହଁ, କୁଆଡ଼େ ଆସିଲୁ ?”

 

“ତୁମକୁ ପରା କହିଥିଲି କାଲି ।” ବାପାଙ୍କୁ କୁଣ୍ଢାଇ ପକାଇ ସବିତା କହିଲା ।

 

“କ’ଣ କହିଥିଲୁ ?”

 

‘‘ତୁମର କେତେ ଭୁଲା ମନ ! ମୁଁ ପରା ସିନେମା ଦେଖିବାକୁ ଯିବି ଇଡ଼ା ସାଙ୍ଗରେ ଆଜି-।”

 

“ହଁ ହଁ, ଯା ମା’ ଯା ? ମାଟିନି ସମୟ ହୋଇଗଲାଣି । ସଙ୍ଗେ ସଙ୍ଗେ ସନାତନ ବାବୁ ନିଜ ପକେଟରୁ ପଚାଶଟଙ୍କା ବାହାର କରି ଦେଇ ପକାଇଲେ । ସବିତା ହସି ହସି ତାକୁ ରଖି କହିଲା, “ହଉ ମୁଁ ଯାଉଛି ।”

 

“ଯାଆ । ଶୀଘ୍ର ଫେରି ଆସିବୁ ସନ୍ଧ୍ୟାକୁ, ଡେରି କରିବୁନି ।”

 

“ନା” କହି ସେ ମୁହଁ ବୁଲାଇ ଶୀଘ୍ର ଚାଲିଗଲା ତଳକୁ । ତା’ପରେ ସେ ଗେଟ୍‍ ପାଖକୁ ଚାଲିଗଲା । ମୁରାରୀ ଗେଟ୍‍ ଖୋଲିଦେଲା । ସେ ବାହାରକୁ ବାହାରି ଆସି ସିଧା ଚାଲିଗଲା ଇଡ଼ା ଘରକୁ ।

 

‘ଇଡ଼ା’ ହେଉଛି ମୁରାରୀ ଝିଅ । ସବିତା ଓ ଇଡ଼ା ଦୁହେଁ ଏକା କ୍ଲାସରେ ପାଠ ପଢ଼ନ୍ତି ଟେକନିକାଲ୍‍ ସ୍କୁଲରେ । ସଦାବେଳେ ଏ ଦୁହେଁ ସାଙ୍ଗ ହୋଇ ପଢ଼ନ୍ତି ଓ ସାଙ୍ଗ ହୋଇ ବୁଲନ୍ତି ।

 

ଇଡ଼ା ସବିତାକୁ ନିଜ ଘରେ ବସାଇ ଦେଇ କହିଲା, “ଆମେ ଯିବା ?”

 

“ଆଉ ମୁଁ କୁଆଡ଼େ ଆସିଲି ?”

 

“ଏତେ ଆଗରୁ କ’ଣ ଯିବା ?”

 

‘‘ଯଦି ଟିକେଟ୍‍ ନ ମିଳେ ?”

 

“ପୁଣି ଘଣ୍ଟାଏ ଅଛି ସମୟ । କିଛି ସମୟ ଏଠାରେ ବସି କଥାବାର୍ତ୍ତା ହେବା ।”

 

ଇଡ଼ାର ମା’ ସବିତା ପାଇଁ ଚା’ ବିସ୍କୁଟ୍‍ ଆଣି ଆସିଲା । ସେ ମନା କରୁଥିଲା ପ୍ରଥମେ । ତାକୁ ବାଧ୍ୟ କରିବାରୁ ସେ ଓ ଇଡ଼ା ଦୁହେଁ ଖାଇଲେ । ଏ ସମୟରେ ଇଡ଼ାର ମା’ଙ୍କ ସହିତ ତା’ର ଅନେକ କଥାବାର୍ତ୍ତା ହୋଇଗଲା ।

 

ଇଡ଼ାର ମା’ ସବିତାକୁ କହିଲା‚ ‘‘ତୁମେ ସିନା ସାହେବଙ୍କ ଝିଅ ବୋଲି ମନ‌ଇଚ୍ଛା ସବୁ କଥାରେ ଖର୍ଚ୍ଚ କରିପାରୁଛ ! ଆଉ ଇଏ ତ ଜଣେ ମାମୁଲି ସିପାହୀର ଝିଅ । ତମେ ସବୁଯାକ ବହି ଏକାଥରକେ କିଣି ପାରିଲ । ସେ କୁଆଡ଼େ ଇଡ଼ା ପାଇଁ ଏତକ କିଣିବେ ? ମାଗିଯାଚି ପଢ଼ିବା କଥା-! ମୁଁ କହୁଥିଲି ତା’ ପାଠ ପଢ଼ା ବନ୍ଦକରି ଦେବାକୁ ।”

 

“ନା ମାଉସୀ‚ ସେ କାହିଁକି ପାଠପଢ଼ା ବନ୍ଦ କରିବ ? ସେ ପଢ଼ୁ । ସେ ନ ପଢ଼ିଲେ ମୋ ମନ ଖରାପ ହୋଇଯିବ । ଆମ ଜେଲ୍‍ କଲୋନୀ ଭିତରେ ତା’ଛଡ଼ା ମୋର ଆଉ କେହି ସାଙ୍ଗ ନାହାଁନ୍ତି । ତା’ର ଯେତେବେଳେ ଯାହା ବହି ଦରକାର ମୋ’ଠାରୁ ନେବ ।”

 

‘‘ତମେ କ’ଣ ପଢ଼ିବନି ?’’

 

“ମୁଁ କ’ଣ ସବୁବେଳେ ଏକା ସମୟରେ ସବୁ ବହି ପଢ଼ି ପକାଉଛି ?’’

 

“ଏମିତି ସେ କଷ୍ଟେ ମଷ୍ଟେ ଏଇ ଦୁଇବର୍ଷ ପଢ଼ିଦେଇ ପରୀକ୍ଷା ଦେଇ ସାରିଲେ ତାକୁ ଆଉ ଆମେ ଅଧିକ ପଢ଼ାଇ ପାରିବୁନି ।’’

 

“କାହିଁକି ?”

 

ଆମେ ଗରିବ ଲୋକ କୁଆଡ଼ୁ ପଢ଼ାଇପାରିବୁ ? ତମେ ବଡ଼ ଘରର ଝିଅ ହୋଇ ଆମ ଘରକୁ ଆସିପାରୁଛ । ତମର ଆମର ସମ୍ପର୍କ ରହିଛି । ତମେ ନିଜ ବାପାମା’ର ଗୋଟିଏ ବୋଲି ଝିଅ । ସେ ମଧ୍ୟ ଆମର ଗୋଟିଏ ବୋଲି ଝିଅ । ଆମର ଆଉ କେହିତ ନାହିଁ । ତମର ଏକା ତମ ମା’ ନାହିଁ ।

 

“ତମେ କ’ଣ ମୋ ମା’ ନୁହଁ ମାଉସୀ ?’’

 

ଇଡ଼ା ମା’ଙ୍କର ଆଖି ଛଳଛଳ ହୋଇଗଲା । ସେ କହିଲେ, ‘‘ହଁ ଝିଅ‚ ତମେ ମୋରି ଝିଅ । ଇଡ଼ା ଯେମିତି ତମେ ବି ସେମିତି । ତମ ଦୁହିଁଙ୍କ ମଧ୍ୟରେ କିଛିହେଲେ ଫରକ ନାହିଁ । ଏ ଦୁନିଆରେ ଟଙ୍କା ପଇସା କିଛି ନୁହେଁ ସ୍ନେହ ଆଗରେ । ସ୍ନେହ ହେଉଛି ସବୁଠାରୁ ବଡ଼ ଜିନିଷ ।”

 

ତା’ପରେ ଇଡ଼ା କହିଲା‚ ‘‘ଆଜି ରବିବାର ବୋଲି ସିନେମା ଦେଖିବାକୁ ବାହାରିଛେ । ନଚେତ୍‍ ଦେଖି ପାରନ୍ତେନି । ତା’ପରେ ଏଇଟା ହେଉଛି ଇଂଗ୍ଲିସ୍‍ ଫିଲ୍ମ । ମୋତେ ତ ହିନ୍ଦି ଫିଲ୍ମ କି ଓଡ଼ିଆ ଫିଲ୍ମ ଦେଖିବାକୁ ଆଦୌ ଭଲ ଲାଗେନି ।”

 

“ହିନ୍ଦି କି ଓଡ଼ିଆରେ ସେତେ ଭଲ କରୁନାହାଁନ୍ତି‚ ସେଇଥିପାଇଁ ଭଲଲାଗୁନି । ରୋମିଓ ଆଣ୍ଡ୍‍ ଜୁଲିଏଟ୍‍ ବହୁତ ଭଲ ବୋଲି ସମସ୍ତେ କହୁଛୁନ୍ତି ।”

 

ଇଡ଼ା ସଙ୍ଗେ ସଙ୍ଗେ ନିଜ ପୋଷାକପତ୍ର ପିନ୍ଧି ବାହାରିବାକୁ ପ୍ରସ୍ତୁତ ହେଲା । ଦୁହେଁ ଅଳ୍ପ ସମୟ ମଧ୍ୟରେ ତାଙ୍କ ଘରୁ ବାହାରି ଆସିଲେ । ବସରେ ବସି ସିନେମା ପର୍ଯ୍ୟନ୍ତ ଆସିଲେ । ଠିକ୍‍ ସମୟରେ ଟିକେଟ୍‍ କାଟି ଦୁହେଁ ହଲ୍‍ ଭିତରକୁ ପଶି ନିଜ ନିଜ ସିଟରେ ବସିଲେ ପାଖାପାଖି ହୋଇ-। ଠିକ୍‍ ସମୟରେ ସିନେମା ଦେଖାହେଲା । ଅଢ଼େଇ ଘଣ୍ଟା ପରେ ସିନେମା ସରିଲା ।

 

ଦୁହେଁ ସାଙ୍ଗ ହୋଇ ଫେରି ଆସିଲେ । ଆଖିରୁ ସମସ୍ତଙ୍କର ଲୁହ ଝରି ଆସୁଥିଲା । ପ୍ରେମ କେତେ ମହାନ୍‍ । ପ୍ରେମ କେତେ ଭଲ । ପ୍ରେମ କେତେ ପବିତ୍ର । ପ୍ରେମ କେତେ ସ୍ଵର୍ଗୀୟ । ଏଇ ପ୍ରେମ ପାଇଁ ମଣିଷର ଜୀବନ ପରି ବହୁମୂଲ୍ୟ ଜିନିଷ ନଷ୍ଟ ହୋଇଯାଉଛି । ପ୍ରେମ ପାଇଁ ମଣିଷ ଆଖିରୁ କେତେ ଲୁହ ନ ଝରୁଛି ! ଏହି ବିଷୟ ଠିକ୍‍ ଭାବରେ ରୋମିଓ ଆଣ୍ଡ ଜୁଲିଏଟ୍‍ ଫିଲ୍ମରେ ସମସ୍ତେ ଅନୁଭବ କରିପାରିବେ ।

 

ଫେରିବା ବାଟରେ ଇଡ଼ା କହିଲା ସବିତାକୁ‚ ‘‘ପ୍ରକୃତରେ ପ୍ରେମ କିପରି ଜିନିଷ ଆମେ ଜାଣିବାକୁ ଭଗବାନ ସୁଯୋଗ ଦେଲେ ନାହିଁ ।”

 

“ଆମ ଭାଗ୍ୟରେ ନାହିଁ ।’’

 

“କ୍ଲାସରେ ଆମ ଦୁଇଜଣଙ୍କ ଛଡ଼ା ସବୁଦିନ ଅନ୍ୟ ସମସ୍ତଙ୍କ ପାଖକୁ ଚିଠି ଆସେ । ସମସ୍ତଙ୍କର ବି ଅତି କମରେ ଜଣେ ବୟଫ୍ରେଣ୍ଡ୍‍ ଅଛନ୍ତି । କିନ୍ତୁ ଆମ ଦୁଇଜଣଙ୍କର ନାହିଁ । ସମସ୍ତେ ଚିଠି ଲେଖନ୍ତି ଆମ ଛଡ଼ା । ପୋଷ୍ଟମ୍ୟାନ୍‍ ସମସ୍ତଙ୍କୁ ଚିଠି ଦିଏ ଆମକୁ ଛାଡ଼ିଦେଲେ ।”

 

“ସେକଥା କାହିଁକି ଆଲୋଚନା ପଡ଼ିଛି ? ଆମକୁ କୌଣସି ବୟଫ୍ରେଣ୍ଡ୍‍ ଚାହିଁବେନି । କାରଣ ଆମ ରୂପ ଖରାପ । ଏମିତି ଆଲୋଚନା କରିଦେଲେ କ’ଣ ଆମ ରୂପ ବଦଳିଯିବ ?”

 

ପ୍ରକୃତରେ ଏସବୁ କଥାବାର୍ତ୍ତା ଏ ଦୁଇଜଣଙ୍କର ହୃଦୟର କଥା । ଏମାନେ ଯେଉଁ କ୍ଲାସରେ ପାଠ ପଢ଼ନ୍ତି, ସମସ୍ତଙ୍କର ଜଣେ ଜଣେ ବୟଫ୍ରେଣ୍ଡ୍‍ ଅଛନ୍ତି । ମାତ୍ର ଇଡ଼ାର ନାହିଁ କି ସବିତାର ନାହିଁ । ଏଥିପାଇଁ ଏ ଦୁହିଁଙ୍କର ଭୀଷଣ ମନଦୁଃଖ । ଏମାନେ ସବୁଦିନ ଭଲ ଭଲ ପୋଷାକ ପିନ୍ଧି ଆସିବାକୁ ଚେଷ୍ଟା କରନ୍ତି । ଭଲଭାବରେ ନିଜକୁ ମେକ୍‌ଅପ କରି କ୍ଲାସ୍‍କୁ ଆସନ୍ତି । କିନ୍ତୁ ସବୁ ବୃଥା । କିଛି ଲାଭ ହୁଏନି । ତାଙ୍କପାଇଁ ବୟଫ୍ରେଣ୍ଡ୍‍ ମିଳନ୍ତି ନାହିଁ । ଇଡ଼ା ଗରିବ ଘର ଝିଅ-। ସବିତା ଅପେକ୍ଷାକୃତ ଅଳ୍ପ ଧନୀ ଘରର ଝିଅ । ତେଣୁ ଇଡ଼ା ସେତେ ଅଧିକ ଦାମିକା ପୋଷାକ ପିନ୍ଧିକରି ଆସିପାରେନା । ତଥାପି ସେ ଚେଷ୍ଟା କରେ । ସବିତାର ସବୁଦିନ ନୂଆ ପୋଷାକ-। ହେଲେ କିଛି ଲାଭ ନାହିଁ; କିନ୍ତୁ କାହିଁକି ? ତା’ ଭାଗ୍ୟରେ ଯେ କାହିଁକି ଜଣେ କେହି ଜୁଟିଲନି ? ଏ କଥା ସେ ଏକା ଏକା ଅନେକଥର ଚିନ୍ତା କରେ‌ ।

 

ସିନେମା ଦେଖି ସାରିବା ପରେ ସବିତା ତା’ ନିଜ ଘରକୁ ଚାଲିଗଲା ଏବଂ ଇଡ଼ା ତା’ ନିଜ ଘରକୁ ଚାଲିଗଲା । ସେତେବେଳକୁ ସନ୍ଧ୍ୟା ସମୟ । ତା’ ବାପା ମୁରାରୀ ଘରକୁ ଆସି ସାରିଥାଏ‚ ଅନ୍ୟକୁ ନିଜ ଚାର୍ଜ ଦେଇ । ସେ ବାପାଙ୍କୁ ଦେଖି କହିଲା‚ “ବାପା ! ମୁଁ ଆଉ ସ୍କୁଲରେ ପାଠ ପଢ଼ିବିନି ।’’

 

“କାହିଁକି ?”

 

“ସ୍କୁଲ୍‍କୁ ଯିବାକୁ ମୋ’ପାଇଁ ବହୁତ ପୋଷାକ ନାହିଁ ।’’

 

“ତୋ’ପାଇଁ ତ ନୂଆ ଦୁଇହଳ ପୋଷାକ ହୋଇଛି ।”

 

‘‘ତାକୁଇ ପିନ୍ଧି କ’ଣ ମୁଁ ସବୁଦିନ ଯିବି ?”

 

‘‘ଗଲେ କ’ଣ ଅସୁବିଧା ହେଉଛି ?”

 

‘‘ମୋ’ପରି ଆମ କ୍ଲାସରେ କେହି ନାହାଁନ୍ତି । ମୁଁ ସେପରି କ୍ଲାସରେ କେମିତି ପଢ଼ିବି ?”

 

‘‘ତୋର କ’ଣ ଦରକାର କହୁନୁ ?”

 

‘‘ମୋ’ପାଇଁ ଅତିକମରେ ଆଉ ଦୁଇ ହଳ ପୋଷାକ ହେବ ।”

 

‘‘ଏଇଥିରେ ଚଳିବାକୁ ଚେଷ୍ଟା କର । ଏଇନେ ଏତେ ପଇସା କାହିଁ ?’’

 

“ସମସ୍ତେ ସବୁଦିନ ନୂଆ ନୂଆ ପୋଷାକ ପିନ୍ଧୁଛନ୍ତି । ମୁଁ ତ ପିନ୍ଧୁନି ।’’

 

‘‘ଦରମା ଦେବାକୁ ପଇସା ନାହିଁ । ପୁଣି ଏତେ ସଉକି ବାହାର କରିବ କାହିଁକି ? କିଏ ପିନ୍ଧୁଛି ସବୁଦିନ ଗୋଟିଏ ଲେଖାଏ ନୂଆ ପୋଷାକ ?”

 

‘‘ସବିତା ।”

 

‘‘ଓଃ‚ ସିଏ ହେଉଛି ବଡ଼ବାବୁଙ୍କ ଝିଅ । ଜେଲ୍‍ ସୁପରିଣ୍ଟେଣ୍ଡେଣ୍ଟଙ୍କ ଝିଅ । ସେ ପିନ୍ଧିଲା ତ କ’ଣ ହେଲା ? ତାଙ୍କର ଅଛି । ତାଙ୍କର ତାଙ୍କ ଛଡ଼ା ଆଉ କିଏ ଅଛି ?”

 

‘‘ତମର ମୋ ଛଡ଼ା ଆଉ କିଏ ଅଛି କି ?”

 

‘‘ତୋ ବାପା ଜଣେ ମାମୁଲି ପୋଲିସ୍‍ କନେଷ୍ଟବଳ ।”

 

“ସବିତା ତା’ ପାସ୍‌ବୁକରେ ଆଜି ପର୍ଯ୍ୟନ୍ତ ପାଞ୍ଚହଜାର ଟଙ୍କା ରଖିଲାଣି । କିନ୍ତୁ ମୋ ପାସ୍‌ବୁକରେ ମୋଟେ ପାଞ୍ଚଶହ ଟଙ୍କା ଜମା ଅଛି । ମୁଁ ଏଠାରେ ପଢ଼ିବିନି ।”

 

“କୁଆଡ଼େ ଆସିବ ? ସବିତା ଆଉ ତୁ ଦୁହେଁ ଏକା କ୍ଲାସରେ ପାଠ ପଢ଼ୁଛ । ତମ ମାଷ୍ଟ୍ରେ ତୋତେ କ’ଣ କହୁଛନ୍ତି ସବିତା ପରି ସବୁଦିନ ନୂଆ ପୋଷାକ ପିନ୍ଧି ପାଠ ପଢ଼ିବାକୁ ଆସିଲେ ଭଲ ପାଠ ହେବ ଏବଂ ପରୀକ୍ଷାରେ ପାସ୍‍ କରିବ ? ଏ ଦେଶକୁ ସ୍ଵାଧୀନ ଆଣିଥିଲେ ଗାନ୍ଧୀ ମହାତ୍ମା । ସେ ଏତେବଡ଼ ଲୋକ । ତାଙ୍କଠାରୁ କ’ଣ ସବିତା ବଡ଼ ? ବଡ଼ ହୋଇପାରେ । ମୁଁ ଜାଣେନା, କିନ୍ତୁ ସେ ହେଉଛନ୍ତି ଜାତିର ଜନକ । ସେ ପିନ୍ଧୁଥିଲେ ଖଦଡ଼ର ଲୁଗା ଖଣ୍ଡେ । ତାଙ୍କଠାରୁ ତମେ ସବୁ କ’ଣ ଶିଖିବ ? ପ୍ରଥମେ ଭଲ ପାଠ ପଢ଼ । ମଣିଷ ହୁଅ । ଅଳ୍ପରେ ଚାଳିବାକୁ ଚେଷ୍ଟା କର ।”

Unknown

 

ଏସବୁ ଉପଦେଶବାଣୀ ଇଡ଼ାକୁ ପିତା ପିତା ଲାଗିଲା । ସେ ଚୁପ୍‍ ରହିଗଲା । ସେ ଏଥର ଭାବିବାକୁ ଲାଗିଲା ଯେ ଦରକାର ନାହିଁ ଆଉ ପ୍ରେମ । ଦରକାର ନାହିଁ ତା’ର ଏତେ ମେକ୍‌ଅପ୍‍ । ଦରକାର ନାହିଁ ତା’ପାଇଁ ସବୁଦିନ ପିନ୍ଧିବାକୁ ଅଧିକ ପୋଷାକ । ଦରକାର ନାହିଁ କୌଣସି ବୟଫ୍ରେଣ୍ଡ୍‍ ଏବଂ ସେ ସବୁଦିନ ପଠାଉଥିବା ଚିଠି ।”

 

ସେ ନିରାଶ ହୋଇ ମନ କଥା ମନରେ ମାରି ଏକା ଏକା କାହାକୁ କଥା ନ କହି ବସିପଡ଼ିଲା ଏକ ଅନ୍ଧାରୁଆ ସ୍ଥାନରେ ।

 

(୩୩)

 

ସବୁଦିନ ପରି କ୍ଲାସ୍‌ର ରିକ୍ରେସନ୍‍ ଟାଇମରେ ପୋଷ୍ଟମ୍ୟାନ୍‍ ଆସି ସବୁ ଝିଅଙ୍କୁ ନିଜ ନିଜର ଚିଠିଟିମାନ ଧରାଇଦେଲା । ତା’ ଚାରିପାଖରେ ଚିଠି ପାଇଁ ଝିଅମାନେ ଘେରି ରହି ଭିଡ଼ ଜମାଇଥାନ୍ତି । ସମସ୍ତଙ୍କ ପରେ ଇଡ଼ାକୁ ଡାକି ପୋଷ୍ଟମ୍ୟାନ୍‍ କହିଲା, “ମିସ୍‍ ଇଡ଼ା ଦାସ ।”

 

ଇଡ଼ା ନିଜ ନାଁ ଶୁଣି ଗହଳି ମଧ୍ୟରୁ ଚାଲିଗଲା । ସେ ଜାଣିଲା ଯେ ତା’ ନାଁରେ ଗୋଟିଏ ଚିଠି ଆସିଛି । ବହୁତ ଆଗ୍ରହରେ ସେ ଚିଠିଟି ଆଣି ଗହଳିରୁ ବାହାରିପଡ଼ିଲା । ସବିତା ଏହା ଦେଖି ଆଶ୍ଚର୍ଯ୍ୟ । ସେ ଇଡ଼ା ପାଖକୁ ଚାଲି ଆସି କହିଲା, “ଇଡ଼ା ! ତୁମ ନାଁରେ କେଉଁଦିନ ଚିଠି ଆସେନି । କିନ୍ତୁ ଆଜି ଅଦିନିଆ !”

 

ଇଡ଼ା ହସି ହସି କହିଲା, ‘‘ଆସିଛି ତ, ଆଉ କ’ଣ ସେଇଟାକୁ ନ ରଖି ଫେରାଇ ଦେବା-?”

 

ଏହା କହି ସେ ସେଇଟିକୁ ଶୀଘ୍ର ଶୀଘ୍ର ଲୁଚାଇ ଲୁଚାଇ ପଢ଼ି ଚାଲିଲା ।

 

ସବିତା କହିଲା, ‘‘ଆଲୋ, କିଏ ଦେଇଛନ୍ତି ?”

 

‘‘ତୁମେ କ’ଣ ପାଇବ ?”

 

‘‘ମୋତେ କହିବନି କିଛି ?”

 

“ପର ଚିଠି କଥା ପଚାରନ୍ତିନି ।”

 

‘‘ପର ଚିଠି ପଢ଼ନ୍ତିନି, କିନ୍ତୁ ପଚାରନ୍ତିନି କାହିଁକି ?”

 

“ମୁଁ ପରେ କହିବି ।” ଏହା କହି ସେ ରହିଗଲା । ସେ ଏ ଚିଠି ବିଷୟ କିଛିହେଲେ କହିଲା ନାହିଁ । ପରେ ମଧ୍ୟ କହିଲା ନାହିଁ । କ୍ଲାସ୍‍ପରେ ସେ ଘରକୁ ଚାଲିଗଲା । ସବିତା ତାକୁ ବାଧ୍ୟ କରିନଥିଲା, ସେ ଅନୁମାନ କରିଥିଲା ଯେ କିଏ ବନ୍ଧୁବାନ୍ଧବ ତାକୁ ଏ ଚିଠି ଦେଇଛି ।

 

ଠିକ୍‍ ଦୁଇଦିନ ପରେ ସବିତା ଦେଖିଲା ଯେ ପୋଷ୍ଟମ୍ୟାନ୍‍ କ୍ଲାସ୍‌ର ସମସ୍ତଙ୍କୁ ଚିଠି ଦେଲାବେଳେ ଇଡ଼ାର ନାଁକୁ ଡାକି ତାକୁ ମଧ୍ୟ ଆଉ ଗୋଟିଏ ଚିଠି ଧରାଇଥିଲା । ଇଡ଼ା ମଧ୍ୟ ଏ ଚିଠି ପାଇବ ବୋଲି ବହୁତ ଉତ୍କଣ୍ଠାର ସହିତ ଚାହିଁ ବସିଥିଲା । କିନ୍ତୁ ଏହା ବାହାର ଲୋକ କିଏ କାହିଁକି ଜାଣିବ ? ମନର ଭାବନା ବାହାରକୁ ପ୍ରକାଶ ପାଇବାର ଉପାୟ ନ ଥାଏ । ସେ ତା’ ଚିଠିଟି ନେଇ ଟିକିଏ ଦୂରକୁ ଚାଲିଯାଇ ଗୋଟିଏ ନିରୋଳା ସ୍ଥାନରେ ବସି ସେଇଟିକୁ ପଢ଼ିଲା ।

 

ସେ ସେଠାରେ ବସିଥିବା ସମୟରେ ସବିତା କେତେବେଳୁ ଯେ ଆସି ତା’ ନିକଟରେ ବସି ସାରିଲାଣି, ତାହା ତାକୁ ମାଲୁମ୍‍ ନ ଥିଲା । ସେ ତ ଚିଠିପଢ଼ାରେ ମଜ୍ଜି ରହିଥିଲା ।

 

ସବିତା କହିଲା, ‘‘ଆଜି କ’ଣ ସେଇ ଦେଇଛନ୍ତି ?”

 

ଇଡ଼ା ଚମକି ପଡ଼ିଲା । ସେ ସବିତାକୁ ଦେଖି ସଙ୍ଗେ ସଙ୍ଗେ ଚିଠିଟିକୁ ଲୁଚାଇ ଦେବାକୁ ଚେଷ୍ଟା କରି କହିଲା, ‘‘ସବିତା !”

 

ସବିତା କହିଲା, “ଆରାମରେ ପଢ଼ । ଲୁଚାଇ ଦିଅନା । ମୁଁ ପଢ଼ି ଦେବିନି କି ପଚାରିବିନି କିଛି ଏ ଚିଠି ବଷୟରେ ।’’

 

ହସି ହସି ଇଡ଼ା ସାହସ ସଞ୍ଚୟ କଲା ।

 

ସବିତା କହିଲା, “ହସୁଛୁ କ’ଣ ? ମୁଁ ଜାଣିସାରିଛି ଯେ ତୁ ମଧ୍ୟ ଏଥର ଆଜିଠାରୁ ସବୁଦିନ ଚିଠି ପାଇବୁ ।”

 

ଗମ୍ଭୀର ହୋଇ କହିଲା ଇଡ଼ା, “ହଁ ।”

 

‘‘ଏସବୁ କିପରି ହେଲା ଇଡ଼ା ? ମୋତେ ତୁ କ’ଣ କହିବୁନି ? ହଉ, ତୁ ଯଦି ଲୁଚାଇ ରଖିବୁ ରଖ । ମୁଁ ତୋ ପ୍ରାଇଭେଟ୍‍ କଥା ପଚାରିବିନି, ତୁ ଯଦି ମାଇଣ୍ଡ କରିବୁ ।”

 

“ଆରେ ନା ମ ! ମୋ ପ୍ରାଇଭେଟ୍‍ କଥା କ’ଣ ତୋ ପ୍ରାଇଭେଟ୍‍ କଥା ସଙ୍ଗେ ସମାନ ନୁହେଁ ? ମୁଁ ଯଦି କହେ ତୁ କ’ଣ ଏଇଟା ଲୁଚାଇ ନ ରଖି ଅନ୍ୟ କାହା ଆଗରେ ପ୍ରକାଶ କରିଦେବୁ-? ନା‚ ତୁ ମୋର ସାଙ୍ଗ‚ ତୁ କେବେ ଏସବୁ କରିବୁନି । ଅନ୍ୟ କାହାକୁ କହିବା ପୂର୍ବରୁ ତୋତେ ମୁଁ ସର୍ବପ୍ରଥମେ ଏସବୁ କହିବି ।”

 

“କେତେ ଦିନ ହେଲା ଏସବୁ ହୋଇଛି ?”

 

“ଖୁବ୍‍ କମ୍‍ ଦିନ ହେବ ।” ବହୁତ ଗର୍ବ କରି କହୁଥାଏ ଇଡ଼ା । ମନଦୁଃଖ କରି ସବିତା କହିଲା‚ ‘‘କ’ଣ ବହୁତ ପାଖରେ ?”

 

“ହଁ ସେମିତି । ଆମ ବିଲ୍‌ଡିଂ ସାମନାରେ ତାଙ୍କ ଘର ।”

 

“ଏତେ ପାଖରେ ?”

 

“ହଁ ।”

 

“ତୋ ବୟଫ୍ରେଣ୍ଡ୍‍ର ନାଁ କ’ଣ ?”

 

ତା’ପରେ ସେ ଚିଠିଟା ସବିତାକୁ ଦେଖାଇଲା । ସେଥିରେ ତା’ ନାଁ ଲେଖାଥିଲା‚ ସବିତା ପଢ଼ିଲା । ଏହାକୁ ପଢ଼ି ତା’ ଆଖି ଛଳଛଳ ହୋଇଗଲା । ନିଜ ଲୁହକୁ ବାହାରକୁ ପ୍ରକାଶ ନ କରି ସେ ଚୁପୁ କରି ରହି ଶେଷରେ ଚିଠିକୁ ବନ୍ଦ କରି କହିଲା‚ ‘‘ସେ କ’ଣ କରନ୍ତି ?”

 

‘‘ତା’ ବି ମୁଁ ଜାଣେନା ।”

 

“କାହିଁକି ?”

 

“ଏତେ କମ୍‍ ଦିନ ହେଲା ଆରମ୍ଭ ହୋଇଛି । ସବୁ କଥା ଜାଣିବା କ’ଣ ସମ୍ଭବ ?”

 

‘‘ତମ ଘର ପାଖ ହୋଇ ମଧ୍ୟ କିଛି ଜାଣିପାରିଲନି ।”

 

“କିପରି ଜାଣିବି ? ସେ କିଏ ? ମୁଁ କିଏ ? ତାଙ୍କର ମୋ ସହିତ କି ସମ୍ପର୍କ ? ଦିନେ ନିଜେ ମୁଁ ଆମ ଘର ଛାତ ଉପରେ ବୁଲୁଥିଲି ସନ୍ଧ୍ୟା ପୂର୍ବରୁ ଏକା ଏକା । ସେ ସେହି ସମୟରେ ମଧ୍ୟ ଏକା ଏକା ବୁଲୁଥିଲେ ତାଙ୍କ ଛାତ ଉପରେ । ତାଙ୍କର ବୋଧହୁଏ ତିନି ତାଲାରେ ରହନ୍ତି ଆମ ଘର ପରି । ତା’ପରେ ତା’ ପରଦିନ ମଧ୍ୟ‚ ଠିକ୍‍ ସେହି ସମୟରେ ତାଙ୍କୁ ସେହିଠାରେ ଦେଖିବାକୁ ପାଇଲି । କିଛିଦିନ ଠିକ୍‍ ଏହିପରି ଯିବାପରେ ସେ ମୋତେ ଦେଖି ନିଜ ହାତ ହଲାଇଲେ । ମୁଁ ମଧ୍ୟ ତାଙ୍କୁ କ’ଣ ଭାବି ରେଷ୍ପଣ୍ଡ କଲି । ଠିକ୍‍ ତା’ ପରଦିନ ମଧ୍ୟ ଏମିତି ଆମ ଦୁହିଁଙ୍କ ମଧ୍ୟରେ ହାତହଲା ଚାଲିଲା । ତା’ପରେ ସବୁଦିନ ଏପରି ହେଲା । ଦିନେ ବାହାରେ ମୁଁ ତାଙ୍କୁ ଦେଖିବାକୁ ପାଇଲି । ସେ ମଧ୍ୟ ମୋତେ ଚିହ୍ନିପାରିଲେ । ସେହି ଦିନଠାରୁ ଆମେ ଦୁହେଁ ପରସ୍ପରଠାରୁ ପରିଚୟ ପାଇଲୁ । ସେ ନିଜ ଠିକଣା ମୋତେ ଦେଲେ ଏବଂ ମୁଁ ତାଙ୍କୁ ମୋ ଠିକଣା ଦେଲି । ତା’ ପରଦିନ ଗୋଟିଏ ଚିଠି ଆସିଥିଲା, ଆଉ ଆଜି ଆଉ ଗୋଟିଏ ।”

 

ଏହା ଶୁଣି ସାରିବାପରେ ସବିତା ନିଜର ଦୁଇ ପାପୁଲି ସାହାଯ୍ୟରେ ନିଜ ମୁହଁକୁ ଘୋଡ଼ାଇଦେଲା ।

 

ଇଡ଼ା କହିଲା, ‘‘ସବିତା !”

 

ସବିତା କିଛି କହିଲା ନାହିଁ । ପୂର୍ବପରି ନିଜର ମୁହଁକୁ ଘୋଡ଼ାଇ ରହିଲା । ଇଡ଼ା ପୁଣି କହିଲା, ‘‘ସବିତା, କ’ଣ ହୋଇଛି ତୁମର ?”

 

ସବିତା ଉତ୍ତର ଦେଲାନି । ତା’ପରେ ସେ ତା’ ମୁହଁରୁ ତା’ ହାତକୁ କାଢ଼ିବାକୁ ଚେଷ୍ଟା କରିଥିଲା । ଏହାପରେ ସେ ସେଠାରୁ ଉଠି ଚାଲି ଆସିଥିଲା । ତା’ ପଛେ ପଛେ ଇଡ଼ା ଚାଲିବାକୁ ଚେଷ୍ଟାକଲା । ଇଡ଼ା ତାକୁ ଧୀରେ ଧୀରେ କହିଲା‚ ‘‘ସବିତା‚ ତୁମେ ମୋ ଉପରେ ରାଗିଛ ? ସବିତା…. ।”

ମାତ୍ର ସେ ଉତ୍ତର ଦେଇନଥିଲା । ସେ ଚାଲି ଯାଇଥିଲା ସ୍କୁଲ୍‍ ବାହାରକୁ । ଇଡ଼ା ମଧ୍ୟ ତା’ ପାଖକୁ ଲାଗିଆସି କହିଲା‚ ‘‘ସବିତା ତୁମେ ଏ ରିକ୍ରେସନରେ ସ୍କୁଲ୍‍ରୁ ବାହାରି କୁଆଡ଼େ ଯାଉଛ-? ଆଉ ତ କ୍ଲାସ୍‍ ଅଛି । କ୍ଲାସ୍ ତ ସରିନି ।”

ଏ ସମୟରେ ସବିତା କହିଲା‚ ‘‘ଆଜି ମୋତେ ଭଲଲାଗୁନି ଇଡ଼ା ! ମୁଁ ଟିକଏ ଘରକୁ ଯାଉଛି । ତୁ କ୍ଲାସରେ ରହ । କ୍ଲାସ୍‍ ସରିଲେ ଆସିବୁ । ମୁଁ ଯାଉଛି ।”

‘‘ମୋର କ’ଣ ଦୋଷ ? ତୁ ମୋ ଉପରେ… ।”

‘‘ନା, ଇଡ଼ା ନା ! ମୁଁ ଆଦୌ ରାଗିନି । ମୋତେ ଆଦୌ ଭଲଲାଗୁନି । ମୋ ମନ ଭଲଲାଗୁନି ।”

ଏହା କହି ସେ ଇଡ଼ାକୁ ଛାଡ଼ି ବସରେ ବସି ଘରକୁ ଏକା ଏକା ଚାଲିଆସିଲା ।

ସେଦିନ ସେ ଘରକୁ ଆସି କିଛି ଖାଇଲା ନାହିଁ । ଏକା ଏକା ବସି ରହି କ’ଣ ଗୁଡ଼ାଏ ଚିନ୍ତା କଲା । ସନାତନ ବାବୁ ତାକୁ ବହୁତ ବୁଝାଇଲେ ସେ କିଛି ନ ଖାଇବାରୁ ।

ସେ କହିଥିଲେ‚ ‘‘ତୋର ତ ମା’ ନାହିଁ । ତୋତେ କିଏ ମା’ପରି ବୁଝାଇପାରିବ ? ମୁଁ ଏକା ତୋର ମା’‚ ତୋର ବାପା । ତୋର ଭାଇ । ତୋର ଭଉଣୀ । ତୁ ଯଦି ନ ଖାଇବୁ ମୁଁ କେମିତି ଖାଇବି ?”

“ନା ବାପା‚ ତମେ ଖାଇଦିଅ । ମୁଁ ଆଜି ଖାଇବିନି । ମୋତେ ଆଦୌ ଭଲଲାଗୁନି । ମୋ ପେଟ ଖରାପ ।’’

“ସେମିତି ହେଲେ ମୋତେ କିପରି ଭଲ ଲାଗିବ ? ମୁଁ ମଧ୍ୟ କହିବି ମୋ ପେଟ ଖରାପ-। କହୁନୁ‚ ତୋର କ’ଣ ଦରକାର ।”

‘‘ମୋର କିଛି ଦରକାର ନାହିଁ ।”

“ମୁଁ କାଲି ତୋ’ପାଇଁ ନୂଆ ସାର୍ଟ ପ୍ୟାଣ୍ଟ ହଳେ ତିଆରି କରିଦେବି । ଏକଦମ୍‍ ନୂଆ ଫେସନରେ ତିଆରି ହୋଇଥିବ । ଏମିତି ଡ୍ରେସ୍‍ ଏ ସହରରେ କୌଣସି ଝିଅ ପିନ୍ଧି ନ ଥିବେ ।”

‘‘ନା ବାପା‚ ମୋର ସାର୍ଟ୍‍ ପ୍ୟାଣ୍ଟ, ଦରକାର ନାହିଁ । ମୋର ତ ଅଛି ତିରିଶ ଚାଳିଶ ପେୟାର୍‍ ପୋଷକ ।”

‘‘ଆଉ କ’ଣ ଦରକାର କୁହ ?”

‘‘ମୋର କିଛି ଦରକାର ନାହିଁ ।”

“ଆଚ୍ଛା ତୁ ସିନେମା ଯିବୁ ?”

‘‘ନା ବାପା ନା । ମୁଁ ବିଲ୍‍କୁଲ୍‍ ଯିବିନି ।”

‘‘ତା’ହେଲେ ତୋର କ’ଣ ଦରକାର ? ହେଲେ ମନ ଖୋଲି କୁହନ୍ତୁ । ଆଚ୍ଛା ତୁ ପିକ୍‌ନିକ୍‍ ଯିବୁ ? ଆମେ ଯାଆନ୍ତେ କେତେ ଜଣ ସାଙ୍ଗହୋଇ ଦିନେ ଗାଡ଼ି ନେଇ ଗୋଟିଏ ଭଲ ଜାଗାକୁ । ସେଠାରେ ପିକ୍‌ନିକ୍‍ ସାରି ଆସନ୍ତେ ।”

‘‘ନା‚ ମୋର ପିକ୍‌ନିକ୍‍ ଯିବା ଦରକାର ନାହିଁ ।”

“ଆଉ ତୁ କ’ଣ ଚାହୁଁଛୁ ?”

‘‘ମୁଁ କିଛି ଚାହୁଁନି ।”

“ଆଚ୍ଛା‚ ବୁଲିଯିବା ଆମେ । ସବୁ ବଡ଼ ବଡ଼ ସହର ଦେଖିକରି ଆସିବା; ଅଜନ୍ତା‚ କୋଣାର୍କ, ରାଜମହଲ ଏସବୁଦେଖିବା । ନ ହେଲେ ସିମ୍‌ଳା‚ଦାର୍ଜିଲିଂ, ମଶୌରି ଆଦି ହିଲ୍‌ଷ୍ଟେସନକୁ ଯିବା । ନ ହେଲେ ଡାଲ୍‍ ହ୍ରଦକୁ ଯିବା, ସେଠାରେ ବୋଟ୍‍ ଉପରେ ବସି ଘୂରିବା । ସେଠାକୁ ନ ଗଲେ ଯିବା ଗୋଆ, ଡାମନ, ଡ୍ୟୁ ଏସବୁ ଦ୍ଵୀପପୁଞ୍ଜରେ‚ କିଛି ଦିନ କଟାଇ ଆସିବା ସମୁଦ୍ର ମଧ୍ୟରେ ।”

“ନା ବାପା ନା‚ ମୋ ଆଗରେ ପାଟିତୁଣ୍ଡ କରନା ।”

“ଆଚ୍ଛା‚ ତୋତେ ଯଦି ଏ ଏଣ୍ଡିଆନ୍‍ ଜିନିଷ ଭଲ ନ ଲାଗୁଛି ଆମେ ଫରେନ୍‍ ଯିବା ।”

ଦୁହେଁ ହସିଉଠିଲେ ଏକା ସମୟରେ ।

ସବିତା କହିଲା, ‘‘ବାପା, ମୁଁ ତୁମକୁ ରିକ୍ୱେଷ୍ଟ୍‍ କରୁଛି, ତୁମେ ଆଦୌ ମୋ ପାଖକୁ ଆସନା । ତୁମେ ଚୁପ୍‌ଚାପ୍‍ ଯାଅ ଖାଇ ଦେଇ ଶୋଇ ପଡ଼ିବ । ମୋ ପେଟ ପରା ଖରାପ । ମୁଁ କାଲି ଖାଇବି ।”

 

“ନା, ନା, ସେକଥା ହେବନି । ମୁଁ ମଧ୍ୟ କାଲି ଖାଇବି । ମୋ ପେଟ ମଧ୍ୟ ଖରାପ ।’’

 

“ବାପା, ତମେ ଏତେ ଚିନ୍ତା କରନା ।”

 

ସନାତନ ବାବୁ ବହୁତ ବୁଝାଇଲେ ମଧ୍ୟ ସେ ବୁଝିଲା ନାହିଁ । ଶେଷରେ ସେ ଇଡ଼ାକୁ ଡକାଇ ପଠାଇଲେ ।

 

ଇଡ଼ା ଆସିଲା ଏବଂ ତାକୁ ଅନେକ ବୁଝାଇଲା ଏକା ଏକା । ସବିତା କହିଲା, ‘‘ଇଡ଼ା ତମେ ଚାଲିଯାଅ ତମ ଘରକୁ । ମୋତେ ଆଜି ଦିନଟା ଏକା ଏକା ରହିବାକୁ ଛାଡ଼ିଦିଅ । ମୁଁ ଚାହେଁ ଶାନ୍ତି ।”

 

ଇଡ଼ା କହିଲା, ‘‘ମୁଁ ଜାଣେ ତମ ମନରେ ଦୁଃଖ ଅଛି । କିନ୍ତୁ ତମେ ଭଲଭାବରେ ବୁଝିପାରିନ । ମୋର କିଛିହେଲେ ପରିବର୍ତ୍ତନ ହୋଇନି । ତୁମ ଓ ମୋ ଭିତରେ କିଛିହେଲେ ପାର୍ଥକ୍ୟ ନାହିଁ । ଆମ ଦୁଇ ଜଣଙ୍କର ଭାଗ୍ୟ ଏ ବିଷୟରେ ପୂର୍ବରୁ ଯେପରି ଥିଲା, ବର୍ତ୍ତମାନ ମଧ୍ୟ ଠିକ୍‍ ସେହିପରି ଅଛି । ଏ ଫାଲ୍‌ତୁ ଚିଠିର କ’ଣ ମୂଲ୍ୟ ଅଛି ଭଲା ଦେଖି କହିଲ ?”

 

ସବିତା ନୀରବ ରହିଲା ।

 

ଇଡ଼ାର ବିଶେଷ ଅନୁରୋଧରେ ସେ ଅଳ୍ପ ଖାଇଲା । ସନାତନ ବାବୁ ବହୁତ ଚେଷ୍ଟା କଲେ ତାକୁ ପେଟପୂରା ଖୁଆଇବାକୁ; ମାତ୍ର ସେ ତାଙ୍କ କଥା ରଖିଲାନି । ଇଡ଼ା ଚାଲିଗଲା ନିଜ ଘରକୁ । ତା’ ପରଦିନ ସବିତା ସ୍କୁଲ୍‍କୁ ଅଦୌ ଗଲା ନାହିଁ । ସନାତନ ବାବୁ ଏ କଥା ମଧ୍ୟ ପଚାରିଥିଲେ । ସେ ତାଙ୍କୁ ଉତ୍ତର ଦେଇଥିଲା, ‘‘ମୋତେ ଆଜି ଭଲଲାଗୁନି । ମୁଁ ଯିବିନି ।” ଏହା ଶୁଣି ସେ ଚାଲି ଯାଇଥିଲେ ଅଫିସ୍‌କୁ । ଇଡ଼ା ସେଦିନ ଠିକ୍‍ ସମୟରେ ବସରେ ବସି ସ୍କୁଲ୍‍କୁ ଯାଇଥିଲା । ସେ ସବିତାକୁ ଖୋଜିଲା । ଅଦୌ ପାଇଲା ନାହିଁ । ପରେ ଜାଣିଲା ଯେ ସେ ଆସିନି । ସ୍କୁଲ୍ ଛୁଟି ହେବା ପରେ ପାଖକୁ ଆସି କହିଲା “ସବିତା ! ତମେ ଆଜି ସ୍କୁଲ୍‍କୁ କାହିଁକ ଗଲନି ?’’

 

“ମୋତେ ଭଲ ଲାଗିଲାନି ।”

 

“କାହିଁକି ?”

 

“ମୁଁ ଆଉ ସ୍କୁଲ୍‍କୁ ଯିବିନି । ପାଠ ଆଦୌ ପଢ଼ିବିନି । ମୋ’ଦ୍ୱାରା ପାଠ ହେବନି ।”

 

‘‘ତୁମେ କ’ଣ ପାଗଳୀ ହେଲ !”

 

‘‘ମୋର କ’ଣ ଅଛି ଯେ ମୁଁ ସ୍କୁଲ୍‍କୁ ଯିବି ! ସ୍କୁଲରେ ଯେତେ ପିଲା ଅଛନ୍ତି, ସମସ୍ତେ ଗୋଟିଏ ପଟେ, ମୁଁ ଗୋଟିଏ ପଟେ । ଆଜି ମୁଁ ଏକୁଟିଆ । ମୋର କେହି ନାହିଁ । ସମସ୍ତେ ଗୋଟିଏ ପ୍ରକାର ସୁବିଧା ପାଉଛନ୍ତି । ମାତ୍ର ମୁଁ ପାଉନି ।”

 

“ତମେ କିଛି ଏ ବିଷୟ ଚିନ୍ତା କରନି । ସମୟ ଆସିବ । ତମେ‌ ନିଶ୍ଚୟ ଚିଠି ପାଇବ । ଅପେକ୍ଷା କର । ଧୈର୍ଯ୍ୟ ହରାଅନି । ସେତେବେଳେ ଆମଠାରୁ ଏକାବେଳକେ ସୁଧମୂଳ ଅସୁଲ କରିବ । ଆମ ପାଖକୁ କ’ଣ ଗୋଟିଏ ଗୋଟିଏ ଚିଠି ଆସୁଛି, ତୁମ ପାଖକୁ ସେତେବେଳେ ଏକା ସମୟରେ ଦୁଇ ତିନୋଟି ଲେଖାଏଁ ଚିଠି ଆସିବ । ଏକାବେଳକେ ଦୁଇ ତିନିଜଣ ବୟଫେଣ୍ଡ୍‍ ତୁମେ ପାଇବ । ଆଉ ସେତେବେଳେ କ’ଣ ଆମେ ତମେ ସମାନ ଥିବୁ ? ଆମକୁ ତୁମେ ସେତେବେଳେ ପଚାରିବ ? କେଜାଣି ଭଗବାନ ଜାଣିଥିବେ ।”

 

‘‘ମୋତେ ଏତେ କଥା କହିବନି । ସବୁ ବାଜେ କଥା ।”

 

“ହଉ ହେଲା ।”

 

ତା’ପରେ ଦୁହେଁ ଚୁପ୍‍ ରହିଲେ ।

 

କିଛି ସମୟ ପରେ ସବିତା କହିଲା, “ତମେ ଯାଅ କାଲି ଆସିବ । କାଲି ଆମେ କଥା ହେବା ।”

 

ଇଡ଼ା ପ୍ରତିବାଦ ନ କରି କିଛି ସମୟ ରହି ତା’ପରେ ଘରକୁ ଚାଲି ଯାଇଥିଲା ।

 

ତା’ ପରଦିନ ସକାଳେ ସବିତା ନିଜ ଛାତ ଉପରେ ବୁଲିଲା । ସେ‌ ସେଠାରେ ଘେରାକୁ ଘେରା ବୁଲି ସବୁଆଡ଼କୁ ଲକ୍ଷ୍ୟ କଲା । ସବୁ ଛାତ ଉପରେ ତା’ର ନଜର ଥାଏ । କେଉଁ ଛାତରେ କିଏ ବୁଲୁଛି । କାହା ଝରକାରୁ କିଏ ଚାହୁଁଛି, କିଏ କ’ଣ କରୁଛି, ନିଜ ନିଜ ରୁମ୍‍ ମଧ୍ୟରେ…ଏସବୁ ସେ ଦେଖିବାକୁ ଚେଷ୍ଟା କଲା । କିଛି ଦିନ ମଧ୍ୟରେ ତା’ ମନର ପରବର୍ତ୍ତନ ହୋଇଗଲା ଏବଂ ସେ ପୁଣି କ୍ଲାସ୍‍କୁ ନିୟମିତ ଚାଲିଲା । ଏ ପ୍ରକାର ପରବର୍ତ୍ତନକୁ ହଠାତ୍‍ ଇଡ଼ା ବୁଝିପାରିନଥିଲା । ସେ ସବିତାକୁ ଏସବୁ ପଚାରଥିଲା । ସେ ଚୁପ୍‍ ରହିଥିଲା । ବହୁତ ଦିନପରେ ସେ ତାକୁ ଏସବୁ ଖୋଲି କହିଥିଲା ।

 

(୩୪)

 

ଜେଲ୍‍ ଭିତରେ ଅନେକ ଦିନ ବିତି ଯାଇଛି । ସବୁ ଦୁଃଖକଷ୍ଟକୁ ଉଜ୍ଜଳ ନିଜ ଦେହରେ ଲିପି ଘସି ମୁଣ୍ଡପାତି ସହିଛି । ସେ ଅନେକ ବଡ଼ ହୋଇଯାଇଛି । ସେ ରହିଥିବା ଜେଲ୍‍ ପରିସର ମଧ୍ୟରେ ଥିବା ତିନି ମହଲାରେ ଥିବା ଗୋଟିଏ ନିବୁଜ କୋଠରୀ ମଧ୍ୟରେ । ସେ ସବୁଦିନ ତା’ ନିଜ ରୁମ୍‍ ବାହାରକୁ ଚାହେଁ । ତା’ ରୁମ୍‍ ସାମନାରେ ଜେଲ୍‌ର ସୁପରିଣ୍ଟେଣ୍ଡେଣ୍ଟ‌ଙ୍କ ଘର । ତାଙ୍କ ପରିବାର ସେଠାରେ ରହନ୍ତି । ତାଙ୍କର ଗୋଟିଏ ଝିଅ ଥାଏ ବୋଧହୁଏ ଯେ କି ସବୁଦିନ ତାଙ୍କ ଛାତ ଉପରକୁ ଆସେ ସକାଳେ ଓ ସନ୍ଧ୍ୟାରେ । ନିଶ୍ଚୟ ବହୁତ ସୁନ୍ଦର ଝିଅଟିଏ ହୋଇଥିବ । ସେ ଏବେ କିଛିଦିନ ହେବ ଉଜ୍ଜଳର ରୁମ୍‍ଆଡ଼କୁ ଚାହେଁ । ଏହା ସେ ଲକ୍ଷ୍ୟ କରୁଛି ।

 

କିଛି ଦିନପରେ ଝିଅଟି ତାକୁ ଅନାଇଁ ହାତ ହଲାଇଲା । ଉଜ୍ଜଳ କ’ଣ ଭାବି ତାକୁ ମଧ୍ୟ ସେହିପରି ହାତ ହଲାଇ ସମର୍ଥନ କଲା । ଏହାପରେ ଦୁହେଁ ଦୁହିଁଙ୍କୁ ସଙ୍କେତ ଦେଇଥିଲେ । ଦିନେ ଝିଅଟି ତା’ ବାପାଙ୍କ ସହିତ ଆସିଥିଲା । ଦିନେ ତା’ର ବାପା ସବୁ ରୁମ୍‌କୁ ଯାଇଥିଲେ ପରୀକ୍ଷା କରିବାକୁ, କିଏ କିପରି ଅଛି । କାହାର ଅବସ୍ଥା କିପରି, କେଉଁ ରୁମ୍‍ କିପରି ଅଛି କାହାର କ’ଣ ଦରକାର, କାହାକୁ କିପରି ବ୍ୟବହାର ଦେଖା ଯାଉଛି, କିପରି ରଖା ଯାଉଛି, କାହା ରୁମ୍‍ ଛାତରୁ ପାଣି ଲିକ୍‍ କରୁଛି ବର୍ଷା ସମୟରେ । ସେହିଦିନ ସେ ଉଜ୍ଜଳ ରୁମ୍‌କୁ ଯାଇଥିଲେ । ତାଙ୍କ ଝିଅ ସେଦିନ ତାଙ୍କ ସାଙ୍ଗରେ ସେଠାକୁ ଯାଇଥିଲା । ସେ ସେଠାରେ ଉଜ୍ଜଳକୁ ଦେଖିଥିଲା । ସେ ତାକୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଏତେ ସୁନ୍ଦର ପୁଅକୁ ସେ ତା’ ଜୀବନରେ କେବେ ଦେଖିନଥିଲା । ଏହାର କ’ଣ ଦୋଷ ? ଇଏ ଏଠାକୁ କିପରି ଆସିଛି ? ଏ ପୁଣି କଏଦୀ ? ଏତେ କମ୍‍ ବୟସରେ ଇଏ କ’ଣ ବା ଗୁରୁତର ଅପରାଧ କରିଥାଇପାରେ ? ତା’ ଚେହେରାରୁ ଜଣାପଡ଼ୁଛି ଯେ ଇଏ କୌଣସି ଛୋଟ ଲୋକର ପୁଅ ନୁହେଁ । ଇଏ ବହୁତ ବଡ଼ ଲୋକର ଅଲିଅଳ ଗେଲବସର ପୁଅ ନିଶ୍ଚୟ । ଏ ବୟସରେ ଏ ଦଶା କାହିଁକି ହେଲା ? ଏତେ ସୁନ୍ଦର ପୁଅର ଦେହ ଏତେ କଷ୍ଟ କିପରି ସହିପାରୁଛି ? ଏହିପରି ଅନେକ କଥା ସେ ଭାବିଲା ।

 

ଉଜ୍ଜଳ ମଧ୍ୟ ତା’ର ଖୁବ୍‍ ନିକଟରେ ଝିଅଟିକୁ ଦେଖିବାର ସୁଯୋଗ ପାଇଲା । ସେହି ଝିଅଟିର ସୌନ୍ଦର୍ଯ୍ୟରେ ସେ ମଧ୍ୟ ମୁଗ୍‌ଧ ହୋଇ କିଛି ସମୟ ପର୍ଯ୍ୟନ୍ତ ତା’ ସୁନ୍ଦର ମୁହଁକୁ ଚାହିଁ ଛିଡ଼ା ହୋଇଗଲା ଅବାକ୍‍ ହୋଇ । ସେ ଜାଣିଲା ଯେ ଏଇ ଝିଅଟି ସବୁଦିନ ତା’ ନିଜ ଛାତକୁ ସକାଳେ ଓ ସନ୍ଧ୍ୟାରେ ଆସି ତା’ ଝରକାକୁ ଚାହେଁ । ତାକୁ ଦେଖିବାକୁ ଚେଷ୍ଟା କରେ । ସବୁଦିନ ହାତ ହଲାଇ ସଙ୍କେତ ଦିଏ ।

 

କିନ୍ତୁ ଏଠାରେ ତା’ ବାପା ଉପସ୍ଥିତ । ଏପରି ପରିସ୍ଥିତିରେ ସେ ତା’ ସହିତ କିଛି କଥାବାର୍ତ୍ତା କରିବାକୁ ଉଚିତ ମନେକଲା ନାହିଁ । ଝିଅଟି ମଧ୍ୟ ଚୁପ୍‍ ରହିଲା । ତା’ ବାପା କିଛି ପ୍ରଶ୍ନ ପଚାରି ଓ ସେ ରୁମ୍‌କୁ ନିରୀକ୍ଷଣ କରିସାରି ଚାଲିଆସିବାକୁ ବାହାରିଲେ । ଝିଅଟି ମଧ୍ୟ ବାହାରି ଆସିଲା ତାଙ୍କ ସଙ୍ଗରେ । ତା’ପରେ ତା’ ବାପା କବାଟ ବନ୍ଦ କରି ଚାବି ପକାଇ ଦେଲେ । ଝିଅଟି ରୁମ୍‍ ନମ୍ବର ଏବଂ ତା’ର ଚାବିକୁ ମନେ ରଖିଲା । ତା’ପରେ ସେ ଚାଲିଗଲା ନିଜ ଘରକୁ । ଉଜ୍ଜଳ ରୁମ୍‍ ମଧ୍ୟରେ ରହିଗଲା ।

 

(୩୫)

 

ଉଜ୍ଜଳ ନିଜ ରୁମରେ ବିଶ୍ରାମ କରିଥିଲା । ହଠାତ୍‍ ସେ ଶୁଣିବାକୁ ପାଇଲା ଏକ ଶବ୍ଦ । ଏଥିରେ ସେ ଅଳ୍ପ ଚମକି ପଡ଼ିଲା । ସେ ଅନ୍ଦାଜ କଲା ଯେ କେହି ତା’ ରୁମ୍‍ ଫିଟାଉଛି । ଭାବିଲା ଯେ ନିଶ୍ଚୟ ସୁପରିଣ୍ଟେଣ୍ଡେଣ୍ଟ‌ ହୋଇଥିବେ । ଏ ଶବ୍ଦ ଶୁଣି ସେ ଉଠି ଛିଡ଼ା ହେଲା ।

 

ତାହା ଭିତରେ ଚାବି ପଶି ଫିଟିବାର ଶବ୍ଦ । ପ୍ରକୃତରେ ଘଡ଼ ଘଡ଼ ହୋଇ କବାଟ ଫିଟିଗଲି । ମାତ୍ର ସେ ଯାହାକୁ ଦେଖିଲା, ଆଶ୍ଚର୍ଯ୍ୟ ହୋଇଗଲା । ତାରି ଆଗରେ ସେହି ଝିଅଟି ଏକା ଛିଡ଼ା ହୋଇଛି ଯେଉଁ ଝିଅ ସବୁଦିନ ତାକୁ ଦେଖିବାକୁ ଛାତ ଉପରକୁ ଆସେ । ଝିଅଟି ସୁନ୍ଦର ମାକ୍‌ସିଟିଏ ପିନ୍ଧିଛି । ତା’ ଉପରେ ଗୋଟିଏ ରଙ୍ଗିନ୍‍ ଓଭରକୋଟ୍‍ ପିନ୍ଧିଛି । ବେକ ଚାରିପଟେ ଗୋଟିଏ ମଫଲର୍‍ ପଡ଼ିଛି । ଗୋଡ଼ରେ ଦୁଇଟି ହାଇହିଲ୍‍ ବୁଟ୍‍ । ମୋଜା ଦୁଇଟି ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବି ଆସିଛି । ତା’ର ଦେହର ରଙ୍ଗ ଖୁବ୍‍ ଉଜ୍ଜଳ । ଦୁଇଟିଯାକ ନୀଳ ଆଖି ସତେ ଯେପରି ସଦ୍ୟ ପ୍ରସ୍ଫୁଟିତ ଦୁଇଟି ଫୁଲ । ତା’ର ସୁନ୍ଦର ସୁନ୍ଦର ଚାପା ଓଠ ଧାର ଦୁଇଟି ଖୁବ୍‍ ଚିକ୍‌କଣ ହୋଇ ଉଭୟ ପାର୍ଶ୍ଵକୁ ଲମ୍ବି ଯାଇଛି । ଗାଲ ଦୁଇଟି ମାଂସରେ ପୂରିଯାଇ ଚିକ୍‍ ଚିକ୍‍ କରୁଛି ।

 

ଝିଅଟି ଆସିଲା ଏବଂ ଭିତରୁ ସଙ୍ଗେ ସଙ୍ଗେ କବାଟ ବନ୍ଦ କରିଦେଲା ।

 

ଏଥିରେ ଉଜ୍ଜଳ ଆଶ୍ଚର୍ଯ୍ୟ ହୋଇ କହିଲା, ‘‘ତୁମେ ସେହି ଝିଅ ତ !”

 

“ହଁ ମୁଁ ସେହି ଝିଅ । କାଲି ମୁଁ ବାପାଙ୍କ ସହିତ ଆସିଥିଲି ।”

 

“ତୁମେ ସବୁଦିନ ନିଜ ଛାତ ଉପରୁ ହାତ ହଲାଅ ମୋତେ ଦେଖି ?”

 

“ତୁମେ ମଧ୍ୟ ଏ ଘର ମଧ୍ୟରୁ ମୋତେ ଦେଖି ହାତ ହଲାଅ ।”

 

‘‘ତୁମେ କାହିଁକି ଏ ରୁମ୍‍ ଫିଟାଇଲ ? ତୁମେ ଚାବି କିପରି ପାଇଲ !”

 

“ମୁଁ ଲୁଚାଇ କରି ଆଣିଛି । ବାପା ବର୍ତ୍ତମାନ ଅଫିସରେ ନାହାଁନ୍ତି । “ମୁଁ ତୁମକୁ ଟିକିଏ ଦେଖିବାକୁ ଆସିଲି ।”

 

“ମୋତେ ଦେଖି କ’ଣ ଲାଭ ! ମୁଁ ତ ଜୀବନସାରା ଜେଲରେ ଖଟିବି ।”

 

“ତୁମେ କାହିଁକି କଏଦୀ ହେଲ ? ତୁମେ ତ ବହୁତ ଭଲ ପିଲା; ତୁମେ କ’ଣ ଦୋଷ କଲ-?”

 

“ମୁଁ ବହୁତ ଦୋଷ କରିଛି । ମୁଁ ବହୁତ ଦୁର୍ଭାଗା ପିଲା । ତୁମକୁ ସେଗୁଡ଼ାକ କହିପାରିବିନି-। କହିଲେ ମୋତେ ବହୁତ ଦୁଃଖ ଲାଗିବ ।”

 

“ମୁଁ ତୁମ ଦୁଃଖରେ ସମଦୁଃଖୀ । ତୁମେ ମୋ ଅପେକ୍ଷା ବହୁତ‌ କଷ୍ଟରେ ଅଛ । ତୁମେ ଗୋଟିଏ ନିବୁଜ ଅନ୍ଧକାର କୋଠରୀ ମଧ୍ୟରେ ଆବଦ୍ଧ ହୋଇ ରହିଛ । ବାହାରେ ବୁଲିବାକୁ ଟିକିଏ ସୁବିଧା ପାଉନ । ବାହାର ଲୋକଙ୍କ ସହିତ ତୁମର ସମ୍ପର୍କ ରଖିବାକୁ କୌଣସି ସୁବିଧା ନାହିଁ । ସବୁ‌ କଏଦୀମାନେ ଯାହା ଖାଉଛନ୍ତି, ତୁମେ ସେଇଆ ଖାଉଛ । ସବୁ କଏଦୀ ଯାହା ପିନ୍ଧନ୍ତି, ତୁମେ ସେଇଆ ପିନ୍ଧୁଛ । ଦେଶର ଖବର ଅନ୍ତର ଜାଣିବାକୁ ତୁମପାଇଁ କିଛିହେଲେ ସୁବିଧା ନାହିଁ । ନିଜ ପରିବାର ସହିତ କିଛି ସମ୍ପର୍କ ରଖିପାରୁନ । ନିଜ ଲୋକଙ୍କ ବିଷୟରେ କିଛି ଜାଣିପାରୁନ ।”

 

“ନା, ନା, ମୋର କିଛିହେଲେ ପରିବାର ନାହିଁ । ଏ ଦୁନିଆରେ ମୁଁ ଏକା । ମୋର କେହି ନାହିଁ, ବାପା ନାହିଁ କି ମା’ ନାହିଁ । ମୁଁ ବହୁତ ବଡ଼ ପାପୀ । ତୁମେ କାହିଁକି ମୋତେ ସହାନୁଭୂତି ଦେଖାଇଲ ! ଏପରି କହି ତୁମେ କିଛି ଲାଭ ପାଇପାରିବ ନାହିଁ ।”

 

‘‘ତୁମର ଆତ୍ମା ବହୁତ ନିଷ୍ପାପ । ତୁମେ କିପରି ଦୋଷ କରିପାରିବ ? ତୁମକୁ ବୋଧହୁଏ ଭୁଲରେ ଏଠାକୁ ଅଣାଯାଇଛି । ତୁମ କଥାବାର୍ତ୍ତାରୁ ଜଣାପଡ଼ୁଛି ଯେ ତୁମେ ବହୁତ ମାର୍ଜିତ, ଶିକ୍ଷିତ ଏବଂ ଭଦ୍ର ପରିବାରର‌ ପିଲା ।”

 

“ହଁ ତା’ ସତ; କିନ୍ତୁ ମୁଁ ଦୋଷ କରିବାକୁ ବାଧ୍ୟ ହେଲି । ପରିସ୍ଥିତି ମୋତେ ଏ ଜଘନ୍ୟ ଅକ୍ଷମଣୀୟ ଅପରାଧ କରିବାକୁ ଟାଣିଆଣିଲା । ମୁଁ ବହୁତ କଷ୍ଟ ପାଇଥିଲି । ମୋର ଜୀବନ ବହୁତ ଛଟପଟ ହୋଇଛି, ବହୁତ କଲବଲ ହୋଇଛି । ମୋତେ ଯେଉଁମାନେ ଏତେ ଯନ୍ତ୍ରଣା ଦେଉଥିଲେ, ସେହିମାନଙ୍କୁ ମୁଁ ହତ୍ୟା କରିଛି ।”

 

‘‘ସେ ଦୁଇ ଜଣ କିଏ ?”

 

“ଜଣେ ମୋର ସାବତ ବାପା ଆଉ ଜଣେ ହେଉଛନ୍ତି ମୋର‌ ସାବତ ମା’ ।”

 

“କିପରି ?”

 

“ମୋର ବାପାଙ୍କ ନାମ ଥିଲା ରାକେଶ୍‍ ଦେଓ । ମା’ଙ୍କ ନାମ ଥିଲା ଅର୍ଚ୍ଚିଡ଼୍‍ ।”

 

“କ’ଣ ଚାଇନିଜ୍‍ ?”

 

“ହଁ ଚାଇନିଜ୍‍ । ସେତେବେଳେ ଚୀନ୍‍ ଭାରତ ଯୁଦ୍ଧ ଲାଗିଥିଲା । ବର୍ତ୍ତମାନ ସିନା ଯୁଦ୍ଧ ନାହିଁ । ତା’ ପୂର୍ବରୁ ମୁଁ ଜନ୍ମ ହୋଇଥିଲି । ଏହି ଯୁଦ୍ଧ‌ କାରଣରୁ ଦୁହେଁ ଦୁହିଁଙ୍କଠାରୁ ବିଚ୍ଛିନ୍ନ ହୋଇଗଲେ । ବାପା ବହୁତ ଦେଶଭକ୍ତ ଥିଲେ । ସେ ତାଙ୍କର ସମସ୍ତ ସମ୍ପତ୍ତି ଦେଶପାଇଁ ଦେଇଥିଲେ । ସେ ମା’ଙ୍କୁ ଛାଡ଼ି ଅନ୍ୟ ଜଣକୁ ବିଭା ହୋଇଥିଲେ । ସେହିପରି ମା’ ମଧ୍ୟ ତାଙ୍କୁ‌ ଛାଡ଼ି ଅନ୍ୟ ଜଣେ ଚାଇନିଜ୍‍ ଲୋକଙ୍କୁ ବିଭା ହୋଇଥିଲେ । ସେ ସମୟରେ‌ ଯୁଦ୍ଧ ବହୁତ ସାଂଘାତିକ ହୋଇଯାଇଥିଲା । ବାପା ସୈନ୍ୟବାହିନୀରେ ଯୋଗ ଦେଲେ । ସେତେବେଳର ବୀର ଜଓ୍ୱାନ୍‌ମାନଙ୍କର ଘୋର ଅଭାବକୁ ପୂରଣ‌ କରିବାକୁ ବାପା ଟ୍ରେନିଂ ସାରି ଯୁଦ୍ଧ ପଡ଼ିଆକୁ ଯାଇଥିଲେ । ସେତେବେଳେ ଶତ୍ରୁ ଟ୍ୟାଙ୍କ୍‍ ଆମ ଦେଶର ବହୁତ ଭିତରକୁ ପଶି ଆସିଥିଲେ । ଘାଟି ପରେ ଘାଟି ସେମାନେ ଦଖଲ କରିସାରିଥିଲେ‌ । ମୁଖ୍ୟ ଅଫିସର୍‍ମାନେ ମୁଣ୍ଡରେ ହାତ ଦେଲେ । ଶତ୍ରୁ ଟ୍ୟାଙ୍କ୍‍ମାନଙ୍କୁ ଧ୍ଵଂସ କରିବାକୁ ଓ ତା’ର ଗତିରୋଧ କରିବାକୁ ଅନ୍ୟ ଉପାୟ ନ ଥିଲା । ଉପର ମହଲାରୁ ପରାମର୍ଶ ଆସିଲା ଯେ କେତେକ ବହୁମୂଲ୍ୟ ଦେଶପ୍ରେମୀ ଜୀବନକୁ ଉତ୍ସର୍ଗ କରିବାକୁ ପଡ଼ିବ । ଅନେକ ସୈନ୍ୟ ଆଗଭର ହୋଇ ଆସିଥିଲେ । ବାପା ସେମାନଙ୍କ ମଧ୍ୟରେ ଥିଲେ ଅଗ୍ରଣୀ । ସେମାନେ ସମସ୍ତ ଉପର ମହଲର ନିର୍ଦ୍ଦେଶ ଅନୁସାରେ ନିଜ ନିଜ ଦେହରେ ବୋମା ବାନ୍ଧି ଶତ୍ରୁ ଟ୍ୟାଙ୍କ୍‍ ଆଗରେ ଗଡ଼ିଥିଲେ ତା’ ଗତିପଥ ଆଗରେ, ଗୋଟିକୁ ଗୋଟି ଶତ୍ରୁ ଟ୍ୟାଙ୍କ୍‍ ଧ୍ଵଂସ ହୋଇଥିଲା ।”

 

“ତୁମ ବାପା ଏତେ ମହାନ୍‍ ! ତୁମେ ଏତେବଡ଼ ମହାନ୍‍ ପରିବାରରୁ ଆସିଛ ! ତୁମ ଦେହର‌ ଧମନୀରେ ଦେଶପ୍ରେମର ରକ୍ତ ପ୍ରବାହିତ । ହାୟରେ କପାଳ ! ତୁମର ଅବସ୍ଥା କ’ଣ ନ ହେଲା ?”

 

“ସେତେବେଳେ ସାବତ ମା’ଙ୍କ ଗର୍ଭରେ ଗୋଟିଏ ଛୁଆ ଥାଏ । ସେ ପରେ ଜନ୍ମ ନେଲା । ସାବତ ମା’ ମୋତେ ପୂର୍ବରୁ ଯେଉଁ ଛଳନାପୂର୍ଣ୍ଣ ସ୍ନେହ ଦେଖାଉଥିଲେ, ତାହା ଜଣାପଡ଼ିଲା-। ସେ ମୋ ପ୍ରତି ଖୋଲା ଖୋଲି ଭାବରେ ବହୁତ ନିଷ୍ଠୁରତା ପ୍ରଦର୍ଶନ କଲେ । ମୋତେ ମାଡ଼ ଗାଳି ଦେଲେ । ସେ ଚିହ୍ନ ମୋ ଦେହରୁ ଲିଭି ଯାଇ ନାହିଁ । ତୁମେ ଦେଖିପାର । ବାପା ପ୍ରକୃତରେ ଆଇନ୍‍ ଅନୁସାରେ ଠିକ୍‍ ଭାବରେ ମୋ ମା’ଙ୍କୁ ଡାଇଭୋର୍ସ କରିନଥିଲେ । ବାପା ମରିଯିବା ପରେ ସରକାର ତାଙ୍କ ସ୍ତ୍ରୀଙ୍କୁ ପେନ୍‌ସନ୍‍ ଆଦି ଦେବା କଥା । ସରକାର ତ ମା’ଙ୍କୁ ଚିହ୍ନି ନ ଥିଲେ । ସାବତ ମା’ କହିଲେ ଯେ ସେ ଅର୍ଚ୍ଚିଡ଼୍‍ ନୁହନ୍ତି । ତେଣୁ ସରକାରଙ୍କ ଲୋକମାନେ ମା’ଙ୍କ ପାଖକୁ ଆସିଥିଲେ-। କିନ୍ତୁ ମା’ ମଧ୍ୟ ନିଜର ମହାନତା ଦେଖାଇବାକୁ ଯାଇ ବୋକାମି କରିଥିଲେ । ସେ କହିଥିଲେ ଯେ ବାପା ତାଙ୍କୁ ଡାଇଭୋର୍ସ କରି ଅରୁଣାଙ୍କୁ‌ ବିଭା ହୋଇଛନ୍ତି ଏବଂ ସେ ନିଜେ ସାକ୍ଷୀ । ତେଣୁ ସମସ୍ତ ପେନ୍‌ସନ୍‍ ଆଦି ଟଙ୍କା ମା’ ନ ପାଇ ମୋ ସାବତ ମା’ ପାଇଲେ ।”

 

“ଏଣେ ମୋ ମା’ ମଧ୍ୟ ଗର୍ଭବତୀ ଥିଲେ । ତାଙ୍କର ପ୍ରସବ ସମୟରେ ସେ ଛୁଆଟିକୁ ଜନ୍ମ ଦେଇ ମରି ଯାଇଥିଲେ ନିଜେ । ମୋ ଉପରକୁ ଦୁଃଖର ବୋଝ ମାଡ଼ି ଆସିଲା । ମୁଁ ସାବତ ମା’ଙ୍କୁ ଛାଡ଼ି ସ୍କୁଲ୍‍କୁ ଆସିଲି । ସେଠାରେ ପୂର୍ବରୁ ମୁଁ ଆତ୍ମନିର୍ଭରଶୀଳ ହୋଇ ପାଠ ପଢ଼ୁଥିଲି । ଘରୁ ମୁଁ ପୂର୍ବରୁ ଗୋଟିଏ ହେଲେ ପଇସା ମଧ୍ୟ ଆଣୁ ନ ଥିଲି । ସଦାବେଳେ କ୍ଲାସରେ ଫାଷ୍ଟ ହେଉଥିଲି-। ସରକାର ମୋତେ ବୃତ୍ତି ଦେଉଥିଲେ ଏବଂ ମୋ ଚଳିବା ପାଇଁ ସବୁ ବ୍ୟବସ୍ଥା କରିଦେଉଥିଲେ-। ବାପା ମା’ ମରିଯିବା ପରେ ମୋତେ ଆଉ ପାଠ ପଢ଼ିବାକୁ ମଧ୍ୟ ଇଚ୍ଛା ଲାଗିଲା ନାହିଁ ।”

 

“ହାୟରେ ବିଧାତା !”

 

‘‘ମୁଁ ଫାଷ୍ଟ ହୋଇପାରିଲିନି । ପରୀକ୍ଷାରେ ତ କିଛି ଲେଖି ପାରିନଥିଲି । ଏ ମାନସିକ ଅଶାନ୍ତି ଯୋଗୁ ତ ପଢ଼ି ନ ଥିଲି କିଛି । ମୋ ବୃତ୍ତି କଟିଲା । ମୋ ନାଁ ଫେଲ ଲିଷ୍ଟରେ ବାହାରିଲା । ମୁଁ ଗୋଟିଏ ବର୍ଷ ତଳକୁ ଚାଲି ଆସିଲି । ନିଜେ କିପରି ଚଳିବି ? ମୋ ସାବତ ମା’ ଓ ସାବତ ବାପା ସେଠାରେ ପଢ଼ାଇବାକୁ ଟଙ୍କା ପଠାଇଲେ ନାହିଁ । ମୋ ପାସ୍‌ବୁକରେ ଥିବା ସମସ୍ତ ଟଙ୍କା ଶେଷ ହୋଇଗଲା । ମୁଁ ବାଧ୍ୟହୋଇ ସେମାନଙ୍କ ପାଖକୁ ଆସିଲି । ସାବତ ମା’ଙ୍କର ବ୍ୟବହାର ଅଧିକରୁ ଅଧିକ ନିଷ୍ଠୁର ହେଲା । ମୁଁ ସହି ନ ପାରି ସାବତ ବାପାଙ୍କ ପାଖକୁ ଆସିଲି । ସେଠାରେ ମଧ୍ୟ ସେହି ଅବସ୍ଥା । ମହରଗରୁ ଆସି କାନ୍ତାରରେ ପଡ଼ିଲି । ମୋତେ ସେ ମଧ୍ୟ ପାଠ ପଢ଼ାଇଲେ ନାହିଁ । ଚାକର କୁକୁର ପରି ଘରକାମ କରିବାକୁ ନିର୍ଦ୍ଦେଶ ଦେଲେ । ଅଧିକାଂଶ ଦିନ ଉପାସ । କୁକୁର ଛେଳି ପରି ଅଇଁଠା ଖାଦ୍ୟ ଖାଇଲି । ସବୁଦିନ ମାଡ଼ ଗାଳି ଖାଇବାକୁ ବାଧ୍ୟ ହେଲି । ଶେଷକୁ ପରିସ୍ଥିତି ଅତି ସାଂଘାତିକ ହେଲା । ମୁଁ ଘର ଛାଡ଼ି ସ୍କୁଲ୍‍ ଆସିଲି । ମୁଁ ନିଜେ ପ୍ରତିଜ୍ଞା କଲି ଯେ ଆଉ ସେମାନଙ୍କ ପାଖକୁ ଯିବିନି । ନ ଖାଇ ନ ପିଇ ଅନେକ ଦିନ ମୁଁ ବୁଲିଲି । ମୁଁ ଗୋଟିଏ ଭଙ୍ଗା ମନ୍ଦିର ମଧ୍ୟରେ ଭଗବାନଙ୍କ ମୂର୍ତ୍ତି ନିକଟରେ ଆଖିରୁ ଲୁହ ଝରାଇ କାନ୍ଦି କାନ୍ଦି ନିଜ କଥା ଜଣାଇଲି । ତା’ପରେ ସେଠାରୁ ଉଠି ମୁଁ ଗୋଟିଏ ପିସ୍ତଲ ଚୋରାଇ ଆଣିଥିଲି । ମୋ ସାବତ ବାପା ଏବଂ ସାବତ ମା’ଙ୍କୁ ଗୁଳି କରି ମାରି ଦେଇ ଆସିଲି । ପୋଲିସ୍‍ ମୋତେ ସଙ୍ଗେ ସଙ୍ଗେ ଧରିଲେ । ମୋତେ ଅଦାଲତ ଆଜୀବନ ଜେଲ୍‍ ଦଣ୍ଡ ଦେଲା । ସେମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିଲା । ସେମାନଙ୍କୁ ବାଳାଶ୍ରମକୁ ପଠାଇ ଦିଆଗଲା । ମୁଁ ଏଠାକୁ ଅସିଲି ।”

 

ଝିଅଟି ନୀରବ ରହିଲା ।

 

ନୀରବତା ଭାଙ୍ଗି ଉଜ୍ଜଳ କହିଲା, ‘‘ମୋର ଭାଗ୍ୟ ମୋତେ ଏତିକି କରାଇଲା । ମୁଁ ଏତିକି କରିନଥିଲେ ଏଠାକୁ କେବେ ଆସି ନ ଥାନ୍ତି ।”

 

“ତୁମର କିଛି ଦୋଷ ନାହିଁ । ତୁମର ଭାଗ୍ୟ ଯୋଗୁଁ ତୁମର ଏ ଅବସ୍ଥା ହେଲା । ତୁମେ ତ ବହୁତ ଭଲ ପିଲା । ତୁମେ ପାଠ ପଢ଼ିଥିଲେ ବହୁତ ବଡ଼ ଚାକିରି କରି ବହୁତ ବଡ଼ ଅଫିସର୍‍ ହୋଇଥାନ୍ତ ଓ ଏଠାରେ ପଡ଼ି ପଡ଼ି ନିଜର ଜୀବନକୁ ଏପରି ସଢ଼ାଉ ନ ଥାନ୍ତ । ତୁମର ନାମ କ’ଣ-?”

 

“ଉଜ୍ଜଳ ।”

 

“ବହୁତ ଭଲ ନାମ ।”

 

‘‘ତୁମର ନାମ କ’ଣ ?”

 

“ସବିତା ।”

 

“ବହୁତ ଭଲ ନାମ, ତୁମେ କ’ଣ ପଢ଼ୁଛ ?”

 

“ହଁ, ମୁଁ ପଢ଼ୁଛି ଟେକ୍‌ନିକାଲ ସ୍କୁଲରେ ।”

 

“ତୁମର ଅନ୍ୟ ଭାଇ ଭଉଣୀ ଅଛନ୍ତି ?”

 

“ନା, ମୁଁ ଏକା । ବାପାଙ୍କର ମୁଁ ଗୋଟିଏ ବୋଲି ଝିଅ । ତୁମର ମା’ ନାହାଁନ୍ତି ବାପା ନାହାଁନ୍ତି । କିନ୍ତୁ ମୋର ମା’ କେବଳ ନାହାଁନ୍ତି । ମୁଁ ବହୁତ ପିଲା ବେଳରୁ ମା’ଙ୍କୁ ହରାଇଛି । ତେଣୁ ବାପା ମୋତେ ଯେତିକି ସ୍ନେହ ଦେବା କଥା ତା’ଠାରୁ ଅଧିକ ଦିଅନ୍ତି । ମୁଁ ମଝିରେ ମଝିରେ ଲୁଚିକରି ଚାବି ଆଣି ତୁମ ରୁମ୍‍ ଫିଟାଇ ଏଠାକୁ ଆସିବି ।”

 

“ମୁଁ ଗୋଟିଏ କଥା ପଚାରିବି ।”

 

“କି କଥା ?”

 

‘‘ତୁମ ପାଖରେ ବହି ଅଛି ?”

 

“ହଁ ଅଛି, ବହୁତ ବହି ଅଛି ।”

 

‘‘ତୁମେ ମୋ’ପାଇଁ ଗୋଟିଏ ବହି ଆଣିପାରିବ ? ମୁଁ ବହୁତ ଦିନ ହେବ କିଛିହେଲେ ପଢ଼ି ନାହିଁ । ମନ ବହୁତ ଖରାପ ଲାଗୁଛି ।”

 

“ହଁ ମୁଁ ଆଣିଦେବି । ତୁମେ କିପରି ବହି ପଢ଼ିବାକୁ ଭଲ ପାଅ ?”

 

“ତୁମେ ଯେଉଁ ପ୍ରକାର ବହି ଆଣିପାରିବ ।”

 

“ହଉ, ମୁଁ ନିଶ୍ଚୟ ଆଣିବି ।”

 

‘‘ମୁଁ ଲୁଚାଇ ଲୁଚାଇ ପଢ଼ିବି ।”

 

“ମୁଁ କାଲି ଆସିବାକୁ ଚେଷ୍ଟା କରିବି ।”

 

‘‘ତୁମେ ବହୁତ ଭଲ, ସବିତା ।”

 

“ତୁମେ ମଧ୍ୟ ।”

 

‘‘ବହୁତ ଡେରି ହୋଇଗଲାଣି । ଏଥର ତୁମେ ମୋତେ ଚାବି ପକାଇ ଚାଲିଯାଅ । କାଳେ କିଏ ଜାଣିବେ । ତୁମ ବାପା କାଳେ ଚାଲି ଆସିବେ ।”

 

“ନା କିଛି ଭୟ ନାହିଁ । ମୁଁ ଜାଣିଚି ସେ କେଉଁଠାକୁ ଯାଇଛନ୍ତି । ସେଠାକୁ ସେ ଯେତେବେଳେ ଯାଆନ୍ତି, ସେଠାରେ ଦୁଇ ତିନି ଘଣ୍ଟାରୁ କମ୍‍ ସମୟ ରହି ଆସନ୍ତି ନାହିଁ । ହଉ ତେବେ ମୁଁ ଯାଉଛି ।”

 

(୩୬)

 

ପରଦିନର ଠିକ୍‍ ସେହି ସମୟ । ସେହି ବେଳକୁ ଉଜ୍ଜଳ ଚାହିଁ ବସିଥିଲା, ପ୍ରକୃତରେ ସେହି ସମୟରେ ସେ ଶୁଣି ପାରିଲା ସେହି ଶବ୍ଦ । ଯେଉଁ ଶବ୍ଦକୁ ସେ ପୂର୍ବଦିନ ଶୁଣି ପାରିଥିଲା । ଏଇଟା ହେଉଛି ଚାବି ଫିଟିବାର ଶବ୍ଦ । ଚାବି ପଶିଥିଲା ତାହା ଭିତରେ । ଠିକ୍‍ ସ୍ଥାନରେ ସେଇଟା ପୂରିଥିଲା ବାମରୁ ଡାହାଣକୁ; ତାଲା ଖୋଲିଥିଲା । ହୁକ୍‍ ପିଟିଥିଲା । କବାଟ ଫିଟିଥିଲା । ସବିତା ଆସିଥିଲା । ବହୁତ ଖୁସି ହୋଇଗଲା ଉଜ୍ଜଳ ।

 

ସବିତା ହସି ହସି ରୁମ୍‍ ଭିତରକୁ ପଶିଆସି ଭିତର କବାଟ ପକାଇ ଦେଇଥିଲା ।

 

ସେ ସାଙ୍ଗରେ ଆଣିଥିଲା ଉଜ୍ଜଳ ପାଇଁ କିଛି ଛେନା ଓ ଅଙ୍ଗୁର‌ । ତା’ ସହିତ କିଛି ଭଲ ବହି । ଉଜ୍ଜଳ ସେସବୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲା ।

 

ପରେ ଦୁଃଖ ପ୍ରକାଶ କରି କହିଲା, ‘‘ଏ ଅଙ୍ଗୁର ଛେନା କାହିଁକି ଆଣିଲ !”

 

“ତୁମପାଇଁ ଆଣିଛି । ମୁଁ ତ ଆଣି କିଛି ଭୁଲ୍‍ କରିନି, ତୁମେ ଏଠାରେ କ’ଣ ଖାଇବାକୁ ପାଉଛ ? ମୁଁ ତ ତୁମଠାରୁ ବହୁତ ଭଲରେ ଅଛି । ମୁଁ କ’ଣ ତୁମ ଦୁଃଖରେ ଦୁଃଖିନୀ ନୁହେଁ !”

 

“ମୋ’ପାଇଁ ତୁମେ ସିନା ହଇରାଣରେ ପଡ଼ିଲ !”

 

“ତୁମେ ଏସବୁ ବହି ଦେଖ । ତୁମେ ଏହିପରି ବହି ଚାହୁଁଥିଲ ତ ?”

 

ଉଜ୍ଜଳ ସେହି ବହିଗୁଡ଼ିକ ଦେଖିଲା । ସବିତାକୁ ପାଖରେ ବସାଇ ନିଜେ ବସିଲା ।

 

“ଖୁବ୍‍ ବଢ଼ିଆ ବହି । ତୁମ ନିଜର ଏଗୁଡ଼ିକ ନା ?”

 

“ହଁ”

 

ମୁଁ ଦିନକରେ ପଢ଼ିଦେବି । ସବୁ ଲୁଚାଇ ରଖିବି, ଯେପରି କେହି ଜାଣି ନ ପାରିବେ । ତୁମକୁ କ’ଣ କହି ଯେ ମୁଁ ଧନ୍ୟବାଦ ଦେବି, ସେଥିପାଇଁ ମୁଁ କିଛି ଭାଷା ପାଇପାରୁନି ।”

 

“ନା ନା, ମୋର ଧନ୍ୟବାଦ ଦରକାର ନାହିଁ । ତୁମେ ଏ ଅଙ୍ଗୁର କେତୋଟି ଖାଇଦିଅ ।”

 

“ମୁଁ ଯଦି ନ ଖାଇବି, ତୁମେ ନିଶ୍ଚୟ ମନ ଖରାପ କରିବ । ତୁମେ ଆଉ କେବେ ମୋ’ପାଇଁ ଫାଲ୍‌ତୁରେ ଏପରି ଖର୍ଚ୍ଚାନ୍ତ ହେବନି ।’’

 

“ମୁଁ କିଛି ଖର୍ଚ୍ଚାନ୍ତ ହୋଇନି । ଘରୁ ଆଣିଛି ।”

 

“କ’ଣ ଲୁଚାଇ ?”

 

“ହଁ ।’’

 

‘‘ଆଉ ସେପରି କରିବନି ।”

 

“କାହିଁକି ?”

 

‘‘ସେଇଟା ଭଲ ନୁହେଁ, ସେଇଟା ପାପ, ଅପରାଧ ।’’

 

“ହଉ ତୁମେ ଖାଇଦିଅ ।”

 

‘‘ତୁମେ ଖାଅ, ତା’ପରେ ମୁଁ ଖାଇବି ।”

 

“ମୁଁ କେବଳ ତୁମରି ପାଇଁ ଆଣିଛି । ମୁଁ ତ ସବୁବେଳେ ଖାଉଛି । ମୁଁ କାହିଁକ ଖାଇବି ? ତା’ପରେ ମୁଁ ତ ଖୁବ୍‍ କମ୍‍ ଆଣିଛି, ତୁମ ନିଜକୁ ପାଇବନି । ମୁଁ ଖାଇପାରିବିନି । ତୁମେ ଖାଇଦିଅ ଏକା । ମୁଁ ଏଥିରେ ଭାଗ ନେବିନି ।’’

 

‘‘ତୁମେ ନ ଖାଇଲେ ହେବନି ।”

 

“କାହିଁକ ମୁଁ ଖାଇବି ?”

 

‘‘ତା’ହେଲେ ମୁଁ ଖାଇବିନି ।”

 

ମୁଁ ପଛେ ଆଉ କେଉଁଦିନ ବହୁତ ଆଣିଲେ, ତୁମ ସାଙ୍ଗରେ ଖାଇବି; କିନ୍ତୁ ଆଜି ନୁହେଁ । ତୁମେ ଖାଇଦିଅ । ମୋ କଥା ମାନି ନିଅ । ଏହା କହି ସେ ଅଙ୍ଗୁର ପେନ୍ଥାଟିଏ ଆଣି ଖୁଆଇ ଦେବାକୁ ଚେଷ୍ଟା କଲା । ଉଜ୍ଜଳ ସବିତାର ହାତକୁ ଧରିପକାଇ କହିଲା, ‘‘ନା ନା, ମୋତେ କ୍ଷମା ଦିଅ । ତୁମେ ନ ଖାଇଲେ ମୁଁ ଖାଇବିନି । ଦ୍ଵିତୀୟ କଥା, ଗୋଟିଏ ସର୍ତ୍ତରେ ଖାଇବି ।”

 

“କି ସର୍ତ୍ତ ?”

 

“ଆଉ କେବେ କୌଣସି ଖାଇବା ଜିନିଷ ଆଣି ଏଠାକୁ ଆସିବ ନାହିଁ ।

 

‘‘ସେମିତି ହେଲେ ମୋ ମନରେ ଆଘାତ ହେବ । ମୁଁ ତ ସବୁବେଳେ ସୁବିଧା ପାଉନି । ଯେତେବେଳେ କିଛି ସୁବିଧା ପାଉଛି, ଆଣିବା କଥା । ଏପରି ସମୟରେ ମୁଁ ଆଣି ଆସିଲେ, ତୁମେ ଗ୍ରହଣ ନ କଲେ, ମୋ ମନରେ କେତେ କଷ୍ଟ ନ ହେବ ?”

 

‘‘ନିଶ୍ଚୟ ମୁଁ ଜାଣେ । କିନ୍ତୁ ମୋତେ ଭଲଲାଗୁନି । ତୁମେ ମୋ ଅନୁରୋଧ ରକ୍ଷା କରି ଆଉ ଆଣିବନି ।”

 

ଦୁହିଁଙ୍କ ମଧ୍ୟରେ ବହୁତ ଯୁକ୍ତିତର୍କ ଲାଗିଗଲା ଏହି ବିଷୟରେ । ତା’ପରେ ଦୁହେଁ ଦୁହିଁଙ୍କୁ ଖୁଆଇ ଦେଇଥିଲେ । ତା’ପରେ ସବିତା ଚାବି ପକାଇ ଚାଲି ଯାଇଥିଲା । ଯଥାସ୍ଥାନରେ ଚାବି ରଖି ଦେଇଥିଲା । କେହି ଜାଣିପାରିନଥିଲେ । ସେଥିପାଇଁ ତା’ ମନରେ ଆନନ୍ଦ ଏବଂ ଗର୍ବ, ସେ ଜିତିବାର ଗୌରବରେ ଆଚ୍ଛାଦିତା ।

 

 

(୩୭)

 

ଜେଲ୍‌ର ସୁପରିଣ୍ଟେଣ୍ଡେଣ୍ଟ ଆସିଲେ ଉଜ୍ଜଳର ଚାବି ଫିଟାଇ । ଉଜ୍ଜଳ ସେତେବେଳକୁ ସବୁ ଜିନିଷ ଲୁଚାଇ ସଜାଗ ହୋଇଗଲାଣି । ସନାତନ ବାବୁ ରୁମ୍‍ ଭିତରକୁ ଭଲଭାବରେ ଚାହିଁଲେ-। ଚାରି କାନ୍ଥ, ଚାରି କଣ, ଛାତ ସବୁଆଡ଼େ ଚାହିଁଲେ । ଫେରିବାକୁ ଯାଉଥିଲେ, ହଠାତ୍‍ ତାଙ୍କ ଆଖିରେ ଗୋଟିଏ ଜିନିଷ ପଡ଼ିଲା । ସେ ନଇଁପଡ଼ି ତାହାକୁ ଦେଖିବାକୁ ଛାଡ଼ିଲେ ନାହିଁ ।

 

ଉଜ୍ଜଳ ଏଥର ଭୟରେ ଥରିବାକୁ ଲାଗିଲା । ତା’ପାଟିରୁ ବାହାରି ଆସିଲା, ‘‘ନା ।”

 

ସନାତନ ବାବୁ ଯାଇ ସେଠାରୁ ସେହି ବହିଗୁଡ଼ିକୁ ଆଣିଲେ । ଉଜ୍ଜଳ ସେଗୁଡ଼ିକୁ ଧରିପକାଇଲା । ଛଡ଼ାଇ ଆଣିବାକୁ ଚେଷ୍ଟା କରି ଭିଡ଼ି ଆଣି କହିଲା, ‘‘ସେଗୁଡ଼ାକରେ ଆପଣ ଲାଗନ୍ତୁ ନାହିଁ ।”

 

ସନାତନ ବାବୁ ରାଗିଯାଇ କହିଲେ, ‘‘ଛାଡ଼ ।”

 

ଉଜ୍ଜଳ ସୁନା ପିଲାଟି ପରି ଛିଡ଼ା ହୋଇଗଲା ।

 

“ଏ ବହି ତୁ କେଉଁଠୁ ପାଇଲୁ ? ତୁ ବହି ପଢ଼ିପାରୁଛୁ ? ଆରେ ଏତ ଆମ ସବିତାର ବହି । ତା’ର ନାଁ ଲେଖା ହୋଇଛି । ତୋତେ ଏ ବହି କିଏ ଦେଲା ?”

 

“ନା ମୋତେ କେହି ଦେଇ ନାହାଁନ୍ତି ।”

 

‘‘ତୋ ପାଖକୁ କ’ଣ ସବିତା ଆସିଥିଲା ?”

 

“ନା ତ ।”

 

ତା’ପରେ ସନାତନ ବାବୁ ସେ ବହି ଉପରେ ଆଖି ବୁଲାଇ କିଛି ସମୟ କ’ଣ ଗୁଡ଼ାଏ ଚିନ୍ତା କଲେ । ତା’ପରେ ସେ ତାକୁ ସେ ବହି ଫେରାଇ କହିଲେ, “ହଉ ପଢ଼ ପଢ଼, ନିଅ ରଖ ।” ଏହା କହି ସେ ରୁମ୍‍ ଚାବି ପକାଇ ଚାଲି ଆସିଲେ । ଉଜ୍ଜଳ ଆଶ୍ଚର୍ଯ୍ୟ ହୋଇଗଲା ।

 

ସଙ୍ଗେ ସଙ୍ଗେ ସେ ଘରକୁ ଫେରିଥିଲେ । ସବିତା ମଧ୍ୟ ସେତେବେଳେ ଥିଲା । ସେ ତାକୁ ଗମ୍ଭୀର ହୋଇ କହିଲେ, ‘‘ତୁ କ’ଣ ଅଫିସ୍‍ରୁ ଚାବି ନେଇ ଦୁଇଶହ ବତିଶ ନମ୍ବର ରୁମ୍‍ ଫିଟାଇଥିଲୁ ? ତାକୁ ବହି ଦେଇଥିଲୁ ?”

 

ସବିତାର ଛାତି ଚାଉଁକିନା ହୋଇଗଲା । ସେ ତା’ ବାପାଙ୍କୁ ଅନାଇଁ ରହିଲା । ତା’ ବାପା କହିଲେ “ଡରନା, ମୋତେ ସତ କଥା କହ, ମୁଁ ତୋତେ ମାରିବିନି ।”

 

“ବାପା” ଏହା କହି ସେ ସନାତନ ବାବୁଙ୍କ ବେକରେ ପିଲାଙ୍କ ପରି ଝୁଲିପଡ଼ିଲା । ସନାତନ ବାବୁ କହିଲେ, ‘‘ତୁ ଯାହା କରିଛୁ, କିଛି ଖରାପ ନୁହେଁ । କିନ୍ତୁ ଏଇଟା ତୋର କରିବା କଥା ନୁହେଁ ।”

 

‘‘ବାପା ! ମୁଁ ଉଜ୍ଜଳକୁ ଭଲପାଏ !”

 

“ଉଜ୍ଜଳ ତ ବହୁତ ଭଲ ପିଲା । କିନ୍ତୁ ତାକୁ ଭଲପାଇ ତୋର କିଛି ଲାଭ ହେବନି । ଯେ ସାରା ଜୀବନ ଜେଲ୍‍ ଖଟିବ । ସେ ଯଦି ସମାଜ ମଧ୍ୟରେ ଥାଅନ୍ତା, ତୋରି ପାଇଁ ତୋର ଇଚ୍ଛାରେ ତ ମୁଁ ତାକୁ ତୋ ସହିତ ବିଭା କରି ଦେବାକୁ ରାଜି ହୋଇଥାନ୍ତି ।”

 

“ବାପା ! ତମେ ମୋ କଥା ରଖ ବାପା ! ତା’ଛଡ଼ା ମୁଁ ଆଉ କାହାକୁ ଭଲପାଇପାରିବିନି-। ସେ ହେଉ ପଛେ ସାରା ଜୀବନ କଏଦୀ ।”

 

“କିନ୍ତୁ !”

 

‘‘ନା, ବାପା, ନା ।” ଏହିପରି କହି ସବିତା ସନାତନ ବାବୁଙ୍କ ପାଟିରେ ହାତ ଦେଇଥିଲା-

 

ସନାତନ ବାବୁ ହସିଥିଲେ । “ପାଗଳୀଟିଏ” କହିଥିଲେ ସେ । ସବିତା ତା’ ବାପାଙ୍କ ଛାତିକୁ ଖୁବ୍‍ ଜୋରରେ କୁଣ୍ଢାଇ ପକାଇଥିଲା ଖୁସି ହୋଇ ।

 

“ତା’ ସାଙ୍ଗରେ ଏତେ ଘନିଷ୍ଠ ହେବୁନି ।” ସତର୍କ କରି ଶୁଣାଇ ଦେଇଥିଲେ ।

 

 

(୩୮)

 

ସବୁଦିନ ପରି ରିକ୍ରେସନ୍‍ ଟାଇମରେ ସ୍କୁଲରେ ସବୁ ଝିଅମାନେ ପୋଷ୍ଟମ୍ୟାନ୍‍ ଚାରିପାଖରେ ଘେରିଗଲେ । ଖୁବ୍‍ କମ୍‍ ସମୟ ମଧ୍ୟରେ ସମସ୍ତେ ନିଜ ନିଜର ଚିଠି ପାଇଗଲେ । ଶେଷରେ ପୋଷ୍ଟମ୍ୟାନ୍‍ ସବିତାର ନାଁ ଡାକିଲା । ସବିତା ସେଠାକୁ ଚାଲିଯାଇ ତା’ ଚିଠିଟା ଆଣିଲା-। ସେ ଚିଠି ପାଇଥିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ସମସ୍ତେ ସବୁଦିନ ଚିଠି ପାଆନ୍ତି, ମାତ୍ର ସେ କେଉଁଦିନ ପାଏନା । ସେ ଚିଠି ପାଇବାର ଦେଖି ସମସ୍ତେ ଠରାଠରି ହୋଇଗଲେ । ସେ ମଧ୍ୟ ଏ ଧନ୍ଦାରେ ପଶିଲାଣି ।

 

ଇଡ଼ା ପ୍ରତିବାଦ କରି ସମସ୍ତଙ୍କୁ କହିଥିଲା, ‘‘ସେ କ’ଣ ମଣିଷ ନୁହେଁ କି ?” ଏହାପରେ ଇଡ଼ା ଏବଂ ସବିତା ଦୁହେଁ ଗୋଟିଏ ନିରୋଳା ସ୍ଥାନକୁ ଚାଲିଆସିଲେ । ସବିତା କହିଲା, “ମୋତେ ସିନା ସେଦିନ ତୁମ ଚିଠି ପଢ଼ିବାକୁ ଦେଇ ନ ଥିଲ । କହିଥିଲ ପର ଚିଠି ପଢ଼ନ୍ତିନି । ଆଜି ମୁଁ ମୋ ଚିଠି ତୁମକୁ ଦେଉଛି ପଢ଼ିବାକୁ, ମୁଁ ପଢ଼ିବା ପୂର୍ବରୁ ।”

 

ଇଡ଼ା ଆଶ୍ଚର୍ଯ୍ୟ ହୋଇଯାଇଥିଲା । ସେ ସବିତା ଲଫାପାକୁ ଚିରି କାଗଜଟିକୁ ବାହାର କଲା । ସେ ସେଥିରେ ଯାହା ଦେଖିଲା ଆହୁରି ଆଶ୍ଚର୍ଯ୍ୟ ହୋଇଯାଇଥିଲା ।

 

ଏଗୁଡ଼ାକ ତ ସେ ଆଦୌ ବୁଝିପାରୁନି କି ପଢ଼ିପାରୁନି । ଏଗୁଡ଼ାକ ସବୁ କ’ଣ ଲେଖା ହୋଇଛି । ଏଗୁଡ଼ାକ କି ଭାଷା ? ଏତେ ଚିତ୍ର ବିଚିତ୍ର ହୋଇଛି ?

 

ମୁରୁକି ମୁରୁକି ହସୁଥାଏ ସବିତା ?

 

ଇଡ଼ା କିଛି ବୁଝି ନ ପାରି ସବିତାକୁ କହିଲା, ‘‘ତମେ ମୋ ଚିଠିଟା ନିଅ, ଫିଟାଇ ପଢ଼ ।’’

 

ସବିତା ସେ ଚିଠିଟା ଚିରି ଫିଟାଇଲା । ତା’ଭିତରୁ ଗୋଟିଏ ସୁନ୍ଦର ଫଟୋ ବାହାରି ଆସିଲା ଏବଂ ଆଉ କିଛି ଲେଖା ।

 

ସେ ସେହି ଫଟୋକୁ ଦେଖି କହିଲା, “ଏଇ ?”

 

ଇଡ଼ା ମୁରୁକି ମୁରୁକି ହସିଲା ।

 

‘‘ବହୁତ ଭଲ ପୁଅ ।”

 

“କିନ୍ତୁ ତୁ କେତେବେଳେ ଆମକୁ ତାଙ୍କ ଫଟୋ ଦେଖାଇବୁ?”

 

“ମୁଁ କିନ୍ତୁ ଦେଖାଇ ପାରିବନି ।”

 

“କାହିଁକି ?”

 

‘‘ମୋତେ ସିନା ଆଜି ଦିନଟା ଚିଠି ମିଳିଗଲା । କିନ୍ତୁ ମୋତେ ତୋ’ପରି ସବୁଦିନ ଚିଠି ମିଳିବନି । ବର୍ଷକୁ ଥରେ ଅଧେ ଏମିତି ।”

 

“କାହିଁକ ସବୁଦିନ ନୁହେଁ ।”

 

‘‘ସେଇଟା ମୁଁ କହିପାରିବିନି ?’

 

“ହଉ ସବିତା ! ମୁଁ ତମକୁ ଗୋଟିଏ ହେଲେ କଥା ଲୁଚାଇ ରଖିନି । କିନ୍ତୁ ତମେ ଏତେ କଥା ମୋତେ ଲୁଚାଉଛ ।”

 

ହସିଉଠିଲା ସବିତା । ତା’ ମନ ବହୁତ ଖୁସି ଆଜି । ସମସ୍ତେ ସବୁଦିନ ତାକୁ ଯାହା ଦେଖାଉଥିଲେ, ସେ ସେପରି ଜିନିଷ କାହାକୁ ଦେଖାଇପାରି ନ ଥିବାରୁ ମନଦୁଃଖରେ ଚାପି ହୋଇ ରହୁଥିଲା । ମାତ୍ର ଆଜି ସେ ସମସ୍ତଙ୍କୁ ପରାସ୍ତ କରିଛି । ସେ ସମସ୍ତଙ୍କୁ ସେଇ ଜିନିଷ ଦେଖାଇ ପାରିବାକୁ ସମର୍ଥ ହୋଇପାରିଲା । ତା’ ମଧ୍ୟରେ କିଛି ଶକ୍ତି ଅଛି । ତା’ର କିଛି ନିଜସ୍ଵ ରହିଛି । ଏଇଟା କେହି ଜାଣିପାରୁନଥିଲେ ।

 

ସବିତା ଗର୍ବକରି କହିଲା, “ମୁଁ ତୋ’ପରି ଝିଅ ନୁହେଁ ଇଡ଼ା ! ତୁ ସିନା ସେଦିନ ମୋତେ ତୋ ବିଷୟରେ କିଛି କହି ନ ଥିଲୁ । କିନ୍ତୁ ମୁଁ ଯଦି ତୋ’ପରି ଆଫେୟାର୍ ପାଇଥାନ୍ତି, ନିଶ୍ଚୟ କହିଦିଅନ୍ତି ।”

 

“ମୁଁ ତ କିନ୍ତୁ ସବୁଯାକ ଖୋଲି କରି କହିଛି । କିଛି ଲୁଚାଇନି ।”

 

“କିନ୍ତୁ ଏ କଥାଟା ଟିକିଏ ଅଲଗା ।’’

 

‘‘କିଛି ଭୟ ନାହିଁ ସବିତା : ମୋତେ କହିଲେ ତୋର କିଛି କ୍ଷତି ହେବନି । ମୁଁ କାହାକୁ ହେଲେ କହିବିନି ।”

 

‘‘ହଉ ମୁଁ କହୁଛି ।”

 

‘‘ଆଚ୍ଛା, ତାଙ୍କ ନାଁ କ’ଣ ?”

 

“ଉଜ୍ଜଳ ।”

 

“ବାଃ ବହୁତ ବଢ଼ିଆ ନାଁ । ସେ କ’ଣ ଘର ପାଖ ପିଲା ?”

 

“ହଁ ।”

 

“କିନ୍ତୁ ସେ କ’ଣ ଓଡ଼ିଆ ନୁହନ୍ତି ?”

 

“ସେ ତ ଖାଣ୍ଟି ଓଡ଼ିଆ ।”

 

“ତା’ହାଲେ ଏ କି ଭାଷାରେ ଏ ଚିଠି ସେ ଲେଖିଛନ୍ତି ?”

 

ହସି ହସି ସବିତା କହିଲା, ‘‘ଏ ଗୋଟିଏ ନୂଆ ଭାଷା । ଆମେ ଦୁହେଁ ନିଜେ ନିଜେ ତିଆରି କରିଛୁ ଏତେ ଦିନ ଲାଗି । କେବଳ ଆମେ ଦୁହେଁ ଏ ସଙ୍କେତ ଓ ଭାଷା ବୁଝିପାରିବୁ । ପୃଥିବୀରେ ଆମ ଦୁହିଁଙ୍କ ଛଡ଼ା ଆଉ କେହି ବୁଝିପାରିବେନି । ପୃଥିବୀରେ କେଉଁ ସ୍ଥାନରେ ବି ଏପରି ଭାଷା ନାହିଁ । କେହି ଠଉରାଇ ବି ପାରିବେନି; ଏ ଲେଖାର ଅର୍ଥ କ’ଣ ?”

 

“ବାରେ ! ତମେ ସବୁ କେତେ ବାଟ ଆଗେଇ ଗଲଣି । ଏପର୍ଯ୍ୟନ୍ତ ମୁଁ ଆଦୌ ଜାଣିପାରିନଥିଲି । ହଉ, ତୁମେ ଏମିତି ଏମିତି ବୁଡ଼ି ବୁଡ଼ି ପାଣି ପିଇପାର । ମୋତେ କାହିଁକି ଏପର୍ଯ୍ୟନ୍ତ ଲୁଚାଇ ରଖିଥିଲ । ସେଇଥିପାଇଁ ବୋଧହୁଏ କିଛି ଦିନ ହେବ ତୁମେ ବହୁତ ଖୁସି ଜଣାପଡ଼ୁଥିଲ । ମୁଁ ପଚାରିବି ପଚାରିବି ବୋଲି ପଚାରିଲିନି । ଅବଶ୍ୟ ମୁଁ ସନ୍ଦେହ କରୁଥିଲି । ମୁଁ ଏ ଭାଷା ବୁଝିପାରିବିନି ବୋଲି ବୋଧହୁଏ ତମେ ନିଜେ ନ ପଢ଼ି ମୋତେ ପ୍ରଥମେ ପଢ଼ିବାକୁ ଏ ଚିଠିଟା ବଢ଼ାଇ ଦେଇଥିଲ ?”

 

ସବିତା ଦୁଃଖର ସହିତ କହିଲା, ‘‘ମୁଁ କହିବି ସବୁ । ତୁ ଜମା କାହା ଆଗରେ କହିବୁନି । ଏ କଥାଟା ତୋ କଥା ସାଙ୍ଗରେ ସମାନ ନୁହେଁ । ଏଇଟା ଆମ କ୍ଲାସ୍‍ର କାହା କଥା ସାଙ୍ଗରେ ମଧ୍ୟ ସମାନ ନୁହେଁ ।”

 

‘‘କିପରି ?”

 

“ମୁଁ ତୁମକୁ ଅନୁକରଣ କରିଛି ଇଡ଼ା । ମୋ’ପାଇଁ ଅନ୍ୟ କିଛି ଉପାୟ ନ ଥିଲା । ମୁଁ ସେଦିନ କ୍ଲାସ୍‍କୁ ଯାଇ ନ ଥିଲି । ମୁଁ ସ୍ଥିର କରି ନେଇଥିଲି ଯେ ମୋତେ ଜଣେ ବୟଫ୍ରେଣ୍ଡ୍‍ ନ ମିଳିଲେ ମୁଁ ଆଦୌ ପାଠ ପପଢ଼ିବିନି । ମୁଁ ତା’ପରେ ବହୁତ ଚେଷ୍ଟା କଲି ତୋ’ପରି ଆମ ଛାତ ଉପରେ ବୁଲିଲି । ତୁ ଜାଣୁ ମୁଁ କ’ଣ ଖୋଜୁଥାଏ । ଆମ ଛାତ ସାମନାରେ ଜେଲ୍‍ ଘରଗୁଡ଼ିକ ଭଲଭାବରେ ଦେଖା ଯାଉଥାଏ । ଲୁହା ବାଡ଼ ମଧ୍ୟରେ କଏଦୀଗୁଡ଼ାକ ଥାଆନ୍ତି । ଆମ ଘର ସାମନାରେ ଜେଲ୍‌ର ଗୋଟିଏ ରୁମ୍‍ ପରିଷ୍କାର ଦେଖାଯାଏ, ସେଇଟା ହେଲା ଜେଲ୍‌ର ଶେଷ ରୁମ୍‍-। ଅନ୍ୟ ସବୁ ରୁମ୍‍ ଯେପରି ତିଆରି, ସେଇଟି ସେପରି ତିଆରି ନୁହେଁ । ଏଇଟା ଅଲଗା ଦିଗକୁ ମୁହଁ କରିଥାଏ ଠିକ୍‍ ଆମରି ଛାତ ଦିଗକୁ । ମୋତେ କିଛିଦିନ ହେବ‌ କେହି ମିଳିଲେନି । ଶେଷରେ ମୁଁ ସେଇ କଥା ଚିନ୍ତା କଲି । ଜଣେ କଏଦୀ ସେହି ରୁମ୍‌ରୁ ମଧ୍ୟ ମୋ’ଆଡ଼କୁ ଲକ୍ଷ୍ୟ କରୁଥିଲା । ମୁଁ ତାକୁ ଅନାଇଁ ହାତ ହଲେଇଲି । ସେ ମଧ୍ୟ କ’ଣ ଭାବି ମୋତେ ଠିକ୍‍ ସେହିପରି ରେଷ୍ପଣ୍ଡ କରି ହାତ ହଲାଇଲା । ଏହିପରି କିଛିଦିନ ଚାଲିଲା । ମୁଁ ସବୁଦିନ ଏହିପରି ଠିକ୍‍ ସମୟକୁ ଛାତ ଉପରକୁ ଆସେ । ଦିନେ ମୁଁ ବାପାଙ୍କ ସହିତ ତା’ ରୁମ୍‌କୁ ଯାଇଥିଲି । ତାକୁ ସେଠାରେ ଦେଖିଲି । ବହୁତ ସୁନ୍ଦର ପିଲାଟାଏ ।”

 

‘‘ଯେତେହେଲେ କଏଦୀ ତ ?”

 

“ହେଲେ କ’ଣ ହେବ ? ସେ ତ ଅନ୍ୟ ସମସ୍ତଙ୍କଠାରୁ ବେଶ୍‍‌ ଭଲ ।”

 

“ସେ କ’ଣ ଚୋରି କରିଥିଲା ?”

 

“ନା ।”

 

“ଆଉ ?”

 

‘‘ସେ ହତ୍ୟା କରିଥିଲା । ସେ କଥା‌ ମୁଁ ପରେ କହିବି ।”

 

କେତେ ବର୍ଷ ଜେଲ୍‍ ହୋଇଛି ?”

 

“ବର୍ଷ, ହୁଁ... । ସାରା ଜୀବନ ।”

 

“କ’ଣ ଲାଭ ମିଳିଲା । ତାକୁ ପ୍ରେମ କରି କ’ଣ ଲାଭ ?”

 

“କାହିଁକି ଲାଭ ନାହିଁ ।’’

 

“କ’ଣ ତା’ ସାଙ୍ଗରେ ମିଶିପାରିବୁ ?”

 

“ମୁଁ ଅନେକଥର ଯାଇଛି ତାହା ପାଖକୁ ।”

 

“କିପରି?”

 

“ତା’ହେଲେ ଏପରି ଅକ୍ଷର ଓ ଭାଷା ଆମେ ଦୁହେଁ ମିଶି କିପରି ତିଆରି କରିବାକୁ ସୁଯୋଗ ପାଇଲୁ ? ଏ ଭାଷା ଆମର ଦରକାର ପଡ଼ିଲେ ଭବିଷ୍ୟତରେ କାମରେ ଆସିବ ।”

 

“ତା’ହେଲେ ତମ ବାପା ତ ଅଛନ୍ତି ସୁପରିଣ୍ଟେଣ୍ଡେଣ୍ଟ ।”

 

“ହଁ ସେଇଥିପାଇଁ ମୁଁ ଏ ସୁଯୋଗ ପାଉଛି । ମୁଁ ତାଙ୍କ ଅଫିସ୍‌ରୁ ସେହି ରୁମ୍‌ର ଚାବି ଚୋରି କରିନେଇ ଫିଟାଉଛି । ତମେ ଏକଥା ଭୁଲରେ ସୁଦ୍ଧା କାହାରିକୁ କହିବନି । ମୁଁ ତୁମକୁ ଖାଲି ଏକା କହିଲି ।”

 

“ମୁଁ କହିବିନି; କିନ୍ତୁ ତମେ ବୁଝିବାକୁ ଚେଷ୍ଟା କର । ତୁମପାଇଁ ସେଇଟା ବାଟ ନୁହେଁ । ଜଣେ କଏଦୀ ସାଙ୍ଗରେ ଏପରି… !”

 

‘‘କ’ଣ ହେଲା ? ସେ ତ ଭଲ ପିଲା । ବହୁତ ଧନୀ ଘରର ପିଲା । ନାମଜାଦା ଓ ସମ୍ଭ୍ରାନ୍ତ ପରିବାରରୁ ଜନ୍ମ । ସେ କ୍ଲାସରେ ଫାଷ୍ଟ ହେଉଥିଲା, ତା’ ବାପାଙ୍କର ନାଁ ଅଛି । ସେ ଦେଶପାଇଁ ନିଜ ଜୀବନ ଦେଇଛନ୍ତି । ସହିଦ ହୋଇଛନ୍ତି । ତା’ଙ୍କ ମା’ ମଧ୍ୟ ମରିଗଲେ । ଆଉ ଶେଷରେ ତାକୁ କଷ୍ଟ ଦେବାକୁ ରହିଥିଲେ କେବଳ ତା’ ସାବତ ମା’ ଓ ସାବତ ବାପା । ଏମାନଙ୍କର ଅତ୍ୟାଚାର ସେ ସହିପାରିନଥିଲା । ଦିନେ ସେ ବହୁତ କଷ୍ଟ ପାଇବାରୁ ଘରୁ ବାହାରି ଆସି ବାହାରୁ ଗୋଟିଏ ପିସ୍ତଲ ଚୋରିକରି ଦୁଇଜଣଯାକଙ୍କୁ ମାରି ପକାଇଲା । ତା’ପରେ ଜେଲ୍‍କୁ ଆସିଲା ।”

 

“କିପରି ?”

 

ସବିତା ଏସବୁ ପ୍ରାଞ୍ଜଳଭାବରେ ବୁଝାଇ ଦେବାକୁ ଚେଷ୍ଟା କରିଥିଲା, ତଥାପି ଇଡ଼ାକୁ ଏସବୁ କଥା ଭଲ ଲାଗିଲାନି । ସେ ତାକୁ ଉପଦେଶ ଦେଇଥିଲା, ‘‘ସବିତା ମୁଁ ତୁମ ଭଲପାଇଁ କହୁଛି । ତୁମେ ଏପରି ପାଗଳାମି କରନି । ଜୀବନର ଅର୍ଥ ଏଇଆ ନୁହେଁ । ବଡ଼ ହେଲେ ତୁମେ ଅନୁତାପ କରିବନି ଯେ ତୁମେ ଅତୀତର ଯେଉଁ ଛୋଟ କାମ କରିବା କଥା ନୁହେଁ, ସେ କାମ କରି ପକାଇଛ । ତୁମକୁ ଯଦି ବୟଫ୍ରେଣ୍ଡ୍‍ ନ ମିଳୁଛି, ତମେ ବରଂ ନୀରବ ରୁହ । ଏଇଟା କ’ଣ ବଡ଼ କଥା-? ତୁମପାଇଁ ସମୟ ଆସିବ । ତୁମେ ନିଶ୍ଚୟ ଭଲ ବୟଫ୍ରେଣ୍ଡ୍‍ ପାଇବ ।”

 

“ନା ଇଡ଼ା, ତମେ ସେକଥା କୁହନି । ମୁଁ ତୁମକୁ ଅନୁରୋଧ କରୁଛି । ତୁମ ଗୋଡ଼ହାତ ଧରୁଛି । ମୋତେ ସମର୍ଥନ କର । ମୋ ଫରରେ ଦୁଇପଦ କୁହ । ମୋ ବିରୁଦ୍ଧରେ କିଛି କୁହନି । ମୋତେ ଭଲଲାଗୁନି । ମୁଁ ତାକୁ ଛାଡ଼ି ପାରିବିନି । ମୁଁ ତାକୁ ମୋ ଜୀବନ ଦେଇ ଭଲ ପାଇଛି । ତା’ଛଡ଼ା ଏ ଜୀବନରେ ମୁଁ ଅନ୍ୟ କାହାକୁ ଭଲପାଇପାରିବିନି ।”

 

(୩୯)

 

ଇଡ଼ା ହାସ୍‌ପାତାଳରେ ନିଜ ମା’ଙ୍କ ଅଚେତ ଶରୀର ପାଖରେ ବସି ରହିଛି । ସେ ବସ୍‍ ଆକ୍‌ସିଡେଣ୍ଟରେ ପଡ଼ି ଏଠାରେ ଏମର୍ଜେନ୍‌ସି ୱାଡ଼ରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ଗୋଟିଏ ଆଖି ନଷ୍ଟ ହୋଇଯାଇଛି । ଛାତି, ହାତ ଏବଂ ମୁହଁର ହନୁହାଡ଼ରେ ମାଡ଼ ହୋଇ ଭୀଷଣ ଭାବରେ‌ ଖଣ୍ଡିଆ ଖାବରା ହୋଇ ପଡ଼ିଛନ୍ତି । ଡାକ୍ତର ତାଙ୍କୁ ବ୍ୟାଣ୍ଡେଜ ବାନ୍ଧି ଦେଇଛନ୍ତି । ତାଙ୍କ ପାଇଁ ରକ୍ତ ଦିଆଯିବ । ତା’ପରେ ଅକ୍‌ସିଜେନ୍‍ ଆଦି ଜିନିଷ ମୁରାରୀଙ୍କ ପରି ଗରିବ ଲୋକ କୁଆଡ଼ୁ ଆଣିପାରିବ ? ପ୍ରକୃତରେ ସେଇଟା ଥିଲା ମାସ ଶେଷ । ତା’ ପକେଟରେ ମଧ୍ୟ କିଛି ନ ଥିଲା । ଇଡ଼ା ନିଜ ପାସ୍‌ବୁକରେ ଥିବା ପାଞ୍ଚଶହ ଟଙ୍କା ବାହାର କଲା । କିନ୍ତୁ ଏତିକିରେ କ’ଣ ହୋଇଯିବ ? ଆହୁରି ଦରକାର । ପ୍ରାୟ ଆଉ ହଜାରେ ହୋଇଗଲେ କାମ ଚଳିଯିବ; କିନ୍ତୁ ଏତେ ଟଙ୍କା ତାକୁ ଦେବ ବା କିଏ ? ଏ ଅସମୟରେ ତାକୁ ସାହାଯ୍ୟ ଦେବାକୁ କିଏ ଅଛି ! ମୁରାରୀ ମନରେ ଅନେକ ଚିନ୍ତା । କ’ଣ ଭାବି ସେ ଚୁପ୍‍ଚୁପ୍‍ ଇଡ଼ାକୁ କହିଲା, ‘‘ଆଚ୍ଛା ମା’, ତୋତେ ଗୋଟିଏ କଥା ପଚାରିବି ତୁ କହିବୁ ?”

 

“କି କଥା ?”

 

“ଆଚ୍ଛା ସବିତା ପରା ତୋ ସାଙ୍ଗ ।”

 

“ହଁ ।”

 

“ତୁ ପରା କହୁଥିଲୁ ଯେ ସେ ତା’ ପାସ୍‌ବୁକରେ ପାଞ୍ଚହଜାର ଟଙ୍କା ଜମା ରଖିଛନ୍ତି ।”

 

“ହଁ ।”

 

“ଏଇଟା କ’ଣ ସତ ।”

 

“ହଁ ।”

 

“ଆଚ୍ଛା, ତାକୁ ମାଗିଲେ ହୁଅନ୍ତାନି ? ତାକୁ ଆମେ ପରେ ଦେଇଦେବା ।”

 

“ଭଲ ହୁଅନ୍ତା ।”

 

“ଆଉ କିଏ ଅଛି ଆମକୁ ଏ ଅବେଳରେ ସାହାଯ୍ୟ କରିବାକୁ ।”

 

‘‘ତୁମେ ଯାଅ । ମୁଁ ଏଠାରେ ମା’ ପାଖରେ ଅଛି । ସେ ନିଶ୍ଚୟ ଦେବ ।”

 

“ତାକୁ କେମିତି ମୁଁ କହିବି ?”

 

“ସେ କିଛି ଭାବିବେନି । ସେ ଏପରି କଥା ଶୁଣିନି । ଶୁଣିଲେ ସେ ରହିପାରି ନ ଥାନ୍ତା । କେତେବେଳରୁ ଚାଲି ଆସିଥାନ୍ତା ।’’

 

“ତା’ପରେ ମୁରାରୀ ପ୍ରକୃତରେ ଗଲା ସବିତା ପାଖକୁ । ସବିତା ପଚାରିଲା, ‘‘କୁଆଡ଼େ-?”

 

“ମୁଁ ତୁମରି ପାଖକୁ ଅସିଛି ।”

 

“ମୋ ପାଖରେ କ’ଣ କାମ ଥିଲା ?”

 

“ହଁ ।” ତମେ ମୋତେ ସାହାଯ୍ୟ କରିପାରିବ ମା’ !” ଏହା କହି ତା’ ଆଖି ଛଳଛଳ ହୋଇଆସିଲା ।

 

“କ’ଣ ଅସୁବିଧା ହୋଇଛି ?’’

 

‘‘ଇଡ଼ାର ମା’ ମାର୍କେଟିଂ କରିବାକୁ ଯାଇଥିଲା ବସରେ ବସି । ବସ୍‌ଟି ବ୍ରିଜ୍‍ ଉପରୁ ତଳକୁ ଖସିପଡ଼ିଲା । ସେ ବର୍ତ୍ତମାନ ହାସ୍‍ପାତାଳରେ । ବହୁତ ସିରିୟସ୍‍ କେସ୍‍ । ତା’ ଚେତା ଫେରି ଆସିନି । ଆଚ୍ଛା ତମେ ପରା ପାଞ୍ଚ ହଜାର ଟଙ୍କା ନିଜ ପାସ୍‌ବୁକରେ ରଖିଛ । ମୋତେ ଇଡ଼ା କହୁଥିଲା । ଡାକ୍ତର ଯାହା ଯାହା କହିଛନ୍ତି, ରୋଗୀକୁ ବଞ୍ଚାଇବାକୁ ହେଲେ ଯେଉଁସବୁ ଜିନିଷ ବର୍ତ୍ତମାନ ନଗଦ କିଣା ହେବ, ସେଥିରେ ଅତି କମରେ ହଜାରେ ଟଙ୍କା ଲଗିଯିବ । କିନ୍ତୁ ମୋ ପାଖରେ କିଛି ନାହିଁ । ମୁଁ କାହା ପାଖରୁ ଆଣିବି ? କାହା ପାଖରେ ମଧ୍ୟ ନାହିଁ । ତମ ପାଖରେ ଯଦି ଅଛି, ଆଉ ଯଦି ତମେ ସାହାଯ୍ୟ କରିପାରନ୍ତ ଆମର ଏ ବିପଦ ସମୟରେ, ତାହାହେଲେ ଖୁବ୍‍ ଭଲ ହୁଅନ୍ତା । ରୋଗୀକୁ ଅମେ ବଞ୍ଚାଇପାରନ୍ତେ ନିଶ୍ଚିତ ମୃତ୍ୟୁ କବଳରୁ । ଆଉ ତୁମର ଏ ଟଙ୍କା ମୁଁ ତିନି ଚାରିଦିନ ଭିତରେ ଯୋଗାଡ଼ କରି ଦେଇଦେବି ।’’

 

“ହଁ, ମୁଁ ଦେବି ହଜାରେ ଟଙ୍କା, କିଛି ବ୍ୟସ୍ତ ହୁଅନି । ମୋର ତ ମା’ପରି ଜିନିଷ ନାହିଁ । ମାଉସୀ ତ ମୋ ନିଜ ମା’ଠାରୁ ବଳି ଅଧିକ ସ୍ନେହ ଦେଇଛନ୍ତି । ମୁଁ ତାଙ୍କପାଇଁ ସାହାଯ୍ୟ ଦେବିନି ତ ଆଉ କାହାପାଇଁ ସାହାଯ୍ୟ ଦେବି ? କ’ଣ ହୋଇଛି ତାଙ୍କର ?”

 

‘‘ଗୋଟିଏ ଆଖି ନଷ୍ଟ ହୋଇଯାଇଛି । ହାତ, ଛାତି, ମୁହଁରେ ମାଡ଼ ହୋଇ ସମ୍ପୂର୍ଣ୍ଣ ଜଖମ ହୋଇଯାଇଛି ।”

 

ସବିତାର ଅଖି ଛଳଛଳ ହୋଇଗଲା ।

 

ସେ ହଜାରେ ଟଙ୍କା ତୁରନ୍ତ ବ୍ୟବସ୍ଥା କରି ସଙ୍ଗେ ସଙ୍ଗେ ହସ୍‌ପିଟାଲକୁ ଚାଲିଆସିଲା । ମୁରାରୀ ଆଶ୍ଵସ୍ତ ହୋଇ ନିଃଶ୍ଵାସ ମାରି କହିଲା, “ମଣିଷର ରକ୍ଷା ହୋଇଗଲା ।”

 

ଏପରି ଅସମୟରେ ସାହାଯ୍ୟ ଦେଇଥିବାରୁ ଇଡ଼ା ସବିତା ପାଖରେ କୃତଜ୍ଞତା ଜ୍ଞାପନ କରିଥିଲା ।

 

ଇଡ଼ା ଆଖିରେ ଲୁହ ଦେଖି ସବିତା କହିଲା, “ତୁମେ କାନ୍ଦନା ଇଡ଼ା ! ଭଗବାନ କରନ୍ତୁ ମାଉସୀ ଶୀଘ୍ର ଭଲ ହୋଇଯାଅନ୍ତୁ ।”

 

ଡାକ୍ତରଙ୍କ ପରିଶ୍ରମରେ ଇଡ଼ାର ମା’ ଚେତା ପାଇଥିଲେ । ସେ ସମୟରେ ସମସ୍ତେ ଉପସ୍ଥିତ ଥିଲେ । ସବିତା ତାଙ୍କର ନିଜ ଝିଅପରି ସେବା କରିଥିଲେ । ତାଙ୍କ କ୍ଲାସ୍‌ର ଅନ୍ୟାନ୍ୟ ବହୁତ ସାଙ୍ଗ ଝିଅ ମଧ୍ୟ ତାଙ୍କୁ ଦେଖିବାକୁ ଆସିଥିଲେ । କିଛି ଦିନ ମଧ୍ୟରେ ସେ ଭଲ ହୋଇଯାଇଥିଲେ ଏବଂ ଘରକୁ ଫେରିଥିଲେ ? ମୁରାରୀ ପାଞ୍ଚ, ଛଅ ଦିନ ମଧ୍ୟରେ ଟଙ୍କା ଯୋଗାଡ଼ କରି ସବିତାକୁ ଫେରାଇ ଦେଇଥିଲା ।

 

ସବିତା ମନାକରି କହିଥିଲା, “ମୁଁ ତ ମାଉସୀଙ୍କ ପାଇଁ ଏସବୁ ଖର୍ଚ୍ଚ କରିଛି । ତମେ ଫେରାଇଲ କାହିଁକି ?’’

 

ମୁରାରୀ କହିଲା, ‘‘ତମେ ମୋତେ ଯେଉଁ ସାହାଯ୍ୟ ଦେଇଛ, ମୁଁ ସାରାଜୀବନ ଭୁଲିପାରିବିନି । ଶୁଝିପାରିବିନି ମଧ୍ୟ । ମୁଁ ତମର ସାରାଜୀବନ ଭୃତ୍ୟ ହୋଇ ରହିବି । ମୋତେ ଯାହା ଆଦେଶ ଦେବ, ତାହା କରିବି । ମଲେ ପଛେ ମରିବି ।”

 

“ଏମିତ କ’ଣ କୁହନ୍ତି ?”

 

ମୁରାରୀ ବାଧ୍ୟ କରିବାରୁ ସେ ଟଙ୍କା ରଖିଲା । ସେ କହିଥିଲା, “ଯଦି ଫେରାଇଲ ଏତେ ହଇରାଣରେ ପଡ଼ି, ଏତେ ଶୀଘ୍ର କାହିଁକି ଫେରାଇଲ ?”

 

“ମୁଁ ଜାଣେ ତୁମେ ସବୁ ଛୁଆ । ଆମ ଇଡ଼ା ସାଙ୍ଗର । ତମେ କ’ଣ ରୋଜଗାର କଲଣି-? ନିଜ ବାପ ପଇସା ଜମା ରଖି ରଖି ସିନା ଏତେ ପଇସା ହୋଇଯାଇଛି; କିନ୍ତୁ ଏଗୁଡ଼ାକ ପ୍ରକୃତରେ ତୁମର ନୁହେଁ । ତୁମ ବାପାଙ୍କର । ସେ ପଇସା ମୁଁ କାହିଁକି ରଖିବି ?” ହସି ହସି ବୁଝାଇଥିଲା ସେ ।

 

“କିନ୍ତୁ ମୁଁ ସନ୍ଦେହ କରୁଛି, ତୁମେ ହଇରାଣରେ ପଡ଼ି, ମୋ କଥା ରଖିବାକୁ ଠିକ୍‍ ସମୟରେ ମୋତେ ଫେରାଇ ଦେଲ ।”

 

“କିଛି ହଇରାଣ ନାହିଁ । ତମରି ଯୋଗୁଁ ଇଡ଼ାର ମା’ ବଞ୍ଚିଲା, ନଚେତ୍‍ ମରିଯାଇଥାନ୍ତା ।”

 

“ନା, ସେପରି କଥା କୁହନି । ଭଗବାନ ତାଙ୍କୁ ଆୟୁଷ ଦିଅନ୍ତୁ । ମୋତେ ସେମିତି ଜଣେ ମାଉସୀ ଭଲା କିଏ ଦେବ ?”

 

(୪୦)

 

କିଛି ଦିନ ପରେ ସନାତନ ବାବୁଙ୍କର ମନ କ’ଣ ହେଲା କେଜାଣି ସେ ଜଣେ ଭଦ୍ରଲୋକ ଏବଂ ତାଙ୍କ ପୁଅକୁ ଅତିଥି କରି ନିଜ ଘରକୁ ଡାକି ଆଣିଲେ । ସେ ସେଦିନ ଘରେ ଭଲ କରି ଖାଇବା, ପିଇବାର ପୁଣି ବ୍ୟବସ୍ଥା କରିଥିଲେ ! ଏହାର କାରଣ ସବିତା ଜାଣି ନ ଥିଲା ।

 

ସନାତନ ବାବୁ ଅତିଥିଙ୍କୁ ତଳ ରୁମରେ ବସାଇଦେଇ ସବିତାକୁ କହିଲେ, ‘‘ମା’ ତୁ ଗୋଟିଏ ଭଲ ଶାଢ଼ି ପିନ୍ଧି ବାହାରିଲୁ । ଭଲ ହାରଟାଏ ମଧ୍ୟ ବେକରେ ପକାଇବୁ ।”

 

“କାହିଁକି ବାପା ?”

 

“ନା କିଛି ନାହିଁ, ଜଣେ ଭଦ୍ରଲୋକ ତୋତେ ଟିକେ ଦେଖିବେ ।”

 

‘‘କାହିଁକି ବାପା ?”

 

“ଦେଖିବେ ତ, କାହିଁକି ?”

 

‘‘ତା’ର ତ ନିଶ୍ଚୟ କାରଣ ଥିବ ।”

 

“ସେ ଆସିଛନ୍ତି, ତାଙ୍କ ପୁଅ ମଧ୍ୟ ଆସିଛନ୍ତି ତାଙ୍କ ସହିତ ।”

 

‘‘ତାଙ୍କ ପୁଅ କାହିଁକି ଆସିଛନ୍ତି ?”

 

‘‘ସେ ବି ତୋତେ ଦେଖିବେ ।”

 

“କାହିଁକ ଦେଖିବେ ? ତମେ କ’ଣ ଡକାଇ ଆଣିଛ ?”

 

“ହଁ, ମୁଁ ନିମନ୍ତ୍ରଣ କରିଥିଲି ଆଜି ଏଠାରେ ପହଞ୍ଚିବାକୁ ।”

 

‘‘କାହିଁକି ନିମନ୍ତ୍ରଣ କରିଥିଲ ? ମୋର ସେମାନଙ୍କଠାରେ କ’ଣ କାମ ?”

 

‘‘ସେମାନେ ଆସିଛନ୍ତି ପ୍ରସ୍ତାବରେ ।”

 

“କି ପ୍ରସ୍ତାବ ?”

 

“ବିବାହ ପ୍ରସ୍ତାବ ।”

 

“ବାପା !” ଏହା କହି ସବିତା କାନ୍ଦି ପକାଇଲା ।

 

ତା’ ଆଖିକୁ ଦେଖି ସେ କହିଲେ, ‘‘ତୁ କାନ୍ଦନା ଝିଅ ! ତୋ ଲୁହ ମୁଁ ଦେଖିବାକୁ ଚାହେଁନା । ତୁ ଯାହା କହିବୁ, ମୁଁ ତୋ କଥାରେ ରାଜି । ତୋ ଲୁହ ମୁଁ ସହିପାରୁନି ।” ଏହା କହି ସେ ନିଜ ରୁମାଲରେ ସବିତାର ଆଖିରୁ ଲୁହତକ ପୋଛିଦେଲେ ।

 

ସବିତା ସନାତନ ବାବୁଙ୍କୁ କୁଣ୍ଢାଇ ପକାଇ ଅଧିକ ଜୋରରେ କାନ୍ଦି କହିଲା, ‘‘ବାପା ! ତମେ ଏତେ ନିଷ୍ଠୁର ହୋଇପାରିଲ ?”

 

“ମୁଁ କ’ଣ କଲି ?”

 

“ତୁମେ ମୋତେ ନ ପଚାରି… ।”

 

‘‘ମୋର ଭୁଲ୍‍ ହୋଇଯାଇଛି ମା’ ! ମୁଁ ଆଉ କେବେ ଏପରି ଭୁଲ୍‍ କରିବିନି । ତୁ ଏତେ କାନ୍ଦନା । ତୋ ବୁଢ଼ା ବାପା ଆଉ କେତେ ଦିନ ବଞ୍ଚିବ ? ତାକୁ ଏପରି କାନ୍ଦ କାନ୍ଦ ମୁହଁ ଦେଖାଇବୁ-? ତୋ ବାପାର ହୃଦୟ ପଥର ପରି ଏତେ ଟାଣ ନୁହେଁ ଯେ ସେ ତୋର ଏପରି ଦୁଃଖ ଓ କାନ୍ଦ ଦେଖି ସବୁ ସହିଯିବ । ତୋର ଭଲପାଇଁ ମୁଁ ଏସବୁ କରିଛି । ତା’ପରେ ଏଇଟା ମୋ କର୍ତ୍ତବ୍ୟ-। ମୋତେ ବୁଝିବାକୁ ଚେଷ୍ଟା କର । ମୋ ସୁନା ଝିଅଟା ପରା । ମୋ କଥାଟା ମାନିଯା । ମୋ କଥାକୁ ଅମଙ୍ଗ ହୁଅନା ।”

 

ଏହା ଶୁଣି ସେ ପିଲାଙ୍କ ପରି ରାହା ଧରି ଅନେକ ଜୋରରେ କାନ୍ଦିଥିଲା । ଅଝଟ ହୋଇ ହାତଗୋଡ଼ ବାଡ଼େଇ ବହୁତ ଅଳି କରିଥିଲା ।

 

ତା’ ଛାତିରୁ ମଧ୍ୟ ବହୁତ କୋହ ଉଠିଥିଲା । ସେ ପ୍ରତିବାଦ କରି କହିଥିଲା, “ବାପା, ମୁଁ କ’ଣ ଏଇଥିପାଇଁ ଉଜ୍ଜଳକୁ ଭଲ ପାଉଥିଲି ?”

 

“ମା’ ! ତୁ ଏପର୍ଯ୍ୟନ୍ତ ଉଜ୍ଜଳକୁ ଭୁଲିନୁ ?”

 

“ମୁଁ କେମିତି ଭୁଲିବି ?” ସବିତା ଆଖିରୁ ଅନେକ ଲୁହ ଝରିଥିଲା; ସେ ବହୁତ କାନ୍ଦିଥିଲା-

 

“ତା’ହେଲେ ମୁଁ କ’ଣ କରିବି ?”

 

‘‘ସେମାନଙ୍କୁ ଫେରାଇ ଦିଅ ।”

 

ବାଧ୍ୟହୋଇ ସନାତନ ବାବୁ କହିଲେ, ‘‘ତୋର ଖୁସି, ତୋ ଇଚ୍ଛା କିନ୍ତୁ କ’ଣ ଲାଭ ମିଳିବ-?”

 

“ବାପା, ମୁଁ ଉଜ୍ଜଳକୁ ଛାଡ଼ି ରହିପାରିବିନି । ତାକୁ ମୁଁ ଭୁଲିପାରିବିନି । ମୁଁ ପଛେ ଅନ୍‌ମ୍ୟାରିଡ଼ ହୋଇ ରହିବି । ତା’ଛଡ଼ା ମୁଁ ଅନ୍ୟ କାହାକୁ ଭଲ ପାଏନା । ବାପା, ମୋ କଥା ମାନ ବାପା । ମୋ କଥା ତମେ ରକ୍ଷା ନ କଲେ ଆଉ କିଏ କରିବ ? କିଏ ମୋତେ ସାହାଯ୍ୟ କରିବ ? କିଏ ମୋତେ ହିତ ଉପଦେଶ ଦେବ ? କିଏ ମୋତେ ଠିକ୍‍ ବାଟକୁ ଅଣିବ ?

Unknown

 

“ତୁ ଯେଉଁ ବାଟରେ ଯାଉଛୁ ସେଇଟା କ’ଣ ଠିକ୍‍ ବାଟ ?”

 

“ଅଉ କେଉଁଟା ଠିକ୍‍ ବାଟ ?”

 

“ହଉ ।”

 

ସନାତନ ବାବୁ ନୀରବ ରହିଥିଲେ । ତା’ପରେ ସେ ଅତିଥିମାନଙ୍କୁ ନିଜ ହୃଦୟର ଦୁଃଖ ଜଣାଇ ସସମ୍ମାନେ ଫେରାଇ ଦେଇଥିଲେ । ଅତିଥିମାନେ ଚାଲିଯିବା ପରେ ସବିତା ହସି ହସି ସନାତନ ବାବୁଙ୍କୁ କୁଣ୍ଢାଇ ପକାଇ କହିଲା, “ବାପା ତମେ ବହୁତ ଭଲ । ତମେ ମୋ କଥା ରକ୍ଷାକରି ତାଙ୍କୁ ଫେରାଇ ଦେଇଛ ।”

 

ସନାତନ ବାବୁ ତା’ ମଥାରେ ଚୁମା ଦେଇଥିଲେ । ସେ ମଧ୍ୟ ତା’ ବାପାଙ୍କୁ ଚୁମା ଦେଇଥିଲା ।

 

 

(୪୧)

 

ସବୁଦିନ ପରି ଉଜ୍ଜଳର ରୁମ୍‍ ଫିଟିଲା । ସବିତା ଭିତରକୁ ପଶିଯାଇ ତାକୁ ସଙ୍ଗେ ସଙ୍ଗେ କୁଣ୍ଢାଇ ପକାଇ କହିଲା, ‘‘ଉଜ୍ଜଳ, ତୁମକୁ ମୁଁ ଗୋଟିଏ ସିରିୟସ୍‍ କଥା କହିବାକୁ ଆସିଛି ।”

 

“କି ପ୍ରକାର କଥା ?”

 

“ମୁଁ ମା’ ହେବାକୁ ଯାଉଛି ।”

 

ତା’ପରେ ଦୁହେଁ ନୀରବ ହୋଇ ବସି ରହିଲେ । ଉଜ୍ଜଳ ମନ ମଧ୍ୟରେ ଆନନ୍ଦ ଖେଳିଗଲା । କିଛି ସମୟ ପରେ ତା’ ମନ ମଧ୍ୟରେ ଦୁଃଖର ବାଦଲ ଭାସିବାକୁ ଲାଗିଲା ।

 

ଉଜ୍ଜଳ କହି ପକାଇଲା, ‘‘ମୁଁ ବହୁତ ପାପ କରି ପକାଇଲି । ତୁମେ ସବୁ କଥା ସହିଲ ।” ଉଜ୍ଜଳ ଆଖିରୁ ଲୁହ ଝରି ଅସିଲା । ସବିତା ତା’ ଆଖିରୁ ଲୁହ ପୋଛିପକାଇ କହିଲା, “ଏପରି କଥା ଶୁଣିଲେ ସିନା ତୁମେ ଖୁସି ହେବା କଥା ! ତୁମେ କାନ୍ଦୁଛ କାହିଁକି ?’’

 

କିନ୍ତୁ ତୁମର କ’ଣ ଲାଭ ହେଲା ? ମୋର ଯଦି ପୁଅ ହୁଏ, ମୁଁ ତାକୁ କ’ଣ ମଣିଷ କରିପାରିବି ? ତାକୁ ଯିଏ ପଚାରିବ...ତୁ କାହା ପୁଅ ? ...ସେ କ’ଣ ଉତ୍ତର ଦେବ ? ମୁଁ ପ୍ରଥମେ ମନାକରୁଥିଲି । ତୁମ ସହିତ ସମ୍ପର୍କ ରଖିବିନି ବୋଲି କହୁଥିଲି । ସବିତା ! ମୋର ଭୁଲ୍‍ ହୋଇଛି । ମୋତେ କ୍ଷମା ଦିଅ । ମୁଁ ଏପରି ଭୁଲ୍‍ କରି ଅନୁତାପ କରିବାକୁ ବାଧ୍ୟ ହେଉଛି ।” କାନ୍ଦି କାନ୍ଦି ଉଜ୍ଜଳ କହିଲା ।

 

ସବିତା କହିଲା, “ଏଥିରେ ତ କାହାରି ଭୁଲ୍‍ ନାହିଁ । ତୁମେ ମନ ଖରାପ କରୁଛ କାହିଁକି-? ତୁମର ନୁହେଁ କି ମୋର ନୁହେଁ । ହାୟରେ କପାଳ ! ମୁଁ ତୁମକୁ କହିଲି ବୋଲି ସିନା, ତୁମେ ମନଦୁଃଖ କଲ ।”

 

“ନା, ନା, ତାହା ନୁହେଁ ।”

 

‘‘ତୁମେ ଭୟ କର ନାହିଁ ଉଜ୍ଜଳ ! ମୁଁ ତୁମ ଛଡ଼ା ଜୀବନରେ ଆଉ କାହାରିକୁ ପ୍ରେମ କରିବିନି କି ବିଭା ହେବିନି । ଏ ପିଲାକୁ ମୁଁ ନିଜେ ପାଳିବି । ପୋଷିବା ଦାୟିତ୍ଵ ମୋ ନିଜ ଉପରେ । ମୁଁ ଚାକିରି କରି ଏ କାମ ତୁଲାଇବି । ତୁମର ତ ଏ ଦାୟିତ୍ଵ ନୁହେଁ । ତୁମେ ମନଦୁଃଖ କରିବାର କ’ଣ ଆବଶ୍ୟକତା ଅଛି ?”

 

‘‘ତୁମ ବାପା ଏ ଛୁଆକୁ ସ୍ଵୀକୃତି ଦେଲେ ସିନା !”

 

“ନ ହେଲେ ମୁଁ ତାଙ୍କଠାରୁ ଅଲଗା ରହିବି ।’’

 

‘‘କିନ୍ତୁ ତୁମେ ଚାକିରି କରିନା ।”

 

“ମୁଁ ହତାଶ ହୋଇନି । ମୁଁ କିନ୍ତୁ ବହୁତ ଖୁସି ? ତୁମେ ଖୁସି ନା ? କୁହ ମ କୁହ । ଚୁପ୍‍ ରହିଲ କାହିଁକି ? ହଉ ମୋ ରାଣ । ତୁମେ ମୋତେ ଏକଥା କହିବନି ? ପ୍ରକୃତରେ ତୁମେ ଖୁସି ନା-? ପ୍ଲିଜ୍‍ ! ମୋ କଥା ରଖିବନି ? ମୋ ହୃଦୟକୁ କଷ୍ଟ ଦେବ ?”

 

ହଁ । ଶେଷରେ ସେ ହଁ କରିବାକୁ ବାଧ୍ୟ ହୋଇଥିଲା ।

 

(୪୨)

 

ଠିକ୍‍ ସମୟରେ ସବିତା ଉଜ୍ଜଳର ରୁମ୍‍ ଫିଟାଇଲା । ସେ ତାକୁ ଆଜି ଚାହିଁ ରହିଥିଲା । ସବିତା ରୁମ୍‍ ଭିତରେ ପଶିବା ପରେ ସେ ସଙ୍ଗେ ସଙ୍ଗେ ନିଜ ବାହୁଦ୍ଵାରା ତାକୁ ଛନ୍ଦିପକାଇ କହିଲା, “ସବିତା, ମୁଁ ଗୋଟିଏ କଥା ଭାବିଛି । କିନ୍ତୁ କହିବାକୁ ଲଜ୍ଜା ଲାଗୁଛି । ଭୟ ମଧ୍ୟ ଲଗୁଛି ।”

 

“କି କଥା ଭାବିଛ ? କୁହ ବିନା ଭୟରେ, ବିନା ଲଜ୍ଜାରେ ।”

 

“ତୁମେ କାହାକୁ କହିବନି ।”

 

“ନା କଦାପି ନୁହେଁ ।”

 

“ଆଚ୍ଛା ଆମେ ଯଦି... ।”

 

“କ'ଣ ?

 

‘‘ମାନେ ତୁମ ହାତରେ, ବହୁତ କ୍ଷମତା ବର୍ତ୍ତମାନ ଅଛି ।’’

 

“କିପରି ?”

 

‘‘ମୋ’ଠାରୁ ନିଶ୍ଚୟ ଅଧିକ ।”

 

“କିପରି ?”

 

“ମୁଁ ଜଣେ କଏଦୀ; ମାତ୍ର ତୁମେ ନୁହଁ ।”

 

“ହଁ ।”

 

‘‘ତା’ପରେ ତୁମ ହାତରେ ସବୁ ଚାବି ଅଛି ଜେଲ୍‌ର ।”

 

“ହଁ ।”

 

“ଅଚ୍ଛା ଆମେ ତ ଏତେ ପାପ କଲେ । ଏତେ ଅନ୍ୟାୟ କଲେ ।”

 

‘‘ପାପ କିପରି ? ଅନ୍ୟାୟ କିପରି ?”

 

‘‘ତୁମେ ଲୁଚାଇ କରି ଚାବି ଆଣି ଏଠାରେ ଏ ରୁମ୍‍ ଖୋଲିବାଟା କ’ଣ ନ୍ୟାୟ ?”

 

“ନା ।”

 

“ତା’ହେଲେ ଏଇଟା ପାପ କି ନୁହେଁ ?”

 

“ତୁମେ ଏପରି କଥା କୁହନି । ଭଗବାନ ଆମକୁ ସୁଯୋଗ ଦେଇଛନ୍ତି । ଆମେ କାହିଁକି ଛାଡ଼ିବା । ଆମେ ବର୍ତ୍ତମାନ ସ୍ଵର୍ଗରେ ଅଛେ । ଅମୃତ ପିଉଛେ । ଭଗବାନଙ୍କର ଦାନ ଏସବୁ ।”

 

“ଏ ଅମୃତ ବିଷାକ୍ତ ନୁହେଁ ତ ?”

 

ଏଇଟା ଯଦିଓ ଆଇନ୍‍ ଅନୁସାରେ ଠିକ୍‍ ନୁହେଁ, ପ୍ରକୃତରେ ଏଇଟାକୁ ପାପ ବୋଲି ମୁଁ କହିପାରୁନି । କାହିଁ କେହି ତ ମୋତେ ଏ କାମ ବିରୁଦ୍ଧରେ ମତ ଦେଇ ନାହାଁନ୍ତି । ମୁଁ ତୁମ ପାଖକୁ ସବୁଦିନ ଚାବି ଆଣି ଆସୁଛି । ଏ କଥା ଜେଲ୍‌ର ପ୍ରାୟୁ ସବୁ କର୍ମଚାରୀ ଜାଣି ଯାଇଛନ୍ତି । କିନ୍ତୁ ସେମାନେ ସମସ୍ତେ ନୀରବ । ପ୍ରକୃତରେ ଏଇଟା କ’ଣ ସେତେ ବଡ଼ ଅନ୍ୟାୟ ?

 

“ତୁମେ ସୁପରିଣ୍ଟେଣ୍ଡେଣ୍ଟଙ୍କ ଝିଅ, ତେଣୁ କିଛି କେହି କହି ପାରୁନାହାଁନ୍ତି । ଏଥିରେ ଅନ୍ୟ କାହାର କ’ଣ ସ୍ଵାର୍ଥ ଅଛି ? ତୁମକୁ ସୁଖରୁ ବଞ୍ଚିତ କରିବା ବରଂ ପାପ ହେବ । ଏକଥା ସେମାନେ ବିଚାର କରିବେ ।”

 

‘‘ଯିଏ ଆମ ବିରୁଦ୍ଧରେ ପଦେ କହିବ, ପ୍ରକୃତରେ ତା’ର ଏଇଟା ପାପ ନୁହେଁ । ଆମେ ଯେଉଁ କାମ କରୁଛେ ସେଇଟା ବରଂ ପାପ ।”

 

“କି ପ୍ରକାର ପାପ ?”

 

“ତୁମେ ଯଦି ସହଯୋଗ କରିବ, ମୁଁ କହିବି ।”

 

“ମୁଁ ପୂର୍ଣ୍ଣ ପ୍ରାଣରେ ସହଯୋଗ କରିବି ।”

 

“ତୁମେ ସବୁ ଚାବି ଅଣିପାରିବ ? ଜେଲ୍‍ ଫାଟକର ଚାବି !”

 

‘‘ସେଇଟା କ’ଣ ହେବ ? ଆମେ କ’ଣ ଖସି ଚାଲିଯିବା ?”

 

“ହଁ, କ୍ଷତି କ’ଣ ?”

 

ସବିତା ନୀରବ ରହିଲା ।

 

ସବିତା ପୁଣି କହିଲା, ‘‘ଯଦି ଧରା ପଡ଼ିବା ? ପୁଣି ବାପାଙ୍କୁ ମୁଁ ଆଉ ଦେଖିପାରିବିନି । ଆଉ କ’ଣ ଏଠାକୁ ଆସିହେବ ?”

 

“ଅମେ ଏ ଦେଶ ଛାଡ଼ି ଚାଲିଯିବା ।”

 

“ଏତେ ବାଟ କିପରି ଯିବା ? ଏ ଦେଶ ତ ଛୋଟିଆ ନୁହେଁ । ଆମେ ଯଦି ଯିବା, ନେପାଳ ଯିବା, ସିଂହଳ ଯିବା । ସେଥିପାଇଁ ଭିସା ବୋଧହୁଏ ଦରକାର ।”

 

“ଆମେ ଲୁଚିଛପି ଚାଲିଯିବା ଅନ୍ୟ ବେଶରେ, ଅନ୍ୟ ପୋଷାକ ଭିତରେ । ତା’ପରେ ଭିସା କଥା ଚିନ୍ତା କରିବା ।”

 

“ଏତେ ସାହସ ତୁମର ଅଛି ତ ?’’

 

“ହଁ, କିନ୍ତୁ ତୁମର ?”

 

“ରୁହ, ମୋତେ କିଛି ସମୟ ଚିନ୍ତା କରିବାକୁ ଛାଡ଼ିଦିଅ । କିନ୍ତୁ ଏପରି କ୍ଷେତ୍ରରେ ଭିସା ମିଳିବା କଷ୍ଟକର ।”

 

(୪୩)

 

“ଆହୁରି ଜୋରରେ, ଆହୁରି ଅଧିକ ଜୋରରେ ଦୌଡ଼ ସବିତା ! ପ୍ଲିଜ୍‍ ।” ଉଜ୍ଜଳ କହୁଥାଏ ସବିତାକୁ ।

 

ସବିତା ବହୁତ ହାଲିଆ ହୋଇ ଯାଇଥାଏ । ସେ ଝାଳ ନାଳ ହୋଇ କହୁଥାଏ, “ନା, ଆଉ ମୁଁ ପାରୁନି । ମୁଁ ତୁମ ସାଙ୍ଗରେ ଦୌଡ଼ି ପାରିବିନି । ମୋ ଦେହରେ ଆଉ ବଳ ନାହିଁ ଟିକିଏ ହେଲେ ବି । ମୋର ସମସ୍ତ ଶକ୍ତି ଶେଷ ହୋଇଯାଇଛି ।”

 

‘‘ପୋଲିସ୍‍ କୁକୁର ବହୁତ ପାଖକୁ ଚାଲିଆସିଲାଣି ଗୋଡ଼ାଇ ଗୋଡ଼ାଇ । ଉଜ୍ଜଳ ସବିତା ଉପରେ ବିରକ୍ତ ହୋଇ କହିଲା, “ମୁଁ ଯଦି ଏକା ଏକା ଆସିଥାନ୍ତି, ତୁମକୁ ସାଙ୍ଗରେ ନ ଆଣି, ମୋର କିଛିହେଲେ ଅସୁବିଧା ନ ଥାନ୍ତା । ପୋଲିସ୍‍ କୁକୁର ମୋର କିଛିହେଲେ କରିପାରି ନ ଥାନ୍ତା । ମୋର କେହି ଜଣେହେଲେ ବି ଖୋଜ ଖବର ପାଇପାରି ନ ଥାନ୍ତେ । କେବଳ ତୁମେ ଧିମେଇ ଧିମେଇ ରହିଯାଉଛ । ସବିତା, ମୁଁ ତୁମକୁ ବହୁତ କରି ଅନୁରୋଧ କରୁଛି । ଆଉ ଟିକିଏ ଜୋରରେ ଦୌଡ଼ । ଆଉ ଅଳ୍ପ ବାଟ ରହିଲା ନଦୀଟା । ସେ ନଦୀ ପର୍ଯ୍ୟନ୍ତ ପହଞ୍ଚିଗଲେ ଆମେ ତା’ ମଝିକୁ ଡେଇଁ ପଡ଼ିବା । ପୋଲିସ୍‍ ଆମକୁ ଜାଣିପାରିବନି । ଆମେ ପହଁରି ପହଁରି ଆର କୂଳରେ ଲାଖିବା-।”

 

ସବିତା କାନ୍ଦୁଣୁ ମାନ୍ଦୁଣୁ ହୋଇ କହିଲା, ‘‘ମୁଁ ତମ ମନରେ କିଛିହେଲେ କଷ୍ଟ ଦେବାକୁ ଚାହେଁନି । ତୁମେ ମୋତେ ଏହିଠାରେ ଛାଡ଼ି ଚାଲିଯାଅ । ନିଜେ ମୁକ୍ତି ପାଇଯାଅ । ମୁଁ ଏହିଠାରେ ପଡ଼ି ପଡ଼ି ମରିଯିବି, ଯାଅ, ମୋତେ ଛାଡ଼ି ଚାଲିଯାଅ । ନିଜ ଜୀବନକୁ ଏ ଜେଲ୍‌ଖାନାରୁ ମୁକ୍ତ କର ପ୍ରଥମେ ।”

 

“ସବିତା, ତୁମେ ବହୁତ ଅଭିମାନୀ । ମୁଁ ଏସବୁ କହିଥିବାରୁ ତୁମେ ଏତେ ରାଗିଯାଇ ପାରିଲ । ମୁଁ ଦୁଃଖିତ ସବିତା ! ମୁଁ ଆଉ କେବେ ଏପରି କଥା ତୁମକୁ କହିବିନି । ମୁଁ ତୁମକୁ ଜମା ଛାଡ଼ି ଯିବିନି । ମୁଁ ବରଂ ମରିଯିବ । ଯଦି ପୋଲିସ୍‍ ଧରିବ, ଆମ ଦୁହିଁଙ୍କୁ ଏକା ବେଳକେ ଧରିବ ।”

 

“ପୋଲସ୍ ଆମକୁ ଧରୁ ଏକଥା ମୁଁ ଜମା ଚାହେଁନା । ଆମେ ଚାହୁଁ ଆମକୁ କେହି ଜାଣି ନ ପାରନ୍ତୁ । ଆମେ ଏ ଦେଶ ଛାଡ଼ି କୁଆଡ଼େ ହେଲେ ଚାଲିଯିବା ।”

 

“ଆଉ ଏପରି ଯୁକ୍ତିତର୍କ କରି ସମୟ ନଷ୍ଟ କରନି ଜାଣୁଛ ତ ବେଶୀ ପାଟି କଲେ ବଳକ୍ଷୟ ହେବ । ଦଉଡ଼ିବାକୁ ବଳ ପାଇବନି । କାମ ବେଶୀ, କଥା କମ୍‍ ।”

 

“ଓକେ ।”

 

“ଆଚ୍ଛା, ତମେ ଯଦି ଚାଲିପାରୁନ, ମୋ, ପିଠି ଉପରେ ପଡ଼ିଯାଅ ।”

 

“ହେ ଭଗବାନ ! ନା, ମୁଁ କଦାପି ତୁମକୁ ଏତେ କଷ୍ଟ ଦେବିନି । ମୁଁ ଯଦି ତୁମ ପିଠି ଉପରେ ବସ୍ତା ପରି ଲଦିହୁଏ, ତୁମେ ଧିମେଇଯିବ ।”

 

“ମୋତେ କିଛି କଷ୍ଟ ହେବ ନାହିଁ । ମୁଁ ତ ପୁଅପିଲା । ତା’ପରେ ବାହାରେ ମୋତେ ଏପରି ଦୌଡ଼ିବାକୁ ଭାରି ଭଲ ଲାଗୁଛି । ଏତେ ଦିନ ହେଲା ଜେଲ୍‌ର ନିବୁଜ କୋଠରୀ ମଧ୍ୟରେ ବନ୍ଦୀ ହୋଇ ରହିଥିଲି । ବାହାରର ପାଣି ପବନ ଟିକିଏ ହେଲେ ବାଜୁ ନ ଥିଲା; ମାତ୍ର ଆଜି ମୁକ୍ତ ହୋଇଛି ଜେଲ୍‌ରୁ । ମୁଁ ଆଜି ବହୁତ ଖୁସି । ଏତେ ଦିନର ଦୁଃଖରେ ଆଜି ଦିନକର ସୁଖ ମୋତେ ଅନେକ କିଛି ବଡ଼ ବଡ଼ କଥା କରିଦେବାକୁ ଉତ୍ସାହ ଦେଉଛି । ମୁଁ ଆଜି ଡେଉଁଛି, ନାଚୁଛି, ହସୁଛି । ମୋର ଆଜି କିଛିହେଲେ ଦୁଃଖ ନାହିଁ । କିନ୍ତୁ ଯେତେବେଳେ ଆମେ ଜାଣିପାରିଲେ ଯେ ଆମ ପଛରେ ପୋଲିସ୍‍ କୁକୁର ଗୋଡ଼ାଉଛି, ସବୁଯାକ ସୁଖ ଏକାଥରକେ ପାଣି ଫାଟିଯାଇଛି ।”

 

‘‘ମୁଁ ଆଉ ପାରୁନି ।” ଏଥର ସବିତା ବାଟ ମଝିରେ ବସିପଡ଼ି ଆଖିରୁ ଲୁହ ଝରାଇ ଭୋ ଭୋ ହୋଇ କାନ୍ଦିଲା । ତା’ର ଗୋଡ଼ହାତ ସବୁ ଛିଣ୍ଡି ଯାଇଛି କଣ୍ଟା ବାଜି । ପୋଷାକ ଠାଏ ଠାଏ ଚିରିଗଲାଣି କେଉଁଠାରେ ଘସି ହୋଇ ହୋଇ ।

 

“ଏମିତି ହୁଅନ୍ତିନି ସବିତା ! ଏଠାରେ ବସିଲେ କ’ଣ ଲାଭ ? ଆଉ ଅଳ୍ପ ବାଟ । ଏଠାରେ କାନ୍ଦନି ସବିତା !” ସେ ସବିତାର ହାତ ଧରି ଭିଡ଼ିବାକୁ ଲାଗିଲା । ସବିତା କାନ୍ଦି କାନ୍ଦି କହିଲା, “ମୁଁ ଆଉ ଯାଇ ପାରିବିନି । ମୋତେ ଛାଡ଼ି ତୁମେ ଚାଲିଯାଅ । ଉଜ୍ଜଳ ତାକୁ ଟେକି ଧରିଲା-। ସେ ଅଳ୍ପ ଛିଡ଼ା ହେଲା । ଏଥର ସେ ତାଙ୍କ ହାତ ଭିଡ଼ିଲା । ସେ ବାଧ୍ୟହୋଇ ଅମୁହାଁ ବଳଦକୁ ଦଉଡ଼ିରେ ଟାଣିଲା ଭଳି ଓଟାରି ହୋଇ କିଛି ବାଟ ଆସିଲା । ହଠାତ୍‍ ଉଜ୍ଜଳ ବାଟରେ ଗୋଟିଏ ପଥର ଉପରେ ଝୁଣ୍ଟି ପଡ଼ିଲା । ତା’ ଗୋଡ଼ରୁ ଚେନାଏ ମାଂସ ବାହାରିଗଲା । ପାଦଯାକ ରକ୍ତ । ସେହି ପଥର ଉପରେ ଦୁହେଁ ଏକ ସମୟରେ ପଡ଼ି ଯାଇଥିଲେ । ଏଥିପ୍ରତି ଦୃଷ୍ଟି ନ ଦେଇ ଉଜ୍ଜଳ ସବିତାକୁ ଉଠାଇ କହିଲା,

 

“ଆସ ସବିତା ! କୁକୁର ବହୁତ ପାଖେଇ ଆସିଲାଣି । ସେ ଏଥର ନିଶ୍ଚିତ ଧରିବ ।”

 

“ମୋତେ ଶୋଷ ହେଉଛି । ପାଣି ।’’

 

“ନଦୀ ଆଉ ଅଳ୍ପ ବାଟ ଅଛି । ଆସ, ମୁଁ ତୁମକୁ ପିଠିରେ ପକାଇ ନେଇଯିବି ।”

 

“ନା, ଉଜ୍ଜଳ, ଥାଉ ।”

 

ଭୁ ଭୁ ଭୁ ହୋଇ ପୋଲିସ୍‍ କୁକୁର ଭୁକି ଭୁକି ଉଜ୍ଜଳର ବହୁତ ପାଖକୁ ଚାଲିଆସିଲା । ସଙ୍ଗେ ସଙ୍ଗେ ସେ ଉଜ୍ଜଳର ପ୍ୟାଣ୍ଟକୁ କାମୁଡ଼ି ଧରିଲା । ତା’ ପଛରେ ପୋଲିସ୍‌ମାନେ ପହଞ୍ଚିଗଲେ-। ତା’ ପଛରେ ପୋଲିସ୍‍ ଜିପ୍‍ ଲାଗିଗଲା ।

 

ସବିତା ସଙ୍ଗେ ସଙ୍ଗେ ଚିତ୍କାର କରିଥିଲା, “ନା” । ଦୁଇ ଜଣଯାକଙ୍କୁ ଜିପରେ ବସାଇ ଦିଆଗଲା । ଉଜ୍ଜଳର ଆଖି ଛଳଛଳ ହୋଇଗଲା । ଏତେବଡ଼ ଅଭିଯାନ ଫଳହୀନ ହୋଇଗଲା । ନା, ସେ ଆଉ କେବେହେଲେ ଜେଲ୍‌ରୁ ମୁକ୍ତ ହୋଇପାରିବନି । ଦୁହେଁ ଜେଲ୍‌ରୁ ଖସିଯିବା ପାଇଁ ବହୁତ କୌଶଳ ଖଟାଇଥିଲେ । ଉଜ୍ଜଳ ପିନ୍ଧିଥିଲା ଇଡ଼ାର ପୋଷାକ । ସବିତା ଉଜ୍ଜଳକୁ ଇଡ଼ାପରି ମଧ୍ୟ ସଜାଇ ଦେଇଥିଲା ମେକ୍‌ଅପ୍‍ଦ୍ଵାରା । ଦୁଇଶହ ବତିଶ ନମ୍ବର ରୁମ୍‌ର ଚାବି ସବିତା ତା’ ବାପାଙ୍କ ଅଫିସ୍‌ରୁ ଚୋରାଇ ଆଣି ଫିଟାଇଥିଲା । ଠିକ୍‍ ରାତି ସମୟରେ ଏ ଦୁହେଁ ଜେଲ୍‌ର ଗେଟ୍‍ ଦେଇ ଖସି ଯାଇଥିଲେ । ଜେଲ୍‍ ଗେଟ୍‌କିପର ସନ୍ଦେହ ନ କରି ଏମାନଙ୍କୁ ଛାଡ଼ିଦେଇଥିଲା । ପୂର୍ବରୁ ସବିତାର ସମସ୍ତଙ୍କ ସହିତ ଚିହ୍ନା ଥିଲା । ଏଥିପାଇଁ ସେ ଓ ତା’ ସାଙ୍ଗମାନେ ମଝିରେ ମଝିରେ ଜେଲ୍‍ ମଧ୍ୟକୁ ପଶି ଆସନ୍ତି ବୁଲିବାକୁ । ଯଦିଓ ଏଇଟା ଦୋଷାବହ, ସୁପରିଣ୍ଟେଣ୍ଡେଣ୍ଟଙ୍କ ଝିଅ ବୋଲି ଏହା ବିରୁଦ୍ଧରେ କେହି ଆପତ୍ତି ଅଭିଯୋଗ ଆଣୁ ନ ଥିଲେ । କିନ୍ତୁ ଏଇଟା ଶେଷରେ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଧୋକା ଦେଲା ।

 

ସନାତନ ବାବୁଙ୍କ ମୁଣ୍ଡ ଉପରେ ଭାଳେଣୀ ପଡ଼ିଥିଲା, ତାହା କ୍ରମେ କ୍ରମେ ଉଶ୍ଵାସ ପଡ଼ିଗଲା । ସରକାର ସବୁଯାକ ଦୋଷ ତାଙ୍କରି ଉପରେ ଢାଳି ଦେଇଥାନ୍ତେ । ଯାହାହେଉ ତାଙ୍କ ଭାଗ୍ୟ ଭଲ । ସେ ରକ୍ଷା ପାଇଗଲେ । ନଚେତ୍‍ ସେ ଚାକିରିରୁ ବାହାରି ଯାଇଥାନ୍ତେ ବା ନିଜେ ମଧ୍ୟ ଜେଲ୍‍ ଖଟିଥାନ୍ତେ । ସେ ଉପର ମହଲକୁ ଏ ଖବର ଦେଇନଥିଲେ ।

 

ଉଜ୍ଜଳର ଦୁଇଶହ ବତିଶ ନମ୍ବର ରୁମ୍‌ଟା ଖୋଲା ଅଛି ବୋଲି ସେ ସଙ୍ଗେ ସଙ୍ଗେ ଖବର ପାଇଥିଲେ । ନିଜ ଘରେ ମଧ୍ୟ ନିଜ ଝିଅ ନାହିଁ ବୋଲି ଜଣାପଡ଼ିଥିଲା । ନିଜ ବୁଦ୍ଧି ଖଟାଇ ସେ ପରିସ୍ଥିତିକୁ ଆୟତ୍ତ କରିଥିଲେ । ସେ ଉପର ମହଲକୁ ଖବର ନ ପଠାଇ ନିଜର ଚିହ୍ନା ପୋଲିସ୍‍ ଡିପାର୍ଟମେଣ୍ଟ ସାହାଯ୍ୟରେ କୁକୁର ଆଦି ଲଗାଇ ନିଜେ ନିଜେ ଅନୁସନ୍ଧାନ କାର୍ଯ୍ୟ ଚଳାଇଥିଲେ । ସେ ଏ ଦୁହିଁଙ୍କୁ ଖୋଜି ଆଣିବାକୁ ସବୁଆଡ଼େ ଲୋକ ପଠାଇଥିଲେ ।

 

ଦୁହେଁ ଖୁବ୍‍ ଦୁଃଖର ସହିତ ଭିଡ଼ା ହୋଇ ସନାତନ ବାବୁଙ୍କ ସାମନାକୁ ଆସିଥିଲେ । ସେ ଏ ଦୁହିଁଙ୍କୁ ଦେଖି ଖୁବ୍‍ ଖୁସି ହୋଇଗଲେ । ପ୍ରଥମେ ସବିତାକୁ କୁଣ୍ଢାଇପକାଇ ସେ କହିଥିଲେ, ‘‘ତୁ ତୋର ବାପାକୁ ଛାଡ଼ି କିପରି ଚାଲିଯାଇପାରିଲୁ ?”

 

ସବିତା ଆଖିରେ ସେ ଲୁହ ଦେଖିପାରିଲେ ।

 

“ମୁଁ ତୋତେ କ୍ଷମା ଦେଉଛି ଝିଅ ! ମୁଁ ସବୁ ଜାଣେ, ତୁ ମା’ ହେବାକୁ ଯାଉଛୁ ବୋଲି ମଧ୍ୟ ଜାଣେ ।’’

 

“ବାପା !” ଏହା କହି ସେ ସନାତନ ବାବୁଙ୍କୁ ଖୁବ୍‍ ଜୋରରେ କୁଣ୍ଢାଇ ପକାଇଲା । ସନାତନ ବାବୁଙ୍କ ନିର୍ଦ୍ଦେଶରେ ପୋଲିସ୍‌ମାନେ ଉଜ୍ଜଳକୁ ଦୁଇଶହ ବତିଶ ନମ୍ବର ରୁମ୍‌କୁ ନେଇ ଚାବି ପକାଇଲେ ।

 

କ’ଣ ହୋଇଥାନ୍ତା ତାଙ୍କ ଅବସ୍ଥା ? ଗୋଟିଏ ପକ୍ଷରେ ସରକାର ତାଙ୍କୁ କୈଫତ ମାଗିଥାନ୍ତା । ଅନ୍ୟ ପକ୍ଷରେ ସେ ନିଜର ଅତି ଆଦରର ଗେହ୍ଲା ଝିଅକୁ ସବୁଦିନ ପାଇଁ ହରାଇଥାନ୍ତେ । ଭଗବାନ ରକ୍ଷା କରିଦେଲେ । ସେଦିନ ଉଜ୍ଜଳ ଛାତିରୁ ଅନେକ କୋହର ପ୍ରତିଶବ୍ଦ ବାହାରି ଆସିଥିଲା । ସେହିପରି ବହୁତ ମନଦୁଃଖ କରି ସବିତା ଦୁଇଦିନ ପର୍ଯ୍ୟନ୍ତ କିଛି ଖାଇଲା ନାହିଁ । ହସ୍‌ପିଟାଲରୁ ଡାକ୍ତରମାନେ ଆସି ତା’ର ଚିକିତ୍ସା କରିଥିଲେ । ତା’ କ୍ଷତ ସ୍ଥାନଗୁଡ଼ିକୁ ବ୍ୟାଣ୍ଡେଜ୍‍ କରିଦିଆଯାଇଥିଲା । ସେ କ’ଣ ନ ଭାବି ଥିଲା ? କିନ୍ତୁ ଶେଷରେ କ’ଣ ହେଲା ! ଏହି କଥା ଚିନ୍ତା କରୁଥିଲା ଅନବରତ ।

 

ତୃତୀୟ ପରିଚ୍ଛେଦ

(୪୪)

 

ଊଣିଶ କୋଡ଼ିଏ ବର୍ଷର ଗୋଟିଏ ପିଲା ଜେଲ୍‍ ପାଚେରୀ ବାହାରେ ବୁଲୁଥିଲା । ସେ ଏପରି ଟହଲ ମାରୁ ମାରୁ ଗୋଟିଏ ଜିନିଷ ତଳେ ପଡ଼ିଥିବାର ଦେଖିପାରିଲା । ସେ ତା’ ନିକଟକୁ ଗଲା । ସେଇଟିକୁ ସେ ଗୋଟାଇଲା । ସେ ସେଇଟିକୁ ଧରି ଛିଡ଼ା ହୋଇ କହିଲା, “ଆରେ ମୂଳ ଜିନିଷଟା ମୋର କେତେବେଳୁ ହଜି ଯାଇଥିଲା, ମୁଁ ଜାଣିନଥିଲି । ଯାହାହେଉ ସଙ୍ଗେ ସଙ୍ଗେ ମିଳିଗଲା । ଏଇଟି ଯାଇଥିଲେ, ସବୁ ଯାଇଥାନ୍ତା । ଏତେ ଦିନର ପରିକଳ୍ପନା ପାଣିରେ ପଡ଼ିଯାଇଥାନ୍ତା ।”

 

ସେ ସେହି ଫଟୋକୁ ଧରି କିଛି ସମୟ ଛିଡ଼ା ହେଲା । ହଠାତ୍‍ ଆଉ ଗୋଟିଏ ପିଲା ସେଠାକୁ ଧାଇଁ ଧାଇଁ ଆସି କହିଲା, ‘‘ସେଇଟା ମୋ ଫଟୋ । ମୋର ହଜିଯାଇଛି । ତୁ ଦେଇଦିଏ-।’’ ସେ ତା’ଠାରୁ ଝାମ୍ପିଆଣି ନିଜେ ଧରିଲା ।

 

ପ୍ରଥମ ପିଲାଟା ରାଗିଯାଇ କହିଲା, ‘‘କେଉଁଦିନଠୁ ତୁ ଏମିତି ପାଠ ପଢ଼ାଇଲୁଣି ମ ? ଘର କେଉଁଠି ତୋର ପଚାରିଲେ ଆସିବନି । ତୁ କ’ଣ ମୋ ଫଟୋକୁ କହୁଛୁ ତୋ ଫଟୋ ?”

 

ଦ୍ଵିତୀୟ ପିଲାଟା କହିଲା, ‘‘ଆବେ କାହିଁକି ପାଟି ଏମିତି କରୁଛୁ ? ତୋ ଫଟୋ ? କେଉଁ ଷ୍ଟୁଡ଼ିଓରେ ଉଠାଇଥଲୁ ?”

 

“ମୁଁ ଯେଉଁଠି ଉଠାଇଥିଲି ତୋର କି ଯାଏ ?”

 

‘‘ଏଇଟା ତୋ ଫଟୋ ବୋଲି କ’ଣ ପ୍ରମାଣ ?”

 

ମୁଖ୍ୟ ପ୍ରମାଣ ହେଲା ଏଇଟାକୁ ମୁଁ ଧରିଥିଲି । ତୁ ମୋ’ଠାରୁ କାହିଁକି ଛଡ଼ାଇ ଆଣିଲୁ ? ଏଇଟା ତ ମୋ ଫଟୋ । ମୋର ହଜି ଯାଇଥିଲା ।”

 

“କାହିଁକି ପାଟି କରୁଛୁ ଏମିତି ? ମିଛ କଥା ମୋ ଆଗରେ କହୁଛୁ ?”

 

“ତୁ ଏପରି କଥା ମୋ ଆଗରେ କ’ଣ କହୁଛୁ ? ତୋତେ ମୁଁ ଚିହ୍ନେ ନା ଜାଣେ ?”

 

“ତୁ କହୁଛୁ ଯେ ଏଇଟା ତୋର । ଆଚ୍ଛା, କହିଲୁ ତ ତୋର ଇଏ କିଏ ?”

 

‘‘ତୁ କ’ଣ ପାଇବୁ ? ମୋର ସିଏ ଯିଏ ହେଉ । କିନ୍ତୁ ଫଟୋଟା ମୋର ।”

 

“ତୋର ବୋଲି ଆଉ କ’ଣ ପ୍ରମାଣ ?”

 

‘‘ତୋର ଇଏ କିଏ ?”

 

ସେ ନୀରବ ରହିବାରୁ ପ୍ରଥମ ପିଲାଟି ତା’ଠାରୁ ସେଇଟିକୁ ଝାମ୍ପି ଆଣିବାକୁ ଚେଷ୍ଟାକଲା-। ସେ ଆଦୌ ଛାଡ଼ିଲା ନାହିଁ । ଫଳରେ ସେ ତା’ ଉପରକୁ କୁଦି ପଡ଼ିଲା । ମାଡ଼ଗୋଳ ଗଡ଼ାଗଡ଼ି ବୁହାଟେ ହୋଇଗଲା । ପ୍ରଥମ ପିଲାଟି ଦ୍ଵିତୀୟ ପିଲାର ଛାତିକୁ ଏଥର ଖୁବ୍‍ ଜୋରରେ ଧରିପକାଇଲା । ଦ୍ଵିତୀୟ ପିଲା ଟିକିଏ ଡରିଗଲା । ପ୍ରଥମ ପିଲା ହାତରେ ଯେଉଁ ଜିନିଷ ବାଜିଲା, ଏଥିରେ ତା’ ମନରେ କିପରି ସନ୍ଦେହ ନ ହେବ ? ମାଡ଼ଗୋଳର ଅବସ୍ଥା ଟିକିଏ ଧିମେଇ ଯାଇଥିଲା । ଦ୍ଵିତୀୟ ପିଲାଟି ଟିକିଏ ଖାପଛଡ଼ା ହୋଇ ଦୂରକୁ ଚାଲିଯିବାକୁ ବୋଧହୁଏ ଇଚ୍ଛା କରୁଥିଲା । ପ୍ରଥମ ପିଲାର ଆଘାତରେ ସେ ତଳେ ପଡ଼ିଗଲା । ତା’ ଦେହର ପୋଷାକକୁ ଏଥର ସେ ଝାମ୍ପି ଧରିବାକୁ ଚେଷ୍ଟା କଲା । ଫଳରେ ତା’ କୋଟ୍‍ ଏବଂ କମିଜ ଚିରିଗଲା । ତା’ ଦେହର ଜିନିଷ ବାହାରକୁ ଦେଖାଗଲା ଅଳ୍ପ । ସେ ଏସବୁ ଲୁଚାଇବାକୁ ସଙ୍ଗେ ସଙ୍ଗେ ଚେଷ୍ଟା କଲା ।

ପ୍ରଥମ ପିଲାଟି ମାଡ଼ଗୋଳରୁ ନିବୃତ୍ତ ହୋଇ ଅଟକିଗଲା । ଜଣାପଡ଼ିଗଲା ଯେ ସେ ହେଉଛି ଗୋଟିଏ ଝିଅ । ସେ ପୁଅ ପୋଷାକ ପିନ୍ଧି ଛଦ୍ମ ବେଶରେ ଆସିଛି ।

ସେ କହିଲା ବାଧ୍ୟହୋଇ, ‘‘ତୁମେ ଜଣେ ଝିଅ ।” ଝିଅଟି ତଳୁ ଉଠିପଡ଼ି ନିଜ ପୋଷାକକୁ ସଜାଇ ଧରି କହିଲା, “ହ, ମୋ ଫଟୋଟି ତୁମେ କାହିଁକି ଧରିଛ ? ମୋତେ ଦେଇଦିଅ-। ମୁଁ ପୁଅ ହେଲେ କି ଝିଅ ହେଲେ ତୁମର କି ଯାଏ ?”

“ତୁମେ ପୁଅ ପୋଷାକ କାହିଁକି ପିନ୍ଧିଥିଲ ?”

‘‘ତୁମର କ’ଣ ଯାଏ ?” ଝିଅଟିକୁ ଟିକିଏ ଲଜ୍ଜା ଲାଗିଲା ।

“କିନ୍ତୁ ମୁଁ ତୁମକୁ ମିଛ କହୁନି । ଏଇଟା ପ୍ରକୃତରେ ମୋ ଫଟୋ । ମୁଁ ତୁମ ସହିତ ଶାନ୍ତିରେ ସବୁ ଛିଣ୍ଡାଇବାକୁ ଚାହେଁ । କିଛି ତୁମ ସହିତ କଳିକଜିଆ, ମାଡ଼ଗୋଳ ମୋତେ ଆଦୌ ଭଲ ଲାଗେନା ।”

“ଏସବୁ କିପରି ଅମୂଳକ କଥା ? ଏଇଟା ପରା ମୋ ନିଜ ଫଟୋ ।”

“ଅସମ୍ଭବ । ମୁଁ ଏଇଟାକୁ ଛାଡ଼ି ନ ପାରେ ।”

‘‘ମୁଁ ବରଂ ମରିଯିବି । ଏଇଟା ମୋର ବୋଲି ଦାବି କରିବି । ଆଚ୍ଛା, ତୁମେ ଫଟୋ କେଉଁଠି ରଖିଥାଅ ?”

“ମୋ ବ୍ୟାଗରେ ।”

“କେଉଁ ବ୍ୟାଗରେ ? ବ୍ୟାଗ୍‌ଟି ଆଣ । ଦେଖିବା ବ୍ୟାଗ୍‌ର କେଉଁ ସ୍ଥାନରେ ସେଇଟା ଥିଲା । ବ୍ୟାଗରେ କଣା ଅଛି କି ନା ? ବ୍ୟାଗ୍‌ରୁ ଯଦି ଖସିବାର କିଛି ଉପାୟ ନ ଥିବ, ତା’ହାଲେ ବ୍ୟାଗ୍‌ରୁ ଆଦୌ ସେଇଟା ହଜିନି ବା ତୁମେ ମିଛ କହୁଛ ।” ଖୁବ୍‍ କମ୍‍ ସମୟ ମଧ୍ୟରେ ପ୍ରଥମ ପିଲାଟି ବ୍ୟାଗ୍‍ ଆଣି ଆସିଲା । ତାରି ଆଗରେ ସେ ବ୍ୟାଗ୍‍ ଖୋଲିଲା । ସେ ଖୋଲି କରି ଦେଖିଲା ଯେ ତା’ ବ୍ୟାଗ୍‍ ମଧ୍ୟରେ ମଧ୍ୟ ସେହିପରି ଆଉ ଗୋଟିଏ ଫଟୋ ଅଛି । ଦୁହେଁ ଦେଖୁଥିଲେ । ଏଥିରେ ଦୁହେଁ ଆଶ୍ଚର୍ଯ୍ୟ । ପ୍ରଥମ ପିଲାଟି ନିଜର ଭୁଲ୍‍ ସ୍ଵୀକାର କଲା ଓ ଫଟୋଟି ଦେଇ ଦେଇଥିଲା ।

ଝିଅଟି କହିଲା, ‘‘ତୁମ ପାଖରେ ଏହାର ଫଟୋ କିପରି ସମ୍ଭବ ? ତୁମେ କ’ଣ ଯାଦୁକର-?”

‘‘ନା ତ ।”

‘‘ତା’ହେଲେ ତୁମର ଏ କିଏ ?”

“ତୁମର ସେ କିଏ ?”

“ନା ମୁଁ ତୁମକୁ କହିବିନି । ମୁଁ କାହାକୁ ବି କହିବିନି ।”

କିଛି ସମୟ ନୀରବତାରେ କଟିଗଲା ।

ଝିଅଟି କହିଲା, ‘‘ତୁମ ପାଖରେ ଏହାର ଆଉ ଗୋଟିଏ ଫଟୋ ଅଛି କି ?”

“ନା ତ !”

“ଆଉ ଗୋଟିଏ ଫଟୋ କିନ୍ତୁ ତୁମ ବ୍ୟାଗରେ ନିଶ୍ଚୟ ଅଛି ।”

“ହଁ ଅଛି ।”

“ସେଇଟା ଦେଖି ।”

“ପୁଅଟି ସେଇଟାକୁ ଦେଖାଇଲା । ଝିଅ ସେଇଟାକୁ ନିଜ ପାଖକୁ ନେଇ ଦେଖିଲା ଭଲଭାବରେ ପରୀକ୍ଷା କରି । ଝିଅଟି କହିଲା, ‘‘ଏଇଟା ଗୋଟିଏ ଗ୍ରୁପ୍‍ ଫଟୋ । ଏ ତ ମୋ ମା’ । ତୁମ ଘରର ଲୋକଙ୍କ ସହିତ ଏଇଟା ଉଠିଛି ।”

“ହଁ; ମୁଁ ଠଉରେଇ ନେଲି । ତୁମର ନାମ ତା’ହେଲେ ସିନି ।’’

“ମୁଁ ମଧ୍ୟ ଠଉରେଇ ନେଲି । ତୁମର ନାମ ପ୍ରଭାତ ।”

ତା’ପରେ କିଛି ସମୟ ନୀରବତାରେ କଟିଲା ।

ସିନି କହିଲା, “ମୁଁ ତୁମ ଉଦ୍ଦେଶ୍ୟ ବୁଝିପାରିଲି ।”

ପ୍ରଭାତ କହିଲା, “ମୁଁ ମଧ୍ୟ ତୁମ ଉଦ୍ଦେଶ୍ୟ ବୁଝିଲି ।”

ଦୁହେଁ ଏକ ସମୟରେ ହସିଉଠିଲେ ।

ସିନି କହିଲା, “ସିଏ ତୁମ ଶତ୍ରୁର ଫଟୋ । ମୋର ମଧ୍ୟ ଶତ୍ରୁର ଫଟୋ ।”

“ହଁ ସେଇଥିପାଇଁ ତୁମର ପୁରୁଷ ବେଶ ।”

ସିନି ଅଳ୍ପ ହସିଲା । ସେ ତା’ପରେ କହିଲା, ‘‘ମୁଁ ଜାଣିନଥିଲି ତୁମେ ଆଜି ପର୍ଯ୍ୟନ୍ତ ଜୀବିତ ବୋଲି । ମୁଁ ସବୁଘଟଣା ଶୁଣିଛି । ଆମେ ଦୁହେଁ ଅଲଗା ଅଲଗା ସ୍ଥାନରେ ବଢ଼ି ବଢ଼ି ଆସିଛେ । ଉଜ୍ଜଳ ହେଉଛି ମୋ ପିତୃହନ୍ତା ଏବଂ ତୁମର ମାତୃହନ୍ତା । ଆମ ଦୁହିଁଙ୍କ ପାଖରେ ତା’ ଫଟୋର ଗୋଟିଏ ଗୋଟିଏ ସାଧାରଣ କପି ରହିଛି । ଆମେ ଦୁହେଁ ବହୁତ ପିଲା କାଳରୁ ନିଜ ନିଜ ପିତାମାତାଙ୍କୁ ହରାଇଛେ । ଆମେ ତାଙ୍କର ଫଟୋକୁ କେବଳ ବର୍ତ୍ତମାନ ଦେଖୁଛେ ।

 

“ଚୁପ୍‍ ରୁହ ।”

 

ଦୁହେଁ ଚୁପ୍‍ ରହିଲେ ।

 

ଧୀରେ ଧୀରେ ପ୍ରଭାତ କହିଲା, ‘‘ହାଟ ବଜାରରେ ଏଗୁଡ଼ାକ ବଡ଼ ପାଟିରେ କହିବ ଯଦି କ’ଣ ନ ହେବ ? ତୁମେ ତା’ହେଲେ ପୁଅବେଶ ପିନ୍ଧି‌ ଲାଭ କ’ଣ ? ନିଶ୍ଚୟ ଆମ ଦୁହିଁଙ୍କ ପ୍ରତିଜ୍ଞା ଏକ । ଆମେ ଜଣକ ଉପରେ ପ୍ରତିଶୋଧ ନେବା । ଜଣେ ଆମର ସାଧାରଣ ଶତ୍ରୁ । ମାତ୍ର ସେ ବର୍ତ୍ତମାନ ଆମର ହାତମୁଠାରେ ନାହିଁ । ତାକୁ ହାତମୁଠାକୁ ଆଣିବାକୁ ପଡ଼ିବ । ଏଇଟା ହେବ ଆମର ଦୃଢ଼ ସଂକଳ୍ପ ।”

 

“ଆମେ ଦୁହେଁ ଆଜିଠାରୁ ମିଳିତଭାବରେ ଉଦ୍ୟମ ନେବାକୁ ସୁଯୋଗ ପାଇପାରିବା ।”

 

“ମାତ୍ର ମୁଁ ତାକୁ ମାରିବି ।”

 

‘‘ନା, ନା ସେକଥା ହୋଇପାରିବନି । ତୁମେ ମୋ ଶତ୍ରୁକୁ ମାରିଦେବ, ଆଉ ମୁଁ କ’ଣ ତା’ ଶବକୁ ବାଡ଼େଇବି ମଲା ସାପକୁ ଛୋଟ ପିଲାମାନେ ବୀରତ୍ଵର ସହିତ ବାଡ଼େଇଲା ପରି ?”

 

“ଆଚ୍ଛା, ହେଉ ହେଲା । ତୁମର ଅଧେ ମୋର ଅଧେ । ଆମେ‌ଦୁହେଁ ସାଙ୍ଗ ହୋଇ ତାକୁ ମାରିବା । ତା’ ଜୀବନର ଅଧେ ତୁମେ ନଷ୍ଟ କରିବ ଏବଂ ମୁଁ ଅଧେ ନଷ୍ଟ କରିବି ।”

 

(୪୫)

 

କିଛି ଦିନ ପରେ ସବିତାକୁ ହସ୍‍ପିଟାଲକୁ ନିଆଗଲା । ସେଠାରେ ସେ ଗୋଟିଏ ଶିଶୁପୁତ୍ରକୁ ଜନ୍ମ ଦେଲା । ସନାତନ ବାବୁ ଏସବୁକୁ ଗ୍ରହଣ କରିବାକୁ ବାଧ୍ୟ ହେଲେ । ନିଜ ଝିଅଟିର ଜୀବନ ନଷ୍ଟ ହୋଇଗଲା । ସେ ଆଉ ବିଭା ହୋଇପାରିବନି । ଏଥର ତା’ର ଏ ଛୁଆକୁ ଦେଖିଲେ, ଏ ସମାଜରେ କିଏ ବା ତାକୁ ନିଜ ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ଇଚ୍ଛା କରିବ ? ସେ ବି ନିଜେ ବିଭା ହେବାକୁ ରାଜି ନୁହେଁ ।

 

ଏ ଖବର ଉଜ୍ଜଳକୁ ଦିଆଯାଇଥିଲା । ସେ ଏ ଖବର ପାଇ କିଛି ସମୟ ପାଇଁ ନୀରବ ରହିଥିଲା । ତା’ପରେ ତା’ ମନ କ’ଣ ହେଲା କେଜାଣି ସେ ନିଜ ମୁହଁକୁ ନିଜ ହାତରେ ଲୁଚାଇ ଭୋ ଭୋ ହୋଇ ଅନେକ କାନ୍ଦିଲା । ତା’ ଆଖିରୁ ଅନେକ ଲୁହ ବହିଥିଲା । ତା’ର ଏହି ଖୁସି ହେବା ପରିବର୍ତ୍ତେ ଦୁଃଖ କରିବାର କାରଣ କେହି ବୁଝି ପାରିନଥିଲେ ।

 

ସେ କାନ୍ଦିବାର କଥା ସବିତାକୁ ଜଣାଇ ଦିଆଯାଇଥିଲା । ଏସବୁ ଶୁଣି ତା’ ଆଖି ମଧ୍ୟ ଛଳଛଳ ହୋଇଯାଇଥିଲା । ସବିତାକୁ ଦେଖିବାକୁ ତା’ର ସମସ୍ତ କ୍ଲାସମେଟ୍‍ ଆସିଥିଲେ । ଇଡ଼ା, ତା’ ମା’ ଆଦି ମଧ୍ୟ ଆସିଥିଲେ । ସମସ୍ତେ ସବିତାର ଅଭିପ୍ରାୟ ବୁଝିଯାଇଥିଲେ । ତାକୁ ଅନେକେ ପ୍ରଶ୍ନ କରିଥିଲେ, ‘‘ତମେ ନିଜ ଜୀବନକୁ ଏତେ କଷ୍ଟ ଦେବାକୁ କାହିଁକି ଚାହୁଁଛ ?”

 

ସବିତା ନୀରବ ରୁହେ ।

 

ଅନେକ ଦିନ ବିତିଗଲା । ସବିତା ନିଜ ଘରକୁ ଚାଲିଆସିଲା ପ୍ରସୂତି ୱାର୍ଡ଼ରୁ । ଦିନେ ସେ ଉଜ୍ଜଳ ପାଖକୁ ଆସିଥିଲା ନିଜ ଛୁଆ ମୁନାକୁ ଧରି । ଉଜ୍ଜଳ ନିଜ ଆଖିରେ ନିଜ ରକ୍ତ ମାଂସର ପ୍ରତିଛବି ଦେଖିଥିଲା । ଏସବୁ ଦେଖି ମଧ୍ୟ ସେ ନୀରବ । ସବିତା ପଚାରୁଥିଲା, ‘‘ତମେ ନିଜ ଛୁଆକୁ ଦେଖି ଏପରି ନୀରବ କାହିଁକି ?” ତଥାପି ଉଜ୍ଜଳ କିଛି କହିନଥିଲା । ତା’ ନିଜ ମନର ଦୁଃଖ କେହି ଜାଣିପାରିନଥିଲେ ।

 

“ତମେ ନିଜେ ନିଜ ଛୁଆକୁ ଗଢ଼ିପାରିବନି କି ଟିକିଏ ଦେଖି ପାରିବନି । ଏଇଥିପାଇଁ ଦୁଃଖ କରୁଛ ତ ?”

 

ଏହା ଶୁଣି ଉଜ୍ଜଳର ଆଖି ଛଳଛଳ ହୋଇ ଆସିଥିଲା । ସେ ସବିତାକୁ କହିଥିଲା, ‘‘ମୋର ଭୁଲ୍‍ ହୋଇଯାଇଛି ସବିତା ! ମୋତେ କ’ଣ କେବେ କ୍ଷମା ଦେବନି ?”

 

ସବିତା ଅନେକ ବୁଝାଇବାକୁ ଚେଷ୍ଟା କରିଥିଲା । ମାତ୍ର ସେ ଆଦୌ ବୁଝିପାରି ନ ଥିଲା-। ତା’ ମନର ଦୁଃଖ ଆଦୌ ଦୂର ହୋଇନଥିଲା ।

 

ଶେଷରେ ଯିବା ପୂର୍ବରୁ ସବିତା ନିଜର ସେହି ଛୁଆକୁ କହିଥିଲା, “ଦେଖିଥା ମୁନା, ତୋ ଆଖି ପୂରାଇ ତୋ ବାପାଙ୍କୁ ଏତିକିବେଳେ । ଆଉ କେବେ ଦେଖିପାରିବୁ କି ନାହିଁ, ସେଇଟା ଭଗବାନଙ୍କ ହାତର କଥା । ଆଉ ସେପରି ସୁଯୋଗ ମିଳିଲେ ଯାଇ ବାପାଭଳି ଜିନିଷ କେମିତିକା ତାହା ଜାଣିବୁ । ତୋ ଭାଗ୍ୟରେ ଏତେ ଭଲ କଥା ନାହିଁ ମୁନା ! ତୁ ବହୁତ ହତଭାଗା । ତୁ ବହୁତ କଷ୍ଟ ପାଇବୁ ମୁନା ତୋ ଜୀବନରେ ।”

 

ସବିତାର ଆଖି ମଧ୍ୟ ଛଳଛଳ ହୋଇଗଲା । ତା’ପରେ ସବିତା ଚାଲି ଯାଇଥିଲା ।

 

(୪୬)

 

ସବୁଦିନ ସମାନ ନ ଥାଏ । ସବୁଦିନ ସୁଖରେ ଯାଏନା । ସୁଖ ପରେ ଦୁଃଖ ଆସେ । ଦିନ ଆସିଲା ସବିତା ଉଜ୍ଜଳର ରୁମ୍‍ ଫିଟାଇ କହିଲା, ‘‘ଉଜ୍ଜଳ ମୁଁ ତୁମକୁ ଗୋଟିଏ ଖବର ଦେବାକୁ ଆସିଛି ।”

 

ଅତି ଆଗ୍ରହର ସହିତ ଉଜ୍ଜଳ କହିଲା ‘‘କି ଖବର ?”

 

ଆମେ ଆଉ ଏପରି ମିଶିପାରିବାନି । ଆଉ ତୁମ ରୁମ୍‌କୁ ମୁଁ କେବେ ଫିଟାଇବାର ସୁଯୋଗ ପାଇପାରିବିନି । ମୁଁ ଆଉ ଅଫିସ୍‍ରୁ ଏ ଘର ଚାବି ଆଣି ପାରିବିନି ।”

 

‘‘ଏସବୁ ତୁମେ କ’ଣ କହୁଛ ?”

 

“ମୁଁ ସତ କହୁଛି । ବାପାଙ୍କର ଟ୍ରାନ୍‌ସଫର୍‍ ହେଉଛି ।”

 

“ମିଛ ।”

 

‘‘କେବେ ?”

 

ଆଉ ଅଳ୍ପ ଦିନ ଅଛି ।”

 

“ଏସବୁ ଏମିତି କ’ଣ ହୋଇଗଲା ?”

 

ଦୁହେଁ ପରସ୍ପରକୁ ଖୁବ୍‍ ଜୋରରେ ଧରି ରଖିଲେ । ଦୁହିଁଙ୍କ ଛାତି ଉପରେ ଦୁହେଁ ମୁଣ୍ଡ ରଖି ଅନେକ ବେଳ ପର୍ଯ୍ୟନ୍ତ ଆଖିରୁ ଲୁହ କାଢ଼ି କାନ୍ଦିଥିଲେ ।

 

ସନାତନ ବାବୁ ଯେଉଁ ଦିନ ଏ ଟ୍ରାନ୍‌ସ୍‌ଫର ଖବର ସବିତାକୁ କହିଥିଲେ, ସେ ପ୍ରତିବାଦ କରି କହିଥିଲା, ‘‘ବାପା ତୁମର କାହିଁକି ଏ ଟ୍ରାନ୍‌ସଫର୍‌ ହେଲା ?”

 

ସେ ଉତ୍ତର ଦେଇଥିଲେ, “ଏଇଟା କ’ଣ ଆମ ହାତ କଥା ? ଏଇଟା ଉପର ମହଲ କଥା । ଭଗବାନଙ୍କ ହାତ କଥା ।”

 

“ଆଚ୍ଛା, ଆମେ ଚେଷ୍ଟା କରି ଏଇ ଟ୍ରାନ୍‌ସଫର୍‌କୁ ରୋକି ପାରିଲେ ହୁଅନ୍ତାନି ?”

 

“ମୁଁ ଜାଣେ ମା’ ! ତୁ ଉଜ୍ଜଳ ପାଇଁ ମନଦୁଃଖ କରୁଛୁ । କିନ୍ତୁ ଆମେ କ’ଣ କରିପାରିବା-?”

 

“ବାପା, ସେ ମୋର ଜୀବନ । ତାଙ୍କୁ ନ ଦେଖି କିପରି ମୁଁ ରହିପାରିବି ?” ସନାତନ ବାବୁଙ୍କ ଆଖିରୁ ଲୁହ ଝରି ଆସିଥିଲା ।

 

ସବିତା ଯିବାଦିନ ନିଜ ଛୁଆକୁ ଧରି ଉଜ୍ଜଳ ପାଖକୁ ଆସିଥିଲା । ଉଜ୍ଜଳ ଜାଣିପାରିଲା ଯେ ଏଇଟା ହେଉଛି ଶେଷ ଦିନ । ତା’ପାଇଁ ସବୁଯାକ ସୁଖର ଦିନ କଟି ଯାଇଛି । ତା’ ଜୀବନରେ ସେତିକି ମାତ୍ର ସୁଖ ଥିଲା । ତା’ ହୃଦୟରୁ ଅନେକ କୋହ ଉଠିଥିଲା । ତା’ ଆଖିରୁ ଅନେକ ଲୁହ ଝରି ଆସିଥିଲା । ସବିତା ନିଜ ଆଖିର ଲୁହକୁ କୌଣସି ପ୍ରକାରେ ଚାପି ପାରିଲା ନାହିଁ । ଦୁହେଁ ଦୁହିଁଙ୍କୁ ଖୁବ୍‍ ଜୋରରେ କୁଣ୍ଢାଇ ଧରିଥିଲେ ।

 

ଶେଷରେ ସବିତାର ବିଶେଷ ଅନୁରୋଧରେ ଉଜ୍ଜଳ ତା’ ନିଜ ଛୁଆକୁ କାଖେଇ ଧରିଥିଲା ଓ ଗେଲ କରିଥିଲା । ମଥାରେ ତା’ର ଚୁମା ଦେଇଥିଲା । ତା’ ନିଜ ପୁଅକୁ ଆଉ ତା’ ଜୀବନରେ କେବେ ଦେଖିପାରିବନି । ଏ କଥା ଭାବିବା ବେଳକୁ ସେ ତା’ ଛାତିଭିତରେ ବହୁତ ଯନ୍ତ୍ରଣା ଅନୁଭବ କରିଥିଲା । ସଙ୍ଗେ ସଙ୍ଗେ ସେ ତଳେ ପଡ଼ିଯାଇଥିଲା । ସବିତା ତାକୁ ଉଠାଇ ଧରିଥିଲା । ତା’ପରେ କିଛି ସମୟ ରହି ସେ ଉଜ୍ଜଳକୁ ସାନ୍ତ୍ଵନା ଦେଇଥିଲା ।

 

ସେ କହିଥିଲା, ‘‘ତୁମେ ବ୍ୟସ୍ତ ହୁଅନି ଉଜ୍ଜଳ ! ମୁଁ ଭିତରେ ଭିତରେ ଚେଷ୍ଟା କରିବି ତୁମକୁ ଆମ ଜେଲ୍‌କୁ ଆଣିବାକୁ । ତୁମର ଏଇ ଭିତରେ ଟ୍ରାନ୍‌ସଫର୍‍ ହେବ । ସେ ଦିଗରେ ମଧ୍ୟ ଲାଞ୍ଚ ଫାଞ୍ଚ ଦେବାକୁ ମୁଁ ପଛାଇବିନି ।”

 

“ତୁମେ କେଉଁଠୁ ଏତେ ଟଙ୍କା ଆଣିବ ?”

 

‘‘ମୋ ପାଖରେ ପାଞ୍ଚହଜାର ଟଙ୍କା ଅଛି । ଦରକାର ପଡ଼ିଲେ ବାପା ମଧ୍ୟ ମୋତେ ଅଧିକ ଟଙ୍କା ଦେଇ ସାହାଯ୍ୟ କରିବେ । ବାପା ତ ବର୍ତ୍ତମାନ ମୋ ପଟିଆ ସମ୍ପୂର୍ଣ୍ଣଭାବରେ, ଅର୍ଥାତ୍‍ ସେ ତୁମକୁ ମଧ୍ୟ ସମର୍ଥନ କରନ୍ତି ।”

 

ଉଜ୍ଜଳ ନୀରବ ରହିଲା ।

 

ସବିତା ସାଙ୍ଗରେ ଗୋଟିଏ ଛୋଟ ଡବା ଆଣିଥିଲା । ସେଇଟିକୁ ଫିଟାଇ ଉଜ୍ଜଳକୁ ଦେଖାଇ କହିଥିଲା, “ଉଜ୍ଜଳ ! ତମେ ଏଇ ଡବାରେ ଆଙ୍ଗୁଠି ବୁଡ଼ାଅ ।”

 

ଉଜ୍ଜଳ ଭଲଭାବରେ ଏ ଡବାକୁ ଚାହିଁଲା ।

 

ସବିତା କହିଲା, “ହଁ ଉଜ୍ଜଳ ! ମୋ କଥା ରକ୍ଷା କର । ନିଜ ଆଙ୍ଗୁଠି ବୁଡ଼ାଇ ମୋ ମଥାରେ ଲଗାଅ ।”

 

ଉଜ୍ଜଳ ବାଧ୍ୟହୋଇ ସେଇଆ କରିଥିଲା, ସବିତା ଯାହା କହିଥିଲା । ସବିତା ଏଥର ଉଜ୍ଜଳକୁ ଛାଡ଼ି ଚାଲିଯାଇଥିଲା ତା’ ରୁମ୍‍ ଚାବିପକାଇ ।

 

ସେହିଦିନ ସନାତନ ବାବୁ ନିଜ ଝିଅକୁ ଧରି ଅନ୍ୟ ଜେଲ୍‌କୁ ଚାଲିଗଲେ । ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା, ମୁରାରୀ ଇଡ଼ା ଆଦି ଦୁଃଖ କରିଥିଲେ । ସେହିଦିନଠାରୁ ଉଜ୍ଜଳକୁ ସବୁ ଖାଲି ଖାଲି ଜଣାପଡ଼ିଲା । ତା’ ରୁମ୍‌କୁ ଆଉ କେହି ପୂର୍ବପରି ଫିଟେଇଲେ ନାହିଁ । ସେ ଝରକା ଦେଇ ବାହାରକୁ ଅନାଏ । ବାହାରେ ଛାତ ଉପରେ କେହି ସବିତା ପରି ବୁଲନ୍ତି ନାହିଁ । କେହି ତା’ଆଡ଼କୁ ଅନାଇଁ ହାତ ହଲାନ୍ତି ନାହିଁ ସବୁଦିନ ସକାଳେ ଓ ସନ୍ଧ୍ୟାରେ । ଏକଥା ମନେ ପକାଇବା ବେଳକୁ ତା’ ଆଖିରୁ ଲୁହ ଟୋପା ଟୋପା ହୋଇ ଝରିପଡ଼େ । ତା’ ଜୀବନଟା ଶୂନ୍ୟ ହୋଇଯାଇଛି ବୋଲି ସେ ଭାବେ । ସବିତା ଯିବାଦିନ ତାକୁ ମଧ୍ୟ କହିଥିଲା, ‘‘ମୋ ଠିକଣାରେ ତୁମେ ଚିଠି ପଠାଇବ । ଆମର ସେହି ଭାଷା ବ୍ୟବହାର କରିବ ।” ଉଜ୍ଜଳର ଏସବୁ କଥା ମନେ ପଡ଼ିଯାଏ ।

 

(୪୭)

 

‘‘ତୁମେ ଏ ଭିତରେ କ’ଣ କ’ଣ ଖବର ସଂଗ୍ରହ କରିଛ ?” ସିନି ପଚାରିଲା ପ୍ରଭାତକୁ ।

 

“ମୁଁ ଏତିକି ଖବର ପାଇଛି ଯେ ସେ ବର୍ତ୍ତମାନ ଅଛି ଏ ଜେଲ୍‌ର ଦୁଇଶହ ବତିଶ ନମ୍ବର ରୁମରେ ।”

 

“କିନ୍ତୁ ଆମେ ଜେଲ୍‍ ଭିତରକୁ ଯିବା କିପରି ?”

 

“ଖାଲି ଗଲେ କ’ଣ କାମ ହୋଇଯିବ ? ଆମ କାମଟା ଯେମିତି ହାସଲ ହେବ, ଏବଂ ସେଥିରେ ଆମକୁ ଯେପରି କିଛି ହଇରାଣରେ ନ ପଡ଼ିବାକୁ ହେବ, ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ପଡ଼ିବ ।”

 

“କିନ୍ତୁ ସେଥିପ୍ରତି ମୋର ଆଦୌ ଦୃଷ୍ଟି ନାହିଁ । ଦରକାର ପଡ଼ିଲେ ମୋ ଲକ୍ଷ୍ୟରେ ପହଞ୍ଚିବା ପାଇଁ ମୋ ଜୀବନଟାକୁ ମଧ୍ୟ ଦେଇ ଦେଇପାରେ । ମୁଁ ମଲେ ପଛେ ମରିବି । ଫାସୀକାଠରେ ପଛେ ଝୁଲିବି, ମୁଁ ତାକୁ ମାରିବି ।”

 

“ହିଁ ସେଇଟା କ’ଣ ମୋର ଆଦର୍ଶ ନୁହେଁ କି ? କିନ୍ତୁ ଆମେ ନିଜକୁ ବଞ୍ଚାଇବାକୁ ସବୁପ୍ରକାର ଚେଷ୍ଟା କରିବା । ଯଦି ସୁବିଧା ଥାଏ କାହିଁକି ଛାଡ଼ିବା ? ସୁବିଧା ଥାଉ ଥାଉ ସେସବୁକୁ ପରିତ୍ୟାଗ କରି ଆମେ କାହିଁକି ନିଜ ନିଜ ଜୀବନ ଦେବାକୁ ଆଗେଇଯିବା ବୋକାମିର ପରିଚୟ ଦେବାକୁ ?”

 

“ତୁମେ ତା’ହେଲେ କି ପ୍ରକାର ଚେଷ୍ଟା ଚଳାଇଛ ?”

 

‘‘ମୁଁ ଗୋଟିଏ ପ୍ରକାର ଚେଷ୍ଟା କରୁଛି । ମୋର ଆଶା ଏଇଟାକୁ କାହା ଆଗରେ ନ କହି ସମ୍ପୂର୍ଣ୍ଣଭାବରେ ଗୁପ୍ତ ରଖିବି ।”

 

“କ’ଣ କୁହ । ମୋତେ କ’ଣ ବିଶ୍ଵାସ କରୁନ ?”

 

“ମୁଁ ଏ ଜେଲରେ ରହିବାକୁ ଚେଷ୍ଟା କରୁଛି ।”

 

“କ’ଣ ଚାକିରି ?”

 

“ହଁ ଗୋଟିଏ ପୋଷ୍ଟ ଖାଲି ଅଛି । ଆଉ କେତେଦିନ ଏପରି ଟ୍ୟୁସନ୍‍ ଫ୍ୟୁସନ୍‍ କରି ଚଳି ହେବ ? ତା’ପରେ ତୁମକୁ ମଧ୍ୟ ମୁଁ ଏଥର ଚଳାଇଲିଣି ।”

 

“କେଉଁ ପୋଷ୍ଟ ?”

 

‘‘ଜେଲ୍‌ର ସୁପରିଣ୍ଟେଣ୍ଡେଣ୍ଟ ପୋଷ୍ଟ ।”

 

“ତୁମକୁ ମିଳିବ ବୋଲି କ’ଣ ଗ୍ୟାରେଣ୍ଟି ଅଛି ?”

 

“ମିଳିପାରେ ନ ମିଳିପାରେ । ଭଗବାନଙ୍କ ହାତ କଥା । ଏ ଜେଲରେ ପୂର୍ବରୁ ବହୁବର୍ଷ ହେଲା ସନାତନ ବାବୁ ରହି ଆସିଥିଲେ ସୁପରିଣ୍ଟେଣ୍ଡେଣ୍ଟ ହୋଇ । ତାଙ୍କର ଟ୍ରାନ୍‌ସଫର୍‍ ହୋଇଛି ଅନ୍ୟ ଜେଲ୍‌କୁ । ଏଇଟା ଖାଲି ପଡ଼ିଛି । ଅନେକ ପିଲା ନିଶ୍ଚୟ ଦରଖାସ୍ତ ପକାଇଥିବେ ଏଥିପାଇଁ-।”

 

“ହଁ ହଁ, ସବୁ ଗ୍ରାଜୁଏଟ୍‌ଙ୍କର ଏଇ ପୋଷ୍ଟ ପାଇଁ ଆପ୍ଲାଇ କରିବାକୁ ଅଧିକାର ରହିଛି । ତେବେ ଭଗବାନ ସେଇଆ କରନ୍ତୁ ।”

 

‘‘ଚାକିରି ପାଇଁ ଆବେଦନ କରିବାକୁ ବୟସ ସୀମା ଅତି କମରେ ତିରିଶ ବର୍ଷ ହୋଇଥିବା ଦରକାର । କିନ୍ତୁ ଖବରକାଗଜରେ ବାହାରିଥିବା ବିଜ୍ଞାପନରେ ଲେଖାଥିଲା ଯେ ତା’ ଅପେକ୍ଷା କମ୍‍ ବୟସର ପିଲାମାନେ ଆବେଦନ କରିପାରିବେ; କିନ୍ତୁ ସେମାନେ ଅଧିକ ପ୍ରତିଭାବାନ୍‍ ହୋଇଥିବା ଦରକାର ।”

 

‘‘ଭଗବାନ ଅଳ୍ପକରେ କେମିତି କେମିତି ରକ୍ଷା କରି ଦିଅନ୍ତୁ । ଏପରି ଏକ୍‌ସଟ୍ରା କ୍ଵାଲିଫିକେଶନ୍‍ ପାଇଁ ଏକା ଭଗବାନ ସାହା ।’’

 

(୪୮)

 

ପ୍ରଭାତ ପାଖକୁ ସିନି ଚାଲିଆସିଲା । ପ୍ରଭାତ ତାକୁ ମଧ୍ୟ ଉତ୍କଣ୍ଠାର ସହିତ ଚାହିଁ ରହିଥିଲା । ସିନି ନିଜ ମୁହଁକୁ ନିଜ ଦୁଇ ହାତ ପାପୁଲି ସାହାଯ୍ୟରେ ଘୋଡ଼ାଇ ରଖି ତା’ ଆଗରେ କାନ୍ଦିବାକୁ ଲାଗିଲା ।

 

‘‘ତୁମେ କାନ୍ଦନା ।”

 

ସିନି ଚୁପ୍‍ଚାପ୍ କହିଥିଲା, “ମୁଁ ମୋ ନିଜ ଇଚ୍ଛାରେ ଯାଇଥିଲି, ଯଦିଓ ତୁମେ ମୋତେ ଯିବାକୁ ମନା କରିଥିଲ ।”

 

‘‘ତୁମେ ଯାଇଛ ଭଲ ହୋଇଛି । କିଏ ମୋତେ ଚାକିରିଟିଏ ଦେଇ ଥାଆନ୍ତା ସେପରି, ଯେଉଁଟାକି ଆମେ ଚାହୁଁଛେ ?”

 

“ତଥାପି ଏ ଚାକିରି ମିଳିବ ବୋଲି କ’ଣ ଗ୍ୟାରେଣ୍ଟି ଅଛି ? ଆମେ ଠକାମିରେ ପଡ଼ିନାହେଁ ବୋଲି କିଏ କହିପାରିବ ?”

 

‘‘ମୋତେ ଭାଇଭା ପାଇଁ ଡକା ହୋଇଛି ।”

 

“କେଜାଣି କ’ଣ ହେବ, ଏକା ଭଗବାନ ଜାଣନ୍ତି ।”

 

“ତୁମେ ବାଥ୍‌ରୁମ୍‌କୁ ଯାଅ । ଯାହା ହେବ ହେବ ।”

 

ସିନି ବାଥ୍‌ରୁମ୍‌କୁ ଯାଇଥିଲା ନିଜର ଦେହକୁ ଭଲଭାବରେ ସଫା କରିଦେବାକୁ ।

 

ସିନି ପ୍ରକୃତରେ ଯାଇଥିଲା ତା’ ଦେହ ଦେବାକୁ କର୍ତ୍ତୃପକ୍ଷଙ୍କ ଜଣେ ବଡ଼ ଉଚ୍ଚପଦସ୍ଥ ଅଫିସର୍‍ଙ୍କୁ । ସେ ପୂର୍ବରୁ ତାଙ୍କ ଅଫିସ୍‍କୁ ଥରେ ଯାଇଥିଲା । ଅଫିସର୍‍ ଜଣକ ତାକୁ ଦେଖି କହିଥିଲେ, “କ’ଣ କାମ ?”

 

ସେ ତାଙ୍କ ଆଗରେ ଆଖିରୁ ଲୁହ ଝରାଇ ବହୁତ କାନ୍ଦିଥିଲା ।

 

ଅଫିସର୍‍ ଜଣକ ତାକୁ କହିଥିଲେ, “ତୁମର କ’ଣ ଅସୁବିଧା ହୋଇଛି ? କାହିଁକି କାନ୍ଦୁଛ-?”

 

ସିନି ବାଧ୍ୟହୋଇ କହିଥିଲା, ‘‘ସାର୍‍ ଆପଣ ଯାହା ମାଗିବେ ମୁଁ ସବୁ ଦେବି । ମୋର ଗୋଟିଏ ଜିନିଷ ନିହାତି ଦରକାର । ସେଇଟି ନ ମିଳିଲେ ମୁଁ ମରିଯିବି ।”

 

‘‘କ’ଣ ସେ ଜିନିଷ ?”

 

“ସାର୍‍, ମୁଁ ଆସିଥିଲି ଗୋଟିଏ ଚାକିରି ପାଇଁ ରିକ୍ୱେଷ୍ଟ କରିବାକୁ ।”

 

“ତୁମେ ଆପ୍ଲାଇ କରିଥିଲ ?”

 

“ନା, ପ୍ରଭାତ ଦେଓ ଆପ୍ଲାଇ କରିଥିଲେ ।”

 

‘‘ସେ ତୁମର କ’ଣ ?”

 

“ସେ…ସେ…ମୋ…ର…ଭା…ଇ ।”

 

“ଏଠାକୁ ତୁମେ କାହିଁକି ଆସିଛ ।”

 

“ସାର୍‍, ମୁଁ ମରିଯିବି । ତାଙ୍କୁ ଯଦି ନ ମିଳିବ ଏ ଚାକିରି ।”

 

‘‘ମୁଁ କ’ଣ କରିପାରିବି ?”

 

“ଆପଣ ଯାହା ଚାହିଁବେ ମୋ ପାଖରେ ଯଦି ଥାଏ… !”

 

“ମୁଁ ଯଦି ଦଶ ହଜାର ଟଙ୍କା ମାଗେ ?”

 

“ସାର୍‍, ମୋ ପାଖରେ ଟଙ୍କା କିଛି ନାହିଁ । ତା’ଛଡ଼ା ଆପଣ ଆଉ ଯାହା ମାଗିବେ… ।”

 

ଅଫିସର୍‌ଜଣଙ୍କ ସିନି ମୁହଁକୁ ଚାହିଁ ରହିଲେ କିଛି ସମୟ । କ’ଣ ଭାବି ସେ କହିଲେ, ‘‘ତୁମେ ସନ୍ଧ୍ୟା ବେଳକୁ ଆସ ।”

 

“କେଉଁଠିକୁ ?”

 

“ଏଠାକୁ ନୁହେଁ । ମୋ ନିଜ ଘରକୁ ।”

 

ପ୍ରକୃତରେ ସିନି ଯାଇଥିଲା ତାଙ୍କ ଘରକୁ ଠିକ୍‍ ସମୟରେ । ଅଫିସର୍‍ ଜଣକ ତା’ଠାରୁ ଯାହା ଚାହିଁଥିଲେ, ସେ ତାହା ଦେଇଥିଲା ।

 

(୪୯)

 

ପ୍ରଭାତ ଆଜି ବହୁତ ଖୁସି ହୋଇଯାଇଛି । ସେ ସିନିକୁ ଦେଖିବା ପରେ ଆହୁରି ଖୁସି ହୋଇଗଲା । ସିନି କହିଲା, ‘‘କ’ଣ ଆଜି ଏତେ ଖୁସି ! କ’ଣ ପାଇଲ କି ?”

 

“ହଁ ମୋ ପାଖକୁ ଆସ । ମୁଁ କହିବି ।”

 

ସିନି ଖୁସି ହୋଇଯାଇ ତା’ ପାଖକୁ ଗଲା । ସେ ନିଜ ବ୍ୟାଗ୍‍ ମଧ୍ୟରୁ ଗୋଟିଏ ଆପଏଣ୍ଟମେଣ୍ଟ ଲେଟର ଆଣି ଦେଖାଇ ଦେଇ କହିଲା, ‘‘ଭଗବାନ ଆମର ଗୁହାରି ଶୁଣିଛନ୍ତି । ମୁଁ ଏହି ଜେଲ୍‌ର ସୁପରିଣ୍ଟେଣ୍ଡେଣ୍ଟ ଭାବରେ ଯୋଗ ଦେବି ।”

 

ସିନି ପ୍ରଭାତକୁ ଖୁବ୍‍ ଜୋରରେ କୁଣ୍ଢାଇ ପକାଇ ତା’ ମୁହଁରେ ଗୁଡ଼ାଏ ପ୍ରଖର ଏବଂ ଉଦ୍ଧତ ଚୁମ୍ବନର ଦାଗ ଲିପିସାରି କହିଲା, ‘‘ପ୍ରଭାତ, ତୁମକୁ ମଧ୍ୟ ମୁଁ ଗୋଟିଏ ବହୁତ ଭଲ କଥା କହିବି ଟିକିଏ ପରେ । ମୁଁ ଭଲଭାବରେ ଜାଣିଥିଲି ଯେ ଏ ଚାକିରି ନିଶ୍ଚୟ ଆମକୁ ମିଳିବ ।”

 

“ମୁଁ ଭଲଭାବରେ ପ୍ରିପେଆର୍‍ ହୋଇଯାଇଥିଲି । ଭଲଭାବରେ ଆନ୍‌ସର୍‍ ଦେଇଥଲି । ମୋର ଟିକିଏ ହେଲେ ବି ଭୁଲ୍‍ ହୋଇନଥିଲା । ତା’ ବାଦେ କର୍ତ୍ତୃପକ୍ଷଙ୍କୁ ସନ୍ତୁଷ୍ଟ କରିବାକୁ ତୁମେ ନିଜ ଦେହ ଦେବାକୁ ବି ଭୁଲି ନ ଥିଲ ।”

 

ତା’ପରେ ନୀରବତା ।

 

ନୀରବତାକୁ ଭାଙ୍ଗିଦେଇ ପ୍ରଭାତ କହିଲା, ‘‘ତୁମର କ’ଣ କହିବାର ଥିଲା ? ଶୀଘ୍ର କହିପାର ।”

 

ପ୍ରଭାତ କାନ ପାଖରେ ଲାଜେଇ ଲାଜେଲ ସିନି କହିଲା, “ତୁମେ ବାପା ହେବାକୁ ଯାଉଛ ।”

 

ପ୍ରଭାତ ବହୁତ ଖୁସି ହୋଇଯାଇ ସିନିକୁ ନିଜ ଛାତି ପାଖକୁ ଟାଣିଆଣିଲା । ସିନି କହିଥିଲା, ‘‘ଆମେ ଦୁହେଁ ଭାଇ ଭଉଣୀ । ଏପରି ହେଲେ କିଛି ଅସୁବିଧା ହେବନି ତ ?”

 

“ନା କିଛି ଭୟ କରିବାର ନାହିଁ । ଆମ ଦୁହିଁଙ୍କ ରକ୍ତ ଭିନ୍ନ ଭିନ୍ନ । ଟିକିଏ ହେଲେ ବି ସମ୍ପର୍କ ନାହିଁ ।”

 

“ସମାଜ ଆମକୁ ସ୍ଵାମୀ-ସ୍ତ୍ରୀରୂପେ ଗ୍ରହଣ କରିବ ତ ?”

 

“ମୁଁ ସମ୍ପୂର୍ଣ୍ଣ ରୂପେ ଭାରତୀୟ । ମୋ ବାପା ଭାରତୀୟ । ମା’ ମଧ୍ୟ ଭାରତୀୟ । ତୁମେ ସମ୍ପୂର୍ଣ୍ଣ ରୂପେ ଚୀନ୍‍ ଦେଶର । ତୁମ ବାପା ଚୀନ୍‍ର, ମା’ ମଧ୍ୟ ଚୀନ୍‌ର ।”

 

“ଆମ ଦୁହିଁଙ୍କ ରକ୍ତରେ ତ ସମ୍ପର୍କ ନାହିଁ । କିନ୍ତୁ ଅନେକଗୁଡ଼ିଏ କେସ୍‍ ଅଛି, ଯେଉଁଥିରେ କି ବିବାହଟା ହୋଇଛି ବହୁତ ନିକଟ ସମ୍ପର୍କରେ ।”

 

“ହଁ, ପାର୍ସୀ ଜାତିରେ ଏପରି ବିବାହ ବହୁତ । ତାଙ୍କ ଜାତିରେ ଏପରିକି ନିଜର ଦାଦାଝିଅ ଭଉଣୀ, ବା ମାମୁଁଝିଅ ଭଉଣୀ ବା ପିଉସୀଝିଅ ଭଉଣୀଙ୍କ ସହିତ ବିବାହର ଦୃଷ୍ଟାନ୍ତ ଅଧିକ । କିନ୍ତୁ ବୈଜ୍ଞନିକମାନେ ପରୀକ୍ଷା କରି ଦେଖିଛନ୍ତି ଯେ ଏପରି କ୍ଷେତ୍ରରେ ସେମାନଙ୍କ ଔରସରୁ ଜନ୍ମିତ ସନ୍ତାନସନ୍ତତିଗଣ ଅଧିକାଂଶ ଶାରୀରିକ ବା ମାନସିକ ବିକଳାଙ୍ଗ ଏବଂ ସେମାନେ ନିଜ ନିଜର ପିତୃମାତୃବଂଶର ରୋଗକୁ ନିଜର ଦୁର୍ବଳ ଦେହରେ ବହନ କରିବାର ସମ୍ଭାବନା ଅଧିକ-। ତୁମେ ପୃଥିବୀପ୍ରସିଦ୍ଧ ଗ୍ରୀକ୍‍ ଟ୍ରାଜେଡ଼ି ଓଡ଼ିପସ୍‍ ପଢ଼ିଛ ?”

 

“ନା ।”

 

“ତାହା ହେଉଛି ପ୍ରସିଦ୍ଧ ଗ୍ରୀକ୍‍ ଲେଖକ ୟୁରିପିଡ଼ସ୍‌ଙ୍କ ଷ୍ଟୋରି । ଏହାକୁ ବେସ୍‍ କରି ଅନେକ ନାଟକ ଅନେକ ଫିଲ୍ମ ତିଆରି ହୋଇଛି । ଏହା ଗୋଟିଏ ପ୍ରାକୃତିକ ଘଟଣା । ବହୁତ ନିକଟ ସମ୍ପର୍କରେ ସମ୍ବଦ୍ଧ ସ୍ଥାପନର ଜ୍ଵଳନ୍ତ ଉଦାହରଣ ।”

 

“ସେ ଷ୍ଟୋରିଟା କ’ଣ ?”

 

“ଓଡ଼ିପସ୍‌ଙ୍କ ଜନ୍ମ ହେବାର ଠିକ୍‍ ପରେ ପରେ ତାଙ୍କ ବାପା ଯେଉଁ ଦେଶର ରାଜା ଥିଲେ, ସେହି ଦେଶରେ ଗୋଟିଏ ଶୂନ୍ୟବାଣୀ ଶୁଣାଯାଇଥିଲା । ଶୂନ୍ୟବାଣୀରେ ଥିଲା ଯେ ଓଡ଼ିପସ୍‍ ବଡ଼ ହେଲେ ବହୁତ ଅଘଟଣ କାର୍ଯ୍ୟ ହେବ । ସେ ନିଜ ବାପାଙ୍କୁ ହତ୍ୟା କରିବେ ଏବଂ ନିଜ ମା’ଙ୍କୁ ବିଭା ହେବେ । ରାଜାଙ୍କୁ ଏ କଥା କୁହାଗଲା । ତେଣୁ ସେ ସ୍ଥିର କଲେ, ଏ ଶିଶୁପୁତ୍ରକୁ ହତ୍ୟା କରାଇଦେବାକୁ । ତାଙ୍କ ଆଦେଶରେ ଘାତକମାନେ ଶିଶୁ ଓଡ଼ିପସ୍‌ଙ୍କୁ ଜଙ୍ଗଲକୁ ନେଇଗଲେ-। ମାତ୍ର ତାଙ୍କ ରୂପରେ ମୁଗ୍‌ଧ ହୋଇ ତାଙ୍କୁ ନ ମାରି ଜଙ୍ଗଲରେ ଛାଡ଼ିଦେଲେ ଏବଂ ରାଜାଙ୍କୁ ଖବର ଦେଇଦେଲେ ଯେ ସେମାନେ ତାଙ୍କ ଆଦେଶ ଠିକ୍‍ ଭାବରେ ପାଳିଛନ୍ତି । ତାଙ୍କର ଧାରଣା ଯେ ତାଙ୍କ ଜଙ୍ଗଲର କୌଣସି ହିଂସ୍ର ଜନ୍ତୁ ହତ୍ୟା କରିଥିବ । ପ୍ରକୃତରେ କିନ୍ତୁ ସେ ମରିନଥିଲେ । ସେହି ସ୍ଥାନରୁ ଅନ୍ୟ ଏକ ଦେଶର ରାଜା ତାଙ୍କୁ ପାଇ ପୁଅପରି ପାଳିଥିଲେ । ଏ କଥା କେହି ଜାଣିନଥିଲେ । ଅନେକ ବର୍ଷ ବିତିଗଲା । ଓଡ଼ିପସ୍‍ ବଢ଼ି ବଡ଼ ହେଲେ । ସେ ଯୁବକ ହେଲା ବେଳକୁ ବହୁତ ଦୁର୍ଦ୍ଧର୍ଷ ହୋଇଯାଇଥିଲେ । ସେ ଦେଶର ଶାସନଭାର ଠିକ୍‍ ସମୟରେ ନେଲେ । ଏହି ସମୟରେ ଓଡ଼ିପସ୍‌ଙ୍କ ବାପା ଦିଗ୍‌ବିଜୟରେ ବାହାରିଥିଲେ । ଦେଶ ପରେ ଦେଶ ସେ ଜିଣୁଥିଲେ । ତାଙ୍କ ପରି ବୀର କେହି ନ ଥିଲେ । ଓଡ଼ିପସ୍‍ ତ ତାଙ୍କୁ ଜାଣିନଥିଲେ । ସେ ବି କିଛି କମ୍‍ ବୀର ନ ଥିଲେ । ସେ ତାଙ୍କର ମୁକାବିଲା କଲେ । ଯୁଦ୍ଧରେ ଓଡ଼ିପସ୍‌ଙ୍କ ବାପା ମରିଥିଲେ-। ସେ ନିଜ ପିତାଙ୍କୁ ହତ୍ୟା କରି ତାଙ୍କ ରାଜ୍ୟ ଅଧିକାର କରିଥିଲେ । ସେ ତାଙ୍କ ସ୍ତ୍ରୀଙ୍କୁ କହିଥିଲେ–ଆଇ ହାବ୍‍ କିଲ୍‍ଡ ଇଓର ହଜବ୍ୟାଣ୍ଡ, ନାଓ ଟେକ୍‍ ମି ଆଜ ଇଓର ହଜବ୍ୟାଣ୍ଡ । ସେତେବେଳର ଯୁଗରେ ଦେଶର ରାଣୀ ସବୁଠାରୁ ଅଧିକ ଯୋଦ୍ଧାକୁ ବିଭା ହେବା ପଦ୍ଧତି ଥିଲା । ସେ ଓଡ଼ିପସ୍‌ଙ୍କୁ ବିଭାହେଲେ । ଓଡ଼ିପସ୍‍ ଏହିପରି ସେ ଦେଶର ଶାସନଭାର ଗ୍ରହଣ କଲେ । ତା’ପରେ ଅନେକ ବର୍ଷ ବିତିଗଲା । ଓଡ଼ିପସ୍‍ ବହୁତ ଭଲ ଶାସକ ଥିଲେ । ସେ ସବୁବେଳେ ଦାନଧର୍ମ କରୁଥିଲେ-। ଠିକ୍‍ ନ୍ୟାୟ ଦେଉଥିଲେ । ଦୁଃଖୀ ଲୋକଙ୍କ ଦୁଃଖ ବୁଝୁଥିଲେ । ଏସବୁ ହେଲେ ମଧ୍ୟ ସବୁବେଳେ ଦେଶରେ ଦୁର୍ଭିକ୍ଷ, ଦୈବୀ ଦୁର୍ବିପାକ, ଅଭାବ ଅନାଟନ ଆଦି ଲାଗି ରହିଥିଲା । ଏହାର କାରଣ କେହି ଜାଣିନଥିଲେ । ଦିନେ ପୂର୍ବପରି ଆଉଥରେ ଶୂନ୍ୟବାଣୀ ହେଲା । ଯେଉଁମାନେ ଏହା ଶୁଣିଲେ ସେମାନେ ରାଜାଙ୍କୁ ଏସବୁ କହିଲେ । ସେମାନେ କହିଲେ ଯେ ଦେଶରେ ସବୁଯାକ ଅନ୍ୟାୟ ହେଉଛି । ଶୂନ୍ୟବାଣୀରେ ଥିଲା ଯେ ଓଡ଼ିପସ୍‍ ନିଜ ପିତାଙ୍କୁ ହତ୍ୟା କରିଛନ୍ତି ଏବଂ ନିଜ ମା’ଙ୍କୁ ବିବାହ କରିଛନ୍ତି । ତା’ପରେ ଅନୁସନ୍ଧାନ ଚାଲିଲା । ଘାତକମାନେ କହିଥିଲେ ଯେ ସେମାନେ ଓଡ଼ିପସ୍‌ଙ୍କୁ ନ ମାରି ଛାଡ଼ି ଦେଇଥିଲେ । ସେ ଯେଉଁ ସ୍ଥାନରେ ଛାଡ଼ି ଯାଇଥିଲେ, ସେ ସ୍ଥାନ ଦେଖାଇଦେଲେ । ଓଡ଼ିପସ୍‌ଙ୍କୁ ଯେଉଁ ରାଜା ପାଳିଥିଲେ, ତାଙ୍କୁ ଏସବୁ ପଚରାଗଲା-। ସେ ମଧ୍ୟ ଠିକ୍‍ ଭାବରେ ଉତ୍ତର ଦେଲେ ଯେ ସେ ତାଙ୍କୁ ସେହି ସ୍ଥାନରୁ ପାଇଥିଲେ-। ତା’ପରେ ଓଡ଼ିପସ୍‍ ଏବଂ ତାଙ୍କ ମା’ ପ୍ରତ୍ୟେକେ ନିଜ ନିଜ ଆଖି ତାଡ଼ି ପକାଇଲେ । ସେମାନଙ୍କ ଔରସରୁ ମଧ୍ୟ କେତୋଟି ଛୁଆ ହୋଇଥିଲା । ସେମାନଙ୍କ ଆଖି ମଧ୍ୟ ତାଡ଼ି ଦେଲେ । ଏହିପରି ସେମାନେ ଅନ୍ଧ ହୋଇଗଲେ । ସେମାନେ ଚାହୁଁଥିଲେ ଯେ ଦୁନିଆର କେହି ଯେପରି ତାଙ୍କୁ ନ ଦେଖନ୍ତୁ ।”

 

“ବହୁତ ଟ୍ରାଜେଡ଼ି ।”

 

“କିନ୍ତୁ ଆମ ରକ୍ତ ତ ଭିନ୍ନ ଭିନ୍ନ । ଆମର ଭୟ କରିବାରେ କ’ଣ ଅଛି ?”

 

“ଭଗବାନ ଆମକୁ ଏ ଚାକିରି ଖଣ୍ଡିକ ଦେଲେ । ଏଇଟି ବଡ଼ କଥା । ଆମର ଆଉ ଚିନ୍ତା ରହିବନି । ମାସକୁ ମାସ ଟଙ୍କା ମିଳିବ । ଆମକୁ ଭଲ କ୍ଵାଟର୍ସ ଖଣ୍ଡିଏ ମିଳିବ ।”

 

“ତମେ ଜାଣ ମୁଁ କେତେ କଷ୍ଟରେ ମୋ ଜୀବନ ବିତାଉଛି !”

 

“ନା ।”

 

“ମୁଁ କେତେ ଦୁଃଖରେ ରହିଛି ! ମୋତେ ଘରଭଡ଼ା ଦେବାକୁ ମିଳୁ ନ ଥିଲା । ମୁଁ ଗୋଟିଏ ଶସ୍ତା ଘରେ ପ୍ରଥମେ ରହୁଥିଲି । ଶସ୍ତା ଘରେ ରହିଲେ ଚୋରିଯିବାର ଭୟ ନିଶ୍ଚୟ ରହିଛି-। ସେତେବେଳେ ତ ମୁଁ ଚାକିରି କରୁନଥିଲି କି ଟ୍ୟୁସନ୍‍ କରୁନଥିଲି । ସେତେବେଳେ ମୁଁ ରିକ୍‌ସା ଟାଣୁଥିଲି । ବି.ଏ. ପାସ୍‍ କରିବା ପରେ ମୁଁ ସାର୍ଟିଫିକେଟଗୁଡ଼ିକୁ ଲୁଚାଇ ଦେଇ ହାପ୍‍ ପ୍ୟାଣ୍ଟ ଖଣ୍ଡିଏ ପିନ୍ଧି ମୁଁ ଏ କାମ କରିବାକୁ ଲାଗିପଡ଼ିଲି । ମୁଁ ଯେଉଁ ଘରେ ରହୁଥିଲି ସେ ଘରର ଝରକା କବାଟ ଏତେ ରୁଗ୍‌ଣ ଯେ କେହି ଗୋଟିଏ ଧକ୍‌କା ମାରିଲେ ଏକାବେଳକେ ଭାଙ୍ଗିଯିବାର ଭୟ ଥିଲା । ମୁଁ ଘରେ ଥାଉ ଥାଉ ମଧ୍ୟ ଚୋରି ଯାଉଥିଲା । ଥରେ ମୁଁ ଶୋଇଥିଲି । ମୋର ବା କ’ଣ ସମ୍ପତ୍ତି ଥାଏ ଯେ ଚୋରି ଯିବ ? ଖାଲି ପ୍ୟାଣ୍ଟଟାଏ, ସାର୍ଟ୍‍ଟାଏ । କିନ୍ତୁ ଚୋରଙ୍କର ତା’ ଉପରେ ମଧ୍ୟ ଆଖି । ମୁଁ ଶୋଇଥିବା ସମୟରେ ଏକ ଶବ୍ଦ ଶୁଣି ମୋ ନିଦ ଭାଙ୍ଗିଗଲା । ମୁଁ ଆଖି ଖୋଲି ଦେଖିଲି ଯେ ମୋ ପ୍ୟାଣ୍ଟଟା ମନକୁ ମନ ଚାଲି ଯାଉଛି । ମୁଁ ଆଶ୍ଚର୍ଯ୍ୟ । ସେଇଟା ଠିକ୍‍ ଝରକା ପାଖରେ ପହଞ୍ଚିଗଲାଣି । ତା’ପରେ ମୁଁ ସେଇଟିକୁ ଚଟ୍‌କରି ଧରିପକାଇଲି । ତେଣୁ ରକ୍ଷା ହୋଇଗଲା । ନଚେତ୍‍ କୁଆଡ଼େ ଉଭା ହୋଇଯାଇଥାନ୍ତା ମ୍ୟାଜିକ୍‍ ପରି । ତା’ପରେ ମୁଁ ଝରକା ପାଖକୁ ଆସି ବାହାରକୁ ଉଣ୍ଡିଲି । ମାତ୍ର କାହାକୁ ଦେଖିଲିନି । ଦୂରରେ ଗୋଟିଏ ଗାଈ ଖଣ୍ଡିଏ କାଗଜ ଚୋବାଉଥିବାର ଦେଖିଲି ।”

 

“ଚୋରଟା କୁଆଡ଼େ ଆଖି ପିଛୁଳାକେ ଛପିଯାଇଥିବ !”

 

“ମୁଁ ରିକ୍‌ସା ଚଳାଇବାବେଳେ ବହୁତ ମାଡ଼ଗାଳି ଖାଇଛି । ସବୁ ସହିଛି । ପାଠପଢ଼ା ପିଲା ବୋଲି ମୋର ଗର୍ବ ନ ଥିଲା । ପୋଲିସ୍‍ମାନେ ସଦାବେଳେ ରିକ୍‌ସାବାଲାଙ୍କୁ ମାରନ୍ତି, ଏପରିକି ବିନା କାରଣରେ ମଧ୍ୟ । ମୋତେ ଏସବୁ ଭଲ ଲାଗିଲାନି । ଦିନେ ଏହିପରି ଗୋଟିଏ ପୋଲିସ୍‍ ମୋ ରିକ୍‌ସାରେ ବସି ଆଗକୁ ନେବାକୁ କହିଲା । ମୁଁ ନେଲି । ତାକୁ ଠିକ୍‍ ଜାଗାରେ ପହଞ୍ଚାଇଲି । ମାତ୍ର ମୁଁ ପଇସା ମାଗିବାରୁ ସେ ପଇସା କ’ଣ ଦେବ, ତା’ ରୁଲ୍‌ବାଡ଼ିରେ ମୋତେ ପିଟିଲା । ମୁଁ ବି ଛାଡ଼ିଲିନି । ମୁଁ ନ ଡରି ସେ ରୁଲ୍‍ବାଡ଼ି ତା’ଠାରୁ ଛଡ଼ାଇ ତାକୁ ପିଟିଲି । ଏଥିରେ ସେଦିନ ମୋତେ ଅନ୍ୟସବୁ ରିକ୍‌ସାବାଲା ସମର୍ଥନ କରିଥିଲେ ଏବଂ ପୋଲିସ୍‌ମାନଙ୍କୁ ପିଟିଥିଲେ । ଆମର ମିଟିଂ ହେଲା । ପୋଲିସ୍‍ ଭୁଲ୍‍ ମାଗିଲା ସିନା, ସେ ଆସି ଭିତରେ ମୋ ମାଲିକକୁ ବତାଇ ଦେଲା । ସେ ଦିନଠୁ ରିକ୍‌ସା ବନ୍ଦ । ମୁଁ ପାଇଲିନି । ତା’ପରେ ଟ୍ୟୁସନ୍‍ ଆରମ୍ଭ ।”

 

(୫୦)

 

ସବିତା ଯେଉଁ ସମୟରେ ଦୁଇଶହ ବତିଶ ନମ୍ବର ରୁମ୍‌ର ଚାବିକୁ ଖୋଲନ୍ତି, ଠିକ୍‍ ସେହି ସମୟରେ ଉଜ୍ଜଳ ଚମକି ଉଠିଲା । ସେ ଏକ ଶବ୍ଦ ଶୁଣି ପାରିଥିଲା । ସେ ସ୍ଵପ୍ନ ଦେଖି ନାହିଁ ତ ! ସବିତା ତ ନାହିଁ । ତା’ହେଲେ କିଏ ଏ ସମୟରେ ଶବ୍ଦ କରୁଛି ? ଏଇଟା ତ ଚାବି ଖୋଲିବାର ଶବ୍ଦ-। ସବିତା ଠିକ୍‍ ଏହିପରି ସମୟରେ ଅଧିକାଂଶ ଥର ଏ ଚାବି ଖୋଲିଛି । ପ୍ରକୃତରେ ଚାବି ଖୋଲିଲା, କବାଟ ଫିଟିଲା । ଉଜ୍ଜଳ ଉଠି ଛିଡ଼ା ହେଲା ।

 

ସେ ଯାହାଙ୍କୁ ଦେଖିଲା, ଏଥିରେ ପ୍ରଥମେ ବହୁତ ଆଶ୍ଚର୍ଯ୍ୟ ହୋଇଗଲା । ଏମିତିଆ ଲୋକଙ୍କୁ ସେ ତ ଜମା ଦେଖି ନାହିଁ ପୂର୍ବରୁ । ଦୁଇଜଣ ଆସିଛନ୍ତି ତା’ ପାଖକୁ ହାତରେ ଗୋଟିଏ ଗୋଟିଏ ଫୁଲମାଳ ଧରି । ଜଣେ ପୁରୁଷ ଓ ଅନ୍ୟ ଜଣକ ସ୍ତ୍ରୀ ।

 

ହସି ହସି ସେମାନେ ଉଜ୍ଜଳ ପାଖକୁ ଚାଲି ଆସିଲେ । ଉଜ୍ଜଳ ଆଶ୍ଚର୍ଯ୍ୟ ହୋଇ ଛଡ଼ା ହୋଇଥାଏ ନୀରବରେ । ପୁରୁଷ ଜଣକ କହିଲେ, “ମୋତେ ଚିହ୍ନିପାରୁନ ।” ଏହା କହି ସେ ଫୁଲମାଳଟି ଉଜ୍ଜଳ ଗଳାରେ ପକାଇ ଦେଲେ । ସ୍ତ୍ରୀ ଜଣକ ମଧ୍ୟ ନିଜେ ଧରିଥିବା ଫୁଲମାଳଟି ତା’ ଗଳାରେ ପକାଇ ଦେଲେ ହସି ହସି ।

 

ଉଜ୍ଜଳ ଫୁଲମାଳକୁ କାଢ଼ି ପକାଇ କହିଲା, “ମୁଁ ତ ଆପଣମାନଙ୍କୁ ଚିହ୍ନିନି । ଆପଣ ମୋତେ କାହିଁକି ଏପରି ଫୁଲମାଳ ପିନ୍ଧାଉଛନ୍ତି ?”

 

ସ୍ତ୍ରୀ ଜଣକ କହିଲେ, “ଏ ହେଉଛନ୍ତି ଏ ଜେଲ୍‌ର ନୂଆ ସୁପରିଣ୍ଟେଣ୍ଡେଣ୍ଟ ।” ପୁରୁଷ ଜଣକ କହିଲେ, “ଏବଂ ଏ ହେଉଛନ୍ତି ମୋ ସ୍ତ୍ରୀ । ଆଜି ଜାନୁୟାରୀ ଛବିଶ । ସେଇଥିପାଇଁ ଆମେ ଫୁଲମାଳ ଧରି ତୁମକୁ ଅଭିନନ୍ଦନ କରିବାକୁ ଆସିଛୁ ।”

 

“କାହିଁକି ?”

 

“ତୁମେ ଆଜି ଜେଲ୍‍ରୁ ମୁକ୍ତ ।”

 

“ମିଛ କଥା ।”

 

“ହଁ, ତୁମେ ଆଜିଠାରୁ ଏ ଜେଲ୍‍ରୁ ସମ୍ପୂର୍ଣ୍ଣଭାବରେ ମୁକ୍ତ । ତୁମକୁ ଆଉ କୌଣସି ଜେଲ୍‍ କର୍ତ୍ତୃପକ୍ଷ ବନ୍ଦୀ କରି ରଖି ପାରିବେନି । ତୁମେ ରାଜକ୍ଷମା ପାଇଛ ।”

 

“ରାଜକ୍ଷମା କ’ଣ ?”

 

‘‘ତୁମକୁ ରାଷ୍ଟ୍ରପତି କ୍ଷମା ଦେଇଛନ୍ତି ।”

 

‘‘ଆପଣ କିପରି ଜାଣିଲେ ।”

 

“ରାଷ୍ଟ୍ରପତି ପ୍ରତିବର୍ଷ ଜାନୁୟାରୀ ଛବିଶି ତାରିଖରେ ଦେଶରେ ଥିବା ବିଭିନ୍ନ ଜେଲରେ ଥିବା ବନ୍ଦୀମାନଙ୍କୁ କ୍ଷମା ଦେଇଥାନ୍ତି । ଯେଉଁ ବନ୍ଦୀମାନେ ନିଜ ଭାଗ୍ୟବଳରୁ କ୍ଷମା ପାଅନ୍ତି, ସେମାନେ ମୁକ୍ତ ହୋଇଯାଆନ୍ତି । ଆମ ଜେଲ୍‌ରୁ କେଉଁ ବର୍ଷ ହେଲେ ଏପରି ଘଟଣା ଘଟିନି । ଏହି ବର୍ଷ ଘଟିଛି କେବଳ । ତୁମେ ହେଉଛ ଏ ଜେଲ୍‌ର ଏକ ମାତ୍ର ବନ୍ଦୀ ଯେ କି କ୍ଷମା ପାଇଛନ୍ତି । ତୁମରି ଯୋଗୁଁ ଏ ଜେଲ୍‍ ଉପରେ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆଜି ପଡ଼ିଛି । ଆମକୁ ଏ ଖବର ଟେଲିଗ୍ରାମଦ୍ଵାରା ପଠାଇ ଦିଆଯାଇଛି ଉପର ମହଲରୁ । ତେଣୁ ଆମେ ଅଧିକ ବିଳମ୍ବ ନ କରି ତୁମକୁ ଏ ଖବର ଦେବାକୁ ଚାଲିଆସିଲୁ ।”

 

“ମୁଁ ଏସବୁ ବିଶ୍ଵାସ କରିପାରୁନି । ରାଷ୍ଟ୍ରପତି ମୋତେ କାହିଁକି କ୍ଷମା ଦେବେ ? ମୁଁ ତ ବହୁତ ବଡ଼ ପାପ କରିଛି ।”

 

ସୁପରିଣ୍ଟେଣ୍ଡେଣ୍ଟଙ୍କ ସ୍ତ୍ରୀ ଖୁବ୍‍ ଆଦରରେ ଉଜ୍ଜଳର ମୁଣ୍ଡ ଆଉଁସି ଆଉଁସି କହିଲେ, ‘‘ସେ ଯାହା କହୁଛନ୍ତି ସତ । ରାଷ୍ଟ୍ରପତିଙ୍କ ହାତରେ ସବୁଯାକ କ୍ଷମତା ଅଛି । ଏଇଟାକୁ ତୁମେ କିପରି ଅସ୍ଵୀକାର କରୁଛ ? ଆଜିଠାରୁ ତୁମେ ମୁକ୍ତ । ଏଥିରେ ଖୁସି ହୋଇଯିବା କଥା ନା ଖାଲି ଯୁକ୍ତି କରିବା କଥା ?”

 

“ମୁଁ ମୋ ସାବତ ବାପାକୁ ଓ ସାବତ ମା’ଙ୍କୁ ମାରିଛି । ନରହତ୍ୟାଭଳି ଜଘନ୍ୟ ପାପ କରିଛି । ମୋତେ କିପରି କ୍ଷମା ମିଳିଲା ? ମୋ’ପରି ପାପୀ ଏ ଜେଲରେ କ’ଣ, କୌଣସି ଜେଲରେ ବି ନ ଥିବେ । କିନ୍ତୁ ମୋ’ଠାରୁ ଅପେକ୍ଷାକୃତ କମ୍‍ ପାପ କରିଥିବା ଲୋକ ରାଷ୍ଟ୍ରପତିଙ୍କଠାରୁ କ୍ଷମା ପାଇବା ଉଚିତ ଥିଲା ।”

 

‘‘ନା, ନା, ତୁମେ ଯେତେବେଳେ ଏ ଦୋଷ କରିଥିଲ, ସେତେବେଳେ ତୁମେ ବହୁତ ଛୋଟ ଥିଲ । ତେଣୁ ତୁମପରି ଭଲ ପିଲାକୁ ଆଜୀବନ ଜେଲ୍‌ଦଣ୍ଡ ଦେବା ଠିକ୍‍ ହୋଇନି । ସେଇଥିପାଇଁ ରାଷ୍ଟ୍ରପତିଙ୍କର ତୁମ ପ୍ରତି ଦୟା ହୋଇଛି ।”

 

“ସେ କିପରି ମୋ କଥା ଜାଣିଲେ ?”

 

“ସେ ପରା ରାଷ୍ଟ୍ରପତି । ଦେଶର କେଉଁ ଖବର ତାଙ୍କୁ ଅଜଣା ?” ଏହାପରେ ସୁପରିଣ୍ଟେଣ୍ଡେଣ୍ଟ ଗୋଟିଏ ଲିଷ୍ଟ ଦେଖାଇଲେ ଉଜ୍ଜଳକୁ । ସେ ଲିଷ୍ଟ ଉଜ୍ଜଳ ପଢ଼ିଲା । ସେ କିଛି ସମୟ କ’ଣ ଭାବିଲା ।

 

ସୁପରିଣ୍ଟେଣ୍ଡେଣ୍ଟ ହସି ହସି କହିଲେ, “ବିଶ୍ଵାସ ହେଉନି ? ତୁମର ପ୍ରକୃତରେ କିଛି ଦୋଷ ନ ଥିଲା ସେତେବେଳେ । ତୁମେ ଏ ଦୁଇଟି ହତ୍ୟାକାଣ୍ଡ କରି ବହୁତ ଠିକ୍‍ କରିଛ । ତୁମ ଉପରେ ସେମାନେ ସବୁଦିନ ଯେଉଁ ଅତ୍ୟାଚାର କରୁଥିଲେ, ସେ କଥା କେହି ଭୁଲିଯିବା ଉଚିତ ନୁହେଁ । ଏ ବିଷୟ ମୁଁ ଜେଲ୍‍ ଅଫିସ୍‌ରୁ କାଲି ପଢ଼ୁଥିଲି ।”

 

ଉଜ୍ଜଳ ଏଥର ବିଶ୍ଵାସ କରିବାକୁ ବାଧ୍ୟ ହେଲା । ସତରେ ସେ କ’ଣ ଆଜିଠାରୁ ସମ୍ପୂର୍ଣ୍ଣଭାବରେ ମୁକ୍ତ ? ସତରେ ସେ କ’ଣ ଅନ୍ୟସବୁ ଲୋକଙ୍କ ସହିତ ସମାନ, ଯେଉଁମାନେ ଜେଲ୍‍ ପରିସର ବାହାରେ ଅଛନ୍ତି ? ସେ ତ ବହୁତ ଭଲ ପିଲା ଥିଲା । ସେ କ୍ଲାସରେ ଫାଷ୍ଟ ହେଉଥିଲା । ସେ ରେକର୍ଡ଼ ପତ୍ରରୁ ଏସବୁ ବାହାରିବ । ତା’ପରେ ତା’ ସାବତ ମା’ ଏବଂ ସାବତ ବାପା ତା’ ଉପରେ ଯେଉଁ ଅମାନୁଷିକ ଅତ୍ୟାଚାର କରିଥିଲେ, ସେସବୁର ପ୍ରମାଣ ଅଛି । ତେଣୁ ସେ କାହିଁକି କ୍ଷମା ନ ପାଇବ ? କ୍ଲାସରେ ଫାଷ୍ଟ ହେବା ପିଲାର ଚରିତ୍ର କେବେ ଖରାପ ହୋଇପାରେ ? ସେ ଭଗବାନଙ୍କ ବିରୁଦ୍ଧରେ ଦିନେହେଲେ ଯାଇନି । ତେଣୁ ଭଗବାନ ତା’ ଉପରେ ସନ୍ତୁଷ୍ଟ । ସେ ସବୁଦିନ ଈଶ୍ୱରଙ୍କୁ ପ୍ରାର୍ଥନା କରି ଆସିଛି । ସେ ସବୁଦିନ ନିଜର ଦୁଃଖ ଜଣାଇ ଆସିଛି । ସେ ଜେଲରୁ ମୁକ୍ତ ହେଲେ ସର୍ବପ୍ରଥମେ ଭଗବାନଙ୍କ ସେହି ମନ୍ଦିରକୁ ଯିବ ।

 

ସେ କ’ଣ ପ୍ରକୃତରେ ସବିତାକୁ ପୁଣି ପାଇପାରିବ ? ସେ କ’ଣ ସତରେ ମୁନାର ‘ବାପା’ ‘ବାପା’ ବୋଲି ଡାକ ଶୁଣିପାରିବ ? ସେ ଏସବୁ କଥା ଗୋଟିକୁ ଗୋଟି ଭାବିବାରେ ଲାଗୁଥାଏ । ତା’ ଆଖିରୁ ଆନନ୍ଦାଶ୍ରୁ ବହିଗଲା । ସେ ବହୁତ ଖୁସି ହୋଇଯାଇ ଏତେ ଶୀଘ୍ର ତାକୁ ଏ ଶୁଭ ଖବର ଦେଇଥିବାରୁ ଧନ୍ୟବାଦ ଦେଇଥିଲା । ସେ ସର୍ବପ୍ରଥମେ କ’ଣ କରିବ ଜାଣିପାରିନଥିଲା । କ’ଣ ଭାବି ସେ ସୁପରିଣ୍ଟେଣ୍ଡେଣ୍ଟ ଏବଂ ତାଙ୍କ ସ୍ତ୍ରୀ ଏ ଦୁହିଁଙ୍କୁ ମୁଣ୍ଡିଆ ମାରି (ପାଦତଳେ) ଛିଡ଼ା ହେଲା । ସେ କହିଲା, ‘‘ଆପଣ ବହୁତ ମହାନ୍‍ ।” ତା’ପରେ ସେ କହିଲା, ‘‘ତା’ହେଲେ ଡେରି କାହିଁକି ? ଏଥର ଚାଲନ୍ତୁ ଜେଲ୍‌ରୁ ବାହାରିବା । ଆପଣ ମୋ ଜୀବନର ଅନ୍ୟତମ ରକ୍ଷକ । ଆପଣ ମୋର ଆଜିଠାରୁ ହେଲେ ପରମ ପୂଜନୀୟ ଏବଂ ହିତାକାଙ୍‍କ୍ଷୀ ବନ୍ଧୁ । ଏଥର ବାହାରନ୍ତୁ ।”

 

ହଠାତ୍‍ ଏକ ପ୍ରଚଣ୍ଡ ଆଘାତରେ ସେ ସଙ୍ଗେ ସଙ୍ଗେ ତଳେ ପଡ଼ିଗଲା । ଭୀଷଣ କଷ୍ଟରେ ତା’ ଆଖି ବୁଜି ହୋଇଗଲା । ଜେଲ୍‌ର ସୁପରିଣ୍ଟେଣ୍ଡେଣ୍ଟ ବୋଲାଉଥିବା ଲୋକ ଜଣକ ତାକୁ ନିଜର ବଳିଷ୍ଠ ହାତରେ ତଳୁ ଉଠାଇ ଆଣି ଢିସମ୍‍ ଢିସମ୍‍ କରି ତା’ ପେଟକୁ ପେଟକୁ ଦୁଇ ଚାରିଥର ଆଘାତ କରିବାକୁ ଲାଗିଲେ ।

 

“ଆଃ ଆଃ’’ ଚିତ୍କାର କରି ସେ ପୁଣି ତଳେ ପଡ଼ିଗଲା ।

 

“ହା…ହା….ହା” ହସିଉଠିଲେ ସୁପରିଣ୍ଟେଣ୍ଡେଣ୍ଟ । ମୁରୁକି ମୁରୁକି ହସୁଥାନ୍ତି ତାଙ୍କ ସ୍ତ୍ରୀ । ଏଥର ସେ ନିଜ ବେଲ୍‍ଟ ଫିଟାଇ ତା’ ସାହାଯ୍ୟରେ ଉଜ୍ଜଳର ଦେହକୁ ଖୁବ୍‍ ଜୋରରେ ପିଟିଲେ ।

 

ଉଜ୍ଜଳ ବେଲ୍‌ଟକୁ ଧରିପକାଇବାକୁ ଚେଷ୍ଟା କଲା । ମାତ୍ର ପାରିଲାନି । ସେ ପ୍ରତିବାଦ କରିବାକୁ ଛିଡ଼ା ହେଲା । ସୁପରିଣ୍ଟେଣ୍ଡେଣ୍ଟଙ୍କ ସ୍ତ୍ରୀ ମଧ୍ୟ ତାଙ୍କ ହାତରୁ ବେଲ୍‌ଟଟିକୁ ଛଡ଼ାଇ ଆଣି ଉଜ୍ଜଳକୁ ଖୁବ୍‍ ଜୋରରେ ପିଟିଲେ । ଉଜ୍ଜଳ ଏ ଝିଅଟିର ସାହସ ଏବଂ ବଳ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ତା’ ଆଖି ପୁଣି ବୁଜି ହୋଇଗଲା । ସେ ନାରୀ ଦୁର୍ବଳା ନୁହେଁ, ସବଳା । ଏ କିନ୍ତୁ ଝିଅବେଶ ପିନ୍ଧିଥିବା ପୁଅ ନୁହେଁ ତ ?

 

ସବିତା ଏ ରୁମ୍‍ ଫିଟାଉଛି ବୋଲି ସେ ଯେଉଁ କଥା ଭାବୁଥିଲା, ତାହା କୁଆଡ଼େ ଗଲା ?

 

ସୁପରିଣ୍ଟେଣ୍ଡେଣ୍ଟ ଏବଂ ତାଙ୍କ ସ୍ତ୍ରୀ ଦୁହେଁ ଠୋ ଠୋ ହୋଇ ହସୁଥାନ୍ତି ।

 

ବିଦ୍ରୂପ କରି ସେ କହୁଥିଲେ, ‘‘ବୋକା ନିର୍ବୋଧ ଉଜ୍ଜଳ !” ଉଜ୍ଜଳ ଦମ୍ଭ ଧରି କହିଲା, “ମୋତେ ଆପଣ କହିଲେ ଯେ ମୁଁ ଜେଲ୍‌ରୁ ମୁକ୍ତ । ମୋତେ ରାଜକ୍ଷମା ମିଳିଛି । ଆପଣ ଯଦି ସୁପରିଣ୍ଟେଣ୍ଡେଣ୍ଟ, ମୋତେ ଏପରି ମିଛ କଥା କହିପାରିଲେ ? ପୁଣି ମୋତେ ଫୁଲମାଳ ପିନ୍ଧାଇ ଠକି ପାରିଲେ । ସାର୍‍, ଆପଣ ମୋତେ କାହିଁକ ମାରୁଛନ୍ତି ? ମୁଁ ଆପଣଙ୍କର କି ଦୋଷ କଲି ? ମୁଁ ତ ସମ୍ପୂର୍ଣ୍ଣ ରୂପେ ନିରୀହ ।”

 

“ହା ହା ହା !” ଦୁହେଁ ଏକ ସମୟରେ ହସିଉଠିଲେ ।

 

‘‘ତୁମେ ଯଦି ନିର୍ବୋଧ ହୋଇ ନ ଥାନ୍ତ, ତୁମ ସାବତ ବାପ ଏବଂ ସାବତ ମା’କୁ ମାରିଦେଲାବେଳେ, ସେମାନଙ୍କ ଦୁଇଟି ଛୋଟ ଛୁଆଙ୍କୁ କାହିଁକି ନ ମାରିଲ ? ସେପରି କରିଥିଲେ ତ ଏକା ଆଜୀବନ ଜେଲ୍‌ଦଣ୍ଡ ହୋଇଥାନ୍ତା । ତୁମେ ଯଦି ଦୋଷ କରିନ, ଏପରି ଜେଲ୍‌ଖାନାରେ ବନ୍ଧା ହୋଇ କାହିଁକି ପଡ଼ିଛ ?”

 

‘‘ମୁଁ ଆପଣଙ୍କୁ ଜମା ଚିହ୍ନି ପାରୁନି । କିନ୍ତୁ ମୋର ଦୃଢ଼ ଧାରଣା ଆପଣ ସୁପରିଣ୍ଟେଣ୍ଡେଣ୍ଟ ନୁହନ୍ତି ।”

 

ତା’ପରେ ସେ ହଠାତ୍‍ ଅନୁଭବ କଲା ତା’ ପେଟରେ ତୀବ୍ର ଆଘାତ । ତା’ ପାକସ୍ଥଳୀ ଯକୃତ ଆଦି ବୋଧହୁଏ ଏ ମାଡ଼ରେ ଫାଟି ଯାଇଥିବ ।

 

ତିନି ଚାରିଥର ଏପରି ତା’ ପେଟକୁ ପେଟକୁ ମାରି ସୁପରିଣ୍ଟେଣ୍ଡେଣ୍ଟ କହିଲେ, ‘‘ଏଥର ଚିହ୍ନିପାରିଲ ?”

 

“ନା ।”

 

ପୁଣି ଆଉ ଦୁଇ ଚାରି ଖୁନ୍ଦା ବସିଗଲା ।

 

“ଏଥର ଚିହ୍ନିପାରିଲ ?”

 

“ନା ।”

 

“ତାଙ୍କ ସ୍ତ୍ରୀ ମଧ୍ୟ ଏହିପରି ଦୁଇ ଚାରି ଖୁନ୍ଦା ବସାଇ ଦେଲେ ଏବଂ ପୁଣି କହିଲେ, ‘‘ମୋତେ ତୁ ଚିହ୍ନିପାରିଲୁ ?”

 

“ନା ।”

 

ପୁଣି ସେ ପୂର୍ବପରି ଆଉ ଦୁଇ ଚାରିଟା ବସାଇ ଦେଲେ ଏବଂ ପୁଣି କହିଲେ,

 

“ଏଥର ?”

 

‘‘ନା ।”

 

“ତୁ ଯଦି ତୋ ସାବତ ଭାଇ ଓ ଭଉଣୀ ଏ ଦୁଇଜଣଙ୍କୁ ସେତେବେଳେ ଜୀବନରେ ମାରିଦେଇଥାନ୍ତୁ, ତା’ହେଲେ ଏତେବେଳକୁ ବର୍ତ୍ତମାନ ପରି ଚିହ୍ନିବାର ଆବଶ୍ୟକତା ନ ଥାନ୍ତା ।”

 

‘‘ତମେ ତା’ହେଲେ……. ?” ଉଜ୍ଜଳ କ’ଣ ଗୁଡ଼ାଏ ଭାବି ଅଟକି ଗଲା । ତା’ ପାଟିରୁ କଥା ବାହାରିଲା ନାହିଁ ।

 

“ତୁ କ’ଣ ଭାବିଥିଲୁ ଯେ ତୋ ପାଖରେ ଏକା ବୁଦ୍ଧି, କୌଶଳ ବଳ ସବୁ ଅଛି । ଆଉ କାହା ପାଖରେ ନାହିଁ ! ତୁ ଏକା ତୋ ସାବତ ବାପ ଆଉ ସାବତ ମା’ଙ୍କୁ ମାରି ପକାଇବୁ । ଆଉ ତୋତେ ସେପରି ମାରିବାକୁ ଏ ଦୁନିଆରେ କେହି ନାହାଁନ୍ତି !” ଏହା କହି ‘‘ହା ହା ହା” ହୋଇ ସୁପରିଣ୍ଟେଣ୍ଡେଣ୍ଟ ହସିଲେ ।

 

ତାଙ୍କ ସ୍ତ୍ରୀ ବିଦ୍ରୂପ କରି କହିଲେ, “ଇଏ ସୁପରିଣ୍ଟେଣ୍ଡେଣ୍ଟ ନୁହନ୍ତି ? ତା’ହେଲେ ଇଏ କିଏ-? ଏଥର ସବୁଦିନ ଜାଣିପାରିବୁ ଇଏ କିଏ, ଆଉ ମୁଁ କିଏ ?” ଏହା କହି ସେ ହସିଉଠିଲେ-

 

ସୁପରିଣ୍ଟେଣ୍ଡେଣ୍ଟ ବିଦ୍ରୂପ କରି କହିଲେ, “ହଁ ହଁ, ସେ ଠିକ୍‍ କହିଛି, ମୁଁ ସୁପରିଣ୍ଟେଣ୍ଡେଣ୍ଟ ନୁହେଁ । ମୁଁ ହେଉଛି ତା’ ଯମ ।”

 

ଉଜ୍ଜଳ ପାଟିରୁ ବାହାରି ଆସିଲା, ‘‘ତା’ହେଲେ ତୁମେ ହେଉଛ ମୋ ସାବତ... ଭ…-।”

 

“ହଁ ହଁ, ମୁଁ ହେଉଛି ତୋ ସାବତ ଭାଇ ।”

 

ସ୍ତ୍ରୀ ଜଣକ ମଧ୍ୟ କହିଲା, ‘‘ମୁଁ ହେଉଛି ତୋ ସାବତ ଭଉଣୀ ।”

 

“ମୁଁ ହେଉଛି ପ୍ରଭାତ, ତୁ ଯାହାକୁ ହତ୍ୟା କରିଛୁ, ମୁଁ ତା’ପୁଅ ।”

 

‘‘ମୁଁ ହେଉଛି ସିନି, ତୁ ଯାହାକୁ ହତ୍ୟା କରିଛୁ, ମୁଁ ତା’ ଝିଅ ।” ପ୍ରଭାତ ଏଥର କହିଲେ, ‘‘ତୋତେ ଏଥର ସବୁଦିନ ଆଜିଠାରୁ ଏପରି ମାଡ଼ ହେବ, ମୋ ମନ ଯେମିତି ହେବ ସେମିତି କଷ୍ଟ ଦେବି ତୋତେ । ତୋତେ ସିଧା ସଳଖ ମାରିବିନି । ବହୁତ କଲବଲ କରି ଓ ବହୁତ ଛଟପଟ କରି ତୋତେ ମାରିବି । ତୁ ଆମ ବାପା ମା’ଙ୍କୁ ମାରି ଭାବିଥିଲୁ ଯେ ତୋର କର୍ତ୍ତବ୍ୟ ଶେଷ ହେଲା ! ସେତିକିରେ ସବୁ ପର୍ବ ସରିଗଲା । ତୁ ଭାବିଥିଲୁ ଯେ ଆଉ ତୋର କେହି କିଛି କରିପାରିବେନି । ତୋ ଜୀବନର ସମସ୍ତ କଣ୍ଟା ଗଲା । ତୁ ବର୍ତ୍ତମାନ ନିରୀହ !”

 

ତା’ପରେ ପ୍ରଭାତ ଏବଂ ସିନି ଏ ଦୁହେଁ ତାକୁ ଚାବି ପକାଇ ଚାଲି ଯାଇଥିଲେ ।

 

ଉଜ୍ଜଳ ତଳେ ପଡ଼ିଯାଇ ଅନେକ କାନ୍ଦିଥିଲା । ତା’ ପିଠିରେ ବସିଯାଇଥିଲା ସେତେବେଳେକୁ ମୋଟା ମୋଟା ବଡ଼ ନାଲିଦାଗମାନ । ଏଗୁଡ଼ିକ ତାକୁ ବହୁତ କଷ୍ଟ ଦେଉଥାଏ । ସେ ପ୍ରକୃତରେ କ’ଣ ଭାବି ଦେଇଥିଲା । ସେ ଭାବିଥିଲା ଯେ ସେ ଆଜିଠାରୁ ଜେଲ୍‌ରୁ ମୁକ୍ତ । ସେ ସବିତାକୁ ପାଇପାରିବ । ସେ ସର୍ବପ୍ରଥମେ ଠାକୁରଙ୍କ ମନ୍ଦିରକୁ ଯିବ । କିନ୍ତୁ ହେଲା କ’ଣ ? ସେ ଯେଉଁ ଠାକୁରଙ୍କ ପାଖକୁ ଜେଲ୍‍ରୁ ମୁକ୍ତ ହେଲେ ସର୍ବପ୍ରଥମେ ଯିବ ବୋଲି କହିଥିଲା, ସେହି ଠାକୁରଙ୍କୁ ମନେ ମନେ ସୁମରଣା କରି କରି ସେହିଠାରେ ଶୋଇ ପଡ଼ିଲା । ଆଖିରୁ ପୂର୍ବରୁ ବହୁଥିବା ଲୁହଧାରଗୁଡ଼ିକ ଶୁଖିଗଲା ।

 

କିଛି ସମୟ ପରେ ସେ ଚିତ୍କାର କଲା ‘‘ମା’’ । ସେ ସଙ୍ଗେ ସଙ୍ଗେ ନିଦରୁ ଉଠି ବସିଲା । ସେ ଗୋଟିଏ ସ୍ଵପ୍ନ ଦେଖୁଥିଲା । ବହୁତ ଭଲ ସ୍ଵପ୍ନ; କିନ୍ତୁ ଏସବୁ କୁଆଡ଼େ ଗଲା ? ସେ ସବୁଆଡ଼କୁ ଚାହିଁଲା । କେହି କୁଆଡ଼େ ନାହାଁନ୍ତି । ସେ ତା’ ବାପାଙ୍କ କୋଳରେ ମୁଣ୍ଡ ରଖି ଶୋଇଛି । ତା’ ମା’ ତା’ ଦେହରେ ହୋଇଥିବା ନୋଳାକୁ ଦେଖି ଆଖିରୁ ଲୁହ ଝରାଇ କାନ୍ଦୁଛନ୍ତି । ସେ ଯେଉଁସବୁ ନୋଳାକୁ ଆଙ୍ଗୁଠିରେ ସ୍ପର୍ଶ କରୁଛନ୍ତି, ସେହିସବୁ ସ୍ଥାନରୁ ଦରଜ ଚାଲି ଯାଉଛି । ଏହିପରି ତା’ ଦେହରୁ ନୋଳାଦାଗ ସବୁ ଗୋଟି ଗୋଟି ହୋଇ ଆସ୍ତେ ଆସ୍ତେ ଲିଭି ଯାଉଛି । ତା’ର ବାପା ତା’ ମା’ଙ୍କୁ ଆଙ୍ଗୁଠି ଦେଖାଇ କହୁଛନ୍ତି, ଏହିଠାରେ ହାତ ମାର । ଏଠାରେ ଗୋଟିଏ ନୋଳା । ଏଠାକୁ ଆସ । ଏଠାକୁ ଟିକଏ ଆଙ୍ଗୁଠିରେ ଛୁଇଁଦିଅ, ଏଠାରୁ ପୀଡ଼ା କଟିଯାଉ, ଏଠି ମଧ୍ୟ ମାଡ଼ଦାଗ ବସିଛି-। ଏଠି ଟିକିଏ ହାତ ମାର । ଏହିପରି ତା’ ବାପା, ତା’ ମା’କୁ ଏସବୁ କହୁଛନ୍ତି । ତା’ ମା’ ତାଙ୍କ କଥା ମାନି ତା’ ଦେହସାରା ହାତ ବୁଲାଉଛନ୍ତି । ସବୁ ଦାଗ କୁଆଡ଼େ ଲିଭି ଯାଇଛି । ଆଉ ଅଳ୍ପଦାଗ ରହିଥିଲା । ଉଜ୍ଜଳ ଆଉ ସେତେ ପୀଡ଼ା ଅନୁଭବ କରୁ ନ ଥିଲା । ସେ ତା’ ମା’କୁ ଆଉ ବାପାଙ୍କୁ ଦେଖି ବହୁତ ଖୁସି ହୋଇଯାଇଥିଲା । ପୁଣି ଆଉ ଗୋଟିଏ ବିଶିଷ୍ଟ କଥା ହେଉଛି ଯେ ତା’ ମା’ ଏବଂ ବାପା ଦୁହେଁ କଥାବାର୍ତ୍ତା ହେଉଥିଲେ । ବାପା ନିର୍ଦ୍ଦେଶ ଦେଉଥିଲେ । ମା’ ପାଳୁଥିଲେ । ଦୁହିଁଙ୍କ ମଧ୍ୟରେ ଅଉ ମନମାଳିନ୍ୟ ନାହିଁ । ଆଉ ଅଳ୍ପ ମାଡ଼ଦାଗ ଅଛି ।

 

କିନ୍ତୁ ହଠାତ୍‍ ନିଦ ଭାଙ୍ଗିଗଲା । ଏତେ ଭଲ ସୁବର୍ଣ୍ଣ ସ୍ଵପ୍ନ ଭସ୍ମ ହୋଇଗଲା । ଆଉ ଯେତେ ମୁଣ୍ଡିଆ ମାରିଲେ ମଧ୍ୟ ଏପରି ସ୍ଵପ୍ନ ଆଉ ଫେରିବନି । ସେ ତା’ ମା’ଙ୍କୁ ଓ ବାପାଙ୍କୁ ଦେଖିଥିଲା । ଏହାଠାରୁ ବଳି ବଡ଼ କଥା ଆଉ କ’ଣ ଅଛି ? ସେ ସେଥିପାଇଁ କିପରି ଖୁସି ନ ହେବ-?

 

ସେ ଏ ସ୍ଵପ୍ନ ଦେଖି ତା’ର ସମସ୍ତ ଦୁଃଖ କଷ୍ଟ ଭୁଲି ଯାଇଥିଲା । ତା’ ଆଖିରୁ ଲୁହ ଝରି ଆସିଥିଲା । ସେ ଭଗବାନଙ୍କୁ ସୁମରଣା କଲା ଏବଂ କହିଲା, “ହେ ଭଗବାନ ମୋ ମା’ଙ୍କୁ ଓ ବାପାଙ୍କୁ ଭଲରେ ରଖିଥାଅ ।” ସେ ପିଠିକୁ ବୁଲାଇ ଏଥର ଜାଣିପାରିଲା ଯେ ପୁଣି ସେ ଲିଭି ଯାଇଥିବା ନୋଳାଗୁଡ଼ିକ ଜଣାପଡ଼ିଲାଣି ଏବଂ ପୁଣି ସେଗୁଡ଼ିକ କଷ୍ଟ ଦେବା ଆରମ୍ଭ କରିଦେଲେଣି-। ଉଜ୍ଜଳକୁ ଏପରି ଅସମୟରେ ସାହାଯ୍ୟ ଦେବାକୁ ଏ ଦୁନିଆରେ ଆଉ କେହି ନାହାଁନ୍ତି-

 

(୫୧)

 

ସେହିଦିନଠାରୁ ଆରମ୍ଭ ହେଲା ତା’ ଉପରେ ଅମାନୁଷିକ ଅତ୍ୟାଚାରର ଝଡ଼ । ବେଲ୍‍ଟ ଏବଂ ଲୁହାଛଡ଼ ଧରି ସିନି ଏବଂ ପ୍ରଭାତ ପ୍ରତିଦିନ ଆସନ୍ତି ସାଙ୍ଗ ହୋଇ ଏବଂ ତା’ ରୁମ୍‍ ଫିଟାନ୍ତି ଠିକ୍‍ ସମୟରେ । ଏପରିକି ଦିନେହେଲେ ବି ଛାଡ଼ ନାହିଁ । ସବୁଦିନ ଲୁହାଛଡ଼ଦ୍ୱାରା ପିଟା ଖାଇ ଖାଇ ସେ ଖଣ୍ଡିଆ ଖାବରା ହୋଇଯାଏ । ଅପେକ୍ଷାକୃତ ଭାବରେ ପ୍ରଭାତ ଅଧିକ ବାଡ଼ାଏ ସବୁଦିନ-। ଦିନେ ସେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏକା ଏକା ପିଟିଥିଲା । ସିନିକୁ ବାଡ଼ାଇବାକୁ ଆଦୌ ସୁଯୋଗ ଦେଇନଥିଲା । ଶେଷରେ ସେ ନାମକୁ ମାତ୍ର ବେଲ୍‍ଟଟାକୁ ସିନି ହାତକୁ ବଢ଼ାଇ ଦେଇଥିଲା । ସିନି ମନା କଲା ଏବଂ କହିଲା, ‘‘ନା ନା, ତୁମେ ବାଡ଼ାଅ ।”

 

‘‘ପ୍ରଭାତ ଏସବୁ ବୁଝିପାରିନଥିଲା । ସେ ସିନି ଆଖିକୁ ଚାହିଁଲା । ସିନି ନିଜର ଦୁଇ ପାପୁଲି ସାହାଯ୍ୟରେ ନିଜ ମୁହଁ ଲୁଚାଇଲା । ତା’ ଛାତିରୁ କୋହ ଉଠୁଥିବାର ଶବ୍ଦ ସେ ଶୁଣିପାରିଥିଲା ।’’

 

ପ୍ରଭାତ କହିଲା, ‘‘ସିନି ତୁମର କ’ଣ ହୋଇଛି ?”

 

‘‘ନା, କିଛି ନାହିଁ, ତୁମେ ବାଡ଼ାଅ ।”

 

“ତୁମେ ଏଥର ବାଡ଼େଇବା କଥା । ମୁଁ ତ ବାଡ଼େଇ ସାରିଛି ମନଇଚ୍ଛା ।’’

 

“ମୁଁ ବା କିଏ ? ମୁଁ କାହିଁକି ବାଡ଼େଇବି ?” ଏହା କହି ସେ ଲୁହ ଗଡ଼ାଇ କାନ୍ଦି ପକାଇଲା ।

 

ପ୍ରଭାତ ତାଙ୍କ ପାପୁଲି କାଢ଼ିବାକୁ ଚେଷ୍ଟା କରି କହିଥିଲେ, “ମୋର ଭୁଲ୍‍ ହୋଇଯାଇଛି ସିନି । ମୋତେ ମାଫ୍‌କର । ମୁଁ ତୁମକୁ ବେଲ୍‍ଟ ଦେବାକୁ ଭୁଲି ଯାଇଥିଲି । ତୁମେ ଆଜି ବିଲ୍‌କୁଲ୍‍ ମାରି ପାରିଲନି । ଏପରି ଆଉ କେବେ ହେବନି ।”

 

‘‘ମିଛ କଥା ! ତମେ କହୁଥିଲ ସେଦିନ । ତମର ଅଧେ ମୋର ଅଧେ । ଏସବୁ କେବଳ କଥାରେ ରହିଗଲା । ତୁମେ ପ୍ରକୃତରେ ତାକୁ ଯେତିକି ମାରୁଛ, ମୁଁ ତା’ଠାରୁ ବହୁତ କମ୍‍ ମାରୁଛି ।”

 

“ଏଇଥିପାଇଁ କ’ଣ ଏମିତି କାନ୍ଦନ୍ତି, ଏତେ ଅଭିମାନ କରି ?”

 

“ସେ ତୁମ ମା’କୁ ମାରିଛି । କିନ୍ତୁ ସେ ତ ମୋ ବାପାଙ୍କୁ ମାରିଛି । ସେ ତୁମର ଏକା ଶତ୍ରୁ ନୁହେଁ । ତମେ ଯଦି ଏକା ଏକା ମାରିବ, ମୁଁ କାହିଁକି ଆସିବି ଏଠାକୁ ତୁମ ସାଙ୍ଗରେ ?”

 

‘‘ତୁମେ କାଲିଠାରୁ ତାକୁ ଆଗ ମାରିବ । ସମୟ ବଳିଲେ ପଛରେ ମୁଁ ମାରିବି ।” ତା’ପରେ ସିନି ନିଜ ଆଖିରୁ ଲୁହ ପୋଛିଥିଲେ ।

 

ଏସବୁ କଥା ଉଜ୍ଜଳ ଶୁଣୁଥାଏ । ଏହା ଶୁଣି ତା’ ଛାତି ଭିତରଟା କ’ଣ ହୋଇଯାଉଥିବ, ଅନୁମାନ କରିଯାଇପାରେ । ସିନି ଏଥର ଅଧିକ ସ୍ଵାଧୀନତା ପାଇଲେ । ଦିନେ ସେ ଗୋଟିଏ ତତଲା ଲୁହାକୁ ଜେଲ୍‍ ଭିତରକୁ ଆଣି ଦୁଇଶହ ବତିଶ ନମ୍ବର ରୁମରେ ପଶି ଉଜ୍ଜଳ ଦେହସାରା ସେହିଥିରେ ଛାଇଥିଲେ । ଜେଲରେ ଥିବା ସବୁ ୱାର୍ଡ଼ର ଏ ଅତ୍ୟାଚାରର କରୁଣ ଦୃଶ୍ୟ ମଧ୍ୟ ଊଣା ଅଧିକା ଦେଖିବାକୁ ପାଉଥାନ୍ତି ସବୁଦିନ । କିନ୍ତୁ କେହି ପ୍ରତିବାଦ କରିନଥିଲେ । ବଡ଼ବାବୁଙ୍କ ବିରୁଦ୍ଧରେ କିଏ କାହିଁକି ପାଟି ଫିଟାଇବ ? କାହାର କ’ଣ ବା ସ୍ୱାର୍ଥ ଅଛି ?

 

ଏଣେ ସବିତା ତା’ ବାପା ସହିତ ଅଲଗା ଜେଲ୍‍ଖାନାରେ ଅଛି । ତାକୁ ଏ ଜେଲ୍‍ଟା ଆଦୌ ଭଲଲାଗୁନି । ମୁଖ୍ୟ କାରଣ ହେଲା ଏଥିରେ ଉଜ୍ଜଳ ନାହିଁ । ଅନେକ ଦିନ ଯିବାପରେ ଦିନେ ସେ ଗୋଟିଏ ଭୟଙ୍କର ସ୍ଵପ୍ନ ଦେଖିଲା । ଗୋଟାଏ ଉଚ୍ଚ ପର୍ବତ ଉପରେ ନିଆଁ ଜଳୁଛି ତା’ର ଅର୍ଥ କ’ଣ ସେ ବୁଝିପାରିନଥିଲା ।

 

ସେଦିନ ଆଉ ଗୋଟିଏ ଘଟଣା ମଧ୍ୟ ଘଟିଲା । ସବିତା ସବୁଦିନ ବାହାରର ଗୋଟିଏ ବୁଲା ଗାଈକୁ କିଛି କିଛି ଖାଇବାକୁ ଦିଏ । ଗାଈଟି ମଧ୍ୟ ଠିକ୍‍ ସମୟରେ ସବୁଦିନ ଆସି ତା’ ପାଖରେ ହାଜର ହୋଇଯାଏ । ସବିତା ପାଖରେ ଯାହା ଥାଏ ସେ ତାକୁ ଖାଇବାକୁ ଦିଏ ଆଦର କରି ତାକୁ ଆଉଁସି ଆଉଁସି । ସେହି ସ୍ନେହ ଟିକକ ସେ କେବେ ଭୁଲିପାରେନି । ସବୁଦିନ ଏହିପରି ଆସେ । ସେ ଏତେ ଚାଲାଖ ଯେ ଯେଉଁଦିନ ତା’ ଖାଇବା କୋଟା କମି ଯାଇଥିବ, ସେ ଅଳିକରି ସେଠାରୁ ଅଦୌ ଯାଏନି । ସେଇଠି ଠିଆ ହୋଇଥାଏ । ତାକୁ ଅଧିକ କିଛି ଖାଦ୍ୟ ଦିଆଗଲେ, ତା’ପରେ ସେ ଯାଏ । ଏଇଟା ତା’ର ଦୈନନ୍ଦିନ ଘଟଣାରେ ଯାଏ । କିନ୍ତୁ ସେଦିନ ଗାଈଟି ଠିକ୍‍ ସମୟରେ ଯେମିତି ଆସିଲା, ସବିତା ଠିକ୍‍ ସମୟରେ ତା’ପାଇଁ ଖାଇବା ଜିନିଷ ଆଣିଦେଲା, ମାତ୍ର ସେ ତାକୁ ଛୁଇଁଲା ନାହିଁ । ସବିତା ଏହାର ଅର୍ଥ ବୁଝିପାରିଲା ନାହିଁ । ସବୁଦିନ ତ ଖାଏ । ଆଜି କ’ଣ ହେଲା ? ଆଜି ତ କୋଟା କମ୍‍ କରି ଆଣିନି । ସେ ଗାଈକୁ ଆଉଁସି ଆଉଁସି ଆଦର କରି କହିଲା ଖାଇ ଦେବାକୁ । ଗାଈଟି ଏକ କରୁଣ ଦୃଷ୍ଟିରେ ତା’ ଆଖିକୁ ଚାହିଁ ରହିଲା । ଏହା ତା’ ମନ ମଧ୍ୟରେ ଗଭୀର ରେଖାପାତ କଲା । ସଙ୍ଗେ ସଙ୍ଗେ ତା’ ଉଜ୍ଜଳ କଥା ମନେପଡ଼ିଗଲା । ସେ ଭାବିବାକୁ ଲାଗିଲା ଯେ ତା’ ଜୀବନର ଅଧେ ରହିଯାଇଛି ଉଜ୍ଜଳ ପାଖରେ । ସେ ଏଇ ନିରୀହ ଗାଈଟିକୁ ଯେମିତି ସ୍ନେହ ଆଦର କରୁଛି, ଅନ୍ୟ କେହି ସେହିପରି ତା’ ଜୀବନର ସାଥି ଉଜ୍ଜଳକୁ ମଧ୍ୟ ନିଶ୍ଚୟ ସ୍ନେହ ଆଦର କରିବ । ଯଦି କେହି ନ କରିବେ, ଭଗବାନ ଶେଷରେ କରିବେ ।

 

କାହିଁକ କେଜାଣି ସେ ଉଜ୍ଜଳ କଥା ସେଦିନ ଏ ଘଟଣା ପରେ ବହୁତ ଭାବିହେଲା ।

 

ଏହାପରେ ସେ ଗୋଟିଏ ଚିଠି ପାଇଥିଲା । ସେ ଚିଠିଟି ପଢ଼ି ସେ ଥରିଗଲା । ଚିଠିଟି ଉଜ୍ଜଳ ପଠାଇଥିଲା । ସେ ଦୁହିଁଙ୍କଦ୍ଵାର ଉଦ୍ଭାବିତ ନୂତନ ଭାଷା ଏବଂ ନୂତନ ଅକ୍ଷରଦ୍ଵାରା ଏଇଟି ଲେଖା ଯାଇଛି । ଉଜ୍ଜଳଙ୍କ ପ୍ରତି ବିପଦ ହେଉଛି ତା’ ନିଜ ଜୀବନ ପ୍ରତି ବିପଦ । ଉଜ୍ଜଳ ନିଜ ଉପରେ ପ୍ରତିଦିନ ହେଉଥିବା ଅତ୍ୟାଚାରର ଟିକିନିଖି ବିବରଣୀ ଏଥିରେ ଲେଖାଥିଲା । ସେ ଲେଖିଥିଲା ଯେ ବର୍ତ୍ତମାନ ଏ ଜେଲ୍‌ର ସୁପରିଣ୍ଟେଣ୍ଡେଣ୍ଟ ହେଉଛନ୍ତି ତା’ ନିଜ ସାବତ ଭାଇ ଏବଂ ତା’ ସ୍ତ୍ରୀ ହେଉଛନ୍ତି ତାଙ୍କ ସାବତ ଭଉଣୀ । ଏମାନେ ପ୍ରଥମଦିନ କିପରି ଫୁଲମାଳ ପିନ୍ଧାଇଥିଲେ ତାହା ମଧ୍ୟ ସେ ଲେଖିଥିଲା ।

 

ଏ ଚିଠିଟି ବହୁତ କଷ୍ଟରେ ଯାଇଥିଲା । କଏଦୀଙ୍କ ପ୍ରତ୍ୟେକ ଚିଠି ଚେକିଂ ହେବା ଦରକାର । ଏ ଚିଠିଟି ଚେକିଂ ଡିପାର୍ଟମେଣ୍ଟରେ ପହଞ୍ଚିସାରିବା ପରେ ସେଠାରେ ଥିବା ଲୋକଙ୍କ ମଧ୍ୟରେ ଅନେକ ଯୁକ୍ତିତର୍କ ହୋଇଥିଲା । ଜଣେ କହିଥିଲା, “ଏଇଟା କି ଭାଷା ? ଏହାର ଅର୍ଥ କ’ଣ-? ପୃଥିବୀରେ ହଜାରେ ଉପରେ ଭାଷା ଅଛି । ଆମ ପକ୍ଷରେ ସବୁପ୍ରକାର ଭାଷା ଜାଣିବା ସମ୍ଭବପର ନୁହେଁ । ଏଇଟା ସେହିମାନଙ୍କ ମଧ୍ୟରୁ ଗୋଟିଏ ହୋଇଥବ ।”

 

ଅନ୍ୟ ଜଣେ କହିଥିଲା, ‘‘ନା, ମୁଁ ଭାବୁଛି ଏଇଟା ଗୋଟାଏ ଭାଷା ନୁହେଁ l କେଉଁ ଭାଷାରେ ଏତେ ଚିତ୍ର ବିଚିତ୍ର ଅକ୍ଷର ଅଛି ?”

 

“ଛାଡ଼, ଏଇଟାକୁ ପଠାଇଦିଅ l ଯାହା ହୋଇଥାଉ ଏହାର ଅର୍ଥ l”

 

“କିନ୍ତୁ ଉଜ୍ଜଳ ଇଂରେଜୀ ଓଡ଼ିଆ ହିନ୍ଦି ଛଡ଼ା ଅନ୍ୟ କେଉଁ ଭାଷା ଜାଣିପାରେ ?”

 

“ଚାଇନିଜ୍‌ ଜାଣି ଥାଇପାରେ ।”

 

“ହଁ, ତା’ ମା’ ଥିଲା ଚାଇନିଜ୍‌ ।”

 

“କିନ୍ତୁ ସବିତା ଚାଇନିଜ୍‍ ଭାଷା ଜାଣି ନ ଥାଇପାରେ l”

 

“ସେ ବତାଇଥିବ ।”

 

“କିନ୍ତୁ ଚାଇନିଜ୍‌ ଭାଷାର ଅକ୍ଷରକୁ ତ ମୁଁ ନିଜେ ଦେଖିଛି । ତାହା ଏମିତି ଆଦୌ ନୁହେଁ-।”

 

“ଏଇଟା ଗୋଟାଏ ନୂଆ ଭାଷା ।”

 

‘‘ନା, କିନ୍ତୁ ଏମିତିଆ ଚିଠି ତ ସେ ଆଗରୁ ଅନେକଥର ଦେଇଛି ସବିତା ପାଖକୁ । କିଛି ଚେକ୍‍ ନ କରି ଛାଡ଼ି ଦିଆଯାଇଛି ।”

 

“ସେତେବେଳେ ସୁପରିଣ୍ଟେଣ୍ଡେଣ୍ଟ ଥିଲେ ସନାତନ ବାବୁ । କିନ୍ତୁ ବର୍ତ୍ତମାନ ତ ସେ ଏଠାରେ ସେହି ପଦରେ ନାହାଁନ୍ତି ।’’

 

‘‘ପଠାଇ ଦିଅନ୍ତୁ ସେମିତି ।”

 

ଏହପରି ଯୁକ୍ତିତର୍କ ଲାଗିବା ପରେ ସେ ଚିଠିକୁ ସେମାନେ ପଠାଇ ଦେଇଥିଲେ । ସେମାନେ ପଠାଇ ନ ଥିଲେ ସବିତା ମଧ୍ୟ ଏଇଟାକୁ ପାଇପାରି ନ ଥାନ୍ତା ।

 

ଯାହାହେଉ ସବିତା ପାଖରେ ଏ ଚିଠିଟା ପହଞ୍ଚିଥିଲା । ତା’ ଆଖିରୁ ଲୁହ ଝରି ଆସିଲା-। ସେ ଠାକୁରଙ୍କ ପାଖରେ ଗୁହାରି ପଡ଼ିଲା ।

 

(୫୨)

 

ସବିତା ଯେଉଁଦିନ ଏ ଚିଠି ପାଇଲା, ତା’ ପରଦିନ ସେ ଉଜ୍ଜଳ ରହୁଥିବା ଜେଲ୍‍ ନିକଟକୁ ଚାଲିଆସିଲା, ଗେଟ୍‍ ପାଖରେ ଢୁଳାଇ ଢୁଳାଇ ମୁରାରୀ ବସି ରହିଥିଲା । ସବିତା ତା’ ପାଖକୁ ଯାଇ ପାଟିକଲା, “ମୁରାରୀ ମୁରାରୀ ! ଏପରି କ’ଣ ଢୁଳାଉଛ ?”

 

ସଙ୍ଗେ ସଙ୍ଗେ ଚାଉଁକିନା ମୁରାରୀ ଉଠିପଡ଼ି ସବିତାକୁ ଦେଖିଲା । ତାଙ୍କୁ ଦେଖି ବହୁତ ଖୁସି ହୋଇଯାଇ ସେ ପ୍ରଥମେ ଗେଟ୍‍ ଖୋଲି ଦେଇ ଭିତରକୁ ଡାକିଆଣି କହିଥିଲା, “ଏତେ ଦିନକେ ତମର ଦର୍ଶନ ମିଳିଲା ! ସେତେବେଳେ ତମ ବାପା ଥିଲେ । ତମେ ଥିଲ । ତମ ବାପା କେତେ ଆଦର କରୁଥିଲେ । ତମେ ମୋତେ ସାହାଯ୍ୟ କରିଥିଲ । ତମେ ଇଡ଼ାର ମା’ର ଜୀବନଟାକୁ ରଖି ଦେଇଥିଲ । ସବୁଦିନ ମୋ ପକେଟକୁ ମଧ୍ୟ କିଛି କିଛି ଦେଉଥିଲ । ସେ କାଳ ଆଉ କାହିଁ ? ଆମକୁ ଦୁଃଖରେ ଭସାଇ ଦେଇ କୁଅଡ଼େ ଚାଲିଗଲ ! ଆଉ ମୋତେ ମୁରାରୀ ମୁରାରୀ ବୋଲି ଡାକି କିଏ ଏ ନିଦରୁ ଉଠାଇବ ? କିଏ ମୋ ସହିତ ହସ କୌତୁକ ହେବ ? ତମ ପାଇଁ ଇଡ଼ା ବହୁତ କାନ୍ଦିଛି । ଇଡ଼ାର ମା’ ମଧ୍ୟ ବହୁତ କାନ୍ଦିଛି । ତମେ ଆମ ସମସ୍ତଙ୍କୁ ଏକାବେଳକେ ଛାଡ଼ି କୁଆଡ଼େ ଚାଲିଗଲ !”

 

ପ୍ରକୃତରେ ମୁରାରୀର ଆଖି ଛଳଛଳ ହୋଇଗଲା । ସବିତା ମୁରାରୀ ପକେଟ ଭିତରେ ଗୋଟିଏ ପଚାଶ ଟଙ୍କିଆ ନୋଟ୍‍ ଗୁଞ୍ଜିଦେଇ କହିଲା, “ମୋତେ ତମେ ସାହାଯ୍ୟ କରିବ” ?

 

“ମୋତେ ତୁମେ ଜୀବନ ଦେଇ ବଞ୍ଚେଇଛ । ମୁଁ ପୁଣି ସାହାଯ୍ୟ କରିବିନି ? ପୃଥିବୀରେ ଯେତେ ପାପ କାମ କି ଅନ୍ୟାୟ କାମ ହେଉ ପଛେ ତମ ପାଇଁ କରିବାକୁ ମୁଁ ପଛେଇବି ନାହିଁ ।”

 

ପଚାଶ ଟଙ୍କିଆକୁ ପକେଟରେ ଭର୍ତ୍ତିକରି ସେ କହିଲା, “ଏ ଯେଉଁ ନୂଆ ସୁପରିଣ୍ଟେଣ୍ଡେଣ୍ଟ ଆସିଛନ୍ତି, ସେ କୁଆଡ଼େ ସବୁଦିନ ତାଙ୍କ ସ୍ତ୍ରୀଙ୍କ ସହିତ ଆସି ଉଜ୍ଜଳକୁ ବାଡ଼ଉଛନ୍ତି”-

 

“ହଁ, ହଁ, ଏ କଥା ତୁମକୁ ପ୍ରଥମେ କହିବାକୁ ମୁଁ ଭୁଲି ଯାଇଥିଲି ।”

 

“ମୁଁ ଏ ଖବର ପାଇଛି । ଏ ସୁପରିଣ୍ଟେଣ୍ଡେଣ୍ଟ ଆଦୌ ଭଲ ନୁହନ୍ତି ।”

 

“ମୁଁ ଏସବୁର ଫଟୋ ସଗ୍ରହ କରିବାକୁ ଚାହୁଁଛି । ସେ ଯେଉଁ ସମୟରେ ତାଙ୍କ ଉପରେ ଅତ୍ୟାଚାର କରୁଥିବେ ସେହି ସମୟରେ କେତୁଟା ଫଟୋ ଉଠାଇ ଦେବା ନିହାତି ଦରକାର ।’’

 

“ସେଇଟା କେମିତି ହେବ ?”

 

“ମୋତେ ଯଦି ଛାଡ଼ିବ ଭିତରକୁ, ତା’ହେଲେ ମୁଁ କରିଦେବି ।’’

 

“ନାଇଁ ମ । ଆମେ ନିଜେ ନିଜେ କରିଦେବୁ ।”

 

“ଭଲ କଥା, ମୁଁ ତୁମକୁ କ୍ୟାମେରା ଆଦି ଯୋଗାଇ ଦେବି । ବହୁତ ସାବଧାନରେ ଏସବୁ କରିବ ।”

 

“ତମେ ସବୁ ବତାଇ ଦେବ କେମିତି ଏସବୁ କରନ୍ତି । ଆଚ୍ଛା, ଏଥିରେ ଆଉ କିଛି ବିପଦ ନାହିଁ ତ ?”

 

“କିଛି ନାହିଁ । ସେଇଥିପାଇଁ ତ କହୁଛି ମୋତେ ଛାଡ଼ିଦିଅ । ମୋତେ ଡରଭୟ କିଛି ନାହିଁ । ତା’ଛଡ଼ା, ଏ ଜେଲରେ ତ ସମସ୍ତେ ମୋର ଚିହ୍ନା, କିଛି ଅସୁବିଧା ନାହିଁ ।’’

 

ସବିତା ମୁରାରୀ ସହିତ କଥାବାର୍ତ୍ତା ହୋଇସାରି ଇଡ଼ା ପାଖକୁ ଗଲା । ତା’ ସାଙ୍ଗରେ ଓ ତା’ ମା’ଙ୍କ ସାଙ୍ଗରେ ସେ ଅନେକ କଥାବାର୍ତ୍ତା କଲା । ସବିତାକୁ ଦେଖି ସମସ୍ତେ ଖୁସି ହୋଇଯାଇଥିଲେ । ଇଡ଼ାର ମା’ଙ୍କ ଗୋଟିଏ ଆଖି ନଷ୍ଟ ହୋଇଯାଇଥାଏ । ତାଙ୍କ ମୁହଁରେ ଦୁର୍ଘଟଣାର ଦାଗର ସ୍ପଷ୍ଟ ଚିହ୍ନ ଦେଖାଯାଉଥାଏ ।

 

ଇଡ଼ାର ମା’ ପଚାରିଥିଲା, ‘‘ତମ ବାପା କେମିତି ଅଛନ୍ତି ? ତୁମ ପୁଅ କିପରି ଅଛି ? ତୁମେ କାହିଁକି ପାଠପଢ଼ା ବନ୍ଦ କରି ଦେଲ ?”

 

ସବିତା ଏସବୁର ଉତ୍ତର ଦେଇଥିଲା । ତା’ପରେ ସେ ଇଡ଼ାକୁ ଡାକିଆଣି ନିରୋଳାରେ ଉଜ୍ଜଳ ବିଷୟ କଥାବାର୍ତ୍ତା କରିଥିଲା ଏବଂ ସ୍ପଷ୍ଟ ଭାବରେ ନିଜର ଅଭିପ୍ରାୟ ଜଣାଇଥିଲା । ଇଡ଼ା ତା’ ସହିତ ସମ୍ପୂର୍ଣ୍ଣଭାବରେ ସହଯୋଗ କରିବ ବୋଲି ମଧ୍ୟ କହିଲା । ପ୍ରକୃତରେ ଦୁଇ ବନ୍ଧୁଙ୍କ ସହାୟତାରେ ଉଜ୍ଜଳ ଉପରେ ହେଉଥିବା ଅମାନୁଷିକ ଅତ୍ୟାଚାରର ଫଟୋଚିତ୍ର ଦୁଇ ଦିନ ମଧ୍ୟରେ ବହୁତ ସାବଧାନତାର ସହିତ ସଂଗ୍ରହ କରାଗଲା । ଏ ବିଷୟରେ କେହି କିଛି ଜାଣିପାରିଲେ ନାହିଁ । ବହୁତ ଗୁପ୍ତରେ ଏ କାମ ଚାଲିଥିଲା ।

 

ଏ ଫଟୋକୁ ନେଇ ସବିତା ଅବିଳମ୍ବେ କୋର୍ଟରେ ଦାଖଲ କଲା । ଏ ବିଷୟରେ ତଦନ୍ତ ଚାଲିଲା । ବିଚାରପତି ନିଜର ରାୟ ଦେଲେ । ପ୍ରଭାତକୁ ଚାକିରିରୁ ସସପେଣ୍ଡ କରିଦିଆଗଲା । ଏସବୁ କପରି ହେଲା ତାହା ସେ ଜାଣିପାରିନଥିଲେ । ତାଙ୍କୁ ଜେଲ୍‍ କ୍ଵାଟରରୁ ବାହାର କରିଦିଆଗଲା । ତା’ ପରଦିନଠାରୁ ଉଜ୍ଜଳ ଉପରେ ମାଡ଼ ବନ୍ଦ ହୋଇଗଲା । ଉଜ୍ଜଳ ବହୁତ ଖୁସି ହୋଇଗଲା ।

 

ସେଠାରୁ ବାହାରି ଆସି ପ୍ରଭାତ ସିନି ସହିତ ଗୋଟିଏ ଭଡ଼ା ଘରେ ରହିଥିଲା । ପ୍ରଭାତ କହିଥିଲା, “ପୁଣି ଏ ଟ୍ୟୁସନ୍‍ କରିବା ଧନ୍ଦାରେ ମଣିଷ ପଶିବ । ତାକୁ ଜୀବନରେ ମାରିଦେଇଥିଲେ ଯାଇଥାନ୍ତା । ଆମେ କିନ୍ତୁ କରିପାରିଲେ ନାହିଁ ।’’

 

ସିନି କହିଥିଲା, ‘‘ଆମେ ଜେଲ୍‍ ଯାଇଥିଲେ ଯାଇଥାନ୍ତେ । ଫାଶୀ ପାଇଥିଲେ ପାଇଥାନ୍ତେ । ଏତେ ସୁବିଧା ପାଇ ମଧ୍ୟ ତା’ର ସଦୁପଯୋଗ କରିପାରିଲେ ନାହିଁ । ଆମେ କେତେ ମୂର୍ଖ ସତେ ! ଏତେ କାମ ଭିତରେ ଭିତରେ ହେଉଥିଲା, ଆମେ କିନ୍ତୁ ଜାଣିପାରିଲେ ନାହିଁ ।’’

 

“ବାସ୍ତବିକ୍‍ ସବିତା କିପରି ଏ ଫଟୋସବୁ ସଂଗ୍ରହ କରିଥିଲା ତାହା ବଡ଼ ଆଶ୍ଚର୍ଯ୍ୟର ବିଷୟ ।’’

 

“ସେ ହେଉଛନ୍ତି ସନାତନ ବାବୁଙ୍କ ଝିଅ । ଏ ଜେଲ୍‌ର ପୂର୍ବରୁ ସୁପରିଣ୍ଟେଣ୍ଡେଣ୍ଟ ହୋଇ ରହି ଆସିଥିଲେ ।”

 

“ସବିତାର ଏଥିରେ କି ସ୍ଵାର୍ଥ ଅଛି ?”

 

“ଖବର ମିଳିଛି ଯେ ସେ କୁଅଡ଼େ ଉଜ୍ଜଳକୁ ଭଲପାଏ । ସେ ମଧ୍ୟ ତାକୁ ବିଭା ହୋଇଯାଇଛି । ତା’ର ଗୋଟିଏ ଛୁଆ । ଯିଏ ଭିତରେ ଭିତରେ ଏତେ କାମ କରିପାରିଲା, ତା’ହେଲେ ତା’ ପକ୍ଷରେ ଏ ଫଟୋ ସଂଗ୍ରହ କରିବା କ’ଣ ବିଚିତ୍ର ?”

 

“ତା’ହେଲେ ସନାତନ ବାବୁ ମଧ୍ୟ ଆମର ଶତ୍ରୁ !”

 

(୫୩)

 

ଭିତରେ ଭିତରେ ସବିତା ବହୁତ ଚେଷ୍ଟା କଲା ତା’ ବାପାକୁ ଏ ଜେଲ୍‌କୁ ଆଣିବାକୁ, ଯେଉଁଠାରେ ଉଜ୍ଜଳ ଅଛି । ମାତ୍ର ସେ ସଫଳ ହେଲାନାହିଁ । ତେଣୁ ସେ ଅନ୍ୟ ଏକ ଉପାୟ ଧରିଲା-। ଅନ୍ୟ ଏକ ପ୍ରକାର ଚେଷ୍ଟା ଚଳାଇଲା । ଏଥର ଏଇଟାରେ ସେ ସଫଳ ହେଲା । ଉଜ୍ଜଳକୁ ଟ୍ରାନସ୍‌ଫର କରାଗଲା ସନାତନ ବାବୁ ଯେଉଁ ଜେଲରେ ଅଛନ୍ତି ସେହି ଜେଲ୍‌କୁ । ସବିତା ଏଥିପାଇଁ ବହୁତ ଲାଗିଥିଲା । ବହୁତ ଲାଞ୍ଚ ଲୁଞ୍ଚା ମଧ୍ୟ ଦେଇଥିଲା ।

 

ଉଜ୍ଜଳ ଏବଂ ସବିତା ବହୁତ ଖୁସି ହୋଇଯାଇଥିଲେ । ପୁଣି ସେମାନଙ୍କର ସବୁଦିନ ମିଳନ ହେଲା । ସବିତା ସବୁଦିନ ଚାବି ଆଣି ଆସି ତା’ ରୁମ୍‌କୁ ଫିଟାଏ । ସେ ଉଜ୍ଜଳ ଦେହରେ ମାଡ଼ର ଦାଗ ଦେଖି ବହୁତ କାନ୍ଦିଥିଲା । ଉଜ୍ଜଳ କହିଥିଲା, ‘‘ମୁଁ ପୁଅ ହେଲେ ବି ମୁଁ ଜଣେ ଝିଅ । ତୁମେ ଝିଅ ହେଲେ ବି ତୁମେ ଜଣେ ପୁଅ । ମୁଁ କିଛି କରିପାରୁନି । ତୁମେ ସବୁ କରୁଛ । ମୋ ହାତରେ କ’ଣ ଅଛି ଯେ !”

 

“ଉଜ୍ଜଳ ତୁମେ ଏତେ କଥା ଚିନ୍ତା କରନା । ତୁମେ ପ୍ରକୃତରେ ପୁଅ । ମୁଁ ପ୍ରକୃତରେ ଝିଅ-। ଆମର ଅସାବଧାନତା ଯୋଗୁଁ ପ୍ରଭାତ ଏଠାରେ ଚାକିରି କରିବାକୁ ସୁଯୋଗ ପାଇଥିଲା ।”

 

“ଆମେ ବର୍ତ୍ତମାନ ଯେଉଁ ସୁଖ ପୁଣି ଫେରିପାଇଛେ, ତାହା କ’ଣ ବେଶୀ ଦିନ ଯିବ ?”

 

“ଭଗବାନ କରନ୍ତୁ, ତାହା ଚିରସ୍ଥାୟୀ ହେଉ । ତୁମର ଆଉ ସେପରି କିଛି ଅସୁବିଧା ନ ହେଉ ।’’

 

‘‘ସେମାନେ ମୋ ଉପରେ ଏପରି ଅତ୍ୟାଚାର କରୁଥିଲେ ସବୁଦିନ, କିନ୍ତୁ ତାଙ୍କପାଇଁ କ’ଣ ବା ଆଖିଦୃଷ୍ଟିଆ ଦଣ୍ଡ ହେଲା ? କେବଳ ଚାକିରିରୁ ବାହାରିଗଲେ । ମୁଁ ଭାବିଥିଲି ଯେ ତାଙ୍କୁ ଜେଲ୍‍ ହୋଇଥିଲେ ଭଲ ହୋଇଥାନ୍ତା । ତମେ ଯେଉଁ ସାହାଯ୍ୟ କରୁଛ, ତାହା ମୁଁ ଏ ଜୀବନରେ ଶୁଝିପାରିବିନି । ଆର ଜୀବନରେ ଶୁଝିବି । ମୁଁ ଋଣୀ ହୋଇ ରହିଲି । ତୁମକୁ ମୁନା ଲାଗିଲା । ତୁମେ ତାକୁ ମଣିଷ କରିବ । ତୁମେ ତା’ ବାପା । ତୁମେ ତା’ ମା’ ।”

 

“ତୁମେ ଏତେ ଚିନ୍ତା କରନା ଉଜ୍ଜଳ । ପ୍ଲିଜ୍‍ ।”

 

(୫୪)

 

ସିନିକୁ ଠିକ୍‌ ସମୟରେ ହସ୍‍ପିଟାଲ ନିଆଗଲା । ସେ ଗୋଟିଏ ସୁନ୍ଦର ପୁଅକୁ ସେଠାରେ ଜନ୍ମ ଦେଇଥିଲା । ତା’ର ନାମ ଦିଆଗଲା କୁନା । ପ୍ରଭାତ ଏଣେ ଘରେ ବସିରହି ଅନ୍ୟ ଆଡ଼େ ମୁଣ୍ଡ ଖେଳାଇଲା । ଦିନେ ସମ୍ବାଦପତ୍ରରେ ସେ ଗୋଟିଏ ଅଡ଼ଭଟାଇଜମେଣ୍ଟ୍‌ ଦେଖି ତା’ ଆଖି ଉଜ୍ୱଳ ହୋଇଗଲା । ଜେଲ୍‌ର ୱାର୍ଡ଼େନ୍‍ଙ୍କ ପୋଷ୍ଟ ଖାଲି । ଯେକୌଣସି ଗ୍ରାଜୁଏଟ୍‍ ଆପ୍ଲାଇ କରିପାରିବେ । ପ୍ରଭାତ ଜଣେ ଗ୍ରାଜୁଏଟ୍‍ । ସେ କାହିଁକ ଛାଡ଼ିବ ? ସେ ମଧ୍ୟ ଆପ୍ଲାଇ କଲା । ଇଣ୍ଟରଭ୍ୟୁ ପାଇଁ ଭଲଭାବରେ ପ୍ରିପେଆର୍‍ ହେଲା । ସେଥିପାଇଁ ସେ ଅଧିକ ପରିଶ୍ରମ କରିଥିଲା । ଜୀବନର ସମସ୍ତ ଶକ୍ତି ସେ ଖଟାଇଥିଲା । ସେ ସମସ୍ତଙ୍କଠାରୁ ଅଧିକ ନମ୍ବର ରଖି ଫାଷ୍ଟ ହେଲା ରିଟିନରେ । ତାକୁ ଭାଇଭା ପାଇଁ ଡାକରା ମିଳିଲା । ସେ ଭଗବାନଙ୍କୁ ମୁଣ୍ଡିଆ ମାରୁଥାଏ ସବୁବେଳେ ଏହି ବିଷୟରେ । ତା’ର ଏଇ ପୋଷ୍ଟଟା ଦରକାର । ସେ ଏଥିପାଇଁ କିଛି ଦରମା ନ ନେବ ପଛେ ଘରୁ ଖାଇ ଏଇ ପୋଷ୍ଟରେ ହିଁ ରହିବ । ଏଇଆ ତା’ ଇଚ୍ଛା ।

 

ସେ ଆତ୍ମସନ୍ତୋଷ ଲାଭ କଲା । ଭାଇଭାରେ ତା’ର ଭଲ ହୋଇଛି । କୌଣସି ପ୍ରଶ୍ନର ସେ ଭୁଲ୍‍ ଉତ୍ତର ଦେଇନି । ତା’ ଉପରେ ସମସ୍ତେ ସନ୍ତୁଷ୍ଟ ।

 

ସେ କେବଳ ରହିଥାଏ ଚାକିରିକୁ ଅପେକ୍ଷା କରି ।

 

(୫୫)

 

ଉଜ୍ଜଳ ପୁଣି ଯେଉଁ ସୁଖ ପାଇବାକୁ ଆରମ୍ଭ କରିଥିଲା, ତାହା ବେଶୀ ଦିନ ରହିନଥିଲା । ପ୍ରଭାତ ପାଖକୁ ଅପଏଣ୍ଟମେଣ୍ଟ ଲେଟରେ ଆସିଗଲା । ସିନି ଓ ସେ ଦୁହେଁ ବହୁତ ଖୁସି ହୋଇଗଲେ । ଏଥିପାଇଁ ସେ ତା’ ସାଙ୍ଗମାନଙ୍କୁ ଫିଷ୍ଟ ଦେଇଥିଲା । ତା’ ଭାଗ୍ୟରେ ଠିକ୍‌ ଜିନିଷ ବାଜିଗଲା । ଏଥର ସେ ବଡ଼ ପୋଷ୍ଟରେ ଅଛି । ତାକୁ ଅଧିକ ସମ୍ମାନ ମିଳିଛି । ଅଧିକ ଦରମା ପାଇବ । ହାତମୁଠାରେ ଉଜ୍ଜଳ ଅଛି । ଖୁବ୍‍ କମ୍‍ ଦିନରେ ସେ ଚାକିରିରେ ଜଏନ୍‍ କଲା । ସେ ହେଉଛି ସବୁ ଜେଲ୍‌ର ହେଡ୍‍ । ସବୁ ଜେଲ୍‌ର ସୁପରିଣ୍ଟେଣ୍ଡେଣ୍ଟ ତା’ ଅଧୀନରେ । ହାତକୁ ଆସିଛି ଅଖଣ୍ଡ କ୍ଷମତା ।

 

ତା’ପରେ ଆରମ୍ଭ ହେଲା ପ୍ରଳୟଙ୍କରୀ ଶାସନ । ଖୁବ୍‌ କମ୍‌ ଦିନ ମଧ୍ୟରେ ସନାତନ ବାବୁଙ୍କ ନାଁରେ ଖଚମିଛ ଯୋଡ଼ି ତାଙ୍କୁ ଚାକିରିରୁ ବାହାର କରିଦିଆଗଲା ।

 

ସନାତନ ବାବୁ ଯେଉଁ ଜେଲରେ ଥିଲେ, ସେହି ଜେଲ୍‌କୁ ସେ ଅକସ୍ମାତ୍‍ ଆସି ଦେଖିଲେ ଯେ ସୁପରିଣ୍ଟେଣ୍ଡେଣ୍ଟ ଆସି ନାହାଁନ୍ତି । ତାଙ୍କ ରାଗ ମୁଣ୍ଡ ଉପରକୁ ଚଢ଼ିଗଲା । ସେ ତ ଚାହୁଁଥିଲେ ସନାତନ ବାବୁଙ୍କର କିଛି ଗୋଟାଏ ଖରାପ ଗୁଣ, ତାଙ୍କୁ ଚାକିରିରୁ ବାହାର କରିବାକୁ ।

 

ସେ କହିଥିଲେ ବିରକ୍ତ ହୋଇ, ‘‘ଆସି ଦଶ ପନ୍ଦର ମିନଟ୍‍ ଗଲାଣି । ତାଙ୍କର କ’ଣ ଅଫିସ୍‍ ଟାଇମ ହୋଇନି ? ସେ ଏପର୍ଯ୍ୟନ୍ତ କାହିଁକି ଅଫିସ୍‍କୁ ଆସି ନାହାଁନ୍ତି ?”

 

ତା’ପରେ ସେ ଜେଲରେ ଥିବା ଅନ୍ୟ ରୁମ୍‌ମାନ ବୁଲିଗଲେ । ହଠାତ୍‌ ତାଙ୍କ ଆଖି ଆଗରେ ପଡ଼ିଲା ଯେ ସବିତା ଆସିଛି ଜେଲ୍‌କୁ । ତାଙ୍କର ତ ତା’ଉପରେ ଆଗରୁ ରାଗ ଥିଲା ।

 

ସେ ରାଗିକରି ଭୀଷଣ ଭାବରେ ତାକୁ କହିଲେ, “ସେ କାହିଁକି ବାହାର ଲୋକ ହୋଇ ବି ଜେଲ୍‍ ଭିତରକୁ ଆସିଛି ? ତାକୁ କିଏ କହିଲା ଆସିବାକୁ ? କିଏ ଅନୁମତି ଦେଲା ? କାହାକୁ ସାକ୍ଷାତ୍‍ କରିବାକୁ ଆସିଛି ? ତା’ ପରମିଶନ୍‍ କାର୍ଡ଼ ଦେଖି ! ତାକୁ ଏକୁଟିଆ ଏଠାରେ କିଏ ଛାଡ଼ିଛି-?”

 

ସବିତା ଚିଡ଼ିଉଠି କହିଲା, ‘‘ଆପଣ ଆଜି ଓ୍ୱାର୍ଡ଼େନ୍‍ ହୋଇଯାଇଛନ୍ତି ବୋଲି ଏତେ କଥା କହିବାକୁ ସାହସ କରୁଛନ୍ତି, ମୁଁ ତ ସୁପରିଣ୍ଟେଣ୍ଡେଣ୍ଟଙ୍କ ଝିଅ ।”

 

‘‘ସୁପରିଣ୍ଟେଣ୍ଡେଣ୍ଟଙ୍କ ଝିଅ ହେଲେ କ’ଣ ହେଲା ? ଏଠାରେ ତୁମର କ’ଣ କାମ ଅଛି ? ଏଠାରେ କ’ଣ ତୁମେ ଚାକିରି କରିଛ ?”

 

“ଆପଣ ଯେତେବେଳେ ସୁପରିଣ୍ଟେଣ୍ଡେଣ୍ଟ ଥିଲେ, ସେତେବେଳେ ଆପଣଙ୍କ ସ୍ତ୍ରୀ କିପରି ଜେଲ୍‍ ଭିତରକୁ ଆସୁଥିଲେ ? ତାଙ୍କର ଜେଲ୍‍ ଭିତରେ କ’ଣ କାମ ଥିଲା ? ସେ କ’ଣ ସେ ଜେଲରେ ଚାକିରି କରିଥିଲେ ? ସେ କ’ଣ ମାଜିଷ୍ଟ୍ରେଟଙ୍କଠାରୁ ପରମିଶନ୍‍ ଆଣୁଥିଲେ ।”

 

ଏପରି କଡ଼ା ଉତ୍ତର ଶୁଣି ପ୍ରଭାତ ଚୁପ୍‍ ରହିଗଲେ । ତା’ପରେ ସବିତା ଚାଲିଯାଇଥିଲା ଜେଲ୍‍ରୁ ବାହାରି । ସନାତନ ବାବୁ ଏ ଖବର ପାଇ ଶୀଘ୍ର ଚାଲିଆସି ଥରି ଥରି ପ୍ରଭାତ ବାବୁଙ୍କୁ କହିଥିଲେ “ମାଫ୍‍ କରନ୍ତୁ ସାହେବ ! ମୋର ଭୁଲ୍‍ ହୋଇଯାଇଛି । ଆଉ ସେପରି ଭୁଲ୍‍ କେବେ ହେବନି ।”

 

“ହୁଁ ! ଆଉ ସେପରି ଭୁଲ୍‍ କେବେ ହେବନି ! ଏଇଟା କ’ଣ ତୁମ ବାପର ଜମିଦାରୀ ? ତୁମେ ଯଦି ସବୁଦିନ ଠିକ୍‌ ସମୟରେ ଅଫିସ୍‍କୁ ଆସି ନ ପାରୁଛ, ତା’ହେଲେ ଇସ୍ତଫା ଦିଅ । ଆମ ଦେଶରେ ଢେର ଲୋକ ଅଛନ୍ତି ଏ କାମ କରିବାକୁ, ଯେଉଁମାନେ ଠିକ୍‌ ସମୟରେ ଅଫିସ୍‍କୁ ଆସିପାରିବେ ଓ ତୁମଠାରୁ ବହୁତ ଭଲ କାମ କରିବେ ।”

 

“ଆଜ୍ଞା ମାଫ୍‍ କରିବେ ।’’

 

“ଚୁପ୍‌ କର । ମୋ ଆଗରେ ମାଫ୍‍ ଫାଫ୍‍ କିଛି ନାହିଁ । ମୋ ଜୀବନରେ ଆଜି ପର୍ଯ୍ୟନ୍ତ ମୁଁ କାହାକୁ କ୍ଷମା ଦେଇନି କି କାହାକୁ କ୍ଷମା ଦେବିନି । ତେଣୁ ମୋ କଥା ପାଳିବାକୁ ତୁମକୁ ପଡ଼ିବ-! ମୁଁ ନିଜେ ଦୋଷ କଲେ କାହାଠାରୁ ଅନୁଗ୍ରହ ବା ଦୟା ଭିକ୍ଷା କରେନା । ମୁଁ ଦଣ୍ଡ ପାଇବାକୁ ପ୍ରସ୍ତୁତ ହୋଇ ଦେହ ସଙ୍ଗେ ସଙ୍ଗେ ଦେଖାଏ । ତୁମକୁ ସାଇନ୍‍ କରିବାକୁ ପଡ଼ିବ ଏଥିରେ । ତୁମେ, ମୋ ଆଗରେ ଲେଖ ।’’

 

“କ’ଣ ଲେଖିବି ?”

 

ସେ ଲେଖିବାକୁ କାଗଜ କଲମ ଦେଇ କହିଥିଲେ, “ଲେଖ ! ମୁଁ ଆଉ ଯଦି କେଉଁଦିନ ଅଫିସ୍‍କୁ ଆସିବାରେ ମିନଟିଏ ବି ଲେଟ୍‍ କରେ, ମୁଁ ନିଜ ଇଚ୍ଛାରେ ଇସ୍ତଫା ଦେବି ବା ଚାକିରିରୁ ବାହାରି ଯିବି ।”

 

“ସାର୍‍ ।’’

 

“ମୋ କଥା ଲେଖ ।”

 

“କିନ୍ତୁ ।’’

 

“ସେ କଥା ହୋଇପାରିବନି । ତୁମକୁ ଲେଖିବାକୁ ପଡ଼ିବ ।” ଏପରି କହି .ଏକଥା ଲେଖିବାକୁ ତାଙ୍କୁ ବାଧ୍ୟ କରାଗଲା । ସେ ଏସବୁ ଲେଖିଥିଲେ ।

 

ଠିକ୍‌ ତା’ ପରଦିନ ଠିକ୍‌ ସମୟରେ ପ୍ରଭାତ ବାବୁ ସେହି ଜେଲ୍‍କୁ ଆସିଥିଲେ । ସେତେବେଳକୁ ଧଡ଼ପଡ଼ ହୋଇ ନିଜ ଅଫିସ୍‍କୁ ସନାତନ ବାବୁ ଚାଲି ଆସୁଥାନ୍ତି । କିନ୍ତୁ ପ୍ରକୃତରେ ଦୁଇ ମିନିଟ୍‌ ଡେରି ହୋଇଯାଇଥିଲା । ଏହି ସୁଯୋଗକୁ ପ୍ରଭାତ ବାବୁ ଚାହୁଁଥିଲେ ।

 

ସେ କହିଥିଲେ, “ଆଜି କେତେ ମିନିଟ୍‍ ଡେରି ହୋଇଛି ?’’

 

‘‘ସାର୍‍, ମୁଁ ଠିକ୍‌ ସମୟରେ ଆସିଛି ।”

 

“ତୁମ ଘଡ଼ିକୁ ଦେଖ ।’’

 

ସେ ବାଧ୍ୟହୋଇ ନିଜ ଘଡ଼ିକୁ ଦେଖିଥିଲେ । ସେ ଜାଣିପାରିଲେ ଯେ ଦୁଇ ମିନିଟ୍‍ ଡେରି ହୋଇଯାଇଛି ।

 

ସେ କହିଥିଲେ ଦୁଃଖ ପ୍ରକାଶ କରି, ‘‘ସାର୍‌, ମୋତେ ଏଥର କ୍ଷମା ଦିଅନ୍ତୁ । ମୁଁ କାଲିଠାରୁ ଅଫିସ୍‍ ଟାଇମ୍‌ ଆଗରୁ ପ୍ରତିଦିନ ପାଞ୍ଚମିନିଟ୍‍ ପୂର୍ବରୁ ଆସି ପହଞ୍ଚିବି ।”

 

“ସେକଥା ହୋଇପାରିବନି । କାଲି ଲେଖିଥିବା କାଗଜ ବାହାର କର । କ୍ଷମାର ପ୍ରଶ୍ନ ନାହିଁ ।”

 

ନିଜ ଆଖିରୁ ଲୁହ ଗଡ଼ାଇ ସେ ପ୍ରଭାତ ବାବୁଙ୍କ ପାଦତଳେ ପଡ଼ି ଗୁହାରି କରିଥିଲେ । ମାତ୍ର ସବୁ ବୃଥା । ପ୍ରଭାତ ବାବୁ ଜିଦ୍‍ ଧରିଥିଲେ ତାଙ୍କୁ ଚାକିରିରୁ ବାହାର କରିବାକୁ । ସେ ଏମିତି ଡିଫେକ୍‍ଟକୁ ଯଦି ଛାଡ଼ିଦେବେ, ଆଉ ସେ ଭବିଷ୍ୟତରେ ସନାତନ ବାବୁଙ୍କର କୌଣସି ଦୋଷ ନିଜେ ଧରି ପାରିବେନି । ତାଙ୍କରି କଥା ରହିଲା । ସେ ହେଉଛନ୍ତି ୱାର୍ଡ଼େନ୍‍ । ତାଙ୍କ କଥା ଆଜି କିଏ, ଅମାନ୍ୟ କରିବ ?

 

ସନାତନ ବାବୁ ନିଜ ଇଚ୍ଛାରେ ଇସ୍ତଫା ପତ୍ର ଲେଖିଥିଲେ । ପ୍ରଭାତ ବାବୁ ଏବଂ ସିନି ଦୁହେଁ ହସିଥିଲେ ।

 

ସିନି କହିଥିଲେ, ‘‘ଗୋଟିଏ କଣ୍ଟା ଗଲା ।”

 

ପ୍ରଭାତ କହିଥିଲେ, ‘‘ଆଉ କିଛି ଅସୁବିଧା ହେବନି । ସେ ଆଉ ଆମ ବିରୁଦ୍ଧରେ କିଛିହେଲେ କରିପାରିବନି । ସେ ଡାଳେ ଡାଳେ ଗଲେ, ଆମେ ପତ୍ରେ ପତ୍ରେ ଯିବୁ । ସେ ପତ୍ରେ ପତ୍ରେ ଗଲେ ଆମେ ଶିରା ପ୍ରଶିରାରେ ଯିବୁ ।”

 

ସନାତନ ବାବୁଙ୍କର ଭାଗ୍ୟବିପର୍ଯ୍ୟୟ ଘଟିଲା । ତାଙ୍କୁ ଚବିଶ ଘଣ୍ଟା ମଧ୍ୟରେ କ୍ଵାଟର୍ସ ଛାଡ଼ିବାକୁ କୁହାଗଲା । ସେ ବାଧ୍ୟହୋଇ ଏ ନିର୍ଦ୍ଦେଶ ମାନି ଥିଲେ ।

 

ଉଜ୍ଜଳକୁ ସବିତା ଶେଷ ଦିନ ଲୁହଭରା ଆଖିରେ ଭେଟି କହିଥିଲା, “ଆମର ସବୁଯାକ ସୁଖର ଦିନ ଶେଷ ହୋଇଯାଇଛି ଉଜ୍ଜଳ । ଆଜି ଆମର ଶେଷ ଦିନ । ଆଉ ଆମେ ଦୁହେଁ କେବେହେଲେ ମିଳିପାରିବା ନାହିଁ ।”

 

କାନ୍ଦି କାନ୍ଦି ଉଜ୍ଜଳ କହିଥିଲା, “ତୁମେ ମୋରି ଯୋଗୁଁ ଏତେ କଷ୍ଟ ପାଇଲ । ମୋରି ଯୋଗୁଁ ତୁମ ବାପାଙ୍କୁ ସେ ଚାକିରିରୁ ବାହାର କରି ଦେଲା । ମୁଁ ତୁମକୁ ଛାଡ଼ି ରହି କିପରି ବଞ୍ଚିବି ?”

 

‘‘ମୋ ଅବସ୍ଥା ମଧ୍ୟ ସେଇଆ ।”

 

“ମୁଁ ତୁମକୁ କିପରି ଚିଠି ଦେବି ?”

 

“ମୋ ଠିକଣା ତୁମେ ଦିନେ ଦୁଇଦିନ ମଧ୍ୟରେ ପାଇବ । ଆମେ ଏଠାରୁ ବାହାରି ଗୋଟିଏ ଛୋଟିଆ ଭଡ଼ା ଘରେ ରହିବୁ । ତୁମ ଉପରେ ସେ ଦୁହେଁ ନିଶ୍ଚୟ ଏଥର ପ୍ରତିଶୋଧ ନେବେ । ଆମେ ଅଳ୍ପ କିଛି ଦିନ ଦୁଃଖରେ ଚଳିବୁ । ବାପା ପୂରା ମନଦୁଃଖରେ ଭାଙ୍ଗିପଡ଼ିଛନ୍ତି । କାହାକୁ ହେଲେ କଥା ପଦେ ବି କହୁନାହାଁନ୍ତି । ମୁଁ ଏଇ ଭିତରେ ଚାକିରିଟିଏ ପାଇଁ ଯୋଗାଡ଼ କରୁଛି ।”

 

ଆଖିରୁ ଲୁହ ଝରାଇ ଜୀବନର ଶେଷଥର ପାଇଁ ଦୁହେଁ ପରସ୍ପରକୁ ଚୁମ୍ବନ ଦେଇଥିଲେ-। ସବିତା ମଧ୍ୟ ମୁନାକୁ ଟିକିଏ ଆଣିଥିଲା ଉଜ୍ଜଳ ପାଖକୁ । ଉଜ୍ଜଳ ଆଖି ପୂରାଇ ଦେଖିଥିଲା । ତାକୁ ସେ କୋଳାଇ ଧରିଥିଲା । ତା’ ମଥାରେ ଚୁମା ଦେଇଥିଲା । ସେ କହିଲା, “ମୁନା ତୁମକୁ ଲାଗିଲା-।” ସବିତାର ଆଖି ଛଳଛଳ ହୋଇଯାଇଥିଲା । ସେ ‘ବାପା ବାପା’ ମଧ୍ୟ କହିଥିଲା ।

 

ସବିତା ମୁନାକୁ କହିଥିଲେ, “ମୁନା ! ତୁ ଥରେ ତୋ ନିଜ ବାପାଙ୍କୁ ଆଖି ପୂରାଇ ଦେଖିଥା । ଆଉ କେବେ ଦେଖିପାରିବୁନି । ତୋ ଭାଗ୍ୟରେ ଆଉ ନାହିଁ ।”

 

ସେ ପିଲା ଲୋକ । କ’ଣ ବା ବୁଝିବ ?

 

ଏତେ ଦୁଃଖରେ କ’ଣ ବା ଲୁହ ସମ୍ବରଣ କରି ରହିପାରିବ !

 

ବିଦାୟ ନେଇ ସବିତା ଚାଲିଆସିଥିଲା ଘରକୁ ।

 

ସନାତନ ବାବୁଙ୍କୁ ଏଇଟା ବହୁତ ବାଧିଲା । ସେ ଆସି ଗୋଟିଏ ଛୋଟିଆ ଭଡ଼ା ଘରେ ରହିବାର ବ୍ୟବସ୍ଥା କଲେ । କିଛି ରୋଜଗାର ନାହିଁ । ବ୍ୟାଙ୍କରେ ତାଙ୍କ ନାଁରେ ଯାହା ଯାହା ଅଛି ସବୁ ସରି ସରି ଆସୁଛି । କିପରି ସଂସାର ଚଳିବ ? ତାଙ୍କ ମନରେ ବହୁତ କଷ୍ଟ ।

 

ଉଜ୍ଜଳକୁ ଟ୍ରାନ୍‍ସଫର କରିଦିଆଗଲା ପ୍ରଭାତ ବାବୁଙ୍କ ନିର୍ଦ୍ଦେଶରେ । ସେ ପୂର୍ବରୁ ଯେଉଁ ଜେଲରେ ଥିଲା, ଠିକ୍‍ ସେହି ଜେଲକୁ ସେ ଆସିଲା । ଠିକ୍‍ ସେହି ଦୁଇଶ ବତିଶ ନମ୍ବର ରୁମରେ ସେ ରହିଲା । ତା’ପରେ ତା’ ଉପରେ ଆରମ୍ଭ ହୋଇଗଲା ପୁଣି ସେହି ଅମାନୁଷିକ ଅତ୍ୟାଚାରର ଝଡ଼ । ଏଥର ପୁଣି ଅଧିକ ପ୍ରବଳ ଓ ପ୍ରଖର ବେଗରେ ଏ ପ୍ରଳୟଙ୍କରୀ ଝଡ଼ ବହିବାକୁ ଲାଗିଲା । ସବୁଦିନ ସେହି ଦୁଇଶହ ବତିଶ ନମ୍ବର ରୁମରେ ଲୁହା ରଡ଼ ଏବଂ ବେଲ୍‌ଟ ବ୍ୟବହାର ହେଲା ।

 

(୫୬)

 

ଅନେକ ଦିନ ଚାଲିଗଲା । ସବୁଦିନ ଉଜ୍ଜଳ ନିଜ ଭାଗ୍ୟରେ ଲେଖାଥିବା ଦଣ୍ଡ ସେ ଭୋଗ କରୁଥିଲା ।

 

ଦିନ ଆସିଲା । ତାହା ଅତି ଅସହ୍ୟ ହୋଇ ଉଠିଲା । ଉଜ୍ଜଳ ସମ୍ଭାଳିବା ପରି କହିଥିଲା, ‘‘ମୋତେ ମାରିଦିଅ । ଗୁଳି କରିଦିଅ । ଏତେ କଷ୍ଟ ଦିଅନି । ସହିହେଉନି । ମୁଁ ତୁମ ବାପମା’ଙ୍କୁ କଷ୍ଟ ଦେଇନି । ମୁଁ ଗୁଳିକରି ଅଳ୍ପକେ ମାରିଦେଇଛି । ତମେ ସେମିତି ମୋତେ ଗୁଳି କରିଦିଅ ।” ସେମାନଙ୍କ ଗୋଡ଼ତଳେ ପଡ଼ି ସେ କାନ୍ଦି କାନ୍ଦି କହିଥିଲା ବିଶେଷ ଭାବରେ ଅନୁରୋଧ କରି ।

 

ହସି ହସି ଦୁହେଁ କହିଥିଲେ, ‘‘ତୋତେ ଆମେ ସେମିତ ଏତେ ସହଜରେ ମାରିଦେବୁନି-। ବହୁତ କଷ୍ଟ ଦେଇ ଦେଇ ଶେଷରେ ଆମେ ମାରିବୁ ।”

 

ଶେଷରେ କ’ଣ ଭାବି ସେ ସବିତା ପାଖକୁ ଗୋଟିଏ ଚିଠି ପଠାଇଥିଲା । ସେହି ଗୁପ୍ତଭାଷା ପ୍ରୟୋଗ କରି ସେ ଏ ଚିଠି ଲେଖିଥିଲା । ସବିତାର ଠିକଣା ତ ପାଇଯାଇଥିଲା ପୂର୍ବରୁ ।

 

ଚିଠିଟି ଚେକିଂ ହୋଇ ସବିତାଙ୍କ ପାଖକୁ ଯାଇଥିଲା । ସବିତା ଏ ଚିଠିଟି ପଢ଼ିଥିଲେ ।

 

ଉଜ୍ଜଳ ଉପରେ ହେଉଥିବା ଅତ୍ୟାଚାରର ବିବରଣୀ ଏଥିରେ ଲେଖାଥିଲା ।

 

ସେଥିରେ ଲେଖା ଥିଲା, “ମୁଁ ଆଉ ପାରୁନି । ମୁଁ ଏତେ ଅତ୍ୟାଚାର ସମ୍ଭାଳିପାରୁନି । ଅତ୍ୟାଚାର ଦିନକୁ ଦିନ ବଢ଼ୁଛି । ମୋତେ ତୁମେ ସାହାଯ୍ୟ କରିପାରିବ ? ତୁମେ ମୋତେ ଗୋଟିଏ ଜିନିଷ ଦେଇପାରବ ? ମୁଁ ତୁମକୁ ହାତ ପତେଇ ମାଗୁଛି । ମୋର ସେଇଟି ବହୁତ ଦରକାର । ତୁମେ ଜାଣ ମୁଁ ତୁମକୁ କେତେ ଭଲପାଏ । ତୁମ ଛଡ଼ା ମୋର ଏ ଦୁନିଆରେ କେହି ନିଜର ହୋଇ ନାହିଁ । ତୁମ ଛଡ଼ା ମୋତେ ଏ ଦିଗରେ ଅନ୍ୟ କେହି ସାହାଯ୍ୟ କରିପାରିବେନି । ମୁଁ ଏ ଜେଲରେ ଆଉ ରହିବାକୁ ଚାହେଁନା । ତୁମେ ଲୁଚାଇ କରି ଗୋଟିଏ ଗୁଳିଭରା ରିଭଲ୍‌ଭର୍‍ ଆଣିବ । ଜେଲରେ ୱାର୍ଡ଼ରମାନଙ୍କୁ କିଛି ଲାଞ୍ଚ ଦେବାକୁ ଚେଷ୍ଟା କରିବ । ସେ ପାଖକୁ ଆସି ମୋତେ ଏଇଟିକୁ ଖୁବ୍‍ ସାବଧାନତାର ସହିତ ଲୁଚାଇ ଦେଇଯିବ । ଯଦି ରିଭଲ୍‌ଭର୍‍ ନ ମିଳିବ, କିଣିବାକୁ ପଛାଇବ ନାହିଁ । ଯେତେ ଦାମ୍‍ ପଡ଼ୁ ପଛେ ଚେଷ୍ଟା ନିଶ୍ଚୟ କରିବ । ସେଇଟି ନ ହେଲେ ମୁଁ ଖସି ଯାଇ ପାରିବିନି । ମୋତେ ଏ ଜୀବନରେ ଏତିକି ମାତ୍ର ସାହାଯ୍ୟ କର । ତୁମେ ଯଦି ସେଇ ଗୋଟିକ ଆଣ, ମୁଁ ଯାହା ଚାହେଁ, ମୋତେ ତୁମେ ଆଜି ପର୍ଯ୍ୟନ୍ତ ଯେତେ ସାହାଯ୍ୟ କରି ଆସିଛ, ତାହା ମଧ୍ୟରେ ଏଇଟି ସବୁଠାରୁ ବଡ଼ ସାହାଯ୍ୟ ବୋଲି ଧରାଯିବ । ଆମେ ଏଥର ନିଶ୍ଚୟ ବିଦେଶକୁ ଚାଲିଯିବା । ମୁଁ ଆଉ ସହିପାରୁନି ଏତେ କଷ୍ଟ । ଏ ଚିଠିଟି ପଢ଼ି ସବିତା ଆଖିରୁ କିପରି ଲୁହ ଝରି ନ ଆସିବ ?

 

(୫୭)

 

“ମୁରାରୀ ମୁରାରୀ ! କ’ଣ ଢୁଳାଉଛ ? ହଠାତ୍‍ ନିଦରୁ ଉଠିପଡ଼ି ଆଖି ଖୋଲି ମୁରାରୀ ଦେଖିଲା ଯେ ଏ ହେଉଛନ୍ତି ସବିତା । ସଙ୍ଗେ ସଙ୍ଗେ ସେ ଗେଟ୍‍ ଖୋଲିଦେଇ ତାଙ୍କୁ ଭିତରକୁ ଟାଣିଆଣି ପୁଣି ଗେଟ୍‍ ବନ୍ଦ କରିଦେଇ କହିଲା, ‘‘କେମିତି ଅଛ ? ବାପା କେମିତି ଅଛନ୍ତି ?”

 

‘‘ସେମିତି ।”

 

“ପୁଅ କେମିତି ?”

 

‘‘ସେମିତି ।”

 

“ଏ ୱାର୍ଡ଼େନ୍‍ ଏତେ ଖରାପ । କେହି ତାଙ୍କୁ ଭଲ ପାଇବେନି । ତାଙ୍କରି ଯୋଗୁଁ ତୁମ ବାପାଙ୍କ ପରି ଭଲ ମଣିଷ ଚାକିରିରୁ ତଡ଼ା ଖାଇଲେ, ଆମ ଅବସ୍ଥା କ’ଣ ହେଉଛି ଦେଖ ।”

 

‘‘ସେ ବର୍ତ୍ତମାନ ଏଇ ଜେଲରେ ଅଛନ୍ତି କି ? ଯଦି ଅଛନ୍ତି ମୁଁ ଯାଉଛି । ପରେ ଆସିବି ଯେତେବେଳେ ସେ ଚାଲିଯିବେ ।”

 

‘‘ନା ନା, କିଛି ଭୟ କରନା । ସେ ନାହାଁନ୍ତି ।”

 

“ଆଚ୍ଛା ସୁପରିଣ୍ଟେଣ୍ଡେଣ୍ଟ ଅଛନ୍ତି ?”

 

‘‘ନା କେହି ନାହାଁନ୍ତି ।”

 

“ସେଦିନ ମୋତେ ପ୍ରଭାତ ବାବୁ କଡ଼ା ଭାବରେ ଶୁଣାଇ ଦେଲେ । ଏ ଜେଲ୍‌କୁ ତୁମେ କାହିଁକି ଆସିଛ ? ଏଠାରେ କ’ଣ ତୁମେ ଚାକିରି କରିଛ ? ତୁମ ବାପା ଏଠାରେ ସୁପରିଣ୍ଟେଣ୍ଡେଣ୍ଟ ଅଛନ୍ତି ବୋଲି କ’ଣ ଏ ଜେଲ୍‍ଟା ତୁମ ଘର ନା ଜମିଦାରୀ ?”

 

“ସେ ଯେତେବେଳେ ସୁପରିଣ୍ଟେଣ୍ଡେଣ୍ଟସ ଥିଲେ କେମିତି ତାଙ୍କ ପ୍ରେମିକା ବା ସ୍ତ୍ରୀ ଜେଲ୍‍କୁ ଥରକୁ ଥର ଆସୁଥିଲେ ?”

 

“ମୁଁ ତ ସେଇକଥା କହୁଥିଲି ।”

 

“ଆଜିକାଲି ଏ ୱାର୍ଡ଼େନ୍‍କୁ ମଣିଷ ଭୟ କଲାଣି । ମୋତେ ଆଦୌ ଏଥିପାଇଁ ଏ ଜେଲରେ ରହିବାକୁ ଭଲଲାଗୁନି । ଉଜ୍ଜଳକୁ ଏଥର ସେ ଦିନରାତି କଷ୍ଟ ଦେଉଛି ।”

 

ସବିତାର ଆଖି ଛଳଛଳ ହୋଇଗଲା ।

 

ମୁରାରୀ ଏହା ଦେଖି କହିଲା, “ନା ମା’ ତମେ କାନ୍ଦନା । ସବୁ ଭଗବାନ ଦେଖୁଛନ୍ତି । ସେ ତାକୁ ନିଜେ ଶାସ୍ତି ଦେବେ । ତୁମ ଦୁଃଖ ମୁଁ ଜାଣେ । ତୁମେ ଦୁହେଁ ସେଦିନ ଲୁଚି ଜେଲ୍‍ରୁ ଖସି ଚାଲିଯିବାକୁ ବାହାରି ଥିଲ । ମାତ୍ର ପାରିଲନି । ସେଇଥିପାଇଁ ତୁମ ଜୀବନରେ ସୁଖ ବୋଲି ଜିନିଷ ନାହିଁ । ତୁମେ ଉଜ୍ଜଳକୁ ଏତେ ଭଲପାଅ । ତା’ ଉପରେ ହେଉଥିବା ଅତ୍ୟାଚାର ତୁମେ କିପରି ସହିବ ?”

 

“ମୁଁ ତାଙ୍କ ସାଙ୍ଗରେ ଟିକିଏ କଥାବାର୍ତ୍ତା ହେବାକୁ ଆସିଥିଲି ।”

 

ଏହା କହି ସେ ନିଜ ପକେଟରୁ କେତେଗୁଡ଼ାଏ ଟଙ୍କା ବାହାର କରି ମୁରାରୀ ପକେଟରେ ଭର୍ତ୍ତି କରିଦେଲା । ମୁରାରୀ ଏତେଗୁଡ଼ାଏ ଟଙ୍କା ସେ ଦେବାର କେବେ ଦେଖିନଥିଲା ।

 

ସେ ଆଶ୍ଚର୍ଯ୍ୟ ହୋଇ କହିଲା, ‘‘ଯା ମା’, ଯା ଉଜ୍ଜଳ ପାଖକୁ । କିନ୍ତୁ ଏତେଗୁଡ଼ାଏ ଟଙ୍କା-?”

 

“ମୁଁ ବେଶୀ ଆଣିପାରିଲିନି । ବେଶୀ ନ ଥିଲା । ଗରିବ ଲୋକ । ବାପାଙ୍କୁ ତ ଚାକିରିରୁ ତଡ଼ା ହୋଇଗଲା । ଯଦି ବାପା ତଡ଼ା ହୋଇ ନ ଥାନ୍ତେ, ଓ ଆମ ଅବସ୍ଥା ଭଲଥାନ୍ତା, ମୁଁ ନିଶ୍ଚୟ ଅଧିକ ଦେଇଥାନ୍ତି ।”

 

ଏତେଗୁଡ଼ାଏ ଟଙ୍କା ଦେଖି ସେ ପ୍ରଥମେ ବହୁତ ଖୁସି ହୋଇଗଲା । ସେ ତା’ ପାଖରେ ଥୁବା ଜଣେ ୱାର୍ଡ଼ରକୁ ସାଙ୍ଗରେ ଯିବାକୁ ମଧ୍ୟ କହିଥିଲା । ଏ ଜେଲ୍‍ର ସମସ୍ତ ୱାଡ଼ର ସବିତାଙ୍କୁ ଚିହ୍ନନ୍ତି ଓ ଜାଣନ୍ତି । ତେଣୁ ସମସ୍ତେ ଖୁସି ହୋଇଗଲେ ସେ ଆସିବାରୁ । ସେ ଆସିଛନ୍ତି ଗୁପ୍ତରେ ନିଶ୍ଚୟ ଟିକିଏ ଉଜ୍ଜଳକୁ ଦେଖା କରିବାକୁ ! ହଉ ସେ ଦୁଇଜଣଯାକ ପ୍ରେମିକ ପ୍ରେମିକା । ଟିକେଏ ଦେଖାସାକ୍ଷାତ ହୁଅନ୍ତୁ । ତାଙ୍କ ରାସ୍ତାରେ ଛିଡ଼ାହୋଇ ପ୍ରତିବନ୍ଧକ ସୃଷ୍ଟି କରିବା ଆଦୌ ଭଲ ନୁହେଁ । ପାପ ହେବ ସେପରି କଲେ । ତାଙ୍କର ଏ ପ୍ରେମ ବିଷୟ ଜେଲରେ କିଏ ବା ନ ଜାଣେ ?

 

ମୁରାରୀ ନିର୍ଦ୍ଦେଶରେ ସବିତା ସାଙ୍ଗରେ ଜଣେ ୱାର୍ଡ଼ର ଯାଇଥିଲା ! ପୂର୍ବରୁ କେବେ କୌଣସି ୱାର୍ଡ଼ର ଯାଉନଥିଲେ ସେ ଉଜ୍ଜଳ ସଙ୍ଗେ କଥାବାର୍ତ୍ତା କରିବାକୁ ଗଲାବେଳେ । ପୂର୍ବ କଥା ମନେପକାଇ ତା’ ଆଖି ଛଳଛଳ ହୋଇଗଲା । ଅତୀତ କଥା ମନେପକାଇବା କଥା ନୁହେଁ । ସେତେବେଳେ ତାଙ୍କ ବାପା ସୁପରିଣ୍ଟେଣ୍ଡେଣ୍ଟ ଥିଲେ ଏ ଜେଲ୍‍ର ଏବଂ ସେ ଥିଲେ ତାଙ୍କ ଗେହ୍ଲା ଝିଅ । ଏତେ କଥା ଭାବିଲେ ସବୁ ସମୟ ନଷ୍ଟ ହୋଇଯିବ । ସେ ସଙ୍ଗେ ସଙ୍ଗେ ଉପରକୁ ଉଠିଗଲା । ସେ ଦୁଇଶହ ବତିଶ ନମ୍ବର ରୁମ୍‍ ପାଖକୁ ଆସିଲା । ସେ ପର୍‌ମିଶନ୍‍ ଆଣି ଆସିନି । ଲୁଚିକି ଆସିଛି । ଲାଞ୍ଚ ନେଇ ଆସିଛି । ପୂର୍ବରୁ ସେ ଚାବି ଆଣି ଆସୁଥିଲା । ମାତ୍ର ଆଜି ତା’ ହାତରେ ଚାବି ନାହିଁ । ସେ ଝରକା ପାଖକୁ ଆସିଲା । ଝରକାଟି ଖୋଲା ଥିଲା । ଲୁହା ବାଡ଼ ପଡ଼ିଛି-। କାଚଦ୍ଵାରା ବନ୍ଦ ହୋଇଛି । ଖଣ୍ଡେ କାଚ ଭାଙ୍ଗି ଯାଇଛି ମଝିରୁ । ଉଜ୍ଜଳ ଯାହାହେଉ ସେତେବେଳେ ସମ୍ପୂର୍ଣ୍ଣ ଜାଗ୍ରତ ଅବସ୍ଥାରେ ଥିଲା । ସେ ସିବିତାକୁ ସେଠାରେ ଦେଖି ସଙ୍ଗେ ସଙ୍ଗେ ଚମକିପଡ଼ିଲା ଓ ଖୁସି ହୋଇଗଲା । ୱାର୍ଡ଼ର ତାଙ୍କ ପାଖରେ ଛିଡ଼ା ହୋଇଛି ବୋଲି ସବିତା ଉଜ୍ଜଳକୁ ଗୋଟିଏ ଆଖି ଆଙ୍ଗୁଠି ସାହାଯ୍ୟରେ ବନ୍ଦକରି ଆଖି ଠାରିବାର ଏକ ଆଧୁନିକ କୌଶଳ ପ୍ରୟୋଗ କରି ଜଣାଇଦେଲା । ସତେ ଯେପରି ସେ ଆଖି କୁଣ୍ଡାଇବାକୁ ଆଖିରେ ହାତ ମାରୁଛି ।

 

ପ୍ରକୃତରେ ଦୁହେଁ ସେ ଲୋକକୁ ପାଖରେ ଛିଡ଼ାହେବାକୁ ଚାହୁଁନଥିଲେ ।

 

ଉଜ୍ଜଳ ଏବଂ ସବିତା ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହେଲା । ଉଜ୍ଜଳ କହିଉଠିଲା, ‘‘ସବିତା, ତୁମ ଓଠ ଦୁଇଟି କିପରି ସୁନ୍ଦର ! ଏତେ ସୁନ୍ଦର ଓଠ ଏ ପୃଥିବୀରେ ମୁଁ କେଉଁଠାରେ ଦେଖିନି ।”

 

“ଉଜ୍ଜଳ !”

 

“ଆମ ନୂଆ ଭାଷା ବହୁତ କାମରେ ଆସିଲା । ଆମେ ସେପରି ଗୋଟିଏ ଭାଷା ସୃଷ୍ଟି କରିନଥିଲେ, ଏତେ କାମ ହୋଇପାରିନଥାନ୍ତା ଓ ଆମେ ନିଶ୍ଚୟ ଅଧିକ ହଇରାଣରେ ପଡ଼ିଥାନ୍ତେ । ମୁଁ ତୁମକୁ କୌଣସି ଖବର ପଠାଇପାରିନଥାନ୍ତି । ପ୍ଲିଜ୍‍ ସବିତା ପ୍ଲିଜ୍‍ । ମୋ କଥା ତୁମେ ରଖିବ ?”

 

“ହଁ କୁହ ।”

 

“ପ୍ରତିଜ୍ଞା କର ।”

 

“ହଁ ।”

 

“ତୁମେ ଗୋଟିଏ ଜିନିଷ ଦେଖାଇପାରିବ ?” ଉଜ୍ଜଳ ଆଖି ଠାରିଲା ।

 

“କ’ଣ ?” କିଛି ବୁଝିନପାରି ସବିତା ପଚାରିଲା ।

 

“ତୁମର ଗୋଟିଏ ବ୍ରେଷ୍ଟ ମୋତେ ଦେଖାଇପାରିବ ?”

 

ସବିତାର ଆଖି ଛଳଛଳ ହୋଇଗଲା ।

 

“ଓକେ । ତମେ ଭାରି ସେକ୍‍ସଷ୍ଟାର୍ଭଡ଼ । ନ ହେବ ବା କିପରି ? ସଦାବେଳେ ଜେଲରେ ବନ୍ଧାହୋଇ ରହିଲ । ହଁ ମୁଁ ଦେଖାଇବି ବର୍ତ୍ତମାନ ନିଶ୍ଚୟ । ଅପେକ୍ଷା କର ।”

 

‘‘ମୋ ଜୀବନଯାକ ଆଉ କେବେ ଦେଖିପାରିବିନି ।”

 

ସବିତା ନିଜ କମିଜ୍‌ର ଚେନ୍‍ ଟାଣିଆଣିଲା । ଏଥର ସେ ପାଖରେ ଛିଡ଼ା ହୋଇଥିବା ୱାର୍ଡ଼ର ଆଡ଼େ ଚାହିଁଲା । ଏ ଦୁହେଁ ଯାହା ଯାହା କଥାବାର୍ତ୍ତା ହୋଇଗଲେ, ସବୁଯାକ ଗୋଟି ଗୋଟି ହୋଇ ୱାର୍ଡ଼ର କାନ ଭିତରେ ଥିବା ଇଅରଡ୍ରମରେ ପ୍ରତିଧ୍ଵନିତ ହେଉଥିଲା ।

 

ସେ ଜାଣିପାରିଲା ସବିତା କ’ଣ କରିବାକୁ ଯାଉଛନ୍ତି । ତେଣୁ ସେ ସେଠାରେ ଛିଡ଼ା ହେବା ଆଦୌ ଉଚିତ ହେବନି ।

 

ସେ ଅଳ୍ପ ଦୂରକୁ ଚାଲିଗଲା । ତା’ପରେ କ’ଣ ଭାବି ଆଉ ଟିକିଏ ଦୂରକୁ ଚାଲିଗଲା । ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ପ୍ରତିବନ୍ଧକ ସୃଷ୍ଟି କଲାଭଳି କାମ କରିବା ଅନୁଚିତ ।

 

ସଙ୍ଗେ ସଙ୍ଗେ ସବିତାଙ୍କ ଛାତିର ଗୋଟିଏ ପଟ ଅନାବୃତ ହୋଇଗଲା । ଉନ୍ନତ ଉଦ୍ଧତ ମାଂସବର୍ତ୍ତୁଳ । ମାଂସରେ ପୂରି ରହି ଚକ୍‍ ଚକ୍‍ କରୁଛି । ଝରକା କାଚ ଆରପାଖରେ ଥିବା ଉଜ୍ଜଳ ଆଖିର ରେଟିନା ଭିତରେ ଏ ଦୃଶ୍ୟ ନିଶ୍ଚୟ ପ୍ରତିଫଳିତ ହୋଇଥିବ । ସେ ଲୋକଟି ଦୂରକୁ ଚାଲିଯାଇଥିବା କଥା ସବିତା ଆଖିଠାରି ଜଣାଇଦେଲା ।

 

ଉଜ୍ଜଳ ମଧ୍ୟ ଆଖିଠାରି କହିଲା, ‘‘ତୁମ ଛାତିକୁ ଏଥର ଘୋଡ଼ାଇ ଦିଅ । ସେ ଘୋଡ଼ାଇ ଦେଇ ଏହି ଅବସର ମଧ୍ୟରେ ସଙ୍ଗେ ସଙ୍ଗେ ନିଜ ଚେନ୍‍ ଫିଟାଇ ସବିତା ନିଜ ପ୍ୟାଣ୍ଟ ମଧ୍ୟରୁ ଗୋଟିଏ ଗୁଳିଭରା ରିଭଲ୍‌ଭର୍‍ ବାହାର କଲା । ସେହି ଭଙ୍ଗାକାଚ ମଧ୍ୟ ଦେଇ ସେଇଟିକୁ ସେ ଉଜ୍ଜଳକୁ ବଢ଼ାଇ ଦେଇଥିଲା । ଉଜ୍ଜଳ ସେଇଟିକୁ ସଙ୍ଗେ ସଙ୍ଗେ ଗ୍ରହଣ କରି ବହୁତ ଖୁସି ହୋଇଯାଇ ଗୋଟିଏ ମୁହୂର୍ତ୍ତରେ ଲୁଚାଇ ଦେଇଥିଲା ।

 

‘‘ତୁମେ ମୋର ବ୍ରେଷ୍ଟକୁ ଦେଖିପାରିବ, ତୁମେ ଯେତେ ସମୟ ଚାହିଁବ, କିଛି ସମୟ ପରେ–ମାନେ ତୁମେ ଏ ଜେଲ୍‍ରୁ ଖସି ଆସିବା ପରେ ।” ଧୀରେ ଧୀରେ କହୁଥିଲା ସବିତା ।

 

ଉଜ୍ଜଳ ମନରେ ଏଥର ଭୟ ପ୍ରବେଶ କଲା । ସେ କହିଲା, “ସେଇଟା ପରମେଶ୍ଵରଙ୍କ ଦୟା ଉପରେ ନିର୍ଭର କରେ । ମୁଁ ଚେଷ୍ଟା କରିବି ବସିନରହି । କିନ୍ତୁ ମୁଁ ଜାଣିପାରୁଛି ଏଇଟା ମୋ’ଦ୍ୱାରା ସମ୍ଭବ ହେବନି । ମୁଁ ନିଶ୍ଚୟ ବିଫଳ ହେବି । କିନ୍ତୁ ମୁଁ ତୁମ ସାହାଯ୍ୟର ପ୍ରକୃତ ସଦୁପଯୋଗ କରିବି । ତୁମେ ଥିଲ ବୋଲି ସିନା ଆଜି ମୋତେ ଏତେ ସାହାଯ୍ୟ ମିଳିଲା । ବାସ୍ତବିକ ତୁମ ଛଡ଼ା ଏ ଦୁନିଆରେ ମୋର କେହି ନ ଥିଲେ ବା କେହି ନାହାଁନ୍ତି । ମୁଁ ତୁମକୁ ବ୍ରେଷ୍ଟ ଦେଖାଇବାକୁ କହିଲି କେବଳ ସେହି ୱାର୍ଡ଼ରକୁ ଦୂରକୁ ନେଇ ଯିବାକୁ, ଯିଏକି ପାଖରେ ଛିଡ଼ା ହୋଇଥିଲା ଓ ଆମ କଥାବାର୍ତ୍ତା ସବୁ ଶୁଣିପାରିଥାନ୍ତା ଓ ଆମ କାର୍ଯ୍ୟକଳାପ ଠଉରାଇପାରିଥାନ୍ତା ଓ ସନ୍ଦେହ କରି ସମସ୍ତଙ୍କୁ ଆମ ବିଷୟରେ କହିଥାନ୍ତା । ତୁମକୁ କ’ଣ କହି ଧନ୍ୟବାଦ ଦେବି, ମୁଁ ତା’ର ଭାଷା ଖୋଜି ପାଉନି । ତୁମେ ମୋର ବହୁତ ଉପକାର କରିଛି । ତୁମେ ବହୁତ ଖର୍ଚ୍ଚାନ୍ତ ହୋଇଥିବ ଏ ୱାର୍ଡ଼ରମାନଙ୍କୁ ଲାଞ୍ଚ ଦେଇ ଏଠାକୁ ଆସିବାକୁ । ମୁଁ ତୁମକୁ ଅନୁରୋଧ କରିବି । ତୁମେ ଗୋଟିଏ କଥା ରକ୍ଷା କରିବ ?”

 

“କି କଥା ?”

 

“ମୁଁ ତୁମ ଉପକାର ଶୁଝିପାରିବିନି ଯେତେ ଚେଷ୍ଟା କଲେ ବି ।”

 

“ମୁଁ ସେସବୁ ଚାହେଁନା ।”

 

“ମୁଁ ତୁମକୁ ଗୋଟିଏ ମାତ୍ର ପ୍ରସ୍ତାବ ଦେବି ।”

 

“କି ପ୍ରସ୍ତାବ ?”

 

‘‘ମଣିଷ ଜୀବନ କ୍ଷଣସ୍ଥାୟୀ । କେଉଁଦିନ ମୁଁ ଚାଲିଯିବ, ତା’ର ଠିକଣା ନାହିଁ । ତାହା ଏକା ଭଗବାନ ଜାଣନ୍ତି । ଆଉ କେହି ନୁହେଁ । ଏଇଟା ମଧ୍ୟ ହୋଇପାରେ ମୋ ସହିତ ତୁମର ଶେଷ ସାକ୍ଷାତ୍‍ । ଏହାପରେ ଆଉ କେବେ ମୁଁ ତୁମକୁ ଦେଖିପାରିବିନି ।”

 

‘‘ତୁମେ ଏକଥା କୁହନା । ଆମେ ଏଠାରୁ ଚାଲିଯିବା ବିଦେଶକୁ, ତୁମେ ଏ ଜେଲ୍‍ ଛାଡ଼ିଲେ ।’’

 

“ମୁଁ ଜେଲ୍‍ ଛାଡ଼ିପାରିବିନି ।”

 

“କାହିଁକି ?”

 

“ଭଗବାନ ତାହା କରାଇଦେବେନି । ମୁଁ ଭଲଭାବରେ ଜାଣେ । କିନ୍ତୁ ମୁଁ ଚେଷ୍ଟା ନିଶ୍ଚୟ କରିବି । ମୋ ଭାଗ୍ୟରେ ଯାହା ଥିବ ।”

 

“ଭଗବାନ କରନ୍ତୁ, ତୁମେ ସଫଳ ହୁଅ । ସେ ତୁମ ପଥରେ ସହାୟକ ହୁଅନ୍ତୁ ।”

 

ସବିତାଙ୍କ ଆଖିରେ ଲୁହ ଭର୍ତ୍ତିହୋଇ ଆସିଲା ।

 

“ମୁଁ ତୁମକୁ କହୁଥିଲି । ...ତମେ ମୋ’ପାଇଁ ବ୍ୟସ୍ତ ହେବନି ବା ମୋର କଛି ହୋଇଗଲେ ବିଶେଷ ଦୁଃଖ କରିବନି । ମୋର ଯଦି ଆରପାରିକୁ ଚାଲିଯିବାକୁ ଥିବ, ମୁଁ ଚାଲିଯିବି । ଏଇଟା ଗୋଟିଏ ଜୀବନମରଣ ସମସ୍ୟା । ଜେଲ୍‍ରୁ ଖସିବା ଗୋଟିଏ ସାଧାରଣ କଥା ନୁହେଁ । ତୁମେ ଅନ୍ୟ ଜଣେ ପୁଅକୁ ବିଭା ହୋଇପଡ଼ ଏଇ ଭିତରେ ସୁବିଧା ଦେଖି ।”

 

“ତା’ହେଲେ ଏଇ ପିସ୍ତଲ ଆଣି ମୁଁ ତୁମକୁ ଦେଲି କାହିଁକି ?”

 

“ଚୁପ୍‍ ରୁହ । କାଳେ କିଏ ଶୁଣିବ । ତୁମେ ଲାଞ୍ଚ ଦେଇ ଲୁଚିକରି ମୋ ସହିତ ଅଳ୍ପ ସମୟ ଦେଖା କରିବାକୁ ଆସିଛ । ଏ ବହୁମୂଲ୍ୟ ସମୟ ଟିକକର ସଦ୍‍ବ୍ୟବହାର ହେଉ । ଧରିନିଅ ଯେ ମୋ ଜୀବନରେ ଏଇଟା ତୁମ ସହିତ ଶେଷ ସାକ୍ଷାତ୍‍ ।”

 

“ନା ତୁମେ ଏ କଥା କୁହନା ।” ଦୁହିଁଙ୍କ ଆଖିରେ ଲୁହ ।

 

“ମୁଁ ଯଦି ମରିଯାଏ ? ....ତୁମେ ଯାହାକୁ ହେଲେ ବିଭା ହୋଇପଡ଼ । ....ମୋ ଯୋଗୁଁ ତୁମ ଜୀବନଟି କାହିଁକି ନଷ୍ଟ ହୋଇଯିବ ?”

 

‘‘ନା, ମୁଁ କ’ଣ ଏଇ କଥା ଶୁଣିବାକୁ ଏତେ ପରିଶ୍ରମ କରି ଏଠାକୁ ଆସିଛି ?”

 

“କିନ୍ତୁ ମୁଁ ଅଧିକ ସମୟ ବଞ୍ଚିବାର କୌଣସି ସମ୍ଭାବନା ନାହିଁ ।”

 

“ମୁଁ ତୁମପାଇଁ ଜୀବନଯାକ କଷ୍ଟ ସହିବି । ମୁଁ ତୁମପାଇଁ ସାରା ଜୀବନ ଅବିବାହିତ ଝିଅଟିଏ ପରି କଟାଇବି ।”

 

ଉଜ୍ଜଳ କାନ୍ଧି କାନ୍ଧି କହିଲା, ‘‘ମୋ କଥା ରଖିବନି ସବିତା ? ତୁମେ ମୋର ସବୁଠାରୁ ବଡ଼ ସାଙ୍ଗ, ହିତାକାଙ୍‌କ୍ଷୀ । ମୋ କଥା ନ ରଖି ଦୁଃଖ ଦେବ ?”

 

“ନା, ସେକଥା କୁହନା ।”

 

“ତୁମରି ସାହାଯ୍ୟରେ ମୁଁ ବଳିୟାନ । ତୁମରି ଯୋଗୁଁ ମୁଁ ଏକ ବିରାଟ ଅଭିଯାନରେ ଜୟଯୁକ୍ତ ହେବାକୁ ଯାଉଛି । ତୁମରି ଯୋଗୁଁ ଆଜି ମୁଁ ଗର୍ବ କରିପାରିବି ଯେ ମୁଁ ନିଶ୍ଚୟ ଏ ବିରାଟ ସଂଗ୍ରାମରେ ସଫଳ ହେବି । ମୋର ଗୋଟିଏ ଅନୁରୋଧ । ତୁମେ ଯଦି ମୋତେ ଭଲପାଅ, ତା’ହେଲେ ତୁମେ ବିଭା ହୋଇପଡ଼ ଅନ୍ୟ ଯାହାକୁ ହେଲେ ।”

 

‘‘ତୁମେ ତ ଖସି ଆସିବ ଜେଲ୍‍ରୁ । ମୁଁ ତ ତା’ପରେ ତୁମକୁ ବିଭା ହେବି । ତା’ପରେ ମୁଁ ତ ତୁମକୁ ପ୍ରକୃତରେ ବିଭା ହୋଇସାରିଛି । ତୁମ ସହିତ ବୈବାହିକ ସମ୍ପର୍କ ପୁଣି ପ୍ରତିଷ୍ଠିତ ହେବ ତୁମେ ଚାଲି ଆସିଲେ ଏବଂ ଏହା ଅଧିକ ନିବିଡ଼ ଏବଂ ଦୃଢ଼ ହେବ ।”

 

‘‘ମୁଁ ଖସିଯିବାର ସମ୍ଭାବନା ଖୁବ୍‍ କ୍ଷୀଣ । ସେଇଟା ଭଗବାନଙ୍କ ହାତ କଥା । ସେ ଯଦି ଖସାଇ ନ ପାରିବେ ?”

 

ଏହି ସମୟରେ ଦୂରକୁ ଚାଲିଯାଇଥିବା ୱାର୍ଡ଼ର ଯେ କି ସବିତାକୁ ଜଗିବାକୁ ଆସିଥିଲା, ନିକଟକୁ ଚାଲିଆସି କହିଲା, ‘‘ଆପଣ ଆଉ ଅଧିକ ବିଳମ୍ବ କରନ୍ତୁନି । କାରଣ ଆପଣ ମାଜିଷ୍ଟ୍ରେଟଙ୍କଠାରୁ ଅନୁମତିପତ୍ର ଆଣି ନାହାଁନ୍ତି । ତା’ପରେ ସୁପରିଣ୍ଟେଣ୍ଡେଣ୍ଟ ମଧ୍ୟ ଏହି ଭିତରେ ଚାଲିଆସିବେ । ସେ ଜାଣି ନାହାଁନ୍ତି । ତାଙ୍କ ଅଫିସ୍‍ ଟାଇମ୍‍ ହୋଇଗଲାଣି ।”

 

ଉଜ୍ଜଳ କହିଲା, ‘‘ଓକେ ସବିତା ! ତମେ ଯାଅ । ତମେ ନିଶ୍ଚୟ କରିବ, ମୁଁ ଯାହା କହିଛି-। ମୋ’ପାଇଁ ଦୁଃଖ କରିବନି । ମୋ’ପାଇଁ ଚିନ୍ତା କରିବନି ।”

 

“ନା ।”

 

“ଆଚ୍ଛା, ତୁମେ ଏଠାକୁ ଆସିବାକୁ ଏମାନଙ୍କୁ କେତେ ଦକ୍ଷିଣା ଦେଇଛ ?”

 

“ନା, ମୁଁ ସେଇଟା କହିବିନି । ମୁଁ କିଛି ଦେଇନି । ଯଦି ଦେଇଛି ଖୁବ୍‍ କମ୍‍ । ତା’ପରେ ଏମାନେ ସମସ୍ତେ ତ ମୋର ଚିହ୍ନା ଓ ମୋ ପଟିଆ ।”

 

ସେ ଚାଲିଗଲା । ଉଜ୍ଜଳ ଦୀର୍ଘଶ୍ଵାସ ପକାଇ ତା’ ମୁଣ୍ଡଠାରୁ ଗୋଡ଼ ପର୍ଯ୍ୟନ୍ତ ଥରେ ଭଲଭାବରେ ଆଖି ପକାଇ ଦେଇଥଲା ସେ ଯିବା ପୂର୍ବରୁ । ସେ ଚାଲିଯିବା ପରେ ଉଜ୍ଜଳର ଆଖି ଛଳଛଳ ହୋଇଯାଇଥିଲା । ସଙ୍ଗେ ସଙ୍ଗେ ସେ ନିଜ ଲୁହକୁ ପୋଛିପକାଇ ନିଜ ହୃଦୟକୁ ପଥର ପରି ଟାଣ କରି ଦେଇଥିଲା ।

 

ସବିତା ଚାଲିଗଲା । ଗେଟ୍‍ ତା’ପାଇଁ ଫିଟିଗଲା । ମୁରାରୀ ଏପର୍ଯ୍ୟନ୍ତ ସେ ଦେଇଥିବା ଟଙ୍କାକୁ ଗଣୁଥିଲା । ଗଣା ସରିନଥିଲା । ଏ ଟଙ୍କାଟା ସବୁ ୱାର୍ଡ଼ରଙ୍କୁ ବଣ୍ଟା ଯିବ ବୋଲି କେତେ ଜଣ ଆପତ୍ତି କରିଥିଲେ । ମୁରାରୀ ବାଧ୍ୟହୋଇ ଦୁଃଖର ସହିତ ରାଜି ହୋଇଥିଲା । ତା’ର ଇଚ୍ଛା ଥିଲା ଯେ ସେ ସବୁଯାକ ନେଇଥାନ୍ତା, କାରଣ ସେ ହେଉଛି ସବିତାଙ୍କର ବେଶୀ ଚିହ୍ନା । ଏକଥା କହି ସେ ପ୍ରତିବାଦ କଲାବେଳେ ଏକଥା ଜାଣିଥିବା ସବୁ ୱାର୍ଡ଼ର ଆସି ତା’ ବିରୁଦ୍ଧରେ କହିଥିଲେ ଯେ ସବିତା ସମସ୍ତଙ୍କର ଚିହ୍ନା ।

 

ସବିତା ଏ ବିଷୟରେ ଅଦୌ ମୁଣ୍ଡ ଭର୍ତ୍ତି ନ କରି ଗେଟ୍‍ ବାଟ ଦେଇ ବାହାରକୁ ଚାଲିଗଲା । ଗୋଟିଏ ବଡ଼ କାମ ସରିଲା । ଏଇଟା ଥିଲା କର୍ତ୍ତବ୍ୟ ।

 

(୫୮)

 

‘‘ବାପା ! ଏ ଲୁହାଛଡ଼ ଓ ବେଲ୍‍ଟ ନେଇ ସବୁଦିନ କୁଆଡ଼େ ଯାଉଛ ମା’ଙ୍କ ସାଙ୍ଗରେ-?” କୁନା ପଚାରିଥିଲା ପ୍ରଭାତ ବାବୁଙ୍କୁ । ହସି ହସି ପ୍ରଭାତ କହିଥିଲେ, ‘‘ଆମ ବାପା ଓ ମା’ଙ୍କ ଆତ୍ମାର ସଦ୍‌ଗତି ପାଇଁ ମୁଁ ସବୁଦିନ ଯାଉଛି । ଏଇଟି ସେହି କାର୍ଯ୍ୟରେ ବ୍ୟବହୃତ ହେଉଛି-।”

 

ସିନି ମଧ୍ୟ କହିଲେ, ‘‘ତୋ ଅଜାର ଆତ୍ମାର ସଦ୍‌ଗତି ପାଇଁ ମୁଁ ବେଲ୍‍ଟ ନେଉଛି ।”

 

କୁନା କିଛି ବୁଝିପାରିଲା ନାହିଁ । ଘରେ ତାକୁ ଚାକରାଣୀ ପାଖରେ ଛାଡ଼ି ଏମାନେ ଚାଲିଆସିଲେ ।

 

ସବୁଦିନ ପରି ଉଜ୍ଜଳର ରୁମ୍‍ ଫିଟିଲା । ସେ ଏହା ଶୁଣିପାରିଲା । ନିଜକୁ ସଜାଡ଼ି ରଖିଲା । ପ୍ରଭାତ ଏବଂ ସିନି ଏ ଦୁହେଁ ରୁମ୍‍ ଭିତରେ ପ୍ରବେଶ କଲେ ହାତରେ ଲୁହାଛଡ଼ ଏବଂ ବେଲ୍‍ଟ ଧରି । ତା’ପରେ ଆରମ୍ଭ ହୋଇଯାଇଥିଲା ମାଡ଼ ସବୁଦିନ ପରି । ସିନି ବେଲ୍‍ଟ ଧରି ପିଟିବା ଆରମ୍ଭ କରିଥିଲେ ।

 

ସଙ୍ଗେ ସଙ୍ଗେ ଉଜ୍ଜଳ ସେହି ବେଲ୍‍ଟକୁ ଭିଡ଼ି ତା’ ହାତରୁ ଛଡ଼ାଇ ଆଣିଥିଲେ । ଏସବୁ ଦେଖି ଦୁହେଁ ଆଶ୍ଚର୍ଯ୍ୟ ହୋଇଗଲେ । ଉଜ୍ଜଳ କେଉଁଦିନ ପ୍ରତିରୋଧ କରେନି । କିନ୍ତୁ ଆଜି ବେଲ୍‍ଟଟାକୁ ଛଡ଼ାଇ ନେଲା ।

 

ଏହା ଦେଖି ପ୍ରଭାତ ତା’ ପିଠିରେ ଲୁହାଛଡ଼ରେ ପାହାରେ ପକାଇ କହିଲେ, ‘‘ଓହୋ ଏବେ କେତେଦିନ ହେବ ମାଡ଼ କମିଯାଇଛି । ସେଇଥିପାଇଁ ଟୋକା ଉପରକୁ ଉପରକୁ ବେଶୀ ଚଢ଼ୁଛି ।”

 

ଉଜ୍ଜଳ ସେ ବେଲ୍‍ଟକୁ ସଙ୍ଗେ ସଙ୍ଗେ ନିଜ ଅଣ୍ଟାରେ ଗୁଡ଼େଇ ଦେଇ ସଙ୍ଗେ ସଙ୍ଗେ ପ୍ରଭାତ ବାବୁଙ୍କ ଦେହକୁ କୁଦିପଡ଼ିଲା । ସେ ତଳେ ପଡ଼ିଗଲେ । ତାଙ୍କ ଉପରେ ସେ ମାଡ଼ି ବସି ବୀରତ୍ୱର ସହିତ ସେହି ଲୁହାଛଡ଼କୁ ଅଳ୍ପ ସମୟ ମଧ୍ୟରେ ଛଡ଼ାଇ ନେଲା । ସିନି ମଧ୍ୟ ପ୍ରତିରୋଧ କରିଥିଲେ । କିନ୍ତୁ କିଛି ମୂଲ୍ୟ ରହିଲା ନାହିଁ ।

 

ଉଜ୍ଜଳ ସେହି ରଡ଼କୁ ଧରିପକାଇ ଉଠି ଛିଡ଼ାହେଲା ଏବଂ ବିଦ୍ରୂପ କରି କହିଲା, ‘‘ଟୋକା-! ହୁଁ, ସେହି ଟୋକା ଦେହରେ କେତେ ବଳ ଆଜି ତୁ ଦେଖିବୁ ! ତୁ କ’ଣ ଭାବିଛୁ ଯେ ମୋ ଦେହଟା ଗୋଟିଏ ଶାଗକିଆରି ଏବଂ ତୁ ସବୁଦିନ ମୋ ଦେହରୁ ପତ୍ର ଛିଣ୍ଡାଇ ଛିଣ୍ଡାଇ ଖାଇବାକୁ ନେଉଥିବୁ-?”

 

ସଙ୍ଗେ ସଙ୍ଗେ ସେହି ରଡ଼ ସାହାଯ୍ୟରେ ପ୍ରଭାତ ଉପରେ ଏବଂ ସିନି ଉପରେ ପ୍ରଚଣ୍ଡ ପ୍ରହାର ଆରମ୍ଭ ହେଲା । ଏପରି ପ୍ରହାର କେହି କେବେ କାହା ଜୀବନରେ ଦେଖିନି । ସେ ଦୁହେଁ ତଳେ ପଡ଼ିଗଲେ । ସେମାନଙ୍କ ଆଖି ବୁଜି ହୋଇଗଲା । ଜୀବନର ସମସ୍ତ ବଳ ପ୍ରୟୋଗ କରି ଉଜ୍ଜଳ ପିଟୁଥାଏ ତାଙ୍କ ମୁଣ୍ଡକୁ ମୁଣ୍ଡକୁ । ତା’ ଉପରେ ସବୁଦିନ ହେଉଥିବା ଅତ୍ୟାଚାରର ପ୍ରତିଶୋଧ ସେ ଚକ୍ରବୃଦ୍ଧି ସୁଧ ହାରରେ ଅସୁଲ କରିବାକୁ ଚେଷ୍ଟା କଲା ।

 

ସମ୍ପୂର୍ଣ୍ଣଭାବରେ ପରାସ୍ତ ହୋଇ ପ୍ରଭାତ ଓ ସିନି ବୋପାଲୋ ମାଲୋ ବୋଲି ରଡ଼ି ଛାଡ଼ିଲେ ।

 

‘‘ମୁଁ ତୁମ ବୋପାମା’ଙ୍କୁ ମାରିଦେଇଛି । ସେମାନେ ଆଉ ନାହାଁନ୍ତି । ବର୍ତ୍ତମାନ ମୁଁ ତୁମ ବୋପାମା’ । ମୁଁ ତୁମ ଯମ । ତୁମ ବୋପାମା’ଙ୍କ ପରି ମୁଁ ମାରିଦେବି ତୁମ ଦୁହିଁଙ୍କୁ । ତୁମେ ଏକା ସୁପରିଣ୍ଟେଣ୍ଡେଣ୍ଟ ହେଲ । ୱାର୍ଡ଼େନ୍‍ ହେଲ । ମୋତେ ମାରିବାକୁ ସୁଯୋଗ ପାଇଲ । ତୁମ ଭାଗ୍ୟକୁ ଏକା ଭଗବାନ ଏ ସୁବିଧା ଯୋଗାଇ ଦେଇଛନ୍ତି । ତୁମକୁ ଆଉ ସେପରି କେହି ମାରିପାରିବେନି ବୋଲି ଭାବିଛ ! ତୁମର ଏକା ହାତ ଅଛି । ଆଉ ଭଗବାନ କାହାକୁ ହାତ ଦେଇ ନାହାଁନ୍ତି ମାରିବାକୁ-। ତୁମକୁ ଏକା ସେ ଲୁହାଛଡ଼ ଦେଇଛନ୍ତି ଆଉ ବେଲ୍‌ଟ ଦେଇଛନ୍ତି ମୋତେ ମାରିବାକୁ । କିନ୍ତୁ ମନେରଖ ଯେ ଆଉ ସେ ଲୁହାଛଡ଼ ଓ ବେଲ୍‍ଟ ଏଠାରେ କାମ ଦେବନି ।”

 

ଏସବୁକୁ ଦେଖି ବହୁତ ଡରିଯାଇ ପ୍ରଭାତ ୱାର୍ଡ଼ରମାନଙ୍କୁ ଖୁବ୍‍ ଜୋରରେ ଡାକିବାକୁ ଲାଗିଲେ ।

 

ହସି ହସି ଉଜ୍ଜଳ କହିଲା, ‘‘ଆଜି ଜଣାପଡ଼ିବ କିଏ ବୋକା ? ତୁମେ ନା ମୁଁ ? ଏକା ମାଘକେ ପୁଅ ଶୀତ ଯାଏ ନାହିଁ । ତମେ କ’ଣ ଭାବୁଛ ଯେ ମୋତେ ଏଇମିତି ସବୁଦିନ ମାରୁଥିବ । ମୋର ହୃଦୟଟା କାଠରେ ତିଆରି ! ଯେତେ ମାରିଲେ ସବୁ ସହିବି । ଯାହା କହିଲେ ସବୁ ସହିବି କାନ୍ଥ ବାଡ଼ପରି ବା ଛେଳି କୁକୁରପରି ! ମୋ ଦେହକୁ ଛେପ ଫୋପାଡ଼ିଲେ କିଛି ପ୍ରତିବାଦ କରିବିନି-! ଆଜିଠାରୁ ତୁମ ଦୁହିଁଙ୍କୁ ମୁଁ ଶେଷ କରିଦେବି, ଯେମିତି ଦିନେ ମୁଁ ତୁମ ବାପମା’ଙ୍କୁ ଶେଷ କରିଥିଲି-। ମୁଁ ପଛେ ଫାଶୀ ଯିବି ।”

 

ସଙ୍ଗେ ସଙ୍ଗେ ସେ ପୂର୍ବରୁ ଲୁଚାଇ ରଖିଥିବା ଅସ୍ତ୍ରକୁ ବାହାର କରି ତା’ର ସଦ୍‌ବ୍ୟବହାର କଲା ।

 

‘‘ଗୁଡ଼ୁମ୍‍ ଗୁଡ଼ୁମ୍‍ ।”

 

ଗୋଟିଏ ମୁହୂର୍ତ୍ତରେ ଦୁହେଁ ଶେଷ ।

 

ୱାର୍ଡ଼ରମାନେ ଆସି ଉଜ୍ଜଳକୁ ବୁଝାଇଥିଲେ । ତା’ଠାରୁ ପିସ୍ତଲ୍‌କୁ ଜବତ କରାଗଲା । ତା’ ରୁମ୍‌କୁ ଚାବି ପକାଇ ଦିଆଗଲା । ପୋଲିସ୍‍ ଇନ୍‌କ୍ଵାରି ଚାଲିଲା । ସେ ଦୁହିଁଙ୍କ ଶବକୁ ପୋଷ୍ଟମଟମ୍‍ କରିଦେବାକୁ ପଠାଇଦିଆଗଲା ।

 

ଏ ଖବର ଖୁବ୍‍ ଶୀଘ୍ର ସବୁଆଡ଼େ ବ୍ୟାପିଗଲା । ମୁରାରୀ ଏବଂ ଜେଲ୍‌ର ସମସ୍ତ ୱାର୍ଡ଼ରଙ୍କ ମଧ୍ୟରେ ଗୋଟିଏ ଗୁପ୍ତ ମିଟିଂ ବସିଗଲା । ସମସ୍ତେ ଭୟରେ ଥରୁଥାନ୍ତି । ସମସ୍ତଙ୍କ ବିଶ୍ଵାସ ଯେ ଏଇ ପିସ୍ତଲ୍‍ଟି ଯୋଗାଇଛନ୍ତି ସବିତା । ସେ ସେଇଥିପାଇଁ ହଜାରେ ଟଙ୍କା ଲାଞ୍ଚ ଦେଇଥିଲେ । ସବିତା କାହାଠାରୁ ପରମିଶନ୍‍ ଆଣି ଏ ଜେଲ୍‍ ମଧ୍ୟରେ ପଶିନଥଲେ । ତାଙ୍କୁ ଖାମଖିଆଲ ଭାବରେ ଭିତରକୁ ନିଆଯାଇଥିଲା । କଥାଟା ଯେପରି ଆଦୌ ବାହାରକୁ ନ ଯାଏ ଏବଂ ଏହାକୁ ସମ୍ପୂର୍ଣ୍ଣଭାବରେ ଚପାଇ ଦିଆ ଯାଇପାରିବ, ଏଥିପାଇଁ ସମସ୍ତେ ମତଦାନ କରିଥିଲେ-। ତା’ପରେ ସମସ୍ତେ ନୀରବ । ପୋଲିସ୍‍ ଇନ୍‌କ୍ଵାରି ଯଦି ହୁଏ, କେହି ଏହାର ଠିକ୍‍ ଉତ୍ତର ଯେପରି ନ ଦେବେ, ତା’ର ବ୍ୟବସ୍ଥା ହୋଇଥିଲା । ସବିତା ଏଠାକୁ ଆସିଥିଲା ବୋଲି କେହି କହିବେନି-। ଏକଥା ସ୍ଥିର ହୋଇଗଲା ।

 

ଏଣେ ସବିତା ମଧ୍ୟ ଏ ଖବର ପାଇଗଲା । ତା’ ମନରେ ମଧ୍ୟ ଦୁଃଖ ଏବଂ ଭୟ । ସେ ମଝିରେ ମଝିରେ କହୁଥିଲା, ‘‘ତୁମେ ତାକୁ ମାରିଛ । ଭଲ କରିଛ । ସେମାନେ ତୁମକୁ ସବୁଦିନ ମାରୁଥିଲେ । ତୁମର ମାଂସକୁ ସବୁଦିନ ଝୁଣି ଝୁଣି ଖାଉଥିଲେ ।”

 

ପୁଣି ମଝିରେ ମଝିରେ ପରିବର୍ତ୍ତିତ ହୋଇ ସେ କହୁଥିଲା କାନ୍ଦି କାନ୍ଦି, ‘‘ତୁମେ ମୋତେ ଠକିପାରିଲ ! ଏଇଥିପାଇଁ କହୁଥିଲ ଯେ ତୁମେ ଜେଲ୍‌ରୁ ଖସି ଚାଲିଆସିବ ଏବଂ ଆମେ ଦୁହେଁ ପୁଣି ମିଳିଯିବା । ଆମେ ଏ ଦେଶ ଛାଡ଼ି ବାହାରକୁ ଲୁଚି ଚାଲିଯିବା । ମୁଁ ଜାଣିଥିଲେ ତୁମକୁ କେବେ ଏ ପିସ୍ତଲ ଦେଇ ନ ଥାନ୍ତି । ଏଇଥିପାଇଁ ତୁମେ ସେଦିନ ଛଳନା କରି କହିଥିଲ…ମୁଁ ତୁମକୁ ଆଜିଠାରୁ ସମ୍ପୂର୍ଣ୍ଣ ଭୁଲିଯିବି, ମୁଁ ତୁମ ବିଷୟରେ କିଛି ଭାବିବିନି, କିଛି ମନଦୁଃଖ କରିବିନି ! ମୁଁ ଅନ୍ୟ ଯାହାକୁ ହେଲେ ବିଭା ହୋଇଯିବି ।”

 

ସବିତାର ଆଖି ଛଳଛଳ ହୋଇଯାଏ । ଏସବୁ ଘଟଣା ସନାତନ ବାବୁ ପରେ ଜାଣିପାରିଲେ । କିପରି ନିଜ ଝିଅ ଏ ପିସ୍ତଲ୍‍କୁ ନେଇଥିଲା । ସନାତନ ବାବୁ ବହୁତ ଦୁଃଖି କରିଥିଲେ । ସେ ମଧ୍ୟ ଏ କଥାକୁ ଚପାଇ ଦେବାକୁ ଚେଷ୍ଟା ଚଳାଇଥିଲେ ।

 

ସବିତାକୁ ସନ୍ଦେହ କରି କୋର୍ଟକୁ ଯିବାକୁ କୁହାଯାଇଥିଲା । କାରଣ ସେ ହେଉଛି ଉଜ୍ଜଳର ପ୍ରେମିକା । ଉଜ୍ଜଳକୁ ଯେଉଁ ଦିନ କୋର୍ଟକୁ ନିଆଯିବାର କଥା ତା’ ପୂର୍ବଦିନ ସନାତନ ବାବୁ ସବିତାକୁ ବୁଝାଇଥିଲେ ବହୁତ ।

 

ସବିତା କହିଥିଲା, ‘‘ନା ବାପା ! ମୁଁ କହିଦେବି । ମୁଁ ଏ ବନ୍ଧୁକ ଦେଇଥିଲି । ସେ ଫାଶୀ ନ ଯାଇ ମୁଁ ଯିବି । କାରଣ ସେ ତାଙ୍କୁ ମାରି ନାହାଁନ୍ତି । ମୁଁ ମାରିଛି । ମୋ ବନ୍ଧୁକ ମାରିଛି ।”

 

‘‘ପିସ୍ତଲଟା କାହାର ଏପର୍ଯ୍ୟନ୍ତ ଜଣାପଡ଼ିନି । ତୋର ବୋଲି କେହି ଜାଣନ୍ତିନି । ତୁ ତା’ ପୂର୍ବଦିନ ଜେଲ୍‍କୁ ଯାଇଛୁ ବୋଲି କୌଣସି ପ୍ରମାଣ ବାହାରିନି । ମୁଁ ସେଥିପାଇଁ ସମସ୍ତଙ୍କୁ କହି ଚେଷ୍ଟା ଚଳାଇଛି ।”

 

‘‘ନା, ମୁଁ ସତ କଥା କହିଦେବି । ବଞ୍ଚିବାକୁ ଚାହେଁନା । ମୋତେ ବି ଫାଶୀ ହେଉ ।”

 

‘‘ନା ସବିତା ! ତୁ ଟିକେ ବଦଳିବାକୁ ଚେଷ୍ଟା କର । ତୁ ତୋ ବାପା ଉପରେ କ’ଣ ଟିକିଏ ହେଲେ ଦୟା କରିବୁନି ? ମୁଁ କାହାକୁ ଅନାଇଁ ବଞ୍ଚିବି ? ଏକା ଏକା ଏଠାରେ ମୁଁ କିପରି ପଡ଼ି ରହିବି ? କେତୁଟା ଦିନ ମୁଁ ରହିବି ?”

 

‘‘ନା, ମୁଁ ମିଛ କହିପାରିବିନି ।”

 

‘‘ତୋତେ ମିଛ କହିବାକୁ ପଡ଼ିବ । ତା’ପରେ ତୋର ଗୋଟିଏ ପୁଅ । ମୁନା କଥାକୁ ତୁ ଭୁଲିଯିବା ଉଚିତ ନୁହେଁ । ତୋତେ ଯଦି କୋର୍ଟରେ ପଚରାଯିବ ଯେ ତୁମେ ଏ ପିସ୍ତଲ ଦେଇଥିଲ, ତୁ ସିଧା ମନା କରିଦେବୁ । ଜାଣି ନ ଜାଣିଲା ପରି ଚୁପ୍‍ ରହିଯିବୁ ।”

 

ଉଜ୍ଜଳ କିପରି ଗୋଟିଏ ପିସ୍ତଲ ପାଇଲା, ତା’ର ଇନ୍‌କ୍ଵାରି ହେଲା । ମାତ୍ର କିଛିହେଲେ ଖୋଜ୍‍ ଖବର ମିଳିଲା ନାହିଁ । ଏ ପିସ୍ତଲଟା କାହାର ତାହା ମଧ୍ୟ ଜଣାପଡ଼ିଲାନି ।

 

(୫୯)

 

ଜେଲ୍‍ ଭିତରେ ଉଜ୍ଜଳ ଶୋଇଥିଲା । ହଠାତ୍‍ ତା’ ନିଦ ଭାଙ୍ଗିଗଲା । ସେ ଏକ ଭୟାନକ ସ୍ଵପ୍ନ ଦେଖିଥିଲା । ଏ ସ୍ଵପ୍ନରେ ସେ ବାପାଙ୍କୁ ବା ମା’ଙ୍କୁ ଦେଖିନଥିଲା । କିନ୍ତୁ ସେ ଦେଖିଥିଲା ପ୍ରଭାତ ଏବଂ ସିନିଙ୍କୁ ।

 

ଦୁଇଟି ନିଆଁପିଣ୍ଡୁଳା ଗଡ଼ି ଗଡ଼ି ଆସୁଛନ୍ତି । ସେ ଶୋଇଛି । ତାରି ଦେହ ପାଖରେ ଏ ଦୁଇଟି ପହଞ୍ଚିଗଲେ । ତା’ପରେ ଗୋଟିଏ ନିଆଁପିଣ୍ଡୁଳାରୁ ପ୍ରଭାତ ବାହାରି ଆସିଲା । ନିଆଁ ଲିଭିଗଲା । ତା’ପରେ ଆଉ ଗୋଟିଏ ନିଆଁପିଣ୍ଡୁଳାରୁ ସିନି ବାହାରି ଆସିଲା । ସେଥିରୁ ମଧ୍ୟ ନିଆଁ ଲିଭିଗଲା । ତା’ପରେ ସେ ଶୁଣିପାରିଲା ହସ । ଦୁହେଁ ତାକୁ ବିଦ୍ରୂପ କରି ହସୁଛନ୍ତି । ଜଣକ ହାତରେ ଲୁହାଛଡ଼ । ଆଉ ଜଣକ ହାତରେ ବେଲ୍‌ଟ । ସେ ଏ ହସକୁ ଆଦୌ ସହିପାରୁନି । ସେ ଚିତ୍କାର କଲା, ‘‘ନା, ମୋ ଆଗରେ ତମେ ହସିପାରିବନି ! ବନ୍ଦକର, ବନ୍ଦକର ତୁମ ହସ ।”

 

ଏ କଥା ଶୁଣି ସେ ଆଦୌ ହସ ବନ୍ଦ କରିନଥିଲେ । କିନ୍ତୁ ଅଧିକ ଜୋରରେ ହସିଥିଲେ-

 

ସେ ଖୁବ୍‍ ଜୋରରେ ଚିତ୍କାର କରିଥିଲା, ‘‘ନା...... !”

 

ଏତିକିରେ ତା’ ନିଦ ଭାଙ୍ଗିଗଲା । ସେ ଉଠି ବସିଲା । କାଲି ତାକୁ କୋର୍ଟ ମଧ୍ୟକୁ ଟଣା ହେବ ।

 

ଠିକ୍‍ ସମୟରେ ତାକୁ ଜେଲ୍‍ ମଧ୍ୟରୁ ବାହାର କରି କୋର୍ଟ ମଧ୍ୟରେ ଭର୍ତ୍ତି କରଗଲା । ତାକୁ କାଠଗଡ଼ା ମଧ୍ୟରେ ଛିଡ଼ା କରାଗଲା । ତାକୁ ଗୋଟିଏ ପବିତ୍ର ବହି ଛୁଆଁଇ ଦେବାକୁ କହି ନିୟମ କରାଇ ଦିଆଯାଇଥିଲା ଯେ ସେ ଯାହା କହିବ, ସବୁ ସତ କହିବ । କିଛି ମିଛ କହିବନି । ସେ ସେଇଆ କରିଥିଲା ।

 

ତା’ପରେ ତାକୁ ପ୍ରଶ୍ନ ପଚରାଯାଇଥିଲା, ‘‘ତୁମକୁ ପ୍ରଭାତ ବାବୁ ଓ ତାଙ୍କ ସ୍ତ୍ରୀ ଏ ଦୁହେଁ ସବୁଦିନ ମାରୁଥିଲେ କି ? ତୁମେ ସବୁଦିନ ତାଙ୍କଦ୍ୱାର ଅତ୍ୟାଚାରିତ ହେଉଥିଲ କି ?”

 

ଉଜ୍ଜଳ କହିଥିଲା, ‘‘ନା ।”

 

‘‘ତୁମର ସମ୍ପର୍କରେ ସେ କ’ଣ ?”

 

‘‘କିଛି ନୁହେଁ ।”

 

‘‘ତୁମର ସେ ଦୁହେଁ ସାବତ ଭାଇ ଓ ସାବତ ଭଉଣୀ କି ?”

 

‘‘ମୁଁ ଜାଣେନା ।”

 

‘‘ତୁମେ ତାଙ୍କୁ କାହିଁକି ମାରିଲ ?”

 

ତା’ପରେ ନୀରବତା । ଉଜ୍ଜଳ ଏହାର ଉତ୍ତର ଦେଇନଥିଲା ।

 

‘‘ତୁମେ କାହାଠାରୁ ପିସ୍ତଲ ପାଇଲ ? ତୁମକୁ କିଏ ଏ ପିସ୍ତଲ ଦେଇଥିଲା ? ତୁମ ପାଖକୁ ସେଦିନ କିଏ ଆସିଥିଲା ?”

 

ଉଜ୍ଜଳ କୌଣସି ଉତ୍ତର ଦେଇନଥିଲା ।

 

ତା’ପରେ କାଠଗଡ଼ା ମଧ୍ୟକୁ ସବିତାକୁ ଅଣାଯାଇଥିଲା । ସବିତା ମଧ୍ୟ ସେହିପରି ଗୀତା ଆଦି ଧର୍ମଗ୍ରନ୍ଥ ଛୁଇଁ ସବୁକଥା ସତ କହିବ ବୋଲି ପ୍ରତିଜ୍ଞା କରିଥିଲା ସେମାନଙ୍କଦ୍ଵାରା ।

 

ତା’ପରେ ତାକୁ ବିଭିନ୍ନ ପ୍ରଶ୍ନ ପଚରା ଯାଇଥିଲା ।

 

‘‘ତୁମେ ବିବାହିତା ?”

 

ସେ ନୀରବ ରହିଥିଲା‌ । କିଛିହେଲେ କହିନଥିଲା । ବାଧ୍ୟ କରିବାରେ ସେ ‘‘ହଁ” ବୋଲି କହିଥିଲା ।

 

‘‘ତୁମର ପିଲାଛୁଆ ଅଛନ୍ତି ?’’

 

‘‘ହଁ ।”

 

‘‘କେତୋଟି ?”

 

ତା’ପରେ ସେ ନୀରବ । ସେ ଉତ୍ତର ଦେଇନଥିଲା ।

 

‘‘ତୁମର ସ୍ଵାମୀ କିଏ ?”

 

ସେ ନୀରବ ରହିଥିଲା । ଏହାର ସେ କ’ଣ ବା ଉତ୍ତର ଦେବ ?

 

‘‘ତୁମେ କିପରି ବିବାହିତ ହେଲ ?”

 

ସେ ଏ ପ୍ରଶ୍ନର ମଧ୍ୟ ଉତ୍ତର ଦେଇପାରିନଥିଲା ।

 

‘‘ଉଜ୍ଜଳ ସହିତ ତୁମର କି ସମ୍ପର୍କ ?”

 

ତା’ପରେ ନୀରବତା ।

 

‘‘ଉଜ୍ଜଳକୁ ଯଦି ବିଭା ହୋଇଛ, ତା’ହେଲେ କିପରି ? କିପରି ତୁମେ ତା’ ଛୁଆର ମା’ ହୋଇପାରିଲ ? ସେ ତ ସଦାବେଳେ ଜେଲରେ ବନ୍ଦ !”

 

ସେ କିଛିହେଲେ କହିନଥିଲା ।

 

‘‘ତୁମେ ତାଙ୍କୁ ସେଦିନ ସାକ୍ଷାତ କରିଥିଲ କି, ଯେଉଁଦିନ ଏପରି ହତ୍ୟାକାଣ୍ଡ ଘଟିଥିଲା-?”

 

ସେ କିଛି କହିଲା ନାହିଁ ।

 

‘‘ତୁମେ ତାଙ୍କୁ ଗୋଟିଏ ପିସ୍ତଲ ଦେଇଥିଲ କି ?”

 

ଏହାର ମଧ୍ୟ ଉତ୍ତର ସେ ଦେଲା ନାହିଁ ।

 

‘‘ତୁମ ଦୁହିଁଙ୍କ ମଧ୍ୟରେ ପତ୍ର-ବିନିମୟ ହୁଏ କି ?”

 

ତା’ପରେ ପଚରା ଯାଇଥିଲା, ‘‘ଯଦି ହୁଏ ତମେ ଏ ଘଟଣା ପୂର୍ବରୁ ତାଙ୍କୁ କୌଣସି ପତ୍ର ଦେଇଥିଲ କି ଏବଂ ତାଙ୍କଠାରୁ କୌଣସି ପତ୍ର ପାଇଥିଲ କି ?”

 

ଏହାର ମଧ୍ୟ ସେ କିଛି ଉତ୍ତର ଦେଇନଥିଲା ।

 

ସବୁ ଓକିଲ ମତ ଦେଇଥିଲେ ଯେ ଝିଅଟିର କିଛି ଦୋଷ ନାହିଁ । ସେ ବହୁତ ଭୟ ପାଇଯାଇଛି ଏବଂ ବହୁତ ଦୁଃଖରେ କିଛି କହିପାରୁନି ।

 

ତା’ପରେ ତାକୁ କାଠଗଡ଼ା ମଧ୍ୟରୁ ବାହାରକୁ ଛାଡ଼ିଦିଆଗଲା ।

 

ବିଚାରପତିଙ୍କ ରାୟ ଶୁଣିବାକୁ ବହୁତ ଲୋକ ଆସିଥିଲେ । ଦର୍ଶକ ଗ୍ୟାଲେରି ଫୁଲ୍‍ ରହିଥିଲା । ଦର୍ଶକମାନେ ବିଭିନ୍ନ ମତ ଦେଉଥିଲେ । କିଏ କହୁଥିଲା, ‘‘ପ୍ରଭାତ ବାବୁଙ୍କର ସ୍ତ୍ରୀଙ୍କର ଉଜ୍ଜଳ ରୁମରେ କ’ଣ କାମ ଥିଲା ? ସେ କାହିଁକି ସେଠାକୁ ଆସୁଥିଲେ ? ତା’ପରେ ଲୁହାରଡ଼ ଆଦି କାହିଁକି ଜେଲ୍‍ ଭିତରକୁ ଆସିଥିଲା ? ଉଜ୍ଜଳ ଦେହରେ ଏତେ ଦାଗ କାହିଁକି ରହିଛି ? ଏତେ ଖଣ୍ଡିଆ ଖାବରା ଚିହ୍ନ । ଯେଉଁଗୁଡ଼ାକ ମଧ୍ୟରୁ ଅନେକ ଘା’ ପାଞ୍ଚ ଦିନ ତଳର, ଅନେକ ଦାଗ ଦଶ ଦିନ ତଳର ଓ ଅନେକ ଦାଗ ପନ୍ଦର ଦିନ ତଳର । ଏସବୁ କାହିଁକି ?”

 

ପ୍ରଭାତ ବାବୁଙ୍କର ସାଙ୍ଗମାନେ କହିଥିଲେ, ‘‘ତମକୁ ଜେଲରେ ବନ୍ଦୀ କରି ରଖାଯିବ ବୋଲି କ’ଣ ତୁମ ମନଇଚ୍ଛା ଦଶ ପନ୍ଦର ଜଣଙ୍କୁ ଜୀବନରେ ମାରିପକାଇବ ?” ଶେଷରେ ବିଚାରପତି ନିଜର ରାୟ ପଢ଼ି ଶୁଣାଇଥିଲେ । ଉଜ୍ଜଳକୁ ଫାଶୀଦଣ୍ଡ ପାଇଁ ଆଦେଶ ଦିଆଗଲା ।

 

(୬୦)

 

ଉଜ୍ଜଳ ଜୀବନର ଶେଷ ଇଚ୍ଛା କ’ଣ ତାହା ପଚରାଯାଇଥିଲା । ସେ କହିଥିଲା, ‘‘ହଁ ଅଛି-। ମୁଁ ଭଗବାନ କ୍ରିଷନ୍ ମହାରାଜଙ୍କ ମନ୍ଦିରକୁ ଯିବି । ତାଙ୍କୁ ଟିକିଏ ଦର୍ଶନ କରି ଆସିବି ।”

 

ତାକୁ କଡ଼ା ପୋଲିସ୍‍ କର୍ଡ଼ନ ମଧ୍ୟରେ ସେହି ଭଙ୍ଗା ମନ୍ଦିରକୁ ନିଆଯାଇଥିଲା, ଯେଉଁଠିକୁ ସେ ଅନେକଥର ଯାଇଥିଲା । ସେହି ମନ୍ଦିରକୁ ଅନୁପ ବାବୁ ତିଆରି କରିଥିଲେ । ଚାଇନିଜ୍‍ ବୋମା ପଡ଼ି ଭାଙ୍ଗିଯାଇଥିଲା ଅଧାରୁ । ପରେ ସେଇଟା ଏପର୍ଯ୍ୟନ୍ତ ମଧ୍ୟ ମରାମତି ହୋଇନଥିଲା ।

 

ସେହି ମନ୍ଦିର ମଧ୍ୟରେ ପ୍ରାର୍ଥନା କରିବାକୁ ମୋଟେ ପାଞ୍ଚ ମିନିଟ୍‍ ମାତ୍ର ସମୟ ମଞ୍ଜୁରି ମିଳିଥିଲା । ସେ ଠାକୁରଙ୍କ ମୂର୍ତ୍ତି ସାମନାରେ ଆଣ୍ଠୁମାଡ଼ି ବସିଥିଲା । ସେ ଏଠାକୁ ଆସି ଅନେକଥର ଆଖିରୁ ଲୁହ ଝରାଇ କାନ୍ଦିଛି । ମାତ୍ର ଆଜି ସେ କାନ୍ଦିନି । ସେ ନୀରବରେ ପ୍ରତିବାଦ କରି ଭଗବାନଙ୍କ ମୁହଁକୁ ଚାହିଁ ମନେ ମନେ କହୁଥିଲା, ଆଜି ପର୍ଯ୍ୟନ୍ତ ତୁମ ବିରୁଦ୍ଧରେ ଯାଇନି । ମୁଁ ଜାଣେ ! ମୁଁ ତୁମର ବଡ଼ ଭକ୍ତ ନୁହେଁ । ସେହିମାନେ କେବଳ ତୁମର ଭକ୍ତ । ମାତ୍ର ମୁଁ ନୁହେଁ । ମୁଁ ଏଥିପାଇଁ ଆଜି ଅଭିମାନ କରୁନି ଯେ ମୁଁ ଧ୍ରୁବ ନୁହେଁ କି ପ୍ରହଲାଦ ନୁହେଁ । ମୁଁ ହେଉଛି ଉଜ୍ଜଳ ! ପ୍ରଭାତ ଏବଂ ସିନି ଯାହା ଯାହା କରୁଥିଲେ, ଠିକ୍‍ କରୁଥିଲେ । ତାଙ୍କ ବାପାମା’ ମୋ ଉପରେ ଯାହା ଯାହା କରିଥିଲେ, ଠିକ୍‍ କରିଥିଲେ । ସେଥିପାଇଁ ମୋତେ ଆଜି ଫାଶୀଦଣ୍ଡ ହୋଇଛି । ଭୀମ ଅର୍ଜୁନ ମାରିଥିଲେ ଦୁଃଶାସନ ଦୁର୍ଯ୍ୟୋଧନ ଆଦି କୌରବଙ୍କୁ । ତୁମେ କାହିଁକି ପାଞ୍ଚପାଣ୍ଡବଙ୍କ ସପକ୍ଷରେ ଯାଇଥିଲ ? ତମେ କଂସକୁ ମାରିଥିଲ ! ତମକୁ ଫାଶୀ ମିଳିନଥିଲା । ପ୍ରଭାତ ଓ ସିନି ଯେଉଁ ଯେଉଁ କାମ କରିଯାଇଛନ୍ତି, ସେସବୁ କଂସର କାମ ସହିତ ତୁଳନୀୟ ନୁହେଁ ! ତୁମେ ହେଉଛ ସର୍ବଶକ୍ତିମାନ । ସମସ୍ତେ କହନ୍ତି, ତମେ ସବୁ କାମ କରିପାରିବ । ସମସ୍ତକୁ ଉଦ୍ଧାର କରିପାରିବ ବିପଦରୁ । ଦ୍ରୌପଦୀଙ୍କୁ ବିବସ୍ତ୍ର କରାଯାଇଥିଲା । ସେ ଆଖିରୁ ଲୁହ ବୁହାଇ କାନ୍ଦି କାନ୍ଦି ତୁମର ସାହାଯ୍ୟ ପାଇଁ ଭିକ୍ଷା କରିଥିଲେ । ତୁମେ ସାହାଯ୍ୟ ଦେଇଥିଲ ! କିନ୍ତୁ ମୁଁ ? ନା ! ମୋର ଆଜି କିଛି ହୋଇନି ! ମୁଁ ଦ୍ରୌପଦୀ ନୁହେଁ ! ମୁଁ ଆଜି ବିପଦରେ ପଡ଼ିନି !”

 

‘‘ତୁମେ ଇଚ୍ଛା କଲେ କ’ଣ ଜଣେ ଲୋକକୁ ଫାଶୀରୁ ଉଦ୍ଧାର କରିପାରିବନି ? ହଁ ନିଶ୍ଚୟ ପାରିବି । କିନ୍ତୁ ମୁଁ ଚାହେଁନା । ମୁଁ ତୁମକୁ ଆଜି କିଛି ମାଗୁନି । ଯାଚିକି ଦେଲେ ବି ମୁଁ ତାକୁ ଗ୍ରହଣ କରିବିନି । ମୁଁ ଏ ପୃଥିବୀରେ ଟିକିଏ ହେଲେ ବି ରହିବାକୁ ଚାହେଁନା । ମୁଁ ଫେରି ଯିବାକୁ ଚାହେଁ ସେହି ସ୍ଥାନକୁ, ଯେଉଁ ସ୍ଥାନରେ ମୋର ବାପା ଆଉ ମା’ ଥିବେ ।”

 

‘‘ମୁଁ ଆଜି ଖୁସି । ଆଜିଠାରୁ ମୋ ଦୁଃଖ ଦୂର ହେଉଛି । ସେଥିପାଇଁ ମୁଁ ତୁମକୁ ଧନ୍ୟବାଦ ଦେଉଛି ଅନ୍ତରର ସହିତ । ମୁଁ ଯାହା ଚାହୁଁଥିଲି ତୁମେ ଠିକ୍‍ ସେଇଆ ଦେଇଛ । ମୋର ଯାହା ଯାହା ଦରକାର, ମୋ ମନମୁତାବକ, ତୁମେ ସେହି ଜିନିଷ ଦେବାକୁ ଯାଉଛ । ପ୍ରକୃତରେ ମୁଁ ଏ ପୃଥିବୀରେ ରହିବାକୁ ଚାହୁଁନଥିଲି । ଏ ଅନ୍ଧ ଅରାଜକ ଗ୍ରହଟାରେ ଦେହଘଷରା ହୋଇ ରହି ରହି ଅଣନିଃଶ୍ଵାସୀ ହୋଇଯାଇଥିଲି । ମୋ ସାବତ ବାପ ଓ ସାବତ ମା’ ପାପ କରିଥିଲେ । ସେଥିପାଇଁ ତୁମେ ଦଣ୍ଡ ଦେଇଥାନ୍ତ । ମୁଁ ତାହା ସେତେବେଳେ ବୁଝିପାରିନଥିଲି । ମୁଁ ଭଗବାନ ନ ହେଲେ ମଧ୍ୟ ନିଜକୁ ଭଗବାନ ବୋଲି ଭାବି ଭୁଲ୍‍ କରିଥିଲି ଓ ତୁମକୁ ଅପେକ୍ଷା ନ କରି ମୁଁ ବିଶ୍ଵ-ବିଚାରପତିଙ୍କ ଆସନ ଉପରେ ବସି ମନେ ମନେ ବିଚାର କରି ସେମାନଙ୍କୁ ଏପରି ଦଣ୍ଡ ଦେଇଥିଲି-। ମୁଁ ନରହତ୍ୟା କରିଥିଲି । ସେହିପରି ମଧ୍ୟ ଆଉଥରେ ତୁମ ନିୟମ, ସୃଷ୍ଟି ଓ ଧର୍ମ ଆଦର୍ଶକୁ ଭୁଲିଯାଇ କ୍ଷଣିକ ଉତ୍ତେଜନାରେ ମୋ ସାବତ ଭାଇ ଓ ଭଉଣୀଙ୍କୁ ଶେଷ କରି ଦେଇଥିଲି-। ଏ ସବୁର ଦଣ୍ଡ ଫାଶୀ ନୁହେଁ । ଫାଶୀଠାରୁ ଯଥେଷ୍ଟ ଅଧିକ । ଫାଶୀତ ଏତେ ବଡ଼ ଜଘନ୍ୟ ଅପରାଧ ପାଇଁ ଢେର ଉଦାର ଏବଂ ନଗଣ୍ୟ ଦଣ୍ଡ ! ହେ ଭଗବାନ, ତୁମେ ଯଦି ଫାଶୀଠାରୁ ଆଉ କିଛି ଅଧିକ ଏବଂ ବଡ଼ ଦଣ୍ଡ ସୃଷ୍ଟି କରିଥାଅ, ତା’ହେଲେ ସେଇଟା ମୋ ଉପରେ ପ୍ରଥମେ ଲାଗୁକର । ଏଇଟା ମୋର ଏକାନ୍ତ ଅନୁରୋଧ । ଫାଶୀଠାରୁ ଆଉ କ’ଣ ଅଧିକ ବଡ଼ ଦଣ୍ଡ ଥାଇପାରେ ?”

 

ଖୁବ୍‍ ରାଗିକରି ଉଜ୍ଜଳ ଭଗବାନଙ୍କ ବିଗ୍ରହକୁ ଚାହିଁ ରହିଥିଲା । ପାଞ୍ଚ ମିନିଟ୍‍ ହୋଇଯାଇଥିଲା । ତାକୁ ପୋଲିସ୍‍ମାନେ ଟାଣିଆଣିଥିଲେ ଭିଡ଼ି ଭିଡ଼ି ।

 

ଜେଲ୍‍ ପଡ଼ିଆରେ ତା’ର ଫାଶୀ ହେବ । ଅନେକ ଲୋକ ଏହା ଦେଖିବାକୁ ରୁଣ୍ଡ ହୋଇଥିଲେ । ପୂର୍ବରୁ ଖବର ପାଇଥିଲେ । ଉଜ୍ଜଳର ସମସ୍ତ ବାଲ୍ୟ ବନ୍ଧୁ କ୍ଲାସମେଟ୍‍ ଏଠାରେ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରେ ବବୃ, ତା’ର ବାପ ମା’ ମଧ୍ୟ ଥିଲେ । ଭୃଗୁ ମଧ୍ୟ ଥିଲା । ଭୃଗୁ ସେତେବେଳକୁ ଗୋଟିଏ ପ୍ରେମରେ ପଡ଼ି ବିଭା ହୋଇଯାଇଥିଲା । ତା’ ସ୍ତ୍ରୀ ମଧ୍ୟ ତା’ ସହିତ ଆସିଥିଲା । ସମସ୍ତେ ବଡ଼ ହୋଇଯାଇଛନ୍ତି । ସେମାନଙ୍କୁ ଉଜ୍ଜଳ ଚିହ୍ନିପାରିବ କି ନା, ତାହା କେହି କହିପାରିବେନି । ଉଜ୍ଜଳ ଘରର ପୂର୍ବତନ ଚାକରାଣୀ ମୀରା ମଧ୍ୟ ଅସି କାନ୍ଦିଥିଲା । ମୀରା ବୁଢ଼ୀ ହୋଇଯାଇଛି । ବାଳ ପାଚିଯାଇଛି । ସେ ଏ ଖବର ପାଇ ଯେଉଁଠି ଥିଲା, ସେଠାରୁ ଚାଲି ଆସିଛି । ସବିତାର ସମସ୍ତ କ୍ଲାସମେଟ୍‍ ଏ ପଡ଼ିଆରେ ଆସି ରୁଣ୍ଡ ହୋଇଥିଲେ । ଇଡ଼ା ଓ ତା’ ମା’ ମଧ୍ୟ ଆସିଥିଲା । ସାବତ ସଂସଦର ସଭାପତି ଏବଂ ସଭ୍ୟବୃନ୍ଦ ମଧ୍ୟ ଆସିଥିଲେ । ସବିତା ତା’ ପୁଅ ମୁନା ଏବଂ ସନାତନ ବାବୁ ପାଖାପାଖି ହୋଇ ଛିଡ଼ା ହୋଇଥାନ୍ତି । ପ୍ରଭାତ ଏବଂ ସିନିଙ୍କ ପୁଅ କୁନା ମଧ୍ୟ ଏଠାରେ ବୁଲୁଥାଏ । ମୁନା ଏବଂ କୁନା ଏ ଦୁହେଁ ଅଳ୍ପ ବଡ଼ ବଡ଼ ହୋଇଯାଇଛନ୍ତି । କଥା କହିପାରୁଛନ୍ତି । ଚାଲବୁଲ କରିପାରୁଛନ୍ତି ।

 

ଠିକ୍‍ ସମୟରେ ଉଜ୍ଜଳକୁ ଉପରକୁ ନିଆଗଲା । ଗୋଟିଏ ଉଚ୍ଚା ଜାଗା ଉପରେ ଗୋଟିଏ ବଡ଼ ଲମ୍ବା ଏବଂ ଚଉଡ଼ା କାଠପଟା ପଡ଼ିଛି । ଚଉଡ଼ାଠାରୁ ଲମ୍ବାଟା ଅଳ୍ପ ଅଧିକ । ଉଜ୍ଜଳକୁ ପ୍ରଥମେ ତାରି ଉପରେ ଛିଡ଼ା କରି ଦିଅଗଲା । ଉପରୁ ଫାଶୀ ଦଉଡ଼ି ଝୁଲୁଥାଏ । ଉଜ୍ଜଳକୁ ଦେଖି ସବିତା କାନ୍ଦିପକାଇ ସନାତନ ବାବୁଙ୍କ ଛାତିକୁ କୁଣ୍ଢାଇ ଧରି କହିଲା, “ବାପା !”

 

ସନାତନ ବାବୁ ତା’ ମୁଣ୍ଡକୁ ଆଉଁସି ସାନ୍ତ୍ୱନା ଦେଇ ତାକୁ ସମ୍ଭାଳିବାକୁ ଚେଷ୍ଟା କରୁଥିଲେ ।

 

ସନାତନ ବାବୁ ମୁନାକୁ ଟେକି ଧରି କହିଲେ, ‘‘ମୁନା ! ଏଇ ଯିଏ ଉପରେ ଛିଡ଼ା ହୋଇଛନ୍ତି, ସେ ହେଉଛନ୍ତି ତୋ ବାପା । ତାଙ୍କୁ ଟିକିଏ ଚାହିଁଥା । ଆଉ କେବେ ତୁ ତାଙ୍କୁ ତୋ ଜୀବନରେ ଦେଖିପାରିବୁନି ।”

 

ମୁନା କହିଥିଲା, ‘‘ଫାଶୀ କ’ଣ ଏଇମିତି ପାଆନ୍ତି ?’’

 

“ହଁ ଏଇମିତି ।”

 

‘‘ମୁଁ ମଧ୍ୟ ସେହିମାନଙ୍କୁ ଦିନେ ଫାଶୀ ଚଢ଼ାଇ ଦେବି ବଡ଼ ହେଲେ, ଯେଉଁମାନେ ତାଙ୍କୁ ଫାଶୀ କାଠ ଉପରେ ଚଢ଼ାଇଛନ୍ତି ।”

 

ସବିତାଙ୍କ ଛାତିରୁ ଅନେକ କୋହ ଉଠି ଆସିଥିଲା ଏସବୁ ଶୁଣି ।

 

ଉଜ୍ଜଳର ଆଖି ସମସ୍ତଙ୍କ ଉପରେ ପଡ଼ିଲା । ବବୃ, ଭୃଗୁ, ସବିତା, ସନାତନ ବାବୁ, ମୁନା...ଏ ସମସ୍ତଙ୍କ ଉପରେ ପଡ଼ିଲା; କିନ୍ତୁ ସେ ଅପରିବର୍ତ୍ତିତ । ସଙ୍ଗେ ସଙ୍ଗେ ତା’ ମୁଣ୍ଡକୁ ଏକ ବଡ଼ କଳା କନାଦ୍ଵାରା ଘୋଡ଼ାଇ ଦିଆଗଲା । ସେ ଆଉ କିଛି ଦେଖିପାରିଲାନି । ତା’ପରେ ଉପରୁ ଝୁଲୁଥିବା ଶକ୍ତ ଫାଶୀ ଦଉଡ଼ିକୁ ଆଣି ତା’ ବେକରେ ଟାଇଟ୍‍ କରି ବାନ୍ଧି ଦିଆଗଲା । ସବିତାଙ୍କ ମୁହଁଟି ଲାଲ ପଡ଼ିଗଲା । ଅନ୍ୟ ସମସ୍ତେ ନିଜ ନିଜର ହାତ ଘଡ଼ିକୁ ଚାହୁଁଥିଲେ । ଫାଶୀ ସମୟ ହୋଇଗଲା । ସଙ୍ଗେ ସଙ୍ଗେ ତା’ ଗୋଡ଼ତଳେ ଥିବା କାଠକୁ କାଢ଼ି ନିଆଗଲା । ତା’ ଶବଟି ଝୁଲି ପଡ଼ିଲା । ସମସ୍ତଙ୍କ ଆଖି ଏକ ସମୟରେ ବୁଜି ହୋଇଗଲା ।

 

ନାଇଁ ବୋଲି ଖୁବ୍‍ ଜୋରରେ ଚତ୍କାର କରିଥିଲା ସବିତା । ସବିତା ତଳେ ଖସିପଡ଼ିଲା । ତା’ ଚେତା ବୁଡ଼ିଗଲା । ବବୃ, ଭୃଗୁ, ଇଡ଼ା ଆଦି ନିଜ ନିଜ ହାତ ପାପୁଲି ସାହାଯ୍ୟରେ ନିଜ ନିଜ ମୁହଁକୁ ଘୋଡ଼ାଇ ରଖିଥିଲେ ।

 

ଅନେକ ସମୟ ପରେ ସବିତାର ଚେତା ଫେରି ଆସିଥିଲ ।

 

(୬୧)

 

ମୁନା ଏବଂ କୁନା ଦୁହେଁ ଦୁହିଁଙ୍କୁ ଚିହ୍ନିଲେ । ସେମାନେ ଏକ ନିରୋଳା ସ୍ଥାନକୁ ଆସି କଥାବାର୍ତ୍ତା ହେଲେ ।

 

କୁନା କହିଲା, ‘‘ତୋ ବାପା ମୋ ବାପା ଆଉ ମା’କୁ ମାରିଲା ।”

 

ମୁନା କହିଲା, ‘‘ତୋ ବାପା ମୋ ବାପାକୁ ମାରିଛି । ତୋରି ବାପ ମା’ଙ୍କ ଯୋଗୁଁ ମୋ ବାପା ଫାଶୀ ପାଇଲା । ସେମାନେ ମୋ ବାପାଙ୍କୁ ସବୁଦିନ ମାରୁଥିଲେ ।”

 

“ମୁଁ ବଡ଼ ହେଲେ ତୋତେ ମାରିବ ।”

 

“ମୁଁ ବଡ଼ ହେଲେ ମଧ୍ୟ ତୋତେ ଛାଡ଼ିବି ନାହିଁ । ତୋତେ ନିଶ୍ଚୟ ମାରିବି ।”

 

“ସେଇଟା ବଡ଼ ହେବା ପର୍ଯ୍ୟନ୍ତ କାହିଁକି ଥିବ ବାକି ?”

 

“ହଁ, ସେଇଟା ଗୋଟିଏ ଭଲ କଥା ! ଆମେ ବର୍ତ୍ତମାନ ସେ କାମଟା କଲେ ଭଲ ହେବ-।”

 

“ଆସ ଆମେ ଦୁହେଁ ବର୍ତ୍ତମାନ ମରାମରି ହୋଇଯିବା । ଦିନେ ଆମେ ନିଶ୍ଚୟ ତ ମରାମରି ହେବା । ତୁ ମୋର ଶତ୍ରୁ । ମୁଁ ମଧ୍ୟ ତୋର ଶତ୍ରୁ l ଆମେ କାହିଁକ ବଡ଼ ହେବା ? ଆମେ କାହିଁକ ବିଭା ହେବା ? ଆମର କାହିଁକି ପିଲାଛୁଆ ଜନ୍ମ ହେବେ ? ସେମାନେ କାହିଁକି ଆମପରି ମରାମରି ହେବେ ? ଆସ ଆମେ ଆମ ନିଜ ନିଜର ବାପମା’ଙ୍କ ପାଖକୁ ଚାଲିଯିବା ।”

 

“ହଁ ଖୁବ୍‍ ଭଲ କଥା । ସେମାନେ ଆମକୁ ଅପେକ୍ଷା କରିଥିବେ । ଅମେ ଡେରି କରିବାନି ।’’

 

ଦୁହେଁ ଏକା ଏକା ଅନେକ ବାଟ ଚାଲି ଚାଲି ଆସିଲେ । ଗୋଟିଏ ଭଙ୍ଗା ନିରୋଳା ମନ୍ଦିରରେ ଦୁହେଁ ଏକା ସମୟରେ ପ୍ରବେଶ କଲେ । ଏ କାମ ପୂର୍ବରୁ ଦୁହେଁ ମନ୍ଦିର ଭିତରକୁ ଯାଇ ଭଗବାନଙ୍କ ବିଗ୍ରହ ସାମନାରେ ବସି ପ୍ରାର୍ଥନା କରିବାକୁ ସ୍ଥିର କରିଥିଲେ । ଏ ମନ୍ଦିରଟି ଅନୁପ ବାବୁଙ୍କ ତିଆରି । ଚାଇନିଜ୍‍ ବୋମାଦ୍ୱାରା ଅଧାରୁ ଭାଙ୍ଗିପଡ଼ିଛି ।

 

ଦୁହେଁ ପ୍ରଥମେ ଦେଖିଲେ ଯେ ସେଠାରେ ଭଗବାନ କ୍ରିଷନ୍‍ ମହାରାଜ୍‌ଙ୍କ ବିଗ୍ରହଠାରୁ ଅଳ୍ପ ଦୂରରେ ମନ୍ଦିରର ବାହାର ବେଢ଼ାରେ ଦୁଇଜଣ ଲୋକ ଶୋଇଛନ୍ତି । ପାଟିରୁ ନିଶାପାଣି ବାସନା ବାହାରୁଛି । ଦୁହିଁଙ୍କ ଅଣ୍ଟାରେ ଦୁଇଟି ବନ୍ଧୁକ ପଡ଼ିଛି ।

 

ମୁନା ଏବଂ କୁନା ଏ ଦୁଇଟିଯାକ ବନ୍ଧୁକ ଉଠାଇ ଧରିଲେ । ତା’ପରେ ଦୁହେଁ ଭଗବାନଙ୍କୁ ପ୍ରଣାମ କରିଥିଲେ । ତାଙ୍କ ସାମନାରେ ବସିଥିଲେ । ବନ୍ଧୁକ ଦୁଇଟି ଛନ୍ଦି ହୋଇ ରହିଲା । ମୁନା ଛାତିରେ କୁନା ବନ୍ଧୁକକୁ ଭୁଷି ଧରିଲା । କୁନା ଛାତିରେ ମୁନା ବନ୍ଧୁକକୁ ଭୁଷି ଧରିଥିଲା ।

 

କୁନା କହିଲା, ‘‘ମୋତେ ବନ୍ଧୁକ ଫୁଟାଇ ଆସେନି ।”

 

ମୁନା କହୁଥିଲା, ‘‘ମୁଁ କ’ଣ ଜାଣିଛି ? ତଥାପି ଯେତିକି ଜାଣିଛି ବତାଇ ଦେବି । ଏକ ଦୁଇ ତିନ କହିଲା ବେଳକୁ ବନ୍ଧୁକର ଘୋଡ଼ା ଏକ ସମୟରେ ଟିପିବାକୁ ପଡ଼ିବ ।”

 

ତା’ପରେ ଏକ ଦୁଇ ତିନ୍‍ ।

 

କ୍ରିଷନ୍‍ ମହାରାଜଙ୍କ ସାମନାରେ ଠିକ୍‍ ତାଙ୍କ ମୂର୍ତ୍ତିକୁ ଲାଗି ଏ ଶବ୍ଦ ହୋଇଥିଲା । ‘‘ଗୁଡ଼ୁମ୍‍ ଗୁଡ଼ୁମ୍‍,” ସଙ୍ଗେ ସଙ୍ଗେ ଦୁଇଟି ଶିଶୁଙ୍କ ଶବ ତଳେ ଟଳି ପଡ଼ିଲା ।

 

ଏ ଶବ୍ଦରେ ଯେଉଁ ଦୁଇ ଲୋକ ଶୋଇଥିଲେ, ଉଠିପଡ଼ିଲେ । ଏସବୁ ଜାଣିଲେ । ଜଣେ ସେମାନଙ୍କ ମଧ୍ୟରୁ ବୁଢ଼ା ଲୋକ । ତାଙ୍କ ଦାଢ଼ି ପାଚିଗଲାଣି । ଆଜି ପର୍ଯ୍ୟନ୍ତ ମଧ୍ୟ ସେ ସେହିପରି ଏହି ମନ୍ଦିରକୁ ଆସୁଛନ୍ତି ପ୍ରତିଦିନ । ଘରଟିଏ ମଧ୍ୟ କରି ନାହାଁନ୍ତି । ସେ ମୁନା ଉପରେ ଆଖି ପକାଇଲେ । ସେ କହିଲେ, ‘‘ଏହିପରି ଆଉ ଗୋଟିଏ ଘଟଣା ଘଟିଥିଲା । ଗୋଟିଏ ପିଲା ଅସି ମୋ’ଠାରୁ ମୁଁ ଏଠାରେ ଶୋଇଥିଲାବେଳେ ଏହିପର ଅଣ୍ଟାରୁ ଫିଟାଇ ରିଭଲ୍‌ଭର୍‍ ନେଇ ମଣିଷ ମାରିଥିଲା । ଏଇ ପିଲାଟି ଠିକ୍‍ ତାରି ପରି ଦେଖାଯାଉଛି । ସମ୍ଭବତଃ ତାରି ପୁଅ । କିନ୍ତୁ ସେ ତ ଜେଲରେ । ସେ ବିଭା ହୋଇନଥିବ ।”

 

ଅନ୍ୟ ଜଣକ କହିଲା, ‘‘ଅମେ ଏପରି ବାହାର ଜାଗାରେ ବନ୍ଧୁକ ପକାଇ ଶୋଇବା ଠିକ୍‍ ହୋଇନି ।”

 

ଠିକ୍‍ ସମୟରେ ସବିତାଙ୍କ ଚେତା ଅସିଲା । ସଙ୍ଗେ ସଙ୍ଗେ ସେ ମୁନାକୁ ଖୋଜିଲେ । କିନ୍ତୁ ପାଇଲେ ନାହିଁ । ଗହଳି ଭିତରେ ସେ କୁଆଡ଼େ ହଜିଯାଇଛି । ସନାତନ ବାବୁ ଓ ସେ ତାକୁ ଖୋଜି ଖୋଜି ଶେଷରେ ଏକ ମନ୍ଦିରରେ ପହଞ୍ଚିଲେ । ଏସବୁ ଦୃଶ୍ୟ ଦେଖି କାହା ହୃଦୟ ଦୁଃଖରେ ଚିରି ନ ଯିବ ? ସବିତା ପାଟିକରି କହିଥିଲେ, “ମୁନା...ନାଇଁ ।” ତାଙ୍କ ମୁଣ୍ଡ ଘୂରିଯାଉଥଲା । ସେ ମୁନାର ଶବ ପାଖରେ ବସିପଡ଼ିଲେ । ଶେଷକୁ ମୁନା ମଧ୍ୟ ତାଙ୍କୁ ଛାଡ଼ି ଚାଲିଗଲା । ସେ ଆଉ କାହାକୁ ଏଥର ଅନାଇବେ ? କାହା ମୁହଁକୁ ଉଜ୍ଜଳ ମୁହଁ ସହିତ ତୁଳନା କରିବେ ? କାହାକୁ ଦେଖି ନିଜ ଦୁଃଖକୁ କମାଇବେ ? ବାପପୁଅ ଦୁଇ ଜଣ ଯାକ ଏକା ଦିନକେ ଛାଡ଼ି ଚାଲିଗଲେ କାହାକୁ କିଛି ନ କହି । ତାଙ୍କ କୋଳ ଶୂନ୍ୟ ହୋଇଗଲା । ଉଜ୍ଜଳର ରକ୍ତ ଆଉ ଏ ଦୁନିଆରେ କାହା ଦେହରେ ବହୁଛି ? ଆଉ କେହି ନାହିଁ । ସବୁ ଶେଷ ହୋଇଯାଇଛି, ଏସବୁ କାହିଁକି ହେଲା ? ସେ ବୁଝିପାରୁ ନାହାଁନ୍ତି ? କୁନା ଶେଷକୁ ତାଙ୍କର ରାହୁ ହେଲା ? ସେ କ’ଣ ମୁନାକୁ ବତାଇଛି ଏପରି କରିବାକୁ ? କିନ୍ତୁ ଏମାନେ ସବୁ ପିଲା ! ଏମାନେ ଏଥିରେ କାହିଁକ ମୁଣ୍ଡ ଭର୍ତ୍ତି କଲେ ?

 

ସନାତନ ବାବୁଙ୍କ ପାଟିରୁ କିଛିହେଲେ କଥା ବାହାରିଲା ନାହିଁ । ଅନୁପ ବାବୁ ଏବଂ ତାଙ୍କ ସାଙ୍ଗ ତାଙ୍କୁ ସବୁ ଫିଟାଇ କହିଥିଲେ । ନିଜ ଆଡ଼ୁ ସେ କିଛି ପଚାରିନଥିଲେ । କୁନା ପାଇଁ କାନ୍ଦିବାକୁ କେହି ନ ଥିଲେ ।

 

(୬୨)

 

ଅନେକ ଦିନ ପରେ ଅନୁପ ବାବୁ ସନାତନ ବାବୁଙ୍କ ବସା ଖୋଜି ଖୋଜି ଆସି ତାଙ୍କ ଘରେ ପହଞ୍ଚିଥିଲେ । ସନାତନ ବାବୁ ଚିହ୍ନିଲେ । ଘରକୁ ଡାକି ଅଣି ପାଖରେ ବସାଇଲେ । ପରସ୍ପର ମଧ୍ୟରେ କଥାବାର୍ତ୍ତା ଚାଲିଲା । ଅନୁପ ବାବୁ ଜାଣିବାକୁ ପାଇଥିଲେ ଯେ ସବିତା ଉଜ୍ଜଳକୁ ଭଲପାଇଥିଲା । ଉଜ୍ଜଳ ହେଉଛି ତାଙ୍କ ସାଙ୍ଗ ରାକେଶ୍‍ ବାବୁଙ୍କ ପୁଅ । ତାଙ୍କ ସ୍ତ୍ରୀ ନୀହାରିକାଙ୍କ ସାନ ଭଉଣୀ ଅରୁଣାଙ୍କୁ ରାକେଶ୍‍ ବାବୁ ବିଭା ହୋଇଥିଲେ । ପ୍ରଭାତ ଏ ଦୁହିଁଙ୍କ ପୁଅ । ଏସବୁ ଉଜ୍ଜଳଠାରୁ ସବିତା ଶୁଣିଥିଲା ଏବଂ ସବିତାଠାରୁ ସନାତନ ବାବୁ ଶୁଣିଥିଲେ ପୂର୍ବରୁ । ଏହିପରି ସବୁ ବିଷୟ ଖୋଲା ଖୋଲି ହୋଇ ଦୁହେଁ କଥାବାର୍ତ୍ତା ହୋଇଥିଲେ । ସବୁ ବିଷୟ ଜାଣିଥିଲେ ।

 

ଆଖିରୁ ଲୁହ ଝରାଇ ଝରାଇ ସନାତନ ବାବୁ କହିଥିଲେ, ‘‘ଆଜିକୁ ତିନି ମାସ ହୋଇଗଲା । ସେହିଦିନଠାରୁ ସବିତା କାହାକୁ ପଦେହେଲେ କଥା କହି ନାହିଁ, ତା’ ସାଙ୍ଗ ଇଡ଼ା ଅସି ମଧ୍ୟ ତାକୁ ବହୁତ ବୁଝାଇଥିଲା । କିନ୍ତୁ ସବୁ ବୃଥା । ଏକା ସ୍ଵୟଂ ଭଗବାନ ଜାଣନ୍ତି ? ସେ କେବେ କଥା କହିବ ?’’

 

*ଲେଖକଙ୍କ ବିନାନୁମତିରେ କେହି ବହିଟିର ବିଷବସ୍ତୁକୁ ଆଧାର କରି ବା ଅନୁକରଣ କରି ଚଳଚ୍ଚିତ୍ର ପ୍ରସ୍ତୁତ କରିପାରିବେନି ଏବଂ ଅନ୍ୟ ଭାଷାରେ ରୂପାନ୍ତରିତ କରିପାରିବେନି ।

Image